Categories
ବିଶେଷ ଖବର

୨୭,୦୦୦ କୋଟିର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ବସ୍ତରର ଜଗଦଲପୁର ଠାରେ ପାଖାପାଖି ୨୭,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବସ୍ତର ଜିଲ୍ଲାର ନାଗରନାର ଠାରେ ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ୨୩,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଇସ୍ପାତ କାରଖାନାର ଲୋକାର୍ପଣ ସହ ଏକାଧିକ ରେଳ ଓ ସଡ଼କ କ୍ଷେତ୍ର ପ୍ରକଳ୍ପ ଗୁଡିକୁ ଲୋକାର୍ପଣ କରିବା ଇତ୍ୟାଦି ରହିଛି। ସେ ତାରୋକି – ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା ଏବଂ ପ୍ରତ୍ୟେକ ଗ୍ରାମର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ଏହି ସଂକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଜି ପ୍ରାୟ ୨୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ଏବଂ ବିକାଶ ମୂଳକ ପ୍ରକଳ୍ପ ପାଇଁ ଛତିଶଗଡ଼ବାସୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକାଶ ଭାରତ ପାଇଁ ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ହେବା ଉଚିତ। ଚଳିତ ବର୍ଷ ଭିତ୍ତିଭୂମି ପାଇଁ ବ୍ୟୟବରାଦ ୧୦ ଲକ୍ଷ କୋଟି ଟଙ୍କା ରହିଛି, ଯାହା କି ୬ ଗୁଣା ବୃଦ୍ଧି ପାଇଛି ବୋଲି ସେ ସୂଚନା ଦେଇଛନ୍ତି।

ରେଳ, ସଡ଼କ, ବିମାନ ବନ୍ଦର, ବିଦ୍ୟୁତ ପ୍ରକଳ୍ପ, ପରିବହନ, ଗରିବଙ୍କ ପାଇଁ ଘର ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ଗୁଡିକରେ ଇସ୍ପାତର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ଇସ୍ପାତ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। “ଛତିଶଗଡ଼ ଏକ ବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହେବାର ଲାଭ ଉଠାଉଛି”, ବୋଲି ପ୍ରଧାନମନ୍ତ୍ରୀ ଆଜି ନାଗରନାର ଠାରେ ଅନ୍ୟତମ ଅତ୍ୟାଧୁନିକ ଇସ୍ପାତ କାରଖାନାର ଉଦ୍‌ଘାଟନ ଉପରେ ଗୁରୁତ୍ୱାରୋପ କରି କହିଥିଲେ।

ଏହି କାରଖାନାରେ ଉତ୍ପାଦିତ ଇସ୍ପାତ ଦେଶର ଅଟୋମୋବାଇଲ, ଇଞ୍ଜିନିୟରିଂ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି ସେ କହିଥିଲେ। ବସ୍ତରରେ ଉତ୍ପାଦିତ ଇସ୍ପାତ ସଶସ୍ତ୍ର ବାହିନୀକୁ ସୁଦୃଢ଼ କରିବା ସହ ପ୍ରତିରକ୍ଷା ରପ୍ତାନୀକୁ ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ଇସ୍ପାତ କାରଖାନା ବସ୍ତର ଓ ଆଖପାଖ ଅଞ୍ଚଳର ପାଖାପାଖି ୫୦ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହି ନୂତନ ଇସ୍ପାତ କାରଖାନା କେନ୍ଦ୍ର ସରକାରଙ୍କ ଦ୍ୱାରା ବସ୍ତର ଭଳି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ବିକାଶକୁ ପ୍ରାଥମିକତା ଦେବା ପାଇଁ ନୂତନ ଗତି ପ୍ରଦାନ କରିବ ବୋଲି ସେ କହିଛନ୍ତି।

ଯୋଗାଯୋଗ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଅର୍ଥନୈତିକ କରିଡର ଏବଂ ଆଧୁନିକ ରାଜପଥ ବିଷୟରେ ଉଲ୍ଲେଖ କରିଥିଲେ। ୨୦୧୪ ମସିହା ତୁଳନାରେ ଛତିଶଗଡ଼ର ରେଳ ବଜେଟ୍ ପ୍ରାୟ ୨୦ ଗୁଣା ବୃଦ୍ଧି କରାଯାଇଛି। ସ୍ୱାଧୀନତାର ଏତେ ବର୍ଷ ପରେ ତାରୋକିକୁ ଏକ ନୂଆ ରେଳ ଲାଇନର ଉପହାର ମିଳୁଛି ବୋଲି ସେ ସେ ଉଲ୍ଲେଖ କରିଛନ୍ତି। ନୂଆ ଡେମୁ ଟ୍ରେନ୍ ତାରୋକିକୁ ଦେଶର ରେଳ ମାନଚିତ୍ରରେ ସଂଯୋଗ କରିଛି ଯାହା ରାଜଧାନୀ ରାୟପୁରକୁ ଯାତ୍ରା କରିବା ସହଜ କରିବ। ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବ ଏବଂ ଯାତ୍ରାକୁ ସହଜ କରିବ।

ଛତିଶଗଡ ରେଳ ଧାରଣାର ଶତ ପ୍ରତିଶତ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ କରି ଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ମଧ୍ୟ ଚଳାଚଳ କରୁଛି । ଅମୃତ ଭାରତ ଷ୍ଟେସନ ଯୋଜନାରେ ଛତିଶଗଡ଼ର ୩୦ରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି। ସେଥି ମଧ୍ୟରୁ ୭ଟି ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ ହୋଇସାରିଛି। ବିଳାସପୁର, ରାୟପୁର ଏବଂ ଦୁର୍ଗ ଷ୍ଟେସନ ସହିତ ଆଜି ଜଗଦଲପୁର ଷ୍ଟେସନକୁ ଏହି ତାଲିକାରେ ସାମିଲ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ, ଜଗଦଲପୁର ଷ୍ଟେସନ ସହରର ମୁଖ୍ୟ କେନ୍ଦ୍ରରେ ପରିଣତ ହେବ ଏବଂ ଏଠାରେ ଯାତ୍ରୀ ସୁବିଧାର ଉନ୍ନତିକରଣ କରାଯିବ। ଗତ ୯ ବର୍ଷ ମଧ୍ୟରେ ରାଜ୍ୟର ୧୨୦ରୁ ଅଧିକ ଷ୍ଟେସନରେ ମାଗଣା ୱାଇ – ଫାଇ ସୁବିଧା ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ।

“ଛତିଶଗଡ଼ର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛନ୍ତି”, ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଆଜିର ପ୍ରକଳ୍ପ ଗୁଡିକ ବିକାଶର ଗତିକୁ ଆଗକୁ ବଢ଼ାଇବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ରାଜ୍ୟରେ ନୂତନ ଶିଳ୍ପକୁ ପ୍ରୋତ୍ସାହିତ କରିବ। ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ଛତିଶଗଡ଼ର ବିକାଶ ଯାତ୍ରାରେ ସରକାର ନିଜର ସମର୍ଥନ ଜାରି ରଖିବେ ଏବଂ ଦେଶର ଭାଗ୍ୟ ବଦଳାଇବାରେ ରାଜ୍ୟ ନିଜର ଭୂମିକା ନିର୍ବାହ କରିବ। ଏହି ଅବସରରେ ଛତିଶଗଡର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ସହ ରାଜ୍ୟର ବିକାଶ ପାଇଁ ଚିନ୍ତିତ ଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ସାଂସଦ ମୋହନ ମାଣ୍ଡବୀ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବସ୍ତର ଜିଲ୍ଲାର ନାଗରନାର ଠାରେ ଥିବା ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ୨୩,୮୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ଇସ୍ପାତ କାରଖାନା ହେଉଛି, ଏକ ଗ୍ରୀନଫିଲ୍ଡ ପ୍ରକଳ୍ପ ଯାହା ଉଚ୍ଚମାନର ଇସ୍ପାତ ଉତ୍ପାଦନ କରିବ। ନାଗରନାର ଠାରେ ଥିବା ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନା ସହିତ ଆନୁଷଙ୍ଗିକ ଏବଂ ଡାଉନଷ୍ଟ୍ରିମ ଶିଳ୍ପରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏହା ବସ୍ତରକୁ ବିଶ୍ୱର ଇସ୍ପାତ ମାନଚିତ୍ରରେ ସ୍ଥାନିତ କରିବ ଏବଂ ଏହି ଅଞ୍ଚଳର ସାମାଜିକ – ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ।

ସମଗ୍ର ଦେଶରେ ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ଅନୁସରଣ କରି ଏହି କାର୍ଯ୍ୟକ୍ରମରେ ଏକାଧିକ ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଅନ୍ତଗଡ଼ ଏବଂ ତାରୋକି ମଧ୍ୟରେ ଏକ ନୂତନ ରେଳ ଲାଇନ ଏବଂ ଜଗଦଲପୁର ଏବଂ ଦାନ୍ତେୱାଡା ମଧ୍ୟରେ ଏକ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବୋରିଦାଣ୍ଡ – ସୁରଜପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଏବଂ ଜଗଦଲପୁର ଷ୍ଟେସନର ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ତାରୋକି – ରାୟପୁର ଡେମୁ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରେଳ ପ୍ରକଳ୍ପ ଗୁଡ଼ିକ ରାଜ୍ୟର ଆଦିବାସୀ କ୍ଷେତ୍ର ଗୁଡିକରେ ଯୋଗାଯୋଗରେ ଉନ୍ନତି ଆଣିବ । ଉନ୍ନତ ରେଳ ଭିତ୍ତିଭୂମି ଏବଂ ନୂତନ ଟ୍ରେନ୍ ସେବା ସ୍ଥାନୀୟ ଲୋକଙ୍କୁ ଉପକୃତ କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ।

୪୩ ନମ୍ବର ଜାତୀୟ ରାଜପଥର ‘କୁନକୁରିରୁ ଛତିଶଗଡ଼ – ଝାଡ଼ଖଣ୍ଡ ସୀମା ସେକ୍ସନ୍‌’ ପର୍ଯ୍ୟନ୍ତ ଏକ ସଡ଼କ ଉନ୍ନତିକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ନୂତନ ରାସ୍ତା ସଡ଼କ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଏହି ଅଞ୍ଚଳର ଲୋକମାନେ ଉପକୃତ ହେବେ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶର ବାରଣାସୀରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୪୫୦ କୋଟି ଟଙ୍କା ବ୍ୟୟରେ ଗଞ୍ଜାରୀ, ରଜତାଲାବ, ବାରାଣାସୀରେ ଏହି ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯିବ ଏବଂ ଏହା ୩୦ ଏକରରୁ ଅଧିକ ଅଞ୍ଚଳରେ ବିସ୍ତାରିତ ହେବ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପୁଣି ଥରେ ବାରଣାସୀ ଗସ୍ତ କରିବାର ସୁଯୋଗ ପାଇ ଆନନ୍ଦ ପ୍ରକାଶ କରିବା ସହ ଏହି ସହରରେ ଆନନ୍ଦର ଶବ୍ଦ ବାହାରେ ବୋଲି କହିଥିଲେ। ଗତ ମାସ ୨୩ ତାରିଖରେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିଥିବା ଚନ୍ଦ୍ରର ଶିବ ଶକ୍ତି ପଏଣ୍ଟରେ ପହଞ୍ଚିବାର ଠିକ୍ ଏକ ମାସ ପରେ ସେ କାଶୀ ଗସ୍ତରେ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, “ଶିବ ଶକ୍ତିର ଗୋଟିଏ ସ୍ଥାନ ଚନ୍ଦ୍ରରେ ଥିବା ବେଳେ ଅନ୍ୟଟି କାଶୀରେ ଅଛି”।

ମାତା ବିନ୍ଧ୍ୟବାସିନୀକୁ ଯିବା ରାସ୍ତାର ଛକରେ ଥିବା ଏହି ସ୍ଥାନର ମହତ୍ତ୍ୱ ଏବଂ ମୋତିକୋଟ ଗ୍ରାମ ସହିତ ଏହାର ନିକଟବର୍ତ୍ତୀ ସ୍ଥାନ, ଯେଉଁଠାରୁ ରାଜ ନାରାୟଣ ଜୀ ପ୍ରଶଂସା କରିଥିଲେ ସେହି ସ୍ଥାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ମହାଦେବଙ୍କୁ ସମର୍ପିତ ଆନ୍ତର୍ଜାତୀୟ ଷ୍ଟାଡିୟମର ଡିଜାଇନ କାଶୀବାସୀଙ୍କ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଷ୍ଟାଡିୟମରେ ଭଲ କ୍ରିକେଟ ମ୍ୟାଚ୍ ଦେଖିବାକୁ ମିଳିବ ଏବଂ ଯୁବ ଆଥଲେଟମାନେ ଆନ୍ତର୍ଜାତୀୟ ମାନର ଷ୍ଟାଡିୟମରେ ଅଭ୍ୟାସ କରିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି। ଏହା ଦ୍ୱାରା କାଶୀବାସୀ ବହୁତ ଉପକୃତ ହେବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରିକେଟ୍ ମାଧ୍ୟମରେ ବିଶ୍ୱ ଭାରତ ସହ ଯୋଡ଼ି ହେଉଛି ଏବଂ ଅନେକ ନୂଆ ଦେଶ କ୍ରିକେଟ୍ ଖେଳୁଛନ୍ତି ଯାହା ଫଳରେ ଅଧିକ ସଂଖ୍ୟକ ମ୍ୟାଚ୍ ଖେଳାଯାଉଛି। ଆଗାମୀ ବର୍ଷଗୁଡ଼ିକରେ ଷ୍ଟାଡିୟମର ବଢୁଥିବା ଚାହିଦାକୁ ଏହି ଆନ୍ତର୍ଜାତୀୟ ଷ୍ଟାଡିୟମ ପୂରଣ କରିବ ବୋଲି ସେ କହିଛନ୍ତି । ଏହି ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି।

ଏତେ ପରିମାଣର କ୍ରୀଡ଼ା ଭିତ୍ତିଭୂମିର ବିକାଶ କେବଳ କ୍ରୀଡ଼ା ଉପରେ ସକାରାତ୍ମକ ପ୍ରଭାବ ପକାଇବ ନାହିଁ ବରଂ ଆଞ୍ଚଳିକ ଅର୍ଥନୀତି ଉପରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ଏଭଳି ବିକାଶ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ଯାହା ହୋଟେଲ, ଭୋଜନାଳୟ, ରିକ୍ସା ଏବଂ ଅଟୋ ଚାଳକ ତଥା ଏହି ଅଞ୍ଚଳର ନୌଚାଳକମାନଙ୍କୁ ବହୁତ ଉପକୃତ କରିଥାଏ । କ୍ରୀଡ଼ା ପ୍ରଶିକ୍ଷଣ ଏବଂ ପରିଚାଳନା ଅନୁଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ୁଛି ଯାହା ଦ୍ୱାରା ଯୁବପିଢ଼ି କ୍ରୀଡ଼ା ଷ୍ଟାର୍ଟଅପ୍ ରେ ପ୍ରବେଶ କରିବା ର ମାର୍ଗ ପ୍ରଶସ୍ତ ହେବ ବୋଲି ସେ ଆଲୋକପାତ କରିଥିଲେ। ଫିଜିଓଥେରାପି ପାଠ୍ୟକ୍ରମ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଆଗାମୀ ଦିନରେ ବାରଣାସୀରେ ଏକ ନୂତନ କ୍ରୀଡ଼ା ଶିଳ୍ପ ଗଢ଼ି ଉଠିବ ବୋଲି ଆଶା କରାଯାଉଛି।

ଅଭିଭାବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ପରିବର୍ତ୍ତିତ ମନୋଭାବ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, “ବର୍ତ୍ତମାନ ଦେଶର ମନୋଭାବ ହେଉଛି- ଜୋ ଖେଲେଗା ଓ ହି ଖିଲେଗା (ଯିଏ ଖେଳିବ ସେ ଆେଲାକିତ ହେବ)।” ପ୍ରଧାନମନ୍ତ୍ରୀ ତାଙ୍କର ନିକଟରେ ଶାହଡୋଲ ଗସ୍ତ ଏବଂ ସେଠାକାର ଏକ ଆଦିବାସୀ ଗ୍ରାମର ଯୁବକମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ବିଷୟରେ ସ୍ମରଣ କରିଥିଲେ ଏବଂ ସେଠାରେ ‘ମିନି ବ୍ରାଜିଲ’ ପାଇଁ ସ୍ଥାନୀୟ ଲୋକଙ୍କ ଗର୍ବ ଏବଂ ସେଠାରେ ଫୁଟବଲ ପ୍ରତି ସେମାନଙ୍କର ଗଭୀର ଭଲପାଇବାକୁ ମନେ ପକାଇଥିଲେ।

କ୍ରୀଡ଼ା ପ୍ରତି କାଶୀର ପରିବର୍ତ୍ତନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। କାଶୀର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ କ୍ରୀଡ଼ା ସୁବିଧା ଯୋଗାଇ ଦେବା ପାଇଁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ସେଥିପାଇଁ ଏହି ଷ୍ଟାଡିୟମ ସହିତ ସିଗ୍ରା ଷ୍ଟାଡିୟମ ରେ ୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଯେଉଁଠାରେ ୫୦ରୁ ଅଧିକ କ୍ରୀଡ଼ା ପାଇଁ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି। ଏହା ହେଉଛି ପ୍ରଥମ ବହୁମୁଖି କ୍ରୀଡା କମ୍ପ୍ଲେକ୍ସ ଯାହା ଦିବ୍ୟାଙ୍ଗ ଅନୁକୂଳ ହେବ। ନୂତନ ନିର୍ମାଣ ସହିତ ପୁରୁଣା ବ୍ୟବସ୍ଥାରେ ମଧ୍ୟ ଉନ୍ନତି କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ ଭାରତର କ୍ରୀଡ଼ା ସଫଳତା ଏକ ପରିବର୍ତ୍ତିତ ଆଭିମୁଖ୍ୟ ଯୋଗୁଁ ହୋଇଛି କାରଣ ବର୍ତ୍ତମାନ କ୍ରୀଡ଼ା ଯୁବବର୍ଗଙ୍କ ଫିଟନେସ୍, ନିଯୁକ୍ତି ଏବଂ କ୍ୟାରିୟର ସହିତ ଯୋଡ଼ି ହୋଇଛି। ୯ ବର୍ଷ ପୂର୍ବ ତୁଳନାରେ ଚଳିତ ବର୍ଷ କ୍ରୀଡ଼ା ବଜେଟ୍ ତିନି ଗୁଣା ବୃଦ୍ଧି କରାଯାଇଛି। ଖେଲୋ ଇଣ୍ଡିଆର ବଜେଟରେ ଗତବର୍ଷ ତୁଳନାରେ ପ୍ରାୟ ୭୦ ପ୍ରତିଶତ ବୃଦ୍ଧି କରାଯାଇଛି। ସ୍କୁଲରୁ ଅଲିମ୍ପିକ୍ସ ପୋଡିୟମ ପର୍ଯ୍ୟନ୍ତ ଦଳୀୟ ସଦସ୍ୟ ଭଳି କ୍ରୀଡ଼ାବିତଙ୍କ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସେ ଝିଅମାନଙ୍କର ବଢୁଥିବା ଅଂଶଗ୍ରହଣ ଏବଂ ଟପସ୍‍ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉପରେ ଆଲୋକପାତ କରିଥିଲେ ଯେଉଁଠାରେ ଭାରତ ଚଳିତ ବର୍ଷ ସଂସ୍କରଣରେ ଅଧିକ ପଦକ ଜିତି ଇତିହାସ ରଚିଛି, ଯେତେବେଳେ କି ଏହାର ଅଂଶଗ୍ରହଣର ସମୁଦାୟ ରାଶି ତୁଳନାରେ ଅଧିକ ରହିଛି । ଆଗାମୀ ଏସୀୟ କ୍ରୀଡ଼ାରେ ଭାଗ ନେଉଥିବା କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ଦେଶର ପ୍ରତ୍ୟେକ ଗାଁ, ସହର ଓ କୋଣଅନୁକୋଣରେ କ୍ରୀଡ଼ାର ସମ୍ଭାବନା ଥିବାକୁ ଶ୍ରୀ ମୋଦୀ ସ୍ୱୀକାର କରିବା ସହ ସେମାନଙ୍କୁ ଖୋଜି ବାହାର କରି ସେମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। “ଛୋଟ ସହର ଏବଂ ଗାଁରୁ ଆସୁଥିବା ଯୁବକମାନେ ଆଜି ଦେଶର ଗୌରବ ପାଲଟିଛନ୍ତି”, ଶ୍ରୀ ମୋଦୀ ସେମାନଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଖେଲୋ ଇଣ୍ଡିଆର ଉଦାହରଣ ଦେଇଥିଲେ ଯେଉଁଠାରେ ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରାଯାଏ ଏବଂ ସରକାର ସେମାନଙ୍କୁ ଆନ୍ତର୍ଜାତୀୟ ସ୍ତରର ଆଥଲେଟ୍ ରେ ପରିଣତ କରିବାକୁ ଚେଷ୍ଟା କରନ୍ତି। ଏହି ଅବସରରେ କ୍ରୀଡ଼ା ଜଗତର ମହାନ ଖେଳାଳିଙ୍କ ଉପସ୍ଥିତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କାଶୀ ପ୍ରତି ସେମାନଙ୍କ ଭଲପାଇବା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିବା ଆଥଲେଟମାନଙ୍କୁ ପ୍ରଶିକ୍ଷକ ଭୂମିକା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, “ନୂତନ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ଉତ୍ତମ ପ୍ରଶିକ୍ଷକ ଏବଂ ଉତ୍ତମ ପ୍ରଶିକ୍ଷଣ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ବର୍ଷ ମଧ୍ୟରେ ଯୁବବର୍ଗ ବିଭିନ୍ନ କ୍ରୀଡ଼ା ଓ କ୍ରୀଡ଼ା ସହ ଯୋଡ଼ି ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ନୂଆ ଭିତ୍ତିଭୂମି ଛୋଟ ସହର ଓ ଗାଁର କ୍ରୀଡ଼ାବିତମାନଙ୍କୁ ନୂଆ ସୁଯୋଗ ଦେବ ବୋଲି ସେ କହିଛନ୍ତି। ଖେଲୋ ଇଣ୍ଡିଆ ଅଧୀନରେ ସୃଷ୍ଟି ହୋଇଥିବା ଭିତ୍ତିଭୂମି ବାଳିକାମାନଙ୍କୁ ଉପକୃତ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ କ୍ରୀଡ଼ାକୁ ଏକ ଅତିରିକ୍ତ କାର୍ଯ୍ୟକଳାପ ପରିବର୍ତ୍ତେ ଏକ ଉପଯୁକ୍ତ ବିଷୟ ଭାବରେ ବିବେଚନା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ମଣିପୁରରେ ପ୍ରଥମ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଉତ୍ତରପ୍ରଦେଶରେ ମଧ୍ୟ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସେ ଗୋରଖପୁରରେ ଏକ କ୍ରୀଡ଼ା ମହାବିଦ୍ୟାଳୟର ସମ୍ପ୍ରସାରଣ ଏବଂ ମିରଠରେ ମେଜର ଧ୍ୟାନଚାନ୍ଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରିଥିଲେ।

“ଏକ ରାଷ୍ଟ୍ରର ବିକାଶ ପାଇଁ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଜରୁରୀ”, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ଦେଶର ପ୍ରତିଷ୍ଠା ପାଇଁ ଏହାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବିଶ୍ୱର ଅନେକ ସହର ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ଜଣାଶୁଣା ଏବଂ ଏଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ ସକ୍ଷମ ଦେଶରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଷ୍ଟାଡିୟମ ବିକାଶର ଏହି ସଂକଳ୍ପର ସାକ୍ଷୀ ହେବ ଯାହା କେବଳ ଇଟା ଓ କଂକ୍ରିଟର ଢାଞ୍ଚା ନୁହେଁ ବରଂ ଭାରତର ଭବିଷ୍ୟତର ପ୍ରତୀକ ମଧ୍ୟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସହରରେ ଚାଲିଥିବା ସମସ୍ତ ବିକାଶ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ କାଶୀବାସୀଙ୍କୁ ଶ୍ରେୟ ଦେଇଛନ୍ତି। “ତୁମ ବିନା କାଶୀରେ କିଛି ସମ୍ଭବ ହୋଇପାରିବ ନାହିଁ। ଆପଣମାନଙ୍କ ସମର୍ଥନ ଏବଂ ଆଶୀର୍ବାଦ ରେ ଆମେ କାଶୀର ବିକାଶର ନୂତନ ଅଧ୍ୟାୟ ରଚନା ଜାରି ରଖିବୁ” ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିସିସିଆଇ ର ସଭାପତି ରୋଜର ବିନ୍ନି, ବିସିସିଆଇ ର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା, ଜୟ ଶାହା, ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, କପିଳ ଦେବ, ଦିଲ୍ଲୀପ ଭେଙ୍ଗସରକାର, ମଦନ ଲାଲ, ଗୁଣ୍ଡପ୍ପା ବିଶ୍ୱନାଥ ଓ ଗୋପାଳ ଶର୍ମା ଙ୍କ ସମେତ ପୂର୍ବତନ କ୍ରିକେଟ ଖେଳାଳି ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ବାରାଣସୀରେ ଥିବା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଆଧୁନିକ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ। ପାଖାପାଖି ୪୫୦ କୋଟି ଟଙ୍କା ବ୍ୟୟରେ ଗଞ୍ଜାରୀ, ରଜତାଲାବ, ବାରାଣାସୀରେ ଏହି ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯିବ ଏବଂ ଏହା ୩୦ ଏକରରୁ ଅଧିକ ଅଞ୍ଚଳରେ ବିସ୍ତାରିତ ହେବ। ଏହି ଷ୍ଟାଡିୟମର ବିଷୟବସ୍ତୁ ଭଗବାନ ଶିବଙ୍କଠାରୁ ପ୍ରେରଣା ନେଇଛି, ଯେଉଁଥିରେ ଅର୍ଦ୍ଧଚନ୍ଦ୍ର ଆକୃତିର ଛାତ, ତ୍ରିଶୂଳ ଆକୃତିର ଆଲୋକ, ଘାଟ ପାଦ ଭିତ୍ତିକ ବସିବା ଏବଂ ବେଲପତ୍ର ଆକୃତିର ଧାତବ ଚାଦର ପାଇଁ ଡିଜାଇନ ପ୍ରସ୍ତୁତ କରାଯାଇଛି । ଷ୍ଟାଡିୟମରେ ୩୦ ହଜାର ଦର୍ଶକ ବସିପାରିବେ।