Categories
ଆଜିର ଖବର ରାଜ୍ୟ ଖବର

ସ୍ୱୀକୃତି ନଥିବା ଘରୋଇ ସ୍କୁଲ ପିଲା ନବୋଦୟ, ଆଦର୍ଶ ବିଦ୍ୟାଳୟରେ ଆଡ଼ମିସନ ନିର୍ଦ୍ଦେଶକୁ ସ୍ୱାଗତ

ଭୁବନେଶ୍ୱର: ସ୍ୱୀକୃତି ନଥିବା ଘରୋଇ ସ୍କୁଲର ପିଲା ନବୋଦୟ, ଆଦର୍ଶ ବିଦ୍ୟାଳୟ ଭଳି ସ୍କୁଲରେ ଆଡ଼ମିସନ କରିବାକୁ ପରୀକ୍ଷା ଦେଇ ଯୋଗ୍ୟ ହୋଇଥିଲେ ମଧ୍ୟ ଆଡ଼ମିସନ କରି ପାରୁ ନ ଥଲେ। ବହୁତ ପିଲା ଏହି ସ୍କୁଲରେ ପାଠ ପଢ଼ାରୁ ବଞ୍ଚିତ ହେଉଥିଲେ। ଏନେଇ ଓଡିଶା ଅଭିଭାବକ ମହାସଂଘ ସରକାରଙ୍କ ନଜରକୁ ଆଣିଥିଲା। ଆଜି ବିଧିବଦ୍ଧ ଭାବେ ଗଣଶିକ୍ଷା ବିଭାଗ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି।

ଏହା ଦ୍ୱାରା ରାଜ୍ୟରେ ଅନେକ ପିଲା ସ୍ୱୀକୃତି ନଥିବା ଶିଶୁମନ୍ଦିର, ବିଦ୍ୟାମନ୍ଦିର ତଥା ଛୋଟ ଛୋଟ ଘରୋଇ ସ୍କୁଲର ପିଲା ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଯେଉଁ ଅସୁବିଧାର ସମୁଖୀନ ହେଉଥିଲେ, ସେଥିରେ ପୂର୍ଣ୍ଣଛେଦ ପଡିଛି। ଦୀର୍ଘଦିନ ହେଲା ଏହି ସମସ୍ୟାର ସମାଧାନ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବି କରି ଆସୁଥିଲା।

ରାଜ୍ୟରେ ବିଭିନ୍ନ ଅଂଚଳରେ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଘରୋଇ ସ୍କୁଲ ସ୍ଥାପନ ହୋଇଛି। ସରକାରୀ ସ୍ୱୀକୃତି ପାଇଁ ଭିତ୍ତିଭୂମି ସହ ଅନେକ ସୁବିଧା ସୁଯୋଗର ବ୍ୟବସ୍ଥା ହେଲେ ଘରୋଇ ସ୍କୁଲ ସ୍ୱୀକୃତି ପାଇପାରିବେ। ଅନେକ ସ୍କୁଲ ଭଲ ଶିକ୍ଷାଦାନ କରୁଥିଲେ ମଧ୍ୟ ବିଭିନ୍ନ କାରଣରୁ ସ୍ୱୀକୃତି ପାଉନଥିଲେ। ଯଦ୍ୱାରା କି ଛାତ୍ର ଛାତ୍ରୀ ଓ ଅଭିଭାବକ କେନ୍ଦ୍ରୀୟ, ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖେଇବା ପାଇଁ ଶିକ୍ଷା ଅଧିକାରୀଙ୍କ ଦସ୍ତଖସ୍ତ ପାଇଁ ହଇରାଣ ହେଉ ଥିଲେ। ଏବେ ଏହାର ପୂର୍ଣ୍ଣଛେଦ ପଡିଛି।

ଏହି ନିର୍ଦ୍ଦେଶନାମକୁ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସ୍ୱାଗତ କରିଛନ୍ତି। ଯେହେତୁ ବିଭିନ୍ନ ସମସ୍ୟା ନେଇ ଘରୋଇ ସ୍କୁଲ ସ୍ୱୀକୃତି ପାଇ ପାରିନାହାନ୍ତି କିମ୍ବା ଆବେଦନ କରି ବିଚରାଧୀନ ରହିଛି ସେହି ସ୍କୁଲର ପିଲାମାନେ ତାଙ୍କର ମେଧାତ୍ୱ ଥାଇ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ଆଡ଼ମିସନ କରିପାରୁନଥିଲେ। ସାରା ରାଜ୍ୟରୁ ବହୁତ ଅଭିଭାବକ ଯୋଗାଯୋଗ କରିବାପରେ ମହାସଂଘ ଏହାକୁ ସରକାରଙ୍କ ନଜରକୁ ଆଣିଥିଲେ।

ଗଣଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ଏହି ସମସ୍ୟାର ସମାଧାନ କରିଛନ୍ତି। ଏହି ଚିଠି ଦ୍ୱାରା ଶହ ଶହ ଅଭିଭାବକ ଏହାର ସୁଯୋଗ ନେଇପାରିବେ। ଏହା ସରକାରଙ୍କ ଓ ଘରୋଇ ସ୍କୁଲର ପ୍ରଶାସନିକ ବିଧିବ୍ୟବସ୍ଥାର ତ୍ରୁଟି, ତେଣୁ ମେଧାବୀ ପିଲାଙ୍କ ଉତ୍ତମ ଶିକ୍ଷା ଗ୍ରହଣରେ ବାଧା ସୃଷ୍ଟି ନକରିବାକୁ ଗଣଶିକ୍ଷା ବିଭାଗ ଏହି ନିର୍ଦ୍ଦେଶ ଜାରି କରିଥିବାରୁ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।