Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଅହମ୍ମଦାବାଦ ଠାରେ ୩୬ତମ ଜାତୀୟ କ୍ରୀଡାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ ସମାରୋହରେ ୩୬ତମ ଜାତୀୟ କ୍ରୀଡାର ଶୁଭାରମ୍ଭ କରିବେ। ଜାତୀୟ କ୍ରୀଡାରେ ଭାଗ ନେଇଥିବା ଦେଶର ବିଭିନ୍ନ ସ୍ଥାନର କ୍ରୀଡାବିତମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ ସମାରୋହରେ ସାମିଲ ହେବେ।

ଗୁଜୁରାଟରେ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡା ଆୟୋଜିତ ହେଉଛି। ଏହା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୨, ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସାରା ଦେଶର ପ୍ରାୟ ୧୫ ହଜାର କ୍ରୀଡାବିତ, କୋଚ ଓ ଅଧିକାରୀ ୩୬ଟି କ୍ରୀଡା ଶୃଙ୍ଖଳାରେ ଭାଗ ନେବା ଦ୍ୱାରା ଏହା ଏପର୍ଯ୍ୟନ୍ତ ଆୟୋଜିତ ସବୁଠାରୁ ବଡ ଜାତୀୟ କ୍ରୀଡା ପାଲଟିବ। ଅହମ୍ମଦାବାଦ, ଗାନ୍ଧିନଗର, ସୁରତ, ଭଦୋଦରା, ରାଜକୋଟ ଓ ଭାବନଗର ଆଦି ଛଅଟି ସହରରେ କ୍ରୀଡା ଇଭେଣ୍ଟଗୁଡିକ ଆୟୋଜିତ ହେବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୁଜୁରାଟରେ ଆନ୍ତର୍ଜାତୀୟ ସ୍ତରର ମଜବୁତ କ୍ରୀଡା ଭିତ୍ତିଭୂମି ସୃଷ୍ଟି ହୋଇ ପାରିଥିଲା, ଯାହାଦ୍ୱାରା ରାଜ୍ୟ ଖୁବ କମ ସମୟ ମଧ୍ୟରେ କ୍ରୀଡା ଆୟୋଜନ ପାଇଁ ପ୍ରସ୍ତୁତି କରିପାରିଛି।