ପୁରୀ, ଆଜି ଶ୍ରୀମନ୍ଦିରରେ ପବିତ୍ର ବନବାସ ଓ କନ୍ଦର୍ପ ଅଧିବାସ ନୀତି ଅନୁଷ୍ଠିତ ହେଉଅଛି । ଆଜ୍ଞାମାଳ ପାଇ ରାମ, ଲକ୍ଷ୍ମଣ ଏବଂ ସୀତାଦେବୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି। ସେଠାରେ ମାର୍କଣ୍ଡେଶ୍ଵର ସାହି ଲୋକେ ବନବାସ ପ୍ରସ୍ତାବ (ଲୀଳା) କରିଥାନ୍ତି ।
Tag: ଶ୍ରୀମନ୍ଦିର
ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଆଜିଠୁ ମେ’ ୧୫ ପର୍ଯ୍ୟନ୍ତ ଭକ୍ତଙ୍କୁ ମାହାପ୍ରଭୁଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି କଟକଣା ଲଗାଇଛି।
ଆଜି ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ବନ୍ଦ ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ। ଯାହାଫଳରେ ଭକ୍ତଙ୍କୁ ମେ’ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଲାଗି ବନ୍ଦ କରାଯାଇଛି।
ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ନୂଆ କଟକଣା ଲାଗୁ କରାଯାଇଛି। ଏବେ ଶନିବାର ଏବଂ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର କେବଳ ରବିବାର ଦିନ ବନ୍ଦ ରହୁଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ।
ଏହାସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରର ବାହାର କାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି। ଛତିଶା ନିଯୋଗ କମିଟି ଦ୍ଵାରା ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।
ପୁରୀ: ଶ୍ରୀମନ୍ଦିରର ସହ ଜଡିତ ଥିବା ୨୩ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ୨୩ ଜଣଙ୍କ ମଧ୍ୟରୁ ୭ ଜଣ ସେବାୟତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପରିବାରରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ଵାରା ଜୋତାଷ୍ଟାଣ୍ଡରୁ ୮ ଜଣ, ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ, ଶ୍ରୀମନ୍ଦିରରେ ନିୟୋଜିତ ଜଣେ ପୋଲିସ କର୍ମୀ, ଜଣେ ମାଳୀ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି।
ତେବେ ଆଜି ସୁରତରୁ ପୁରୀ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ କରୋନାରେ ସଂକ୍ରମଣ ହୋଇଛନ୍ତି। ଆଣ୍ଟିଜେନ ଟେଷ୍ଟ ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆଜି ତାଙ୍କର ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ। ହେଲେ ନାବାଳିକାଙ୍କ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଛି।
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ଠାକୁରଙ୍କ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ନୂଆ ଏସଓପି ଜାରି କରିଛି। ସକାଳ ୬ ଟା ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। କିନ୍ତୁ ଆସନ୍ତାକାଲିଠାରୁ ସବୁ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପ୍ରତ୍ୟେକ ରବିବାର ଦିନ ଶ୍ରୀମନ୍ଦିର ପରିସରକୁ ବିଶୋଧନ କରାଯିବ। ରବିବାର ଦିନକୁ ଛାଡି ଅନ୍ୟ ଦିନଗୁଡିକରେ ଭକ୍ତମାନେ ସକାଳ ୬ ଟାରୁ ଦର୍ଶନ ଆରମ୍ଭ କରିବେ। ଶ୍ରୀମନ୍ଦିର ବନ୍ଦ ପରେ ସପ୍ତାହକୁ ଦୁଇଥର ବିଶୋଧନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ପୁରୀ: ଶ୍ରୀମନ୍ଦିରରେ ରକ୍ତର ଛିଟା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି। ଯାହାଦ୍ୱାରା ସକାଳ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀଜିଉଙ୍କର ମହାସ୍ନାନ ପରେ ସକାଳ ନୀତିର ଆୟୋଜନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସାଧାରଣ ଭକ୍ତଙ୍କୁ ଅନୁମତି ମିଳିଛି। ହେଲେ ଶ୍ରୀମନ୍ଦିର ପରିସରରେ ଏଭଳି ଏକ ଅଭାବନୀୟ ଘଟଣା କିପରି ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନାରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଉଚ୍ଛା ରଖିଛନ୍ତି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ତାଙ୍କର ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ର ଜରିଆରେ କହିଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ତଥା ଆମର ପୁରୁଣା ପରମ୍ପରା ଏବଂ ଐତିହ୍ୟକୁ ବଜାୟ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ପୁରୀ ମହାରାଜା ଦିବ୍ୟସିଂହ ଦେବ ନିରନ୍ତର ଓ ନିରଳସ ଉଦ୍ୟମ କରି ଆସୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବରେ ପୁରୀ ଗଜପତି ମହାରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା। ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନା କିମ୍ବା ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କୋରିଡ଼ର ଯୋଜନାକୁ ଆଗେଇ ନେବାରେ କୋଟି କୋଟି ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡ଼ିଆଙ୍କ ଭାବାବେଗ, ଶ୍ରଦ୍ଧା ଏବଂ ଭକ୍ତିଭାବନାକୁ ଉଜ୍ଜୀବିତ କରିଥିବାରୁ ପୁରୀ ଗଜପତି ମହାରାଜାଙ୍କ ନିକଟରେ ଶ୍ରୀ ପ୍ରଧାନ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକଟରେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ସହଯୋଗ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ। ଏ ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ସମ୍ଭବ ନୁହେଁ। ତେବେ ପ୍ରତ୍ୟେକ ହିନ୍ଦୁ ବିଶେଷ ଭାବରେ ଓଡ଼ିଆ ଲୋକମାନେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ମହାପ୍ରଭୁଙ୍କ ସେବା କରିବା ତଥା ଶ୍ରୀମନ୍ଦିରର ବିକାଶ ପାଇଁ ଏହି ଧାମର ସହଯୋଗ ନିମନ୍ତେ ଶ୍ରମଦାନ ଏବଂ ଅର୍ଥଦାନ ପାଇଁ ସୁଯୋଗ ଦିଆଯିବା ନିମନ୍ତେ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିର ବିକାଶ ପାଇଁ ଶ୍ରମ ଓ ଅର୍ଥଦାନ ସେମାନଙ୍କୁ ସ୍ୱର୍ଗୀୟ ଆଶୀର୍ବାଦରେ ଆଧ୍ୟାତ୍ମିକ ଶାନ୍ତି ସହ ଅଭୁତପୂର୍ବ ଆନନ୍ଦ ଦେବ।
ଏହି ମର୍ମରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆପଣଙ୍କ ଦକ୍ଷ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ବଡ ଆକାରର ଧନ ସଂଗ୍ରହ ଅଭିଯାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଭକ୍ତ ସହଯୋଗରେ ହାତ ବଢାଇପାରିବେ ତା’ର ବ୍ୟବସ୍ଥା ତିଆରି କରାଯିବା ନେଇ ଗଜପତି ମହାରାଜାଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମ୍ମାନ ଏବଂ ଭକ୍ତିଭାବର ପ୍ରକାଶ କରି ଆସୁଛନ୍ତି। ଏହି ପବିତ୍ର ପ୍ରଚେଷ୍ଟାକୁ ବଡ ସଫଳତାର ରୂପ ଦେବା ପାଇଁ ଭାରତ ସରକାର ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ ଅଛନ୍ତି।
ତେବେ ପ୍ରସ୍ତାବିତ ଅଭିଯାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ।
ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମଧ୍ୟରେ ସମ୍ପର୍କର ସେତୁ ସାଜିବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି ଆଇନଗତ ଦୃଷ୍ଟିକୋଣରୁ ଭାରତ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଆୟକର ଅଧିନିୟମ ଅନୁଯାୟୀ ଛାଡ, ବୈଦେଶିକ ଆର୍ଥିକ ଯୋଗଦାନ ପଞ୍ଜିକରଣ (ନିୟମାବଳି) ଆଇନ, ୨୦୧୦ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସହାୟତା ପ୍ରଦାନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ମାନଙ୍କ ପାଇଁ ଓଡ଼ିଶା ତଥା ଭାରତର ଏକାଧିକ ବ୍ୟାଙ୍କ୍ ଏବଂ ସେମାନଙ୍କ ଶାଖା ବ୍ରାଂଚ୍ ମଧ୍ୟ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇବା ସହ ସହଯୋଗ କରିବେ।
ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ତଦାରଖ କରୁଥିବାରୁ ଶ୍ରୀ ପ୍ରଧାନ ମହାରାଜାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଧାନ ସେବକ ଭାବରେ ଗଜପତି ମହାରାଜ କୋଟି କୋଟି ହିନ୍ଦୁ ତଥା ସାଢ଼େ ୪ କୋଟି ଓଡ଼ିଆଙ୍କ ମହାପ୍ରଭୁ ତଥା ଶ୍ରୀମନ୍ଦିର ପ୍ରତି ଥିବା ଧାର୍ମିକ ଆସ୍ଥାର ପବିତ୍ର ପ୍ରତୀକ। ଗଜପତି ମହାରାଜାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର କ୍ରିୟାନ୍ୱୟନ ବଡ ସଫଳତା ପାଇବ ବୋଲି ଦୃଢ ଆଶାବାଦୀ ଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଶ୍ରୀ ପ୍ରଧାନ।
ମହାପ୍ରଭୁ ଜଗନ୍ନାଥଙ୍କୁ ଆର୍ଥିକ ସହାୟତା କିମ୍ବା ଶ୍ରମଦାନ ମାଧ୍ୟମରେ ସେବା କରିବା ପାଇଁ ହିନ୍ଦୁ ବିଶେଷ ଭାବରେ ଓଡ଼ିଆଙ୍କୁ ସୁଯୋଗ ମିଳିବା ଗୌରବ ଏବଂ ସୌଭାଗ୍ୟର ବିଷୟ। ଏହି ମହତ କାର୍ଯ୍ୟ ପାଇଁ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ଦୋହରାଇବା ସହ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନ ଓ ସହଯୋଗରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଏହି ପବିତ୍ର ପ୍ରକଳ୍ପ ପ୍ରତ୍ୟେକ ଓଡ଼ିଆ ଏବଂ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ବିଶାଳ ସଫଳତା ହେବ ବୋଲି ଶ୍ରୀ ପ୍ରଧାନ ଆଶାବାଦୀ ଅଛନ୍ତି।
ଓଡ଼ିଶା, ଭାରତ ତଥା ବିଶ୍ୱରେ ଏକ ବିଶାଳ ଦାନ ଅଭିଯାନକୁ ସ୍ୱେଚ୍ଛାକୃତ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ସହଯୋଗ ନିମନ୍ତେ ଗଜପତି ମହାରାଜାଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ସମଗ୍ର ବିଶ୍ୱରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତମାନେ ସମ୍ପୂର୍ଣ୍ଣ ଜୀବନରେ ଗୋଟିଏ ଥର ସେବା କରିବାର ମହାନ୍ ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
ପୁରୀ: ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ଉନ୍ନତିମୂଳକ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଭକ୍ତଙ୍କୁ ଉତ୍ତର, ଦକ୍ଷିଣ, ପଶ୍ଚିମ ଦ୍ୱାରରେ ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଆଜି ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଛନ୍ତି।
ଶ୍ରୀମନ୍ଦିର ଚାରିପଟେ ଦେଢଲକ୍ଷରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଛନ୍ତି। ଗ୍ରାମଦେବତାଙ୍କ ପରି ମନ୍ଦିରରେ ସ୍ଥାନୀୟ ଅଧିବାସୀଙ୍କ ଦିନକୁ ଦୁଇ ତିନିଥର ମନ୍ଦିର ଭିତରେ କାର୍ଯ୍ୟ ରହୁଛି। ଅନେକ ବରିଷ୍ଠ ଭକ୍ତ ସିଂହଦ୍ୱାର ବାଇଶି ପାହାଚରେ ଚଢିକରି ଯାଇପାରୁନଥିବା ବେଳେ ଅନ୍ୟ ଦ୍ୱାରରେ ୬, ୭ଟି ପାହାଚ ଉଠିବା ପରେ ସୁବିଧାରେ ମନ୍ଦିରରେ ପ୍ରବେଶ କରିପାରୁଛନ୍ତି। ସ୍ଥାନୀୟ ଅଧିବାସୀଙ୍କୁ ଆଧାର କାର୍ଡ ଯାଂଚ କରି ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ଠାରେ ଦାବି କରିଛନ୍ତି।
ଏହାସହ ପ୍ରତି ଶନିବାର ଓ ରବିବାର ୫୦ହଜାରରୁ ଉର୍ଦ୍ଧ ଭକ୍ତ ଶ୍ରୀମନ୍ଦିରକୁ ଆସୁଥିବାରୁ ମନ୍ଦିର ଚାରିପଟ ଟ୍ରାଫିକ୍ ଜାମ୍ ହେଉଛି। ବ୍ୟାରିକେଡ ଯୋଗୁଁ ବିଭିନ୍ନ ସାହିର ଲୋକମାନେ ସୁବିଧାରେ ବଡଦାଣ୍ଡକୁ ଆସିପାରୁନାହାଁନ୍ତି। ପୂର୍ବରୁ ଥିବା ଜିଲ୍ଲାପାଳ ବଲବନ୍ତ ସିଂ ବିଭିନ୍ନ ସମୟରେ ବିଧାୟକଙ୍କୁ ପଚାରି କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନର ଜିଲ୍ଲାପାଳ ସେମିତି କିଛି କାର୍ଯ୍ୟ କରିବା ପାଇଁ ବିଧାୟକଙ୍କୁ ଡାକିନଥିବା ଅଭିଯୋଗ କରିଛନ୍ତି।
ପୁରୀ: ଆଜି ଜଣେ ଦାତା ଶ୍ରୀଜୀଉଙ୍କୁ ୪ କେଜିରୁ ଉର୍ଦ୍ଧ୍ଵ ସ୍ଵର୍ଣ୍ଣ ଅଳଙ୍କାର ଦାନ କରିଥିବା ସୂଚନା ମିଳିଛି। ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ ଜଣେ ଦାତା ଏହି ସୁନା ଅଳଙ୍କାର ଶ୍ରୀଜୀଉଙ୍କୁ ଦାନ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ପାଇଁ ୪୦ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୩ ଶ୍ରୀମୁଖ ପଦ୍ମା ଦାନ କରିଛନ୍ତି। ସେହିପରି ସୁଭଦ୍ରାଙ୍କ ପାଇଁ ୨ଟି କିରିଟ ଓ ୨ ଟି ଝୋବା ପ୍ରଦାନ କରିଛନ୍ତି। ସେ ମୋଟ ୪ କେଜି ୮୫୮ ଗ୍ରାମ ଓଜନର ସୁନା ଦାନ କରିଥିବା ଜଣାପଡିଛି।
ଦାତା ତାଙ୍କର ପ୍ରତିନିଧି ମାଧ୍ୟମରେ ଏହିସବୁ ସୁନା ଅଳଙ୍କାର ତିନି ଠାକୁରଙ୍କ ଲାଗି ଦାନ କରିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହା ଦାନ କରିଛନ୍ତି। ତେବେ ଏହି ସବୁ ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ବ୍ୟବହାର କରାଯିବ ବୋଲି କୁହାଯାଉଛି।
ପୁରୀ: ଧୀରେ ଧୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଉଠାଇବା ଆରମ୍ଭ ହୋଇଛି। ଗତ ୨୧ ତାରିଖ ଠାରୁ ଭକ୍ତମାନଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ହଟାଯାଇଥିବା ବେଳେ ଆଜି ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାରିକେଡ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଜଗନ୍ନାଥବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ବ୍ୟାରିକେଡ ହଟାଇବାକୁ ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଳୁଙ୍କ ଠାରୁ ମତାମତ ଗ୍ରହଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ବ୍ୟାରିକେଡ ଯୋଗୁଁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କୁ ଚାଲିବାକୁ ପଡୁଥିଲା।
ହେଲ ଆଜି ଶ୍ରୀମନ୍ଦିର ବନ୍ଦ ରହିଛି। ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯାଉଥିବାରୁ ଆଜି ଦର୍ଶନ ବନ୍ଦ ରହିଛି। କିନ୍ତୁ ଭକ୍ତମାନଙ୍କ ପାଇଁ କୋଭିଡ଼ କଟକଣା ଜାରି ରହିବ। ଭକ୍ତମାନେ ହାତ ସାନିଟାଇଜ୍ କରିବା ସହ ସାମାଜିକ ଦୂରତା ରକ୍ଷା କରିବେ। ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପାନ ଓ ଗୁଟଖା ଛେପ ପକାଇବା ମନା।
ଶ୍ରୀମନ୍ଦିର ଖୋଲିବା ପରେ ଜଗନ୍ନାଥ ଦର୍ଶନ କରିବାକୁ ସାଧାରଣ ଭକ୍ତଙ୍କୁ ପ୍ରବେଶ ଅନୁମତି
ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଏଣିକି ଦିନକୁ ୧୭ ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ନେଇ ବ୍ୟବସ୍ଥା ରହିଥିଲା। ଆସନ୍ତା ୩ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରାଯିବ।
ତେବେ ଦର୍ଶନ କରିବାକୁ ହେଲେ ଭକ୍ତମାନଙ୍କ ପାଇଁ କୋଭିଡ଼ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନେଗେଟିଭ ଥିବା ଭକ୍ତମାନଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି। ପେବୃୟାରୀ ମାସରୁ ଦର୍ଶନ କୋହଳ କରାଯିବା ନେଇ ବ୍ୟବସ୍ଥା କରାଯାଉଛି ବୋଲି କ୍ରିଷନ୍ କୁମାର କହିଛନ୍ତି।
ପୁରୀ, ଧାର୍ମିକ ସହର ପୁରୀରେ ଯେଉଁମାନେ ଭଡାରେ ରହିଛନ୍ତି ସେମାନଙ୍କ ଉପରେ ଜଗନ୍ନାଥ ପ୍ରସନ୍ନ ହୋଇଛନ୍ତି। ଭଡାଟିଆମାନେ ମଧ୍ୟ ଠାକୁରଙ୍କୁ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ତେବେ ଏମାନେ ଘରମାଲିକଙ୍କଠାରୁ ଏହି ଲେଖା ଆଣିବାକୁ ପଡିବ। ତାହାକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ।
କୋଭିଡ19 ପାଇଁ ଦୀର୍ଘ ନ ମାସଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ଗତ 23 ତାରିଖରୁ ଖୋଲାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଛଡାଯାଇଥିଲା। ଏହ ଅବଧୀ ଗତକାଲି ସରିବା ପରେ ପୁରୀବାସୀଙ୍କ ଦର୍ଶନ ପାଇଁ ବର୍ତ୍ତମାନ ଖୋଲାଯାଇଛି। ଏଥିରେ ଭଡାଟିଆମାନେ ମଧ୍ୟ ଯାଇପାରିବେ ବୋଲି କୁହାଯାଇଛି।
ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଦୀର୍ଘ ୯ ମାସ ଧରି କାଳିଆ ଦର୍ଶନ ପାଇଁ ଯେଉଁ କଟକଣା ଲାଗିଥିଲା ତାହାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷା ପରେ ଭକ୍ତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି।
ତେବେ କାଳିଆକୁ ଦର୍ଶନ କରିବା ପାଇଁ କିଛି ନୂତନ କଟକଣା ଲାଗୁ କରାଯାଇଛି। ଶ୍ରୀମନ୍ଦିର ଭିତରେ ଦୀପ ଜାଳିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା। ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ। ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ। ମନ୍ଦିର ଭିତରକୁ ଯିବା ସମୟରେ ପ୍ରତ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ହାତକୁ ସାନିଟାଇଜ କରିବେ। ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି।
ତେବେ ସେବାୟତମାନେ ପ୍ରଥମ ପର୍ଯ୍ୟାୟରେ ମାହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଓ ସେମାନଙ୍କ ପରିବାର ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ। ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ବାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅସୁସ୍ଥ ଲୋକ, ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ତେବେ ପୁରୀ ବାହାରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦେଖାଇବା ଜରୁରୀ।
ପୁରୀ: ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ମନ୍ଦିର ଖୋଲିବାକୁ ଆଉ ୩ ଦିନ ରହିଥିବାବେଳେ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ଟି ସଚିବ ଭିକେ ପାଣ୍ଡିଆନ୍। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ। ସେହିଭଳି ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି ଫାଇଭ୍ ଟି ସଚିବ। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହିତ ଭିତର ଦର୍ଶନ ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ ଫାଇଭ୍ ଟି ସଚିବ। ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ବଫର ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ଫାଇଭ୍ ଟି ସଚିବ। ଫାଇଭ୍ ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ଏସପି କନଓ୍ଵର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ପ୍ରଥମ ଦୁଇ ଦିନ ଅର୍ଥାତ୍ ୨୩ ଓ ୨୪ ତାରିଖରେ ସେବାୟତ ପରିବାରକୁ ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି। ତା’ପରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ପର୍ଯ୍ୟାୟକ୍ରମେ ଦର୍ଶନ ସୁବିଧା ମିଳିବ। ନୂଆବର୍ଷ ଉପଲକ୍ଷେ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଆସନ୍ତା ୩ ତାରିଖରୁ ସର୍ବସାଧାରଣ ଦର୍ଶନ ନିମେନ୍ତ ମନ୍ଦିର ଖୋଲାଯିବ ବୋଲି ସୂଚନା ରହିଛି। ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ବାଧ୍ୟତା ମୂଳକ କରାଯାଇଛି। ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ସୂଚନା ରହିଛି। ଦର୍ଶନ ସମୟରେ କୋଭିଡ୍ ନିୟମ ପାଳନ କରାଯିବ।
ପୁରୀ : ଭକ୍ତଙ୍କ ଅପେକ୍ଷା ଶେଷ ହୋଇଛି । ଆସନ୍ତା 23ରୁ ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦୁଇଦିନ ସେବାୟତ ପରିବାରକୁ ଦର୍ଶନ ଅନୁମତି ରହିଛି । ତା’ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ଓ୍ବାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ। ଓ୍ବାର୍ଡଓ୍ବାରୀ ଦର୍ଶନ ପାଇଁ ସମୟ ଆବଣ୍ଟନ କରାଯିବ ବୋଲି ସୂଚନା ରହିଛି । ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ପୁରୀ ବାସୀ ଶ୍ରୀଜୀଉଙ୍କର ଦର୍ଶନ କରିପାରିବେ । ସେହିପରି ଜାନୁଆରୀ ତିନି ତାରିଖରୁ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁବିଧା ମିଳିବ । ଜାନୁଆରୀ 1 ଓ 2 ତାରିଖ ଦର୍ଶନକୁ ବାରଣ କରାଯାଇଛି । କୋଭିଡ୍ ଗାଇଡଲାଇନ୍ରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଦର୍ଶନପାଇଁ ଆସୁଥିବା ପୁରୀ ସହରବାସୀ ଭୋଟର ଓ ଆଧାର କାର୍ଡ ଆଣିବାକୁ ବାଧ୍ୟତାମୂଳକ ରଖାଯାଇଛି। ତେବେ ଦର୍ଶନ ପାଇଁ କୋଭିଡ୍ ଗାଇଡଲାଇନ୍ର ପାଳନ କରାଯିବ ।
ସେହିପରି ଆସନ୍ତା 23 ତାରିଖରୁ ପୁରୀ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ । ମଙ୍ଗଳା ମନ୍ଦିର, ଅଲରାନାଥ ଆଦି ବଡ ମନ୍ଦିର ଖୋଲିବା ପାଇଁ ମିଟିଂ କରି ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସ୍ଥାନୀୟ ତହସିଲଦାର, ଆଇଆଇସି ମିଟିଂ କରି ଦର୍ଶନ ବ୍ୟବସ୍ଥା କରିବେ । ସେହିପରି ଗାଁ ଗହଳିର ଛୋଟ ମନ୍ଦିର ପାଇଁ ଆର୍ଆଇ, ସରପଞ୍ଚ ସ୍ଥିର କରିବେ ବୋଲି ସୂଚନା ରହିଛି ।
ଭୁବନେଶ୍ୱର : ଅପେକ୍ଷାର ଅନ୍ତ ଘଟିଛି ।ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତ ବ୍ୟସ୍ତ ଓ ବ୍ୟାକୁଳ । କରୋନା କାଳରେ ଦୀର୍ଘ 7/8 ମାସ ଧରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସଦୃଶ ଦର୍ଶନ ବନ୍ଦ ରହିଛି । କରୋନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବାରଣ କରାଯାଇଛି । କିନ୍ତୁ ଏବେ ମହାପ୍ରଭୁଙ୍କ ଦର୍ଶନ କରିହେବ । ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ଏହି ପାଚେରୀ ଖୁବ୍ ଶୀଘ୍ର ଭାଙ୍ଗିଯିବ । ବହୁତ ଶୀଘ୍ର ଭକ୍ତ ନିଜ ଭଗବାନଙ୍କୁ ଦର୍ଶନ କରିପାରିବେ ।
ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯିବା ନେଇ ସୂଚନା ରହିଛି । ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସରକାର ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ ବୋଲି ସୂଚନା ରହିଛି । ଆସନ୍ତା 22ରୁ 24 ତାରିଖ ମଧ୍ୟରେ ଖୋଲିଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟପ୍ରଶାସକ । ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଖୋଲିବା ପରେ ପ୍ରଥମେ 4/5 ଦିନ ପୁରୀ ଲୋକଙ୍କୁ ଦର୍ଶନ ଅନୁମତି ରହିବ । ସେହିପରି ଭିଡ ଦୃଷ୍ଟିରୁ ଜାନୁଆରୀ 1 ଏବଂ ଦୁଇ ତାରିଖରେ ଦର୍ଶନ ବନ୍ଦ ରହିବ । ତିନି ତାରିଖଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ । ତିନି ତାରିଖ ଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ । ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍ଓପି ଜାରି କରାଯିବ । ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଓ ସାନିଟାଇଜର୍ ଲଗାଇବା ଜରୁରୀ ବୋଲି ସୂଚନା ରହିଛି।ଶ୍ରୀମନ୍ଦିର ଚାରି ଦ୍ବାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ । ଜିଲ୍ଲା ବାହାର ଲୋକଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡିବ । 65 ବର୍ଷରୁ ଅଧିକ ବୟସ୍କ, ପିଲାଙ୍କୁ ନ ଆସିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଆସନ୍ତା ତିନି ତାରିଖଠାରୁ ପ୍ରତ୍ୟେକ ଦିନ 5 ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି । ପ୍ରଥମ ସପ୍ତାହରେ ଦୈନିକ 5 ହଜାର ପରେ ସଂଖ୍ୟା ଆଗକୁ ବଢିବ ବୋଲି ସୂଚନା ରହିଛି । ମାସେ 2 ମାସ ମଧ୍ୟରେ ଅଧିକ ଦର୍ଶନା୍ର୍ଥୀଙ୍କୁ ଅନୁମତି ମିଳିପାରିବ । ତେବେ ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିବା ନେଇ ସୂଚନା ରହିଛି । ତେବେ ନୂଆବର୍ଷରେ ରାଜ୍ୟବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହୋଇଥିଲେ ସୁଦ୍ଧା ଏବେ ବି ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିପାରିନାହିଁ । ତେବେ ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଶ୍ରୀମନ୍ଦିର ଖୋଲିବା ନେଇ ସମ୍ଭାବନା ରହିଛି । ମନ୍ଦିର ଖୋଲିବା ପ୍ରସଙ୍ଗରେ ସେବାୟତଙ୍କ ଓ ଜଗନ୍ନାଥ ପ୍ରେମୀ ମାନେ ବାରମ୍ବାର ସରକାରଙ୍କୁ ଘେରିଛନ୍ତି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପୂର୍ବରୁ ମନ୍ଦିର ଖୋଲିବାକୁ ନେଇ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୈଠକ ବସିଥିଲା ଯେଉଁଥିରେ ଡିସେମ୍ବର ତୃତୀୟ ସପ୍ତାହରେ ମନ୍ଦିର ଖୋଲିବା ନେଇ ସ୍ଥିର ହୋଇଥିଲା ।ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି । ଶ୍ରୀମନ୍ଦିର ସେବାୟତ ଓ ଅନ୍ୟାନ୍ୟ ଲୋକଙ୍କୁ ଡାକି ବିଚାର ବିମର୍ଶ ଆରମ୍ଭ କରିଛି।
ତେବେ କଟକଣା ଭିତରେ କେଉଁଭଳି ଭାବରେ ମନ୍ଦିର ଖୋଲାଯିବ ଓ ମନ୍ଦିର ଖୋଲିଲେ କଣ ସବୁ ସମସ୍ୟା ହୋଇପାରେ ଏଥି ସହିତ ମନ୍ଦିର ଭିତରେ ଦର୍ଶନ ସମୟରେ କୋଭିଡ୍ ନିୟମାବଳୀକୁ କେଉଁ ଭଳି ଭାବରେ ପାଳନ କରାଯିବ ତାକୁ ନେଇ ଏବେ ଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
ଗତ ଶୁକ୍ରବାର ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ନିଜେ ଏହି ବୈଠକ ଡାକିଥିଲେ । ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସମେତ ବରିଷ୍ଠ ସେବାୟତ, ମନ୍ଦିର ସହ ସମ୍ପୃକ୍ତ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଖୁବ ଶୀଘ୍ର ଖୋଲିବାକୁ ଯାଉଥିବା ବେଳେ ସମସ୍ତେ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଉଥିଲା । ରାଜ୍ୟ ବାହାରର ଅନ୍ୟ ଦେବାଦେବୀ ମନ୍ଦିର ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା । ରାଜ୍ୟ ବାହାରେ ଯେଉଁ ଦେବାଦେବୀ ମନ୍ଦିର ଖୋଲାଯାଇଛି, ତାହା କେଉଁଭଳି ଚାଲିଛି, ସେ ଉପରେ ସମୀକ୍ଷା କରାଯାଇଥିଲା । କ’ଣ ସବୁ କଟକଣା ଲଗାଯାଇଛି, ତାର ବିବରଣୀ ବି ପ୍ରସ୍ତୁତ ହୋଇଥିଲା । ଅପରପକ୍ଷରେ ଆଗକୁ ବଡଦିନ ଓ ନୂଆବର୍ଷ ଥିବାରୁ ଶ୍ରୀମନ୍ଦିରର କିପରି ଭାବରେ କୋଭିଡ୍ ନିୟମାବଳୀକୁ ପାଳନ କରିହେବ, ସେ ନେଇ ମଧ୍ୟ ସମୀକ୍ଷା କରାଯାଇଛି ।
ତେବେ ଶ୍ରୀମନ୍ଦିର ଖୋଲିବା ନେଇ ପର୍ଯ୍ୟାପ୍ତ ପରାମର୍ଶ ଓ ବିଚାର ବିମର୍ଶ କରିବା ପରେ ହିଁ ମନ୍ଦିର ଖୋଲିବା ତାରିଖ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍ କୁମାର ।
ଭୁବନେଶ୍ବର, ଚଳିତ ବର୍ଷ ଶ୍ରୀଜୀୟୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଗତ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ପଡିଥିଲା। ଅର୍ଥାତ ୨୫ ବର୍ଷ ପରେ ଏହି ବେଶ ପଡିଛି। ଫଳରେ ଏହା ଦେଖିବା ପାଇଁ ଭକ୍ତମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା ଥିଲା। ହେଲେ କରୋନା ପାଇଁ ସେ ସବୁ ବନ୍ଦ କରି ଦିଆଯାଇଛି। ୨୫ ବର୍ଷ ତଳେ ପଡୁଥିଲେ ମଧ୍ୟ ଭକ୍ତମାନେ ତାହା ଦର୍ଶନ କରିବାରୁ ବଞ୍ଚିତ ହେବେ। ମନ୍ଦିର ପ୍ରଶାସନ ତରଫରୁ କରୋନା ସଂକ୍ରାମଣ ପାଇଁ ଏହି ବେଶ ଦେଖିବାକୁ ବାରଣ କରାଯାଇଛି।
ଏହି ନାଗାର୍ଜୁନ ବେଶ କଣ
ନାଗାର୍ଜ୍ଜୁନ ବେଶ ହେଉଛି ଶ୍ରୀ ଜୀୟୁଙ୍କ ଏକ ବିରଳ ବେଶ। ଏଥିରେ ଠାକୁର ବୀର ବା ଯୋଦ୍ଧା ବେଶର ସଜେଇ ହୁଅନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ରରେ ଠାକୁରଙ୍କୁ ସଜା ଯାଇଥାଏ। ପ୍ରଭୁ ବଳଭଦ୍ର ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ପଛରେ ଧନୁତୀର ରଖାଯାଇଥାଏ। ମୁଣ୍ଡରେ ଏକ ହାଣ୍ଡିଆ ମୁକୁଟ ପିନ୍ଧାଯାଇଥାଏ। ସେହିପରି ଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର ଏବଂ ବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଦିଆଯାଇଥାଏ। ସୁନାର ମୁକୁଟ ସହିତ ଏକ ଆକର୍ଷଣୀୟ ବେଶ କରାଯାଇଥାଏ। ଏହା ଏକ ବିରଳ ତଥା ବହୁ ବର୍ଷ ପରେ ହେଉଥିବାରୁ ସବୁ ଭକ୍ତ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି।
ନାଗାର୍ଜ୍ଜୁନ ବେଶ କେବେ ହୋଇଥାଏ
ଶ୍ରୀଜୀୟୁଙ୍କ ବିଭିନ୍ନ ବେଶ ମଧ୍ୟରୁ ନାଗାର୍ଜୁନ ବେଶ ହେଲା ବେଶ୍ ବିରଳ ବେଶ। କାରଣ ତିନିଠାକୁରଙ୍କ ଯେତେ ସବୁ ବେଶ ଅଛି ତାହା ବର୍ଷରେ ଥରେ ପଡିଥାଏ। ହେଲେ ନାଗାର୍ଜୁନ ବେଶ କେତେବେଳେ ପଡିବ ତାହା କହିହେବ ନାହିଁ। ମୁଖ୍ୟତଃ ଯେଉଁ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚଦିନ ନ ହୋଇ ଛଅ ଦିନ ହେବ ସେହି ଦିନ ଏହି ବେଶ କରାଯାଇଥାଏ। ଅର୍ଥାତ ପଞ୍ଚୁକ ପାଞ୍ଚଦିନ ସହିତ ଗୋଟିଏ ମଳ ତିଥି ରହିଥାଏ। ଫଳରେ ସେହି ବର୍ଷ ପଞ୍ଚୁକ ଛଅଦିନ ହୋଇଥାଏ। ଏହି ମଳ ଦ୍ବାଦଶୀରେ ପ୍ରଭୃଙ୍କ ନାଗାର୍ଜୁନ ବେଶ କରାଯାଇଥାଏ।ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ମଳ ଦ୍ବାଦଶୀ ପଡୁଥିବାରୁ ଏହି ନାଗାର୍ଜ୍ଜୁନ ବେଶ କରାଯାଉଛି।
ପୂର୍ବେ ନାଗାର୍ଜୁନ ବେଶ କେବେ ହୋଇଥିଲା
ପ୍ରକୃତରେ ନାଗାର୍ଜ୍ଜୁନ ବେଶର ପ୍ରାଚୀନତା ସଂପର୍କରେ କୌଣସି ଲିଖିତ ତଥ୍ୟ ନାହିଁ। ଏପରିକି ଶ୍ରୀମନ୍ଦିର ରେକର୍ଡରେ ମଧ୍ୟ ଏହାର ପ୍ରାଚୀନତା ସଂପର୍କରେ କୌଣସି ଉଲ୍ଲେଖ ନାହିଁ। ସେହିପିର ଶ୍ରୀମନ୍ଦିର ସତ୍ବଲିପିରେ ସମସ୍ତ ବେଶ କଥା ଉଲ୍ଲେଖ ଥିବା ବେଳେ ନାଗାର୍ଜ୍ଜୁନ ବେଶ ଉପରେ କୌଣସି ତଥ୍ୟ ନାହିଁ। ତେବେ ଶ୍ରୀମନ୍ଦିର ରେକର୍ଡ ଅନୁସାରେ କେବଳ 1966 ମସିହାରେ ଶ୍ରୀଜୀୟୁଙ୍କର ନାଗାର୍ଜ୍ଜୁନ ବେଶ ହୋଇଥିଲା। ତା ପୂର୍ବରୁ କେବେ ହୋଇଥିଲା ତାହାର କୌଣସି ତଥ୍ୟ ଲିପିବଦ୍ଧ ହୋଇ ନାହିଁ। ସେହି ରେକର୍ଡ ଅନୁସାରେ କେବଳ 54 ବର୍ଷର ଇତିହାସ ରହିଛି। ବିଗତ ବର୍ଷରେ ହୋଇଥିବା ନାଗାର୍ଜ୍ଜୁନ ବେଶ ନିମ୍ନ ତାରିଖ ଅନୁସାରେ ଅନୁଷ୍ଠିତ ହୋଇଥିଲା।
# ୨୬ ନଭେମ୍ବର ୧୯୬୬
# ୧୬ ନଭେମ୍ବର ୧୯୬୭
# ୩ ନଭେମ୍ବର ୧୯୬୮
# ଏହାପରେ ୨୭ ବର୍ଷ ପରେ ଅର୍ଥାତ ୨୬ ନଭେମ୍ବର ୧୯୯୩ ମସିହାରେ ପଡିଥିଲା
# ଗତ ନାଗାର୍ଜ୍ଜୁନ ବେଶ ହୋଇଥିଲା ୧୬ ନଭେମ୍ବର ୧୯୯୪ ମସିହାରେ
ଅର୍ଥାତ ଏଥର ନାଗାର୍ଜ୍ଜୁନ ବେଶ ୨୫ ବର୍ଷ ପରେ ଅନୁଷ୍ଠିତ ହେଲା।
ନାଗାର୍ଜ୍ଜୁନ ବେଶରେ କଣ ଲଗାଯାଏ, କିଏ କରେ
ସାଧାରଣତଃ ନାଗାର୍ଜ୍ଜୁନ ବେଶରେ ତିନିଠାକୁରଙ୍କୁ ବୀର ବେଶରେ ସଜ୍ଜିତ କରାଯାଇଥାଏ। ଏଥିରେ ସୋଲ, କନା, ଜରୀ, ବେତରେ ତିଆରି ହାଣ୍ଡିଆ, ଢେଣୁ, ନିଶଦାଢୀ, ସୋଲର ଛୁରୀ, କଟୁରୀ, ବାଘଛାଲ, ସିଙ୍ଗଡା, କଲିଫି, ସ୍ବର୍ଣ୍ଣ, ଶ୍ରୀଭୂଜ, ଶ୍ରୀପୟର, ବାଘନଖିମାଳି, ହରିଡା ମାଳି ପ୍ରଭୃତି ବ୍ୟବହାର କରାଯାଇଥାଏ। ସେହିପରି ଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର ଏବଂ ବଳଭଦ୍ରଙ୍କ ହାତରେ ହଳ ଓ ମୂଷଳ ଦିଆଯାଇଥାଏ।
ଏହି ବେଶକୁ ପୂର୍ବରୁ ପୁରୀ ହରଚଣ୍ଡୀ ସାହିର ଶ୍ରୀମନ୍ଦିର ସେବାୟତ ଜଗନ୍ନାଥ ଖୁଣ୍ଟିଆଙ୍କ ପରିବାର କରିଆସୁଥିଲେ। ହେଲେ ୧୯୯୩ ମସିହାରେ ଏମାନେ କରିବାକୁ ଅରାଜି ହେବାରୁ ଦୋଳମଣ୍ଡପ ସାହିର ଦଇତାପତି ପରିବାରର ତିଳୋତମା ଦାସମହାପାତ୍ର ଏହି ବେଶ ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥିଲେ। ହେଲେ ୧୯୯୪ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ଏହି ବେଶର ଦାୟିତ୍ବ ନେଇ ବେଶ ଯାକଜମକରେ କରିଆସୁଛି। ସେହିପରି ମନ୍ଦିର ଭିତରେ ତିନି ଠାକୁରଙ୍କୁ ଏହି ବେଶ ଯେଉଁମାନେ କରିଥାନ୍ତି ସେମାନେ ହେଲେ ଭିତରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ର, ପୁଷ୍ପପାଳକ ସେବକ। ଏଥିସହିତ ଖୁଣ୍ଟିଆ ଏବଂ ମେକାପ ସେବକ ମଧ୍ୟ ସାହାର୍ଯ୍ୟ କରିଥାନ୍ତି।
ପ୍ରତିବର୍ଷ ଏହି କାର୍ତ୍ତିକ ମାସରେ ତିନି ଠାକୁରଙ୍କ ବହୁ ବେଶ କରାଯାଇଥାଏ। ସେଥି ମଧ୍ୟରେ କାର୍ତ୍ତିକ ଏକାଦଶୀ ଦିନ ଲକ୍ଷ୍ମୀ ନାରାୟଣ ବେଶ, ଦ୍ବାଦଶୀରେ ବାଙ୍କଚୂଡା ବେଶ, ତ୍ରୟୋଦଶୀରେ ତ୍ରିବୀକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମାରେ ରାଜବେଶ କରାଯାଇଥାଏ। ହେଲେ କାର୍ତ୍ତିକ ମାସର ଏହି ନାଗର୍ଜ୍ଜୁନ ବେଶ ହେଉଛି ସବୁଠୁ ବିରଳ ।
ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ସମ୍ମାନ ହାନୀ ସହ ଓଡିଶାକୁ ନିନ୍ଦିତ କରି ଭୋଟ ରାଜନୀତିର ଭିନ୍ନ ପନ୍ଥାକୁ ଧରିଲେଣି ପଦ୍ମ ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ। ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଲେଖାଶ୍ରୀ କହିଲେ ଶ୍ରୀମନ୍ଦିର ପୁରୀରେ ବୋଲି ସମ୍ବିତ ପାତ୍ର ସାଂସଦ ପ୍ରାର୍ଥୀ ହେବା ପରେ ଲୋକ ଜାଣିଲେ। ଆଗରୁ କୁଆଡେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର କୋଲକାତାରେ ବୋଲି ଲୋକଙ୍କ ଧାରଣା ଥିଲା। ଏପରି ଋଚିହୀନ ତଥ୍ୟ ଦେଇ ଲେଖାଶ୍ରୀ କାହାକୁ ବଡ଼ ଦେଖାଇବାକୁ ଚେଷ୍ଟା କରିଛନ୍ତି ଜଣାପଡୁ ନାହିଁ।
ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ନା ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ମହାନ ବୋଲି ମନେ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ଜାତି ଓ ତାର ଆରାଧ୍ୟ ଦେବତାଙ୍କୁ ନ୍ୟୁନ କରି ଭୋଟ ପାଇଁ ମାଟିର ମର୍ଯ୍ୟାଦା ହାନୀ କରିବା ନିହାତି ନିନ୍ଦନୀୟ। କାରଣ, କାହିଁ କେଉଁ କାଳରୁ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ବିଶ୍ୱବାସୀ ଜାଣିଛନ୍ତି। ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀଜଗନାଥଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଓ ଶ୍ରଦ୍ଧା ରହିଛି। ହେଲେ ରାଜନୈତିକ ଅଭିସନ୍ଧି ରଖି ପୁରୀକୁ ନିନ୍ଦିତ କରିବାକୁ ରାଜନୀତି କୁହାଯାଇପାରିବ ନାହିଁ।
ଆଗକୁ ପିପିଲି ଉପନିର୍ବାଚନ। ତେଣୁ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରେ ବିଜେପି ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟବରଣ କରିଥିବା ସମ୍ବିତ ପାତ୍ର ଏବେ ପୁରୀରେ ଡେରା ପକାଉଛନ୍ତି। ସେଦିନ ସେ ଲେଖାଶ୍ରୀଙ୍କ ମନ୍ତବ୍ୟରୁ କଣ ବୁଝିଲେ କେଜାଣି, ସେ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ ନ କରି ଚୁପ ବସି ଏପରି ପ୍ରଶଂସାର ମଜା ନେଲେ। ରାଜନୀତିରେ ଆରୋପ ପ୍ରତ୍ୟାରୋପ ଅଛି, ଏହାର ଅର୍ଥ ନୁହେଁ ଯେ, ଗୋଟିଏ ଜାତିର ସ୍ୱାଭିମାନକୁ ତଳେ ପକାଇ ଭୋଟ ହାତେଇବା।
ଓଡ଼ିଶାରେ ସଦ୍ୟ ସମାପ୍ତ ହୋଇଥିବା ଦୁଇଟି ଆସନର ଉପନିର୍ବାଚନ ଫଳାଫଳ କେବଳ ବିଜେଡି ସପକ୍ଷରେ ଥିଲା। ସାଧାରଣ ନିର୍ବାଚନରେ ଏହି ଦୁଇ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ବିଜେଡି ହାତରେ ଥିଲାବେଳେ ଉପନିର୍ବାଚନ ଆଉ ଗୋଟିଏ ଆସନ ବିଜେଡିକୁ ଦେଲା। କାରଣ ବାଲେଶ୍ୱର ସଦର ଆସନଟି ବିଜେପିର ଥିଲା ବେଳେ ତିର୍ତ୍ତୋଲ ଥିଲା ବିଜେଡି ହାତରେ। କିନ୍ତୁ ଉପନିର୍ବାଚନ ଜନମତ ଦୁଇଟି ଆସନ ବିଜେଡିକୁ ଦେଇଦେଲା।
ଏବେ ପିପିଲି ଉପନିର୍ବାଚନ ପାଳି, ଏହା ପୁଣି ଦିବଙ୍ଗତ ନେତା ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ଼। ଯେଉଁଠି କେବଳ ଶଙ୍ଖ ଧ୍ୱନୀ, ସେଠାରେ ଉପନିର୍ବାଚନରେ ପଦ୍ମ ଫୁଟାଇବା ଆଦୌ ସହଜ ନୁହେଁ। ସକଳ କସରତ ସତ୍ତ୍ୱେ ବିଜେଡିର ଭୋଟ ଗଣିତ ବିଜେପି ପାଖରେ ନାହିଁ, ଏହା ବାରମ୍ବାର ପ୍ରମାଣ ହୋଇ ସାରିଛି। ତେଣୁ ରାଜ୍ୟର ଲୋକପ୍ରିୟ, ଭରସାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଗୌଣ କରି ପିପିଲିରେ ବିଜେପି ଜିତିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି।
ବର୍ତ୍ତମାନ ପିପିଲି ଉପନିର୍ବାଚନ ପାଇଁ ଲେଖାଶ୍ରୀ ଦଳ ପାଇଁ ଗୋଟିଏ ପେଞ୍ଚ ଛାଡିଦେଲେ। ବିରୋଧୀ ଏହାକୁ ନେଇ ରାଜନୀତି କରିବା ପାଇଁ ଏକ ଭଲ ସୁଯୋଗ ଆଣିଲେ ଲେଖାଶ୍ରୀ। ଏହି ନିଶ୍ଚିତ ଯେ ଲେଖାଶ୍ରୀଙ୍କ ଏହି ମନ୍ତ୍ରବ୍ୟ ପାଇଁ ଦଳ ନିଶ୍ଚିତ ହରଡଘଣାରେ ପଡିବ। ଏଥର ନୁହେଁ, ଅନେକ ଥର ଲେଖାଶ୍ରୀଙ୍କ ବିବାଦୀୟ ବୟାନ ବିଜେପି ପାଇଁ ଭାରୀ ପଡିଛି। ତ୍ରୁଣମୂଳରେ କର୍ମୀମାନେ ଯେପରି ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି, ଏଥିରେ ଲେଖାଶ୍ରୀଙ୍କ ପରି ଚରିତ୍ର ଦଳକୁ ସେତିକି ପଛକୁ ଟାଣୁଛନ୍ତି। ଏପରି କ୍ଷେତ୍ରରେ ବିଜେପି କେତେ ଫାଇଦା ହାସଲ କରୁଛି କି ନାହିଁ ତାହାର ସମୀକ୍ଷା କରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ପୁରୀ : ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ୍କୁ ଅନୁମୋଦନ ମିଳିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । 2020-21 ଆର୍ଥିକ ବର୍ଷ ପାଇଁ ବଜେଟ୍ ଅନୁମୋଦନ ହୋଇଛି । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଶ୍ରୀମନ୍ଦିରର ବ୍ୟୟ ବଢିଛି, ମାତ୍ର ଆୟ ଅନେକ କମିଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଆୟବୃଦ୍ଧି ପାଇଁ ଅନଲାଇନ୍ ଡୋନେସନ୍ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ବଜେଟ ଆଗତ କରାଯାଇଥିଲା ।