Categories
ଆଞ୍ଚଳିକ

ବାଣପୁରର ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ଖୁଣ୍ଟୁପଲ୍ଲି ଗ୍ରାମରେ ଜଣେ ଦୃଷ୍ଟିହୀନ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’। ଦୃଷ୍ଟିହୀନ ବ୍ୟକ୍ତି ଜଣକ ହେଲେ କୁମାରାଙ୍ଗ ପଞ୍ଚାୟତ ଖୁଣ୍ଟୁପଲି ଗ୍ରାମର ଗୋବିନ୍ଦ ଜେନା। ଉକ୍ତ ଗ୍ରୁପ ଦ୍ୱାରା ଆଜି ଅପରାହ୍ନରେ ମିଶନ ଆତ୍ମନିର୍ଭରଶୀଳ ଯୋଜନାରେ ଝୀଂଟିକାପଲ୍ଲି ସ୍ଥିତ ମା’ ତାରିଣୀ ମନ୍ଦିର ନିକଟରେ ଏକ ପୂଜା ଏବଂ ତେଜରାତି ଦୋକାନ ନିଃଶୁଳ୍କରେ ଗୋବିନ୍ଦଙ୍କୁ ଯୋଗାଇଦିଆଯାଇଅଛି। ଦୋକାନ ଚଳାଇବାରେ ତାଙ୍କ ଧର୍ମପତ୍ନୀ ତାଙ୍କୁ ସହଯୋଗ କରିବେ। ଉକ୍ତ ଦୋକାନ ଦ୍ୱାରା ଗୋବିନ୍ଦ ନିଜେ ଆତ୍ମନିର୍ଭର ହେବା ସହ ନିଜ ପରିବାର ଗୁଜୁରାଣ ମଧ୍ୟ ମେଣ୍ଟାଇପାରିବେ। ବିଗତ ଦଶ ଦିନ ତଳେ ଗୋବିନ୍ଦଙ୍କ ବିଷୟରେ ସୂଚନା ପାଇ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’ ତାଙ୍କ ବାସଭବନକୁ ପହଁଚି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ ଏବଂ ଆଜି ତାଙ୍କ ଅସୁବିଧା ଦୂର କରିବା ଉଦ୍ଦେଶ୍ୟରେ ଏକ ସୁନ୍ଦର ପ୍ରୟାସ କରିଛନ୍ତି ଯାହା ନିଶ୍ଚିତ ରୂପେ ପ୍ରଶଂସନୀୟ।

ଆଜିର ଉକ୍ତ କାର୍ଯ୍ୟକ୍ରମରେ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’ ର ସଭାପତି ପ୍ରଶାନ୍ତ ସେନାପତି ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯଥା ଚିଣ୍ଟୁ ବେହେରା, ଚୁମୁକି ବରାଳ, ଦୀପକ ଜେନା, ଉତ୍ତମ ରଣା, ସଞ୍ଜୟ ଓ ଲିପନ ଆଦି ଉପସ୍ଥିତ ଥାଇ ଗୋବିନ୍ଦ ଙ୍କୁ ଉତ୍ସହିତ କରିଥିଲେ। ଉକ୍ତ ଗ୍ରୁପର ଏତଦ ମହତ କାର୍ଯ୍ୟପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ସୂଚନା ଥାଉ କି ପୂର୍ବରୁ ଉକ୍ତ ଗ୍ରୁପ ଦ୍ୱାରା ମିଶନ ଆତ୍ମନିର୍ଭର ଯୋଜନାରେ ତିନି ଜଣ ଅସହାୟ ବ୍ୟକ୍ତିଙ୍କୁ ଏହିପରି ସହାୟତା ପ୍ରଦାନ କରାଯାଇଅଛି।