Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ଇସ୍ତଫା ଦେଲେ ବାଚସ୍ପତି ସହ ଦୁଇ ମନ୍ତ୍ରୀ

ଭୁବନେଶ୍ବର: ଆଜି ହଠାତ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଉଭୟଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ଦେଇଛନ୍ତି।

ତେବେ ହଠାତ ଏପରି କାହିଁକି ଘଟିଲା ତାହା କେହି କିଛି ଜାଣିପାରୁ ନାହାଁନ୍ତି। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ମୋତେ ଯାହା ଦିଆଯାଇଛି ତାହା କରିଛି। ବର୍ତ୍ତମାନ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଲି। ତାଙ୍କର ଇସ୍ତଫା ପରେ ସେ ମନ୍ତ୍ରୀ ହେବେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା।

ଏହାପରେ ପରେ ଗଣଶିକ୍ଷା ମନ୍ତ୍ରୀ ଏବଂ ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ପରେ ଏହି ସନ୍ଦେହ ଦୃଢିଭୂତ ହେବାରେ ଲାଗିଲା। ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସମୀର ରଂଜନ ଦାସ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ଦଳ ପାଇଁ କାମ କରିବି। ଜିଲ୍ଲାପରିଷଦରେ ହାରିବା ସହିତ ଇସ୍ତଫାର କୌଣସି ସଂପର୍କ ନାହିଁ। ସେହିପରି ଶ୍ରମ ମନ୍ତ୍ରୀ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ କହିବା ପରେ ଇସ୍ତଫା ଦେଲି।

ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଶନିବାର ଦିନ ଫେରିବେ। ଏହାପରେ ନୂଆ ମନ୍ତ୍ରୀ ମଣ୍ଡଳରେ କାହାକୁ ନିଆଯିବ ସେ ନେଇ ନିଷ୍ପତି ନେବେ। ତେବେ ବିଶେଷ ସୁତ୍ର ଅନୁସାରେ ନବୀନ ରବିବାର ଦିନ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଦୁଇମନ୍ତ୍ରୀଙ୍କ ସହିତ ବାଚସ୍ପତି ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ସେ ନୂଆ ମନ୍ତ୍ରୀ ହେବେ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ନବୀନ ନୂଆ ମନ୍ତ୍ରୀଙ୍କୁ ନେବେ ନା ଏହି ଦୁଇମନ୍ତ୍ରୀଙ୍କ ବିଭାଗ ଆଉ କାହାକୁ ଦେବେ ସେ ନେଇ କେହିକିଛି ଅନୁମାନ କରିପାରୁ ନାହାଁନ୍ତି। ତେବେ ମୁଖ୍ୟମନ୍ତ୍ରୀ ଶନିବାର ଦିନ ନୂଆଦିଲ୍ଲୀରୁ ଫେରିବା ପରେ ଏ ନେଇ କଣ ହେବ ତାହା ସ୍ପଷ୍ଟ ହେବ।