Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ। ସାରଦା ପ୍ରସନ୍ନ ପାତ୍ର ନାମକ ଯୁବକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଓ କୌଣସି କାମ କରିବାକୁ ସକ୍ଷମ ହୋଇପାରୁନଥିବା ବେଳେ ତାଙ୍କୁ ବିଭିନ୍ନ ପରୀକ୍ଷା ନିମନ୍ତେ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।

ପରୀକ୍ଷା ଦ୍ୱାରା ଦୁଇ ହୃଦଯନ୍ତ୍ରର ମଝିରେ ଥିବା ନିଳୟରେ ଏକ ବଡ ଛିଦ୍ର ରହିଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତିତ ଫୁସଫୁସକୁ ଯାଇଥିବା ଧମନୀ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା। ଏହି ଛିଦ୍ର ଦ୍ୱାରା ଶରୀରର ବିଶୂଦ୍ଧ ରକ୍ତ ଓ ଦୂଷିତ ରକ୍ତ ମିଶି ଯାଉଥିଲା ଏବଂ ଅମ୍ଳଜାନ ସ୍ତର ୭୦ ପ୍ରତିଶତ ରହୁଥିଲା।

ସେହିପରି ଧମନୀର ଆକାର ମଧ୍ୟ ଖୁବ୍ କମ୍ ଥିଲା ବୋଲି ସିଟିଭିଏସ ବିଭାଗର ସିନିୟର କନସଲଟାଂଟ ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି। ଏହିଭଳି ଅବସ୍ଥାକୁ ଡାକ୍ତରୀ ଶବ୍ଦରେ ଟେଟ୍ରାଲୋଜି ଅଫ ଫାଲଟ ବୋଲି କୁହାଯାଏ ଯାହାକି ଏକ ଜନ୍ମଗତ ତ୍ରୁଟି ବୋଲି ସେ କହିଛନ୍ତି।

ସମ୍ପୃକ୍ତ ରୋଗୀ ଜଣକ ପ୍ରଥମେ କାର୍ଡିଓଲୋଜି ବିଭାଗର କନସଲଟାଂଟ ଡ. ଦିବ୍ୟରଞ୍ଜନ ବେହେରାଙ୍କ ପାଖରେ ଚିକିତ୍ସିତ ହୋଇଥିବା ବେଳେ ସେ ସର୍ଜରୀ ନିମନ୍ତେ କାଥଲାବରେ କଏଲ ଇନବୋଲିଜାଇସନ କରିଥିଲେ। କାର୍ଡିଆକ ଆନାସ୍ଥେସିସ ଡ. ସୁକାନ୍ତ କୁମାର ଭୋଇ ଏହି ସର୍ଜରୀରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ। ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି ଯେ, ସର୍ଜରୀ ହେବା ପୂର୍ବରୁ ରୋଗୀଙ୍କୁ ହାର୍ଟ-ଲଙ୍ଗ ମେସିନରେ ରଖାଯାଇଥିଲା।

ପ୍ରଥମେ ତାଙ୍କର ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟକୁ ବନ୍ଦ କରାଯାଇଥିଲା, ଦକ୍ଷିଣ ପଟର ଭେଂଟ୍ରିକୁଲାର ଆଉଟଫ୍ଲୋ ଟ୍ରାକକୁ ବଡ କରାଯାଇ ଏକ ଟ୍ରାଂସଆନୁଲାର ପ୍ୟାଚ ଲଗାଯାଇଥିଲା। ଏହାଛଡା ଏକ ଭଲ୍‌ଭ ମଧ୍ୟ ଲଗାଯାଇଥିଲା। ରୋଗୀ ଏବେ ସୁସ୍ଥ ହେବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଡାକ୍ତର ବେହେରା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ସମ ପ୍ରଫେସର ମନୋନୀତ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡ଼ଃ ) ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଭ୍ୟ ଭାବେ ମନୋନୀତ ହେବାର ଗୌରବ ଅର୍ଜନ କରିଛନ୍ତି।

ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ଃ ସାହୁଙ୍କର ଅତୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି

ଶନିବାର ନୂଆଦିଲ୍ଲୀ ଠାରେ ଏକାଡେମୀର ୬୦ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମୀର ଅଧ୍ୟକ୍ଷ ଡ଼ଃ ସରୋଜ ଚୂଡ଼ାମଣି ଗୋପାଳ ଡ଼ଃ ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ନୀତି ଆୟୋଗର ସଦସ୍ୟ ତଥା ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସ ର ଅଧ୍ୟକ୍ଷ ଡ଼ଃ ଭି. କେ ପଲ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ପୂର୍ବତନ ଡ଼ାଇରେକ୍ଟର ଜେନେରାଲ ଡ଼ଃ ନିର୍ମଳ କୁମାର ଗାଙ୍ଗୁଲିଙ୍କ ଉପସ୍ଥିତିରେ ଡ଼ଃ ସାହୁଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଏହା ମୋ ପାଇଁ ଏକ ବଡ ସମ୍ମାନର ପ୍ରସଂଗ ଏବଂ ଏଥିନିମନ୍ତେ ମୁଁ ମୋର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବି ଓ ଓଡିଶାରେ ରୋଗୀସେବାକୁ ଆହୁରି ଉନ୍ନତ କରିବା ସହ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ କରିବାକୁ ଚେଷ୍ଟା କରିବି ବୋଲି ପ୍ରଫେସର ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲରେ ଉପଲବ୍ଧ ହେଉଛି କର୍କଟ ରୋଗରେ ପୀଡିତ ଶିଶୁଙ୍କ ସମସ୍ତ ଚିକିତ୍ସା

ଭୁବନେଶ୍ୱର: ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ପ୍ରତିବର୍ଷ ଜୁନ ମାସ ପ୍ରଥମ ରବିବାର ପାଳନ କରାଯାଏ। ଏହି ଦିବସ ଦର୍ଶାଇଥାଏ ଯେ “କର୍କଟ ରୋଗ ଚିହ୍ନଟ ପରେ ମଧ୍ୟ ଜୀବନର ବାସ୍ତବତା ରହିଥାଏ”। ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ଫାଉଣ୍ଡେସନ କର୍କଟରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ “କର୍କଟ ରୋଗ ସହ ବଞ୍ଚିଥିବା ଜଣେ ବ୍ୟକ୍ତି- ରୋଗ ଚିହ୍ନଟ ହେବା କ୍ଷଣ ଠାରୁ ବାକି ଥିବା ଜୀବନ ପର୍ଯ୍ୟନ୍ତ” ବୋଲି ବ୍ୟାଖ୍ୟା କରେ। ଯେକୌଣସି ବ୍ୟକ୍ତିଙ୍କ ଠାରେ କର୍କଟ ରୋଗ ଚିହ୍ନଟ ହେବା ସେହି ବ୍ୟକ୍ତି ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ପାଇଁ ଭୟଙ୍କର ଅଟେ।

ଭୁବନେଶ୍ୱର ସମ ହସ୍ପିଟାଲରେ କାର୍ଯ୍ୟରତ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରଫେସର ଡାକ୍ତର ସରୋଜ ପଣ୍ଡାଙ୍କ ଅନୁସାରେ, “ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ ଶିଶୁଙ୍କ ଆରୋଗ୍ୟ ହାର ଅଧିକ ରହିଥାଏ। ବିକଶିତ ରାଷ୍ଟ୍ର ଗୁଡ଼ିକରେ ଶିଶୁ ମାନଙ୍କ ମଧ୍ୟରେ ଦେଖା ଯାଉଥିବା କର୍କଟ ରୋଗରେ ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ ରହିଛି।

ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ସ୍ଵାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ସହ ସୀମିତ ଉତ୍ସ କାରଣରୁ କର୍କଟ ରୋଗୀଙ୍କୁ ଚିକତ୍ସା କରିବା ବହୁତ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ଯେଉଁ କର୍କଟ ରୋଗୀ ଏବଂ ପରିବାରର ଏହି ରୋଗର ସମ୍ମୁଖୀନ ହୋଇ ତାର ସଫଳ ଚିକିତ୍ସା କରାଇପାରିଛନ୍ତି, ସେମାନେ ପ୍ରକୃତରେ ପ୍ରଶଂସନୀୟ। ପୂର୍ବରୁ ଓଡ଼ିଶାରେ କର୍କଟ ରୋଗରେ ଆକ୍ରାନ୍ତ ଅଧିକାଂଶ ପିଲା ରାଜ୍ୟ ବାହାରେ ଥିବା କେନ୍ଦ୍ର ଉପରେ ନିର୍ଭର କରୁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବହୁତ ପରିମାଣରେ ବଦଳି ଯାଇଛି। ଆମ କେନ୍ଦ୍ର ସମ୍ ହସ୍ପିଟାଲ୍ ରେ ଆମର ଆବଶ୍ୟକ ଭିତ୍ତିଭୂମି ଅଛି ଏବଂ ଆମେ ସମସ୍ତ ପ୍ରକାରର ଶିଶୁ କର୍କଟ ରୋଗ ପାଇଁ ଚିକିତ୍ସା ଯୋଗାଉଛୁ। ଆମେ ପ୍ରତିବର୍ଷ ପ୍ରାୟ ଦୁଇଶହ ପିଲାଙ୍କର ବିଭିନ୍ନ କର୍କଟ ରୋଗରେ ଚିକିତ୍ସା କରୁଛୁ। ଲ୍ୟୁକେମିଆ, ଲିମ୍ଫୋମା, ବ୍ରେନ ଟ୍ୟୁମର୍, ବୋନ୍ ଆଣ୍ଡ ସଫ୍ଟ ଟିସୁ କ୍ୟାନ୍ସର, ୱିଲ୍ମସ ଟ୍ୟୁମର୍ (କିଡନୀ କର୍କଟ), ନ୍ୟୁରୋବ୍ଲାଷ୍ଟୋମା, ହେପାଟୋବ୍ଲାଷ୍ଟୋମା ଏବଂ ଅନ୍ୟାନ୍ୟ ବିରଳ କର୍କଟ ରୋଗର ଆମେ ଚିକିତ୍ସା କରୁଛୁ। କର୍କଟ ରୋଗରେ ପୀଡିତ କୌଣସି ବି ଶିଶୁର ଚିକିତ୍ସାର ଅଭାବ ହେବା ଉଚିତ ହୁହେଁ, ଭବିଷ୍ୟତରେ ସେମାନେ ସମାଜର ଏକ ସୁସ୍ଥ ଓ ଦାୟିତ୍ୱବାନ ସଦସ୍ୟ ହୋଇପାରିବେ” ବୋଲି ପ୍ରଫେସର ପଣ୍ଡା ଆଶା ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ସମ ହସ୍ପିଟାଲ ଶିଶୁ କର୍କଟ ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ କହିଛନ୍ତି ଯେ, ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ବିକାଶଶୀଳ ଦେଶ ଗୁଡ଼ିକରେ ଶିଶୁ କର୍କଟ ଚିକିତ୍ସାରେ ଉନ୍ନତିର ଆବଶ୍ୟକତା ରହିଥିବା ଅନୁଭବ କରିଛନ୍ତି। ରାଜ୍ୟ ତଥା କେନ୍ଦ୍ର ସରକାର କର୍କଟ ରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଅନେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛନ୍ତି। ଧୀରେ ଧୀରେ ତାଲିମପ୍ରାପ୍ତ ଶିଶୁ କର୍କଟ ବିଶେଷଜ୍ଞଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତର ଅନ୍ୟ କୌଣସି ବି ଅଗ୍ରଣୀ କେନ୍ଦ୍ର ଭଳି ଆମ କେନ୍ଦ୍ର ମଧ୍ୟ ଶିଶୁ କର୍କଟର ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାରରେ କମ ନୁହେଁ ”।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର: ୧୨ ଦିନର ଶିଶୁର ଜୀବନ ବଂଚାଇଲେ ଡାକ୍ତର

ଭୁବନେଶ୍ୱର: ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର।

ଶିଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା। ଶିଶୁ ଶରୀରର ଛାତି ଓ ପେଟ ମଧ୍ୟରେ ଥିବା ଡାୟାଫ୍ରାମ ରେ ଏକ ବଡ଼ ଛିଦ୍ର ଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା। ଏହା ଏକ ଜନ୍ମଗତ ତ୍ରୁଟି ହୋଇଥିବା ବେଳେ ତଳିପେଟରେ ଥିବା ଅନ୍ତ୍ର ଇତ୍ୟାଦି ଛାତିକୁ ଚାଲିଯାଉଥିଲା ବୋଲି ଏହି ବିରଳ ଅସ୍ତ୍ରୋପଚାର ସମ୍ପାଦନ କରିଥିବା ହସ୍ପିଟାଲର ପେଡ଼ିଆଟ୍ରିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ସୂଚନା ଦେଇଛନ୍ତି।

ଡକ୍ଟର ପ୍ରଧାନ କହିଛନ୍ତି ଯେ ସମ କୁ ଆସିବା ପୂର୍ବରୁ ଶିଶୁଟିର ୧୦ ଦିନ ଧରି ବାହାରେ ଚିକିତ୍ସା ହୋଇଥିଲେ ମଧ୍ୟ ହସ୍ପିଟାଲ କୁ ଆସିବା ସମୟରେ ତାର ଅବସ୍ଥା ଖୁବ ସଙ୍କଟାପନ୍ନ ଥିଲା। ମେ ୧୦ ତାରିଖ ଦିନ ହସ୍ପିଟାଲରେ ଭର୍ତି ହେବା ସମୟରେ ସେ ନିଶ୍ୱାସ ନେବାରେ ଖୁବ କଷ୍ଟ ଅନୁଭବ କରୁଥିଲା ବୋଲି ଡକ୍ଟର ପ୍ରଧାନ କହିଛନ୍ତି।

ଶିଶୁଟିର ଅମ୍ଳଜାନ ସ୍ତର ୪୦ ପ୍ରତିଶତକୁ ଖସିଆସିଥିବାରୁ ଏଭଳି ପରିସ୍ଥିତିରେ ଶିଶୁର ଜୀବନ ବଞ୍ଚାଇବା ଏକ ଚାଲେଞ୍ଜ ଆହ୍ବାନ କରିଥିଲା। ଶିଶୁଟିକୁ ଈଂଟ୍ୟୁବ୍ୱେଟେଡ଼ କରାଯାଇ ତାର ଅବସ୍ଥା ସ୍ଥିର କରାଯିବା ପରେ ମେ ୧୨ ତାରିଖ ଦିନ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଥିଲେ।

ଅପରେସନ ଦ୍ୱାରା ଶିଶୁର ଜୀବନ ବଞ୍ଚି ଯାଇଥିବା ବେଳେ ସେ ସୁସ୍ଥ ହୋଇ ଗୁରୁବାର ଦିନ ହସ୍ପିଟାଲ ରୁ ଡିସ୍ଚାର୍ଜ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ନିୟମିତ ଭାବେ ଲିଭର ପ୍ରତ୍ୟାରୋପଣ ନେଇ ଶନିବାର ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କ ଉପସ୍ଥିତିରେ ଏଆଇଜି ର ଲିଭର ପ୍ରତ୍ୟାରୋପଣ ନିର୍ଦ୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନ ଓ ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେନଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ।

ଏହି ଅବସରରେ ଏଆଇଜି ର ଉପ ସଭାପତି ସନ୍ତୋଷ କୁମାର ସାହୁ, ଏଆଇଜି ପକ୍ଷରୁ ଡାକ୍ତର ଜି.ଭି. ପ୍ରେମକୁମାର, ଡାକ୍ତର ଶକ୍ତି ସ୍ୱରୂପ ଓ ଡାକ୍ତର କ୍ରିଷ୍ଣା ଚଇତନ୍ୟ ଉପସ୍ଥିତ ଥିବାବେଳେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ଏବଂ ଅନ୍ୟ ଡାକ୍ତର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଗତ ମାର୍ଚ୍ଚ ମାସରେ ଓଡିଶାରେ ପ୍ରଥମଥର ନିମନ୍ତେ ଆଇଏମଏସ ଓ ସମ ହସ୍ପିଟାଲରେ ସଫଳତାର ସହ ପ୍ରଥମ ଲିଭର ପ୍ରତ୍ୟାରୋପଣ ସମ୍ପନ୍ନ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ।

ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଯେସନର ପକ୍ଷରୁ ସ୍ୱୀକୃତି ମିଳିଛି। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟ ମାନବ ପରୀକ୍ଷଣ ପ୍ରକ୍ରିୟା ସୁରକ୍ଷିତ ଭାବେ ଶେଷ ହୋଇ ସାରିଛି। ଏହି ପ୍ରକ୍ରିୟା ରେ ଅନେକ ସଂଖ୍ୟାରେ ସ୍ବେଛାସେବୀଙ୍କ ଶରୀରରେ ନୂତନ ଟୀକାର ପରୀକ୍ଷଣ କରାଯିବ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ଦେଶର ୨୧ଟି ମେଡିକାଲ ଅନୁଷ୍ଠାନକୁ ଆଇସିଏମଆର ପକ୍ଷରୁ ଚୟନ କରାଯାଇଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଓ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି।

କରୋନା ମହାମାରୀର ପ୍ରଭାବ ଦେଶରେ ବଢ଼ି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଏହି ଟୀକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଂଚି ଥିବା କହିଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ତଥା ଏହି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ।

ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟର ମୁଖ୍ୟ ଥିବା ପ୍ରଫେସର ରାଓ କହିଛନ୍ତି ଯେ ଏହି ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଏବଂ ସ୍କ୍ରିନିଂ ପ୍ରକ୍ରିୟା କୁ କୋହଳ କରାଯିବ ଏବଂ ସୁସ୍ଥ ସ୍ବେଛାସେବୀ ମାନେ ଏହି ପର୍ଯ୍ୟାୟ ନିମନ୍ତେ ଚୟନ କରାଯାଇ ପାରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ମାନଙ୍କ ଶରୀରରେ ମଧ୍ୟ ଏହି ଟୀକା ପ୍ରୟୋଗ କରାଯିବାର ଯୋଜନା ରହିଛି ବୋଲି ପ୍ରଫେସର ରାଓ କହିଛନ୍ତି। ଟୀକା ପ୍ରୟୋଗ କରାଯାଇଥିବା ସ୍ଵେଚ୍ଛାସେବୀମାନଙ୍କ ଠାରେ କୋଭାକସିନ ଟୀକାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରାଯିବ।

ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିବା ସେ ଜଣାଇଛନ୍ତି।

ଇଛୁକ ସ୍ଵେଚ୍ଛାସେବୀ ମାନେwww. ptctu.soa.ac ୱେବସାଇଟରେ ରେଜିଷ୍ଟ୍ରସନ କରିପାରିବେ।