Categories
ଆଞ୍ଚଳିକ

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଚିଲିକାରେ ପୂଜକମାନଙ୍କୁ ସହାୟତା ପ୍ରଦାନ

ସୀତାରାମ ଅଗ୍ରୱାଲ
ଚିଲିକା: କରୋନା ମହାମାରୀ କାରଣରୁ ତାଲାବନ୍ଦ ସମୟରେ ରାଜ୍ୟର ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ପରିଣାମ ସ୍ବରୂପ ବିଭିନ୍ନ ମନ୍ଦିର ର ପୂଜକ ଓ ସେବାୟତ ମାନେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଏହାକୁ ହୃଦୟଙ୍ଗମ କରି ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ସାରା ରାଜ୍ୟରେ ସେବାୟତ ଓ ପୂଜକଙ୍କ ନିମନ୍ତେ ବିଭିନ୍ନ ପ୍ରକାର ରାସନ ସାମଗ୍ରୀ ପ୍ରଦାନ କରାଯାଉଅଛି।

ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟାହ୍ନ ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ଇଞ୍ଜନପୁର ଗ୍ରାମ ସ୍ଥିତ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ଚିଲିକା ଅଞ୍ଚଳର ୪୦ ରୁ ଉର୍ଦ୍ଧ ପୂଜକ ଓ ସେବାୟତଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ହିନ୍ଦୁ ଜାଗରଣ ମଞ୍ଚ (ପୂର୍ବ) ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀ ତନ୍ମୟ ଦାଶ ଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ୍ କ୍ଳବ୍’ ସମ୍ପୂର୍ଣ ଭାବେ ସହଯୋଗ କରିଥିବାବେଳେ କ୍ଲବର ସଭାପତି ଅଜିତ୍ କୁମାର ସାହୁ, ସାଗର ଭାରତୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ପ୍ରସାଦ ସେଠି, ସ୍ଵୟଂସେବକ ବିକାଶ କୁମାର ସେଠୀ, ସ୍ୱୟଂସେବକ ସୀତାରାମ ଅଗ୍ରୱାଲ, ଆରଏସଏସ ଚିଲିକା ଖଣ୍ଡ ବ୍ୟବସ୍ଥା ପ୍ରମୁଖ ଶିବାନନ୍ଦ ମହାପାତ୍ର, ଆରଏସଏସ ବାଣପୁର ଖଣ୍ଡ କାର୍ଯ୍ୟବାହ ସୁଧୀର କୁମାର ପାତ୍ର ଏବଂ ‘ଶାଳିଆ ପ୍ରେସ କ୍ଲବ’ର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଲକ ଡ଼ାଉନ ସମୟରେ ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ପ୍ରଥମ ଥର ପାଇଁ ଚିଲିକା ଅଞ୍ଚଳରେ ଏପରି ମହତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ପୂଜକ ଏବଂ ସେବାୟତ ମାନେ ଏଥିରେ ଆତ୍ମବିଭୋର ହୋଇଉଠିଥିବାର ଦେଖାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କାଳିଆ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୫୩ ଲକ୍ଷରୁ ଅଧିକ ଚାଷୀ ପାଇଲେ ୧୨୭୨ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି। ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍‌ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର ରୋଜଗାର ବଢୁ। ତାର ଜୀବନଧାରଣ ମାନରେ ଉନ୍ନତି ଆସୁ। ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ। ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।’ କୃଷି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ସମୟରେ ଅର୍ଥନୀତିର ସବୁ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ, ଆମର ଚାଷୀଭାଇ ମାନଙ୍କ ସାହସ ଓ ପରିଶ୍ରମ କୃଷି କ୍ଷେତ୍ରରେ ଉନ୍ନତି ଆଣିଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଭାଇ ସଂଜୀବନୀ ପରି ଦେଶର ଅର୍ଥନୀତିକୁ ରକ୍ଷା କରିପାରିଛି। ‘ଚାଷୀର ତ୍ୟାଗକୁ, ତାର ପରିଶ୍ରମକୁ ମୁଁ ପ୍ରଣାମ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଚାଷୀଙ୍କ ପାଇଁ ଆରମ୍ଭରୁ ସେ କାମ କରିଆସିଛନ୍ତି ଏବଂ କରିଚାଲିବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭଲ ରହିଲେ ଦେଶ ଓ ସମାଜ ଭଲରେ ରହିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଚାଷୀଭାଇ ପାଇଁ ବିଭିନ୍ନ ଯୋଜନା କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମଏସପିକୁ ଦୁଇ ଗୁଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରିଆସୁଛନ୍ତି। ଏହାସହିତ କୃଷିଜାତ ଜିନିଷ ପାଇଁ ମାର୍କେଟିଙ୍ଗ ଇନଫ୍ରାଷ୍ଟ୍ରକଚରକୁ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ କହିଥିଲେ।

ଚାଷୀଭାଇମାନେ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ନେବେ ଏବଂ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ କାଳିଆ ସହାୟତା ସଂପର୍କରେ ଆଲୋଚନା କରିଥିଲେ। ସୁନ୍ଦରଗଡର କୁମାରୀ ମାରାଇ, ବରଗଡର ମାଣିକ ପ୍ରଧାନ, ନବରଂଗପୁରର ଘନ ପାଇକ, ନୟାଗଡର ଦାଶରଥି ସାହୁ ଓ ମୟୁରଭଂଜର ଚାଷୀମାନେ କାଳିଆ ସହାୟତା ଦ୍ବାରା କିପରି ଚାଷ ସହିତ ଛେଳିପାଳନ ଓ ଅନ୍ୟ ଆନୁଷଙ୍ଗିକ କୃଷି କାମ କରି ସେମାନେ କିପରି ଲାଭବାନ୍‌ ହୋଇଛନ୍ତି, ସେ ବିଷୟରେ କହି କାଳିଆ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ତ୍ତମାନର କୋଭିଡ ପରିସ୍ଥିତି ସତ୍ତ୍ବେ ଚାଷୀମାନେ ଭଲ ଫସଲ ଅମଳ କରି ଓଡିଶାକୁ ଆଗକୁ ନେଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନେତୃତ୍ବ ଯୋଗୁ ରାଜ୍ୟ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି ବୋଲି ସେ କହିଥିଲେ। ଏହି ଅବସରରେ କାଳିଆ ଯୋଜନା ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।