Categories
ବିଶେଷ ଖବର

ସାଂସଦ ପଦରେ ପୁନଃ ଅବସ୍ଥାପିତ ହେଲେ ରାହୁଲ: ୧୩୬ ଦିନ ପରେ ସଂସଦକୁ ଫେରିବାକୁ ଅନୁମତି, ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସେ କେରଳର ୱାୟନାଡରୁ ସାଂସଦ ଅଛନ୍ତି। ରାହୁଲ ଆଜି ସଂସଦରେ ପହଞ୍ଚି ଲୋକସଭା କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ନିଷ୍ପତ୍ତି ପରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରିଛନ୍ତି।

ମାନହାନି ମାମଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ନିମ୍ନ ଅଦାଲତ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ୨୪ ଘଣ୍ଟା ମଧ୍ୟରେ ସାଂସଦ ମାର୍ଚ୍ଚ ୨୪ତାରିଖରେ ବାହାରି ଯାଇଥିଲେ। ଏହାପରେ ଗୁଜରାଟ ହାଇକୋର୍ଟ ମଧ୍ୟ ଏହି ଦଣ୍ଡାଦେଶକୁ ବଜାୟ ରଖିଥିଲେ। ଏହା ବିରୋଧରେ ରାହୁଲ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏହାର ୧୩୪ ଦିନ ପରେ ଅଗଷ୍ଟ ୪ତାରିଖରେ କୋର୍ଟ ଏହି ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ।

ବଦଳିବ ସଂସଦରେ ବଦଳିବ ଦୃଶ୍ୟ !

ରାହୁଲଙ୍କ ସଦସ୍ୟତା ପୁନରୁଦ୍ଧାର ହେବା ପରେ ଆଜିଠାରୁ ସଂସଦର ଦୃଶ୍ୟ ବଦଳିବ। ଏବେ ବିରୋଧୀମାନେ ଅଧିକ ଆକ୍ରମଣାତ୍ମକ ହୋଇ ଶାସକ ଦଳ ଉପରେ ଆକ୍ରମଣ କରିବେ ବୋଲି ଅନୁମାନ କରାଯାଉଛି। ସେପଟେ ଏହି ନିଷ୍ପତି ପରେ କଂଗ୍ରେସରେ ଖୁସିର ବାତାବରଣ ଖେଳିଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳ ନେତାଙ୍କୁ ମିଠା ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଲୋକସଭା ବାଚସ୍ପତିଙ୍କ ନିକଟରେ ପହଞ୍ଚିବାମାତ୍ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଶନିବାର ଓ ରବିବାର ଥିଲା ବୋଲି ସେ କହିଛନ୍ତି। ଏହି ଆଦେଶ ଲୋକସଭାରେ ପହଞ୍ଚିବାମାତ୍ରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ତୁରନ୍ତ ପୁନରୁଦ୍ଧାର କରାଯାଇଥିଲା।