Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ବ୍ୟବସାୟ

ଖୁବ ଶିଘ୍ର ଭାରତ କିଣିବ 8 ହଜାର 7ଶହ 22 କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କଣ ସେହି ସାମରିକ ଉପକରଣ

ନୂଆଦିଲ୍ଲୀ, ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି। ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି 8ହଜାର 7ଶହ 22 କୋଟି 38 ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସ୍‌ଇ) ଅନୁମୋଦନ କରିଛି।

ଏଥିରେ ବାୟୁସେନା ପାଇଁ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ବା ବେସିକ୍‌ ଟ୍ରେନର ଏୟାରକ୍ରାଫ୍ଟ ଅନ୍ତର୍ଭୁକ୍ତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦର ବୈଠକରେ ଏସବୁ କ୍ରୟ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଇତିମଧ୍ୟରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍‌) ଏଚ୍‌ଟିଟି-04 ଶ୍ରେଣୀର ମୌଳିକ ତାଲିମ ପ୍ରଦାନକାରୀ ବିମାନର ପ୍ରତିରୂପ ବିକଶିତ କରିଛି।

ଖୁବ୍‌ଶୀଘ୍ର ଏଥିପାଇଁ ହାଲ୍‌ ଏ ସଂକ୍ରାନ୍ତ ପ୍ରମାଣପତ୍ର ହାସଲ କରିବ। ଏହି ଶ୍ରେଣୀର 106ଟି ବିମାନ ହାଲ୍‌ଠାରୁ କିଣିବାକୁ ଆଜି ପରିଷଦ ଅନୁମତି ପ୍ରଦାନ କରିଛି। ପ୍ରାରମ୍ଭିକ ଅବସ୍ଥାରେ 70ଟି ଏଭଳି ବିମାନ କ୍ରୟ କରାଯିବ। ପରେ ଅବଶିଷ୍ଟ 36ଟିକୁ ବାୟୁସେନାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି।

ଭାରତୀୟ ନୌବାହିନୀର ଶକ୍ତି ବୃଦ୍ଧି ପାଇଁ ପରିଷଦ ଉନ୍ନତ ମାନର ସୁପର ରାପିଡ୍‌ ଗନ୍‌ ମାଉଣ୍ଟ ବା ଏସ୍‌ଆରଜିଏମ୍‌ କିଣିବ। ଏହା ନୌବାହିନୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ ଯୁଦ୍ଧ ଜାହାଜରେ ମୁତୟନ ହେବ। ଏହି ଏସ୍‌ଆରଜିଏମ୍‌ ଭାରତ ହେଭି ଇଲେକ୍‌ଟ୍ରିକାଲ ବା ଭେଲରୁ କିଣାଯିବ। ଏସ୍‌ଆରଜିଏମ୍‌ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଦ୍ରୁତଗାମୀ ଯୁଦ୍ଧ ବିମାନର ଗତିପଥ ତୁରନ୍ତ ଠାବ କରି ନିମିଷକେ ତାର ପ୍ରତିରୋଧ କରିବାକୁ ସକ୍ଷମ। ଏଥିପାଇଁ ମଧ୍ୟ ଡିଏସ୍‌ଇର ଅନୁମୋଦନ ମିଳିଛି।

ଭାରତରେ ଏବେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରତିରକ୍ଷା ବାହିନୀର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ। ଏଥିପାଇଁ ମଧ୍ୟ ଆବଶ୍ୟକ ଟେକ୍‌ନୋଲଜି ଭାରତରେ ରହିଛି। ତାହାକୁ ଦୃଷ୍ଟିରେ ରଖି ଡିଏସ୍‌ଇ 125 ଏମ୍‌ଏମ୍‌ ଆର୍ମର ପିୟରସିଂ ଫିନ୍‌ ଷ୍ଟାବିଲାଇଜଡ ଡିସ୍‌କାର୍ଡିଂ ସାବର୍ଟ ଗୋଳା ଭାରତୀୟ ସେନା ପାଇଁ କିଣିବାକୁ ଡିଏସ୍‌ଇ ଅନୁମୋଦନ ଦେଇଛି। ଏଥିରେ ପ୍ରାୟ 70 ଭାଗ ଦେଶୀ କାରଗରୀ ଜ୍ଞାନକୌଶଳ ନିୟୋଜିତ କରାଯାଇଛି।

ସେହିଭଳି ଏକେ-203 ଏବଂ ମାନବ ବିହୀନ ଆକାଶ ଯାନ କ୍ରୟ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଡିଏସଇର ଅନୁମୋଦନ ଲାଭ କରିଛି ।