Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଫେବୃୟାରୀ ୨୧ ତାରିଖ ବୁଧବାରରେ କଣ ରହିବ ଆପଣଙ୍କର ଭାଗ୍ୟ, ଜାଣନ୍ତୁ ରାଶିଫଳ

ମେଷ- ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଲାଭ ବୃଦ୍ଧି ପାଇବ । ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗାଳିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ । ପିଲାମାନଙ୍କର ଜୀବିକା ଚିନ୍ତା ଦୂର କରିବାର ସମ୍ଭାବନା ଅଛି । ବ୍ୟବସାୟ ଭଲ କରିବ ।

ବୃଷ- ଶତ୍ରୁମାନେ ସକ୍ରିୟ ରହିବେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବିବାଦ କରନ୍ତୁ ନାହିଁ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ପୁରୁଣା ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ ହୋଇପାରେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରମାନେ ଅଧ୍ୟୟନ ପାଇଁ ଚିନ୍ତିତ ହେବେ ।

ମିଥୁନ- ବିବାଦ ସମସ୍ୟା ସୃଷ୍ଟି କରିବ । ଆଇନଗତ ପ୍ରତିବନ୍ଧକ ହଟିଯିବ । ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ବ୍ୟବସାୟ ଭଲ କରିବ । ବ୍ୟବସାୟରେ ନୂତନ ପ୍ରସ୍ତାବଗୁଡ଼ିକ ଲାଭଦାୟକ ହେବ । ସଠିକ୍ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଲାଭ ଆଣିପାରେ । ଗୃହ ସମ୍ବନ୍ଧୀୟ ସମସ୍ୟା ସମ୍ଭବ ।

କର୍କଟ- ଶତ୍ରୁମାନେ ସକ୍ରିୟ ରହିବେ । ଘର ବାହାରେ ଟେନସନ ହେବ। କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। ସମ୍ପତ୍ତି କାର୍ଯ୍ୟଗୁଡ଼ିକ ଲାଭଦାୟକ ହେବ । ଭାବପ୍ରବଣ ସଂପର୍କରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟ ଶୈଳୀ ଦ୍ୱାରା ଅଧିକାରୀମାନେ ଅସନ୍ତୁଷ୍ଟ ହୋଇପାରନ୍ତି । କଠିନ ପରିଶ୍ରମ ଅନୁଯାୟୀ ସଫଳତା ହାସଲ ହେବ ନାହିଁ । ଶିଶୁର ଇଚ୍ଛା ପୂରଣ ହେବ ।

ସିଂହ- ଭ୍ରମଣ ଚିତ୍ତାକର୍ଷକ ହେବ । ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ । ଛାତ୍ରମାନେ ସଫଳ ହେବେ । ରୋଜଗାର କରିବ । ପୁଞ୍ଜି ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକରେ ଯତ୍ନବାନ ହୁଅନ୍ତୁ । ଆତ୍ମବିଶ୍ୱାସୀ ରହିବେ । ବ୍ୟବସାୟ ଅସ୍ଥିର ରହିବ। ପାରିବାରିକ ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ ।

କନ୍ୟା- ଦୁଷ୍ଟ ଲୋକମାନେ କ୍ଷତି କରିବାକୁ ଆସିବେ, ହେଲେ ଦୈଡ଼ି ପଳାଇବେ । ଦୁଃଖଦ ଖବର ମିଳିପାରେ । ଥୟ ଧର କାର୍ଯ୍ୟଭାର ହ୍ରାସ କରିବା ପାଇଁ ଦାୟିତ୍ବ ବାଣ୍ଟିବା ଆବଶ୍ୟକ । ଅର୍ଥନୈତିକ କାର୍ଯ୍ୟକଳାପରେ ଅସୁବିଧା ହେବାର ସମ୍ଭାବନା ଅଛି । ଅନ୍ୟମାନଙ୍କ କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ ।

ତୂଳା- ପ୍ରୟାସ ସଫଳ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଟଙ୍କା ପାଇବା ସହଜ ହେବ । ବ୍ୟସ୍ତ ରହିବେ । ସୁଖ ବୃଦ୍ଧି ପାଇବ । ବ୍ୟବସାୟରେ ସମ୍ଭବତଃ ଏକ ଇଚ୍ଛାଶକ୍ତି ବୃଦ୍ଧି ପାଇବ । ଯଦି ଆପଣ ଚତୁରତାର ସହିତ ନିଷ୍ପତ୍ତି ନିଅନ୍ତି, ତେବେ ଆପଣ ଲାଭ ଏବଂ ସଫଳତା ପାଇବେ । ନୂତନ କାର୍ଯ୍ୟ ଆରମ୍ଭ ଲାଭଦାୟକ ହେବ ।

ବିଛା- କାରବାରରେ ସାବଧାନ ରୁହନ୍ତୁ । ଅତିଥିମାନେ ଆସିବେ । ଆପଣଙ୍କ ପାଇଁ ଖୁସି ଖବର । ମୂଲ୍ୟ ବୃଦ୍ଧି ହେବ । ରୋଜଗାର କରିବ । ଉତ୍ତମ ନିଯୁକ୍ତି ସୁଯୋଗ ଯୋଗୁଁ ଆୟ ବୃଦ୍ଧି ପାଇବ । ବିବାହିତ ଜୀବନ ସୁଖଦ ହେବ ।  ଖୁସି ଖବର ପାଇବେ । ବ୍ୟବସାୟରେ ଇଚ୍ଛା ଲାଭ ହେବ ।

ଧନୁ- କୌଣସି ବଡ କାମ କରି ଖୁସି ହେବେ । ରୋଜଗାର ବୃଦ୍ଧି ପାଇବ । ବ୍ୟବସାୟ ଯାତ୍ରା ସଫଳ ହେବ । କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ, ଆପଣ ବିଭିନ୍ନ କ୍ଷେତ୍ରରେ ଉନ୍ନତ ସଫଳତା ହାସଲ କରିବାକୁ ସମର୍ଥ ହେବେ । ନିଜର ନିଶାକୁ ନିୟନ୍ତ୍ରଣ କରିବା ଜରୁରୀ । ବିବାହ ପ୍ରସ୍ତାବ ଆସିବ । ସ୍ବାସ୍ଥ୍ୟ ଭଲ ରହିବ।

ମକର-  କିଛି ଅସୁବିଧା ଆସିପାରେ । କାରବାରରେ ସାବଧାନ ରୁହନ୍ତୁ । ଏକ ଅପଚୟ ହେବ । ବିପଦ କରନ୍ତୁ ନାହିଁ । ବନ୍ଧୁମାନେ ବ୍ୟବସାୟ ଯୋଜନା ବିସ୍ତାର କରିବାରେ ସାହାଯ୍ୟ ପାଇବେ । ପୁରୁଣା ବିଶୃଙ୍ଖଳାରୁ ମୁକ୍ତି ପାଇବାକୁ ସମର୍ଥ ହେବେ । ସଂଯମତା ଏବଂ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ । ବ୍ୟସ୍ତ ରହିବେ ।

କୁମ୍ଭ- ବକେୟା ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ଭ୍ରମଣ ଲାଭଦାୟକ ହେବ । ରୋଜଗାର ବଢିବ । ଘର ବିଷୟରେ ଚିନ୍ତା କରିବେ । ବିରୋଧୀମାନେ ମଧ୍ୟ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ । କଳା କ୍ଷେତ୍ରରେ ଇଚ୍ଛାକୃତ ସଫଳତା ପାଇବାର ସମ୍ଭାବନା ଅଛି । ସରକାରୀ କାର୍ଯ୍ୟରେ ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରନ୍ତୁ। ସାଙ୍ଗମାନେ ସାହାଯ୍ୟ କରିବେ।

ମୀନ- ଶତ୍ରୁମାନେ ପରାସ୍ତ ହେବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ନୂତନ ଚୁକ୍ତିନାମା ହୋଇପାରେ । ପ୍ରତିଷ୍ଠା ବୃଦ୍ଧି ପାଇବ । ସହଭାଗୀତାରେ ଆରମ୍ଭ ହୋଇଥିବା କାର୍ଯ୍ୟ ଲାଭ ପାଇଁ ସୁଯୋଗ ବଢିପାରେ । ସ୍ଥାୟୀ ସମ୍ପତ୍ତି କିଣିବାକୁ ଇଚ୍ଛା କରିବେ । ଦାମ୍ପତ୍ୟ ଜୀବନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟର ଗତି ତୀବ୍ର ରହିବ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ସଂଯୋଗରେ ଉପେକ୍ଷିତ କଳାହାଣ୍ଡି ଜିଲ୍ଲା ସାମାଜିକ ଓ ଅର୍ଥନୈତିକ ବିକାଶରେ ବାଧକ: ସୁନିତି ମୁଣ୍ଡ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସ୍ଥାନୀୟ ମିଡ଼୍‌ଟାଉନ୍‌ଠାରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଓ ଶିଳ୍ପ କ୍ଷେତ୍ରରେ ଅବହେଳିତ ଯୋଗୁଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ହେଉଥିବା କହିଛନ୍ତି। ଏଥିପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାୟୀ କରି ସେ କହିଛନ୍ତି ଯେ, ଏହି ଜିଲ୍ଲାରୁ ପୂର୍ବରୁ ନିର୍ବାଚିତ ସାଂସଦ ରେଳମନ୍ତ୍ରୀ ରହିଥିଲେ ମଧ୍ୟ ଜିଲ୍ଲାରେ ରେଳପଥର ବିକାଶ ଦିଗରେ ସେ ଯଥାଯଥ ଦୃଷ୍ଟି ଦେଇନାହାନ୍ତି। ଏକଦା ଦେଶର ଅନ୍ୟତମ ପଛୁଆ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡିର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଉଥିବା କେବଳ ଭାଷଣ କାଗଜପତ୍ରରେ ସୀମିତ ରହିଛି। ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି। ରେଳପଥ, ସଡ଼କ ସଂଯୋଗୀକରଣ, ଉପଯୁକ୍ତ ଶିକ୍ଷାର ଅଭାବ ଆଦି କାରଣରୁ ଜିଲ୍ଲାର ଅନେକ ବାସିନ୍ଦା ଏବେ ମଧ୍ୟ ଦାଦନ ଖଟିବାକୁ ରାଜ୍ୟର ଅନ୍ୟାନ୍ୟ ଅଂଚଳ, ଏପରିକି ବିଭିନ୍ନ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାର ଅନେକ ଆଭ୍ୟନ୍ତରୀଣ ଅଂଚଳକୁ ଗମନାଗମନ ନିମନ୍ତେ ସୁବିଧାନାହିଁ। ରେଳ ପରିବହନ ସାଧାରଣ ଜନତାଙ୍କୁ ସୁଲଭ ଓ ସହଜ ହେଉଥିବାବେଳେ କଳାହାଣ୍ଡି ଅଧିବାସୀ ସେହି ସୁବିଧା ପାଉନାହାନ୍ତି।

ସୂଚନାଯୋଗ୍ୟ ଯେ ଆଧାର ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ ରହିଛି। ୨୦୨୦ ତଥ୍ୟ ଅନୁଯାୟୀ ଜିଲ୍ଲାରେ ମୋଟ ଜନସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତି ଜନସଂଖ୍ୟା ୧୮.୨ ପ୍ରତିଶତ ଏବଂ ଅନୁସୂଚିତ ଜନଜାତି ଜନସଂଖ୍ୟା ୨୮.୫ ପ୍ରତିଶତ ରହିଥିଲା। ସେହି ତଥ୍ୟ ଅନୁଯାୟୀ ଜିଲ୍ଲାର ଗ୍ରାମାଂଚଳରେ ସାକ୍ଷରତା ହାର ୫୭.୩ ପ୍ରତିଶତ ଓ ସହରାଞ୍ଚଳରେ ୮୧.୬ ପ୍ରତିଶତ ରହିଥିଲା। କିନ୍ତୁ ଶିକ୍ଷିତ ଓ ଯୋଗ୍ୟ ଯୁବବର୍ଗଙ୍କ ନିଯୁକ୍ତି ବା ଆତ୍ମନିଯୁକ୍ତି ପାଇଁ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ସୁବିଧା ସୁଯୋଗ ସୃଷ୍ଟି କରାଯାଇନାହିଁ। ଜିଲ୍ଲାରେ ଏକମାତ୍ର ବୃହତ୍ ଶିଳ୍ପ ଭାବରେ ବେଦାନ୍ତ ରହିଥିବାବେଳେ ସେଠାରେ ଜିଲ୍ଲାରୁ ହାତଗଣତି ଲୋକ ନିଯୁକ୍ତି ପାଇଛନ୍ତି। ଜିଲ୍ଲାର ସମସ୍ତ ଅଂଚଳକୁ ସବୁଦିନିଆ ଉନ୍ନତ ସଡ଼କ ସଂଯୋଗ ବ୍ୟବସ୍ଥା ନାହିଁ। ଶିକ୍ଷିତ ବେକାର ଯୁବବର୍ଗ କାମଧନ୍ଦା ଅନ୍ୱେଷଣରେ ବାହାରକୁ ଯିବାପାଇଁ ରେଳସେବା ସୁଲଭ ପରିବହନ ହୋଇଥିଲେ ମଧ୍ୟ ତାହା ଜିଲ୍ଲାର ସମସ୍ତ ଅଂଚଳବାସୀଙ୍କ ପାଇଁ ଉପଲବ୍ଧ ହେଉନାହିଁ, କିମ୍ବା ଏଠାରୁ ଦେଶ କିମ୍ବା ରାଜ୍ୟର ସମସ୍ତ ପ୍ରମୁଖ ସ୍ଥାନକୁ ରେଳ ଯୋଗାଯୋଗ ବ୍ୟବସ୍ଥା ନାହିଁ। ୭୯୨୦ ବର୍ଗକିଲୋମିଟର ପରିମିତ ଅଂଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବାବେଳେ ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନିପାଟଣାକୁ ରେଳ ସଂଯୋଗ ରହିଛି। ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଂଚିତ ରହିଛି।

ଜିଲ୍ଲାବାସୀଙ୍କ ପକ୍ଷରୁ ସେଠାରେ ବୃହତ୍ ଶିଳ୍ପ ସ୍ଥାପନ ଏବଂ ତତ୍‌ସହିତ ଏକ ରେଳ କାରଖାନା ସ୍ଥାପନ କରିବାକୁ ୨୦୦୮ରୁ ଦାବି କରିଆସୁଛନ୍ତି। ୨୦୧୦-୧୧ କେନ୍ଦ୍ର ବଜେଟ୍‌ରେ କଳାହାଣ୍ଡି ଅଥବା ଭୁବନେଶ୍ୱରରେ ଏକ ରେଳ ସାମୟିକ ବଗି ମରାମତି କାରଖାନା ସ୍ଥାପନ ପ୍ରସ୍ତାବ ରହିଥିଲା। କିନ୍ତୁ ଓଡ଼ିଶା ସରକାର ତାହାକୁ ଗଞ୍ଜାମ ଜିଲ୍ଲାରେ କରିବାକୁ ପ୍ରସ୍ତାବ ଦେଲେ। ତାହାକୁ କଳାହାଣ୍ଡି ଜିଲ୍ଲାବାସୀ ତୀବ୍ର ସମାଲୋଚନା କରିଥିଲେ ଏବଂ ଏହାକୁ ନେଇ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିଲା। ବିଭିନ୍ନ ମହଲରୁ ଦାବି ପରେ ୨୦୧୩-୧୪ ବଜେଟ୍‌ରେ କଳାହାଣ୍ଡିରେ ଏକ ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଗଲା। ପରେ ତାହାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଦିଆଗଲା। ୨୦୧୭-୧୮ରେ ପୁନଶ୍ଚ କଳାହାଣ୍ଡିରେ ବିଦ୍ୟୁତ୍‌ଚାଳିତ ରେଳ ଇଞ୍ଜିନର ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଯାଇଥିଲା, କିନ୍ତୁ ସେହି ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନାହିଁ। ଜିଲ୍ଲାରେ ଜୁନାଗଡ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପ ପାଇଁ ସର୍ଭେ ଦୀର୍ଘବର୍ଷ ହେଲା ପଡିରହିଛି।

ରାୟପୁର-ରାଜିମ-ଗରିଆବନ୍ଧ-ଦେଭୋଗ-ଧର୍ମଗଡ-ଜୁନାଗଡ ରେଳପଥ ପାଇଁ ସର୍ଭେ ସକାଶେ ଅନୁମୋଦନ ମିଳିଥିଲେ ମଧ୍ୟ ତାହାର ସ୍ଥିତି ସମ୍ପର୍କରେ ଜଣାନାହିଁ। ଲାଞ୍ଜିଗଡ ରୋଡ-ଫୁଲବାଣୀ-ଅନୁଗୋଳ (ତାଳଚେର) ଏବଂ ଭବାନିପାଟଣା-କେସିଙ୍ଗା ରେଳପଥ ପ୍ରକଳ୍ପ ଆଗେଇ ପାରୁନାହିଁ । ଏଠାକୁ ସୀମିତ ସଂଖ୍ୟକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି।

ସେଥିରେ ଜିଲ୍ଲାବାସୀଙ୍କ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ମଧ୍ୟ ଦାବି ହେଉଛି। ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍‌ରେ ପ୍ରଥମ ଶ୍ରେଣୀ ବାତାନୁକୂଳିତ ବଗି ଖଞ୍ଜିବା, ଭୁବନେଶ୍ୱରରୁ ଜୁନାଗଡ ଏବଂ ଜୁନାଗଡରୁ ଭୁବନେଶ୍ୱରକୁ ସକାଳୁ ଏକ ଟ୍ରେନ ଚଳାଚଳ କରିବା, ୧୨୮୭୧/୧୨୮୭୨ ହାଓଡା-ଟିଟିଲାଗଡ-ହାଓଡା ଇସ୍ପାତ ଏକ୍ସପ୍ରେସକୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ରାୟଗଡାରେ ସମତା ଏକ୍ସପ୍ରେସରେ ଯାତ୍ରା କରିବାକୁ ରାୟଗଡା ଏବଂ ଜୁନାଗଡ ମଧ୍ୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ, ୫୮୫୦୩/୫୮୫୦୪ ଏକ୍ସପ୍ରେସକୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭୁବନେଶ୍ୱରରୁ କେସିଙ୍ଗା ଭାୟା ଉତ୍‌କେଲା ଏକ ନୂଆ ରେଳପଥ ନିର୍ମାଣ, ଜୟପୁର ଓ ଜୁନାଗଡ ରୋଡ ମଧ୍ୟରେ ନୂଆ ରେଳପଥ ନିର୍ମାଣ, ଜୁନାଗଡ ଓ ଆମ୍ବାଗୁଡା ମଧ୍ୟରେ ଭାୟା ନବରଙ୍ଗପୁର ଓ କୋକସରା ଏକ ନୂଆ ରେଳପଥ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହେଉଛି।

ବିଶାଖାପାଟଣାରୁ ଜୁନାଗଡ଼କୁ ରେଳ ସଂଯୋଗୀକରଣ ଦ୍ୱାରା ମଧ୍ୟ ଅଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ, ଭୁବନେଶ୍ୱର ଇଂଟରସିଟି ବଲାଙ୍ଗିର ପର୍ଯ୍ୟନ୍ତ ଚାଲୁରହିଛି ଏହାକୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ, କଳାହାଣ୍ଡି ଜିଲାରେ ବିଦ୍ୟୁତ୍ ଚାଳିତ ରେଳଇଞ୍ଜିନ ମରାମତି କାରଖାନା ସ୍ଥାପନ, ଭବାନିପାଟଣା ଓ ଜୁନାଗଡ ଷ୍ଟେସନରେ ଭିଆଇପି ଲାଉଞ୍ଜ ସ୍ଥାପନ ଆଦି ନିମନ୍ତେ ମଧ୍ୟ ଦାବି ହେଉଛି। ଅନେକ ଥର କେନ୍ଦ୍ର ପ୍ରସ୍ତାବିତ ସତ୍ୱେ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନାହିଁ, କେଉଁଠି ଏହା ଆଗେଇପାରୁନାହିିଁ ତଥା ଯୋଜନା ହୋଇପାରୁନାହିଁ ସେଥିପ୍ରତି ଜନପ୍ରତିନିଧି ତଥା ଉଭୟ ସରକାର ଧ୍ୟାନ ଦିଅନ୍ତୁ।

ବର୍ତ୍ତମାନର ପରିସ୍ଥିତିରେ ଯାହା ବି ରେଳ ଚଳାଚଳ ହେଉଛି ସେତିକିରେ ମଧ୍ୟ କିଛି ସୁଧାରର ଆବଶ୍ୟକତା ରହିଛି ଯେପରି, ଭବାନୀପାଟଣା ଲାଉଞ୍ଜକୁ ପରିବର୍ଦ୍ଧିତ କରାଯାଉ। ଜୁନାଗଡ଼ ଫାଷ୍ଟକ୍ଲାସ୍ ୱେଟିଙ୍ଗ୍ ରୁମ୍‌ରେ ଏସି ଲଗାଯାଉ, ସେକେଣ୍ଡ କ୍ଲାସ୍ ୱେଟିଙ୍ଗ୍ ରୁମ୍ ଖୋଲାଯାଉ। ଜୁନାଗଡ଼ ଷ୍ଟେସନ୍‌ରେ ଚାହା ଓ ଜଳଖିଆ ଷ୍ଟଲ୍ ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି ଏଣୁ ଏଠାରେ ଚା’ପାନୀୟ ଓ ଜଳଖିଆ ଷ୍ଟଲ୍ ଖୋଲାଯାଉ। ନର୍ଲା ଷ୍ଟେସନ୍‌ରେ କୌଣସି ଟ୍ରେନ୍ ଷ୍ଟପେଜ୍ ନଥିବାରୁ ଯାତ୍ରୀ ହଇରାଣ ହେଉଛନ୍ତି, ଏଣୁ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଟ୍ରେନ୍‌ର ଷ୍ଟପେଜ୍ ଦିଆଯାଉ। କଳାହାଣ୍ଡିର ରେଳ ସୁବିଧାକୁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମାନ୍ୟବର ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଛି।

ଏହି ସଂକ୍ରାନ୍ତରେ ରେଳମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ ପାଇଁ କଳାହାଣ୍ଡି ବିକାଶ ପରିଷଦର ଟିମ୍ ରେଳମନ୍ତ୍ରୀଙ୍କୁ ଖୁବ୍ ଶୀଘ୍ର ସାକ୍ଷାତ କରି ଅବଗତ କରାଇବାର ନିଷ୍ପତି ନିଆଯାଇଥିବାର ପ୍ରକାଶ।

Categories
ବିଶେଷ ଖବର

ଉତ୍କଳ ଗୌରବ ମଧୁବାବୁ

ବିଶ୍ବବିଜୟୀ ଦାଶ

ଉତ୍ଥାନ, ପତନ ଗୋଟିଏ ଜାତିର ଇତିହାସରେ କିଛି ନୂଆ କଥା ନୁହେଁ। ଇଂରେଜ ଶାସନ ଅମଳରେ ନିର୍ଯ୍ୟାତିତ ଓଡ଼ିଆ ଜାତି ମୂମୁର୍ଷ ଅବସ୍ଥାରେ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମରତ ଥିବାବେଳେ କେତେଜଣ କ୍ଷଣଜନ୍ମା ବ୍ୟକ୍ତିବିଶେଷଙ୍କ ଆବିଭାର୍ବ ଜାତୀୟ ଜୀବନରେ ଆଶାର ସଂଚ଼ାର କରିଥିଲା। ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତତ୍ନ ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରୁ ଦେଶପ୍ରାଣ ଉତ୍କଳଗୌରବ ମଧୁସୂଦନ ଦାସ ଅନ୍ୟତମ।ଆମ ଓଡ଼ିଶାର ପ୍ରଥମ ଓଡ଼ିଆ ବି.ଏ, ପ୍ରଥମ ଓଡ଼ିଆ ଏମ୍.ଏ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ସ୍ବାଧିନତା ସଂଗ୍ରାମୀ, ଯିଏକି ଓଡ଼ିଶାକୁ ନିଜର ପ୍ରାଣ ଦେଇ ଭଲ ପାଉଥିଲେ ଓ କାମ କରୁଥିଲେ ତଥା ଓଡ଼ିଆ ଜାତିର ଚ଼ିର ନମସ୍ୟ, ପ୍ରାତଃ ସ୍ମରଣୀୟ, ଚ଼ିର ବରଣୀୟ କୂଳବୁଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସ।

ଉତ୍କଳଗୌରବ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେବୀ।

ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ।ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ। ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଅଛି)। ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ। କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ। ୧୮୭୦ରେ ସେ ବି.ଏ. ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା। ମଧୁବାବୁ ନିଜ ମାତୃଭାଷା ଓଡ଼ିଆରେ ସଂସ୍କୃତର ଉତ୍ତର ଲେଖିବାପାଇଁ ଜିଦ ଧରି ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟମାନଙ୍କୁ ଜଣାଇଲେ। ସେଠାରୁ କୌଣସି ସୁଫଳ ନ ମିଳିବାରୁ ସେ ତତ୍କାଳୀନ ବଙ୍ଗ-ବିହାର-ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସାର ଉଇଲିଅମ ଗ୍ରେଙ୍କ ନିକଟକୁ ଏକ ଟେଲିଗ୍ରାମ ପ୍ରେରଣ କରିବାପରେ ଗ୍ରେଙ୍କ ହସ୍ତକ୍ଷେପ ପରେ ସେ ଓଡ଼ିଆରେ ନିଜର ଉତ୍ତର ଲେଖିଥିଲେ।

ସେଠାରେ ମଧୁବାବୁ ଏମ୍.ଏ. ପାସ୍ କରିଥିଲେ। ତା’ପରେ ମଧୁବାବୁ କଲିକତା ବିଶ୍ବବିଦ୍ୟାଳୟ ବି.ଏଲ୍. ପାସ କରି ସାରିଥିଲେ। ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ସେଠାରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ଉନ୍ନତି ପଥରେ ମଧୁବାବୁ ଲାଗିପଡ଼ିଥିଲେ। ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ।

୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ। ବିଚ଼କ୍ଷଣ ବୁଦ୍ଧି ବଳରେ ସେ ଓକିଲାତିରେ ବିଶେଷ ପାରଦର୍ଶିତା ଅର୍ଜନ କରିପାରିଥିଲେ ଓ ମଧୁବାରିଷ୍ଟର ଭାବେ ପରିଚ଼ିତ ହୋଇଥିଲେ। ତାଙ୍କର ଓକିଲାତି ଜୀବନକାଳରେ ସେ ବହୁ ଜନହିତକର କାର୍ଯ୍ୟ କରିଥିଲେ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ। ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା। ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ। ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଓଡ଼ିଶାରେ ଚ଼ମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ।

ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ ଏକ ବିପର୍ଯ୍ୟନ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ବିଶାଳ ଓଡ଼ିଶା। ଉତ୍କଳ ଜନନୀର ପୂର୍ଣ୍ଣାଙ୍ଗ ରୂପ ପ୍ରତିଷ୍ଠା ପାଇଁ ଜାତୀୟ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ମଧୁବାବୁଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଦୁର୍ବାର ଅଭିଯାନ।ଉତ୍କଳୀୟ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଗଢ଼ିଥିଲେ ଜାତୀୟ ମହାମଞ୍ଚ ଉତ୍କଳ ସମ୍ମିଳନୀ। ଜାତୀୟତାର ମହାପ୍ରବାହ ସୃଷ୍ଟି କରିବାର ଆକାଂକ୍ଷା ନେଇ ଲେଖିଥିଲେ ପ୍ରାଣ ନିଗିଡ଼ା କବିତା।ଜାତୀୟ ବିକାଶ, ଜାତୀୟ ସମସ୍ୟା, ଜାତୀୟ ଚ଼ରିତ୍ର, ଜାତୀୟ ଅସ୍ମିତା ଓ ଜାତୀୟ ସ୍ବାଭିମାନ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ଯୋଡ଼ିବାର ସଂକଳ୍ପ ନେଇ ସମ୍ମିଳନୀ ମଣ୍ଡପରୁ ଗାଇଥିଲେ “ଏଇ ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ,ତୋର ପ୍ରାଣ ବିନ୍ଦୁ ମିଶେଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ”।

ଗଭୀର ଜାତୀୟତାବୋଧର ଉଦବେଳନ ନେଇ ଭାବିଲେ ମନେହୁଏ ଏହା କେବେବି ଜଣେ ସାଧାରଣ କବିର ଆହ୍ବାନ ନୁହେଁ,ବରଂ ଜଣେ ମହାମାତ୍ନିକ ସଞ୍ଜିବନୀ ମତ୍ନ, ଯେଉଁ ମତ୍ନ ର ଯାଦୁକରୀ ମାୟାରେ ଦିନେ ଚ଼େଇଁ ଉଠିଥିଲା ସମଗ୍ର ଓଡ଼ିଆ ଜାତି।

ତାଙ୍କରି ଲେଖନୀ ନିସୃତ କବିତା ଏବେ ବି ଓଡ଼ିଆଙ୍କ କାନରେ ଠାଇ ଠାଇ ହୋଇ ବାଜେ-
“ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ
ପୂରୁବ ଗୌରବ ପୂରୁବ ସାହାସ
ପଡି଼ବକି କେବେ ମନେ ?”

ସେ ଓଡ଼ିଆ ଓ ଇଂରାଜୀରେ ଅନେକ ଉପାଦେୟ ଲେଖା ଲେଖିଯାଇଛନ୍ତି। ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି, “ଉତ୍କଳ ସନ୍ତାନ”, “ଜାତି ଇତିହାସ”, “ଜ୍ଞାନୀର ଉକ୍ତି”, “ଜାତୀୟ ଗୀତିକା”। ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ।

ଏହି ମହାପୁରୁଷ, ଓଡ଼ିଆ ମାଟି ର ସ୍ବାଭିମାନ କୂଳବୁଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ୧୯୩୪ ମସିହା ଫେବୃଆରୀ ୪ ତାରିଖ ରେ ଓଡ଼ିଶା ବାସୀଙ୍କୁ ଶୋକସାଗରରେ ଭସାଇ ଚ଼ାଲିଗଲେ। ଆଜି ତାଙ୍କର ଜୟନ୍ତୀ ଅବସରରେ ମୋର ଭୂମିଷ୍ଠ ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।

ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍- ୭୫୨୦୩୫

ମୋବାଇଲ ନଂ- ୬୩୭୦୨୦୮୪୨୮