Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟରେ ୧୨୧୪ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ, ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ଭୁବନେଶ୍ୱର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଭର୍ଚୁଆଲ୍ ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା କରିଥିଲେ ।

ଅନୁମୋଦିତ ୮ଟି ପ୍ରକଳ୍ପରେ ୧୨୧୪ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ପ୍ରକଳ୍ପ ତ୍ୱରିତ କାର୍ଯ୍ୟକ୍ଷମ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିଳ୍ପମାନଙ୍କ ପାଇଁ ଆବଶ୍ୟକ ଜମି ଓ ଜଳର ସଠିକ୍ ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଯେଉଁ ଆଠଟି ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି ସେଗୁଡିକ ହେଲା..

1- ମୟୂରଭଞ୍ଜ ରାଇରଙ୍ଗପୁରରେ ଏନର୍ଜି ମିନେରାଲ୍ସ ଲୁହା ପଥର ବେନିଫିକେସନ୍ ଓ ପେଲେଟ୍ ପ୍ଲାଣ୍ଟ ନିର୍ମାଣ କରିବ। ସେଥିପାଇଁ୨୫୬ କୋଟି ବିନିଯୋଗ ହେବ । ଏଥିରେ ୨୭୪ ଜଣଙ୍କୁ ନିଯୁକ୍ତି ମିଳିବ ।

2-  ଆଇଟିସି ଲିମିଟେଡ୍ ଭୁବନେଶ୍ୱର ଡୁମଡୁମାରେ ପଞ୍ଚ ତାରକା ହୋଟେଲ୍ ନିର୍ମାଣ କରିବ। ଏଥିରେ ୧୪୧.୧୪ କୋଟି ବିନଯୋଗ ହେବାକୁ ଥିବାବେଳେ ୧୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

3- ଫାଲକନ୍ ରିଅଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲି. ଖୋର୍ଦ୍ଧାରେ ୧୨୦.୨୬ କୋଟି ଟଙ୍କା ବିନିଯୋଗରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ । ଯେଉଁଥିରେ ୯୦୦ ଜଣ ନିଯୁକ୍ତି ପାଇବେ।

4- ବ୍ରିଟାନିକା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଖୋର୍ଦ୍ଧାରେ ଥିବା ତାହାର ବିସ୍କୁଟ୍ ଓ କେକ ପ୍ରକଳ୍ପର ସମ୍ପ୍ରସାରଣ କରିବ  । ଏଥିରେ ୯୩.୬୦ କୋଟି ଟଙ୍କା ପୁଂଜି ନିବେଶ ହେବାକୁ ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ମିଳିବ।

5- ଦେବଗଡ଼ରେ ଇନ୍ଦାଲକ୍ ସ୍ୱିରିଟ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୪.୬୦ କୋଟି ବିନିଯୋଗରେ ନିର୍ମାଣ କରିବ ଶସ୍ୟ ଭିତ୍ତିକ ଡିଷ୍ଟିଲେରୀ ପ୍ଲାଣ୍ଟ । ଏଥିରେ ୧୮୫ ଜଣ ନିଯୁକ୍ତି ପାଇବେ ।

6- ଝାରସୁଗୁଡ଼ାରେ ମାସ୍ ସ୍ପିରିଟସ୍ ଡିଷ୍ଟିଲେରୀ ଏବଂ ବଟଲିଂ କାରଖାନା  ନିର୍ମାଣ କରିବ। ଏଥିରେ ୨୦୪.୬୦ କୋଟି ବିନିଯୋଗ ହେବ।୧୮୫ ଜଣଙ୍କୁ ନିଯୁକ୍ତି ମିଳିବ।

7- ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡାରେ ଥିବା ସର୍ବେଶ ରିପ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ ହେବ। ଏଥିରେ ୧୨୩.୨୫ କୋଟି ଟଙ୍କା ନିବେଶ ହେବ । ଏହାଦ୍ୱାରା ୨୯୯ ଜଣ କର୍ମ ନିଯୁକ୍ତି ପାଇବେ ।

8- ପୁରବ୍ ପ୍ୟାକେଜିଂ ପ୍ରାଇଭେଟ୍ ଲିମିଟେଡ୍ ପାରାଦୀପ ପ୍ଲାଷ୍ଟିକ ପାର୍କରେ ପଲି ପ୍ରପଲିନ୍ କାରଖାନା କରିବ। ୬୦ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପରେ ୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।