Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅମୃତପାଲ ସିଂ ଗିରଫ ହେଲେ ନା ଆତ୍ମସମର୍ପଣ କଲେ?, ଜାଣନ୍ତୁ କ’ଣ କହିଲା ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ଅମୃତପାଲ ସିଂଙ୍କ ଗିରଫଦାରୀ ଉପରେ ପଞ୍ଜାବ ପୋଲିସର ଆଇଜି ସୁଖଚେନ ସିଂ ଗିଲ କହିଛନ୍ତି ଯେ, ଅମୃତପାଲଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ଯାହା ପରେ ତାଙ୍କୁ ଏନଏସଏ ଅଧୀନରେ ଗିରଫ କରାଯାଇଛି। ଆଇଜି କହିଛନ୍ତି ଯେ, “ଆମେ ଅମୃତପାଲ ସିଂଙ୍କୁ ଅପରେସନ୍ ଚଳାଇ ସକାଳ ୬.୪୫ ରେ ଗିରଫ କରିଥିଲୁ। ଏହି ସମଗ୍ର ଅପରେସନ୍ ସମୟରେ ପଞ୍ଜାବର ଲୋକମାନେ ଶାନ୍ତି, ଆଇନ ଶୃଙ୍ଖଳା ରକ୍ଷା କରିଥିଲେ, ଏଥିପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଦେଉଛୁ। ଏହା ସହିତ ଆଇଜି ଶାନ୍ତି ବଜାୟ ରଖିବାକୁ ପଞ୍ଜାବବାସୀଙ୍କୁ ନିବେଦନ କରିଛନ୍ତି।

ପଞ୍ଜାବ ପୋଲିସର ଆଇଜି ଗିଲ କହିଛନ୍ତି ଯେ, ଆମର ନିର୍ଦ୍ଦିଷ୍ଟ ସୂଚନା ରହିଛି, ଯେଉଁଥିରେ ଆମେ ଜାଣିଥିଲୁ ଯେ ସେ ରୋଡ଼େ ଗାଁର ଗୁରୁଦ୍ୱାରରେ ଉପସ୍ଥିତ ଥିଲେ। ଗୁରୁଦ୍ୱାର ସାହେବଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଆମେ ତାଙ୍କୁ ଗିରଫ କରିଛୁ। ତାଙ୍କୁ ଗିରଫ କରିବା ପରେ ତାଙ୍କୁ ଆସାମର ଡିବ୍ରୁଗଡକୁ ପଠାଯାଇଛି। ମାସ ମାସ ଧରି ଫେରାର ଥିବା ଅମୃତପାଲ ସିଂଙ୍କୁ ଆଜି ମୋଗା ଜିଲ୍ଲାର ପଞ୍ଜାବ ପୋଲିସ ଗିରଫ କରିଛି। ଏହା ପରେ ତାଙ୍କୁ ଡିବ୍ରୁଗଡ ଜେଲକୁ ପଠାଯାଇଛି।

ଅମୃତପାଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଉପରେ ଏନଏସଏ ମଧ୍ୟ ଲାଗୁ କରାଯାଇଛି। ପଞ୍ଜାବ ପୋଲିସ ଏବଂ ସୁରକ୍ଷା ଏଜେନ୍ସିମାନେ ତାଙ୍କ ସନ୍ଧାନରେ ନିରନ୍ତର ନିୟୋଜିତ ଥିଲେ। ଅମୃତପାଲଙ୍କୁ ଧରିବା ପାଇଁ ନେପାଳ ସୀମା ପର୍ଯ୍ୟନ୍ତ ସାରା ଦେଶରେ ଅପରେସନ୍ କରାଯାଇଥିଲା। ଏଥି ସହ ପଞ୍ଜାବ ପୋଲିସ ଅମୃତପାଲ ସିଂଙ୍କ ଗିରଫଦାରୀ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛି।