Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସିନେମା

ଶ୍ରୁତି ମଧୁର ଗୀତରେ ଭରପୁର ‘ଉଲକା’ ଚଳଚିତ୍ରଟି ମାଗଣା ଦେଖିବାକୁ ଚାହୁଁଛନ୍ତି କି ? ??

ଭୁବନେଶ୍ବର: ଅଭିମାନିନୀ ଏ ଅମାନିଆ ଢେଉ…., ଏ ଜୀବନ ମାନେ ନୁହେଁ ଆହା…, ମା ତୁମେ ମମତାର ସୀମା ହୀନ ସାଗର…ଏହିପରି ବେଶ ଶ୍ରୁତିମଧୁର ଗୀତରେ ଭରପୁର ଓଡିଆ ଚଳଚିତ୍ରଟି ହେଉଛି ଉଲକା। ସେତେବେଳେ ଏହି ଗୀତଗୁଡିକ ବେଶ ଚହଳ ପକାଇଥିଲା। 1981 ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳିଚିତ୍ରଟି ଯଦି କେହି ଏବେ ଦେଖିବାର ଇଚ୍ଛା ପ୍ରକାଶ କରନ୍ତି ତେବେ ତାଙ୍କ ପାଇଁ ଆସିଛି ଏକ ଅପୂର୍ବ ସୁଯୋଗ।

ଏହି ଲୋକପ୍ରିୟ ଚଳଚିତ୍ରଟିକୁ ବହୁ କଷ୍ଟରେ ଓଡିଶା ଫିଲ୍ମ ଜର୍ଣ୍ଣାଲିଷ୍ଟସ ଫୋରମ୍ ପକ୍ଷରୁ ଉଦ୍ଧାର କରାଯାଇଛି। ଚଳଚିତ୍ରଟି ହଲରୁ ଅପସରି ଯିବା ପରେ ତାହାର କୌଣସି ପତ୍ତା ମିଳିଲା ନାହିଁ। ହେଲେ ଫୋରମର ପ୍ରତିଷ୍ଠାତା ତଥା ବରିଷ୍ଠ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ପ୍ରଚେଷ୍ଠାରେ ଚଳଚିତ୍ରଟି ପୁନଃଉଦ୍ଧାର କରାଯାଇଛି। କିନ୍ତୁ ଏହାର ରିଲ୍ ର ସ୍ଥିତି ଭଲ ନ ଥିବାରୁ ତାହା ଦେଖିବା ସମ୍ଭବ ନ ଥିଲା। ତେବେ ଫୋରମ ତରଫରୁ ଉନ୍ନତ ମାନର ପଦ୍ଧତିରେ ଚଳଚିତ୍ରଟିକୁ ଦେଖିବା ପରି ସ୍ଥିତିକୁ ଅଣାଯାଇଛି।

1981 ମସିହାରେ ଏହି ଚଳଚିତ୍ରଟିକୁ ବର୍ତ୍ତମାନ ଦେଖିବା ପାଇଁ ଫୋରମ ତରଫରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 19 ତାରିଖ ସଂଧ୍ୟା 6 ଟା 30 ରେ ଭୁବନେଶ୍ବରର ଜୟଦେବ ଭବନରେ ଏହାକୁ ପ୍ରଦର୍ଶିତ କରାଯିବ। ତେବେ ଏଥିପାଇଁ ଦର୍ଶକଙ୍କୁ କୌଣସି ଟିକେଟ କାଟିବାକୁ ପଡିବ ନାହିଁ। ସଂପୂର୍ଣ୍ଣ ମାଗଣରେ ଏହି ଚଳଚିତ୍ରଟିକୁ ପ୍ରଦର୍ଶିତ କରିବା ପାଇଁ ଫୋରମ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ରାଜଲକ୍ଷ୍ମୀ ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଚଳଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ସୂର୍ଯ୍ୟ ମିଶ୍ର ଓ ରାଜୁ ମିଶ୍ର। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର ଏବଂ ବିଭୂ ମହାନ୍ତି। ଏହି ଚଳଚିତ୍ରରେ ମହେଶ୍ବତା ରାୟ ଅଭିନୟ କରିଥିବା ବେଳେ ଅନ୍ୟମାନେ ସଂପୂର୍ଣ୍ଣ ନୂଆ କଳାକାର ଥିଲେ।

ବିଭିନ୍ନ ସମୟରେ ଓଡିଶା ଫିଲ୍ମ ଜର୍ଣ୍ଣାଲିଷ୍ଟସ ଫୋରମ୍ ତରଫରୁ ଓଡିଆ ଭାଷାର ବିଭିନ୍ନ ଚଳଚିତ୍ରକୁ ପୁନଃଉଦ୍ଧାର କରାଯାଇ ପ୍ରଦର୍ଶିତ କରାଯାଇଥାଏ। ସ୍ମୃତିଛାୟା ନାମତି ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 21 ଟି ଚଳଚିତ୍ର ପ୍ରଦର୍ଶିତ ହୋଇସାରିଛି।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଡିଆ ଚଳଚିତ୍ର ଜଗତରେ ଭିନ୍ନ ଏକ ରହସ୍ୟ, ଛଦ୍ମ ନାମରେ ନିର୍ଦ୍ଦେଶନା

ଆଲେଖ୍ୟ-ସୂର୍ଯ୍ୟ ଦେଓ

ଓଡ଼ିଆ ଚଳଚ୍ଚିତ୍ରରେ କେତେକେତେ ରହସ୍ୟ ଅଛି, ଯାହା ଏବେ ମଧ୍ୟ ରହସ୍ୟ ହୋଇ କି ଅଛି। ସେମିତି ଏକ ରହସ୍ୟ ଛଦ୍ମନାମରେ ଚଳଚ୍ଚିତ୍ର ନିର୍ଦ୍ଦେଶନା। ପ୍ରତି ଛଦ୍ମନାମରେ ଚଳଚ୍ଚିତ୍ର ନିର୍ଦ୍ଦେଶନା ପ୍ରଚ୍ଛଦରେ ନିଶ୍ଚୟ ଅଛି ରୋଚକ ଓ ରୋମାଞ୍ଚକର କଥା। କିଛି କଥା ଉଭା ହୋଇ କି ଅଛି, ବେଶି କଥା ଉଭି କି ଅଛି। ମୋ’ ଜାଣିବାରେ ଛଦ୍ମନାମରେ ଚଳଚ୍ଚିତ୍ର ନିର୍ଦ୍ଦେଶନା ଆରମ୍ଭ ହୋଇଥିଲା ୧୯୬୩ର ନାରୀ ଚଳଚ୍ଚିତ୍ରରୁ।

‘ତ୍ରିଲୋଚନ’ ନାମରେ ତିନିଜଣ ହୋଇ ଏକାଠି ନିର୍ଦ୍ଦେଶନା ହେଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଶିବୁ ଭଟ୍ଟାଚାର୍ଯ୍ୟ ଓ ନରେନ୍ ମିତ୍ର। ତିନିଜଣ ଥିଲେ ବଙ୍ଗୀୟ ନିର୍ଦ୍ଦେଶକ କଲ୍ୟାଣ ଗୁପ୍ତଙ୍କ ବନ୍ଧୁ। ‘ଜୟଦେବ’ ଚଳଚ୍ଚିତ୍ର ନିର୍ମାଣ ସମୟରେ କଲ୍ୟାଣ ଗୁପ୍ତଙ୍କ ତିରୋଧାନ ହେଲା ଓ ନିର୍ଦ୍ଦେଶକ ଶିବୁ ଭଟ୍ଟାଚାର୍ଯ୍ୟ ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ କଲେ।

‘ଜୟଦେବ’ ସହ ଉତ୍କଳ ଚିତ୍ର ପ୍ରତିଷ୍ଠାନର ଉଦ୍ୟୋକ୍ତା ତଥା କଟକ କ୍ୟାପିଟାଲ ଟକିଜ୍‌ର ପ୍ରତିଷ୍ଠାତା ନରେନ୍ ମିତ୍ର ସଂପୃକ୍ତ ଥିଲେ। ସେ ଚଳଚ୍ଚିତ୍ରର ଅଂଶୀଦାର ଥିଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତାର ପରିଚାଳନା ଦାୟିତ୍ୱରେ ଥିଲେ ଓ କଲ୍ୟାଣ ଗୁପ୍ତ ଥିଲେ ଲଳିତାର ବୈଷୟିକ ନିର୍ଦ୍ଦେଶକ। ଅତଏବ କଲ୍ୟାଣ ଗୁପ୍ତଙ୍କ ବିୟାଗ ପରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଶିବୁ ଭଟ୍ଟାଚାର୍ଯ୍ୟ ଓ ନରେନ୍ ମିତ୍ର ଏକାଠି ହୋଇ ପ୍ରିୟ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ‘ନାରୀ’ ଚଳଚ୍ଚିତ୍ର ନିର୍ମାଣ କଲେ।

ତେବେ ସେମାନେ ଛଦ୍ମନାମ ତ୍ରିଲୋଚନ କାହିଁକି ରଖିଲେ ତାହା ଏପର‌୍ୟ୍ୟନ୍ତ ରହସ୍ୟ ହୋଇ ରହିଛି। ସେମିତି ଷାଠିଏ ଦଶକରେ କା ଓ ସ୍ତ୍ରୀର ନିର୍ଦ୍ଦେଶନା ଦେଲେ ସିଦ୍ଧାର୍ଥ। ଭାଇ ଭାଉଜର ନିର୍ଦ୍ଦେଶନା ଦେଲେ ସାରଥୀ। ସତୁରି ଦଶକରେ ଯାଯାବରର ନିର୍ଦ୍ଦେଶନା ଦେଲେ ତ୍ରିମୂର୍ତ୍ତି। ଏ ସବୁତକ ଛଦ୍ମନାମ । ଆଉ ପ୍ରତି ଛଦ୍ମନାମରେ ଥିଲେ ତିନିଜଣ । ଅଦ୍ଭୁତ ସଂଯୋଗ ନୁହେଁ କି?

ଯେମିତି ସାରଥୀ ହୋଇଥିଲେ ସାମୁଏଲ୍ ସାହୁ, ବ୍ୟୋମକେଶ ତ୍ରିପାଠୀ ଓ ଗୋପାଳ ଘୋଷ। ଯେମିତି ତ୍ରିମୂର୍ତ୍ତି ହୋଇଥିଲେ ସଙ୍ଗୀତକାର ଅକ୍ଷୟ ମହାନ୍ତି, ଅଭିନେତ୍ର ହେମନ୍ତ ଦାସ ଓ ସଂଳାପକାର ବିଜୟ ମିଶ୍ର। ସେହ ସତୁରି ଦଶକରେ ଆରମ୍ଭରେ ବତିଘର ନିର୍ଦ୍ଦେଶନା ଦେଲେ ଆଉ ଏକ ଛଦ୍ମନାମୀ ଦଳ : ଅଭିଯାତ୍ରିକ। ସେମାନେ ଥିଲେ ଚାରିଜଣ: ଅନନ୍ତ ମହାପାତ୍ର, ବ୍ୟୋମକେଶ ତ୍ରିପାଠୀ, ସାଧୁୁ ମେହେର ଓ ଆଶୁ ଦତ୍ତ। ବୋଧହୁଏ ଏହାପରେ ଦୁଇରୁ ଅଧିକ ଏକାଠି ହୋଇ ଦଳଗତ ଭାବରେ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇନାହାନ୍ତି କି ଛଦ୍ମନାମ ବ୍ୟବହାର କରିନାହାନ୍ତି ।

ଅଶି ଦଶକରେ ଅବଶ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୂର୍ଯ୍ୟ ମିଶ୍ର ଛଦ୍ମନାମ ସିଦ୍ଧାର୍ଥକୁ ବ୍ୟବହାର କରିଥିଲେ। ଉଲ୍‌କାରେ ସେ ଓ ରାଜୁ ମିଶ୍ର ଏକାଠି ନିର୍ଦ୍ଦେଶନା ଦେଇଥିଲେ ଏବଂ ନିର୍ଦ୍ଦେଶକ ସୂର୍ଯ୍ୟ ମିଶ୍ର – ରାଜୁ ମିଶ୍ର ବୋଲି କ୍ରେଡିଟ୍ ରୋଲ୍‌ରେ ଲେଖାଥିଲା। କିନ୍ତୁ ପରେ ପରେ ସୂର୍ଯ୍ୟ ମିଶ୍ର ବାଜେ ଜାଇଫୁଲ, ବଇଁଶୀ ନାଚେ ଘୁଙ୍ଗୁର, ପାପ ପୁଣ୍ୟର ନିର୍ଦ୍ଦେଶନା ପାଇଁ ଛଦ୍ମନାମ ‘ସିଦ୍ଧାର୍ଥ’କୁ ବ୍ୟବହାର କଲେ।

ଏହି ଲେଖା ସହ ସଂଯୁକ୍ତ ହୋଇଛି ବତିଘରର ଲବି ଷ୍ଟିଲ୍। ଦେଖନ୍ତୁ ଏଥିରେ ନିର୍ଦ୍ଦେଶକଙ୍କ ନାମ ନାହିଁ। କାହିଁକି ନାହିଁ ତାହା ବି ରହସ୍ୟ! ଛଦ୍ମନାମରେ ନିର୍ଦ୍ଦେଶନା ସମ୍ବନ୍ଧରେ ଅଧିକ ତଥ୍ୟ ଯଦି ଜାଣନ୍ତି ତାହା ଦୟାକରି ଲେଖନ୍ତୁ। ବତିଘର ଲବି ଷ୍ଟିଲ୍‌ରେ ଯେଉଁ ନାୟିକାଙ୍କ ଛବି ଅଛି ତାଙ୍କ ସମ୍ବନ୍ଧରେ ଯଦି ଜାଣନ୍ତି ତାହା ବି ଲେଖନ୍ତୁ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଶ୍ରଦ୍ଧାଞ୍ଜଳି: ନୋଳିଆ ଅଭିନୟ କରିବା ପାଇଁ ନୋଳିଆ ବସ୍ତରେ ରହିଥିଲେ ସାଧୁ ମେହେର

ଆଲେଖ୍ୟ:- ସୂର୍ଯ୍ୟ ଦେଓ

ପ୍ରାୟ ପଚାଶ ବର୍ଷ ପାଖାପାଖି ହେବ, ଏକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସାଧୁ ମେହରଙ୍କ ସାଧନା ଓ ଅଭିସାର କିମ୍ବଦନ୍ତୀ ହୋଇଗଲା। ପାଖାପାଖି ପଚାଶ ବର୍ଷ ତଳର ସେ ସାଧନା ଆଜି ବି ଉଦାହରଣ। ଅଭିନୟ ପାଇଁ ସେ ଉପଲକ୍ଷ ଆଜି ବି ଦୃଷ୍ଟାନ୍ତ।

ହୁଏତ ଆପଣଙ୍କୁ ଅବାକ୍ ଲାଗିପାରେ ବତୀଘର ଚଳଚ୍ଚିତ୍ର ପାଇଁ ସାଧୁ ମେହର ନୋଳିଆ ବସ୍ତିରେ ନୋଳିଆ ପରି ରହି ଅଭିନୟ ଶିଖିଥିଲେ। ୧୯୭୬ର ଓଡ଼ିଆ ଚଳଚ୍ଚିତ୍ର ବତୀଘର। ସାଧୁମେହରଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ବତୀଘର। ବତୀଘରରେ ଅଭିନୟ ବେଳକୁ ସେ ହିନ୍ଦୀ କଥାଚିତ୍ର ‘ଅଙ୍କୁର୍‌’ରେ ଶ୍ରେଷ୍ଠ ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇସାରିଥିଲେ।

ବତୀଘରର ନର୍ଦ୍ଦେଶକ ଥିଲେ ଅଭିଯାତ୍ରୀକ। ଅଭିଯାତ୍ରୀକ ଏକ ଦଳର ନାମ। ଦଳରେ ଅନନ୍ତ ମହାପାତ୍ର, ବ୍ୟୋମକେଶ ତ୍ରିପାଠୀ, ସାଧୁୁ ମେହେର ଓ ଆଶୁ ଦ ଥିଲେ ଏବଂ ଆଶୁ ଦତ୍ତଙ୍କ ବ୍ୟତୀତ ଅନ୍ୟମାନେ ବତୀଘର ଅଭିନୟ ସହ ସଂପୃକ୍ତ ଥିଲେ। ଆଶୁ ଦତ୍ତ ବତୀଘରର କ୍ୟାମେରାମ୍ୟାନ ଥିଲେ। ଅତଏବ ସାଧୁ ମେହେରଙ୍କ ଚଳଚ୍ଚିତ୍ର ନିର୍ଦ୍ଦେଶନାର ଆରମ୍ଭ ମଧ୍ୟ ଦଳଗତ ଭାବେ ବତୀଘରରୁ।

ଫଟୋ ସୌଜନ୍ୟ- ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ( ଫଟୋଟି ହେଉଛି ବତିଘର ଚଳଚିତ୍ରର ମହୁରତ୍। ମହୁରତ୍ କ୍ଲାପ୍ ଦେଉଛନ୍ତି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ, ପାଖରେ ଅଛନ୍ତି ଧୀର ବିଶ୍ୱାଳ, ଡାହାଣରେ ଦ୍ୱିତୀୟକୁ ଅଛନ୍ତି ସାଧୁ ମେହେର)

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’, ମୁକ୍ତିଲାଭ ଭ୍ରାନ୍ତି

  

ସୂର୍ଯ୍ୟ ଦେଓ

ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲସ୍ ଟୁ ଏଇଟ୍‌’ ସମ୍ବନ୍ଧରେ ଏପର‌୍ୟ୍ୟନ୍ତ ସଂପୂର୍ଣ ଓ ନିର୍ଭୁଲ ତଥ୍ୟ ମିଳିନାହିଁ। ଆଶ୍ଚର୍ଯ୍ୟଜନକ ଭାବରେ ଏହାର ମୁକ୍ତିଲାଭ ତାରିଖ ସମ୍ବନ୍ଧରେ ମଧ୍ୟ ଭ୍ରାନ୍ତି ରହିଛି। କାର୍ତ୍ତିକ ଘୋଷଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଇତିହାସ’, ଭୀମ ସିଂହଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ’ ଓ ରଣଧୀର ଦାସଙ୍କ ‘ଜୀବନରଙ୍ଗ ଚଳଚ୍ଚିତ୍ର ବିଶେଷାଙ୍କ’ରେ ‘ରୋଲସ୍ ଟୁ ଏଇଟ୍‌’ର ମୁକ୍ତିଲାଭ ବର୍ଷ ୧୯୫୧ ବୋଲି ଉଲ୍ଲେଖ ରହିଛି, ତାରିଖ କି ମାସର ଉଲ୍ଲେଖ ନାହିଁ। ପ୍ରଥମ ଓଡ଼ିଆ ସାମାଜିକ ଚଳଚ୍ଚିତ୍ର ସମ୍ବନ୍ଧରେ ଗବେଷକ ଓ ଐତିହାସିକଙ୍କ ଉଦାସୀନତା ହିଁ ଏହାକୁ ଅନ୍ଧାରରେ ରଖିଛି।

ଅବସୋସର ସହ ଲେଖିବାକୁ ହେଉଛି: ତଥ୍ୟ ଅନୁସନ୍ଧାନ କରିନାହାନ୍ତି କି ପ୍ରମାଣ କେହି ଖୋଜିନାହାନ୍ତି। ସିନେମା ସମ୍ବନ୍ଧରେ ଥରେ କିଏ କ’ଣ ଗାରେଇ ଦେଲେ, ତାକୁ ହିଁ ଅନ୍ୟମାନେ ଦୋହରାଇଛନ୍ତି।

କାଲି ‘ସମାଜ’ କାର୍ଯ୍ୟାଳୟ ଗଲି, କଟକରେ ଏଣୁତେଣୁ କିଛି କାମ ଥିଲା, କାମ ସରିଗଲା, ସମୟ ବଳିଥିଲା। ଏଣୁ ସେ ସମୟତକ ‘ସମାଜ’ ଲାଇବ୍ରେରିରେ ବିତାଇଲି। ଏମିତି ଖିଆଲରେ। ଯେଣୁ ଭୁବନେଶ୍ୱରରେ ଥିବା ରାଜ୍ୟ ଅଭିଲେଖାଗାରରେ ୧୯୬୫ ପୂର୍ବର ‘ସମାଜ’ କି ‘ପ୍ରଜାତନ୍ତ୍ର’ ନାହିଁ, ଏଣୁ ୬୫ ପୂର୍ବର ଓଡ଼ିଆ ସିନେମାର ପ୍ରମାଣ ସିଦ୍ଧ ତଥ୍ୟ ପାଇବା ପାଇଁ କଟକ ମୁଖ୍ୟ କାର୍ଯ୍ୟାଳୟକୁ ଅନେକ ଥର ଯାଇଛି।

‘ପ୍ରଜାତନ୍ତ୍ର’ ପେଟି ବନ୍ଦ ହୋଇକି ଅଛି। ତାକୁ ଦେଖିବାର ସୁଯୋଗ ଆଜିକାଲି ଆଉ ନାହିଁ। ‘ରୂପ ରସ ଛନ୍ଦ’ରେ ଓଡ଼ିଆ ସିନେମାର ସବୁତକ କଥା ପ୍ରକାଶିତ ହେଉଥିଲା। ତାହାକୁ ପଢ଼ିବାର କଣ ଦେଖିବାର ସୁଯୋଗ ବି ନାହିଁ ଆଜିକାଲି। ପେଟିରେ ବନ୍ଦ ହୋଇ କୁଆଡ଼େ ନଷ୍ଟ ହୋଇ ସାରିଛି ସେ ଅମୂଲ୍ୟ ସମ୍ପଦତକ।

‘ସମାଜ’ରେ ଡିଜିଟାଇଜଡ୍ ହୋଇ କି ଅଛି, ହାର୍ଡ କପି ବି ଅଛି। ‘ସମାଜ’ ଲାଇବ୍ରେରିରେ ୧୯୫୧ ମସିହାର ସବୁତକ ଖବର କାଗଜ ପୃଷ୍ଠା ପରେ ପୃଷ୍ଠା ଖୋଜିଲି। ଡିସେମ୍ବର ୧ ତାରିଖକୁ ପହଞ୍ଚିଲି ତ ‘ସପ୍ତଶଯ୍ୟା’ ମୁକ୍ତିଲାଭ କରିଛି ସେଦିନ । ମୁଁ ତ ସେଇ ପ୍ରକାଶିତ ବିଜ୍ଞାପନ ସଂଗ୍ରହ କରିସାରିଥିଲି ଆଗରୁ।

ତେବେ ‘ରୋଲ୍‌ସ ଟୁ ଏଇଟ୍‌’? ଏମିତି ତ ହୋଇ ନଥିବ ପ୍ରଥମ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବ ଓ ବିଜ୍ଞାପନ ପ୍ରକାଶିତ ହୋଇ ନଥିବ! ‘ରୋଲ୍‌ସ ଟୁ ଏଇଟ୍‌’ କ’ଣ ‘ସପ୍ତଶଯ୍ୟା’ ପରେ? ‘ରୋଲ୍‌ସ ଟୁ ଏଇଟ୍‌’ ତେବେ ପ୍ରଥମ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ନୁହେଁ ? ୧୯୫୨ର ସବୁତକ ସମାଜ ଖୋଜିଲି, ସେହି ବର୍ଷ ଗୋଟିଏ ବି ଓଡ଼ିଆ ସିନେମାର ବିଜ୍ଞାପନ ନାହିଁ। ୧୯୫୩ ଖୋଜିଲି। ସେପ୍‌ଟେମ୍ବରରେ ପ୍ରକାଶିତ ହୋଇଛି ‘ଆମରି ଗାଁ ଝୁଅ’ର ବିଜ୍ଞାପନ। ଆଶ୍ଚର୍ଯ୍ୟ! ‘ରୋଲ୍‌ସ ଟୁ ଏଇଟ୍‌’ କାହିଁ ?

ସଂଧ୍ୟା ହୋଇ ଆସୁଥିଲା, ଲାଇବ୍ରେରି ବନ୍ଦ ହେବାର ସମୟ ହୋଇ ଆସୁଥିଲା। ମୁଁ ବ୍ୟଗ୍ର ହେଉଥିଲି। ବୋଧେ ସବୁଥର ପରି ଏଥର ବି ‘ରୋଲ୍‌ସ ଟୁ ଏଇଟ୍‌’ ସମ୍ବନ୍ଧରେ ସୂଚନା ପାଇବି ନାହିଁ। ଗ୍ରନ୍ଥଗାରିକାଙ୍କୁ ଅନୁରୋଧ କଲି: ୧୯୫୦ର ଫାଇଲ୍ ଦେଖିହେବ? ଯଦି ସମ୍ଭବ ନୁହେଁ ପରେ ଆସିବି। ମୋର ଅନୁନୟରେ ସେ ରାଜିହେଲେ। କହିଲେ ‘ଶୀଘ୍ର ଦେଖିବେ,ଲାଇବ୍ରେରି ବନ୍ଦ ହେବାର ସମୟ ହୋଇଗଲାଣି’।

୧୯୫୦ରେ ଯେ ‘ରୋଲ୍‌ସ ଟୁ ଏଇଟ୍‌’ ମୁକ୍ତିଲାଭ କରିଥିବ ମୋର ସନ୍ଦେହ ଥିଲା। ସେହି ବର୍ଷ ଫେବୃଆରିରେ ମୁକ୍ତିଲାଭ କରିଥିବା ‘ଶ୍ରୀଜଗନ୍ନାଥ’ର ପ୍ରଭାବ ଏତେ ବେଶି ଥିବ ସେ ଅନ୍ୟ କୌଣସି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରି ହିଁ ନଥିବ। ମୋର ଧାରଣା ଏହପରି ଥିଲା।

ତେବେବି ପୃଷ୍ଠା ଓଲଟାଇଲି। ମସିଆ ହୋଇଥିବା, ହଳଦିଆ ପଡ଼ିଥିବା ପତଳା କାଗଜ, ଟିକେ ଏପାଖ ସେପଖେ ହେଲେ ଚିରିଯିବାର ଆଶଙ୍କା ଅଛି। ତେବେବି ପୃଷ୍ଠା ଓଲଟାଇଲି। ମାର୍ଚ୍ଚ ପର୍ଯ୍ୟନ୍ତ ଗଲି, ଏପ୍ରିଲ ପନ୍ଦର ଯାଏ ବି ଗଲି। ‘ଲାଇବ୍ରେରି ବନ୍ଦ ହେବ ଏବେ, ଥାଉ! ରଖି ଦେବି’ ଭାବିଛି ତ ଆଉ ଆଉ କେତେ ପୃଷ୍ଠା ସିଧା ଓଲଟାଇଦେଇ ସେଠି ପହଂଚି ଗଲି ଯେଉଁଠି ଏତେ ସହଜରେ ଥରକରେ ପହଂଚିବା କଥା ନୁହେଁ। ପୃଷ୍ଠା ପରେ ପୃଷ୍ଠା ଓଲଟାଇ ପହଂଚିବା କଥା।

ମୁଁ ସିଧା ଏପ୍ରିଲ ପନ୍ଦର ତାରିଖରୁ ଗୋଛାଏ କାଗଜ ଯତ୍ନ କରି ଓଲଟାଇ ଦେଲି ଆଉ ପହଂଚିଲି ଏପ୍ରିଲ ୨୭ ତାରିଖ ୧୯୫୦ ମସିହାରେ। ମୋ ପାଇଁ ଅଦ୍ଭୁତ ଥିଲା ସେ କ୍ଷଣ! ଯେଣୁ ତାହା ପରଦିନ ମୁକ୍ତିଲାଭ କରିଥିଲା ‘ରୋଲ୍‌ସ ଟୁ ଏଇଟ୍‌’ ଓ ଚଉଠେ ପୃଷ୍ଠାରୁ ଅଧିକ ଆକାରର ବିଜ୍ଞାପନ ପ୍ରକାଶିତ ହୋଇଥିଲା ‘ସମାଜ’ର ପ୍ରଥମ ପୃଷ୍ଠାରେ! ଏପ୍ରିଲ ୨୮ ତାରିଖରେ ବି ସେହି ଏକା ଆକାରର ସମାନ ବିଜ୍ଞାପନ ପ୍ରଥମ ପୃଷ୍ଠାରେ। ତାହାର କିଛି ଦିନପରେ ପ୍ରଣୟ କବି ମାୟାଧର ମାନସିଂହଙ୍କ ‘ରୋଲ୍‌ସ ଟୁ ଏଇଟ୍‌’ ସମ୍ବନ୍ଧିତ ମନ୍ତବ୍ୟ ସ୍ଥାନିତ ହୋଇଛି ସମାଜର ପ୍ରଥମ ପଷ୍ଠାରେ।

ଅତଏବ ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲ୍‌ସ ଟୁ ଏଇଟ୍‌’ ମୁକ୍ତିଲାଭ କରିଛି ୨୮ ଏପ୍ରିଲ ୧୯୫୦ରେ, କ୍ୟାପିଟାଲ ଟକିଜ୍‌ରେ। ସେହି ବିଜ୍ଞାପନ ଏଠାରେ ସ୍ଥାନିତ କରୁଛି, ଅଦ୍ଭୁତ ସଂଯୋଗ ଦେଖନ୍ତୁ: ପ୍ରଥମ ଓଡ଼ିଆ ସିନେମା ‘ସାତା ବିବାହ’ ଓଡ଼ିଶାରେ ମୁକ୍ତିଲାଭ କରିଥିଲା ସେହି ଏପ୍ରିଲ ୨୮ ତାରିଖରେ, ତାହାର ଚଉଦ ବର୍ଷ ପରେ ସେହି ଏକା ତାରିଖରେ ମୁକ୍ତିଲାଭ କଲା ପ୍ରଥମ ସାମାଜିକ ଓଡ଼ିଆ ସିନେମା ‘ରୋଲ୍‌ସ ଟୁ ଏଇଟ୍‌’!

( ଲେଖକ ସୂର୍ଯ୍ୟ ଦେଓ ହେଉଛନ୍ତି ଜାତୀୟ ଚଳଚିତ୍ର ପୁରସ୍କାରପ୍ରାପ୍ତ ଓଡିଶାର ଜଣେ ପ୍ରତିଷ୍ଠିତ ସିନେ ସମୀକ୍ଷକ)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିôବା ଘୋଷଣା କରାଯାଇଛି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ଦେଓଙ୍କୁ ତାଙ୍କର ଏହି ସଫଳତା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ପ୍ରଫେସର ନାୟକ ଶ୍ରୀ ଦେଓଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କ ସହଯୋଗରେ ସୋଆ ଓଡ଼ିଆ ସିନେମା ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରଖିଛି ବୋଲି କହିଛନ୍ତି ।

ଶ୍ରୀ ଦେଓ ଓଡ଼ିଆ ସିନେମାର ଇତିହାସକୁ ପୁର୍ନଜୀବିତ କରିବା କ୍ଷେତ୍ରରେ ତାଙ୍କର ଅନୁଭୂତି ବଖାଣିବା ସହ ଏଥି ନିମନ୍ତେ କରିଥିବା ଗବେଷଣା ଓ ନଥୀକରଣ ସମୟରେ ସେ ସାମ୍ନା କରିଥିବା ସମସ୍ୟା ସମ୍ପର୍କରେ କହିଥିଲେ । ଏହି ଓଡ଼ିଆ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ରେ ଏକୋଇଶଟି କ୍ଲାସିକ୍ ଓଡ଼ିଆ ଚଳଚ୍ଚିତ୍ରର ବିସ୍ତୃତ ନଥୀକରଣ, ପରିଚର୍ଯ୍ୟା ଓ ଚଳଚ୍ଚିତ୍ର ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଆତ୍ମକଥନ ସ୍ଥାନିତ ହୋଇଛି । ୨୮୮ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ପୌରାଣିକ, ସାହିତ୍ୟର ରୂପାନ୍ତର, ମନୋରଞ୍ଜନ ଓ ମସଲାଧର୍ମୀ ଏବଂ ସମାନ୍ତର ଚଳଚ୍ଚିତ୍ରର ବର୍ଗୀକରଣ ରହିଛି ।

ଶହେରୁ ଅଧିକ ଦୁର୍ଲଭ ଫଟୋଗ୍ରାଫ୍ ଏବଂ ପୋଷ୍ଟର ‘କାଲି ପାଇଁ କାଲିର ସିନେମା’ର ଅନ୍ୟତମ ଆକର୍ଷଣ । ଓଡ଼ିଆ ଚଳଚ୍ଚିତ୍ରର ତଥ୍ୟ ଓ ଇତିହାସ ସମ୍ବନ୍ଧରେ ଏହି ଗ୍ରନ୍ଥରେ ବିଶେଷ ଉଲ୍ଲେଖ ରହିଛି । ଚଳିତ ବର୍ଷ ଓଡ଼ିଶାରୁ ଏକ ମାତ୍ର ଶ୍ରୀ ଦେଓଙ୍କର ପୁସ୍ତକ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି ।

ଏହି ଅବସରରେ ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପଦେଷ୍ଟା ପ୍ରଫେସର ଜୟଦେବ ପତି, ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ୍ ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଶ୍ରୀ ହିମାଂଶୁ ହୋତା ଓ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜାତୀୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ସିନେମା ପୁସ୍ତକ ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର ନିମନ୍ତେ ମନୋନିତ ହୋଇଥିବା ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୈନିକ ଖବରକାଗଜ ସର୍ବସାଧାରଣ ଏବଂ ସୃଜନ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ତାଙ୍କୁ ସମ୍ମାନିତ କରିଥିଲେ।

ଏଥିରେ ବିଜୁ ଜନତା ଦଳର ସାଧାରଣ ସଂପାଦକ ତଥା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟଦାସ ବର୍ମା, ବିଶିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ ରଥ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ରକ୍ଷକ ନାୟକ, ସାହିତ୍ୟିକ ଗୌରହରି ଦାସ, ଡ. ଅଜୟ ସ୍ବାଇଁ, ହରିହର ମହାପାତ୍ର, ଡ ରଜନୀରଂଜନ ଏବଂ ଦେବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ସୂର୍ଯ୍ୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ବର୍ଣ୍ଣନା କରିଥିଲେ।

ନିକଟରେ ଘୋଷଣା ହୋଇଥିବା ଜାତୀୟ ଚଳଚିତ୍ର ପୁରସ୍କାରରେ ଲେଖକ, ଗବେଷକ ତଥା ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଉତ୍ସବରେ ସେହି ପୁସ୍ତକର ଉନମୋଚନ ମଧ୍ୟ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ଜାତୀୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ହେଲେ ଓଡିଆ ସିନେ ଲେଖକ ସୂର୍ଯ୍ୟ ଦେଓ

ଭୁବନେଶ୍ବର: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ୬୮ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡିଶାର ସିନେ ଲେଖକ, ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ଦେଓ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ତାଙ୍କ ଦ୍ବାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ନିମନ୍ତେ ସେ ଏହି ପୁରସ୍କାର ପାଇବେ। ଶ୍ରେଷ୍ଠ ସିନେମା ଲେଖକ, ସ୍ପେସାଲ ମେନସନ ବର୍ଗରେ ସେ ଏହି ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି।

ସୂର୍ଯ୍ୟ ଦେଓ ଓଡିଆ ଚଳିଚିତ୍ର ଉପରେ ଦୀର୍ଘ ବର୍ଷ ଧରି ଗବେଷଣା କରି ଆସୁଛନ୍ତି। ଏହି ପୁସ୍ତକ ପୂର୍ବରୁ ସେ ଓଡିଆ ଚଳଚିତ୍ର ଉପରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ‘ଓଡ଼ିଆ ସିନେମା ରୂପ ରୂପାନ୍ତର’, ‘ଅର୍ଦ୍ଧ-ଶତାଦ୍ଧୀର ଓଡ଼ିଆ ସିନେମାର ତର୍ଜମା’, ‘ଝୁରାମନ ଝୁରାଗୀତି’ ଓ ‘ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯ ପରେ’। କାଲି ପାଇଁ କାଲିର ସିନେମା ହେଉଛି ତାଙ୍କର ଚତୁର୍ଥ ବହି।

ସୂର୍ଯ୍ୟ ଦେଓ ଓଡିଆ ସାମ୍ବାଦିକ ଜଗତରେ ବେଶ ପରିଚିତ ବ୍ୟକ୍ତିତ୍ବ। ସିନେ ସମ୍ବାଦରେ ସେ କାର୍ଯ୍ୟ କରୁଥିବା ବେଳେ ସିନେମା ସଂପର୍କରେ ଚମତ୍କାର ଲେଖା ପ୍ରକାଶିତ କରିଆସୁଥିଲେ। ସେତେବେଳେ ଏହି ସିନେମା ପତ୍ରିକା ଓଡିଶାରେ ବେଶ୍ ଚହଳ ପକାଇଥିଲା। ସେ ‘ସମ୍ବାଦ’ ଖବର କାଗଜରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଅନେକ ରିପୋର୍ଟ ଚର୍ଚ୍ଚାକୁ ଆସିଥିଲା।

ଏକଦା ଆହେ ଦୟାମୟ ବିଶ୍ବ ବିହାରୀ ଗୀତକୁ ଅପଭ୍ରଂସ କରି ଏକ ଚାଲୁ ସଂଗୀତ ବଜାରକୁ ଆସିଥିଲା। ସେତେବେଳେ ସେ ଏହା ବିରୋଧରେ ଲଗାତର ରିପୋର୍ଟ କରିବା ପରେ ସେହି ଗୀତକୁ ରାଜ୍ୟ ସରକାର ବ୍ୟାନ କରିଥିଲେ।  ବିଶେଷ ଭାବେ ଓଡିଆ ସିନେ ସଂଗୀତ ଉପରେ ତାଙ୍କର ପ୍ରବଳ ଦଖଲ ରହିଛି। ପ୍ରଖ୍ୟାତ ସଂଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଉପରେ ତାଙ୍କର ଗବେଷଣାତ୍ମକ ଲେଖା ଓଡିଆ ସିନେମା ଜଗତରେ ଚହଳ ପକାଇଛି।

ତାଙ୍କର ଏହି ଗବେଷଣା ତଥା ସିନେ ଲେଖା ପାଇଁ ସେ ବିଭିନ୍ନ ଅନୁଷ୍ଠାନରୁ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ସେ ସୂଚନା ଓ ପ୍ରସାରଣ ବିଭାଗର ଫିଲ୍ମ ଡିଭିଜନରୁ ଫେଲୋସିପ ମଧ୍ୟ ହାସଲ କରିଛନ୍ତି। ସେ ଓଡିଆ ଚଳଚିତ୍ର ଉପରେ ମଧ୍ୟ ଡକ୍ଟରେଟ କରୁଛନ୍ତି।