Categories
ଆଞ୍ଚଳିକ

ରେଢାଖୋଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ରେଢାଖୋଲ: “ସୁଚିତ୍ରା” ପତ୍ରିକା ପକ୍ଷରୁ ରେଢାଖୋଲ ଏନ୍ ଏ ସି  କଲ୍ୟାଣ ମଣ୍ଡପରେ ଗଙ୍ଗାଧର ମେହେର ଜୟନ୍ତି କବି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଜୟନ୍ତି ଉତ୍ସବରେ ରେଢାଖୋଲ ଏନ୍ ଏ ସି ର ଅଧ୍ୟକ୍ଷ ଶିବରାମ ସାହୁ ମୁଖ୍ୟ ଅତିଥି ଭାବରେ, କବି ମାନିନୀ ମିଶ୍ର ଓ ସମାଜସେବୀ ଗୋବିନ୍ଦ ଅଗ୍ରଓାଲା ସମ୍ମାନୀତ ଅତିଥି, ମାଧପୁର ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ଦେବରାଜ ନାଏକ ପ୍ରମୁଖ ଯୋଗେଦେଇ ଗଙ୍ଗାଧର ମେହେରଙ୍କ ଜୀବନୀ ତଥା ତାଙ୍କର କବିତା ସଂପର୍କରେ ଆଲୋଚନା କରିଥିଲେ। ଗଙ୍ଗାଧର ମେହେର ଥିଲେ ଜଣେ ପ୍ରକୃତି କବି ତାଙ୍କ ସାହିତ୍ୟରେ ପଶୁ, ପକ୍ଷୀ, ବୃକ୍ଷଲତା ସ୍ଥାନ ପାଇଛି। ସେ ପ୍ରକୃତିକୁ ବହୁତ ଭଲ ପାଉଥିଲେ ବୋଲି ବକ୍ତାମାନେ କହିଥିଲେ। ଆଗାମୀ ଦିନରେ ରେଢାଖୋଲରେ ମେହେର ଜୟନ୍ତୀ ବହୁ ଆଡମ୍ବର ସହକାରେ ପାଳନ କରାଯିବାକୁ ବକ୍ତା ମାନେ ପ୍ରସ୍ତାବ ଦେଇଥିଲେ। ସାମ୍ବାଦିକ ସୁଶାନ୍ତ ନାଗ ରେଢାଖୋଲରେ ପ୍ରଥମ ଥର ପାଇଁ ସୁଚିତ୍ରା ପତ୍ରିକା ତରଫରୁ ମେହେର ଜୟନ୍ତୀ ପାଳନ କରିଥିବା ତଥା ଆଗାମୀ ଦିନରେ ଏହି ଜୟନ୍ତି ଉତ୍ସବ ଜାକଜମକରେ କରାଯିବାକୁ ମତ ରଖିଥିଲେ।

ଏହି ଉତ୍ସବରେ ପତ୍ରିକାର ମୁଖ୍ୟ ସଂପାଦକ ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପତ୍ରିକାର ସଂପାଦକ କନ୍ଦର୍ପ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ରେଢାଖୋଲ ମାଟିର କବି କାଳିଆ ସାହୁଙ୍କ କବିତା ପୁସ୍ତକ “ବହି ମୋହର ସାଥୀ”  ଏବଂ ଅନୁଗୋଳ ରୁ ଆସିଥିବା କବି ସର୍ବେଶ୍ୱର ବେହେରାଙ୍କ କବିତା ପୁସ୍ତକ “ଶୂନ୍ୟସୁଧା” ଅତିଥିମାନଙ୍କ ଦ୍ୱାରା ଉନ୍ମୋତିତ ହୋଇଥିଲା। ସରସ୍ୱତୀ ଶିଶୁ ମନ୍ଦିର, ଶୁଣ୍ଢିମୁଣ୍ଡାର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ କବି ଅଚ୍ୟୁତାନନ୍ଦ ବିଶ୍ୱାଳ, କବି ଗୀତାରାଣୀ ସାହୁ, ସର୍ବେଶ୍ୱର ବେହେରା  ରମେଶ ମେହେର ପ୍ରମୁଖ କବିତା ପାଠ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତାକୁ ଛାତ୍ରୀମାନେ ପାଠ କରିଥିଲେ।

ଶେଷରେ ସଂପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।