Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 5T ଉପକ୍ରମରେ ବିଭନ୍ନ ପଦକ୍ଷେପ ଦ୍ୱାରା ସରକାରୀ ହସ୍ପିଟାଲଗୁଡିକରେ ରୂପାନ୍ତର ଆସିପାରିଛି। ଏହା ଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି। ପ୍ରତି ମାସରେ ୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହା ଆମ ପ୍ରତିବଦ୍ଧତାର ପ୍ରତିଫଳନ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ୍ ମଡେଲ୍ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜିର ପ୍ରକଳ୍ପଗୁଡିକ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି ‘ସୁସ୍ଥ ଓଡିଶା ସୁଖୀ ଓଡିଶା’। ରାଜ୍ୟର ସବୁ ଲୋକ ଯେପରି ସୁବିଧାରେ ଉତ୍ତମ ସେବା ପାଇପାରିବେ ସେ ଦିଗରେ ଆମେ କାମ କରୁଛୁ । ରାଜ୍ୟର ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆସିଛି ବୋଲି ପ୍ରକାଶ କରି କହିଥିଲେ ଯେ ଏସ୍.ସି.ବି. ମେଡିକାଲ୍ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ କାମ ଚାଲିଛି। ନୂଆ ନୂଆ ମେଡିକାଲ କଲେଜ୍ ଖୋଲୁଛି।

ବିଭିନ୍ନ ହସ୍ପିଟାଲରେ ନୂଆ ସୁବିଧାର ବିକାଶ ହେଉଛି। ନିୟମିତ ଭାବେ ଡାକ୍ତର ଓ ସହାୟକ କର୍ମଚାରୀ ପଦବୀ ପୂରଣ ହେଉଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଭିତ୍ତିଭୂମି ବିକାଶ କାମ ଜାରି ରହିଛି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସ୍ତରରେ- ପ୍ରାଥମିକ ସ୍ୱାସ୍ଥ୍ୟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌- ୧୮୦୦ ୧୨୦ ୧୨୦ ୧୦୪ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ’। ଏହି ମନ୍ତ୍ରକୁ ଆଗରେ ରଖି କାମ କରୁଛୁ ଓ କରି ଚାଲିବୁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଆଜି ଆମ ରାଜ୍ୟ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ।

ମ୍ୟାଲେରିଆ ଓ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ମଧ୍ୟ ଆମେ ଆଗୁଆ ରହିଛୁ। ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ଦେଶରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା ସୁଖୀ ଓଡିଶା ଓ ପ୍ରତି ଜୀବନ ମୂଲ୍ୟବାନ ନୀତିକୁ ଆଧାର କରି ଆମେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଆଗକୁ ବଢୁଛୁ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥି ସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଅନ୍‌ଲାଇନ୍‌ରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଚାରିଧାମ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହେବ: ଡକ୍ଟର ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରାରେ ସାମିଲ ହେଉଥିବା ଦେଶର ତୀର୍ଥଯାତ୍ରୀମାନଙ୍କୁ ଏକ ସୁଦୃଢ ସ୍ୱାସ୍ଥ୍ୟ ସହାୟତା ଓ ଜରୁରୀ ପରିଚାଳନା ଭିତ୍ତିଭୂମି କେନ୍ଦ୍ର ସରକାର ଯୋଗାଇଦେବେ। ସମ୍ପୃକ୍ତ ତୀର୍ଥଯାତ୍ରୀମାନଙ୍କୁ ଏହି ସମଗ୍ର ଯାତ୍ରା କାଳରେ ଚିକିତ୍ସା ଓ ଜରୁରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ତ୍ରିସ୍ତରୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଏଠାରେ କହିଛନ୍ତି।

ଆଜି ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଧନ ସିଂହ ରାୱତ ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ଡକ୍ଟର ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି। ଆଗାମୀ ଚାର୍ଧାମ ଯାତ୍ରାକାଳରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଥିରେ ସାମିଲ ହେବାର ସମ୍ଭାବନା ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଓ ଜରୁରୀ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଡକ୍ଟର ଧନସିଂହ ରାୱତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସେ ଆହୁରି କହିଥିଲେ ଯେ ଚାର୍ଧାମ ଯାତ୍ରାର ପଥ ଅତ୍ୟନ୍ତ ବିପଦ ସଙ୍କୁଳ। ଏହି ରାସ୍ତାରେ ଯିବାବେଳେ ଯାତ୍ରୀମାନେ ବିଭିନ୍ନ ପ୍ରକାର ଅସୁବିଧା ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହୃଦ୍ଘାତ ଓ ଆଉ କେତେକ ସ୍ୱାସ୍ଥ୍ୟଗତ ଜଟିଳତାରୁ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ। ବିଶେଷକରି ବିବିଧ ରୋଗରେ ପୀଡିତ ତୀର୍ଥଯାତ୍ରୀମାନେ ଅଧିକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ବୋଲି ସେ କହିଛନ୍ତି।

ଉତ୍ତରାଖଣ୍ଡ ମନ୍ତ୍ରୀଙ୍କଠାରୁ ସବୁ କଥା ଶୁଣିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ତାଙ୍କୁ ଦେଇଥିଲେ। ସେ କହିଥିଲେ ଯେ “ଚାର୍ଧାମ ତୀର୍ଥଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ସମ୍ଭାବ୍ୟ ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ଓ ଜରୁରୀକାଳନୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ ଆକ୍ରାନ୍ତ ଯାତ୍ରୀଙ୍କୁ ଯଥାସମ୍ଭବ ଶ୍ରେଷ୍ଠ ଚିକିତ୍ସା ସହାୟତା ଯୋଗାଇ ଦେବେ। ଚାରିଧାମ ରାସ୍ତାରେ ଆଗୁଆ ଆମ୍ବୁଲାନ୍ସ ଓ ଷ୍ଟୋକ ଭ୍ୟାନ ମୁତୟନ କରାଯିବା ସହିତ ହୃଦ୍ଘାତରେ ଆକ୍ରାନ୍ତ ଯାତ୍ରୀଙ୍କୁ ଯଥାସମ୍ଭବ ଶ୍ରେଷ୍ଠ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଯୋଜନା କରାଯାଉଛି। ଏହା ଫଳରେ ରୋଗୀ ତତ୍କାଳ ଚିକିତ୍ସା ସୁବିଧା ପାଇବେ ଏବଂ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିବ। ଯାତ୍ରା ପଥର ବିଭିନ୍ନ ସ୍ଥାନରେ ଏସବୁ ଆମ୍ବୁଲାନ୍ସ ଓ ଷ୍ଟୋକ ଭ୍ୟାନକୁ ମୁତୟନ କରାଯିବ। ଦେଶର ବିଭିନ୍ନ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀମାନଙ୍କୁ ଯାତ୍ରା ପଥରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଯୋଗାଇ ପାଇଁ ମୁତୟନ କରିବାକୁ ଚେଷ୍ଟା କରାଯାଉଛି। ଏହା ଫଳରେ ସମ୍ପୃକ୍ତ ପିଜି ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଓ କୁଶଳତା ବୃଦ୍ଧି କରିବାର ଅଭିଜ୍ଞତା ପାଇବେ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯାତ୍ରା ପଥର ଉଚ୍ଚ ପାର୍ବତ୍ୟାଞ୍ଚଳରେ ତୀଥଯାତ୍ରୀଙ୍କ ପାଇଁ ଜରୁରୀ ଔଷଧ ଯୋଗାଣରେ ଡ୍ରୋନର ବ୍ୟବହାର କରାଯିବ। ତେଣୁ ଚାରିଧାମ ଯାତ୍ରାରେ ସେ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଯିବ। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଆଦି ତୀର୍ଥସ୍ଥଳ ସମୁଦ୍ର ପତନଠାରୁ ୧୦ହଜାର ପୁଟ୍ ଉଚ୍ଚରେ ଗଡୱାଲ ହିମାଳୟରେ ଅବସ୍ଥିତ। ନିକଟରେ ଏମ୍ସ-ଋଷିକେଶ ପକ୍ଷରୁ ଡ୍ରୋନ ସେବା ମାଧ୍ୟମରେ ଔଷଧ ଯୋଗାଣ କାର୍ଯ୍ୟ ହାତକୁ ନିଆଯାଇଛି। ଆହୁରି ମଧ୍ୟ ରୋଗୀଙ୍କ ପାଇଁ ଋଷିକେଶ ଏମ୍ସ, ଡୁନ ମେଡିକାଲ କଲେଜ ଓ ଶ୍ରୀନଗର ମେଡିକାଲ କଲେଜ ପକ୍ଷରୁ ଏକ ସୁଦୃଢ ରେଫରାଲ ସୁବିଧା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ବିଶେଷଜ୍ଞ ଚିକିତ୍ସା ଓ ପରାମର୍ଶ ମଧ୍ୟ ଦିଆଯାଉଛି। ଆବଶ୍ୟକ ପଡିଲେ ତୀର୍ଥଯାତ୍ରୀଙ୍କୁ ଏହି ରେଫରାଲ ସୁବିଧା ମାଧ୍ୟମରେ ଆବଶ୍ୟକ ଜରୁରୀ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଡକ୍ଟର ମାଣ୍ଡବୀୟ କହିଛନ୍ତି।

ଏସବୁ ପଦକ୍ଷେପ ଓ ବ୍ୟବସ୍ଥାକୁ ସଫଳ କରିବା ପାଇଁ ନାଗରିକ ଅନୁକୂଳ ଯୋଗାଯୋଗ ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଗୁରୁତ୍ୱ ଦିଆଯିବ। ପାଣିପାଗର ସ୍ଥିତି, ସ୍ୱାସ୍ଥ୍ୟସେବା କେନ୍ଦ୍ରର ଠିକଣା, କଲସେଣ୍ଟର ନମ୍ବର, ପ୍ରାକ୍ ଯାତ୍ରା ସ୍କ୍ରିନିଂ, ଏମରେଜେନ୍ସି ସପୋର୍ଟ ନମ୍ବର ଆଦି ବିଷୟରେ ମଧ୍ୟ ତୀର୍ଥଯାତ୍ରୀମାନେ ୱେବସାଇଟ ଓ ପୋର୍ଟାଲରୁ ତଥ୍ୟ ପାଇପାରିବେ।