Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ହରିକୁଣ୍ଡବରଡ଼ୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଯୁବକ ମୃତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡବରଡ଼ୀ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯେଉଁଥିରେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୧.୩୦ ଘଟିକାରେ ଚିଲିକା ବ୍ଲକ ହରିକୁଣ୍ଡ ବରଡ଼ୀ ଗ୍ରାମର ପ୍ରମୋଦ ପଲାଇଙ୍କ ପୁତ୍ର ତୋଫାନ ପଲାଇ(୨୨) କୁମାର ପୁନେଇଁ ଉପଲକ୍ଷେ ଭାର ନେଇ ନିଜ ଭଉଣୀ ଘରକୁ ଯିବାକୁ ବାଇକରେ ବାହାରିଥିଲେ। ହେଲେ ହରିକୁଣ୍ଡବରଡ଼ୀ ଢ଼ାବା ନିକଟରେ ନିଜ ବାଇକକୁ ରଖି ପରିସ୍ରା କରିବାକୁ ଉଦ୍ୟତ ହେଉଥିବା ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ କଣ୍ଟେନର (କେଏ-୦୩-ଏଏଫ-୦୩୧୪) ତୋଫାନଙ୍କୁ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ଚଢି ଦ୍ରୁତଗତିରେ ପଳାଇଥିଲା ଫଳରେ ଘଟଣାସ୍ଥଳରେ ତୋଫାନଙ୍କ ମୃତ୍ୟୁ ହୋଇଥିଲା।

ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପାଖାପାଖି ଅଧେ ଘଣ୍ଟା ସେମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ।   ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ,ବାଲୁଗାଁ ଥାନା ଅଧିକାରୀ, ବାଣପୁର ଥାନା ଅଧିକାରୀ ଆଦି ଘଟଣାସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ନାଭାଲ ଛକ ନିକଟରୁ ଜବତ କରିବା  ପରେ ଉତ୍ୟକ୍ତ ଗ୍ରାମବାସୀ ମାନେ ରାସ୍ତାରୁ ଧାରଣରୁ ଉଠିଥିଲେ। ଗିରଫ ଡ୍ରାଇଭର ଜଣକ ହେଲେ ଉତ୍ତରପ୍ରଦେଶ ସୁଲତାନପୁରର ହକିମ(୩୦)।

ଆଜି  ବାଣପୁର ପୋଲିସ ତୋଫାନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି। ବାଣପୁର ପୋଲିସ ଏ ସଂକ୍ରାନ୍ତ ରେ କେସ ନମ୍ବର ୩୩୨/୨୦ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।