Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଠିକାଦାର ରମେଶ ରାଉତଙ୍କ ହତ୍ୟାକାଣ୍ଡ ଘଟଣା: ପାଞ୍ଚ ଦିନ ମଧ୍ୟରେ ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବହୁଚର୍ଚ୍ଚିତ ଠିକାଦାର ରମେଶ ରାଉତଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ହୋଇଛି। ମାତ୍ର ପାଞ୍ଚ ଦିନ ମଧ୍ୟରେ ଟାଙ୍ଗୀ ଥାନା ପୋଲିସ ଏହାର ପର୍ଦ୍ଦାଫାଶ କରିଛି। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଆଜି ଅପରାହ୍ନରେ ଟାଙ୍ଗୀ ଥାନାରେ ପ୍ରେସ୍ ମିଟ୍ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି।

ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳର ମନୋଜ କୁମାର ପରିଡାଙ୍କ ସମେତ ୪ ଜଣଙ୍କୁ ଟାଙ୍ଗୀ ଥାନା ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଖାଲି କ୍ୟାଟ୍ରିଜ୍ , ଗୋଟିଏ ଜୀବନ୍ତ ଗୁଳି ଏବଂ ୩ ଗୋଟି ବାଇକ୍ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତ ୧୮ ତାରିଖ ରାତିରେ ଟାଙ୍ଗୀ ଥାନା ମୁଣ୍ଡାଳ ନିକଟରେ ଠିକାଦାର ରମେଶକୁ ଗୁଳି ମାଡ ହୋଇଥିଲା ଏବଂ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ରାଧାମୋହନ ପୁର ଗ୍ରାମରେ ଠିକାଦାର ରମେଶଙ୍କ ଘର। ଗତ ଜୁନ୍ ୧୪ ତାରିଖରେ ମୟୁରଭଞ୍ଜରେ ହୋଇଥିବା ଏକ ଡକାୟତି ଘଟଣାର ପର୍ଦ୍ଦାଫାଶ୍ ହୋଇଯିବା ଭୟରେ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି।

ମୁଖ୍ୟ ଅଭିଯୁକ୍ତ ମନୋଜ ପରିଡାଙ୍କ ନାମରେ ୧୫ ରୁ ଅଧିକ ଜଘନ୍ୟ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରହିଛି। ଅନ୍ୟ ୩ ଅଭିଯୁକ୍ତମାନେ ହେଲେ ଗଂଜାମ ଜିଲା କବିସୂର୍ଯ୍ୟ ନଗରର ସନ୍ତୋଷ କୁମାର ପ୍ରଧାନ ଏବଂ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ମୁଣ୍ଡାଳ ଗ୍ରାମର ଦିଲିପ କୁମାର ସୁରଜିତ୍ ଓରଫ ଟୁଟୁ ବାରିକ ଓ ବୁନା ଓରଫ ଗଂଗାଧର ସୁବୁଦ୍ଧି ବୋଲି ଏସପି ସୂଚନା ଦେଇଛନ୍ତି।

ଉକ୍ତ ପ୍ରେସ ମିଟରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଟାଙ୍ଗୀ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ।