Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩/୨୪ ଅନୁଷ୍ଠିତ, ୫ ଦିନ ବ୍ୟାପୀ ଚାଲିବ ମେଳା

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ହେବାଳୀ ପଡିଆ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ୬୦ ଟି ଷ୍ଟଲରେ ବିଭିନ୍ନ କମ୍ପାନୀର କୃଷି ଯନ୍ତ୍ରପାତି ପ୍ରଦର୍ଶନ ହେବା ସହିତ କୃଷି ଓ ଆନୁଷଙ୍ଗିକ ବିଭାଗୀୟ ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହି ମେଳାରେ ଉଦଘାଟନ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ତଥା ମତ୍ସ୍ୟ ଓ ପ୍ରାଣୀଧନ ସମ୍ବଳ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦାନ କରି ସଭା ମଣ୍ଡିତ କରିଥିଲେ।

ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡା ମେଳାର ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। କୃଷି ମନ୍ତ୍ରୀ କୃଷି ଯାନ୍ତ୍ରିକ ମେଳା ସବୁ ଜିଲ୍ଲାରେ ହେବା ଦ୍ଵାରା କିଭଳି କୃଷି କ୍ଷେତ୍ରରେ ଉତ୍ପାଦନ ବଢିପାରିଛି ଏବଂ ଓଡିଶା ଧାନ ଉତ୍ପାଦନରେ ସ୍ବାବଲମ୍ବୀ ହେବା ସହ ଧାନ ରପ୍ତାନୀ ପାଇଁ ଯୋଗ୍ୟ ହୋଇପାରିଛି ତାହାର ବିବରଣୀ ପ୍ରଦାନ କରିଥିଲେ।

ଏହି ମେଳା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଆୟୋଜନ କରାଯାଇଛି। ମେଳାରେ ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାର ୨ ଟି ଲେଖାଏଁ ବ୍ଲକର ୫୦ ଜଣ ଚାଷୀମାନଙ୍କ ପାଇଁ କୃଷି ପାଠଶାଳାରେ ଚାଷୀମାନେ ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ସହ ଯନ୍ତ୍ରପାତି ବିଷୟରେ ବିସ୍ତୃତ ଭାବେ ଜ୍ଞାନ ଆହାରଣ କରିଛନ୍ତି।

ସନ୍ଧ୍ୟାରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ଏହାର ମୁଖ୍ୟ ଆକର୍ଷଣ ସାଜିପାରିଛି। ଏହି ମେଳାରେ ବହୁଳ  ଭାବରେ ଯୋଗଦାନ କରି ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଜ୍ଞାନ ଆହରଣ ପାଇଁ ଜିଲ୍ଲାର ଚାଷୀଭାଇମାନଙ୍କୁ ଅନୁରୋଧ କରାଯାଉଛି।