Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବାହାନଗା ଟ୍ରେନ ଦୁର୍ଘଟଣା ଥିଲା ୧୯୯୯ ମହାବାତ୍ୟା ପରି ଆଉ ଏକ ବଡ ବିପର୍ଯ୍ୟୟ

ଭୁବନେଶ୍ବର: ବାଲେଶ୍ବରରେ ବାହାନଗାଠାରେ ଯେପରି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିବା ପରେ ଉଦ୍ଧାର କାର୍ଯ୍ୟ ଥିଲା ସବୁଠାରୁ ଚ୍ୟାଲେଞ୍ଜିଂ କାମ। ଯାହାକୁ ଓଡିଶା ସରକାର ବରିଷ୍ଠ ଅଧିକାରୀମାନେ ରାତିଦିନ ପରିଶ୍ରମ କରି ମୁକାବିଲା କରିବାରେ ସକ୍ଷମ ହୋଇପାରିଛନ୍ତି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କରିବା ଦକ୍ଷତା ଏହି କ୍ଷେତ୍ରରେ ବେଶ ସାହାର୍ଯ୍ୟ କରିପାରିଥିଲା। ଫଳରେ ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

ଏହି ଦୁର୍ଘଟଣା ୧୯୯୯ ମସିହାର ମହାବାତ୍ୟା ପରେ ଆଉ ଏକ ବଡ ବିପର୍ଯ୍ୟୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ରାତିର ଅନ୍ଧକାର ଭିତରେ ଲୁହା ଯନ୍ତ୍ରାଂଶ କାଟି ଯାତ୍ରୀଙ୍କୁ ବାହାର କରିବା କିଛି ଛୋଟ କଥା ନୁହେଁ। ହେଲେ ରାଜ୍ୟ ସରକାରଙ୍କ ଦକ୍ଷ ଅଫିସରଙ୍କ ଦକ୍ଷତା ବଳରେ ପ୍ରାୟ ୧୨୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି।

ଏହି ଦୁର୍ଘଟଣାରେ ନିୟୋଜିତ ଥିବା ରାଜ୍ୟର ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ ନିଜର ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣା ଘଟିବା ପରେ ପରେ ବାହାନଗା ଠାରେ ପହଁଚି ସେଠାରେ ବିଭିନ୍ନ କାର୍ଯ୍ୟକୁ ତଦାରଖ ଓ ତ୍ୱରାନ୍ୱତି କରାଯାଇଥିଲା। ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ତାହା ଆମପାଇଁ ସବୁଠାରୁ ଦୁଃଖଦ ବିଷୟ।

କିନ୍ତୁ ଏଥି ସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣ, ଅଗ୍ମିଶମ ବାହିନୀ, ଓଡ୍ରାଫ୍ ଟିମ୍, ଆରପିଏଫ୍ ଏବଂ ଏନଡିଆରଏଫର ତ୍ୱରିତ ଓ ସମ୍ମିଳିତ ଉଦ୍ୟମରେ ଯେପରି ଭାବେ ପାଖାପାଖି ୧୨୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଜୀବନ ରକ୍ଷା ସମ୍ଭବ ହୋଇପାରିଲା ବୋଲି ଶ୍ରୀ ସାହୁ କହିଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନ ପ୍ରଥମେ ଅନ୍ଧାର ରହିଥିବା ସତ୍ୱେ ସ୍ଥାନୀୟ ଜନସାଧାରଣ ଯେପରି ସ୍ୱତଃସ୍ଫୂର୍ତ୍ତ ଭାବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ,ଏଥିପାଇଁ ସେମାନଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ।

ସେହିପରି ଦୁର୍ଘଟଣା ସ୍ଥଳରେ ପହଁଚି  ଉଦ୍ଧାର କାର୍ଯ୍ୟରେ ବିଭିନ୍ନ  କାର୍ଯ୍ୟକୁ  ତ୍ୱରାନ୍ୱିତ କରିଥିବା ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା କହିଥିଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଏଭଳି ସମୟରେ ତ୍ୱରିତ ପଦକ୍ଷେପ ନିଆଯିବା ଯୋଗୁଁ ବହୁ ମୁଲ୍ୟବାନ ଜୀବନ ରକ୍ଷା ଯାଇପାରିଥିଲା।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓସଡମାର ଦୀର୍ଘ ୨୦ବର୍ଷର ଅଭିଜ୍ଞତା, ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର ପୂର୍ବରୁ ରହିଥିବା ପ୍ରସ୍ତୁତି ଓ ସରଞ୍ଜାମର ବ୍ୟବହାର ଦ୍ୱାରା ଆମେ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବା ପାଇଁ ସକ୍ଷମ ହୋଇପାରିଲୁ। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ଆମେ ନିକଟସ୍ଥ ସୋର, ଭଦ୍ରକ ଓ ବାଲେଶ୍ୱର ଆଦି ଡାକ୍ତର ଖାନା ଗୁଡିକରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅଧିକ ମେଡିସିନ୍ଆଗୁଆ ପ୍ରସ୍ତୁତି ରଖିବା ଦ୍ୱାରା ଆହତମାନେ ଡାକ୍ତରଖାନରେ ପହଁଚିବା କ୍ଷଣି ଆମେ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଆରମ୍ଭ କରିପାରିଲୁ।

ଆଗାମୀ ଦିନରେ ଆମେ ଆମର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ଆହୁରି ଅଧିକ ସୁଦୃଢ କରିବୁ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଥିଲେ। ପ୍ରକାଶ ଥାଉକି, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଓ ମୃତହେହ ଚିହ୍ନଟକରଣ ଆଦି କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ସହିତ ଆବଶ୍ୟକ ସ୍ଥଳେ କ୍ଷେତ୍ର ପରିଦର୍ଶନ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଂପର୍କୀୟଙ୍କୁ ମୃତଦେହ ଚିହ୍ନିବା ହୋଇପଡିଛି କଷ୍ଟକର, ଆହୁରି ୯୯ଟି ଶବ ପଡିରହିଛି

ଭୁବନେଶ୍ବର: ଗତ ଦୁଇ ତାରିଖରେ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ଉଦ୍ଧାର ପରବର୍ତ୍ତୀ ସହାୟତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପରିପ୍ରକ୍ଷୀରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ସଂଧ୍ୟା ସୁଦ୍ଧା ଏହି ଦୁର୍ଘଟଣାରେ ୧୭୬ ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କର ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ସେଥିମଧ୍ୟରୁ ପୂର୍ବରୁ ବାଲେଶ୍ୱରରେ ୮୫ଟି ମୃତଦେହ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱର ଆସିଥିବା ୧୯୩ ମୃତଦେହଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୯୧ଟି ଏହିପରି ମୋଟ ୧୭୬ ଟିର ଚିହ୍ନଟ କରାଯାଇଥିଲା। ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହକୁ ସେମାନଙ୍କର ସଂପର୍କୀୟମାନେ ଚିହ୍ନଟକରଣ ପାଇଁ ଆସୁଛନ୍ତି, ଏହି ପ୍ରକ୍ରିୟା ଚାଲୁ ରହିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୃତକଙ୍କ ପରିଜନମାନେ ମାନସିକ ଦୁଃଖଦ ସ୍ଥିତି ନେଇ ଓଡିଶାରେ ପହଁଚୁଛନ୍ତି। ଏଠାରେ ଯେପରି ସେମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି  ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୃତଦେହ  ଚିହ୍ନଟକରଣ ପରେ ସେସବୁକୁ ଓଡିଶା ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଁଚାଇବାର ବ୍ୟବସ୍ଥା କରାଯାଇଛି।

ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ପରେ ମୃତ୍ୟୁ ପ୍ରମାଣ ପତ୍ର  ଯଥାଶୀଘ୍ର ସେମାନଙ୍କ ପରିବାରଙ୍କୁ ପ୍ରଦାନ ପାଇଁ ରାଜ୍ୟ ସରକାରବ୍ୟବସ୍ଥା ଗ୍ରହଣ କରିବେ। ଅନ୍ ଲାଇନ୍ ଏବଂ ଆବଶ୍ୟକସ୍ଥଳେ ସ୍ପିଡପୋଷ୍ଟ ଜରିଆରେ ସେମାନଙ୍କ ପରିଜନମାନଙ୍କୁ ମୃତ୍ୟୁ ପ୍ରମାଣପତ୍ର ପଠାଇଦିଆଯିବ।

ମୃତଦେହସବୁର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍ପ ଟେଲିଫୋନ୍ ନଂ- ୧୮୦୦୩୪୫୦୦୬୧ ଓ ନଂ-୧୯୨୯  ଜାରି କରାଯାଇଥିଲା ଓ ଏହା କାର୍ଯ୍ୟକାରୀ ରହିଛି। ଏହି ନମ୍ବରକୁ ଦେଶର ଯେ କୌଣସି ସ୍ଥାନରୁ ଲୋକମାନେ ବ୍ୟବହାର କରି ଆହତ ବା ମୃତକଙ୍କ ସଂପର୍କରେ ଅନୁସନ୍ଧାନ କରିପାରିବେ।

ସେହିପରି ମୃତକଙ୍କ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନୋଟି ଓ୍ୱେବ୍ ସାଇଟ୍ www.osdma.org, www.srcodisha.nic.in ଏବଂ www.bmc.gov.in ଜାରିଲ କରାଯାଇଛି। ଏହି ସବୁ ଟୋଲ୍ ଫ୍ରି ନମ୍ବର ଏବଂ ଓ୍ୱେବ୍ ସାଇଟ୍ ର ବହୁଳ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ଓ  ଚିହ୍ନଟ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଏହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

ବିଭିନ୍ନ ସ୍ଥାନରୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଆସୁଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ସହାୟତା କରିବା ପାଇଁ ରେଳଷ୍ଟେସନ , ବସ୍ ଷ୍ଟାଣ୍ଡ ଏବଂ ବିମାନ ବନ୍ଦରରେ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସଜାଗ ରହିଛନ୍ତି। ସଂପର୍କୀୟମାନେ ପହଁଚିବା ପରେ ସେମାନଙ୍କୁ  ମୃତଦେହ ରହିଥିବା ବିଭିନ୍ନ ଡାକ୍ତରଖାନାକୁ ନେଇ ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି।

ସବୁଠୁ ଅଧିକମୃତଦେହ ରହିଥିବା ଏମ୍ସ ହସ୍ପିଟାଲ ଠାରେ ବ୍ୟବସ୍ଥିତ ଢଙ୍ଗରେ ଏକ ବଡ ଏଲ୍ଇଡି ସ୍କ୍ରିନ୍ ଲଗାଯାଇ ମୃତକଙ୍କ ଫଟୋ ପ୍ରଦର୍ଶନ କରାଯାଉଛି, ସେଥିପାଇଁ ସମସ୍ତଙ୍କୁ ଶବ ସଂରକ୍ଷଣ ଗୃହକୁ ଯିବାକୁ ଆବଶ୍ୟକ ପଡୁନାହିଁ। ସେଠାରେ ଅଭିଜ୍ଞ ଅଧିକାରୀ ଓ ପୋଲିସ୍ ଷ୍ଠାଫ୍ ମାନେ ଉପସ୍ଥିତ ରହି ମୃତଦେହ ଚିହ୍ନଟକରଣ ଓ ହସ୍ତାନ୍ତର  ବ୍ୟବସ୍ଥାକୁ ସୁଗମ କରୁଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି।  ଚିକିତ୍ସିତ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ହେଉ କିମ୍ବା ମୃତଦେହ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ହେଉ, ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟକରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସାପାଇଁ ରକ୍ତର ଆବଶ୍ୟକତା ପୂରଣ ନିମନ୍ତେ ବାଲେଶ୍ୱର , ଭଦ୍ରକ, ସ୍ଥାନୀୟ ଏବଂ ଓଡିଶାର ଜନସାଧାରଣ ଯେପରି ଆଗେଇ ଆସିଛନ୍ତି, ଆମର ବିଶ୍ୱାସ ଓଡିଶାରେ ଚିକିତ୍ସା ପାଇଁ  କେବେ ରକ୍ତର ଅଭାବ ରହିବ ନାହିଁ।

ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତୁତି ଓ ରାଜ୍ୟର ଜନସାଧାରଣଙ୍କ ସହଯୋଗ ଆମକୁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସର୍ବଦା ସଫଳତା ଦେଇଆସିଛି।  ଆଗାମୀ ଦିନରେ ଆମର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି, ଦକ୍ଷତାର ବିକାଶ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ଅଧିକ ସୁଦୃଢ କରିବାକୁ ଆମର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ, ଅନୁଧ୍ୟାନ କଲେ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର: ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଡୁବୁରୀ-ପାରାଦ୍ୱୀପ ଏକ୍ସପ୍ରେସ ହାଇୱେ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖିଛନ୍ତି।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର୍‌ ସିଂ ପୁନିଆ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସନ୍ଦୀପ ସଂପତ୍‌ ମାଡ୍‌କର, ଇଡ୍‌କୋର ଜି.ଏମ୍‌. ଶ୍ରୀ କଲ୍ୟାଣ କୁମାର ମହାନ୍ତିଙ୍କ ଗହଣରେ ଆସି ସେ ପ୍ରଥମେ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ, ଚଣ୍ଡିଖୋଲ-ପାରାଦ୍ୱୀପ ଟୋଲଗେଟ୍‌ ସନ୍ନିକଟ ଶ୍ରୀରାମପୁର ମୌଜାର କେତେକ ଅବ୍ୟବହୃତ ଜମି ପରିଦର୍ଶନ କରିଥିଲେ।

ଜମି ନିକଟରେ ଏକ୍ସପ୍ରେସ ହାଇୱେ ଏବଂ ରେଳ ଲାଇନ ତଥା ବିଦୁ୍ୟତ ଲାଇନ ଥିବାହେତୁ ଏ ସ୍ଥାନ ଶିଳ୍ପ ଅନୁକୂଳ ଥିବା ସେ ପ୍ରକାଶ କରିଥିଲେ। ଏସବୁ ସ୍ଥାନ ଚାଷ ଉପଯୋଗୀ ନୁହେଁ ଏବଂ ଘରୋଇ ମାଲିକାନାରେ ଥିବା ସତ୍ତେ୍ୱ ଏଠାରେ କୃଷି କାର୍ଯ୍ୟ କରାଯାଉ ନଥିବା ଦେଖାଯାଇଥିଲା। ପରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲର କେତେକ ସ୍ଥାନ ବୁଲି ଦେଖିଥିଲେ।

ସେଠାରୁ କେନ୍ଦ୍ରାପଡ଼ା ଯାଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବୈଠକ କରି ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ମହାକାଳପଡ଼ା ତହସିଲର ଅମେଇପାଳ ମୌଜା, କଳଗଡ଼ା ମୌଜା, ଯଦୁପୁର ମୌଜା, ଅଂଗୁଳାଇ ମୌଜା, ବେରୁହାଁ ମୌଜା, ଡେରାବିଶ ତହସିଲର ଫକୀରାବାଦ ମୌଜା, ତିଲକପୁର ମୌଜା, ନୂଆହାଟ ମୌଜାଗୁଡ଼ିକରେ ଉପଲବ୍ଧ ଜମି ନକ୍ସା ସବୁର ଅନୁଧ୍ୟାନ କରାଯାଇଥିଲା।

ଗୋଟିଏ ପଟେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ଅନ୍ୟ ପଟେ ପାରାଦ୍ୱୀପ ଶିଳ୍ପାଞ୍ଚଳ ବହୁଳଭାବେ ଗଢ଼ି ଉଠିଥିଲେ ହେଁ ମଧ୍ୟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଶିଳ୍ପ ପ୍ରତିଷ୍ଠାନ ହୋଇପାରୁ ନାହିଁ । ତେଣୁ ଏସବୁ ଚିହ୍ନଟ ଜମିକୁ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ ସକାଶେ କିପରି ପ୍ରସ୍ତୁତ କରାଯାଇପାରିବ ସେନେଇ ବିଭିନ୍ନ ଆନୁଷଙ୍ଗିକ ଦିଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି, ଏକ୍ସପ୍ରେସ ହାଇେୱକୁ ଲାଗି ରହିଥିବା ସରକାରୀ ଜମିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ତା’ର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ।

ସେଠାରେ ନୂତନ ଶିଳ୍ପାନୁଷ୍ଠାନ ଗଢ଼ିଉଠିଲେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ସେ ମତ ରଖିଥିଲେ। ଯେଉଁ ବେସରକାରୀ ଜମି ଏହି ଉଦ୍ଦେଶ୍ୟରେ କ୍ରୟ କରାଯିବ ସେଥିରେ ଜମିର ଉପଯୁକ୍ତ ମୂଲ୍ୟ ସିଧାସଳଖ ପଟ୍ଟାଦାରଙ୍କ ଖାତାରେ ଜମା ହେବ,ଏଥିରେ କୌଣସି ତୃତୀୟ ପକ୍ଷର ସଂପୃକ୍ତି ରହିବ ନାହିଁ ବୋଲି ସେ ସୂଚିତ କରିଥିଲେ। ତେବେ ସମସ୍ତ ତଥ୍ୟ ଅବଗତ ହେବା ପରେ ଶ୍ରୀ ଶର୍ମା କଳଗଡ଼ାଠାରେ ଥିବା ଜମି ଚକଡ଼କୁ ପ୍ରଥମ, କଳଗଡ଼ାର ଦ୍ୱିତୀୟ ଚକଡ଼ାକୁ ଦ୍ୱିତୀୟ ଓ ମଣିକୁନ୍ଦା ଜମି ଚକଡ଼ାକୁ ତୃତୀୟ ଭାବେ ପ୍ରାଥମିକତା ସୂତ୍ରରେ ବାଛିବାକୁ କହିଥିଲେ।

ଏସବୁ ଜମିର କିସମ, ଜମି ମାଲିକଙ୍କ ଜାତି, ଜମି ବିକି୍ର ପାଇଁ ତାଙ୍କ ମନୋଭାବ ଇତ୍ୟାଦି ଉପରେ ଅଧିକ ଅନୁଧ୍ୟାନ କରିବାକୁ ସେ ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକେ ଜମି ବିକି୍ର ପାଇଁ ଇଚ୍ଛୁକ ହେଲେ ସରକାରୀ ମୂଲ୍ୟାୟନର ଯଥେଷ୍ଟ ଅଧିକ ମୂଲ୍ୟରେ କ୍ରୟ କରାଯିବ ବୋଲି ସେ କହିଥିଲେ।

ସେଠାରୁ ପାରାଦ୍ୱୀପ ଯାଇ ପାରାଦ୍ୱୀପ ପ୍ଲାଷ୍ଟିକ ପାର୍କଠାରେ ସିପେଟ୍‌ ଦ୍ୱାରା ପରିଚାଳିତ ତାଲିମ କାର୍ଯ୍ୟକ୍ରମର ସଂଚାଳନ ସହ ସେଠାରେ ପ୍ଲାଷ୍ଟିକର ବିଭିନ୍ନ ବ୍ୟବହାରଯୋଗ୍ୟ ଉପକରଣର ନିର୍ମାଣ କୌଶଳ ବୁଲି ଦେଖିଥିଲେ। ସଂପ୍ରତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ମହାନଦୀ କୋଲଡ୍‌ ଫିଲଡ୍‌ ଲିମିଟେଡ୍‌ ଏବଂ ଓଡ଼ିଶା ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ନିଗମ ଦ୍ୱାରା ପ୍ରାୟୋଜିତ ଯୁବକଯୁବତୀଙ୍କୁ ତାଲିମ ଦିଆଯାଉଥିବା ଅନୁଧ୍ୟାନ କରିଥିଲେ।

ପରେ ସେଠାରେ ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପଟ୍ଟୱାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଇଡ୍‌କୋର ଜମି ଅଧିଗ୍ରହଣ ଅଧିକାରୀମାନଙ୍କ ଉପସ୍ଥିତିରେ ଇଡ୍‌କୋ ଦ୍ୱାରା ଶିଳ୍ପପୁଞ୍ଜ ପ୍ରତିଷ୍ଠା ଓ ବିକାଶ ନିମନ୍ତେ କରାଯାଉଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପର୍କରେ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ସେଠାରେ ଓଡ଼ିଶା ଶକ୍ତି ସଂଚରଣ ନିଗମ ଓ ଟିପିଓସିଡିଏଲ୍‌ ଦ୍ୱାରା କରାଯାଉଥିବା ବିଦୁ୍ୟତ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରାଯାଇ ଆଗାମୀ ୨୦/୩୦ ବର୍ଷକୁ ଆଖିରେ ରଖି ବିଦୁ୍ୟତର ଆବଶ୍ୟକତାକୁ ଆକଳନ କରି ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ, ଡେପୁଟେସନରୁ ଫେରିଲେ ଉଷା ପାଢୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଉଷା ପାଢୀଙ୍କୁ ମିଳିଛି ନୂଆ ଦାୟିତ୍ବ। ସେହିପରି ଅନ୍ୟ ଦୁଇ ବରିଷ୍ଠ ଆଇଏଏସ ବିଷ୍ଣୁ ସେଠୀ ଏବଂ ହେମନ୍ତ ଶର୍ମାଙ୍କ ଦାୟିତ୍ବକୁ ହାଲକା କରାଯାଇଛି।

ବର୍ତ୍ତମାନ ବରିଷ୍ଠ ଆଇଏଏ, ଉଷା ପାଢୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ।

ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କ ବିଭାଗକୁ ହାଲକା କରାଯାଇଛି। ସେ ବର୍ତ୍ତମାନ କେବଳ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ। ଏଥିସହିତ ପୂର୍ବ ପରି ସେ ଇପିକଲ ଏବଂ ଇଡକୋର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ରହିବେ। ସେହିପରି ବରିଷ୍ଠ ଆଇଏଏ, ବିଷ୍ଣୁପଦ ସେଠୀ କେବଳ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ରହିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ୫-‘ଟି’ ସଚିବ ଭି. କେ. ପାଣ୍ଡିଆନ

ଭୁବନେଶ୍ୱର : ଓଡିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ କୌଶଳ ତାଲିମ ପ୍ରଦାନ କରି ରାଜ୍ୟକୁ ଆଗେଇ ନେବାକୁ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-‘ଟି’ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ କହିଛନ୍ତି। ଆଜି ଶ୍ରୀ ପାଣ୍ଡିଆନ ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଏକ ବର୍ଷିଆ ଅତ୍ୟାଧୁନିକ କୌଶଳ ତାଲିମ ଦିଆଯାଉଛି। ଆଗାମୀ ଦିନରେ ଏହା ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଉଭା ହେବ ବୋଲି ସେ କହିଛନ୍ତି। ଏଠାରୁ ପ୍ରଶିକ୍ଷଣ ନେଉଥିବା ପ୍ରଶିକ୍ଷାର୍ଥୀମାନେ ବିଶ୍ୱସ୍ତରର ପ୍ରମୁଖ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ। ଆଗାମୀ ଦିନରେ ରାଜ୍ୟର ସରକାରୀ ଆଇଟିଆଇରେ ମଧ୍ୟ ଏହି ଭଳି ଉନ୍ନତ ମାନର ଭିତ୍ତିଭୂମି ତିଆରି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପ୍ରଶିକ୍ଷାର୍ଥୀଙ୍କ ଆତ୍ମବିଶ୍ୱାସ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କର ଆକାଂକ୍ଷା ସ୍ତର ଅଧିକ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ୱାର୍ଲ୍ଡ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ଆଇଟିଇଇଏସ୍‌, ସିଙ୍ଗାପୁର ଶୈଳୀରେ ପରିଚାଳିତ ହେଉଛି। ତେଣୁ ଶ୍ରୀ ପାଣ୍ଡିଆନ ଏଠାରେ ମୁତୟନ ହୋଇଥିବା ଆଇଟିଇଇଏସ୍‌, ସିଙ୍ଗାପୁରର ଅଧିକାରୀମାନଙ୍କ ସହ ସେମାନଙ୍କର ଅଭିଜ୍ଞତା ବିଷୟରେ ପଚାରି ବୁଝିଥିଲେ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ ୱାର୍ଲ୍ଡ ସ୍କିଲ ସେଣ୍ଟରରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତି ନିମନ୍ତେ ବିଭିନ୍ନ ଏଜେନ୍ସି ଓ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି।

୫-‘ଟି’ ସଚିବ ଶ୍ରୀ ପାଣ୍ଡିଆନ ବିୟୁଟି ୱେଲ୍‌ନେସ୍‌ ସ୍ପା, ଫେସିଆଲ ଓ ବଡି ଥେରାପି ଷ୍ଟୁଡିଓ, ହେୟାର ଫେସନ ଡିଜାଇନ, କଟିଙ୍ଗ ଓ ଷ୍ଟାଇଲିଙ୍ଗ ଷ୍ଟୁଡିଓ, ମେକାଟ୍ରନିକ୍ସ, ନିଉମାଟିକ, ଅଟୋମେସନ ଓ ବେସିକ ରୋବୋଟିକ୍ସ, ମେକାନିକାଲ ଓ ଇଲେକ୍‌ଟି୍ରକାଲ ସର୍ଭିସେସ, ଫାୟାର ଡିଟେକ୍ସନ ଓ ପ୍ରୋଟେକ୍ସନ, ପାଇପିଂ ଓ ପ୍ଲମ୍ବିଂ, ଏୟାରକଣ୍ଡିସନିଙ୍ଗ ଓ ରେଫ୍ରିଜେରେସନ ଲ୍ୟାବ ପରିଦର୍ଶନ କରି ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ।

୨୦୨୩ ସୁଦ୍ଧା ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଏବଂ ୨୦୨୪ ମସିହା ଭିତରେ ପ୍ରେସିସନ ଇଞ୍ଜିନିୟରିଂ ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଏଠାରେ ଡିଜିଟାଲ ସ୍କିଲିଂ ହବ୍‌ ପ୍ରତିଷ୍ଠା ହେବ ଏବଂ ଏହା ସ୍କିଲ ପ୍ରତିଯୋଗିତାର ହବ୍‌ ରୂପେ କାର୍ଯ୍ୟ କରିବ। ଅନ୍ୟମାନଙ୍କ ମଧ୍ୟରେ ୱାର୍ଲ୍ଡ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି ଓ ୱାର୍ଲ୍ଡ ସ୍କିଲ ସେଣ୍ଟରର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ଦ୍ୱିତୀୟ ସ୍କିଲ ମ୍ୟìଜିୟମ୍‌କୁ ଉଦ୍‌ଘାଟନ କଲେ ରାଜ୍ୟପାଳ, ଜାଣନ୍ତୁ ଏହା କଣ

ଭୁବନେଶ୍ୱର : ବିଶ୍ୱର ପ୍ରମୁଖ ଉଦ୍ୟୋଗୀମାନେ ଓଡ଼ିଶାର ଯୁବଗୋଷ୍ଠୀଙ୍କ ପ୍ରତିଭା ପ୍ରତି ଆକର୍ଷିତ ହୋଇ ସେମାନଙ୍କୁ ନିଯୁକ୍ତିଦେବା ପାଇଁ ଆଗେଇ ଆସିବେ ବୋଲି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ଆଜି ବିଶ୍ୱ ଯୁବ ଦକ୍ଷତା ଦିବସରେ ସରକାରୀ ଆଇଟିଆଇ ଭୁବନେଶ୍ୱରଠାରେ ରାଜ୍ୟର ଦ୍ୱିତୀୟ ସ୍କିଲ ମ୍ୟìଜିୟମ୍‌କୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ପୁନଃନିର୍ମାଣ ଓ ପୁନର୍ଗଠନ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ଦକ୍ଷତା, ଉପଯୁକ୍ତ କାର୍ଯ୍ୟ ଏବଂ ଉଦ୍ୟମିତା ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଚିହ୍ନଟ କରିବା ସହ ସାମ୍ପ୍ରତିକ ତଥା ଭବିଷ୍ୟତରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ ବୋଲି ପ୍ରଫେସର ଲାଲ କହିଛନ୍ତି ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଛାତ୍ରଛାତ୍ରୀଙ୍କୁ ବିଶ୍ୱ ଯୁବ ଦକ୍ଷତା ଦିବସର ଅଭିନନ୍ଦନ ଜଣାଇ ଜଣାଇବା ସହ ଚଳିତ ବର୍ଷ ୱାର୍ଲï ସ୍କିଲ୍ସ ପ୍ରତିଯୋଗିତାରେ ଓଡିଶାରୁ ଭାଗ ନେଉଥିବା ୧୨ ଜଣ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ଅବଗତ କରାଇଥିଲେ। ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସ୍କିଲ୍‌ ମୁ୍ୟଜିୟମ୍‌ରେ ବୈଷୟିକ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ଓ ଜନସାଧାରଣଙ୍କୁ ଶିଳ୍ପ ତାଲିମ ସଂପର୍କିତ ତଥ୍ୟ ପ୍ରଦାନ କରାଯିବ ଏବଂ ଏହା ଦକ୍ଷତା ଶିକ୍ଷା ଓ ବୃତ୍ତି ପ୍ରତି ଆକର୍ଷିତ ହେବା ପାଇଁ ପ୍ରେରଣା ଯୋଗାଇବ।

ଏହି ମ୍ୟìଜିୟମ୍‌ରେ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁରୁ ପୁନଃପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ସ୍ଥାନ ପାଇଛି। ବିଭିନ୍ନ ବୈଦୁତିକ ଉପକରଣର ପୁରାତନ ଇତିହାସକୁ ମଧ୍ୟ ଏହି ମ୍ୟìଜିୟମ୍‌ରେ ସ୍ଥାନିତ କରାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରଥମ ସ୍କିଲ ମ୍ୟìଜିୟମ ସରକାରୀ ଆଇଟିଆଇ କଟକଠାରେ ଅବସ୍ଥାପିତ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ନବୀନ ଆଣିଲେ ୨୧,୦୦୦ କୋଟି ଟଙ୍କାର ପୁଞ୍ଜି, ସଫଳ ହେଲା ଦୁବାଇ ଇନଭେଷ୍ଟରସ ମିଟ୍

   

ସୁଧାଶ୍ରୀ ଦାସ, ଦୁବାଇ

ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ   ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି। ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରତିଶୃତି ଦେଇଛନ୍ତି ଆରବ ଦେଶର ବିଭିନ୍ନ କଂପାନୀ।

ବୁଧବାର ଦୁବାଇର ଓବରାଇ ହୋଟେଲରେ ଉଦଘାଟିତ ହୋଇଥିବା ଓଡିଶା ଇନଭେଷ୍ଟର ମିଟରେ କମ୍ପାନୀଗୁଡିକ ଭିତ୍ତିଭୂମି, ଆତିଥ୍ୟ, ଲଜିଷ୍ଟିକ୍ସ, ରାସାୟନିକ ପଦାର୍ଥ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରଗୁଡିକରେ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ କଂପାନୀଗୁଡିକୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଦୁବାଇର ଏହି ବୈଠକରେ ପ୍ରାୟ ୧୫୦ ରୁ ଅଧିକ ବଡ କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ। ସେମାନଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ ଗତ ଦୁଇ ବର୍ଷ କୋଭିଡ ପରି ମହାମାରି ସତ୍ବେ ଓଡିଶାରେ ୫୦ ବିଲିୟନ ଡଲାର ମୂଲ୍ୟର ପୁଞ୍ଜି ବିନିଯୋଗ ହୋଇପାରିଛି। ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (FDI) ପାଇଁ ରାଜ୍ୟ ଏକ ଆକର୍ଷଣୀୟ ସ୍ଥାନ ଅଟେ।

ଏହି ବୈଠକରେ ଖଣିଜ ପଦାର୍ଥ, ଧାତୁ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ, ଭାରୀ ଶିଳ୍ପ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ବୈଦ୍ୟୁତିକ ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଲଜିଷ୍ଟିକ୍ସ ଏବଂ ଗୋଦାମ ଘର, ରିଅଲ୍ ଇଷ୍ଟେଟ୍ ଏବଂ ଆତିଥ୍ୟ ପ୍ରଭୃତି କ୍ଷେତ୍ରର କଂପାନୀ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ।

ନବୀନଙ୍କ ବ୍ୟତୀତ ଓଡିଶାର ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧୀ ଦଳ, FICCI ଏବଂ ୟୁଏଇରେ ଥିବା ଭାରତୀୟ ଦୂତାବାସ ଅଧିକାରୀ ଏହି ସଭାରେ ଯୋଗ ଦେଇଥିଲେ। ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସୁନଜୟ ସୁଧୀର ମଧ୍ୟ ଏହି ଉତ୍ସବରେ ଆଗ୍ରହ ପ୍ରକାଶ କରିଛନ୍ତି।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା “ଓଡିଶାର ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍” ଉପରେ ଏକ ଉପସ୍ଥାପନା କରି ରାଜ୍ୟରେ ବିପୁଳ ପୁଞ୍ଜି ବିନିଯୋଗର ସୁଯୋଗକୁ ଆଲୋକପାତ କରିଛନ୍ତି। ସେହିପରି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଓଡିଶାରର ଭିତ୍ତିଭୂମି ଉପରେ ନିଜର ମତ ରଖିଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଷ୍ଟେନଲେସ୍‌ ଷ୍ଟିଲ୍‌ ବୃତ୍ତିଧାରୀଙ୍କୁ ତାଲିମ ପାଇଁ ଏସ୍‌ସିଟିଇଭିଟି ଏବଂ ଜେଏସ୍‌ଏଲ ମଧ୍ୟରେ ବୁଝାମଣା ପତ୍ର

ଭୁବନେଶ୍ୱର : ଷ୍ଟେନଲେସ୍‌ ଷ୍ଟିଲ୍‌ ଏବଂ ଏହାର ବିଭିନ୍ନ ପ୍ରୟୋଗ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶାର ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଟିଇଭିଟି) ଆଜି ଜିନ୍ଦଲ ଷ୍ଟେନଲେସ୍‌ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି ।

ଏହି ଏମଓୟୁ ଅଧୀନରେ ଜୁନ୍‌ ୨୦୨୨ ରୁ ଓଡିଶାର ସମସ୍ତ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନରେ ଷ୍ଟେନଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ। ଏସସିଟିଇଭିଟି ଉପାଧ୍ୟକ୍ଷ, ଶ୍ରୀ ରେଘୁ ଜି ଏବଂ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ (ଜେଏସଏଲ) ୟୁନିଟ୍‌ ମୁଖ୍ୟ ଶ୍ରୀ ଦୀପକ ଅଗ୍ରୱାଲଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ ଜିନ୍ଦଲ ଷ୍ଟେନଲେସ୍‌ ସହିତ ଏହି ସହଯୋଗ ବୈଷୟିକ ଶିକ୍ଷା କ୍ଷେତ୍ର ପାଇଁ ଏକ ମାନଦଣ୍ଡ ହେବ ଏବଂ ଏହା ପଲିଟେକ୍‌ନିକ୍‌ରେ ଶିଳ୍ପ ଅଭିମୁଖୀକରଣକୁ ବ୍ୟାପକ କରିବାରେ ସହାୟକ ହେବ। ରାଜ୍ୟ ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ସର୍ବଦା ପ୍ରାଥମିକତା ଦେଉଛନ୍ତି ଏବଂ ଭିତ୍ତିଭୂମି ତଥା ବୈଷୟିକ ତାଲିମ ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ପୁଞ୍ଜି ବିନିଯୋଗ କରୁଛନ୍ତି।

ଡିପ୍ଲୋମା ପ୍ରଶିକ୍ଷାର୍ଥୀମାନେ ସ୍କିଲ ମାଧ୍ୟମରେ ଶ୍ରମିକ ଏବଂ ଇଞ୍ଜିନିୟରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିବାରୁ ସେମାନେ ଯେକୌଣସି ଶିଳ୍ପ ସଂସ୍ଥାର ମେରୁଦଣ୍ଡ ବୋଲି ସେ ପ୍ରକାଶ କରିଛନ୍ତି। ଷ୍ଟେନଲେସ ଷ୍ଟିଲ ଶିଳ୍ପ ବିଷୟରେ ଆଲୋକପାତ କରି ଜିନ୍ଦଲ ଷ୍ଟେନଲେସର ନିର୍ଦ୍ଦେଶକ ଶ୍ରୀ ବିଜୟ ଶର୍ମା କହିଛନ୍ତି ଯେ ଘରୋଇ ଷ୍ଟେନଲେସ ଷ୍ଟିଲ ଶିଳ୍ପ ପାଇଁ ଏକ ଆତ୍ମନିର୍ଭରଶୀଳ ଇକୋସିଷ୍ଟମ ବିକାଶ ପାଇଁ ଆମେ ପ୍ରତିବଦ୍ଧ।

ଏହି ଏମଓୟୁ ଆମ ଦେଶର ଭବିଷ୍ୟତର କର୍ମଜୀବୀଙ୍କୁ ଷ୍ଟେନଲେସ ଷ୍ଟିଲ ଏବଂ ଏହାର ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ଶିଖିବା ନିମନ୍ତେ ସୁଯୋଗ ପ୍ରଦାନ କରିବ। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଉତ୍ପାଦନ ବିପ୍ଳବ ଆଣିବାର ପ୍ରତିବଦ୍ଧତା ନିଶ୍ଚିତ ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଏମଓୟୁ ଅଧୀନରେ ଦୁଇଟି ମଡ୍ୟìଲ୍‌ ରହିବ – ବାଧ୍ୟତାମୂଳକ ଏବଂ ଚୟନମୂଳକ। ପ୍ରତ୍ୟେକ ବ୍ୟାଚ୍‌ ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍‌ ୨୦୨୨ରୁ ଷ୍ଟେନଲେସ୍‌ ଷ୍ଟିଲ୍‌ ଉପରେ ଏକ ଅତିରିକ୍ତ ବାଧ୍ୟତାମୂଳକ ମଡ୍ୟìଲ୍‌ ଆରମ୍ଭ ହେବ। ଏଥିରେ କେବଳ ଷ୍ଟେନଲେସ୍‌ ଷ୍ଟିଲ୍‌ ଉପରେ ୧୦ ଟି ପାଠ୍ୟଦାନ ଅଧିବେଶନ ଅନ୍ତର୍ଭୂକ୍ତ ହେବ। ଜିନ୍ଦଲ ଷ୍ଟେନଲେସ୍‌ ମଧ୍ୟ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଶିଳ୍ପ ପରିଦର୍ଶନର ବ୍ୟବସ୍ଥା କରିବେ। ଏହା ସହିତ, କମ୍ପାନୀ ଏହି ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବ।

ସରକାରୀ ପଲିଟେକ୍‌ନିକ ଯାଜପୁର ଏବଂ କେନ୍ଦ୍ରାପଡା ଓ ବୋଷ୍‌ କଟକର ଷଷ୍ଠ ସେମିଷ୍ଟାର ମେଟାଲର୍ଜି ଏବଂ ମେକାନିକାଲ ଇଞ୍ଜିନିୟରିଂ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଚୟନମୂଳକ ମଡ୍ୟìଲରେ ୪୦ଟି ଅଧିବେଶନ ସହିତ ୩ଟି କ୍ରେଡିଟ ପାଠ୍ୟକ୍ରମ ରହିବ। ପ୍ରଶିକ୍ଷାର୍ଥୀମାନେ ସେମାନଙ୍କର ପଞ୍ଚମ ସେମିଷ୍ଟାର ପରେ ଚୟନମୂଳକ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ପାରିବେ। ମନୋନୀତ ପ୍ରଶିକ୍ଷାର୍ଥୀମାନେ ଜିନ୍ଦଲ ଷ୍ଟେନଲେସ ଯାଜପୁର ପ୍ଲାଣ୍ଟରେ ୨୦ ଘଣ୍ଟା ଅବଧିର ଶିଳ୍ପ ତାଲିମ ନେବେ, ଯେଉଁଠାରେ ସେମାନେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିବେ।
ପାଠ୍ୟକ୍ରମର ସଫଳ ସମାପ୍ତି ପରେ ସମସ୍ତ ପ୍ରଶିକ୍ଷାର୍ଥୀମାନେ ଜିନ୍ଦଲ ଷ୍ଟେନଲେସ୍‌ ଏବଂ ସେମାନଙ୍କ ସଂପୃକ୍ତ ଅନୁଷ୍ଠାନରୁ ମିଳିତ ଭାବେ ପ୍ରମାଣପତ୍ର ପାଇବେ। ପ୍ରଶିକ୍ଷାର୍ଥୀମାନଙ୍କର କାର୍ଯ୍ୟଦକ୍ଷତା ଉପରେ ଆଧାର କରି କମ୍ପାନୀ ସେମାନଙ୍କୁ ପ୍ରି-ପ୍ଲେସ୍‌ମେଣ୍ଟ ଅଫର ପ୍ରଦାନ କରିବ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏସ୍‌ଡିଟିଇ ଅତିରିକ୍ତ ସଚିବ ଶ୍ରୀ ତପନ ଶତପଥୀ, ଜେସିଏଲ୍‌ ରେସିଡେଣ୍ଟ ଡାଇରେକଫର ଶ୍ରୀ ଏସ୍‌. ଏସ୍‌. ଉପାଧ୍ୟାୟ ଏବଂ ଜେସିଏଲ୍‌ ବିକ୍ରୟ ଏବଂ ବଣ୍ଟନ ମହାପ୍ରବନ୍ଧକ ଶ୍ରୀ ରନିତ ରାଣା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଇଡିକୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା

ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଇଡିକୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ସେ ଇଡିକୋ ଅଫିସ ଯାଇ ଏହି ଦାୟିତ୍ବ ଗ୍ରହଣ କରିଥିଲେ। ହେମନ୍ତଙ୍କୁ ନିକଟରେ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ବର୍ତ୍ତମାନ ସେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ବରେ ମଧ୍ୟ ଅଛନ୍ତି। ସେହିପରି ସେ ଇପିକଲର ମଧ୍ୟ ଅଧ୍ୟକ୍ଷ ଅଛନ୍ତି। ତାଙ୍କର ଦକ୍ଷତା ପାଇଁ ସରକାର ତାଙ୍କୁ ବହୁ ବିଭାଗର ମୁଖିଆ ଭାବେ ଅବସ୍ଥାପିତ କରିଛନ୍ତି। ଆଜି ଇଡିକୋର କର୍ମଚାରୀଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ

ଭୁବନେଶ୍ୱର : ମାସ୍କ ଓ ପିପିଇ କିଣାରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଆଜି ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହୋଇଛନ୍ତି ଦୁଇ ବରିଷ୍ଠ ପ୍ରଶାସକ । ଓଡିଶା କଂଗ୍ରେସ ଏବଂ  ଓଡିଶା ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ଅଭିଯୋଗରେ ଦୁଇ ବରିଷ୍ଠ ପ୍ରଶାସକ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ଆଜି ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହୋଇଛନ୍ତି । ମାସ୍କ ଏବଂ ପିପିଇ କିଟ କିଣାଯିବା ସମୟରେ ହେମନ୍ତ ଶର୍ମା କ୍ରୟ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଯାମିନୀ ଷଡଙ୍ଗୀ ଔଷଧ ନିଗମର ମୁଖ୍ୟ ରହିଥିଲେ ।

କରୋନା ସଂକ୍ରମଣ ସମୟରେ ମାସ୍କ ଏବଂ ପିପିଇ କିଟ କିଣାରେ ବଡ ଧରଣର ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେବେ ଓଡିଶା କଂଗ୍ରେସ ଏବଂ  ଓଡିଶା ବିକାଶ ପରିଷଦ ପକ୍ଷରୁ ଏନେଇ ଲୋକାୟୁକ୍ତ ଏନେଇ ଅଭିଯୋଗ କରାଯାଇଥିଲା । ଲୋକାୟୁକ୍ତଙ୍କ ପକ୍ଷରୁ ସରକାରଙ୍କୁ ନୋଟିସ କରାଯାଇଥିବା ବେଳେ ଆଜି ଉଭୟ ବରିଷ୍ଠ ଅଧିକାରୀ ନିଜର ପକ୍ଷ ରଖିଛନ୍ତି ।