Categories
ଆଜିର ଖବର ରାଜ୍ୟ ଖବର

କଟକ ରେଳ ଷ୍ଟେସନକୁ ‘ହେରିଟେଜ ଷ୍ଟେସନ’ ଘୋଷଣା କରିବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର: ରେଳ ବିଭାଗକୁ ବର୍ଷକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିଲା ବେଳେ ଓଡ଼ିଶା ଅନୁଦାନ ଆକାରରେ ହାରାହାରି ପାଉଛି ୩ ରୁ ୪ ହଜାର ଟଙ୍କା। ଓଡ଼ିଶା ତୁଳନାରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ରେଳ ସାନ୍ଦ୍ରତା ଯଥାକ୍ରମେ ୪୨ କିଲୋମିଟର ଥିଲାବେଳେ ୪୨ ଓ ୩୫ କିଲୋମିଟର ପ୍ରତି ହଜାର ବର୍ଗକିଲୋମିଟରେ ଥିଲା ବେଳେ ଓଡ଼ିଶାରେ ତାହା ମାତ୍ର ୧୫ କି.ମି.।

ଓଡ଼ିଶାର ବହୁ ଜିଲ୍ଲା ସଦର ମହକୁମାକୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ରେଳ ଲାଇନ ଯାଇପାରିଲା ନାହିଁ। ନୂଆ ରେଳମନ୍ତ୍ରୀ ଓଡ଼ିଶାର ସାଂସଦ ହୋଇଥିବା ଯୋଗୁ ଓଡ଼ିଶା ପ୍ରତି କରାଯାଇଥିଲା ରେଳ ବିଭାଗର ଚରମ ଅବହେଳାକୁ ସୁଧାରିବା ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ନୂଆ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଦାବି କରି ଏକ ପତ୍ର ଲେଖାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଲେଖା ଯାଇଥିôବା ଏହି ପତ୍ରରେ ଦର୍ଶାଯାଇଛି ଯେ ଓଡ଼ିଶା ରେଳ ମନ୍ତ୍ରଣାଳୟର ଅବହେଳାର ଶିକାର କ୍ରମାଗତ ଭାବରେ ହୋଇଚାଲିଛି। ଆପଣ ଯେତେବେଳେ ରେଳ ବିଭାଗର ଦାୟିତ୍ୱ ନେଇଛନ୍ତି ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି ସେହି ପରିପ୍ରେକ୍ଷୀରେ ଆମେ ଓଡ଼ିଶାର ନିମ୍ନୋକ୍ତ ରେଳ ପ୍ରକଳ୍ପ ପାଇଁ ଆପଣଙ୍କ ହସ୍ତକ୍ଷେପ ଦାବି କରୁଛୁ।

ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସମ୍ବଲପୁର-ଗୋପାଳପୁର-ଫୁଲବାଣୀ, ରାୟଗଡ଼ା-ଗୋପାଳପୁର ନୂଆ ରେଳ ଲାଇନ ଏବଂ କୋରାପୁଟ-ମାଲକାନାଗିରି, କୋରାପୁଟ-ନବରଙ୍ଗପୁର ନୂଆ ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ। ଦ୍ୱିତୀୟତଃ ରାୟଗଡ଼ା, ରାଉରକେଲା-ଯାଜପୁର କେନ୍ଦୁଝର ରୋଡ଼ ଠାରେ ତିନୋଟି ରେଳ ଡ଼ିଭିଜନ ପ୍ରତିଷ୍ଠା କରାଯିବା ସଙ୍ଗେ ସଙ୍ଗେ କେନ୍ଦୁଝର-ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ଖଣିଜବହୁଳ ଅଞ୍ଚଳକୁ ଦକ୍ଷିଣ-ପୂର୍ବ ରେଳ ଜୋନରୁ ପୂର୍ବତଟ ରେଳ ଜୋନ୍‌କୁ ଅଣାଯାଉ।

ସେହିଭଳି ବଣାଇ, ରାଜଗାଙ୍ଗପୁର ଓ ଇବ୍ ଭ୍ୟାଲି ଶିଳ୍ପାଞ୍ଚଳକୁ ରାଉରକେଲା ଡ଼ିଭିଜନକୁ ଆଣି ପୂର୍ବତଟ ରେଳ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଭାୟା-ଢେଙ୍କାନାଳ-ଅନୁଗୁଳ-ତଳେଚର ଓ ସମ୍ବଲପୁର ଏବଂ ଭୁବନେଶ୍ୱର-ବେଙ୍ଗାଲୁର ଓ ଭୁବନେଶ୍ୱର-ମୁମ୍ବାଇ ମଧ୍ୟରେ ତିନୋଟି ନୂଆରେଳ ଚଳାଚଳ କରିବାକୁ ଏହି ପତ୍ରରେ ନୂଆ ରେଳମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି।

ଏହା ବ୍ୟତୀତ ଚଳିତବର୍ଷ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ କଟକ ରେଳ ଷ୍ଟେସନରେ ଗାନ୍ଧିଜୀଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ କଟକ ଷ୍ଟେସନକୁ ଏକ ‘ଐତିହ୍ୟ’ ଷ୍ଟେସନର ମାନ୍ୟତା ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ପାଇକ ବିଦ୍ରୋହର ସ୍ମୃତିରେ ଏହାର ନେତୃତ୍ୱ ନେଇଥିବା ଓଡ଼ିଆ ଜାତିର ଗର୍ବ ଓ ଗୌରବ ବକ୍ସି ଜଗବନ୍ଧୁଙ୍କ ନାମରେ ଖୋର୍ଦ୍ଧା ରୋଡ଼ ରେଳଷ୍ଟେସନକୁ ନାମିତ କରିବାକୁ ନୂଆ ରେଳମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି। ଆଶା କରାଯାଉଛି ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂଆ ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ।