Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: ମାଛ ଧରିବା ବେଳେ ଡ଼ଙ୍ଗାରୁ ଖସିପଡି ମୃତ୍ୟୁବରଣ କଲେ ଜଣେ ଧୀବର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଉଳାବନ୍ଧ ଗ୍ରାମ ଭୀମପାଟଣା ସାହିର ଖଲି ଘଡ଼ାଇଙ୍କ ପୁତ୍ର ଗନ୍ଧର୍ବ ଘଡ଼ାଇ(୪୨)ଙ୍କ ଆଜି ମଧ୍ୟାହ୍ନ ରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଗନ୍ଧର୍ବ ପ୍ରତିଦିନ ମାଛ ଧରିବା ପାଇଁ ଘଡ଼ାଇ ପେଣ୍ଠ ଠାରୁ ଦଶ କିଲୋମିଟର ଦୂରରେ ଚିଲିକା ଭିତରକୁ ଜାଲ ପକେଇବାକୁ ଯାଇଥାନ୍ତି। ପ୍ରତିଦିନ ସନ୍ଧ୍ୟା ସୁଦ୍ଧା ଜାଲ ପକାଇ ତା ପରଦିନ ଭୋର ପାଞ୍ଚଟାରେ ଜାଲ କାଢ଼ିବାକୁ ଯାଆନ୍ତି। ହେଲେ ପ୍ରତିଦିନ ପରି ଆଜି ଭୋରରୁ ଏକ ଡ଼ଙ୍ଗା ଯୋଗେ ଜାଲ କାଢ଼ିବାକୁ ଯାଉଥିବା ବେଳେ ଅସାବଧାନତା ବଶତଃ ଜାଲ କାଢ଼ିବାବେଳେ ଗନ୍ଧର୍ବ ଚିଲିକାର ଗଭୀର ଜଳରାଶି ମଧ୍ୟରେ ଡ଼ଙ୍ଗାରୁ ଖସି ପଡିଥିଲେ।

ଏହା ଦେଖି ସଙ୍ଗେ ସଙ୍ଗେ ଡ଼ଙ୍ଗା ଚାଳକ ଜୋରରେ ପାଟି କରି ନିକଟରେ ଜାଲ କାଢୁଥିବା ଲୋକଙ୍କୁ ଡାକିଥିଲେ ଏବଂ ଗନ୍ଧର୍ବଙ୍କ ପରିବାରକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ। ଗନ୍ଧର୍ବଙ୍କ ପରିବାର ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଏବଂ ନାଚୁଣୀ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବହୁତ ସମୟ ଧରି ଗଭୀର ଜଳରାଶିରେ ଖୋଜିଲା ପରେ ଶେଷରେ ଗନ୍ଧର୍ବଙ୍କ ମୃତ ଶରୀରକୁ ଠାବ କରି ଜଳରୁ ଉଦ୍ଧାର କରିଥଲେ।

ଘଟଣାର ତଦନ୍ତକାରୀ ଅଧିକାରୀ ତଥା ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ଗନ୍ଧର୍ବଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ବାଣପୁର ପୋଲିସ ତରଫରୁ ଏ ନେଇ କେସ ନମ୍ବର ୨୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।