Categories
ବିଶେଷ ଖବର ରାଜ୍ୟ ଖବର

ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଚିକିତ୍ସା ଓ ଟୀକାକରଣରେ ୟୁଜର୍ସ ଫି ଛାଡ଼ କଲେ ସରକାର

ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପ୍ରାଣୀସଂପଦର ଚିକିତ୍ସା ଓ ଟୀକାକରଣ ଆଦିକୁ ୟୁଜର୍ସ ଫି ଛାଡ଼ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରସ୍ତାବକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁମୋଦନ କରିଛନ୍ତି।

ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀ ଚିକିତ୍ସାଳୟ ଓ ବିଭାଗ ପକ୍ଷରୁ ଆୟୋଜିତ ପ୍ରାଣୀଧନ ଚିକିତ୍ସା ଶିବିରରେ ରିଲିଫ୍‌ ପଦକ୍ଷେପ ସ୍ୱରୂପ ୧୫ ଦିନ ପର୍ଯ୍ୟନ୍ତ ଏହି ୟୁଜର୍ସ ଫି ଛାଡ଼ କରାଯାଇଛି । ଅଗଷ୍ଟ ୧୬ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ ୟୁଜର୍ସ ଫି ଛାଡ଼ କରାଯାଇଛି। ପ୍ରାଣୀଧନମାନଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ହେଉଥିବା ରକ୍ତ, ମଳ ଆଦି ବିଭିନ୍ନ ପରୀକ୍ଷା ପାଇଁ ମଧ୍ୟ ୟୁଜର୍ସ ଫି ନିଆଯିବ ନାହିଁ।

ଏଥି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାଣୀଧନମାନଙ୍କର ଚିକିତ୍ସା ଓ ଟୀକାକରଣ ନିମନ୍ତେ ବ୍ୟାପକ ମାଗଣା ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍‌ବ୍ୟତୀତ ଏସ୍‌ଡ଼ିଆର୍‌ଏଫ୍‌ ମାର୍ଗଦର୍ଶିକା ଅନୁସାରେ ଗୋପାଳନରେ ନିୟୋଜିତ ଚାଷୀମାନଙ୍କୁ ଗୋଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀଧନର ସୁରକ୍ଷା ଓ ତୁରନ୍ତ ଚିକିତ୍ସାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ କ୍ଷେତ୍ର ଅଧିକାରୀମାନଙ୍କୁ ଏ ଦିଗରେ ଜରୁରୀକାଳୀନ ପଦକ୍ଷେପ ନେବା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି।