Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା ମନ୍ତ୍ରଣାଳୟର ସ୍ଵଚ୍ଛତା ଶପଥ ପାଠ

ଭୁବନେଶ୍ଵର: ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ ହେଲେ ୧୭୦ ଉଚ୍ଚ ଶିକ୍ଷାନୁଷ୍ଠାନ, ୟୁଜିସି ଓ ଏଆଇସିଟିଇର ପ୍ରତିନିଧି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ସଚିବ କେ ସଞ୍ଜୟ ମୂର୍ତ୍ତି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଛନ୍ତି।

ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଏବଂ ‘ସ୍ୱଚ୍ଛତା ହିଁ ସେବା’ ବାର୍ତ୍ତାକୁ ପ୍ରସାରିତ କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

କେ ସଞ୍ଜୟ ମୂର୍ତ୍ତି କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି/ନିର୍ଦ୍ଦେଶକ ମାନଙ୍କ ସହ ଏକ ବୈଠକ କରି ସେମାନଙ୍କୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ୩.୦, ‘ସ୍ଵଚ୍ଛତା ହି ସେବା’ ଅଭିଯାନ ଏବଂ ‘ମିଶନ ଲାଇଫ’ କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ବିଷୟରେ ସଚେତନ କରାଇଥିଲେ।

ଶୂନ୍ୟ ବର୍ଜ୍ୟବସ୍ତୁ ଅଭିଯାନ, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ, ନିକଟସ୍ଥ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନା ପରିଦର୍ଶନ, ନିକଟସ୍ଥ ଅଞ୍ଚଳକୁ ସ୍ବଚ୍ଛ ରଖିବା ପାଇଁ ଶ୍ରମଦାନ ଭଳି ବାର୍ତ୍ତା ପ୍ରଚାର କରିବା ଏବଂ ଜୀବନର ସମସ୍ତ ଦିଗରେ ‘କମ୍ ଏବଂ ପୁନଃବ୍ୟବହାର’ ନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ଏକତ୍ରିତ ହୋଇ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ କହିଥିଲେ। ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାରେ ଦର୍ଶାଯାଇଥିବା ‘ମିଶନ ଲାଇଫ’ର ନୀତିକୁ ନିଜ ଅନୁଷ୍ଠାନରେ ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

ପାଖାପାଖି ୧୭୦ଟି ଏଚଇଆଇ, ୟୁଜିସି ଓ ଏଆଇସିଟିଇର ପ୍ରତିନିଧି ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ ଅନୁଷ୍ଠାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି। ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭେଟିଥିଲେ। ସେ କହିଛନ୍ତି ଆଜି ମୋ ପାଇଁ ଏକ ସ୍ମରଣିୟ ଦିନ। ଶିକ୍ଷାନୁଷ୍ଠାନର ଅନୁକୂଳଯୁକ୍ତ ଶୈକ୍ଷିକ ବାତାବରଣରେ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ ଚିକିତ୍ସା, ଥେରାପି ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଖୁବ ପ୍ରଶଂସନୀୟ। ଆଜି ଏହି ଶିକ୍ଷାନୁଷ୍ଠାନକୁ ଆସି ଦିବ୍ୟାଙ୍ଗ ମାନଙ୍କୁ ଭେଟି ଭଗବାନଙ୍କୁ ପୂଜା କରିବା ଠାରୁ ଅଧିକ ସୌଭାଗ୍ୟ ମିଳିଲା।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ ହେଉଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ୟୁଜିସି ବିଶେଷ ବର୍ଗରେ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ମାନ୍ୟତା ପ୍ରଦାନ କରାଯିବା ଖୁସିର ବିଷୟ। ଏଣିକି ଏହି ଅନୁଷ୍ଠାନର ନିଜସ୍ୱ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ସହ ସାର୍ଟିଫଫିକେଟ୍ ପ୍ରଦାନ କରାଯିବ। ଏହି ଅନୁଷ୍ଠାନ ସହ ମେଧାବୀ ଓଡ଼ିଆ ପିଲାମାନେ ଯୋଡି ହେଉଛନ୍ତି। ଏହାର ଅର୍ଥ ଏହି ପାଠ୍ୟକ୍ରମ ପ୍ରତି ପିଲା ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଅଛି। ଦିବ୍ୟାଙ୍ଗଙ୍କ ପାଠପଢାକୁ ସୁଗମ କରିବା ସହ ସମାଜରେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଦାୟିତ୍ୱ ନେବା ପାଇଁ ପଡିବ। ଦୀର୍ଘ ୨୫ ବର୍ଷ ଧରି ଦିବ୍ୟାଙ୍ଗ ମାନଙ୍କୁ ପାଠ ପଢାଇବା ସହ ମଣିଷ ତିଆରି କାମରେ ଲାଗିଥିବା ଏହି ଅନୁଷ୍ଠାନକୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି। ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି। ବିଶେଷ ଭାବରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ହେବା ପରେ ଏହା ଉପରେ ଧ୍ୟାନ ଦେବା ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ ହୋଇଛି। ଏହି ଅନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବ୍ୟତିତ ସମ୍ମାନର ସହ କୁଶଳୀ କରି ସେମାନଙ୍କୁ ରୋଜଗାର ବ୍ୟବସ୍ଥା ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯିବ। ଶିକ୍ଷକଙ୍କୁ ପ୍ରଶିକ୍ଷଣ ସହ ଭିତ୍ତିଭୂମିର ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ। ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ବିଶେଷ ଖବର

ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ପାଇଁ ୟୁଜିସିର ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ପାଇଁ ଅନୁମତି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ କହିବା ସହ ଏହି ଦୁଇଟି ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ଉଚ୍ଚ ଶିକ୍ଷା ଏବଂ ଏହି ମହାନ କବିଙ୍କ ମାନବ ଦର୍ଶନ ଉପରେ ଗବେଷଣାକୁ ପ୍ରୋତ୍ସାହନ ଦେବ ଏବଂ ଏହା ହିଁ ମହାନ କବି ଭୀମ ଭୋଇଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ। ସନ୍ଥ କବି ଭୀମ ଭୋଇ ଓଡ଼ିଆ ସାହିତ୍ୟ ଓ ଧାର୍ମିକ-ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି।

ଦୂରଦୃଷ୍ଟିସମ୍ପନ୍ନ କବି ଭୀମ ଭୋଇ ନିଜ କାଳଜୟୀ କବିତା ମାଧ୍ୟମରେ ସମାଜର ଲୋକଙ୍କୁ ସଶକ୍ତ କରିପାରିଥିଲେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ ସମୟରେ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବତୋମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ।

ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ। ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଭୀମ ଭୋଇ ଚେୟାର ସ୍ଥାପନ ହେବ। ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ।

ଏହା ଦ୍ୱାରା ଶତାବ୍ଦୀ ଶତାବ୍ଦୀରୁ ପଛୁଆ ଅଂଚଳରୁ ଆରମ୍ଭ ହୋଇଥିବା ମହାନ୍ ବିଚାର ଅନ୍ତରାଷ୍ଟ୍ରୀୟ ସ୍ତରକୁ ଯିବ। ବିଶ୍ୱ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ, ଏହା ହିଁ ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।