Categories
ବିଶେଷ ଖବର ରାଜ୍ୟ ଖବର

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୪୩ଟି ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଆଦି ୫ଟି ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।

ଏଥିରେ କଳାହାଣ୍ଡି ଜିଲ୍ଲାର ୭୩ଟି ହାଇସ୍କୁଲ, କନ୍ଧମାଳର ୪୬ଟି, କୋରାପୁଟର ୮୨ଟି, ଭଦ୍ରକର ୬୦ଟି ଓ ସୁନ୍ଦରଗଡର ୮୨ଟି ହାଇସ୍କୁଲ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣ ର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ । ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ 5T ର ଗୁରୁତ୍ଵ ବୁଝାଇ ଥିଲେ। ସେ କହିଥିଲେ ଯେ ପିଲାମାନେ ନିଜ ଜୀବନରେ ଏହାକୁ ପ୍ରୟୋଗ କଲେ ନିଶ୍ଚୟ ସଫଳ ହେବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ 5T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ । ଶିକ୍ଷାରେ Technologyର ପ୍ରୟୋଗ ପିଲାଙ୍କୁ ଯୁଗୋପଯୋଗୀ କରିପାରିଛି, ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି।

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5T ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ କହିଲେ ଯେ 5T ରୂପାନ୍ତରଣ ସରକାରୀ ସ୍କୁଲଗୁଡିକର ଗୁରୁତ୍ୱ ବୃଦ୍ଧି କରିଛି । 5T ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବା ପାଇଁ ସାହାସ ଦେଇଛନ୍ତି । ଏଥିପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଏସବୁ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି । ସ୍କୁଲମାନଙ୍କରେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗକୁ ନିଜର ଭାବି ଭଲଭାବେ ରକ୍ଷଣାବେକ୍ଷଣ କରିବା ପାଇଁ ସେ ଅନୁରୋଧ କରିଥିଲେ ।

ଏହି ଅବସରରେ 5T ସ୍କୁଲ ରୂପାନ୍ତର ସଂପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । କଳାହାଣ୍ଡି ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ କୁମାରୀ ଆଶା ମାଝୀ, କନ୍ଧମାଳର ନବମ ଶ୍ରେଣୀ ଛାତ୍ର ରାଜେଶ କୁମାର ସାହୁ, କୋରାପୁଟର ନବମ ଶ୍ରେଣୀ ଛାତ୍ରୀ କୁମାରୀ ରଶ୍ମୀ ତେନ୍ତୁଳିପଡିଆ, ଭଦ୍ରକର ଦଶମ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ପରିଡା ଓ ସୁନ୍ଦରଗଡର ନବମ ଶ୍ରେଣୀ ଛାତ୍ରୀ ରାଧିକା ସାହୁ ପ୍ରମୁଖ ସେମାନଙ୍କ ମତାମତ ଦେଇ କହିଲେ ଯେ ରୂପାନ୍ତରିତ ସ୍କୁଲ ମାଧ୍ୟମରେ ଆମକୁ ଜାତୀୟ ସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନର ସୁବିଧା ସୁଯୋଗ ମିଳିଛି। ଏହା ଦ୍ୱାରା ଆମର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏଥି ସହିତ 5T ର ୫ଟି ଉପାଦାନ ଆମକୁ ନିଶ୍ଚିତ ରୂପେ ଉଜ୍ଜଳ ଭବିଷ୍ୟତ ଗଢିବା ପାଇଁ ସାହାଯ୍ୟ କରିବ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ କନ୍ଧମାଳରେ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, କଳାହାଣ୍ଡିରେ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର, କୋରାପୁଟରେ ବିଧାୟକ ଶ୍ରୀ ରଘୁରାମ ପଡାଲ, ଭଦ୍ରକରେ ବିଧାୟକ ଶ୍ରୀ ପ୍ରଫୁଲ ସାମଲ ଏବଂ ସୁନ୍ଦରଗଡରେ ଆମ ଓଡିଶା ନବୀନ ଓଡିଶା ସଂଯୋଜକ ଶ୍ରୀ ଯୋଗେଶ କୁମାର ସିଂ ପ୍ରମୁଖ ଯୋଗ ଦେଇ କହିଲେ ଯେ ଆଜି ସ୍କୁଲ ରୂପାନ୍ତର ମାଧ୍ୟମରେ ରାଜ୍ୟର ବିଦ୍ୟାଳୟଗୁଡିକୁ ଶିକ୍ଷାର ମନ୍ଦିରଭାବେ ଗଢି ତୋଳିଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବହୁ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରା ଓ କାର୍ଯ୍ୟକ୍ରମ ଯୋଗୁ ଆଜି ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଉପାନ୍ତ ଅଞ୍ଚଳରେ ମଧ୍ୟ ବିକାଶର ଚିତ୍ର ପରିଲକ୍ଷିତ ହେଉଛି।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି।

ଏହି କ୍ରମରେ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।

ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି ମଧ୍ୟ ସେ କହିଛନ୍ତି । ବିକାଶ ହେଉଛି ଆମର ପରିଚୟ। ଚାଷୀ, ମହିଳା, ଯୁବବର୍ଗ ମାନଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି। ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ। ତା ସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ ଫସଲ ବୀମା ଟଙ୍କା ପାଇନାହାନ୍ତି। ଆପଣମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭରତ ସରକାରଙ୍କ ଯୋଜନା। ତେଣୁ ଭରତ ସରକାର ଙ୍କ ସହ ଆପଣ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ମୁଁ ବାରମ୍ବାର ଚେଷ୍ଟା ଜାରୀ ରଖିଛି।

ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇ ଅଛି।

ପ୍ରଭୁ ନୃସିଂହନାଥଙ୍କ ଆଶୀର୍ବାଦ ପଦ୍ମପୁର ମାଟିକୁ ପବିତ୍ର କରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢାଇବା ପାଇଁ ଏ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି। ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ।

ସେହିପରି ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ୩୦ଟି ହାଇସ୍କୁଲର ରୂପାନ୍ତର ହୋଇଛି। ଆଉ ୪୪ଟି ପାଇଁ କାମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।

ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଭଟଲୀ ବିଧାୟକ ଶ୍ରୀ ସୁଷାନ୍ତ ସିଂ, ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟକ ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇ ଓଡିଶାରେ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ।

ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।