ନୂଆଦିଲ୍ଲୀ,15/12: ନାଗରିକତ୍ବ ବିଲ୍ ସଂଶୋଧନ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାରଣରୁ ଆଲୋଚନା ପାଇଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ର କନରାଡ ସାଙ୍ଗମାଙ୍କୁ ଆଲୋଚନା ପାଇଁ ଅମିତ ଶାହା ଆମନ୍ତ୍ରଣ କରିଛନ୍ତି । ଶୁକ୍ରବାର ମେଘାଳୟ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଏହି ବିଲ୍ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଏହି ଆଇନ୍କୁ ନେଇ ଦେଶରେ ଅବସ୍ଥାନ କରୁଥିବା ମୁସଲିମ୍ଙ୍କୁ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗୃହମନ୍ତ୍ରୀ କହିବା ସହିତ ଡିସେମ୍ବର 25 ପରେ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ଏହା ସହିତ ଶାହା କଂଗ୍ରେସ ଆନ୍ଦୋଳନକୁ ବଢାଉଛି ବୋଲି ମତ ଦେଇଛନ୍ତି । (ଏଜେନ୍ସୀ)
Tag: amitshah
ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍ରେ ଏହ ବିଲ୍ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍କୁ ବିରୋଧ କରାଯାଇଥିଲା। ବିଲ୍ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍ର ବିରୋଧ କରିଥିଲେ। ଏହି ବିଲ୍ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍ 0.0001 ପ୍ରତିଶତ ମୁସ୍ଲିମ୍ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିଲ୍ ପ୍ରତି ସମର୍ଥନ ଜାହିର କରିଥିଲେ। ପଡୋଶୀ ଦେଶରେ ନିଷ୍ପେସିତ ଅବସ୍ଥାରେ ରହିଥିବା ଅଣ ମୁସଲିମ୍ ଭାଇ ଓ ଭଉଣୀ ମାନଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମ ପ୍ରଣୟନ ଜରୁରୀ ବୋଲି ଗିରିରାଜ କହିଥିଲେ। ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇନଥିଲା। ଭାରତରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯାଏ ମାତ୍ର ପାକିସ୍ତାନ ଏବଂ ବାଂଲାଦେଶରେ ଅଣ ମୁସ୍ଲିମ୍ଙ୍କ ଅବସ୍ଥା ଶୋଚନୀୟ। ତେଣୁ ସମସ୍ତ ସାଂସଦ ଏହି ବିଲ୍ ନିମନ୍ତେ ସମର୍ଥନ ଜାହିର କରିବା ଉଚିତ୍ ବୋଲି ଗିରିରାଜ ମତ ରଖିଥିଲେ। ଆରଏସ୍ପି ସାଂସଦ ଏନ୍କେ ପ୍ରେମଚନ୍ଦ୍ରନ ମଧ୍ୟ ଏହି ବିଲ୍କୁ ବିରୋଧ କରିଥିଲେ। ସମ୍ବିଧାନର ମୂଳ ନିୟମକୁ ଏହି ବିଲ୍ ଭଙ୍ଗକରୁଛି। ଏହି ବିଲ୍ ଲାଗୁ କରାଗଲେ ଦେଶର ଧାର୍ମିକ ସନ୍ତୁଳନ ବିଗିଡିବାର ସମ୍ଭାବନା ରହିଛି ବୋଲି କହି ବିଲ୍ର ବିରୋଧ କରିଛନ୍ତି ପ୍ରେମଚନ୍ଦ୍ରନ। (ଏଜେନ୍ସୀ)
କେଦାର ମିଶ୍ର
ଦେଶର ବଡ ବଡ ସାମ୍ବାଦିକମାନେ ଯାହା ପଚାରିବାରେ ଅକ୍ଷମ, ତାକୁ ଜଣେ ବର୍ଷିୟାନ ଶିଲ୍ପପତି ପଚାରି ପାରିଲେ, ସେଥିପାଇଁ ତାଙ୍କୁ ଧନ୍ୟବାଦ। ବଜାଜ ଗୃପର ଅଧ୍ୟକ୍ଷ ରାହୁଲ ବଜାଜ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଯେଉଁ ପ୍ରଶ୍ନ ଉତ୍ତରର ସଂକ୍ଷିପ୍ତ ଚିତ୍ରଟି ଆମେ ଦେଖିଲୁ, ତାହା ଅନେକ ଆଗରୁ ଦେଖିବା ଉଚିତ ଥିଲା। ଜଣେ ଶିଲ୍ପପତି ଭାବରେ ରାହୁଲ ବଜାଜ ନିଜର ସ୍ପଷ୍ଟ ମତ ପାଇଁ ଜଣାଶୁଣା। ନିଜକୁ ଗୌରବର ସହିତ “ଆଣ୍ଟି ଏଶ୍ଟାବ୍ଳିଶମେଣ୍ଟ” ବା ସତ୍ତା ବିରୋଧୀ ବୋଲି କହିବାର ସାହସ କମ ଶିଳ୍ପପତିଙ୍କର ରହିଛି। ତେଣୁ ସେ ଯେତେବେଳେ ଅମିତ ଶାହାଙ୍କୁ ପଚାରିଥିଲେ, ଆପଣ ଭଲ କାମ କରୁଥିଲେ ବି ଆପଣଙ୍କୁ ସମାଲୋଚନା କରିବାକୁ ମୋତେ ଡର ଲାଗିବ କାହିଁକି? ଏହାର ଉତ୍ତର ବଡ ହାଲୁକା ଭାବରେ ଅମିତ ଶାହା ଦେଇଥିଲେ। ହେଲେ “ଦି ଇକୋନମିକ୍ସ ଟାଇମ୍ସ” ର ଏହି ଆଲୋଚନା ଚକ୍ର ସରିବା ପରେ ପରେ ରାହୁଲ ବଜାଜ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇଗଲା। ବିଜେପି ସମର୍ଥକ ଓ ଭକ୍ତମାନେ ବଜାଜଙ୍କୁ ସୋସିଆଲ ମିଡିଆରେ ଗାଳି ଫଜିତ ଆରମ୍ଭ କରିଦେଲେ। ତା ସହିତ ମୋଦୀ ସରକାରର ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ରାହୁଲ ବଜାଜଙ୍କୁ ଖୋଲାଖୋଲି ସମାଲୋଚନା ଆରମ୍ଭ କରିଦେଲେ। ସବୁଠୁ ଭୟଙ୍କର ଓ ଚିନ୍ତାଜନକ ପ୍ରତିକ୍ରିୟା ଆସିଲା, ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ପାଖରୁ। ଅର୍ଥମନ୍ତ୍ରୀଙ୍କ କହିବା କଥା ହେଲା, ଏପରି ପ୍ରଶ୍ନ ଆମର “ଜାତୀୟ ଭାବାବେଗ” ପ୍ରତି କ୍ଷତି ପହଞ୍ଚାଇବ। ବାସ, ରାହୁଲ ବଜାଜ ତ ସେହି କଥାଟି ଉଠାଇଥିଲେ ମାଡାମ!
ମୋଦୀ ସରକାରକୁ ସମାଲୋଚନା କଲେ “ଜାତୀୟ ଭାବାବେଗ”, “ଦେଶପ୍ରେମ”, “ଜାତୀୟ ସୁରକ୍ଷା” “ଜାତୀୟ ସ୍ଵାର୍ଥ” ସଙ୍କଟରେ ପଡିଯିବ ବୋଲି ବାରମ୍ବାର କୁହାଯାଉଛି। ଏହାହିଁ ଗୋଟେ ଗଣତାନ୍ତ୍ରିକ ଦେଶରେ ସବୁଠୁ ବଡ ଭୟର କାରଣ। ସରକାରକୁ ଦେଶ ବୋଲି ବଡ ଚତୁରତାର ସହିତ ତୁଳନା କରାଯାଉଛି ଓ ସରକାରକୁ ସମାଲୋଚନା କରିବା ଦେଶଦ୍ରୋହ ବୋଲି କୁହାଯାଉଛି। ତାହାହିଁ ଆଜିର ସବୁଠୁ ବଡ ସଙ୍କଟ। ପୂରା ଦେଶରେ ଯେଉଁ ଆର୍ଥିକ ସଙ୍କଟ ଦେଖା ଦେଇଛି, ତାରି ପଛରେ ଏହି ସାମାଜିକ ଭୟ ଏକ ବଡ କାରଣ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେଇଥିପାଇଁ ଏହି ସାମାଜିକ ଭୟକୁ ଅର୍ଥନୈତିକ ଦୁର୍ଗତିର କାରଣ ବୋଲି କହିଛନ୍ତି। ସାମାଜିକ ଚାପ ଓ ରାଜନୈତିକ ପ୍ରତିଶୋଧପରାୟଣତାର ବାତାବରଣର କୌଣସି ଦେଶ ଅର୍ଥନୈତିକ ବିକାଶ ହାସଲ କରିବା ସମ୍ଭବ ନୁହେଁ।
ଦେଶର ଅର୍ଥବ୍ୟବସ୍ଥା ସମ୍ପର୍କରେ ମୋଦୀ ସରକାର ଶିଲ୍ପପତି ଓ ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରୁନାହାନ୍ତି ବୋଲି ଅନ୍ୟତମ ଉଦ୍ୟୋଗପତି କିରଣ ମଜୁମଦାର ସ’ କହିଛନ୍ତି। ଏ ସରକାର ଅର୍ଥନୀତି ସମ୍ପର୍କରେ ଶିଲ୍ପପତି ଓ ଅଥନୀତିଜ୍ଞଙ୍କ କଥା ଶୁଣୂନାହାନ୍ତି। ରାଜନୀତିରେ ଭିନ୍ନ ମତ ଓ ବିରୋଧୀ ପକ୍ଷକୁ ଶୁଣୁନାହାନ୍ତି। ଲୋକସମ୍ପର୍କ ପାଇଁ ସାମ୍ବାଦିକଙ୍କ କଥା ଶୁଣୁ ନାହାନ୍ତି। ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ବୁଦ୍ଧିଜୀବୀଙ୍କୁ ଶୁଣୁନାହାନ୍ତି। ତାହେଲେ, ଏ ସରକାର ଶୁଣୁଛନ୍ତି କାହାକୁ? କେବଳ ନିଜେ ନିଜର ସ୍ଵର ଓ ଚେହେରାକୁ ମୋଦୀ ଭଲ ପାଆନ୍ତି ବୋଲି କେହିଜଣେ କାମେଡିଆନ ଥରେ କହିଥିଲେ। ଆପାତତଃ ଏବେ ତାହାହିଁ ସତ୍ୟ ପ୍ରମାଣିତ ହେଉଛି।
ମୋଦୀ-ଶାହା ବ୍ୟତୀତ ସରକାରରେ ଆଉ କାହାର କିଛି କହିବାର ନାହିଁ ବା ଶୁଣିବାର ନାହିଁ। ଯେତେବେଳେ ଦେଶର ଜଣେ ବରିଷ୍ଠ ଉଦ୍ୟୋଗପତି ଦେଶର ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରୁଛନ୍ତି, ସେଠି ଅର୍ଥମନ୍ତ୍ରୀଙ୍କର ଦାୟିତ୍ଵ ହେଉଛି, ଉଦ୍ୟୋଗ ଜଗତକୁ ଭରସା ଦେବା। ଯେଉଁ ଭୟ ଓ ଆଶଙ୍କାର କଥା ରାହୁଲ ବଜାଜ ଉଠାଇଛନ୍ତି, ସେ କଥା ଆଗରୁ ଏ ଦେଶର ଲେଖକ, କଳାକାର ଓ ସିନେମା ତାରକାମାନେ ମଧ୍ୟ ଉଠାଇଥିଲେ। ତେବେ ଯିଏ ଏ ପ୍ରଶ୍ନ ଉଠାଇଛି, ତାକୁ ନିର୍ଦ୍ଦୟ ଭାବରେ ଚାପି ଦିଆ ହୋଇଛି ଅଥବା ସେମାନଙ୍କୁ ଅଧିକ ଭୟଭୀତ କରାଇବା ଲାଗି “ଟ୍ରୋଲ ବାହିନୀ’ କିମ୍ବା “ସରକାରୀ ଗୁଣ୍ଡା ସାମ୍ବାଦିକ ବାହିନୀ”ଙ୍କୁ ଲଗାଇ ଦିଆଯାଇଛି। ପ୍ରଥମ ଥର ଲାଗି ଆମେ ଦେଶରେ ସରକାରୀ ଗୁଣ୍ଡା ଭାବରେ ଟେଲିଭିଜନ ସାମ୍ବାଦିକମାନଙ୍କର ଏକ ଗୋଷ୍ଠୀକୁ ଦେଖୁଛୁ। ଏମାନେ ସରକାର ବିରୋଧରେ ପ୍ରଶ୍ନ ପଚାରୁଥିବା ସବୁ ସଂବେଦନଶୀଳ ନାଗରିକଙ୍କୁ ଦେଶଦ୍ରୋହୀ ବା ଜାତୀୟ ସ୍ଵାର୍ଥ ବିରୋଧୀ ବୋଲି କହିବାକୁ ଅହରହ କାମ କରୁଛନ୍ତି।
ତେବେ ରାହୁଲ ବଜାଜଙ୍କ ପ୍ରଶ୍ନ, ଅମିତ ଶାହାଙ୍କ ଉତ୍ତର ଓ ନିର୍ମଲା ସୀତାରମଣଙ୍କ ଟ୍ରୋଲିଂରୁ ଗୋଟିଏ କଥା ପ୍ରମାଣିତ ହୋଇଯାଇଛି ଯେ, ଶ୍ରୀମାନ ବଜାଜ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ।
ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ହେଲେ ସୋସିଆଲ ମିଡିଆରେ ଏ ନେଇ ବଡ ରୋଚକ ତଥା ଅଦ୍ଭୁତ କମେଟ ସହ ଫଟୋ ପ୍ରକାଶିତ ହୋଇଛି। ଆଶ୍ଚର୍ଯ୍ୟର କଥା ଗତକାଲି ଚିଦାମ୍ବରମ ଗିରଫ ହେବା ମାତ୍ରେ ସୋସିଆଲ ମିଡିଆରେ ବିଭିନ୍ନ କାର୍ଟୁନ ପ୍ରକାଶିତ ହୋଇଛି। ଅନେକ ବିଭିନ୍ନ ପରିସ୍ଥିତିର ଭିନ୍ନ ଭିନ୍ନ ଫଟୋକୁ ଚିଦାମ୍ବରମଙ୍କ ଗିରଫ ସହିତ ଯୋଡି ଏକ ଥଟ୍ଟା ପରିହାସ କରିଛନ୍ତି ଏହି ସୋସିଆଲ ମିଡିଆ ବ୍ୟବହାରକାରୀ। ସେ ଭିତରୁ କିଛି ଅଦ୍ଭୁତ ଫଟୋ ଏପରି ରହିଛି।
Photos- Different Social Media
ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା ଦଳର ମୁଖ୍ୟମାନଙ୍କ ସହ ବୈଠକ କରୁଛନ୍ତି। ବୈଠକରେ ବସୁନ୍ଧରା ରାଜେ, ଉମା ଭାରତୀ, ଦୀଲିପ ଘୋଷ, ବିନୟ ସହଶ୍ରବୁଧେ, ଜେପି ନଡ୍ଡା ଏବଂ ଭୁପେନ୍ଦ୍ର ଯାଦବ ସାମିଲ ଅଛନ୍ତି। ବୈଠକରେ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଗତ ୯ତାରିଖରେ ଅମିତ ଶାହା ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ। ଏହି ରାଜ୍ୟମାନଙ୍କରେ ଏକ ବର୍ଷ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନୂତନ ସରକାରରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶାହା ଲଗାତାର ଭାବେ ବୈଠକ ଡାକୁଛନ୍ତି। ଇଦ୍ ଦିନ ମଧ୍ୟ ସେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହା ବ୍ୟତୀତ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବାବଦରେ ପଚାରି ବୁଝିଥିଲେ। ଯେଉଁଥିରେ ଆତଙ୍କବାଦ ଏବଂ ନକ୍ସଲ ସମସ୍ୟା ଉପରେ ଚର୍ଚ୍ଚା ହୋଇଥିଲା। ମାତ୍ର ଆସନ୍ତା ଡିସେମ୍ବର ଯାଏଁ ଶାହା ଏହି ପଦ ସମ୍ଭାଳିବା ନେଇ ଆଲୋଚନା ଚାଲିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସରକାର ପରିଚାଳନା କରିବା ପାଇଁ ବିଭିନ୍ନ କ୍ୟାବିନେଟ କମିଟି ଗଠନ କରିଛନ୍ତି। ୭ଟି କ୍ୟାବିନେଟ୍ କମିଟିରେ ଅମିତ ଶାହାଙ୍କ ଉପସ୍ଥିତି ତାଙ୍କୁ ବିଜେପିର ଦ୍ବିତୀୟ ଶକ୍ତିଶାଳୀ ନେତା ଭାବରେ ଉପସ୍ଥିତ କରିଛି। ଏହା ସହିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ଦୁଇଟି ନୂତନ କ୍ୟାବିନେଟ କମିଟି ମଧ୍ୟ ଗଠନ କରାଯାଇଛି। ପ୍ରତିରକ୍ଷା ପାଇଁ ଗଠିତ କ୍ୟାବିନେଟ୍ କମିଟିରେ ଅମିତ ଶାହ, ରାଜନାଥ ସିଂ, ଏସ୍ ଜୟଶଙ୍କର ଏବଂ ନିର୍ମଳା ସୀତାରମଣ ଏହି କମିଟିରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଅମିତ ଶାହାଙ୍କ ବ୍ୟତିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସମସ୍ତ ୭ଟି ଯାକ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି।
କେଦାର ମିଶ୍ର
ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲେ କିଛି ଗୋଟେ ବିରାଟ ରାଜନୈତିକ ପରିବର୍ତ୍ତନ ହେବନାଇଁ, ଏକଥା ଓଡିଶାବାସୀ ଜାଣନ୍ତି। ଏ ବିଷୟରେ ଆଗରୁ ବହୁ ଆଲୋଚନା ହୋଇସାରିଛି। ତେଣୁ ପୁରୁଣାକଥାର ପୁନରାବୃତ୍ତି କରିବାକୁ ଆମେ ଚାହୁଁନାହୁଁ। ବୈଜୟନ୍ତ ଓଡିଶାର ନେତା, ସେ ବିଜେପିରେ ମିଶିବାକୁ ଦିଲ୍ଲୀକୁ କାହିଁକି ବାଛିଲେ, ସେ ପ୍ରଶ୍ନ ମଧ୍ୟ ଏବେ ଆଲୋଚିତ ହେଉଛି। ଆମ ଲାଗି କିନ୍ତୁ ସବୁଠୁ ଆକର୍ଷଣ ର ବିଷୟ ହେଉଛି ବିଜେପିରେ ମିଶିଲାପରେ ବୈଜୟନ୍ତ ଦେଇଥିବା ବୟାନ। “ବିଜେପିରେ ମିଶିବା ଲାଗି ଗତ ବାଇଶ ବର୍ଷ ଧରି ମୁଁ ଅପେକ୍ଷା କରି ରହିଥିଲି।“ – ଏ କଥା ପଦକ ବୈଜୟନ୍ତଙ୍କ ଅନେକ ଗୁମର ଖୋଲି ଦେଇଛି। ସେ ଯେ ବିଜେଡି ଭିତରେ ବିଜେପିର ଲୋକ ହୋଇ ଏତେଦିନ ଥିଲେ, ଏ କଥା ସେ ନିଜେ ସ୍ଵୀକାର କରିଛନ୍ତି। ନିଜକୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶର ପ୍ରତିଭୂ ବୋଲି ଏହା ପୂର୍ବରୁ ସେ ଯାହା କହୁଥିଲେ, ତାହା ଯେ କେବଳ ଛଳନା ଥିଲା, ଏହା ତାଙ୍କ ନିଜ ବକ୍ତବ୍ୟ ପ୍ରମାଣିତ କରୁନାହିଁ କି?
ବିଜୁ ପଟ୍ଟନାୟକ ସାରା ଜୀବନ ସାମ୍ପ୍ରଦାୟିକ ରାଜନୀତି ତଥା ସେ ରାଜନୀତି ସହ ସଂପୃକ୍ତ ଜନସଙ୍ଘ, ବିଜେପି ଓ ସଂଘ ପରିବାରକୁ ବିରୋଧ କରି ଆସୁଥିଲେ।୧୯୭୭ର ଜନତା ପାର୍ଟି ସରକାରରେ ଥିବା ଜନସଙ୍ଘି ମନ୍ତ୍ରୀମାନେ ଦ୍ଵୈତ ଆଦର୍ଶ ରଖିପାରିବେ ନାହିଁ ବୋଲି ବିଜୁ ବାବୁ ସେତେବେଳେ ଦୃଢ ଯୁକ୍ତି କରିଥିଲେ। ୧୯୯୫ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ବାବୁଙ୍କ ଅପ୍ରତ୍ୟାଶ୍ୟିତ ପରାଜୟ ସତ୍ତ୍ୱେ ସେ ନିଜ ଜୀବନକାଳରେ ବିଜେପି ସହ ମେଣ୍ଟ କରିବାକୁ ଚାହିଁନଥିଲେ। ବିଜୁ ବାବୁଙ୍କର ସବୁ ଶିଷ୍ୟ ପ୍ରଶିଷ୍ୟ ଯେତେବେଳେ ବିଜେପି ସହ ମେଣ୍ଟ କରିବାକୁ ଗୋଡ ଟେକି ବସିଥିଲେ, ସେତେବେଳେ ବିଜୁ ବାବୁ ଏକଲା ହୋଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତେଣୁ ବିଜୁ ବାବୁ ଙ୍କ ଅବର୍ତ୍ତମାନରେ ଯେତେବେଳେ ବିଜୁ ଜନତା ଦଳ ବିଜେପି ସହ ମେଣ୍ଟ କଲା, ତାହା ଏକପ୍ରକାର ବିଜୁ ବିରୋଧୀ ଆଦର୍ଶ ଥିଲା ବୋଲି କୁହାଯାଇପାରେ। ସେଇ ଦୃଷ୍ଟିରୁ ବୈଜୟନ୍ତଙ୍କ ବିଜୁ ପ୍ରେମ କେବଳ ଏକ ବାହାନା ମାତ୍ର। ବିଜେପି ସହିତ ନିଜର ଆଦର୍ଶଗତ ମେଳକ ସତ୍ତ୍ୱେ ବୈଜୟନ୍ତଙ୍କ ପରି ବହୁ ନେତା ବିଜୁ ପଟ୍ଟନାୟକଙ୍କ ବିଚାର ସହ ଯୋଡି ହେବାର ନାଟକ ଇ କରିଥାନ୍ତି।
ତେବେ ଆଜି ଯେତେବେଳେ ବୈଜୟନ୍ତ ନିଜ ମୁହଁ ରେ ସତ୍ୟକୁ ସ୍ଵୀକାର କରିଛନ୍ତି, ସେତେବେଳେ ତାଙ୍କୁ କେତୋଟି ଅଡୁଆ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଯଦି ଗତ ବାଇଶ ବର୍ଷ ଧରି ସେ ବିଜେପିକୁ ଆସିବାକୁ ଚାହୁଁଥିଲେ ତାହେଲେ ବିଜେଡି ରୁ ରାଜ୍ୟସଭା ଓ ଲୋକସଭା କୁ ଯାଉଥିଲେ କାହିଁକି? ୨୦୧୭ ଓଡିଶା ପଞ୍ଚାୟତ ନିର୍ବାଚନ ସମୟରେ ଓ ତା ପରେ ବିଜେପି ପ୍ରରୋଚନାରେ ସେ ବିଜେଡି ସଂସଦୀୟ ଦଳ ଓ ବିଧାୟକ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଯେଉଁ ଅଭିଯୋଗ ଆସୁଥିଲା, ତାହା ସତ୍ୟ କି? ପୁନଶ୍ଚ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ବିଷୟରେ ଏକ ଜାତୀୟ ୱେବ ସାଇଟରେ ଯେଉଁ ମିଛ ଖବର ପ୍ରକାଶ ପାଇଥିଲା, ତା ପଛରେ ଜଣେ ବିଜେପି ପ୍ରେମୀ ବିଜେଡି ସାଂସଦଙ୍କ ହାତ ରହିଛି ବୋଲି ସେତେବେଳେ କୁହାଯାଉଥିଲା। ତାହା ଆଜି ପ୍ରମାଣିତ ହୋଇ ଯାଇଛି କି?
ବିଜେପି କୁ ସୁହାଇଲା ଭଳି ପରିସ୍ଥିତି ସୃଷ୍ଟି କରାଇବାରେ ରାଜ୍ୟ କଂଗ୍ରେସକୁ ଦୁର୍ବଳ କରିବା ନିହାତି ଜରୁରୀ ଥିଲା। ସେହିପରି ବିଜେଡ଼ିରୁ ବିତାଡିତ ଅସନ୍ତୁଷ୍ଟ ନେତାମାନେ ଯେମିତି ଶକ୍ତିଶାଳୀ ନହୁଅନ୍ତି, ତାହା ଦେଖିବା ମଧ୍ୟ ଜରୁରୀ ଥିଲା। ଏ ସବୁ କୂଟନୈତିକ କାମରେ ବିଜେପି ବୈଜୟନ୍ତଙ୍କୁ ଲଗାଇ କଂଗ୍ରେସକୁ ଦୁର୍ବଳ କରିବାରେ ସଫଳ ହୋଇଛି କି? ବିଜେଡିରେ ବୈଜୟନ୍ତଙ୍କ ଗୋଟି ଚାଳନା ବିଫଳ ହେବାପରେ ସେ ବାହାରେ ରହି କଂଗ୍ରେସ ଓ ଅନ୍ୟାନ୍ୟ ବିଜେପି ବିରୋଧୀ ଶକ୍ତିକୁ ଗତ ୯ ମାସ ଧରି ଦୁର୍ବଳ କରିବାର ଉଦ୍ୟମ କରି ଆସିଛନ୍ତି। ଅବଶ୍ୟ ଏଥିଲାଗି ବୈଜୟନ୍ତଙ୍କ ତୁଳନାରେ ଓଡିଶା କଂଗ୍ରେସ ନିଜକୁ ଅଧିକ ଦାୟୀ କରିବା ଉଚିତ। ଆଦର୍ଶଗତ ଭାବରେ ବୈଜୟନ୍ତ ସଂଘ ପରିବାରର ନିକଟବର୍ତ୍ତୀ ବୋଲି ଜାଣି ମଧ୍ୟ କଂଗ୍ରେସ ତାଙ୍କୁ ସମର୍ଥନ ଦେଇ ଆସୁଥିଲା। ତେବେ ବିଜେପିର ନିକଟ ସମ୍ପର୍କୀୟ ଭାବେ ବୈଜୟନ୍ତ ବାହାରେ ରହି ବିଜେପିକୁ ସହାୟତା ଯୋଗାଇ ଆସିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପରେ ପରେ ବୈଜୟନ୍ତ ବିଜେପିକୁ ସମର୍ଥନ କରିବାକୁ ଚାହୁଁଥିଲେ। ବିଜେଡ଼ିର ସମଦୂରତା ନୀତି କାରଣରୁ ବୈଜୟନ୍ତଙ୍କ ବିଜେପି ପ୍ରୀତି କିଛିଟା ବ୍ୟାହତ ହୋଇଥିଲା। ଯଦିଓ ସେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ, ବସ୍ତୁତଃ ସେ ବିଜେପି ସଦସ୍ୟ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ଗୋଟେ ସମୟରେ ବିଜେଡିରେ ବିଭାଜନ ସୃଷ୍ଟି କରି ବିଜେପି ସହାୟତାରେ ସରକାର ଗଢିବାର ଷଡଯନ୍ତ୍ର ମଧ୍ୟ ହୋଇଥିଲା। ତାହା ସଫଳ ନହେବାରୁ ବୈଜୟନ୍ତ ବିଜେଡି ଭିତରେ ନିଜକୁ ଜଣେ ଲଢୁଆ ଆଦର୍ଶବାଦୀ ବୋଲି କହିବାକୁ ଚେଷ୍ଟା କରିଥିଲେ। ତେବେ ମୁଖ୍ୟତଃ ସେ ବିଜେଡି ଭିତରେ ବିଜେପିର “ଭେଦିଆ” ଭାବରେ ହିଁ କାମ କରୁଥିଲେ।
ସେ ଯାହା ବି ହେଉ ବାଇଶ ବର୍ଷ ଧରି ବାହାରେ ବିଜେପିର ଭେଦିଆ ହୋଇ ରହିବା ପରେ ଆଜି ସେ ନିଜ ମନ ପସନ୍ଦର ଦଳକୁ ଫେରିଥିବାରୁ, ତାଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ!!
କେଦାର ମିଶ୍ର
ଭାରତୀୟ ଜନତା ପାର୍ଟିର ଭାଷା ଓ ଭାଷଣରେ ଗୋଟେ ନାଟକୀୟତା ସବୁବେଳେ ରହି ଆସିଛି। ଏପରିକି ବିଜେପିର ତୁଙ୍ଗତମ ଜନନେତା ଅଟଳ ବିହାରୀ ବାଜପାୟୀଙ୍କ ଭାଷଣରେ ବି ନାଟକୀୟତାର ଆଭାସ ରହିଥିଲା। ହେଲେ ବାଜପାୟୀ ନେହେରୁ ସମୟର ରାଜନୀତିରୁ ଶାଳୀନତା ଓ ଭଦ୍ରତାର ଭାଷା ଶିଖିଥିଲେ। ତେଣୁ ତାଙ୍କର କଠୋର ସମାଲୋଚକ ମଧ୍ୟ ବାଜପାୟୀଙ୍କୁ ଶ୍ରଦ୍ଧାର ସହ ଶୁଣୁଥିଲେ। ତେବେ ୨୦୧୪ ପରଠୁ ବିଜେପିର ଯେଉଁ ନୂଆ ଚେହେରା ଉଦୟ ହୋଇଛି, ସେ ଚେହେରାରେ ଶିଷ୍ଟାଚାର ଓ ଶାଳୀନତାର କୌଣସି ଆଭାସ ନାହିଁ। କ୍ଷମତାର ଅହଂକାର ଓ ଏକଛତ୍ରବାଦୀ ମାନସିକତାର ଏ ଭାଷା ଏବେ କେବଳ ଭାରତୀୟ ରାଜନୀତି ନୁହେଁ, ବରଂ ଆମର ପୂରା ସାମାଜିକ ଜୀବନକୁ ଧ୍ଵସ୍ତ ବିଧ୍ଵସ୍ତ କରିବା ଆରମ୍ଭ କଲାଣି। ଏହି କ୍ରମରେ ବିଜେପିର ଜାତୀୟ ସଭାପତି ଅମିତ ଶାହା ଓଡିଶା ଆସି ଯେଉଁ ଭାଷଣ ସବୁ ଦେଉଛନ୍ତି, ତାକୁ ଶୁଣିଲେ ମାନେ ହେଉଛି, ଆମେ ବୋଧ ହୁଏ ଏବେବି ସାମନ୍ତବାଦୀ ମଧ୍ୟଯୁଗରେ ବସବାସ କରୁଛୁ। ଯେମିତି ପୁରୁଣା ସାମନ୍ତବାଦୀ ରାଜାମାନେ ନିଜର ପ୍ରତିଦ୍ଵନ୍ଦ୍ଵୀ ରାଜାକୁ ଓପାଡି ଫୋପାଡି ଦେବାର ସଂକଳ୍ପ ନେଉଥିଲେ, ଏକ ଗାଣତାନ୍ତ୍ରିକ ଦେଶର ଶାସକ ଦଳର ମୁଖିଆ ଠିକ ସେଇ ଭାଷାରେ କଥାବାର୍ତ୍ତା କରୁଛନ୍ତି।
ଅମିତ ଶାହାଙ୍କ ପ୍ରିୟ ବାକ୍ୟ ହେଉଛି- ଉଡିଶା ସରକାରକୋ ଉଖାଡ କେ ଫେକ ଦୋ। ଶାହାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବିଜେପିର ଚୁଇଁ ଚୁଇଁ ନେତା ବି କହୁଛନ୍ତି- ଏ ସରକାରକୁ ଓପାଡି ବଂଗୋପ ସାଗରରେ ଫୋପାଡିଦେବୁ। ବୋଧ ହୁଏ ଭାରତୀୟ ରାଜନୀତିରେ ଏତେ ନିମ୍ନ ସ୍ତରର ରାଜନୈତିକ ଭାଷା ଆମେ ପ୍ରଥମ ଥର ଲାଗି ଶୁଣୁଛୁ। ରାଜନୀତିରେ ବିରୋଧୀ ଦଳ ରହିବେ ଓ ସେମାନେ ଶାସକ ଦଳକୁ ବିରୋଧ ମଧ୍ୟ କରିବେ। ତେବେ ଓପାଡି କେହି କାହାକୁ ଫୋପାଡିବାର ମାଲିକ ଏଠି କେହି ନୁହନ୍ତି। ଏ ଦେଶର ଜନତା କାହାକୁ ଓପାଡିବେ, କାହାକୁ ଫୋପାଡିବେ ଓ କାହା ମୁଣ୍ଡରେ ସୁନା କଳସ ଢାଳିବେ, ସେକଥା ସେମାନେ ଭୋଟ ମାଧ୍ୟମରେ ନିର୍ଣ୍ଣୟ କରନ୍ତି। ରାଜନୈତିକ ଦଳମାନେ ଏକଥା ମଧ୍ୟ ମନେ ରଖିବା ଉଚିତ ଯେ ବହୁମତ ପାଇ ଶାସନର ଅଧିକାର ମିଳିଲେ ମଧ୍ୟ ଗଣତନ୍ତ୍ରରେ ଅଳ୍ପମତକୁ ଓପାଡି ଫୋପାଡି ଦେବାର ଅଧିକାର ମିଳିନାହିଁ। କେବଳ ଫାଶିବାଦୀ ମାନସିକତାରେ ବଞ୍ଚୁଥିବା ଲୋକ ଏପ୍ରକାର ଭାଷା ବ୍ୟବହାର କରିବାକୁ ପସନ୍ଦ କରିବ।
ନିର୍ବାଚନ ଏବେ ଆଉ ମାସେ ବାକି। ନିର୍ବାଚନରେ କିଏ ଜିତିବ ହାରିବ ସେକଥା ଲୋକେ ବିଚାର କରିବେ। ହେଲେ ଲୋକମତ ଆଗରେ ନିଜର ଅହଂକାର କୁ ଖୁବ ବଡ କରି ଥୋଇବାର ଭୟଙ୍କର ପରିଣତି ଆମ ସମାଜ ଇ ଭୋଗିବ। ଆମେ ନିର୍ବାଚନକୁ ଏକ ନିୟମିତ ଗଣତାନ୍ତ୍ରିକ ପ୍ରକ୍ରିୟା ବୋଲି ନଭାବୀ, ଏହାକୁ ଯୁଦ୍ଧ ଭାବରେ ବିବେଚନା କରିବୁ। ଏହାର ଅନ୍ତିମ ପରିଣତି ହେବ ଆମର କଷ୍ଟ ଅର୍ଜିତ ସ୍ଵାଧୀନତା ଓ ଗଣତନ୍ତ୍ରର ବିପର୍ୟୟ। ଅମିତ ଶାହା ହୁଏତ ନବୀନ ପଟ୍ଟନାୟକଙ୍କୁ ଉଖାଡି ଫୋପାଡି ଦେବାର ବାହାସ୍ଫୋଟ ମାରୁ ମାରୁ ନିଜେ କଚାଡି ହୋଇ ପଡି ଯାଇପାରନ୍ତି, ଏଇ ସମ୍ଭାବନାକୁ କିଏ ଅସ୍ଵୀକାର କରିବା!!
କ୍ଷମତା ଏମିତି କିଛି ନୁହଁ ଯେ ଆପଣ କାହାକୁ ଓପାଡି ଫୋପାଡି ଦେଇ ପାରିବେ। ଓଡିଶାରେ ନବୀନ ପଟ୍ଟନାୟକ ୧୯ ବର୍ଷ ଶାସନ କଲେଣି, ସେ କଣ କଂଗ୍ରେସ ବା ବିଜେପି କୁ ଓପାଡି ଫୋପାଡି ଦେଇ ପାରିଲେ କି ? ୭୦ ବର୍ଷର ସ୍ଵାଧୀନତା ପରେ ୫୦ ବର୍ଷ ଧରି ନିରଙ୍କୁଶ କ୍ଷମତା ଭୋଗ କରିଥିବା କଂଗ୍ରେସ ଦଳ ଆରଏସଏସ/ଜନସଙ୍ଘ/ବିଜେପିକୁ ଓପାଡି ଫୋପାଡି ପାରିଥିଲା କି? ପଶ୍ଚିମବଙ୍ଗ ଓ କେରଳରେ ଦୀର୍ଘ ବର୍ଷର ବାମପନ୍ଥୀ ଶାସନ ଦକ୍ଷିଣପନ୍ଥୀଙ୍କୁ ଓପାଡି ଫୋପାଡି ପାରିଛି କି? ଗଣତନ୍ତ୍ରର ମୂଳ ଭିତ୍ତି ହେଉଛି, ସବୁ ପ୍ରକାର ବିରୋଧ ସତ୍ତ୍ୱେ ସବୁ ପ୍ରକାର ବିଚାର ଏ ଦେଶରେ ରହିବ।
ପୁରୀରେ ଅମିତ ଶାହାଙ୍କ ଓପାଡି ଫୋପାଡି ଦେବାର ବାହାସ୍ଫୋଟ କୁ ନେଇ କ୍ରୋଧ ତୁଳନାରେ ଦୟା କରିବା ଅଧିକ ଯୁକ୍ତିଯୁକ୍ତ ହେବ । ପାଞ୍ଚ ବର୍ଷ ଧରି ବିଜେଡି ଠାରୁ ସଂସଦ ଭିତରେ ବିଜେଡି ଠାରୁ ସମର୍ଥନ ପ୍ରାର୍ଥନା କରିଥିବା ବିଜେପି ଏବେ ବିଜେଡି କୁ କଂଗ୍ରେସର ବି ଟିମ ବୋଲି କହୁଛି। ଏକଥା କହିଲା ବେଳେ ଅମିତ ଶାହା ଭୁଲି ଯାଉଛନ୍ତି ଯେ ୨୦୦୦-୨୦୦୯, ନଅ ବର୍ଷ ଧରି ବିଜେପି ନବୀନଙ୍କ ଶାସନ ର ଅଂଶୀଦାର ଥିଲା। ସେତେବେଳେ ନବୀନ ବାବୁ ଓଡିଆ କହିପାରନ୍ତି ନାହିଁ ବୋଲି ବିଜେପି ନେତାଏ ଜାଣି ନଥିଲେ କି? ଶାସନରେ ୯ ବର୍ଷ ଓ ଏନଡିଏର ଅଂଶୀଦାର ଭାବରେ ୧୩ ବର୍ଷ କାଳ ନବୀନ ବାବୁ ବିଜେପିକୁ ସହଯୋଗ ଦେଇ ଆସିଛନ୍ତି। ସେକଥା କଣ ଇତିହାସବହିରୁ ଲିଭି ଯାଇଛି?
ନିର୍ବାଚନ ଆସିବ ଓ ଯିବ, ହେଲେ ନିର୍ବାଚନ ଜିତିବା ଲାଗି କି ପ୍ରକାର ଆଚରଣ ରାଜନୈତିକ ଦଳ ଗୁଡିକ କରୁଛନ୍ତି, ତାରି ଉପରେ ଆମର ସାମାଜିକ ଭବିଷ୍ୟତ ନିର୍ମାଣ ହେବ। ରାସ୍ତା ଘାଟର ଟପୋରି କିମ୍ବା ଚାରଣିଆ ଗୁଣ୍ଡା ଭଳି ଭାଷା ବ୍ୟବହାର ଗୋଟେ ଜାତୀୟ ଦଳର ସଭାପତିଙ୍କ ମୁହଁ ରେ ଅତି କଦର୍ୟ ଶୁଭୁଛି, ଏକଥା ଅମିତ ଶାହାଙ୍କୁ କେହି ବୁଝାଇ କହିବା ଉଚିତ ନୁହଁ କି? ଆଶା କରାଯାଉ, ଭାରତର ଜଣ ସାଧାରଣ ତାଙ୍କୁ ଏକଥା ଆଉ ଅଳ୍ପ ଦିନ ଭିତରେ ବୁଝାଇ ଦେବେ।