ରାଜକୋଟ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ସମ୍ମୁଖରେ 341 ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଶିଖର ଧଓ୍ବନ୍(96), ବିରାଟ କୋହଲି(78) ଏବଂ କେ ଏଲ୍ ରାହୁଲ(80) ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 340 ରନ୍ ସଂଗ୍ରହ କରିଛି । ପ୍ରଥମ ଓ୍ବିକେଟ୍ରେ ରୋହିତ ଶର୍ମା(42) ଏବଂ ଧଓ୍ବନ୍ 81 ରନ୍ର ଭାଗିଦାରୀ କରିଥିବା ବେଳେ ଜାମ୍ପା ରୋହିତଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ । ତୃତୀୟ ଓ୍ବିକେଟ୍ରେ ଧଓ୍ବନ୍ (96) ଏବଂ କୋହଲି (78) 103 ରନ୍ର ଭାଗିଦାରୀ କରିଥିଲେ । ଶତକରୁ ଚାରି ରନ୍ ଦୂରରେ ଧଓ୍ବନ୍ ଆଉଟ୍ ହେବା ପରେ ଶ୍ରେୟସ୍ ଆୟର(7) ବିଫଳ ହୋଇଥିଲେ । ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ରାହୁଲ 52ଟି ବଲ୍ର ସମ୍ମୁଖୀନ 6ଟି ଚୌକା ଏବଂ 3 ଛକ୍କା ସହାୟତାରେ 80 ରନ୍ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା 50 ରନ୍ରେ 3ଟି ଏବଂ କେନ୍ ରିଚାର୍ଡସନ୍ ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । (ଏଜେନ୍ସୀ)
Tag: Australia
ସିଡ୍ନୀ : ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍କୁ ହ୍ବାଇଟ୍ ଓ୍ବାସ୍ କରିବା ସହିତ 3-0ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଟିମ୍ ପେନ୍ଙ୍କ ଦଳ 3-0 ସିରିଜ୍ ବିଜୟ ସହିତ ଟେଷ୍ଟ ଚାମ୍ପିୟନ୍ସିପ୍ ପଏଣ୍ଟ ଟେବୁଲ୍ରେ ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି । ପୂର୍ବରୁ ପ୍ରଥମ ଦୁଇ ଟେଷ୍ଟ ଜିତି ସାରିଥିବା ଅଷ୍ଟ୍ରେଲିଆ ଅନ୍ତିମ ମ୍ୟାଚ୍କୁ 279 ରନ୍ରେ ପରାସ୍ତ କରିବା ସହିତ 3-0ରେ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ପକକ୍ଷରୁ ପ୍ରଥମ ଇନିଂସରେ ମାର୍ନସ୍ ଲାବୁଶ୍ଚାଞ୍ଜେ 215 ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ 454 ରନ୍ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲ୍ୟାଣ୍ଡ 251 ରନ୍ ସଂଗ୍ରହ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଫଲୋଅନ୍ ଡାକରା ନଦେଇ ବ୍ୟାଟିଂ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ବିତୀୟ ଇନିଂସରେ ଓ୍ବାର୍ଣ୍ଣର(111) ଶତକ ହାସଲ କରିଥିବା ବେଳେ ଲାବୁଶ୍ଚାଞ୍ଜେ(59) ଅର୍ଦ୍ଧଶତକ ହାସଲ କରିଥିଲେ । 2 ଓ୍ବିକେଟ୍ରେ 217 ରନ୍ କରି ଅଷ୍ଟ୍ରେଲିଆ ଇନିଂସ ଘୋଷଣା କରିବା ପରେ ନ୍ୟୁଜିଲ୍ୟାଣ୍ଡ ସମ୍ମୁଖରେ 416 ରନ୍ର ଅସମ୍ଭବ ବିଜୟ ଲକ୍ଷ୍ୟ ରହିଥିଲା । ଦଳ ମାତ୍ର 136 ରନ୍ରେ ସମସ୍ତ ଓ୍ବିକେଟ ହରାଇବା ସହିତ 279 ରନ୍ରେ ପରାଜୟ ବରଣ କରିଥିଲା । ମାର୍ନସ୍ ଲାବୁଶ୍ଚାଞ୍ଜେଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଏବଂ ପ୍ଲେୟର ଅଫ୍ ଦ ସିରିଜ୍ ଘୋଷଣା କରାଯାଇଥିଲା । (ଏଜେନ୍ସୀ)
ନୂଆଦିଲ୍ଲୀ,23/12 : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି20 ସିରିଜ୍ର ବିଶ୍ରାମ ନେବେ ରୋହିତ ଶର୍ମା । ଆସନ୍ତା ଡିସେମ୍ବର 26 ତାରିଖରେ ଶ୍ରୀଲଙ୍କା ବିପକ୍ଷ ଟି20 ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ତିନି ମ୍ୟାଚ୍ ବିପକ୍ଷ ସିରିଜ୍ ଆସନ୍ତା ଜାନୁୟାରୀ 5 ତାରିଖରୁ ଖେଳାଯିବ । ଅଷ୍ଟ୍ରେଲିଆ ବିଶ୍ବକପ୍ ପୂର୍ବରୁ ପ୍ରସ୍ତୁତି ପାଇଁ ଅନୁଷ୍ଠିତ ଏହି ସିରିଜ୍ରୁ ବିଶ୍ରାମ ପାଇଁ ରୋହିତ ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡିଛି । ବିସିସିଆଇର ଜନୈକ ପ୍ରତିନିଧି ନିଜ ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି । ବିଗତ ଏକ ବର୍ଷ ହେବ ରୋହିତ ନିରନ୍ତର କ୍ରିକେଟ ଖେଳୁଥିବା ବେଳେ ଭାରତୀୟ ଦିନିକିଆ ଏବଂ ଟି20 ଦଳର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି । ଚଳିତ ବର୍ଷ ରୋହିତ ଦିନିକିଆରେ 28ଟି ମ୍ୟାଚ୍ରୁ 57 ହାରରେ 1490 ରନ୍ ସଂଗ୍ରହ କରିଥିବା ବେଳେ 2019 ଦିନିକିଆ ବିଶ୍ବକପ୍ରେ 9ଟି ମ୍ୟାଚ୍ରୁ 81 ହାରରେ 648 ରନ୍ ସଂଗ୍ରହ କରିଥିଲେ । ରୋହିତଙ୍କ ଅନୁପସ୍ଥିତିରେ ଶିଖର ଧଓ୍ବନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । (ଏଜେନ୍ସୀ)
ସରୋଜ ଜେନା
କ୍ରିକେଟ୍ ବିଶ୍ବକପ୍ର ଚତୁର୍ଥ ସଂସ୍କରଣ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିଲା। ରିଲାଏନ୍ସ କପ୍ ନାମରେ ପରିଚିତ ଏହି ଟାଇଟଲ୍କୁ ପ୍ରଥମ ଥର ପାଇଁ ହାସଲ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମଥର ପାଇଁ କ୍ରିକେଟ୍ ବିଶ୍ବକପ୍ ଇଂଲଣ୍ଡ ବାହାରେ ଅନୁଷ୍ଠିତ ହେଉଥିବା ବେଳେ ଭାରତ ଏବଂ ପାକିସ୍ତାନ ମିଳିତ ଭାବରେ ଏହାର ଆୟୋଜନ କରିଥିଲେ। ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ବିଶ୍ବକପ୍ରେ ଓଭର ସଂଖ୍ୟା ୬୦ ରୁ ୫୦କୁ ହ୍ରାସ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ୭ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ସହିତ ଆଇସିସି ଟ୍ରଫି ବିଜେତା ଜିମ୍ବାଓ୍ବେ ସ୍ଥାନ ପାଇଥିଲା। ୧୯୮୩ ପରି ଏହି ଟୁର୍ଣ୍ଣାମେଣ୍ଟଟି ଡବଲ ରାଉଣ୍ଡ ରବିନ୍ ଲିଗ୍ ଏବଂ ନକ୍ଆଉଟ ଫର୍ମାଟରେ ଖେଳାଯାଇଥିଲା। ଭାରତର ୧୪ଟି ଷ୍ଟାଡିୟମ୍ରେ ଏବଂ ପାକିସ୍ତାନର ୭ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯାଇଥିଲା।
ଲିଗ୍ ପର୍ଯ୍ୟାୟ :
ଗ୍ରୁପ୍ ଏ ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜିମ୍ବାଓ୍ବେ ରହିଥିବା ବେଳେ ଗ୍ରୁପ୍ ବିରେ ପାକିସ୍ତାନ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ। ଭାରତ , ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଇଂଲଣ୍ଡ ସେମି ଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗ୍ରୁପ୍ ଏରେ ପରସ୍ପରକୁ ଥରେ ଲେଖାଏଁ ପରାସ୍ତ କରିବା ସହିତ ସେମିକୁ ଉନ୍ନୀତ ହୋଇଥିଲା। ଉନ୍ନତ ରନ୍ରେଟ୍ ହାରରେ ଭାରତ ଗ୍ରୁପ୍ ଟପ୍ପର ରହିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଲିଗ୍ ମ୍ୟାଚ୍ରେ ଭାରତକୁ ୧ରନ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନ୍, ଜିମ୍ବାଓ୍ବେକୁ ୩ରନ୍, ନ୍ୟୁଜିଲ୍ୟାଣ୍ଡକୁ ୧୭ ରନ୍, ଏବଂ ଜିମ୍ବାଓ୍ବେକୁ ୭୦ ରନ୍ରେ ପରାସ୍ତ କରିଥିଲା। ଭାରତ ନିକଟରୁ ଏକମାତ୍ର ମ୍ୟାଚ୍ରେ ୫୬ ରନ୍ରେ ପରାସ୍ତ ହୋଇଥିଲା ଅଷ୍ଟ୍ରେଲିଆ। ଗ୍ରୁପ୍ ବିରୁ ପାକିସ୍ତାନ ୫ଟି ବିଜୟ ସହିତ ପ୍ରଥମ ଏବଂ ଇଂଲଣ୍ଡ ୪ଟିବିଜୟ ସହ ଦ୍ବିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଥିଲେ।
ଚେତନଙ୍କ ହ୍ୟାଟ୍ରିକ୍ :
ଭାରତୀୟ ପେସ୍ ବୋଲର ଚେତନ ଶର୍ମା ପ୍ରଥମ ଖେଳାଳି ଭାବରେ ଏକ ବିଶ୍ବକପ୍ ହାଟ୍ରିକ୍ ହାସଲ କରିବାରେ ସକ୍ଷମ ହୋଇଥିଲେ। ଭାରତର ଶେଷ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଚେତନ। କେନ୍ ରଦରଫୋର୍ଡ, ଇଆନ୍ ସ୍ମିଥ୍ ଏବଂ ଏଓ୍ବେନ୍ ଚାଟଫେଲ୍ଡଙ୍କୁ ଲଗାତାର ବଲ୍ରେ ଆଉଟ କରି ସେ ଏହି ସଫଳତା ହାସଲ କରିଥିଲେ।
ସେମି ଫାଇନାଲ :
ସେମିଫାଇନାଲ୍ର ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଲାହୋର ଏବଂ ଅନ୍ୟଟି ବମ୍ବେରେ ଅନୁଷ୍ଠିତ ହୋଇଥିଲା। ୪ନଭେମ୍ବରରେ ଲାହୋରରେ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୮ ରନ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୭/୮ସଂଗ୍ରହ କରିଥିବା ବେଳେ ପାକିସ୍ତାନ ବିଜୟ ଠାରୁ ୧୮ ରନ୍ ଦୂରରେ ରହି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ବୁନ୍ ସର୍ବାଧିକ ୬୫ ରନ୍ ସଂଗ୍ରହ କରିଥିଲେ। ଏମ୍ ଭେଲେଟ୍ଟା ୪୮ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ। ଇମ୍ରାନ୍ ଖାନ୍ ୩୬/୩ର ଫିଗର ହାସଲ କରିଥିଲେ। ଜବାବରେ ପାକିସ୍ତାନ ପକ୍ଷରୁ ଜାଭେଦ୍ ମିଆଁଦାଦ୍(୭୦) ଏବଂ ଇମ୍ରାନ ଖାନ୍(୫୮)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ୧୮ରନ୍ ପଛୁଆ ରହିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସିଜି ମ୍ୟାକ୍ଡେର୍ମଟ୍ ୪୪ ରନ୍ ଦେଇ ୫ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ। କ୍ରେଗ୍ ମ୍ୟାକ୍ଡେର୍ମଟ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଅନ୍ୟ ଏକ ସେମିରେ ଭାରତକୁ ୩୫ରନ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଗ୍ରାହାମ ଗୁଚ୍(୧୧୫) ଏବଂ ମାଇକ୍ ଗ୍ୟାଟିଂ (୫୬) ବଳରେ ୨୫୪/୬ ସଂଗ୍ରହ କରିଥିଲା। ଜବାବରେ ଭାରତ ପକ୍ଷରୁ କେବଳ ମହମ୍ମଦ ଆଜାରୁଦ୍ଦିନ୍(୬୪) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦଳ ବିଜୟରୁ ୩୫ରନ୍ ଦୂରରେ ରହିଥିଲା।
ଫାଇନାଲ୍ :
କୋଲକାତାର ଇଡେନ୍ରେ ଅନୁଷ୍ଠିତ ଫାଇନାଲ୍ରେ ଅଷ୍ଟ୍ରେଲିଆ ଡେଭିଡ୍ ବୁନ୍ (୭୫) ଏବଂ ମାଇକ୍ ଭେଲେଟ୍ଟା(୪୫)ଙ୍କ ସହାୟତାରେ ୫ଓ୍ବିକେଟ୍ରେ ୨୫୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୨୪୬/୮ରେ ସୀମିତ ରହିଥିଲା। ଇଂଲଣ୍ଡ ପକ୍ଷରୁ ସି ଆଥେ(୫୮), ମାଇକ୍ ଗ୍ୟାଟିଂ(୪୧) ଏବଂ ଆଲାନ୍ ଲାମ୍ବ(୪୫)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ବିଜୟ ଠାରୁ ୭ରନ୍ ଦୂରରେ ରହି ଯାଇଥିଲା। ଡେଭିଡ୍ ବୁନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
ରେକର୍ଡ :
ବିଶ୍ବକପ୍ ଇତିହାସର ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ ଭାରତୀୟ ଦ୍ରୁତ ବୋଲର ଚେତନ ଶର୍ମା। ଟୁର୍ଣ୍ଣାମେଣ୍ଟରେ ୯ଟି ଛକ୍କା ମାରିଥିଲେ ନଭଜୋତ୍ ସିଦ୍ଧୁ। ଏହା ସହିତ କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ସିଦ୍ଧୁ। ଗ୍ରାହମ ଗୁଚ୍ ୮ଟି ମ୍ୟାଚ୍ରୁ ସର୍ବାଧିକ ୪୭୧ ରନ୍ ସଂଗ୍ରହ କରିଥିବା ବେଳେ କ୍ରେଗ୍ ମ୍ୟାକ୍ଡେର୍ମଟ୍ ସର୍ବାଧିକ ୧୮ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ।