Categories
ଆଜିର ଖବର

ହାଇଦ୍ରାବାଦ ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ : ବନ୍ଦାରୁ ଦତ୍ତାତ୍ରେୟ

ହାଇଦ୍ରାବାଦକୁ ଆତଙ୍କବାଦୀଙ୍କ ଭୂସ୍ବର୍ଗ କହିଛନ୍ତି ବିଜେପି ନେତା ତଥା ସିକନ୍ଦରାବାଦରୁ ବିଜେପି ସାଂସଦ ରହିଥିବା ବନ୍ଦାରୁ ଦତ୍ତାତ୍ରେୟ। ନିକଟରେ ଆଇଏସ୍‌ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ୪ ଯୁବକଙ୍କୁ ଗିରଫ କରାଯାଇଥିଲା। ସର୍ବଦା ଆଇଏସ୍‌ ଲିଙ୍କରେ ଦେଶର ଏକ ନମ୍ବର ସ୍ଥାନ ରହିବା ନେଇ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସମାଲୋଚନା କରିଛନ୍ତି ଦତ୍ତାତ୍ରେୟ। ଦତ୍ତାତ୍ରେୟ କହିଛନ୍ତି, କେସିଆର ଅସଦ୍ଦୁଦ୍ଦିନ୍‌ ଓଓ୍ବେସୀଙ୍କ ସହିତ ଭିତିରି ବୁଝାମଣା କରିଛନ୍ତି, ଫଳରେ ପୋଲିସ୍‌ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି। ପୋଲିସ୍‌ର ନିଷ୍କ୍ରିୟତା ପାଇଁ ଦେଶର ଅଧିକ ଆଇଏସ୍‌ ଆତଙ୍କୀଙ୍କ ଲିଙ୍କ ହାଇଦ୍ରାବାଦରୁ ମିଳୁଛି। ପୋଲିସ୍‌କୁ ସଶକ୍ତ କରିବା ପାଇଁ ଅନ୍ୟ ଏକ ଆତଙ୍କ ନିରୋଧୀ ସେଲ୍‌ର ନିର୍ମାଣ ପାଇଁ କହିଛନ୍ତି ଏହି ସିକନ୍ଦରାବାଦ ସାଂସଦ। ନିକଟରେ ମୋଦି ମଧ୍ୟ କେସିଆରଙ୍କୁ ସମାଲୋଚନା କରି କହିଥିଲେ, କେସିଆର ହେଉଛନ୍ତି କାର୍‌ର ଡ୍ରାଇଭର୍‌ ମାତ୍ର କାର୍‌ର ଷ୍ଟିଅରିଂ ଓଓ୍ବେସୀଙ୍କ ହାତରେ ରହିଛି। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନ ପାଇଁ ଟିଆରଏସ୍‌ ଏବଂ ଏଆଇଏମ୍‌ଆଇଏମ୍‌ ଏକତ୍ର ୧୭ଟି ଆସନରେ ନିର୍ବାଚନ ଲଢିଛନ୍ତି।