Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଅତ୍ୟାଧୁନିକ ଆୟୁଷ ଦୀକ୍ଷା କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଭୁବନେଶ୍ଵର: କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ପରିସରରେ ଏହି ଅତ୍ୟାଧୁନିକ କେନ୍ଦ୍ର ନିର୍ମାଣ କରାଯିବ।

ଏହି ଅବସରରେ ସର୍ବାନନ୍ଦ ସୋନୋୱାଲ କହିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଆୟୁଷ ଅଭିଯାନ ବିଶେଷ ଗୁରୁତ୍ୱ ଲାଭ କରିଛି । ଆମେ ଏକ ସମନ୍ୱିତ ଚିକିତ୍ସା ପଦ୍ଧତି ଆଡକୁ ଅଗ୍ରସର ହେଉଛୁ ଯେଉଁଠାରେ ଆଧୁନିକ ଚିକିତ୍ସା ପଦ୍ଧତି ସହିତ ଏକ ସଶକ୍ତ ଆୟୁଷ ଚିକିତ୍ସା ପଦ୍ଧତି ମଧ୍ୟ ବ୍ୟବହାର କରାଯିବ । ସେ ଆହୁରି କହିଛନ୍ତି ଯେ ଆଜି ଆମେ ଏଠାରେ ଆୟୁଷ ଦୀକ୍ଷା କେନ୍ଦ୍ରର ଯାତ୍ରା ଆରମ୍ଭ କରୁଛୁ, ଏହି କେନ୍ଦ୍ର ଆୟୁଷ ପେସାଦାରମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ସକ୍ଷମ କରିବ ତଥା ଦେଶବାସୀଙ୍କୁ ବିଶ୍ୱସ୍ତରୀୟ ରୋଗୀ ସେବା ପ୍ରଦାନ କରିବାରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ । ଏହା ଶକ୍ତିଶାଳୀ ଆୟୁଷ ଆନ୍ଦୋଳନ ଏବଂ ଏକ ସୁସ୍ଥ ଓ ସୁଖୀ ଜୀବନ ଅନୁଭୂତି ପ୍ରଦାନ ଦିଗରେ ବିଶ୍ୱସ୍ତରୀୟ ଆନ୍ଦୋଳନର ପ୍ରୟାସ କ୍ଷେତ୍ରରେ ଉତପ୍ରେରକ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଆୟୁଷ ଅଭିଯାନ ପୁଣି ଥରେ ଶକ୍ତି ହାସଲ କରିଛି । ଯୋଗ କିପରି ସୁସ୍ଥ ଜୀବନଯାପନ ଦିଗରେ ସମଗ୍ର ବିଶ୍ୱରେ ବିପ୍ଳବ ଆଣିପାରିଛି ତାହା ଆମେ ସମସ୍ତ ଜାଣିଛୁ। ଭାରତର ଅନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତିଗୁଡ଼ିକୁ ସକ୍ଷମ ଏବଂ ସଶକ୍ତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ସହିତ ମୋଦୀଜୀଙ୍କ ଏକ ସୁସ୍ଥ ଭାରତ ପରିକଳ୍ପନା ସାକାର ହେବ ବୋଲି ଆମର ବିଶ୍ୱାସ ରହିଛି ବୋଲି ସେ କହିଥିଲେ । ଶ୍ରୀ ସୋନୱାଲ କହିଥିଲେ, ସମନ୍ୱିତ ଚିକିତ୍ସା ପଦ୍ଧତି ଦେଶବାସୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ କାରଣ ସେମାନେ ନିଜ ଶାରୀରିକ ଓ ମାନସିକ ସୁସ୍ଥତାକୁ ସଶକ୍ତ କରି ରୋଗର ଉପଶମ କରିବା ସହିତ ସେମାନଙ୍କ ଜୀବନର ଗୁଣବତ୍ତାକୁ ଉନ୍ନତ କରିବା ଦିଗରେ ଅଗ୍ରସର ହୋଇପାରିବେ।

ଆୟୁଷ ଦୀକ୍ଷା ଅନୁଷ୍ଠାନ ଆୟୁଷ ପେସାଦାର, ବିଶେଷକରି ଆୟୁର୍ବେଦ ଚିକିତ୍ସକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବ । ଏହି ଅନୁଷ୍ଠାନର ଲକ୍ଷ୍ୟ ହେଉଛି ରାଜସ୍ୱ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାତୀୟସ୍ତରର ପ୍ରମୁଖ ଅନୁଷ୍ଠାନଗୁଡ଼ିକ ସହ ଭାଗିଦାରୀ ପ୍ରତିଷ୍ଠା କରିବା ଜରିଆରେ ଦକ୍ଷତା ବିକାଶ, ମାନବ ସମ୍ବଳକୁ ସୁଦୃଢ଼ କରିବା, ଗବେଷଣା ଓ ବିକାଶକୁ ସୁଗମ କରିବା ଏବଂ ଆତ୍ମ-ନିର୍ଭରଶୀଳତା ହାସଲ କରିବା । ଆୟୁଷ ଦୀକ୍ଷା କେନ୍ଦ୍ର ୩୦ କୋଟି ଟଙ୍କା ବଜେଟରେ ନିର୍ମାଣ କରାଯାଉଛି । ଏଥିରେ ୨ଟି ସଭାଗୃହ, ସମସ୍ତ ସୁବିଧା ସହ ୪୦ଟି ଆଧୁନିକ କୋଠରୀ, ଭିଆଇପିଙ୍କ ପାଇଁ ସୁଇଟ୍, ପ୍ରାକୃତିକ ପାଠାଗାର ପାଇଁ ଉତ୍ସର୍ଗୀକୃତ ସ୍ଥାନ, ଆଲୋଚନା କକ୍ଷ, ମଡ୍ୟୁଲାର ରୋଷେଇ ଘର, ଡାଇନିଂ ଲାଉଞ୍ଜ ସମେତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିବ ।

ଆଜିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ (ଲୋକସଭା) ଅପରାଜିତା ଷଡ଼ଙ୍ଗୀ, ସିସିଆରଏଏସ୍‌ର ମହାନିର୍ଦ୍ଦେଶକ ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟଙ୍କ ସମେତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଓ ଆୟୁଷ ପେସାଦାରମାନେ ଉପସ୍ଥିତ ଥିଲେ। ସିଏଆରଆଇ, ଭୁବନେଶ୍ଵର ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ସଂସ୍ଥା କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏସ) ଅଧୀନରେ ଏକ ୟୁନିଟ୍ ଭାବେ କାର୍ଯ୍ୟ କରିଥାଏ। ଏଠାରେ ଆରମ୍ଭ ହେବାକୁ ଯାଉଥିବା ଅନୁଷ୍ଠାନ ‘ଆୟୁଷ ଦୀକ୍ଷା’ ଆୟୁର୍ବେଦ କ୍ଷେତ୍ରରେ ବିଜ୍ଞାନ ସମ୍ମତ ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଆଗକୁ ବଢ଼ାଇବା ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ବର: ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ଷ୍ଟେସନ ମୁଖ୍ୟାଳୟ, ସ୍ଥଳସେନା ଷ୍ଟେସନ, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ। ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ । ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ । ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ନିମ୍ନୋକ୍ତ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଧାରିତ ଆବେଦନପତ୍ରରେ ଆବେଦନ ପଠାଇପାରିବେ।

ନୋଡାଲ ଅଧିକାରୀ ଏବଂ ତାଙ୍କ ଠିକଣା ହେଲା – ଚଣ୍ଡିଚରଣ ଚାଟାର୍ଜୀ (ଏସଏଓ), କାର୍ଯ୍ୟାଳୟ : ଆଇଏଓ (ଏ), ଠିକଣା – ୬୫୪, ସହିଦ ନଗର, ଭୁବନେଶ୍ୱର, ଓଡ଼ିଶା – ୭୫୧୦୦୭, ଫୋନ ନମ୍ବର : ୯୪୩୪୯୩୯୯୫୯, ଇମେଲ୍‌ ଆଇଡି : [email protected] । ଆହୁରି ଅବସରପ୍ରାପ୍ତ କର୍ମଚାରୀମାନେ  ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଟ ରେଳ ସେବା ପୁରସ୍କାର- 2023: ର୍ବତଟ ରେଳପଥ ପକ୍ଷରୁ 46 ରେଳ କର୍ମଚାରୀ ସମ୍ମାନିତ

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ଆଜି ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା – 2023 ପୁରସ୍କାର ସମାରୋହ ପାଳନ କରିଛି.

ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା ସହିତ ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ ହୋଇଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ଶ୍ରୀ ଶର୍ମା ଉତ୍ସର୍ଗୀକୃତ, ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ମହାପ୍ରବନ୍ଧକଙ୍କ ବିଶେଷ ପୁରସ୍କାର “ବିଶିଷ୍ଟ ରେଳ ସେବା ପୁରସ୍କାର” ରେଳବାଇ କର୍ମଚାରୀମାନଙ୍କୁ ପ୍ରଦାନ କରି ସମ୍ମାନିତ କରିଛନ୍ତି। ସମୁଦାୟ 46 ଜଣ ରେଳ କର୍ମଚାରୀଙ୍କୁ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଦୁଇଟି ଦଳଗତ ପୁରସ୍କାର ପ୍ରଦାନ କରାଯାଇଅଛି ଯେଉଁ ମାନେ ସଙ୍କଟ ସମୟରେ ରେଳ ଟ୍ରାଫିକ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଦିନ ରାତି କଠିନ ପରିଶ୍ରମ କରି ରେଳ ଯାତାୟାତ କୁ ସ୍ୱାଭାବିକ କରିବାପାଇଁ ଉଲ୍ଲେଖନୀୟ ଅବଦାନ କରିଥିଲେ।

ଏହି ଅବସରରେ ବିଭିନ୍ନ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳକୁ ପୂର୍ବତଟ ରେଳପଥର ସର୍ବୋତ୍ତମ ମାନ୍ୟତା ଦିଆଯାଇ ସାମଗ୍ରିକ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା। ୱାଲଟିୟର ରେଳ ମଣ୍ଡଳର ଶ୍ରୀକାକୁଲମ୍ ରୋଡ୍ ରେଳ ଷ୍ଟେସନ୍ କୁ ବଡ଼ ଷ୍ଟେସନ ବର୍ଗରେ ଏବଂ ସମ୍ବଲପୁର ରେଳ ମଣ୍ଡଳର ବରଗଡ ରୋଡ୍ ଷ୍ଟେସନ୍ କୁ ଛୋଟ ଷ୍ଟେସନ ବର୍ଗରେ ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ କ୍ଲିନଲିନେସ ସିଲ୍ଡ ପ୍ରଦାନ କରାଯାଇଅଛି।

ବିଶିଷ୍ଟ ରେଳ ସେବା ପୁରସ୍କାର 2023 ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାପତି ଦିବ୍ୟା ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଯୋଗଦାନ କରିଥିବାବେଳେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଶିଷ୍ଟ ରେଳ ସେବା ପୁରସ୍କାର 2023 ସମାରୋହରେ ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ଅବସରରେ ତାଙ୍କର ବକ୍ତବ୍ୟରେ ପୁରସ୍କାର ଗ୍ରହଣ କରିଥିବା ରେଳ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିଥିଲେ।  ରେଳପଥର ଉପ ମହାପ୍ରବନ୍ଧକ ବିଶ୍ୱଜିତ୍ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୮ ଓ ୧୯ରେ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ବର ନୟାପଲ୍ଲୀ ବିଦ୍ୟୁତ ମାର୍ଗ ସ୍ଥିତ ଷ୍ଟେସନ ମୁଖ୍ୟାଳୟ, ସ୍ଥଳସେନା ଷ୍ଟେସନ, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ (ବାୟୁ ସେନା), ନୂଆଦିଲ୍ଲୀଙ୍କ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ। ପ୍ରତିରକ୍ଷା ସିଭିଲିୟାନଙ୍କ ସମେତ ପ୍ରତିରକ୍ଷା ପେନସନଭୋଗୀଙ୍କର ବିଭିନ୍ନ ସମସ୍ୟା ଏହି ଶିବିରରେ ସମାଧାନ କରାଯିବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ, ତିନି ସେନା ମୁଖ୍ୟାଳୟ, ପ୍ରତିରକ୍ଷା ଲେଖା ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କୋଷାଗାର ଅଧିକାରୀ, ପେନସନଭୋଗୀ ଓ ସେମାନଙ୍କର ପରିବାରବର୍ଗ ଏହି ଶିବିରରେ ଯୋଗଦେବେ । ୧୮ ତାରିଖ ପୂର୍ବାହ୍ନ ୧୦ଟାରୁ ପେନସନ ଶିବିର ଆରମ୍ଭ ହେବ । ପେନସନ ସଂକ୍ରାନ୍ତ ସମସ୍ୟା ରହିଥିବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ, ଅଧିକାରୀ, ପ୍ରତିରକ୍ଷା ସିଭିଲିୟାନ କର୍ମଚାରୀମାନେ ନିମ୍ନୋକ୍ତ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଧାରିତ ଆବେଦନପତ୍ରରେ ଆବେଦନ ପଠାଇପାରିବେ।

ନୋଡାଲ ଅଧିକାରୀ ଏବଂ ତାଙ୍କ ଠିକଣା ହେଲା – ଚଣ୍ଡିଚରଣ ଚାଟାର୍ଜୀ (ଏସଏଓ), କାର୍ଯ୍ୟାଳୟ : ଆଇଏଓ (ଏ), ଠିକଣା – ୬୫୪, ସହିଦ ନଗର, ଭୁବନେଶ୍ୱର, ଓଡ଼ିଶା – ୭୫୧୦୦୭, ଫୋନ ନମ୍ବର : ୯୪୩୪୯୩୯୯୫୯, ଇମେଲ୍‌ ଆଇଡି : [email protected] । ଆହୁରି ଅବସରପ୍ରାପ୍ତ କର୍ମଚାରୀମାନେ  ଆବଶ୍ୟକ ଜରୁରି କାଗଜପତ୍ର ସହ ଉପରୋକ୍ତ ଠିକଣାରେ ସକାଳ ସାଢେ ୮ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱର ଏବଂ କଟକ ରେଲୱେ ଷ୍ଟେସନ୍ ପୁନର୍ବିକାଶର ପ୍ରଗତି ସମୀକ୍ଷା

ଭୁବନେଶ୍ୱର: ରେଳ, ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭଦ୍ରକ-ଭୁବନେଶ୍ୱର ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା, ଟ୍ରାଫିକ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ନିରୀକ୍ଷଣ ସମୟରେ ସେ ରେଳ ଅଧିକାରୀଙ୍କୁ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି।

ପରେ, ଶ୍ରୀ ବୈଷ୍ଣବ କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ବିଶ୍ୱ ସ୍ତରୀୟ ଷ୍ଟେସନ ଭାବରେ ଏହି ଷ୍ଟେସନଗୁଡିକର ପୁନର୍ବିକାଶ ସମ୍ବନ୍ଧୀୟ ନିର୍ମାଣ ପାଇଁ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀ ବୈଷ୍ଣବ ଖୁସି ବ୍ୟକ୍ତ କରିଛନ୍ତି।

ମାଣିଆବନ୍ଧ ହସ୍ତଶିଳ୍ପ:

ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନ ଗସ୍ତ ସମୟରେ ମାଣିଆବନ୍ଧ ହସ୍ତାଶିଳ୍ପ ସାମଗ୍ରୀ ଷ୍ଟଲ୍ ପରିଦର୍ଶନ କରିଥିଲେ। କଟକ ରେଳ ଷ୍ଟେସନରେ ଥିବା ଏକ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍ କଟକ ଜିଲ୍ଲାର ମାଣିଆବନ୍ଧ ଗ୍ରାମର ହ୍ୟାଣ୍ଡଲୁମ୍ ଉତ୍ପାଦ ସହିତ ପ୍ରଦର୍ଶିତ ଓ ବିକ୍ରି ପ୍ରାରମ୍ଭ ହୋଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନିକଟରେ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ସ୍ଥାନୀୟ ବୁଣାକାରମାନଙ୍କୁ “ୱାନ ଷ୍ଟେସନ ୱାନ ପ୍ରଡକ୍ଟ” ପଦକ୍ଷେପ ଅନ୍ତର୍ଗତ କଟକ ଷ୍ଟେସନରେ ମାଣିଆବନ୍ଧ ଷ୍ଟଲ ଖୋଲିବାକୁ ଆଶ୍ୱାସନା ଦେଇଥିଲେ।

ମାଣିଆବନ୍ଧ ଗ୍ରାମ ପରିଦର୍ଶନ ସମୟରେ ଏହାରୀ ବୈଷ୍ଣବ ହୃଦୟଙ୍ଗମ କରିଥିଲେ ଯେ 10 ଟି ପରିବାର ଯିଏକି ଲୁଗାବୁଣା କାର୍ଯ୍ୟରେ ସୁତା କାଟିବା, ରଙ୍ଗଦେବା ଓ ବୁଣିବା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଲୁଗାବୁଣି ସ୍ୱଳ୍ପ ପଇସାରେ ମଧ୍ୟମ ବ୍ୟକ୍ତି ମାଧ୍ୟମରେ ବିକ୍ରି କରୁଥିଲେ ଯାହାକି ପରିଶ୍ରମର ସିଂହଭାଗ ମଧ୍ୟମ ବ୍ୟକ୍ତି ନେଉଥିବାବେଳେ ଏମାନଙ୍କୁ ସ୍ୱଳ୍ପ ଅର୍ଥରାଶି ମିଳୁଥିଲା। ସେଥିପାଇଁ ଶ୍ରୀ ବୈଷ୍ଣବ ଏହି 10ଟି ପରିବାରର ସାମଗ୍ରୀ ବିକ୍ରିପାଇଁ କଟକ ଷ୍ଟେସନ ଠାରେ ଗୋଟିଏ ଷ୍ଟେସନ ଗୋଟିଏ ଦ୍ରବ୍ୟ / ପ୍ରଡକ୍ଟ ସ୍ଟଲ ଯୋଗାଇ ଦେବାପାଇଁ ମାଣିଆବନ୍ଧ ଗ୍ରାମର ଏହି ବୁଣାକାର ମାନଙ୍କୁ ଗତ ସପ୍ତାହରେ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ବୈଷ୍ଣବ ଦେଇଥିବା ପ୍ରତିଶୃତିକୁ ମାତ୍ର ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାଯାଇଅଛି। ଏବେ ଏହି ବୁଣାକାର ମାନେ ସିଧାସଳଖ ଭାବେ ସେମାନଙ୍କର ସାମଗ୍ରୀ ବିକ୍ରିକରି ନିଜ ପରିଶ୍ରମର ଉଚିତ ପାଉଣା ପାଇପାରିବେ।

Categories
ଧର୍ମ ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଭୁବନେଶ୍ୱରର ୫୦୭ଟି ଧାର୍ମିକସ୍ଥଳୀର ହେବ ରୂପାନ୍ତର, ପାଣ୍ଡିଆନଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପଗୁଡକର ନୂତନ ନିର୍ମାଣ ସହିତ ଉନ୍ନତିକରଣ କାର୍ଯ୍ୟ କରାଯିବ।

ସୂଚନାଯୋଗ୍ୟ ଯେ ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଇତ୍ୟାଦିର ଉନ୍ନତିକରଣ ଓ ବିକାଶ ପାଇଁ ନିବେଦନ ପତ୍ର ଆସିଥିଲା। ବି.ଏମ.ସି.ର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ।

ରିପୋର୍ଟ ଆଧାରରେ ସମ୍ପୃକ୍ତ କମିଟିର ସଦସ୍ୟ ଓ ଜନପ୍ରତିନିଧିମାନଙ୍କ ସହିତ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏସବୁ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ, ମୁଖ୍ୟମନ୍ତ୍ରୀ ଏହିସବୁ ଉନ୍ନୟନ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଉଲ୍ଲେଖ୍ୟଯ

ସୂଚନାଯୋଗ୍ୟ ଯେ ସ୍ମାର୍ଟ ସିଟି ଭୁବନେଶ୍ୱର ମନ୍ଦିରମାଳିନୀ ନଗରୀ ଭାବରେ ପ୍ରସିଦ୍ଧ। ୭୦୦ରୁ ଉର୍ଦ୍ଧ ମନ୍ଦିର ଏଠାରେ ରହିଛି। ବହୁ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମନ୍ଦିର ମଧ୍ୟ ଏଠାରେ ଅଛି। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏସବୁ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥାନ୍ତି।

ଏହିସବୁ ପ୍ରାଚୀନ କୀର୍ତ୍ତିରାଜି ସହିତ ସମସ୍ତ ଧାର୍ମିକସ୍ଥଳୀ ଗୁଡିକର ସୌନ୍ଦର୍ଯ୍ୟକରଣ, ଉନ୍ନତିକରଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର ହୋଇଛି। ଏଥି ସହିତ ବିଭିନ୍ନ ଗୋଷ୍ଠୀ ସମ୍ପତ୍ତି, କ୍ଲବ, ମହିଳା ସମିତି ଗୃହ ଓ ପୂଜା ମଣ୍ଡପଗୁଡିକର ନୂତନ ନିର୍ମାଣ ସହିତ ବିକାଶ କାର୍ଯ୍ୟ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ପ୍ରଥମ ଥର ପାଇଁ କଟକ ଭୁବନେଶ୍ବର ପାରଦ ୧୩ ଡ଼ିଗ୍ରୀକୁ ଖସିଲା

ଭୁବନେଶ୍ବର: ଚଳିତ ବର୍ଷର ଶୀତ ଋତୁରେ କଟକ ଭୁବନେଶ୍ବର ସହରର ପାରଦ ୧୩ ଡ଼ିଗ୍ରୀକୁ ଖସିଛି। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଭୁବନେଶ୍ୱରର ତାପମାତ୍ରା ୧୩.୨ ଡ଼ିଗ୍ରୀ ଥିବା ବେଳେ କଟକରେ ୧୩.୫ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି।

ଗତକାଲି ରାତିରେ ଦୁଇ ସହରର ତାପମାତ୍ର ବେଶ ହ୍ରାସ ପାଇଥିବାର ଅନୁଭବ କରାଯାଇଥିଲା। କାରଣ ରାତି ଆରମ୍ଭ ହେବା ମାତ୍ରେ ବେଶ ଶୀତ ଅନୁଭବ କରାଯାଉଥିଲା। ଫଳରେ ଗତକାଲି ରାତିରେ ଅନେକ ଦୋକାନ ବଜାର ବହୁପୂର୍ବରୁ ବନ୍ଦ କରିଦେଇଥିଲେ। ତେବେ ଏହି ତାପମାତ୍ରା ଆଗକୁ ଆହୁରି ହ୍ରାସ ପାଇବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବାତ୍ୟାର ପ୍ରଭାବ, ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରୀ

ଭୁବନେଶ୍ବର: ଆଜି ରାଜଧାନୀରେ ବାତ୍ୟା ମିଗଜୋମର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ସକାଳୁ ପାଗ ମେଘୁଆ ରହିବା ପରେ ବର୍ଷା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ରାଜଧାନୀର ସମସ୍ତ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ଜଣାପଡିଛି।

ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ ରଖି ଭୁବନେଶ୍ବର ପାଣିପାଗ ବିଭାଗ ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଆଗାମୀ ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ପାଇଁ ୟେଲୋ ଚେତବନୀ ଜାରି କରାଯାଇଛି।

ସେପଟେ ବାତ୍ୟା ମିଗଜୋମ ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତ ଏବଂ ପରବର୍ତୀ ୬ଘଣ୍ଟାରେ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ବରରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ

ଭୁବନେଶ୍ବର: ଆଜିଠାରୁ ଦୁଇଟି ନୂଆ ରୁଟରେ ଚାଲିବ ମୋ ବସ। ସେ ନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନସପୋର୍ଟ ବା କ୍ରୁଟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ 5 ତାରିଖ ବା ଆଜିଠାରୁ ଏହି ଦୁଇଟି ରୁଟରେ ଚାଲିବ ମୋ ବସ ଏକ୍ସପ୍ରେସ ସେବ।

ତେବେ ଯେଉଁ ଦୁଇଟି ରୁଟରେ ଏହି ମୋ ବସ ଚାଲିବା ପାଇଁ ନିଷ୍ପତି ହୋଇଛି ତାହା ହେଲା ଗୋଟିଏ ଭୁବନେଶ୍ବର ଏୟାରପୋର୍ଟରୁ ଯିବ କଟକ। ସେହିପରି ଅନ୍ୟ ବସଟି ଭୁବନେଶ୍ବର ଏୟାର ପୋର୍ଟରୁ ଯିବ ପୁରୀ। ଏହା ପୁରୀ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଓହ୍ଲାଇବ। ଖୁବ ଶିଘ୍ର ଆଉ ତିନୋଟି ନୂଆ ରୁଟରେ ବସ ଚଳାଚଳ ପାଇଁ ଘୋଷଣା ହେବ ବୋଲି କ୍ରୁଟ ତରଫରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରକୁ ମିଳିଲା ପୂର୍ବାଞ୍ଚଳ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରକୁ ଶ୍ରେଷ୍ଠ ପୂର୍ବାଞ୍ଚଳ ସ୍ମାର୍ଟ ସିଟି ପୁରସ୍କାର ପ୍ରଦାନ କରିଛନ୍ତି। ମଧ୍ୟ ପ୍ରଦେଶ ଇନ୍ଦୋରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପୁରସ୍କାର ଗ୍ରହଣ କରିଥିଲେ।

ଏଥିସହିତ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍)ର ମହାପ୍ରବନ୍ଧକ ସୁବ୍ରତ କୁମାର ବେହେରା ପୁରସ୍କାର ଗ୍ରହଣ ବେଳେ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ ଅଧୀନରେ ୨୦୧୮ରୁ ଆଇଏସ୍‌ଏସି ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର ଏବଂ ମଧ୍ୟପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆଜି ପ୍ରବଳ ବଜ୍ରପାତ, ଲୋକେ ଆତଙ୍କିତ, ରାସ୍ତାଘାଟରେ ପାଣିର ଲହଡି

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ପ୍ରବଳ ବଜ୍ରପାତ ସହିତ ବର୍ଷା ହୋଇଯାଇଛି। ତେବେ ଏହି ବଜ୍ରପାତର ଶଦ୍ଦ ଏତେ ଜୋରଥିଲା ଯେ, ଘର ଦୋହଲି ଯାଉଥିଲା। ପ୍ରାୟ ଅପରାହ୍ନ 2 ଟାରୁ ଏହା ଆରମ୍ଭ ହୋଇ 4ଟା ପର୍ଯ୍ୟନ୍ତ ଚାଲିଥିଲା। ଚଡଚଡି ସହିତ ଏପରି ଘଡଘଡି ଶୁଣି ଲୋକେ ଆତଙ୍କିତ ହୋଇପଡିଥିଲା।

ଆଜି ଅପରାହ୍ନ ପ୍ରାୟ 2 ଟା ପରେ ଭୁବନେଶ୍ବର ପୁରା ଅନ୍ଧକାରମୟ ହୋଇଯାଇଥିଲା। କଳାହାଣ୍ଡିଆ ମେଘ ପୁରା ରାଜଧାନୀକୁ ଢାଙ୍କି ଦେଇଥିଲା। ଏହାପରେ ପରେ ଘଡଘଡି ଓ ଚଡଚଡିରେ ଆକାଶ ପ୍ରକମ୍ପିତ ହୋଇଯାଇଥିଲା। ଲଗାତର ପଛକୁପଛ ଘଡଘଡ ଚଡଚଡି ଲାଗି ରହିଥିଲା। ଫଳରେ ଲୋକେ ଘର ଭିତରେ ବସି ରହି ଭଗବାନକୁ ଡାକିବାରେ ଲାଗିଥିଲା।

ଏପରି ପରିସ୍ଥିତିରେ ବସ୍ତି ବାସିନ୍ଦାଙ୍କ ଅବସ୍ଥା କହିଲେ ନ ସରେ। ସେମାନଙ୍କ ଘର ଭିତରେ ପାଣି ପଶିବା ସହିତ ଚଡଚଡିରେ ସେମାନେ ପୁରା ଛାନିଆ ଅବସ୍ଥା ଭିତରେ ଗତି କରୁଥିଲେ। ଆଜି ରାଜଧାନୀରେ ଯେପରି ବର୍ଷା ଓ ବଜ୍ରପାତ ହେଲା ପୂର୍ବରୁ କେବେ ହୋଇ ନ ଥିଲା ବୋଲି ଅନେକ କହନ୍ତି। କାରଣ ଗୋଟିଏ ପରେ ଗୋଟିଏ ଘଡଘଡି ମାରିବା ଅନେକକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଏହି ସମୟରେ ଯେଉଁମାନେ ରାସ୍ତାରେ ଗାଡି ଧରି ଯାଉଥିଲେ ସେମାନଙ୍କର ଅବସ୍ଥା ଆହୁରି ଖରାପ ହୋଇପଡିଥିଲା। ସେମାନେ ଭୟରେ କଲର୍ଭଟ ଭିତରେ ଆଶ୍ରମ ନେଉଥିଲେ। ଏପରିକି ଅନେକ ରାସ୍ତାରେ ଗାଡି ଥୋଇ ନିକଟସ୍ଥ ଦୋକାନ କିମ୍ବା ଘରେ ଆଶ୍ରୟ ନେଇଥିଲେ। ଫଳରେ ରାସ୍ତାରେ ଗାଡି ଜାମ ହୋଇପଡିଥିଲା। ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଯାଉଥିବାରୁ ଅନେକଙ୍କୁ ଗାଡି ଚଳାଇ ଯିବା ସମ୍ଭବ ମଧ୍ୟ ହୋଇ ନ ଥିଲା।

ଭୁବନେଶ୍ବରର ମୁଖ୍ୟ ରାସ୍ତା ରାଜମହଲରୁ ମାଷ୍ଟରକାଣ୍ଟିନ ମଧ୍ୟରେ ପାଣି ଲହଡି ଭାଙ୍ଗୁ ଥିଲା। ସେହିପରି କଳିଙ୍ଗ ଷ୍ଟାଡିୟମରୁ ପାୱାରହାଉସ ଛକ ପର୍ଯ୍ୟନ୍ତ ପାଣି ଲହଡି ଡିଭାଇଡରରେ ପିଟି ହେଉଥିବାର ଦେଖିବାକୁ ମିଳିଥିଲା। ଚିରାଚରିତ ପାଣିଜମିବା ସ୍ଥାନ ଇସ୍କନ ସାମନାରେ ପୂର୍ବ ପରି କୃତିମ ହ୍ରଦ ସୃଷ୍ଟି ହୋଇଥିଲା। ସେଠାରେ କାର ବୁଡିଯିବାର ଅବସ୍ଥା ପରିଲକ୍ଷିତ ହୋଇଥିଲା।

ବମିଖାଲ, ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ପାଣି ଜମି ରହିଛି। ସେହିପରି ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବର୍ଷାପାଣିରେ ଉବୁଟୁବୁ। ସେହିପରି ବର୍ଷାରେ ବେହାଲ ହୋଇଯାଇଛି ପୁରୁଣା ଭୁବନେଶ୍ବର। ବିବେକାନନ୍ଦ ମାର୍ଗ ଓ ରଥ ରୋଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ରାସ୍ତାଘାଟରେ ପାଣି ବୁଡ଼ି ରହିଥିବାରୁ ବହୁସ୍ଥାନରେ ଟ୍ରାଫିକ ଜାମ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବାତ୍ୟା ପରି ଅବସ୍ଥା, ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ଉପୁଡି ପଡିଛି ଗଛ

ଭୁବନେଶ୍ବର: ଗତକାଲିର ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ବରର ଅବସ୍ଥା ସାଂଘାତିକ ହୋଇପଡିଛି। ରାସ୍ତାଘାଟରେ ପାଣି ଜମି ଏକ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ସମୟ ଧରି ରାସ୍ତାରେ ଯାତାୟାତ ପୁରା ଠପ ହୋଇପଡିଥିଲା। ପ୍ରବଳ ବର୍ଷା ସହିତ ଭୟଙ୍କର ବଜ୍ରପାତ ଲୋକଙ୍କୁ ଅସ୍ତବ୍ୟସ୍ତ କରାଇଦେଇଥିଲା।

ସେହିପରି ଏହି ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇପଡିଥିବା ମଧ୍ୟ ଜଣାପଡିଛି। ଗତକାଲି ରାତିରୁ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ରାସ୍ତା ସଫା କରିବା କାମରେ ନିୟୋଜିତ ଅଛନ୍ତି।

ଗତକାଲି ରାତିରେ ଭୁବନେଶ୍ବରର ଖଣ୍ଡଗିରି, ଘାଟିକିଆ, ସହିଦନଗର, ଭୀମଟାଙ୍ଗୀ, ଡୁମଡୁମା, ପୁରୁଣା ଭୁବନେଶ୍ବର, ପଟିଆ ପ୍ରଭୃତି ଅଞ୍ଚଳରେ ଗଛ ଉପୁଡି ପଡିଛି। ବଡବଡ ଗଛ ଉପୁଡି ରାସ୍ତା ଉପରେ ପଡିରହିଛି। ଏହି ବର୍ଷାରେ ରାଜଧାନୀର ଅବସ୍ଥା ଏମିତି ହେବ ବୋଲି କାହାର ବିଶ୍ବାସ ହେଉ ନାହିଁ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଖୋଲିପାରୁ ନାହିଁ ଭୁବନେଶ୍ବରର ମାର୍କେଟ ବିଲିଡିଂ, ହୋଇପାରୁ ନାହିଁ ସମାଧାନ, ହାତ ଟେକିଦେଲା ବିଏମସି

ଭୁବନେଶ୍ବର: ରାଜଧାନୀର ବଡ ବ୍ୟବସାୟିକ ପେଣ୍ଠ ହେଉଛି ମାର୍କେଟ ବିଲିଡିଂ। ଯେଉଁଠାକୁ କେବଳ ରାଜଧାନୀ ବାସିନ୍ଧା ନୁହେଁ, ଖୋର୍ଦ୍ଧା ପୁରୀର ଗ୍ରାହକମାନେ ମଧ୍ୟ ଏହି ସ୍ଥାନକୁ କାରବାର କରିବାକୁ ଆସିଥାନ୍ତି। ହେଲେ ଦୁଃଖର କଥା ମାର୍କେଟ ବିଲିଡିଂ ସ୍ଥାୟୀ ବ୍ୟବସାୟୀ ସଂଘ, ବିଏମସି ଏବଂ ଉଠା ଦୋକାନୀଙ୍କ ମଧ୍ୟରେ ବିବାଦ ପାଇଁ ବର୍ତ୍ତମାନ ଏହି ବ୍ୟବସାୟିକ ପେଣ୍ଠ ବନ୍ଦ ରହିଛି।

୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ମାର୍କେଟ ବିଲିଡିଂ ବନ୍ଦ ରହିଛି। ବର୍ତ୍ତମାନ କେହି ଶୁଣିବାକୁ ରାଜି ନ ଥିବାରୁ ଏହି ବିବାଦ ବଢିବାରେ ଲାଗିଛି। ମାର୍କେଟ ବିଲିଡିଂ ସ୍ଥାୟୀ ବ୍ୟବସାୟୀ ସଂଘର ଦାବୀ ବିଏମସି ତୁରନ୍ତ ଏହା ଭିତରେ ଥିବା ଉଠା ଦୋକାନୀଙ୍କୁ ହଠାନ୍ତୁ। ହେଲେ ଆଇନ କଟକଣା ନେଇ ବିଏମସି ଏମାନଙ୍କୁ ହଠାଇ ପାରୁ ନାହିଁ। ସେପଟେ ଉଠା ବ୍ୟବସାୟୀ ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛି। ସେମାନେ ମଧ୍ୟ ଦାବୀ କଲେଣି ଯେ, ଆମକୁ ସେଠାରେ ଥଇଥାନ କରାଯାଉ।

ତେବେ ସୂଚନା ଅନୁସାରେ ମାର୍କେଟ ବିଲିଡିଂ ସ୍ଥାୟୀ ବ୍ୟବସାୟୀ ସଂଘ ବର୍ତ୍ତମାନ ରାଜଧାନୀର ବିଭିନ୍ନ ବ୍ୟବସାୟୀ ସଂଘ ସହିତ ଆଲୋଚନା କରୁଛି। ଖୁବ ଶିଘ୍ର ରାଜଧାନୀର ସମସ୍ତ ବ୍ୟବସାୟଙ୍କୁ ବନ୍ଦ କରିବେ ବୋଲି ପ୍ରସ୍ତାବ ରହିଛି। ଏହା ଯଦି ହୁଏ ବ୍ୟବସାୟୀ ପରିବାର ସହିତ ହଜାର ହଜାର ଗ୍ରାହକ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ। ଯାହା ବିଏମସିକୁ ବେଶ ମହଙ୍ଗା ପଡିବ।

ମାର୍କେଟ ବିଲିଡିଂର ଏହି ସ୍ଥାୟୀ ସଂଘ ବନାମ ଉଠା ଦୋକାନୀ ମଧ୍ୟରେ ବିବାଦ ବହୁ ପୁରୁଣା ଘଟଣା। ଦୀର୍ଘ ବର୍ଷ ଧରି ଏମାନଙ୍କ ମଧ୍ୟରେ ଲାଗିଛି ଘଟଚପଟ। ମଝିରେ ଏହାର ସମାଧାନ କରିବାକୁ ଯାଇ ଉଠା ଦୋକାନୀଙ୍କୁ ହଟାଇ ଦିଆଯାଇଥିଲା। ହେଲେ କିଛି ମାସ ପରେ ସେମାନେ ଧିରେ ଧିରେ ପୁଣି ଆସ୍ଥାନ ଜମାଇବା ଆରମ୍ଭ କଲେ। ଫଳରେ ମାମଲ କୋର୍ଟରେ ପହଞ୍ଚିଲା।

ବର୍ତ୍ତମାନ ବିଏମସି କୋର୍ଟ ଅର୍ଡରକୁ ଅନୁଧ୍ୟାନ କରି ପଦକ୍ଷେପ ନେବ ବୋଲି ବାରମ୍ବାର କହୁଥିଲେ ମଧ୍ୟ ତାହା କାର୍ଯ୍ୟରେ ପରିଣତ ହୋଇପାରୁ ନାହିଁ। ସ୍ଥାୟୀ ବ୍ୟବସାୟୀ ସଂଘ ବିଏମସି ମେୟର, କମିଶନରଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ତାହାକ ସମାଧାନ ହୋଇପାରୁ ନାହିଁ।

କମିଶନର କହୁଛନ୍ତି ଆମକୁ ଆଉ କିଛି ଦିନ ସମୟ ଦିଅନ୍ତୁ। ହେଲେ ଆନ୍ଦୋଳନରୁ ଓହରି ଯାଆନ୍ତୁ। ହେଲେ ତାହାକୁ ସ୍ଥାୟୀ ବ୍ୟବସାୟୀ ସଂଘ ମାନିବା ପରିବର୍ତ୍ତେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଅଣ୍ଟା ଭିଡିଛନ୍ତି। ରାଜଧାନୀରେ ସମସ୍ତ ବ୍ୟବସାୟୀ ସଂଘକୁ ମେଳି କରି ଆଗାମୀ ଦିନରେ ପୁରା ଭୁବନେଶ୍ବର ବନ୍ଦ କରିବାକୁ ଯୋଜନା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Good News: ଏଣିକି ଭୁବନେଶ୍ବରରେ ମିଳିବ ମାଗଣା ୱାଇଫାଇ, ୩୦ ଏମବିପିଏସ ସ୍ପିଡ୍

ଭୁବନେଶ୍ବର: ରାଜଧାନୀ ବାସିନ୍ଦାଙ୍କ ପାଇଁ ଏକ ଖୁସି ଖବର। ଏଣିକି ସେମାନେ ମାଗଣାରେ ପାଇପାରିବେ ୱାଇଫାଇ ସେବା। ୩୦ ଏମବିପିଏସ ସ୍ପିଡରେ ଏହି ମାଗଣା ୱାଇଫାଇ ଯୋଗାଇ ଦିଆଯିବ। ଭୁବନେଶ୍ବର ବାସିନ୍ଦା ଦିନକୁ ୫୦୦ ଏମବିପିଏସ ଦୈନିକ ଡାଉନଲୋଡ କରିପାରିବେ।

ବର୍ତ୍ତମାନ ରାଜଧାନୀରେ ଏହି ମାଗଣା ୱାଇଫାଇ ସୁବିଧା ୫୦୦ଟି ସ୍ଥାନରେ ଲାଗୁ କରାଯିବ ବୋଲି ନିଷ୍ପତି ହୋଇଛି। ଏ ନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ବା ବିଏସସିଏଲ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଭୁବନେଶ୍ବରରେ ଖୁବ ଶିଘ୍ର ମାଗଣା ୱାଇଫାଇ ସଂଯୋଗ ପ୍ରଦାନ କରାଯିବ। ଏ ନେଇ ଭୁବନେଶ୍ବରର ବାସିନ୍ଦାଙ୍କ ଅପେକ୍ଷାର ଶେଷ ହେଲା।

Categories
ଆଜିର ଖବର ରାଜ୍ୟ ଖବର

BREAKING: ବର୍ଷାରେ ଭାସିବ କଟକ ଭୁବନେଶ୍ବର, ଚେତାବନୀ ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: କଟକ ଭୁବନେଶ୍ବର ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏ ନେଇ ସତର୍କ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଏଥିରେ କୁହାଯାଇଛି ଯେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ସତର୍କ କରାଯାଇଛି। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। କେତେକ ସ୍ଥାନରେ ଘଡଘଡି ସହିତ ବର୍ଷା ହେବ। ହେଲେ ପ୍ରାୟ ଦୁଇ ତିନୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।

ଏ ନେଇ ପାଣିପାଗ ବିଭାଗ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ଅବଗତ କରାଇଛନ୍ତି। ଏଥିରେ କୁହାଯାଇଛି ଯେ, ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ କଟକ ଭୁବନେଶ୍ବରର ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହାଦ୍ବାରା ଟ୍ରାଫିକ ବ୍ୟବସ୍ଥା ପ୍ରଭାବତି ହୋଇପାରେ ଏବଂ ବିଭିନ୍ନ ସ୍ଥାନରେ ପାଣି ଜମିବାର ସମ୍ଭାବନା ରହିଛି ବୋଲି ସତର୍କ କରାଯାଇଛି। ସେହିପରି ରାସ୍ତାରେ ଥିବା ମ୍ୟାନହୋଲ ଏବଂ ବିଦ୍ୟୁତ ତାର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱରରରେ ବିଡିଏ କରିବ ୪୫ ଟି ଟାଉନ୍ ପ୍ଲାନିଂ ସ୍କିମ, ଜାଣନ୍ତୁ କେଉଁଠି ହେବ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବି.ଡି.ଏ)ର ବିଭିନ୍ନ ଅଂଚଳରେ ଟାଉନ୍ ପ୍ଲାନିଂ ସ୍କିମ୍ର ଲୋକପ୍ରିୟତା ଯୋଗୁ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ଜଣାପଡିଛି।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ବି.ଡି.ଏର ଉପାଧ୍ୟକ୍ଷ ସଂଜୟ କୁମାର ସିଂ ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ସ୍କିମର ଅଗ୍ରଗତି ସମୀକ୍ଷାକରି ପ୍ରତି ଟାଉନ୍ ପ୍ଲାନିଂ ଅଂଚଳରେ ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ନିମନ୍ତେ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରତି ସ୍କିମ୍ ଅଂଚଳରେ ମୁଖ୍ୟ ରାସ୍ତା ଗୁଡ଼ିକୁ ପୁର୍ତ୍ତ ବିଭାଗ ଏବଂ ଭିତର ରାସ୍ତାଗୁଡ଼ିକୁ ବି.ଡି.ଏ ନିର୍ମାଣ କରିବେ ବୋଲି ବୈଠକରେ ସ୍ଥିର ହୋଇଥିଲା। ଜଳ ଯୋଗାଣ ଏବଂ ନର୍ଦ୍ଦମା ପରିଚାଳନା ନିମନ୍ତେ ଦୂରଦର୍ଶୀ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ୍ୱାଟ୍କୋଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍କିମ୍ ଅଂଚଳ ମାନଙ୍କରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିମନ୍ତେ ସବିଶେଷ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ଟାଟା ପାଓ୍ୱାର କେନ୍ଦ୍ରୀୟ ବିତରଣ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବି.ଡି.ଏ ଉପାଧ୍ୟକ୍ଷ ସଂଜୟ ସିଂ କହିଥିଲେ ଯେ ଭୁବନେଶ୍ୱର ଦୃତ ବର୍ଦ୍ଧିଷ୍ଣୁ ସ୍ଥିତି ଦୃଷ୍ଟିରୁ ବି.ଡି.ଏଦ୍ୱାରା ୪୫ ଟି ଟାଉନ୍ ପ୍ଲାନିଂ ସ୍କିମ୍ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଟି ସ୍କିମ୍ ଆରମ୍ଭ କରାଯାଇଛି ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି ।

ଏହା ବ୍ୟତିତ ଅନ୍ୟ ୯ ଟି ସ୍କିମ୍ର ପ୍ରାରମ୍ଭିକ ପ୍ରସ୍ତୁତି କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସ୍କିମ୍ ନମ୍ବର-୧,୨,୩, ଏବଂ ୪ ରେ କ୍ଷେତ୍ରସ୍ତରୀୟ ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟା ପ୍ରସ୍ତୁତି ଏବଂ ବଣ୍ଟନ କାର୍ଯ୍ୟ ଚାଲିଛି । ଆସନ୍ତା ୧ ରୁ ୨ ମାସ ମଧ୍ୟରେ ସମସ୍ତ ସଂଶୋଧିତ ପଟ୍ଟା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଟଉନ୍ ପ୍ଲାନିଂ ସ୍କିମ୍-୧ ସହଜପୁର, ନାରୋଗଦା, ସିଜୁପୁଟ ଏବଂ ପାଇକରାପୁର ମୌଜାରେ କରାଯାଉଛି । ସେହିପରି ସ୍କିମ୍-୨ ତମାଣ୍ଡୋ ଏବଂ ବିଜିପୁର ମୌଜା; ସ୍କିମ୍-୩ ନୂଆାଗାଁ ଓ ପାଇକରାପୁର; ଏବଂ, ସ୍କିମ୍-୪ ଶ୍ୟାମସୁନ୍ଦରପୁର ମୌଜାରେ କରାଯାଉଛି । ଏହି ୪ଟି ସ୍କିମ୍ ସମୁଦାୟ ୧୬୦୦ ଏକର ଜମି ଉପରେ କରାଯାଉଛି । ଏସବୁରେ ପ୍ରାୟ ୧.୫୦ ଲକ୍ଷରୁ ଅଧିକ ଲୋକ ବସବାସ କରିପାରିବେ ।

ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ୪ଟି ସ୍କିମ୍ର ବିକାଶ ପାଇଁ ପ୍ରାୟ ୭୪୯ କୋଟି ଟଙ୍କାର ବିନିଯୋଗ କରାଯିବ । ମୌଳିକ ଭିତ୍ତିଭୂମି ସୃଷ୍ଟିକରାଯିବା ପରେ ଏହି ସ୍କିମ୍ ଗୁଡ଼ିକ ନିଜେ ନିଜ ପାଇଁ ରାଜସ୍ୱ ସୃଷ୍ଟି କରିବା ନିମନ୍ତେ ସମର୍ଥ ହେବେ ବୋଲି ଉପାଧ୍ୟକ୍ଷ ଶ୍ରୀ ସିଂ ଜଣାଇଥିଲେ ।

ନଗର ଏବଂ ଗୃହ ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଂଚାୟତି ରାଜ ଏବଂ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ବି.ଡି.ଏ ର ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ସମୟରେ ଭୁବନେଶ୍ବବାସୀଙ୍କ ସମସ୍ୟା ହେଲେ ଏହି ନମ୍ବରକୁ ଫୋନ କରନ୍ତୁ, ମିଳିବ ସାହାଯ୍ୟ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ଜୱାଦ ପ୍ରଭାବରେ ଭୁବନେଶ୍ବର କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି। କାରଣ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜଧାନୀରେ ଜଳମଗ୍ନ ହୋଇପାରେ। ସେଥିପାଇଁ ଭୁବନେଶ୍ବର ମହାନଗର ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଏମସ ଅଧିକାରୀମାନେ ରାଜଧାନୀର ବିଭିନ୍ନ ସ୍କୁଲରେ ଥଇଥାନ ତଥା ରିଲିଫ ପ୍ରସ୍ତୁତି ପାଇ ତଦାରଖ କରିଛନ୍ତି।

ମୁଖ୍ୟତଃ ବାତ୍ୟା ସମୟରେ ରିଲିଫ ପ୍ରଦାନ, ଜଳ ନିଷ୍କାସନ ଏବଂ ପୁନଃନିର୍ମାଣ କାର୍ଯ୍ୟ କରିବା ପାଇଁ ବିଏମସି ଏକ ଟିମ ଗଠନ କରିଛି। ଏହି ଟିମର ସହାୟତା ପାଇଁ ବିଏମସି ଏକ ଟୋଲ ଫ୍ରି ନମ୍ବର ଜାରୀ କରିଛି। ଯାହାର ନମ୍ବର ହେଲା 1929 & 18003450061। ଏଥିସହିତ ଲ୍ୟାଣ୍ଡ ଲାଇନରେ ମଧ୍ୟ କଲ କରିପାରିବେ, ନମ୍ବର ହେଲା 0674- 2431253।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଚାଞ୍ଚଲ୍ୟ : ରାଜଧାନୀରେ ଦିନ ଦିପହରରେ ମହିଳାଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ୱର, ରାଜଧାନୀର ଏୟାର ଫିଲଡ଼ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଫେଜ -୧ ରେ ରହୁଥିବା ଜଣେ ମହିଳାଙ୍କୁ ବିଭସ୍ଛ ଭାବେ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରିଯାଇଛି। ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀରକୁ ଏୟାର ଫିଲଡ଼ ଥାନା ପୋଲିସ ଘର ଭିତରୁ ଜବତ କରିଛି। ସେହି ଘର ଭିତରୁ ଅନ୍ୟ ଜଣେ ଗୁରୁତର ଭାବେ ଆହତ ଯୁବକଙ୍କୁ ମଧ୍ୟ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ରାକେଶ ସାହୁ ଚିହ୍ନଟ କରିଛନ୍ତି,। ମୃତ ମହିଳାଙ୍କ ନାମ ହେଉଛି ପ୍ରିୟଦର୍ଶିନୀ ସାହୁ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଏୟାର ଫିଲଡ଼ ଥାନା ଅଧିକାରୀ, ଏସିପି, ତଥା ଭୁବନେଶ୍ୱର ଡିସିପି ପହଂଛି ତଦନ୍ତ ଆରମ୍ଭ କରିସାରିଲେଣି। ସାଇଣ୍ଟିଫିକ ଟିମ ମଧ୍ୟ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲିପାଟଣା ଅଞ୍ଚଳରେ ସର୍ବାଧିକ ବର୍ଷା, ଜାଣନ୍ତୁ କଟକ ଭୁବନେଶ୍ବରର କେଉଁ ସ୍ଥାନରେ କେତେ ବର୍ଷା

ଭୁବନେଶ୍ବର, ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଭୁବନେଶ୍ବରର ଏୟାରପୋର୍ଟ ଅଞ୍ଚଳରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଅଞ୍ଚଳରେ ଗତ 24 ଘଣ୍ଟାରେ 113.2 ମିଲିମିଟର ବର୍ଷା ହୋଇଛି।

ସେହିପରି କଟକ ସହରର କଣ୍ଟାପଡାରେ 190 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସାଲେପୁରରେ ମଧ୍ୟ 101 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୯୩: ସୁସ୍ଥ ହେଲେ ୫୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୭୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୫୦୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୫୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୭ ହଜାର ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୧୬୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୭୪୫: ସୁସ୍ଥ ହେଲେ ୩୯୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫୯୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୨୩୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୪ ହଜାର ୨୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୭୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।