ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଶିକ୍ଷାକ୍ଷେତ୍ରରେ ଶତ ପ୍ରତିଶତ ଏଫ୍ଡିଆଇକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଶତ ପ୍ରତିଶତ ଏଫ୍ଡିଆଇ ଦ୍ବାରା ଭାରତୀୟ ଶିକ୍ଷାନୀତି ଏବଂ ଅର୍ଥନୀତି ପ୍ରଭାବିତ ହେବ କି ନାହିଁ ବୋଲି ପାତ୍ର ପ୍ରଶ୍ନ କଗରିଥିବା ବେଳେ ଅନୁରାଗ ଠାକୁର ଏହା ଉପରେ ଉତ୍ତର ରଖିଥିଲେ । ଭାରତୀୟ ଯୁବପିଢି ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏହି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହେବ ନାହିଁ । ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାର ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।
Tag: BJD
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡି ପକ୍ଷରୁ ସମବେଦନା ପ୍ରକାଶ ପାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ବିଜେପି ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବାରୁ ସରକାରଙ୍କ ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ଭଳି ବିଜେଡି ରାଜନୀତି କରେ ନାହିଁ ବୋଲି ସସ୍ମିତ କହିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବି କରିଛି ବିଜେଡି । ଉଲ୍ଲେଖଯୋଗ୍ୟ ଯେ, ଘଟଣା ପରେ ପୋଲିସ୍ ପକ୍ଷରୁ ଠିକାଦାରଙ୍କୁ ଗିରଫ କରାଯାଇଛି ।
ସଂବିତ ତ୍ରିପାଠୀ
ଭୁବନେଶ୍ବର- ବର୍ତ୍ତମାନ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂର୍ବତ୍ତନ ବିଧାୟକ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ହୋଡିଂ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖା ଅଛି ICON OF SILENT SUCESS । ଯାହାକୁ ଓଡିଆରେ କୁହାଯାଇ ପାରିବ ନିରବର ସଫଳ ବ୍ୟକ୍ତିତ୍ବ । ତେବେ ଏହା ଦିଲ୍ଲୀପ ରାୟଙ୍କ ଜୟନ୍ତି କମିଟ ତରଫରୁ କରାଯାଇଥିଲେ ମଧ୍ୟ ତା ପଛରେ ଦିଲ୍ଲୀପଙ୍କ ହାତ ରହିଛି ଏଥିରେ ସନ୍ଦେହ ନାହିଁ। ଏହି କମିଟ ତରଫରୁ ଦିଲ୍ଲୀପଙ୍କ ଜନ୍ମଦିନ ପ୍ରତିବର୍ଷ ପାଳନ କରାଯାଏ। ହେଲେ ଚଳିତ ବର୍ଷ ଯେପରି ଧୂମଧାମରେ ପାଳନ କରାଯାଇଛି ସେଥିରୁ କାହିଁକି କେଜାଣି ରାଜନୈତିକ ଗନ୍ଧ ବାରି ହୋଇ ପଡୁଛି। ତାଙ୍କର ଜନ୍ମଦିନ କାର୍ଯ୍ୟକ୍ରମରେ ବଲଉଡ ଅଭିନେତା ଗୋବିନ୍ଦା ଆସିଥିଲେ। ହେଲେ ତାହା ବଡ କଥା ନୁହେଁ। ବଡ କଥା ହେଲା ତାଙ୍କ ଜନ୍ମଦିନରେ ମଞ୍ଚରେ ଏବଂ ଦର୍ଶକ ଭାବେ ବସିଥିଲେ ବହୁ ବିଜେଡି ନେତା ଆଉ ଖୁବ କମ ବିଜେପି ନେତା।
ଦିଲ୍ଲୀପଙ୍କ ହୋଡିଂରେ ଲେଖାଥିବା ସେହି ସ୍ଲୋଗାନ, ନିରବତାର ସଫଳ ବ୍ୟକ୍ତିତ୍ବ କଥାକୁ ତର୍ଯ୍ୟମା କଲେ ଜଣାପଡେ ତାହା ସତକଥା । କାରଣ ଗତ ନିର୍ବାଚନରେ ଦିଲ୍ଲୀପ ବିଜେଡି ତରଫରୁ ପ୍ରାର୍ଥୀ ହେବେ ବୋଲି ବହୁ ଆଶା କରିଥିଲେ। ଏପରିକି ସେ ଏକାକି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଖା ମଧ୍ୟ କରିଥିଲେ। ହେଲେ କାହିଁକି କେଉଁଠି ତାଙ୍କର ସେ ଯୋଜନା ସଫଳ ହୋଇପାରିଲା ନାହିଁ। ତାଙ୍କର ପରମ ବନ୍ଧୁ ବିଜୟ ମହାପାତ୍ର ବିଜେପି ଛାଡିବା ଏବଂ ପୁଣି ଯୋଗଦେବା ପ୍ରସଂଗକୁ ଦିଲ୍ଲୀପଙ୍କ ହଜମ କରିପାରି ନ ଥିଲେ। ସେଥିପାଇଁ ସମସ୍ତେ ଆଶା କରୁଥିଲେ ଦିଲ୍ଲୀପ ବିଜୟ ହାତ ଛାଡି ବିଜେଡି ହାତ ଧରିବେ। ନିର୍ବାଚନ ସରିଗଲା ସିନା ଦିଲ୍ଲୀପଙ୍କ ଭାଗ୍ୟରେ ସେପରି କିଛି ଉଦୟ ହେଲା ନାହିଁ।
ବର୍ତ୍ତମାନ ଦିଲ୍ଲୀପଙ୍କ ନିକଟତମ ମହଲର ଖବର ଅନୁସାରେ ସେ ବିଜେଡିରେ ମିଶିବା ପାଇଁ ସବୁ ପ୍ରକାରର ଯୋଜନା କରିସାରିଛନ୍ତି। ଏତିସହିତ ବିଜେଡି ମଧ୍ୟ ତାଙ୍କୁ ନେବା ପାଇଁ ରାଜି ହୋଇଯାଇଛି। ନିକଟରେ ଯେଉଁ 4ଟି ରାଜ୍ୟସଭା ପଦ ଖାଲି ରହୁଛି ସେଥିରୁ ଦିଲ୍ଲୀପଙ୍କୁ ଗୋଟିଏ ଦେବା ପାଇଁ କୁଆଡେ ସୁପ୍ରିମୋ ରାଜି । ହେଲେ ତା ପୂର୍ବରୁ ଅର୍ଥାତ ଆସନ୍ତା ଫେବୃୟାରୀରେ ଦିଲ୍ଲୀପ ବିଜେଡିରେ ମିଶିବେ। ଫଳରେ ଦୀର୍ଘଦିନ ଧରି ଦିଲ୍ଲୀପ ଯେପରି ରାଜନୈତିକ କ୍ୟାରିୟରକୁ ନେଇ ଚିନ୍ତା ଗ୍ରସ୍ତ ଥିଲେ ଏବେ ଟିକିଏ ହାଲକା ହୋଇଯାଇଛନ୍ତି। ସେଥିପାଇଁ ଏଥରର ଜନ୍ମ ଦିନଟି ବହୁ ଆଡମ୍ବରରେ ପାଳନ କଲେ ବୋଲି ତାଙ୍କ ସମର୍ଥକମାନେ ସ୍ପଷ୍ଟ କରିଛନ୍ତି। କାରଣ ଏତେ ବଡ ନିର୍ବାଚନ ଗଲା ଏତେ ହୋ ହାଲ୍ଲା ହେଲା ହେଲେ ଦିଲ୍ଲୀପ ପୁରୀ ନିରବ ରହିଗଲେ। ଏପରିକି ଲୋକେ ତାଙ୍କର ନାମକୁ ଭୁଲିବାକୁ ମଧ୍ୟ ଯାଉଥିଲେ। ସେପରି ସ୍ଥିତିରେ ତାଙ୍କର ଜନ୍ମଦିନ ପାଳନ ଆଳରେ ସାରା ଭୁବନେଶ୍ବରରେ ହୋଡିଂ ମାରି ଦିଲ୍ଲୀପ ଏବେବି ସକ୍ରିୟ ଅଛନ୍ତି ବୋଲି ଜଣାଇଦେଲେ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,31/12 : ଭୁବନେଶ୍ବର ଟ୍ରାଫିକ୍ କମିଶନରେଟ ପକ୍ଷରୁ ବିଜେଡି କର୍ମୀଙ୍କୁ 25 ହଜାର ଟଙ୍କା ଜରିମାନା କରାଯାଇଛି । ବିଜୁ ଜନତା ଦଳର 23 ତମ ପ୍ରତିଷ୍ଠା ଦିବସରେ ବିନା ହେଲମେଟ୍ରେ 25 ଜଣ ଲୋକ ଶୋଭାଯାତ୍ରା କରୁଥିଲେ । ଏହା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ଘୋଷଣା କରାଯାଇଥିଲା । ମଙ୍ଗଳବାର ଦିନ ଟ୍ରାଫିକ୍ ବିଭାଗ ପକ୍ଷରୁ ଏହି ଜରିମାନା ଘୋଷଣା କରାଯାଇଛି । ଜଣେ ବ୍ୟକ୍ତି ପିଛା ହଜାରେ ଟଙ୍କା ହିସାବରେ ଏହି ଜରିମାନା ଆଦାୟ କରାଯାଇଥିବା ଟ୍ରାଫିକ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 28/12: ସମସ୍ତ ରାଜନୈତିକ ଦଳଗୁଡ଼ିକ ବାଇକ୍ ରାଲିବେଳେ ହେଲମେଟ୍ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ପୋଲିସ୍ କମିଶନର । ବାଇକ୍ ରାଲି ଉପରେ ପୋଲିସ୍ର କଡ଼ା ନଜର ରହିଛି ବୋଲି କହିବା ସହିତ ବିଭିନ୍ନଦଳର ରାଲି ସମୟର ସିସିଟିଭି ଫୁଟେଜ୍ର ଯାଞ୍ଚ ଚାଲିଛି ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ନିକଟରେ ମୋଟର ଯାନ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲା ପରେ ବିନା ହେଲମେଟ ପାଇଁ ମୋଟା ଶୁଳ୍କ ଆଦାୟ କରାଯାଉଛି। ଏହି ଆଇନ କବଳରୁ ନେତା, ରାଜନେତା, ଫିଲ୍ମ ତାରକା, ସାମ୍ବାଦିକ କି ସାଧାରଣ ଜନତା କେହି ବି ଏହି ନିୟମରୁ ଖସି ପାରିବେନି ବୋଲି କମିଶନରେଟ ପୋଲିସ୍ ନିୟମ ହୋଇଥିବା ସତ୍ତ୍ବେ ବିଜେଡ଼ି ପ୍ରତିଷ୍ଠା ଦିବସ ଅବସରରେ ବିଜେଡ଼ି ନେତାମାନେ ବିନା ହେଲମେଟରେ ବାଇକ୍ ରାଲି କରିଥିଲେ। ଏହକୁ ନେଇ ବୁଦ୍ଧିଜୀବୀମାନେ ପୋଲିସ୍କୁ ସମାଲୋଚନା କରିଥିଲେ।
କେଦାର ମିଶ୍ର
ଯେତେବେଳେ ଓଡିଶା ରାଜନୀତିରେ ବିଶେଷ କିଛି ପ୍ରସଙ୍ଗ ନଥାଏ, ସେତେବେଳେ ଗଣମାଧ୍ୟମରେ ଦୁଇଟି କଥା ଟାଣି ଓଟାରି ଚର୍ଚ୍ଚାକୁ ଅଣା ହୁଏ। ପ୍ରଥମ- ନବୀନଙ୍କ ସ୍ୱାସ୍ଥ୍ୟ ଓ ଦ୍ଵିତୀୟ- ନବୀନଙ୍କ ଉତ୍ତରାଧିକାର। ଏହି ଦୁଇଟି ଯାକ ପ୍ରସଙ୍ଗ ଗଲା ଦଶ ବର୍ଷ ଧରି ମଝିରେ ମଝିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଆସିଛି। କାହିଁକି ଓ କେଉଁ ସୂତ୍ରରୁ ଏ ଖବର ଆସେ, ସେ କଥା କେହି ଜାଣନ୍ତି ନାହିଁ। ହେଲେ ସପ୍ତାହେ ଅଧେ ଚର୍ଚ୍ଚାରେ ରହିବା ପରେ ଏ ପ୍ରସଙ୍ଗ ଆପେ ଆପେ ମଉଳି ଯାଏ। ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟକୁ ନେଇ ଶହେ ଥର ଏମିତି ଗୁଜବ ଉଠିଛି ଓ ମିଳେଇ ଯାଇଛି। ସେମିତି ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଗତ ୨୦୧୨ରୁ ଆମେ ଶୁଣି ଆସୁଛୁ। ଯଦି ପୁରୁଣା ଖବର କାଗଜ ଓ ଟେଲିଭିଜନ ଲାଇବ୍ରେରୀ ଅଣ୍ଡାଳିବା, ତାହେଲେ ଏ ପ୍ରକାର ଶହ ଶହ ଖବର ଆମ ଆଖିରେ ପଡିବ। ଏ ପ୍ରକାର ଖବର ବିଜୁ ଜନତା ଦଳ ଉପରେ କିମ୍ବା ଓଡିଶାବାସୀଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇପାରେ ନାହିଁ।
ଏ ସମ୍ପର୍କିତ ନୂଆ ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି ଗତ ବିଜେଡି ପ୍ରତିଷ୍ଠା ଉତ୍ସବରେ ନବୀନ ଦେଇଥିବା ଭାଷଣକୁ ନେଇ। ନବୀନ କୁଆଡେ ନିଜ ଉତ୍ତରାଧିକାରୀ ପ୍ରସଙ୍ଗ ତାଙ୍କ ଭାଷଣରେ ଈଶାରା ଦେଇଥିବା କଥା କୁହାଯାଉଛି। ନବୀନ ପଟ୍ଟନାୟକଙ୍କର ଏକଦା ଘନିଷ୍ଠ ମିତ୍ର ଓ ଆଜିକାର ପରମ ଶତ୍ରୁ ପାଲଟିଥିବା ଜଣେ ପୂର୍ବତନ ସାଂସଦଙ୍କ ମାଲିକାନାରେ ଥିବା ଏକ ଗଣମାଧ୍ୟମ ସଂସ୍ଥା ଏହି ପ୍ରସଙ୍ଗରେ ବେଶ ଉତ୍ସାହଜନକ ଆଲୋଚନା କରୁଛନ୍ତି। ଏହି ପ୍ରସଙ୍ଗରେ ଗୋଟେ ଅଧେ ଜାତୀୟ ଖବର କାଗଜ ମଧ୍ୟ ଆଲୋଚନା କରିଥିବାର ଦେଖିବାକୁ ମିଳିଛି। ତେବେ ସତରେ ନବୀନ ତାଙ୍କ ଭାଷଣରେ ଉତ୍ତରାଧିକାରୀ ପ୍ରସଙ୍ଗ ଉଠାଇଛନ୍ତି କି? ବରଂ ନବୀନ ତାଙ୍କ ଭାଷଣରେ ତାଙ୍କ ଉତ୍ତରାଧିକାର ପ୍ରସଙ୍ଗକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହିତ, ଓଡିଶାର ଜନ ସାଧାରଣ ହିଁ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି କହିଛନ୍ତି।
ଏ ପ୍ରସଙ୍ଗ ଆଲୋଚନା କଲାବେଳେ ଗତ ଚାରି ବର୍ଷ ଧରି ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଦେଇଥିବା ଭାଷଣକୁ ତୁଳନା କରି ଦେଖିବାକୁ ପଡିବ। ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ସବୁବେଳେ ବିଜେଡ଼ିକୁ ଲୋକଙ୍କ ଆନ୍ଦୋଳନ ଓ ଏହା କୌଣସି ନେତାଙ୍କ ଉପରେ ନିର୍ଭର କରେନାହିଁ ବୋଲି କହି ଆସିଛନ୍ତି। ଏପରିକି ମୁଁ ମଧ୍ୟ ଦଳ ଲାଗି ଅପରିହାର୍ୟ ନୁହେଁ ବୋଲି କହିବା ପଛରେ, ବିଜେଡ଼ିକୁ ଭବିଷ୍ୟତ ଲାଗି ନିଜ ଲକ୍ଷ୍ୟ ଥୟ କରିବାର ଏକ ପରାମର୍ଶ ରହିଛି। ଯେତେବେଳେ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ସାଙ୍ଗଠନିକ ଦାୟିତ୍ଵ ବୁଝୁଥିଲେ, ସେ ଏହାକୁ ଏକ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ସବୁବେଳେ କହି ଆସୁଥିଲେ। ପ୍ୟାରୀ ବାବୁଙ୍କ ସମୟରୁ ବିଜେଡ଼ିର ଏକ ସୁଦୃଢ ସାଙ୍ଗଠନିକ ଆଧାର ସୃଷ୍ଟି ହୋଇଛି ଓ ସମୟକ୍ରମେ ଏହା ଅଧିକ ଶକ୍ତିଶାଳୀ ହୋଇଛି।
୨୦୧୪ ଓ ୨୦୧୯ ନିର୍ବାଚନରେ ଓଡିଶାରେ ବିଜେଡ଼ିର ବିପୁଳ ବିଜୟ ପଛରେ ଏହି ସାଙ୍ଗଠନିକ ଶକ୍ତି କାମ ଦେଇଛି। ବିପୁଳ ମୋଦୀ ହାୱା ଓ ବିଜେପିର ପରାକ୍ରମୀ ପ୍ରଚାରକୁ କେବଳ ନବୀନଙ୍କ ଭାବମୂର୍ତ୍ତି ଜରିଆରେ ଜିତିବା ସମ୍ଭବ ନଥିଲା। ଅବଶ୍ୟ ନବୀନଙ୍କ ଭାବମୂର୍ତ୍ତି ବିଜେଡ଼ିର ଏକ ବିଶେଷ ସମ୍ବଳ, ହେଲେ ବିଜେଡି ବିଜୟର ଏହା ଏକମାତ୍ର କାରଣ ନୁହେଁ। ବିଜେଡି ନିଜର ଏକ ଶକ୍ତିଶାଳୀ ଓ ପ୍ରଭାବଶାଳି ସଂଗଠନ ଯେ ଗଢିପାରିଛି, ଏହାକୁ ଆମର ସାମ୍ବାଦିକ ଓ ସମୀକ୍ଷକମାନେ ବିଶ୍ଵାସ କରନ୍ତି ନାହିଁ। ନବୀନଙ୍କ ଭାବମୂର୍ତ୍ତି ସହିତ ଗାଁ ସ୍ତରରେ ବିଜେଡ଼ିର ସଂଗଠନ ପହଞ୍ଚିଛି। ସେହିପରି ବିଜେଡି କର୍ମୀ ଓ ନେତାଙ୍କର ଏକ ସ୍ଵୟଂ ସଂପୂର୍ଣ୍ଣ ଡାଟା ବ୍ୟାଙ୍କ ନିର୍ମାଣ କରିବାରେ ବିଜେଡି ସମର୍ଥ ହୋଇଛି।
ବିଜେଡ଼ିର ନିର୍ବାଚନ ପରିଚାଳନା ଅନ୍ୟ ଯେ କୌଣସି ରାଜନୈତିକ ଦଳଙ୍କଠାରୁ ଅଲଗା ରହି ଆସିଛି। ନବୀନ ବାବୁ ଗତ ପାଞ୍ଚ ବର୍ଷ ଭିତରେ ନିଜର ରାଜନୈତିକ ବିରୋଧୀଙ୍କୁ ଆକ୍ଷେପ କରି ବା ସମାଲୋଚନା କରି କିଛି କହିଥିବାର ଉଦାହରଣ ମିଳିବ ନାହିଁ। ବିଜେଡ଼ିକୁ ସାଢେ ଚାରି କୋଟି ଓଡିଆଙ୍କ ଦଳ ବୋଲି କହିବା ବେଳେ ନବୀନ ବାବୁ ତାରି ଭିତରେ ରାଜନୈତିକ ବିରୋଧୀଙ୍କୁ ମଧ୍ୟ ନିଜର ବୋଲି କହି ପକାନ୍ତି। ଏହାହିଁ ନବୀନ ରାଜନୀତିର ସଫଳତା। ସକାରାତ୍ମକ ରାଜନୀତି ର କଥା କହି ବିରୋଧୀଙ୍କୁ ନିରସ୍ତ୍ର କରିଦେବାର କଳା ଯୋଗୁଁ ନବୀନଙ୍କ ବ୍ୟକ୍ତିତ୍ବ ଲୋକଙ୍କ ପାଇଁ ଏକ ବଡ ଆକର୍ଷଣ ପାଲଟିଛି।
ନବୀନଙ୍କ ଉତ୍ତରାଧିକାରୀ କିଏ, ଏହାର ଉତ୍ତର ରେ ନବୀନ କହିଛନ୍ତି, ବିଜେଡି ଅଛି ଓ ରହିବ, ନେତା କିଏ ହେବ ତାହା ଲୋକେ ବାଛିବେ। ଏଥିରୁ ଉତ୍ତରାଧିକାରୀ ବଛା ହେବା ପ୍ରସଙ୍ଗ ଉଠିବା ହାସ୍ୟାସ୍ପଦ। ବିଜେଡି ଭିତରେ ସଙ୍ଗଠନକୁ ନେଇ ଏକ ଗଭୀର ଆତ୍ମବିଶ୍ଵାସ ରହିଛି। ନବୀନଙ୍କ ପରେ ବିଜେଡ଼ିର ଅସ୍ତିତ୍ଵକୁ ନେଇ ସନ୍ଦେହ କରୁଥିବା ଲୋକଙ୍କ ଲାଗି, ନବୀନଙ୍କର ଏହି ଭାଷଣରେ ଏକ ବାର୍ତ୍ତା ରହିଛି- ଯାହାକୁ କହିହେବ ଯେ- ବିଜେଡି ଆହୁରି ଅନେକ ବର୍ଷ ଯାଏଁ ଓଡିଶା ରାଜନୀତିର କ୍ଷମତା ଦଖଲ କରିବାର ନକ୍ସା ପ୍ରସ୍ତୁତ କରି ରଖିଛି।
ସମୀକ୍ଷା ବ୍ୟୁରୋ
କୁଜଙ୍ଗ, ୨୬/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ କୁଜଙ୍ଗ ବ୍ଲକ୍ ପଡିଆରେ ମଧ୍ୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବତନ ସାଂସଦ କୁଳମଣି ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସମ୍ବିତ ରାଉତରାୟ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ପ୍ରଗତି କରୁଛି ଏବଂ ଫାଇଭ-ଟି ଦ୍ବାରା ରାଜ୍ୟ ଆହୁରି ପ୍ରଗତି କରିବ ବୋଲି ପାରାଦୀପ ବିଧାୟକ ପ୍ରକାଶ କରିଥିଲେ।
ବ୍ଲକ୍ ସଭାପତି ନରେନ୍ଦ୍ର କୁମାର ପରିଡ଼ା ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ କୁଜଙ୍ଗ ବ୍ଳକ୍ ପ୍ରତିନିଧି ସୁଧଳ କୁମାର ସ୍ବାଇଁ, ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ଜେନା, ପାରାଦୀପ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ପାରାଦୀପ ନଗର ସଭାପତି ସୁମନ୍ତ ବିଶ୍ବାଳ, କୁଜଙ୍ଗ ସରପଞ୍ଚ ଭାରତ ଭୁଷଣ ନାୟକ, ବ୍ଲକ୍ ଉପାଧ୍ୟକ୍ଷ ପୁଷ୍ପଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଯୋଗ ଦେଇଥିବା ବେଳେ ବିଜେଡିର ଯୁବନେତା ଅରୂପା ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,20/12 : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ସାଙ୍ଗଠନିକ ନିର୍ବାଚନ ନେଇ ଘୋଷଣା କରାଯାଇଛି । ବିଜୁ ଜନତା ଦଳର ନିର୍ବାଚନ ଅଧିକାର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଚଳିତ ଡିସେମ୍ବର 27ରୁ ଫେବୃୟାରୀ 18 ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ । 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପଞ୍ଚାୟତ ଓ ୱାର୍ଡ ସ୍ତରରେ ଡିସେମ୍ବର 27ରୁ ଜାନୁୟାରୀ 13 ମଧ୍ୟରେ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଗ୍ରାମ ପଞ୍ଚାୟତ ସଭାପତି, କମିଟି ସଭ୍ୟ ଓ ନଗରାଞ୍ଚଳ ଓ୍ବାର୍ଡ ସଭାପତି ଘୋଷଣା କରାଯିବ । ବ୍ଲକ ସ୍ତରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ 14ରୁ ଜାନୁୟାରୀ 29 ତାରିଖ ଯାଏଁ ଅନୁଷ୍ଠିତ ହେବ । ବ୍ଲକ୍ କମିଟି ସଭ୍ୟ, ଏନଏସି ସଭାପତି, ଏନ୍ଏସି କମିଟି ସଭ୍ୟ ସହିତ ମ୍ୟୁନିସିପାଲିଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ଏବଂ ମ୍ୟୁନିସିପାଲିଟି କମିଟି ସଭ୍ୟଙ୍କ ନିର୍ବାଚନ କରାଯିବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ 30ରୁ ଫେବୃୟାରୀ 15 ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ସଭାପତିଙ୍କ ସହ ଜିଲ୍ଲା କମିଟି ସଭ୍ୟ ଏହି ପର୍ଯ୍ୟାୟରେ ନିର୍ବାଚିତ ହେବେ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ 16ରୁ 18ତାରିଖ ଯାଏଁ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ହେବ । ଫେବୃୟାରୀ 23ରୁ 26 ପର୍ଯ୍ୟନ୍ତ ଅନ୍ତିମ ବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ସଭାପତି ଚୟନ ହେବେ ।
କେଦାର ମିଶ୍ର
ସଂସଦରେ ବିଜେପିର ଯେଉଁ ସହଯୋଗୀ ଦଳଗୁଡିକ ନାଗରିକତା ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିଲେ, ସେଥିରୁ ଅଧିକାଂଶ ଏବେ ନିଜ ନିଜର ମତ ବଦଳାଇବା ଆରମ୍ଭ କଲେଣି। ପ୍ରଥମେ ବିଜେପିର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ଏହି ଆଇନରେ ନିର୍ୟାତିତ ମୁସଲମାନଙ୍କୁ ମଧ୍ୟ ନାଗରିକତାର ଅଧିକାର ଦିଆ ଯାଉ ବୋଲି ଦାବି କରିଛି। ଆସାମରେ ବିଜେପିର ସହଯୋଗୀ ରହିଥିବା ଆସାମ ଗଣ ପରିଷଦ ସଂସଦରେ ଏହି ବିଲକୁ ସମର୍ଥନ କରିବା ନିଜର ସବୁଠୁ ବଡ ଭୁଲ ଥିଲା ବୋଲି ସ୍ଵୀକାର କରିବା ସହିତ, ଏହି ଆଇନ ବିରୋଧରେ ଏବେ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରିବ ବୋଲି କହିଛି। ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏହି ଆଇନକୁ ସମର୍ଥନ କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପବନ କୁମାର ବର୍ମା ଏହି ଆଇନ ଅସାମ୍ବିଧାନିକ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ବିଜେପି ଏହି ପ୍ରସଙ୍ଗରେ ଏତେ ଅଧିକ ପ୍ରତିରୋଧ ହେବ ବୋଲି ଆଶା କରୁନଥିଲା ବୋଲି ଶୁଣାଯାଉଛି।
ଏହି ବିଲକୁ ଆଇନରେ ପରିଣତ କରାଇବାରେ ଓଡିଶାର ବିଜୁ ଜନତା ଦଳର ସମର୍ଥନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ନବୀନ ପଟ୍ଟନାୟକଙ୍କ ସମର୍ଥନ ଫଳରେ ଏହି ବିଲ ସହଜରେ ଆଇନରେ ପରିଣତ ହୋଇ ପାରିଲା ବୋଲି ଜାତୀୟ ସ୍ତରରେ ଏକ ବାର୍ତ୍ତା ପ୍ରଚାରିତ ହେଲା। ଏହା ବିଜେଡି ଓ ନବୀନ ପଟ୍ଟନାୟକଙ୍କର ଧର୍ମ ନିରପେକ୍ଷ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି ବୋଲି ଦଳ ଏବେ ଅନୁଭବ କରୁଛି। ଜାତୀୟ ସ୍ତରରେ ବିଜେଡ଼ିକୁ ଏଠି ଲାଗି ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ବିଜେଡି ଏ ପ୍ରସଙ୍ଗରେ ବିତର୍କକୁ ଆଡେଇ ଯାଉଥିଲେ ମଧ୍ୟ, ଏହା ଦଳର ଭାବମୂର୍ତ୍ତିକୁ ଅସୁବିଧାରେ ପକାଇଛି। ଗତ ପାଞ୍ଚୋଟି ଯାକ ନିର୍ବାଚନରେ ରାଜ୍ୟର ସଂଖ୍ୟାଲଘୁ ଭୋଟର ନବୀନ ପଟ୍ଟନାୟକଙ୍କ ଉପରେ ଆଖି ବୁଜି ବିଶ୍ଵାସ ପୋଷଣ କରି ଆସିଛନ୍ତି। ଭଦ୍ରଖ, କେନ୍ଦ୍ରାପଡା, ସମ୍ବଲପୁର ଭଳି ଅଞ୍ଚଳରେ ମୁସଲମାନ ଭୋଟର ବିଜେଡି ପ୍ରତି ସବୁବେଳେ ଅନୁରକ୍ତ ରହି ଆସିଛନ୍ତି।
ନାଗରିକତା ସଂଶୋଧନ ଆଇନରେ ମୁସଲମାନଙ୍କ ପ୍ରତି ବାଛ ବିଚାର କରା ଯାଇଥିବାରୁ ଓ ଏହାକୁ ବିଜେଡି ସମର୍ଥନ କରିଥିବାରୁ ରାଜ୍ୟର ସଙ୍ଖ୍ୟାଲଘୁ ଭୋଟର ଆଶଙ୍କିତ ହୋଇ ପଡିଛନ୍ତି। ଏହି ଅଳ୍ପ ସଂଖ୍ୟକ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ଏବେ ନବୀନ ବାବୁ ସେମାନଙ୍କର କେତେଜଣ ବରିଷ୍ଠ ନେତାଙ୍କୁ ଭେଟିଥିଲେ ଓ ରାଜ୍ୟରେ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରାଇ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜାତୀୟ ନାଗରିକ ପଞ୍ଜୀକରଣ ତ ଦୂରର କଥା, ନୂଆ ଭାବେ ସଂଶୋଧିତ ନାଗରିକ ଆଇନରେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଧର୍ମକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏକ ଆଇନକୁ ବିଜେଡି ସମର୍ଥନ କରିବା କଥାଟିକୁ ଓଡିଶାର ସଂଖ୍ୟାଲଘୁ ସଂପ୍ରଦାୟ କେବଳ ନୁହନ୍ତି, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାରେ ବିଶ୍ଵାସୀ ବିଜେଡ଼ିର ଏକ ବଡ ସମର୍ଥକ ଗୋଷ୍ଠୀ ବିଶ୍ଵା କରି ପାରୁନାହାନ୍ତି। ବିଜେପି ପ୍ରତି ବିଜେଡ଼ିର ଏହି ଅହେତୁକ ସମର୍ଥନ ବିଜେଡ଼ିର ବଡ କ୍ଷତି କରୁଛି ବୋଲି ଦଳ ଅନୁଭବ କରୁଛି।
ଏହି ଆଇନକୁ ଏବେ ସାରା ଦେଶରେ ଯେଉଁ ପ୍ରକାର ବିରୋଧ କରାଯାଉଛି, ସେମିତି ହେବ ବୋଲି ବିଜେଡି ନେତୃତ୍ଵ ଚିନ୍ତା କରି ନଥିଲେ। ପୂର୍ବରୁ ଅନେକ ଅପ୍ରିୟ ପଦକ୍ଷେପ ନେଇ ଲୋକମତକୁ ନିଜ ସପକ୍ଷରେ ରଖିବାକୁ ବିଜେପି ସମର୍ଥ ହେଉଥିଲା। ବିମୁଦ୍ରାକରଣ ଭଳି ଲୋକଙ୍କ ଜୀବନ ଓ ଜୀବିକାକୁ ଧ୍ଵଂସ କରି ପକାଇଥିବା ଏକ ପଦକ୍ଷେପକୁ ମଧ୍ୟ ଲୋକେ ବିରୋଧ କରି ନଥିଲେ। ତେବେ ନାଗରିକତା ସଂଶୋଧନ ଆଇନ ଆସିବା ଫଳରେ ସାରା ଦେଶରେ ଏହାକୁ ନେଇ ଜନମତ ପ୍ରବଳ ହେବା ଆରମ୍ଭ କରିଛି।
ଏହି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନକୁ ଚପାଇଦେବାକୁ ବିଜେପି ସରକାରର ଆକ୍ରାମକ ବ୍ୟବହାର ବିଜେଡ଼ିକୁ ଅଡୁଆରେ ପକାଇଛି। ଏହି ଆଇନ ର ବିରୋଧ କରୁଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଓଡିଶାରେ ବିଜେଡି ଏ ପ୍ରକାର ରାଜନୀତି କେବେ ମଧ୍ୟ କରିନାହିଁ। ବିରୋଧୀ ରାଜନୀତିକୁ ରାଜ୍ୟ ବିରୋଧୀ ବୋଲି କହିବାର ଉଦାହରଣ ନବୀନଙ୍କ ପାଖରେ ନାହିଁ। ନବୀନଙ୍କ ରାଜନୀତିର ଠିକ ବିପରୀତ ରାଜନୀତି କରୁଥିବା ବିଜେପି ପ୍ରତି ଦଳର ସମର୍ଥନ ଏହାର ନେତା ଓ କ୍ୟାଡରଙ୍କୁ ମଧ୍ୟ ଅସୁବିଧାରେ ପକାଇଛି। ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ପୋଲିସ ଜୁଲମକୁ ବିଜେଡି ସମର୍ଥନ କରିବା ମଧ୍ୟ ସମ୍ଭବ ନୁହେଁ।
ଅମିତ ଶାହ ଅତ୍ୟନ୍ତ ଚତୁରତାର ସହ ବିଜେଡ଼ିର ସମର୍ଥନ ହାସଲ କରିବା ସହିତ, ଏହି ଦଳର ଏକ ବଡ ଭୋଟ ଆଧାରକୁ ଦୋହଲାଇ ଦେଇଛନ୍ତି। ସଂଖ୍ୟାଲଘୁ ଭୋଟ ପୂରା ମାତ୍ରାରେ ବିଜେଡି ପାଖକୁ ଆଗକୁ ଯେମିତି ନ ଯାଏ ସେ ବ୍ୟବସ୍ଥା ଅମିତ ଶାହ କରିଛନ୍ତି। ବିଜେଡି ଏକଥା ବୁଝି ମଧ୍ୟ ନ ବୁଝି ପାରିବାର ଛଳନା କରିବାକୁ ଏବେ ବାଧ୍ୟ।
ସମୀକ୍ଷା ବ୍ୟୁରୋ
୨୦୦୭-୦୮ କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ କରନ ଥାପରଙ୍କୁ ଏକ ସାକ୍ଷାତ୍କାର ଦେଇ କହିଥିଲେ ଯେ- ତାଙ୍କର ଧର୍ମ ନିରପେକ୍ଷ ଚରିତ୍ର ଉପରେ କେହି ବି ଆଙ୍ଗୁଳି ଉଠାଇ ପାରିବେ ନାହିଁ, କାରଣ ତାଙ୍କର ହାଡେ ହାଡେ ଧର୍ମନିରପେକ୍ଷତାର ବିଚାର ରହିଛି। ନିଜ କଥା ପ୍ରମାଣିତ କରିବାକୁ ଯାଇ ନବୀନ ୯ ବର୍ଷ ଧରି ରହିଥିବା ବିଜେପି ସହିତ ବିଜେଡ଼ିର ସମ୍ପର୍କ ତୁଟାଇ ଦେଇଥିଲେ। ୨୦୦୯ ନିର୍ବାଚନ ବିଜେଡି ଏକାକୀ ଲଢିଲା ଓ ବେଶ ଭଲ ଭାବରେ ଜିତିଲା। ୨୦୦୯, ୨୦୧୪ଓ ୨୦୧୯ ନିର୍ବାଚନରେ ଏକାକୀ ନିର୍ବାଚନ ଲଢି ବିଜେଡି ୧୦୦ ରୁ ଅଧିକ ଆସନ ପାଇ ଆସୁଛି। ୨୦୦୯ ପରଠୁ ବିଜେପି ସହିତ ବିଜେଡିର ମତଭେଦ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ବାଚନୀ ରାଜନୀତିରେ ଉଭୟ ପରଷ୍ପର ର ଶତ୍ରୁ ଭଳି ରହିଛନ୍ତି। ୨୦୧୯ ନିର୍ବାଚନପ୍ରଚାର ସମୟରେ ମଧ୍ୟ ନବୀନ ବାବୁ ବିଜେପି ର ସାମ୍ପ୍ରଦାୟିକ ଚରିତ୍ରକୁ ନେଇ ସମାଲୋଚନା କରିଥିଲେ। ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେସାଇଙ୍କୁ ସାକ୍ଷତକାର ଦେଇ ନବୀନ ବାବୁ କହିଥିଲେ ଯେ ବିଜେପିର ଉଗ୍ର ସାମ୍ପ୍ରଦାୟିକ ଚରିତ୍ର କାରଣରୁ ତାଙ୍କ ସହ ସହଯୋଗ କରିବା ବିଜେଡି ପକ୍ଷରେ ସମ୍ଭବ ନୁହେଁ।
ହଠାତ ନିର୍ବାଚନ ସରିବା ପରେ ନବୀନ ବାବୁ ଓ ତାଙ୍କ ବିଜେଡି ଦଳ ବିଜେପିର ସାମ୍ପ୍ରଦାୟିକ ଚରିତ୍ର କଥା ଭୁଲିଗଲେ ଓ ନିଃସର୍ତ୍ତରେ ବିଜେପିର ସବୁଠୁ ବିଶ୍ଵସ୍ତ ସହଯୋଗୀ ହୋଇ ପଡିଲେ। ଯଦିଓ ବିଜେଡି ସମର୍ଥନ ବିଜେପି ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା, ତେବେ ସଂସଦରେ ବିଭିନ୍ନ ବିଲ ଗୃହୀତ କରାଇବା ଲାଗି ବିଜେଡି ସମର୍ଥନ ବିଜେପି ଲାଗି ଅତ୍ୟନ୍ତ ଜରୁରୀ ଥିଲା। ରାଜ୍ୟର ବିଧାନସଭା ନିର୍ବାଚନ ଗଣିତକୁ ଦେଖିଲେ, ବିଜେଡ଼ିକୁ ସାମ୍ନା କରିବାର ସ୍ଥିତି ବିଜେପି ପାଖରେ ନାହିଁ। ପ୍ରଚଣ୍ଡ ସଂଖ୍ୟାମତ ଓ ଲୋକ ବିଶ୍ଵାସସତ୍ତ୍ଵେ ବିଜେପି ପାଖରେ ବିଜେଡି ଆତ୍ମ ସମର୍ପଣ କରିଚାଲିଛି କାହିଁକି?ତିନୋଟି ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପରେ ଓ ସାରାଦେଶରେ ପ୍ରବାହିତ ହେଉଥବା ପ୍ରବଳ ମୋଦୀ ହାୱାକୁ ପରାହତ କଲା ପରେ ବିଜେପି ପାଖରେ ଏ ଆତ୍ମ ସମର୍ପଣ ପଛର ରହସ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।
ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵୟ କଥା ଆଜି ବିଜେଡି କହୁଛି। ତେବେ ୨୦୧୯ ପର୍ୟନ୍ତ ବିଜେଡ଼ିର ନିଜସ୍ଵ ସ୍ଲୋଗାନ ଥିଲା “କେନ୍ଦ୍ର ଅବହେଳା”। ୨୦୧୯ ନିର୍ବାଚନ ଆଗରୁ ନବୀନ ବାବୁ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର କଥା ମଧ୍ୟ ଉଠାଇଥିଲେ। ବାସ୍ତବତା ଦୃଷ୍ଟିରୁ ଦେଖିଲେ ନରେନ୍ଦ୍ର ମୋଦୀ- ଅମିତ ଶାହାଙ୍କ ତୀବ୍ର ବିରୋଧ ସତ୍ତ୍ୱେ ପ୍ରବଳ ଜନ ସମର୍ଥନ ପାଇଥିବା ନବୀନ ପଟ୍ଟନାୟକ ଆଜି ହଠାତ ମୋଦୀ-ଶାହାଙ୍କ ସବୁକଥାରେ ହଁ ମାରିବା ଅନେକଙ୍କୁ ଚକିତ କରିଛି।
ବିଜେଡି ରାଜ୍ୟର ସ୍ଵାର୍ଥ ଲାଗି କେନ୍ଦ୍ର ସହ ସହଯୋଗ କରୁଛି ବୋଲି ଯେଉଁ ଯୁକ୍ତି କରୁଛି, ତାହା ପଛରେ ସେମିତି କିଛି ଟାଣୁଆ ଯୁକ୍ତି ମଧ୍ୟ ନାହିଁ। କାଶ୍ମୀର ପ୍ରସଙ୍ଗ ହେଉ କି ଧର୍ମ ଆଧାରିତ ନାଗରିକ ସଂଶୋଧନ ବିଲ, ଏ ଦୁଇଟି ଯାକ ଆଇନ ବିଜେଡ଼ିର ଆଦର୍ଶ ପରିପନ୍ଥୀ। ବିଜୁ ପଟ୍ଟନାୟକଙ୍କ ରାଜନୀତିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଚାର ଥିଲା ଧର୍ମ ନିରପେକ୍ଷତା। ନିଜ ଜୀବନ କାଳରେ ବିଜେପିକୁ ସାମ୍ପ୍ରଦାୟିକ କହି ସେ ଏହି ଦଳ ସହିତ କୌଣସି ବୁଝାମଣାକୁ ଅସ୍ଵୀକାର କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଗଠିତ ଦଳପ୍ରଥମେ ବିଜେପି ବୁଝାମଣା କରି ଦୁଇଥର ସରକାର ଗଢିଥିଲା। ତେବେ ଅଣ କଂଗ୍ରେସ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏହା ଏକ ବାସ୍ତବାଭିମୁଖୀ ପଦକ୍ଷେପ ଥିଲା ବୋଲି କୁହାଯାଇପାରେ।
ଆଜି ନବୀନଙ୍କ ନିଜ ରାଜନୈତିକ ପତିଆରା ଅତ୍ୟନ୍ତ ଦୃଢ ଓ ଓଡିଶାର ଜନମାନସରେ ତାଙ୍କ ବିରୋଧରେ ସେମିତି କୌଣସି ଅସନ୍ତୋଷ ନାହିଁ। ଗତ ନିର୍ବାଚନରେ ବିଜେପି ବିରୋଧରେ ହିଁ ନବୀନ ଜିତିଛନ୍ତି। ତେବେ ଏହି ବିପୁଳ ବିଜୟକୁ ସେ ବିଜେପି ପାଖରେ ସମର୍ପି ଦେବାର କାରଣ କଣ? ଧର୍ମ ଆଧାରରେ ନାଗରିକ ସଂଶୋଧନ ବିଲ ଅଣା ଯାଇଥିବାରୁ ଏହା ଦେଶର ସାମ୍ବିଧାନିକ ମୂଳ ଆଦର୍ଶ ବିରୋଧୀ। ନିଜକୁ ଧର୍ମ ନିରପେକ୍ଷ ଆଦର୍ଶ ଓ ଗାନ୍ଧୀବାଦର ଉତ୍ତରାଧିକାରୀ ବୋଲି କହୁଥିବା ଏହି ବିଲକୁ ନିଃସର୍ତ୍ତ ସମର୍ଥନ ଦେବାର କି କାରଣ ରହିଛି?
ବିଜେପି ସଂଘ ପରିବାରର ବିଚାରକୁ ନିଜର ନୂଆ ବିଚାର ଭାବେ ଗ୍ରହଣ କରିଛି କି? କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ବିଜେପି ସାଂସଦମାନେ ଯେଉଁ ଭାଷଣ ଦେଇଛନ୍ତି, ତାହା ସଂଘ ବିଚାରର ସମର୍ଥନ କରୁଛି। ତେଣୁ ବିଜେଡି ନିଜକୁ ଆଉ ଧର୍ମ ନିରପେକ୍ଷ ଆଦର୍ଶର ପ୍ରତିନିଧି ବୋଲି କହିବା ହାସ୍ୟାସ୍ପଦ ମନେହେବ। ବିଜେପି ଓଡିଶାରେ ପରାଜିତ ହୋଇ ମଧ୍ୟ ଆଜି ଓଡିଶାର ବିପୁଳ ସମର୍ଥନ ପାଉଛି, ତାର ଏକମାତ୍ର କାରଣ ହେଉଛି, ବିଜେପି ବିରୋଧୀ ଜନମତ ସହ ବିଜେଡି ବିଶ୍ଵାସଘାତକତା କରିଛି। ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିଜେପିର ପ୍ରଚଣ୍ଡ ଆକ୍ରମଣରୁ ସୁରକ୍ଷା ଦେଇ ନିଜର ନେତା ବାଛିଥିଲେ ସେମାନେ ଆଜି ଠକି ଯାଇଥିବାର ଅନୁଭବ କରିବାକୁ ବାଧ୍ୟ।
ନାଗରିକତ୍ବ ସଂଶୋଧନ ବିଲ୍କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ,9/12: ନାଗରିକତ୍ବ ସଂଶୋଧନ ବିଲ୍କୁ ସମର୍ଥନ କରିଛି ବିଜୁ ଜନତା ଦଳ(ବିଜେଡି) । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିଜେଡିର ସମର୍ଥନ ନେଇ ଘୋଷଣା କରିଛନ୍ତି । ଏହି ବିଲ୍ରେ କୌଣସି ଅସୁବିଧା ନଥିବାରୁ ଦଳ ଏହାକୁ ସମର୍ଥନ କରିଛି ବୋଲି ମହତାବ ସୂଚନା ଦେଇଛନ୍ତି । ବିଜେଡି ଏହି ବିଲ୍ରେ 3ଟି ସଂଶୋଧନର ପ୍ରସ୍ତାବ ଦେଇଥିବା ବେଳେ ତନ୍ମଧ୍ୟରୁ ଦୁଇଟି ଗୃହୀତ ହୋଇଥିବାରୁ ଦଳ ଏହି ବିଲ୍ ପ୍ରତି ସମର୍ଥନ ଜାହିର କରିଛି ବୋଲି ସେ କହିଛନ୍ତି । ବିଲ୍ରେ କୌଣସି ତ୍ରୁଟି ନଥିବାରୁ ଏହାକୁ ଜେପିସିକୁ ପଠାଇବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଆଗତ କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍ କରି ଏହି ବିଲ୍ ପ୍ରଣୟନର ଚେଷ୍ଟା କରାଯାଉଛି ବୋଲି ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)
କେଦାର ମିଶ୍ର
୨୦୧୮,ଫେବୃଆରି ମାସ କଥା ଆପଣମାନଙ୍କର ମନେଥିବ ନିଶ୍ଚୟ। ପ୍ରାୟତଃ ଚର୍ଚ୍ଚାରେ ନଥିବା ପଶ୍ଚିମ ଓଡିଶାର ଏକ ନିର୍ବାଚନମଣ୍ଡଳୀ ହଠାତ ସାରା ଓଡିଶାରେ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା। ଓଡିଶାର ସବୁ ରାଜନୈତିକ ଦଳ, ସାମ୍ବାଦିକ ଓ ରାଜନୀତି ପ୍ରତି ଆଗ୍ରହ ରଖିଥିବା ଲୋକଙ୍କ ପାଇଁ ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ସବୁଠୁ ବେଶୀ ଗୁରୁତ୍ଵ ବହନ କରିବା ଆରମ୍ଭ କଲା।୨୦୧୭ ମସିହାରେ ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ କ୍ରମାଗତ ଭାବେ ତିନିଥର ବିଧାୟକ ନିର୍ବାଚିତ ହୋଇଥିବା ସୁବଳ ସାହୁଙ୍କର ଅକାଳ ବିୟୋଗ ଘଟିଲା। ଯାହା ଫଳରେ ବିଜେପୁରରେ ସାଧାରଣ ନିର୍ବାଚନ ପୂର୍ବରୁ ଉପ ନିର୍ବାଚନ ହୋଇଥିଲା। ଫେବୃଆରି, ୨୦୧୮ର ବିଜେପୁର ଉପ ନିର୍ବାଚନ ଓଡିଶା ଇତିହାସରେ ସବୁଠୁ ଚର୍ଚ୍ଚିତ ଓ ସବୁଠୁ ଉତ୍ତେଜନା ପ୍ରବଣ ନିର୍ବାଚନ ଭାବରେ ସ୍ଥାନ ପାଇବ। ୨୦୧୯ ନିର୍ବାଚନରେ ଓଡିଶାରେ କ୍ଷମତା ଦଖଲ କରିବା ଲାଗି ବଦ୍ଧ ପରିକର ବୋଲି ଦାବି କରୁଥିବା ବିଜେପି ବିଜେପୁର ଉପ ନିର୍ବାଚନକୁ ସେମି ଫାଇନାଲ ଭାବରେ ଗ୍ରହଣ କରିଥିଲା। ଏହି ନିର୍ବାଚନ ଜିତିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ବିଜେପୁରରେ ଡେରା ପକାଇ ନିର୍ବାଚନ ପରିଚାଳନା କରିଥିଲେ। ଟେଲିଭିଜନ ଚାନେଲ ଗୁଡିକରେ ଏହି ଉପ ନିର୍ବାଚନର ସବୁ ଛୋଟ ବଡ ଘଟଣା ପ୍ରସାରିତ ହେଉଥିଲା। ବିଜେପି ସମର୍ଥିତ ଓଡିଶାର ଗୋଟେ ଟେଲିଭିଜନ ଚାନେଲ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରିଥିବା ଜଣେ ଅନାମଧେୟ ମହିଳାଙ୍କୁ ବିଜେପିର ସୁପରଷ୍ଟାର ଭାବେ ଉପସ୍ଥାପିତ କରିଥିଲା। ପରବର୍ତ୍ତୀ ସମୟରେ ବିଜେପୁରର ସବୁଠୁ ବଡ ଗାଁ କୁମ୍ଭାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭା କରୁଥିବା ବେଳେ ତାଙ୍କ ଉପରକୁ ଜୋତା ମାଡ କରା ଯାଇଥିଲା। ଫେବୃଆରି ୨୦୧୮ ପୂର୍ବରୁ ଓଡିଶାର ଗଣମାଧ୍ୟମରେ ବିଜେପୁର ଛଡା ଅନ୍ୟ କିଛି ଖବର ନଥିଲା।
ସେହି ନିର୍ବାଚନରେ ବିଜେପିର ସବୁ ପ୍ରକାର କଳ, ବଳ ଓ କୌଶଳ ପ୍ରୟୋଗ ସତ୍ତ୍ୱେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧,୯୩୩ ଖଣ୍ଡ ଭୋଟରେ ଜିତିଥିଲେ। ସେମି ଫାଇନାଲରେ ବିଜେଡି ଜିତିଥିଲା ଓ ଫାଇନାଲରେ ମଧ୍ୟ ବିଜେଡି ଜିତିଲା। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ବିଜେପୁର ଚର୍ଚ୍ଚାକୁ ଆସିଲା, କାରଣ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ହିଂଜିଳି ଆସନ ସହିତ ବିଜେପୁରରୁ ମଧ୍ୟ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲେ। ସ୍ଵାଭାବିକ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଆସନ ଭାବରେ ବିଜେପୁର ରେ ଫୋକସ ରହିଥିଲା। ମୁଖ୍ୟମନ୍ତ୍ରୀ ଜିତିବା ପରେ ହିଂଜିଳି କୁ ହାତରେ ରଖି ବିଜେପୁରରୁ ଇସ୍ତଫା ଦେଲେ। ତେଣୁ ଏଠାରେ ଆଉ ଥରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି। ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ନିର୍ବାଚନ ହେବ। ବିଜେଡି ତରଫରୁ ରୀତା ସାହୁ ଓ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ନିର୍ବାଚନ ରେ ସାମ୍ନାସାମ୍ନି ହେଉଛନ୍ତି। ତେବେ ଗତ ଦୁଇଟି ନିର୍ବାଚନରେ ବିଜେପୁରରେ ଯେଉଁ ପ୍ରକାର ଉତ୍ତେଜନା, ଆକର୍ଷଣ ଓ ଆଗ୍ରହ ରହିଥିଲା, ଏ ନିର୍ବାଚନରେ ତାର କାଣିଚାଏ ମଧ୍ୟ ଦେଖିବାକୁ ମିଳୁନାହିଁ ।
ବିଜେପି ନେତାମାନେ ୨୦୧୮ରେ ଯେମିତି ତମ୍ଭି ତୋଫାନ କରୁଥିଲେ, ଏହି ନିର୍ବାଚନରେ ସେମାନେ ଏକ ପ୍ରକାର ଅସ୍ତ୍ର ତ୍ୟାଗ କରି ବସି ଯାଇଛନ୍ତି। ୨୦୧୮ ସେମି ଫାଇନାଲର ନେତୃତ୍ଵ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ବିଜେଡ଼ିର ଘନିଷ୍ଠ ବନ୍ଧୁ ହୋଇ ଯାଇଛନ୍ତି। ଯଦିଓ ବିଜେପିର କିଛି ରାଜ୍ୟ ସ୍ତରୀୟ ନେତା କିଛି କିଛି ପାଟିଗୋଳ କରୁଛନ୍ତି, ତାହା କେବଳ ଲୋକ ଦେଖାଣିଆ। କେବଳ ନିର୍ବାଚନ ଲଢିବାକୁ ପଡିବ ବୋଲି ବିଜେପି ନିର୍ବାଚନ ଲଢୁଛି, ନଚେତ ଏହି ଲଢେଇରେ ବିଜେପିର କୌଣସି ଆଗ୍ରହ ନାହିଁ।ନିର୍ବାଚନ ପ୍ରଚାର ଲାଗି ଆଉ ମାତ୍ର ଦଶ ଦିନ ହାତରେ ସମୟ ଥିବା ବେଳେ ବିଜେପିର ବଡ ମୁଣ୍ଡ, କେହିବି ବିଜେପୁରକୁ ଯାଇନାହାନ୍ତି। ବିଜେପି ତରଫରୁ କେବଳ ଔପଚାରିକ ପ୍ରଚାର ବ୍ୟତୀତ ଅଧିକ କିଛି ହେଉନାହିଁ ।
ବିଜୁ ଜନତା ଦଳ କିନ୍ତୁ ପାରମ୍ପରିକ ଶୈଳୀରେ ନିର୍ବାଚନ ଲଢୁଛି। କୌଣସି ବି ନିର୍ବାଚନକୁ ହାଲୁକା ଭାବରେ ବିଜେଡି ନିଏ ନାହିଁ। କଂଗ୍ରେସ ଓ ବିଜେପି ବିଜେପୁର ନିର୍ବାଚନ ପାଇଁ ଚିନ୍ତା କରିବାର ଯଥେଷ୍ଟ ଆଗରୁ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରି ସାରିଥିଲା। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ପରେ ରୀତା ସାହୁଙ୍କୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ରହିବାକୁ ସଙ୍କେତ ଦିଆ ସରିଥିଲା।ମନ୍ତ୍ରୀ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ମଲ୍ଲିକ ବହୁ ଆଗରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ। ବରଗଡ ଜିଲା ଓ ବିଜେପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ବିଜେପି ନେତାମାନେ ବହୁ ଆଗରୁ ବିଜେଡିରେ ସାମିଲ ହୋଇସାରିଥିଲେ। ଉପ ନିର୍ବାଚନ ଆଗରୁ ବରଗଡ ଜିଲାର ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେଡି ନିଜର ନିର୍ବାଚନୀ ବାର୍ତ୍ତା ଦେଇ ସାରିଥିଲା। ଆଜିର ତାରିଖରେ ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ସଂଗଠନ ବିଜେଡି ହାତକୁ ଚାଲି ଆସିଛି। ତେଣୁ ବିଜେଡି ବିଜେପୁରରେ ସହଜ ଓ ସ୍ଵାଭାବିକ ଭାବରେ ଜିତିବ ବୋଲି ଏକ ଧାରଣା ବଳବତ୍ତର ହେଉଛି।
ନିର୍ବାଚନରେ ଯିଏ ଜିତୁ ବା ହାରୁ, ନିର୍ବାଚନର ଲଢେଇ ପ୍ରାଥମିକତା ପାଇବା କଥା। ଏଥର ବିଜେପୁର ଉପ ନିର୍ବାଚନରେ ଲଢେଇ ଏକା ନାହିଁ। ବିଜେପି ତରଫରୁ ପାଟକୁରାରେ ଯେଉଁ ନୀତି ଅବଲମ୍ବନ କରା ଯାଇଥିଲା, ବିଜେପୁରରେ ମଧ୍ୟ ସେହି ସମାନ ନୀତି ଗ୍ରହଣ କରାଯାଇଛି। କେବଳ ସ୍ଥାନୀୟ ନେତାମାନେ ଏହି ଲଢେଇରେ ସାମିଲ ରହିବେ, ହେଲେ ରାଜ୍ୟ ଓ କେନ୍ଦ୍ର ନେତାଏ ନୀରବ ରହିବେ। ଆଗରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରବଳ ଆକ୍ରମଣ କରୁଥିଲେ। ଆଜିକାଲି ତାଙ୍କ ମୁହଁରେ ସହମତି ଓ ସମନ୍ବୟର ମନ୍ତ୍ର ଶୁଣିବାକୁ ମିଳୁଛି। ତେଣୁ ନିର୍ବାଚନ ପରିବେଶ ନିପଟ ପାଣିଚିଆ ଲାଗୁଛି। ଗଣମାଧ୍ୟମର ମଧ୍ୟ ବିଜେପୁରକୁ ନେଇ ବିଶେଷ ଆଗ୍ରହ ନାହିଁ।
ସମାକ୍ଷା ବ୍ୟୁରୋ
ବିଜେଡି ନେତା ତଥା ଦଳର ମୁଖପାତ୍ର ମାନସ ମଙ୍ଗରାଜଙ୍କୁ ମିଳିଛି ସରକାରୀ ନିଯୁକ୍ତି। ତାଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ବର୍ତ୍ତମାନ ସରକାରଙ୍କ ସମସ୍ତ ଗଣମାଧ୍ୟମ ଓ ଲୋକ ସଂପର୍କ ସଂପର୍କିତ ବିଷୟରେ ସେ ଉପଦେଶ ଦେବେ। ଏନେଇ ମାନସଙ୍କୁ ଲୋକସେବକ ଭବନରେ ଏକ ଅଫିସ ମଧ୍ୟ ପ୍ରଦାନ କରାଯିବ। ପୂର୍ବରୁ ରାଜ୍ୟ ସରକାର 11 ଜଣ ନେତାଙ୍କୁ ବିଭିନ୍ନ ବିଭାଗର ଉପଦେଷ୍ଠା ଭାବେ ନିଯୁକ୍ତ କରିଛନ୍ତି। ହେଲେ ସେମାନଙ୍କର କାର୍ଯ୍ୟଧାରା କଣ ରହିବ ସେ ନେଇ କିଛି ନିଷ୍ପତି ହୋଇ ନାହିଁ। ଫଳରେ ଏହି ଉପଦେଷ୍ଠାମାନେ ଏ ପର୍ଯ୍ୟନ୍ତ ତାଙ୍କ ପଦବୀରେ ଯୋଗ ଦେଇ ନାହିଁନ୍ତି। ସମସ୍ତ ଉପଦେଷ୍ଠାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ଦିଆଯିବ। ସେହିପରି ମାନସଙ୍କୁ ମଧ୍ୟ ରାଜ୍ୟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯିବ ବୋଲି ଜଣାପଡିଛି।
କେଦାର ମିଶ୍ର
କଥାଟି ବର୍ତ୍ତମାନ ପାଇଁ ଅସମ୍ଭବ ମନେ ହେଉଥିଲେ ମଧ୍ୟ ଭିତ୍ତିହୀନ ନୁହେଁ। ଓଡିଶାରେ ବିଜୁ ଜନତା ଦଳ ଭିତରେ ଏକ ବଡ ଧରଣର ବିଭାଜନ ସୃଷ୍ଟି କରିବାକୁ ବିଜେପି ତରଫରୁ ଏକ ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ ହୋଇଛି। ଯଦିଓ ବିଧାନସଭାରେ ବିଜେପିର ମାତ୍ର ୨୩ ଜଣ ବିଧାୟକ ରହିଛନ୍ତି, ତଥାପି ବିଜେଡିରେ ବିରାଟ ବିଭାଜନ ସୃଷ୍ଟି କରି ଓଡିଶା ଦଖଲ କରିବାକୁ ବିଜେପି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ଜରିଆରେ ବିଜେଡ଼ିର ପ୍ରାୟ ୫୨ ଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଭିନ୍ନ ଉପାୟରେ ଘରଭେଦୀ ହେବାକୁ ପ୍ରବର୍ତ୍ତାଯାଉଛି। ଉତ୍ତର ପୂର୍ବ ରାଜ୍ୟ ସିକିମରେ ବିଜେପି ଯାହା କରିଛି, ଓଡିଶାରେ ଠିକ ତାହାର ପୁନରାବୃତ୍ତି ହୋଇ ପାରିବ ବୋଲି, ବିଜେପି ଆଶା କରୁଛି।
ଗତ ଏପ୍ରିଲ ମାସରେ ସିକିମରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ଆସନ ଜିତି ନଥିବା ବେଳେ, ମାତ୍ର ତିନି ମାସ ଭିତରେ ସେଠି ବିଜେପି ମୁଖ୍ୟ ବିରୋଧୀ ଦଳର ଭୂମିକା କୁ ଆସି ଯାଇଛି। ବିଧାନସଭା ନିର୍ବାଚନରେ ମାତ୍ର ୧.୬୨% ଭୋଟ ପାଇଥିବା ବିଜେପି ସେଠାକାର ମୁଖ୍ୟ ବିରୋଧୀ ଦଳ ସିକିମ ଡେମୋକ୍ରାଟିକ ଫ୍ରଣ୍ଟର ୧୦ ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଛି। ବୋଧ ହୁଏ ଜନମତ ଓ ଗଣତନ୍ତ୍ର କୁ ବିଚ ବଜାରରେ ବେଇଜ୍ଜତ କରିବାର, ୟାଠୁ ବଡ ଉଦାହରଣ ଆଉ କିଛି ମିଳିବ ନାହିଁ। ଅବଶ୍ୟ ବିଧାୟକ ଓ ସାଂସଦ କିଣିବା ଏବେ ବିଜେପିର ଜିଦ ପାଲଟି ଯାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟର ବିରୋଧୀ ବିଧାୟକଙ୍କୁ ବେଫିକର କିଣି ଚାଲିଥିବା ବିଜେପିକୁ ଏହି ପ୍ରସଙ୍ଗରେ କେହି ପ୍ରଶ୍ନ ପଚାରିବାର ଅବସ୍ଥାରେ ଆଉ ନାହାନ୍ତି। ଏବେ ବିଜେପି ଯାହା କରୁଛି, ତାହା ହିଁ ଶେଷକଥା ବୋଲି ଭାରତର ଗଣମାଧ୍ୟମ ଓ ବଡ ଭାଗ ଜନସାଧାରଣ ଗ୍ରହଣ କରି ନେଇଛନ୍ତି।
ଏଠି ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଜେପିର କାୟା ବିସ୍ତାର ଲାଗି ସିକିମ ଡେମୋକ୍ରାଟିକ ଫ୍ରଣ୍ଟ ର ନେତା ତଥା ୨୫ ବର୍ଷ ଧରି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିବା ପବନ କୁମାର ଚାମଲିଙ୍ଗ ପ୍ରଚୁର ସହାୟତା କରିଥିଲେ। ତାହାର ପ୍ରତି ବଦଳରେ ଆଜି ଚାମଲିଙ୍ଗଙ୍କ ଦଳକୁ ବିଜେପି ଖତମ କରି ଦେଇଛି। ଓଡିଶାରେ ମଧ୍ୟ ବିଭିନ୍ନ ଉପାୟରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସହାୟତା ନେଇ, ସୁବିଧା ସମୟରେ ବିଜେଡ଼ିକୁ ଖତମ କରିଦେବାର ଏକ ରଣନୀତି ବିଜେପି ତରଫରୁ ଆରମ୍ଭ କରାଯାଇଛି। ଉପରକୁ ବିଜେଡି ଓ ବିଜେପି ଭିତରେ ମଧୁର ସମ୍ପର୍କ ଦେଖା ଯାଉଥିବା ବେଳେ କୌଣସି ମୁହୂର୍ତ୍ତରେ, ଅତର୍କିତ ଭାବେ ବିଜେଡ଼ିକୁ ଭାଙ୍ଗିବାର ଉଦ୍ୟମ ବିଜେପି କରିବ।
ସଂଖ୍ୟା ଖେଳରେ ବିଜେଡ଼ି ବିଧାୟକ ଦଳକୁ ଭାଙ୍ଗିବା ଟିକେ କଷ୍ଟକର। କାରଣ ବିଜେଡ଼ିର ୧୧୨ ସଦସ୍ୟଙ୍କ ଭିତରୁ ଅତିକମରେ ୭୦ ଜଣଙ୍କୁ ବିଜେପି ପକ୍ଷକୁ ଆଣିବାକୁ ପଡିବ। ଏହା ହୁଏତ ସହଜ କଥା ନୁହେଁ। ହେଲେ ବିଜେପି ଯେଉଁ ପ୍ରକାର କିଣାବିକା ଓ ଭଙ୍ଗା ଗଢା ରାଜନୀତିରେ ପାରଙ୍ଗମାତା ହାସଲ କରିଛି, ସେଥିରେ କୌଣସି ବି ସଂଖ୍ୟା ତାଙ୍କ ପାଇଁ ବଡ କଥା ନୁହେଁ। ଆଗକୁ ବିଜେପି ନିଜ ଲକ୍ଷ୍ୟ ପୂରଣ ଲାଗି କିଛି ବି କରିପାରିବ, ଏକଥା ଜଳ ଜଳ ଦିଶି ଯାଉଛି। ବିଜେଡ଼ିର ବିପର୍ୟୟ ଘଟାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜାଣି ଜାଣି ଦୁଇଟି ଦୁଧିଆଳି ବିଭାଗ (ମନି ବ୍ୟାଗ ମିନିଷ୍ଟ୍ରି) ଦିଆ ଯାଇଛି। ଓଡିଶାରେ ପରାଜୟ ସତ୍ତ୍ୱେ ଧର୍ମେନ୍ଦ୍ରଙ୍କୁ ଏତେ ବଡ ପୁରସ୍କାର ଦେବା ପଛରେ ଏକ ଦୀର୍ଘସୂତ୍ରୀ ଯୋଜନା ରହିଛି, ଏକଥା ବିଜେଡି ନେତୃତ୍ଵ ମଧ୍ୟ ଜାଣନ୍ତି।
ଇତି ମଧ୍ୟରେ ବିଜେଡି ବିଧାୟକମାନଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସଂସ୍ଥା ଯଥା- ସିବିଆଇ, ଇଡି, ଆୟକର ବିଭାଗ ଇତ୍ୟାଦିଙ୍କୁ କୁହାଯାଇଛି। ଚିଟ ଫଣ୍ଡ କିମ୍ବା ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତି ଥିବା ବିଧାୟକଙ୍କ ଉପରେ ଚାପ ପକେଇବାର ବିଭିନ୍ନ ଉପାୟ ପ୍ରସ୍ତୁତ କରାଯାଉଛି। ସେହିପରି ବିଧାୟକଙ୍କ ସମ୍ପତ୍ତି ତାଲିକା କୁ ଯାଞ୍ଚ କରିବା ଲାଗି ଇଡି ଓ ଆୟକର ବିଭାଗକୁ ମଧ୍ୟ ନିୟୋଜିତ କରା ଯାଇଛି। ସେହିପରି ଓଡିଶା ସରକାର ବିରୋଧରେ କେନ୍ଦ୍ରୀୟ ଅଡିଟ ସଂସ୍ଥା ସିଏଜି ଶକ୍ତିଶାଳୀ ରିପୋର୍ଟ କରିବାକୁ ମଧ୍ୟ ଚାପ ପକା ଯାଉଛି। ବିଜେଡି ତରଫରୁ ସଂସଦରେ ବିଜେପି କୁ ସମର୍ଥନ ଦେଇ ଏକ ପ୍ରକାର ସୁରକ୍ଷିତ ରହିବାର ରଣନୀତି ବିଜେଡିକୁ ଯଥେଷ୍ଟ ମହଙ୍ଗା ପଡିପାରେ। ବିଜେଡି ଭିତରେ କିଛି ପୁରୁଣା ବିଧାୟକ ମନ୍ତ୍ରୀ ହୋଇ ନପାରି ବଡ ଛଟପଟ ହେଉଛନ୍ତି। ସେମାନଙ୍କ ଆଗରେ ବିଜେପି ଲୋଭନୀୟ ଥୋପ ଥୋଇଛି।
କର୍ଣ୍ଣାଟକର ‘ଅପରେସନ କମଳା” ପରେ ଓଡିଶା ଉପରେ ବିଜେପିର ସତର୍କ ନଜର ରହିଛି। ଗତ ନିର୍ବାଚନ ପୂର୍ବରୁ ବିଜେଡ଼ିର ଜଣେ ପୂର୍ବତନ ଲୋକସଭା ସଦସ୍ୟଙ୍କ ଜରିଆରେ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କରା ଯାଇଥିଲା। ଏବେ ସେଇ ଗୁଜବକୁ ପୁଣି ଥରେ କାନକୁହାଙ୍କ ଜରିଆରେ ବ୍ୟାପକ କରାଯାଉଛି। ସବୁଠୁ ବଡ କଥା ହେଉଛି, ରାଜ୍ୟର କେତେ ଜଣ ବରିଷ୍ଠ ପୋଲିସ ଅଧିକାରୀ ଏ କ୍ଷେତ୍ରରେ “ଭେଦିଆ” ଓ “ଖବରୀ” ର ଭୂମିକା ତୁଲାଉଛନ୍ତି। ’
ସମୀକ୍ଷା ବ୍ୟୁରୋ
ଦିନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ଯେଉଁମାନେ ବିଜେଡି ଛାଡିଥିଲେ, ସେମାନେ ଆଜି ବିଜେଡ଼ିକୁ ଫେରି ଆସିବାକୁ ବିକଳ ହୋଇ ବାଟ ଖୋଜୁଥିବାର ଜଣା ପଡିଛି। ନିର୍ବାଚନ ପୂର୍ବରୁ ବିଜେଡ଼ିର ବିକଳ୍ପ ଛିଡା କରିବେ ବୋଲି ଯେଉଁ ନେତାମାନେ ବାହାସ୍ଫୋଟ ମାରୁଥିଲେ, ସେମାନେ କେହି ଲୋକଙ୍କ ସହ ରହିବାକୁ ଚାହୁଁ ନଥିଲେ। ସମସ୍ତଙ୍କୁ ସହଜରେ କ୍ଷମତା ଦାଖଲ ଲାଗି ଶିଡିଟିଏ ଦରକାର ଥିଲା। ଏହି ନେତାମାନେ ନବୀନଙ୍କ ଛାତ୍ରଛାୟାରେ ୨୦ ବର୍ଷ କ୍ଷମତା ଭୋଗ କରି ସାରିଲାପରେ, ନୂଆ ଶିଡି ର ତଲାଶ କରୁଥିଲେ। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏମାନଙ୍କ ଲାଗି ସହଜ ଶିଡି ମନେ ହୋଇଥିଲା। ତେଣୁ ନବୀନଙ୍କ ନୂଆ ଶତ୍ରୁ ପାଲଟିଥିବା କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ନିର୍ବାଚନ ପାଖାପାଖି ବିଜେପିରେ ଯୋଗ ଦେଇଥିଲେ। ସ୍ଵାଭାବିକ ଭାବରେ ନିର୍ବାଚନୀ ଉଷ୍ମତାରେ ବିଜେପିର ବିଜେଡି ବିରୋଧୀ ଆଭିମୁଖ୍ୟ ତୀବ୍ର ରହିଥିଲା। ଲାଗୁଥିଲା, ଯେମିତି ବିଜେଡି ବିଜେପି ପରଷ୍ପରର ମୁହଁ ଚାହିଁବେ ନାହିଁ। ସେଇ ପରିସ୍ଥିତିରେ ବିଜେପି ପାଇଁ ବୈଜୟନ୍ତଙ୍କର ବଡ ଆବଶ୍ୟକତା ରହିଥିଲା।
ବିଜେପି ପାଇଁ ବୈଜୟନ୍ତଙ୍କ ତୁଳନାରେ ବୈଜୟନ୍ତଙ୍କ ମାଲିକାନାରେ ରହିଥିବା ଟେଲିଭିଜନ ଚାନେଲ ବେଶୀ ଲୋଭନୀୟ ଥିଲା। ନିର୍ବାଚନ ସମୟରେ ଜନମତକୁ ପ୍ରଭାବିତ କରିବା ଲାଗି ରାଜ୍ୟର ସର୍ବାଧିକ ଟିଆରପି ଥିବା ଖବର ଚାନେଲଟିକୁ ନିଜ ସପକ୍ଷରେ ରଖିବାକୁ ବିଜେପି ଚାହୁଁଥିଲା। ସେଥିଲାଗି ବୈଜୟନ୍ତଙ୍କୁ ନିର୍ବାଚନ ସମୟରେ ବିଜେପି ତରଫରୁ ବେଶ ଗୁରୁତ୍ଵ ଦିଆଯାଉଥିଲା। ତାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି କରିବା ସହିତ ଜାତୀୟ ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତି ଦିଆ ଯାଇଥିଲା। ତେବେ ନିର୍ବାଚନ ସରୁ ସରୁ ବୈଜୟନ୍ତ ବିଜେପିରେ ଆଉ ବିଶେଷ ଆବଶ୍ୟକତା ହୋଇ ରହିନାହାନ୍ତି।
ଦାମଙ୍କ ଅବସ୍ଥା ବୈଜୟନ୍ତଙ୍କ ତୁଳନାରେ ଟିକେ ଭଲ। ଦାମ ବାବୁ ପୁରୁଣା ଲୋକ। ସେ ଗୋଟେ ପାଦ ବିଜେପିରେ ରଖିବା ସହିତ ଗୋଟେ ପାଦ ବିଜେଡିରେ ଛାଡିକି ଯାଇଛନ୍ତି। ପୁଅ ସମୀର ରାଉତରାୟ ବିଜେଡି ଟିକଟ ପାଇ ବିଧାୟକ ହୋଇଛନ୍ତି। ପୁଅକୁ ଜିତାଇବା ଓ ନିଜେ ହାରିବାରେ ଦାମଙ୍କ ଭୂମିକା କଥା ଉଭୟ ବିଜେପି ଓ ବିଜେଡି ଦଳର ତୁଙ୍ଗ ନେତା ଜାଣନ୍ତି। ତେଣୁ ନବୀନ ଓ ବିଜେଡି ବିରୋଧରେ ଯେତେ ଗପିଲେ ମଧ୍ୟ ଦାମୋଦର ରାଉତ ନିଜର ବିଜେଡି ଯୋଗସୂତ୍ର କାଟି ନାହାନ୍ତି।
ନିର୍ବାଚନ ପରେ ପରେ ହଠାତ ବିଜେଡି ଓ ବିଜେପି ଭିତରେ ସମ୍ପର୍କ ଏତେ ମଧୁର ହୋଇଯିବ ବୋଲି ଦାମ ବା ବୈଜୟନ୍ତ ଚିନ୍ତା କରିନଥିଲେ। ସେମାନେ ବିଜେପିରେ ରହି ଆଗାମୀ ଦିନରେ ନବୀନ ବିରୋଧୀ ଶକ୍ତିଙ୍କୁ ବିଜେପି ମାଧ୍ୟମରେ ଏକାଠି କରିବେ ବୋଲି ଯେଉଁ ଯୋଜନା କରିଥିଲେ, ତାହା ପାଣି ଫାଟି ଯାଇଛି। ଏବେ ବିଜେଡି ବିଜେପି ସମ୍ପର୍କ କ୍ଷୀର ଆଉ ନୀରର। ବିଜେପିରେ ରହି ବିଜେଡ଼ିକୁ ସମର୍ଥନ କରିବା ଅପେକ୍ଷା ବିଜେଡ଼ିକୁ ଫେରିଯିବା ଅଧିକ ଲାଭଦାୟକ ବୋଲି ଏଇ ନେତାମାନେ ବିଚାର କରୁଛନ୍ତି। ତେବେ ବିଚାର କରିବା ଓ ଫେରିବା ଏକା କଥା ନୁହେଁ।
ଦାମ ଓ ବୈଜୟନ୍ତ ବିଜେଡି କୁ ଫେରିବା ଲାଗି ଏବେ ନିଜର ପୁରୁଣା ବିଜେଡି ସହଯୋଗୀମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଶୁଣାଯାଉଛି। ବିଜେଡ଼ିର କିଛି ପୁରୁଖା ନେତା ଦାମ ଓ ବୈଜୟନ୍ତଙ୍କ ସହ ଭିତିରି ଯୋଗସୂତ୍ରରେ ରହିଥିବାର ଖବର ମଧ୍ୟ ମିଳୁଛି। ତେବେ ବିଜେଡିକୁ ଫେରିବା ବାଟ ଆଦୌ ସହଜ ମଧ୍ୟ ନୁହେଁ। ବିଜେଡିରେ ସବୁବେଳେ ଏକତରଫା ରାସ୍ତାର ରାଜନୀତି କାମ କରି ଆସିଛି। ଯିଏ ଥରେ ଦଳରୁ ବାହାରିଛି, ତାକୁ ଆଉ ଥରେ ବିଜେଡି ଗ୍ରହଣ କରିନାହିଁ। କେବଳ ପ୍ରଫୁଲ୍ଲ ଘଡେଇ ତାର ଏକ ବ୍ୟତିକ୍ରମ। ତେବେ ପ୍ରଫୁଲ୍ଲ ଘଡେଇ ଦଳରୁ ବହିଷ୍କୃତ ହେବାପରେ ପୂରା ନୀରବ ରହିଥିଲେ। ସେ ଦାମ ଓ ବୈଜୟନ୍ତଙ୍କ ପରି ନବୀନ ବିରୋଧୀ ମୋର୍ଚ୍ଚା ଖୋଲିନଥିଲେ। ଏବେ ବିଜେପି ଭିତରେ ନବୀନଙ୍କ ସହ ବୁଝାମଣାର ଯେଉଁ ମଧୁମାସ ଚାଲିଛି, ସେଥିରେ ବୈଜୟନ୍ତ ଓ ଦାମଙ୍କ ପରି ନେତା ବଡ ଦ୍ଵନ୍ଦ୍ଵ ରେ ପଡିଛନ୍ତି। ସେମାନେ ଯେ କୌଣସି ପ୍ରକାରେ ବିଜେଡ଼ିକୁ ଫେରିବା ପାଇଁ ବ୍ୟାକୁଳ ଅଛନ୍ତି ବୋଲି ଶୁଣାଯାଉଛି।
ଆଜି ରାଜ୍ୟ ସଭାରେ ବହୁ ବିବାଦୀୟ ଟ୍ରିପିଲ୍ ତଲାକ ବିଲ ପାରିତ ହୋଇଛି। ଏହି ବିଲ ପାଶ ହୋଇଥିବା ଭୋଟିଂରେ ସପକ୍ଷରେ 99 ଟି ଭୋଟ ଏବଂ ବିପକ୍ଷରେ 84ଟି ଭୋଟ ମିଳିଥିଲା। ମୁସିଲମ ମହିଳା ବିଲ 2019କୁ ରାଜ୍ୟସଭାରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଗତ କରିଥିଲେ। ଏହାପରେ ଡିଭିଜନ ହୋଇ ଭୋଟ ଗ୍ରହଣ କରାଯାଇଥିଲା। ପୂର୍ବରୁ ଏହି ବିଲ୍ ରାଜ୍ୟସଭାରେ ଗୃହିତ ହୋଇପାରି ନ ଥିଲା। ସେତେବେଳେ ଏହା ସପକ୍ଷରେ ମାତ୍ର 84ଟି ଭୋଟ ମିଳିଥିବା ବେଳେ ବିରୋଧରେ 100 ଖଣ୍ଡ ଭୋଟ ମିଳିଥିଲା। ଫଳରେ ସେତେବେଳେ ବିଲ୍ କୁ ଷ୍ଟାଡିଂ କମିଟକୁ ପଠାଇଦିଆଯାଇଥିଲା। ଏହି ବିଲ୍ ଲୋକସଭାରେ ପୂର୍ବରୁ ପାଶ ହୋଇଯାଇଥିଲା। ଏହି ବିଲ୍ ଆଗତ ହେବା ପରେ ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମନବୀ ଆଜାଦ ବିରୋଧ କରିଥିଲେ। ସେ କହିଥିଲେ ଯେ, ବିରୋଧୀ ଦଳ ଏହି ବିଲ୍ ରେ କେତେକ ସଂଶୋଧନ ଆଣିବାକୁ ଚାହୁଁଥିଲେ ହେଲେ ସରକାର ତାହା କରାଇଦେଲେ ନାହିଁ। ସେଥିପାଇଁ କଂଗ୍ରେସ ଏହି ବିଲ୍ କୁ ବିରୋଧ କରିବ ବୋଲି ଘୋଷଣା କରିଥିଲେ। ଏହି ବିଲ୍ କୁ ବିଜେଡି ତରଫରୁ ସମର୍ଥନ ଦିଆଯାଇଥିଲା।
ସମୀକ୍ଷା ବ୍ୟୁରୋ
ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲା ମାତ୍ର 18 ହଜାର ଭୋଟରେ ଜିତିଛନ୍ତି। ହେଲେ ଏହାକୁ ନେଇ ବିଜେଡି ସୁପ୍ରିମୋ ଖପ୍ପା। ଏହାର କାରଣ ଜାଣିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ଦାୟିତ୍ବାରେ ଥିବା ନେତାଙ୍କୁ ଡାକି ଜବାବ ମାଗିଛନ୍ତି। ନବୀନଙ୍କ ଆଶା ଥିଲା ଯେ ସାବିତ୍ରୀ ଅଗ୍ରୱାଲା ଅନ୍ତତଃ ପକ୍ଷେ 40ରୁ 50 ହଜାର ଭୋଟ ବ୍ୟବଧାନରେ ଜିତିବେ। ହେଲେ ମାତ୍ର 18 ହଜାର ଭୋଟରେ ଜିତିବା ନେଇ ନବୀନ ସହଜରେ ଗ୍ରହଣ କରିପାରୁ ନାହିଁନ୍ତି। କାରଣ ହେଲା, ପାଟକୁରାରେ ବିଜେଡି ପ୍ରାର୍ଥୀ ଜିତିବା ପାଇଁ ଯେପରି ପରିଶ୍ରମ କରାଯାଇଥିଲା, ତାହାର ଏହା ଫଳ ନୁହେଁ। ନିର୍ବାଚନ ପ୍ରଚାରରେ ବିଜେଡିର ତୁଙ୍ଗ ନେତାମାନେ ସେଠାରେ ଡେରା ପକାଇଲେ। ଏପରିକି ଡଜନେ ମନ୍ତ୍ରୀ ମଧ୍ୟ ଯାଇ ସେଠାରେ ରହିଲେ। ଏଥିସହିତ ଖୋଦ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗାଁଗାଁ ବୁଲି ପ୍ରଚାର କଲେ। ଏହା ସତ୍ବେ ଏତେ କମ ବ୍ୟବଧାନରେ ସାବିତ୍ରୀ ଜିତିବା ଠିକ ହୋଇ ନାହିଁ ବୋଲି ନବୀନ ସିଧା ସିଧା ନେତାଙ୍କୁ ଶୁଣାଦେଲେ।
ଏହି ବୈଠକରେ ପ୍ରତାପ ଦେଓ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ , ରଣେନ୍ଦ୍ର ପ୍ରତାସ ସ୍ବାଇଁ, ପ୍ରଫୁଲ ମଲ୍ଲିକ, ଏବଂ ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କଣ ପାଇଁ ସାବିତ୍ରୀ ଅଧିକ ଭୋଟ ପାଇଲେ ନାହିଁ ସେ ନେଇ ସମସ୍ତଙ୍କୁ ପ୍ରଶ୍ନ ପଚାରିଲେ ନବୀନ। ସାଧାରଣ ନିର୍ବାଚନରେ ସେହି ସଂସଦୀୟ କ୍ଷେତ୍ରରୁ ବୈଜୟନ୍ତ ପଣ୍ଡା ପ୍ରାୟ ଦେଢ ଲକ୍ଷ ଭୋଟରେ ହାରିଥିଲେ। ସେହିପରି ବିଜୟ ମହାପାତ୍ର ମଧ୍ୟ ହାରିବା କଥା । ହେଲେ ବିଜେଡି ପ୍ରାର୍ଥୀ ଏପରି ବ୍ୟବଧାନରେ ଜିତିବା ଠିକ ନୁହେଁ ବୋଲି ନବୀନ ଖପ୍ପା ହୋଇଥିଲେ। ପ୍ରତି ପଞ୍ଚାୟତର କେତେ ଭୋଟ ମିଳିଛି ତାହାର ହିସାବ ଦେବା ପାଇଁ ନେତାଙ୍କୁ କହିଥିଲେ। ନବୀନଙ୍କ ଏପରି ମୁଡ ଦେଖି ପାଟକୁରା ମଙ୍ଗୁଆଳମାନେ ହଡବଡେଇ ଯାଇଥିଲେ।
ନେତାଙ୍କ ସଫେଇ ହେଲା ଯେ ପାଟକୁରର ଡେରାବିଶ,ଗରଦପୁର ଓ ମାର୍ଶାଘାଇ ବ୍ଲକ ମଧ୍ୟରୁ କେବଳ ଡେରବିଶରେ ଭୋଟ ଯେପରି ମିଳିବା କଥା ତାହା ମିଳିପାରିଲା ନାହିଁ। ଏହି ବ୍ଲକରୁ ସାବିତ୍ରୀଙ୍କୁ ମାତ୍ର 13 ହଜାର 5ଶହ ଭୋଟ ଅଧିକ ମିଳିଛି। ଏହି ଅଞ୍ଚଳରେ ଗୁଳିକାଣ୍ଡ ଯୋଗୁଁ ଭୋଟ ହାର ଏପରି କମିଲା ବୋଲି ନେତାମାନେ ସଫେଇ ଦେଲେ। ହେଲେ ଅନ୍ୟ ଦୁଇଟି ବ୍ଲକରେ ଯେପରି ଭୋଟ ମିଳିବା କଥା ତାହା ମିଳିଛି। ଏହି ଉତ୍ତରରେ କୁଆଡେ ନବୀନ ଖୁସି ହେଲେ ନାହିଁ। ସମସ୍ତଙ୍କୁ ତାଗିତ କରି କହିଲେ ଯେ, ବର୍ତ୍ତମାନ ସମସ୍ତେ ସଜାଗ ରୁହ ଏବଂ ଲୋକଙ୍କ ପାଇଁ କାମ କର। ତେବେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସେହି ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବା ପାଇଁ ନେତାମାନଙ୍କୁ ନବୀନ କହିଥିଲେ।
କେଦାର ମିଶ୍ର
ବିଜୁ ଜନତା ଗଠନ ହେବା ଦିନଠୁ ଏହା କ୍ଷମତାରେ ରହି ଆସିଛି। ୧୯୯୮ ରୁ ଆଜି ପର୍ଯ୍ୟନ୍ତ ଦଳର ଶୀର୍ଷ କ୍ଷମତା ନବୀନ ପଟ୍ଟନାୟକଙ୍କ ହାତରେ ରହି ଆସିଛି। ତେବେ ବିଜେଡି ଭିତରେ ନବୀନଙ୍କ ନେତୃତ୍ଵ ଅନେକ ସମୟରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇଛି। ବନ୍ଧୁତା ଓ ବିଶ୍ଵାସଘାତକତାର ଦୀର୍ଘ ଅନୁଭୂତି ନବୀନ ବାବୁଙ୍କର ରହିଛି। ପାଞ୍ଚଥର ସରକାର ଗଢିବା ଭିତରେ ବିଭିନ୍ନ ପର୍ଯ୍ୟାୟରେ ବିଜେଡି ଭିତରେ କିଛି ନେତା ଅସନ୍ତୁଷ୍ଟ ଓ ରୁଷ୍ଟ ହୋଇଛନ୍ତି। ଗୋଟେ ପୁରୁଣା ସିନେମାର ନାଁ ଅନୁସାରେ ଆମେ ଏମାନଙ୍କୁ ଅଶାନ୍ତ ଗ୍ରହ ବୋଲି କହିପାରିବା। ନବୀନଙ୍କୁ ବିରୋଧ କରିବାକୁ ଯାଇ ଏଇ ନେତାମାନେ ନିଜେ ସମାପ୍ତ ହୋଇ ଯାଇଛନ୍ତି। ବିଜେଡ଼ିରୁ ନବୀନଙ୍କ ଅନୁଗ୍ରହରୁ ବଞ୍ଚିତ ହୋଇ ଏମିତି ଜଣେ ବି ନେତା ନାହାନ୍ତି ଯିଏ ଅନ୍ୟ କେଉଁଠି ଉଧେଇ ପାରିଛନ୍ତି।
ପ୍ରଥମ ପର୍ଯ୍ୟାୟର ସରକାର ଗଠନ ବେଳେ ଏଇ ଧାରା ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ ହୋଇଥିଲା। ଅନଭିଜ୍ଞ ନବୀନଙ୍କୁ କ୍ଷମତାରେ ବସାଇ ବାସ୍ତବ କ୍ଷମତାକେନ୍ଦ୍ର ହେବାର ସ୍ଵପ୍ନ ଦେଖୁଥିବା ବିଜୟ ମହାପାତ୍ରଙ୍କୁ ସେ ଏମିତି ଏକ ଝଟକା ଦେଇଥିଲେ ଯେ, ବିଜୟ ଆଜି ମଧ୍ୟ ଉଠିବା ଅବସ୍ଥାକୁ ଆସିନାହାନ୍ତି। ତା ପରେ ପରେ ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ପଂଚାନନ କାନୁନଗୋ, ବ୍ରଜକିଶୋର ତ୍ରିପାଠୀ, ଦିଲ୍ଲୀପ ରାୟ ପ୍ରମୁଖ ସେଇ ଅଶାନ୍ତ ଗ୍ରହର ଭୂମିକା ନେଇ କକ୍ଷଚ୍ୟୁତ ହୋଇଛନ୍ତି। ବିଜେଡି ଭିତରେ ଏଇ ନେତାମାନେ ଗୋଟେ ସମୟରେ ବେଶ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିଲେ। ୨୦୦୦ରେ ନବୀନ ବାବୁ ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାର କିଛି ବର୍ଷ ଭିତରେ ଏକଦା ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିବା ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ଅନ୍ୟତମ କ୍ଷମତାକେନ୍ଦ୍ର ହେବା ଆରମ୍ଭ କଲେ। ଏଠି କହି ରଖିବା ଉଚିତ ହେବ ଯେ, ନବୀନଙ୍କ କ୍ଷମତା ବଳୟ ଭିତରେ ଯିଏ ବି ଦ୍ଵିତୀୟ କ୍ଷମତାକେନ୍ଦ୍ର ହେବାର ଚେଷ୍ଟା କରିଛି, ତାର ଡେଣା କଟିଛି।
ପ୍ୟାରୀ ବାବୁଙ୍କ ଭାଗ୍ୟରେ ମଧ୍ୟ ଠିକ ସେୟା ଘଟିଲା। ପ୍ରାୟ ଦଶ ବର୍ଷ ଧରି ଦ୍ଵିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ପ୍ୟାରୀମୋହନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବିଜେଡ଼ିରୁ ତଡା ଖାଇଲେ। ବିଜେଡ଼ିରୁ ବିତାଡିତ ହେବାପରେ ପ୍ୟାରୀଙ୍କ ରାଜନୈତିକ ଜୀବନ ଅନ୍ଧାର ହୋଇଗଲା ଓ ଏହାର ଅଳ୍ପଦିନ ପରେ ସେ ଆରପାରିକୁ ଚାଲିଗଲେ। ୨୦୧୪ ରୁ ୧୯ ଭିତରେ ଏଇ ଅଶାନ୍ତ ଗ୍ରହମାନଙ୍କର ସଂଖ୍ୟା ଟିକେ ଅଧିକ ଥିଲା। ୨୦୧୪ ନିର୍ବାଚନ ପରେ ପରେ ବିଜେଡ଼ିର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡା ଅଶାନ୍ତ ହେବା ଆରମ୍ଭ କରିଥିଲେ। କ୍ରମଶଃ ବୈଜୟନ୍ତଙ୍କ ସହ ନବୀନଙ୍କ ଦୂରତା ବଢିଲା ଓ ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବିଜେଡ଼ିରୁ ବୈଜୟନ୍ତଙ୍କ ନାଁ କଟିଲା। ତେବେ ଏହି ପାଳିରେ ସବୁଠୁ ବଡ ଅଶାନ୍ତ ଗ୍ରହର ଭୂମିକା ନେଇଥିଲେ ମନ୍ତ୍ରୀ ଦାମୋଦର ରାଉତ। ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରେ ରହି ମଧ୍ୟ ସରକାରକୁ ଅଡୁଆରେ ପକାଇବାରେ ପ୍ରମୁଖ ଭୂମିକା ନେଉଥିଲେ। ଏହାର ପରିଣତି ତାଙ୍କୁ ଯଥାଶୀଘ୍ର ଭୋଗିବାକୁ ପଡିଥିଲା। ପ୍ରଥମେ ମନ୍ତ୍ରୀମଣ୍ଡଳରୁ ଓ ପରେ ଦଳରୁ ତଡା ଖାଇ ଦାମୋଦର ବାବୁ ଏବେ ପରାସ୍ତ ନେତାର ଭାଗ୍ୟ ନେଇ ଅଛନ୍ତି।
ବାରମ୍ଵାର ଦଳ ଭିତରେ ଅଶାନ୍ତି ଓ ଅସନ୍ତୋଷକୁ ସାମ୍ନା କରିଆସୁଥିବା ନବୀନ ଅସନ୍ତୁଷ୍ଟଙ୍କୁ “ସାଇଜ” କରିବାର କଳାରେ ଢେର ଅଭିଜ୍ଞତା ହାସଲ କରିଛନ୍ତି। ପଞ୍ଚମ ପାଳି ସରକାର ଗଢିବା ବେଳେ ବିଜେଡି ଭିତରେ ବୋଧହୁଏ ପ୍ରଥମ ଅଶାନ୍ତ ଗ୍ରହ ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପାଟି ଟିକେ ବେଶୀ ଶୁଭୁଛି। ମନ୍ତ୍ରୀ ହୋଇନଥିବାରୁ ବିଧାନସଭା ଭିତରେ ସରକାରକୁ ଅକଳରେ ପକାଇବାକୁ ମହାରଥୀ ବାରମ୍ବାର ପ୍ରୟାସ କରୁଛନ୍ତି। ସେଥିପାଇଁ ତାଙ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପରୋକ୍ଷ ତାଗିଦ ମଧ୍ୟ କଲେଣି। ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଦୀପ ମହାରଥୀଙ୍କୁ ଯେମିତି ଛିଗୁଲାଇଛନ୍ତି, ସେଟା କଦାପି ତାଙ୍କର ବ୍ୟକ୍ତିଗତ ସାହସ ହୋଇନଥିବ। ମହାରଥୀଙ୍କୁ ଏହା ମାଧ୍ୟମରେ ଏକ ପ୍ରକାର ପରୋକ୍ଷ ଚେତାବନୀ ଦିଆଯାଇଛି।
ତେବେ ମହାରଥୀଙ୍କ ତୁଣ୍ଡକୁ ଲଗାମ ଦେବା ସରକାରୀ ଦଳ ପକ୍ଷରେ ସହଜ ହେବନାହିଁ। ଅନ୍ୟ ପକ୍ଷରେ ତାଙ୍କୁ ମନ୍ତ୍ରୀ କରିବା ମଧ୍ୟ ନବୀନଙ୍କ ଲାଗି ଗୋଟେ ବଡ ବୋଝ ପାଲଟିଯିବ। ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକଙ୍କୁ ମାଡମାରିବା, ବେବିନା ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ବୟାନ ଦେବା ଭଳି ପ୍ରସଙ୍ଗରେ ବିଜେଡି ମହାରଥୀଙ୍କ ଯୋଗୁଁ ଅପଦସ୍ତ ହୋଇଛି। ତେଣୁ ସ୍ଵାଭାବିକ ଭାବରେ ତାଙ୍କୁ ମନ୍ତ୍ରୀ କରିବାକୁ ନବୀନ ଚାହୁଁ ନାହାନ୍ତି। ହେଲେ କ୍ଷମତା ପାଇବାକୁ ବିଧାନସଭା ମାଧ୍ୟମରେ ଚାପ ପ୍ରୟୋଗର କୌଶଳ ମହାରଥୀ ଆପଣାର କରିଛନ୍ତି। ଏଇ ସମୟରେ ବିଜେଡ଼ିର ନୂଆ ଅଶାନ୍ତ ଗ୍ରହ ଭାବରେ ମହାରଥୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବୋଧହୁଏ ଏଇ ପାଳିର ସରକାରରେ ପ୍ରଦୀପ ମହାରଥି ଦାମୋଦର ରାଉତଙ୍କ ଶୂନ୍ୟସ୍ଥାନ ପୂରଣ କରିପାରନ୍ତି!!
ସମୀକ୍ଷା ବ୍ୟୁରୋ
ପୁଣି ଥରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି ଦିଲ୍ଲୀପ ବିଜେଡିକୁ ଫେରିବାର ପ୍ରାୟ ନିଶ୍ଚିତ। କାରଣରେ କୁହାଯାଇଛି ଯେ, ଦିଲ୍ଲାପ ତାଙ୍କର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଯେତେବେଳେ ସାଧାରଣ ନିର୍ବାଚନ ଚାଲିଥିଲା ସେତେବେଳେ ଦିଲ୍ଲୀପ ପାଟକୁରା ଆସି ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ। ମୁଁ ବିଜେପି ପାଇଁ ନୁହେଁ ବରଂ ବିଜୟଙ୍କ ପାଇଁ ପ୍ରଚାର କାର୍ଯ୍ୟ କରିବି ବୋଲି ଦିଲ୍ଲୀପ ଗଣମାଧ୍ୟମ ଆଗରେ କହିଥିଲେ। ହେଲେ ପରବର୍ତ୍ତି ସମୟରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଏବଂ ଫନି ବାତ୍ୟା ପାଇଁ ମଧ୍ୟ ନିର୍ବାଚନ ସ୍ଥଗିତ ରହିଲା। ହେଲେ ଯେତେବେଳେ ନିର୍ବାଚନ ହେଲା, ଦିଲ୍ଲୀପ ତାଙ୍କ କଥା ରଖି ଆଉ ବିଜୟଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀପ ପୁଣି ଥରେ ବିଜେଡିକୁ ଫେରିବେ। ତେବେ ବର୍ତ୍ତମାନ ପାଇଁ ଯେଉଁ କାରଣ ସବୁ ଚର୍ଚ୍ଚା ଚାଲିଛି ତାହା ହେଲା
1-ଦିଲ୍ଲୀପ ଦେଇଥିବା ପ୍ରତିଶୃତି କେବେ ଭାଙ୍ଗନ୍ତି ନାହିଁ। ହେଲେ ପାଟକୁରା ନିର୍ବାଚନରେ ସେ ଦେଇଥିବା ପ୍ରତିଶୃତିକୁ ଭାଙ୍ଗିଲେ। ଅନ୍ୟପଟେ ବିଜୟ ଦିଲ୍ଲୀପଙ୍କ ମଧ୍ୟରେ ବହୁ ଘନିଷ୍ଠ ସଂପର୍କ ମଧ୍ୟ ରହିଛି। ଏପରି ସ୍ଥଳେ ଦିଲ୍ଲୀପ ପ୍ରଚାରକୁ ନ ଆସିବା ଘଟଣାଟି ସନ୍ଦେହ ସୃଷ୍ଟି କରିଛି।
2-ବ୍ରାହ୍ଣଣୀ ସେତୁ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟ ହସପିଟାଲରେ ପରିଣତ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତି ପାଳନ ନ ହେବାରୁ ଦିଲ୍ଲୀପ ବିଜେପି ଛାଡିଲେ। ହେଲେ ବିଜୟଙ୍କୁ ଦିଲ୍ଲୀପ ଯେଉଁ ପ୍ରତିଶୃତି ଦେଇଥିଲେ ସେ ନିଜେ ପାଳନ କଲେ ନାହିଁ।
3-କୌଣସି ପ୍ରକାରରେ ବିଜୟ ମହାପାତ୍ର ବିଧାନସଭାରେ ପ୍ରବେଶ ନ କରନ୍ତୁ ତାହା ବିଜେଡି ଚାହୁଁଛି। ସେଥିପାଇଁ ବିଜୟଙ୍କ ଯେତେସବୁ ଦୃଢ ମାଧ୍ୟମ ରହିଛି ତା ଉପରେ ବିଜେଡି ନଜର ରଖି ସେମାନଙ୍କୁ ନିୟନ୍ତ୍ରଣ କରିଛି। ଯାହା ଫଳରେ ଦିଲ୍ଲୀପ ପ୍ରଚାରକୁ ଆସି ନାହାଁନ୍ତି ବୋଲି କୁହାଯାଉଛି।
4-୨୦୨୦ ମସିହାରେ ଓଡିଶାର ଆଉ କେତୋଟି ରାଜ୍ୟସଭା ପଦ ଖାଲି ହେଉଛି। ସୁତ୍ର କହୁଛି ଯଦି ଦିଲ୍ଲୀପ ବିଜୟଙ୍କ ପାଇଁ ପ୍ରଚାର ନ କରିବେ ତେବେ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ଦିଆଯିବ। ବିଜେଡି ଏହି ପ୍ରତିଶୃତି ଦେଇଥିବାରୁ ସେଥିପାଇଁ ଦିଲ୍ଲୀପ ପାଟକୁରା ଆସିଲେ ନାହିଁ।
ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଜୟ ଏବଂ ଦିଲ୍ଲୀପ ଏକା ସଙ୍ଗରେ ବିଜେପିରୁ ଇସ୍ଥଫା ଦେଇଥିଲେ। ସେତେବେଳେ ପ୍ରଚାର ହୋଇଥିଲା ଯେ, ଉଭୟ ବିଜେଡିରେ ମିଶିବେ। ହେଲେ ଦୀର୍ଘ ଦିନ ବିତିଗଲା ସିନା ତାହା ହେଲା ନାହିଁ। ଶୁଣାଗଲା ଯେ, ବିଜୟ ମଧ୍ୟ ବିଜେଡି ଯାଆନ୍ତୁ ବୋଲି କୁଆଡେ ଦିଲ୍ଲୀପ ଚାହୁଁଥିଲେ। ଯାହା ବିଜେଡି ତରଫରୁ ସବୁଜ ସଙ୍କେତ ଦିଆଗଲା ନାହିଁ। ଫଳରେ ଉଭୟ ବିଜେଡିରେ ମିଶିବା ସମ୍ଭବ ହୋଲା ନାହିଁ। ଏହାର କିଛି ଦିନ ପରେ ଦିଲ୍ଲୀପ ଏକା ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ଜଣାପଡିଥିଲା ଯେ, ବିଜୟ ନୁହେଁ କେବଳ ଦିଲ୍ଲୀପ ବିଜେଡିରେ ମିଶିବେ। ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ତାହା ମଧ୍ୟ ହେଲା ନାହିଁ। ବରଂ ଦିଲ୍ଲୀପଙ୍କୁ ଛାଡି ବିଜୟ ବିଜେପିରେ ପୁଣି ଥରେ ଯୋଗଦେଲେ। ଏହାପରେ ଦିଲ୍ଲୀପଙ୍କ ସ୍ବର ମଧ୍ୟ ବଦଳିଯାଇଥିଲା। ପୂର୍ବରୁ ବିଜେପିକୁ ତୀବ୍ର ସମାଲୋଚନା କରୁଥିବା ଦିଲ୍ଲୀପ ଦଳକୁ ପ୍ରଶଂସା କଲେ। ଫଳରେ ସେତେବେଳେ ଦିଲ୍ଲୀପ ମଧ୍ୟ ବିଜେପିକୁ ଫେରିବେ ବୋଲି ଆଶା କରାଯାଉଥିଲା। ଯାହା ହେଲା ନାହିଁ। ତେବେ ବର୍ତ୍ତମାନ ସମୀକରଣ ଅନୁସାରେ ଦିଲ୍ଲୀପ ବିଜେପି ନୁହେଁ ବିଜେଡିରେ ଖୁବ ଶିଘ୍ର ସାମିଲ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।
କେଦାର ମିଶ୍ର
କିଛିଦିନ ତଳେ ବିଶିଷ୍ଟ ସାମ୍ବାଦିକ ଶବା ନକଭି ଭାରତୀୟ ରାଜନୀତିର ଭବିଷ୍ୟତ ବିଷୟରେ ଏକ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଶବାଙ୍କ ଆକଳନ ଅନୁସାରେ ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତର ପ୍ରାୟ ସବୁ ଆଞ୍ଚଳିକ ଦଳ ବିଜେପିରେ ମିଶିଯିବାକୁ ଏକ ପ୍ରକାର ବାଧ୍ୟ ହେବେ। ଦିଲ୍ଲୀରେ ରହୁଥିବା ସାମ୍ବାଦିକମାନେ ଅନେକ ସମୟରେ ଏମିତି ଭବିଷ୍ୟବାଣୀ ସବୁ କରିଥାନ୍ତି। ସେଥିରୁ କିଛିଟା ସତ ହୁଏ ଆଉ କିଛିଟା କଲ୍ପନା ବୋଲି ପ୍ରମାଣିତ ହୁଏ। ଭାରତୀୟ ରାଜନୀତିରେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ତିରିଶ ବର୍ଷ କଂଗ୍ରେସ ନାମରେ ହିଁ ରହିଥିଲା। କଂଗ୍ରେସର ବିରୋଧୀ ଥିବା କମ୍ୟୁନିଷ୍ଟ, ସୋସିଆଲିଷ୍ଟ, ଜନସଙ୍ଘ, ସ୍ଵତନ୍ତ୍ର ପାର୍ଟି ଓ ଦ୍ରାବିଡ ମୁନ୍ନେତ୍ରା କାଡାକାମ ନିଜ ନିଜ ପରିସରରେ ଅତ୍ୟନ୍ତ ସୀମିତ ହୋଇ ରହିଥିଲେ। ଷାଠିଏ ଦଶକରେ ପ୍ରଥମେ କେରଳରେ ଓ ପରବର୍ତ୍ତୀ ଦଶକରେ ପଶ୍ଚିମ ବଙ୍ଗରେ କମ୍ୟୁନିଷ୍ଟ ଶାସନ ଆସିଥିଲା। ତାମିଲନାଡୁରେ ଦ୍ରାବିଡ ରାଜନୀତିର ଅଭ୍ୟୁଦୟ ପରେ କଂଗ୍ରେସ ସେଠାରେ କ୍ରମଶଃ ଦୁର୍ବଳ ହୋଇ ଅତି ଗୁରୁତ୍ଵହୀନ ସ୍ଥାନକୁ ଖସି ଆସିଲା। ତେବେ ଉତ୍ତର ଭାରତରେ ସୋସିଆଲିଷ୍ଟ ଓ କେବେ କେବେ ସ୍ଵତନ୍ତ୍ର ପାର୍ଟି କଂଗ୍ରେସକୁ କିଛିଟା ବିରୋଧ କରୁଥିଲେ।
୧୯୭୫ର ଜରୁରୀକାଳୀନ ପରିସ୍ଥିତି ପରେ ଅଣକଂଗ୍ରେସ ରାଜନୀତିରେ ଏକ ନୂଆ ମୋଡ ଆସିଲା ଓ ସବୁ କଂଗ୍ରେସ ବିରୋଧୀ ଶକ୍ତିଙ୍କୁ ନେଇ ୧୯୭୭ରେ ଦେଶର ପ୍ରଥମ ଅଣ କଂଗ୍ରେସ ସରକାର ଗଠିତ ହେଲା। ୧୯୭୫ ରୁ କଂଗ୍ରେସ ବିରୋଧୀ ଶକ୍ତିମାନେ ନିଜର ସାମର୍ଥ୍ୟ ବଢାଇବାର ଅଭିଯାନ ଆରମ୍ଭ କରିଥିଲେ ଓ ତାର ପରିଣତି ସ୍ୱରୂପ ୪୪ ବର୍ଷ ପରେ ଆଜି କଂଗ୍ରେସ ନିଜର ଅସ୍ତିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି। ଅଣ କଂଗ୍ରେସ ରାଜନୀତିର ଆଉ ଏକ ଦାର୍ଶନିକ ପୃଷ୍ଠଭୂମି ମଧ୍ୟ ରହିଛି। ଧର୍ମନିରପେକ୍ଷ ଓ ସମାଜବାଦୀ ଚରିତ୍ର ବହନ କରୁଥିବା ବିରୋଧୀ ଶକ୍ତି ଗୁଡିକ ଆସ୍ତେ ଆସ୍ତେ ଦୁର୍ବଳ ହେଉଥିବାବେଳେ ହିନ୍ଦୁତ୍ଵ ରାଜନୀତିର ଶକ୍ତି ବୃଦ୍ଧି ଘଟିଛି। ପଚାଶରୁ ସତୁରୀ ଦଶକ ପର୍ୟନ୍ତ କଂଗ୍ରେସର ଯେଉଁ ସର୍ବଗ୍ରାସି ଚରିତ୍ର ରହିଥିଲା, ତାହା ଆଜିର ଶାସକ ଦଳ ବିଜେପିକୁ ସଂକ୍ରମିତ ହୋଇଛି। ଏବେ ବିଜେପି ଦେହରେ ଜନସଙ୍ଘ ବା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପରିଚୟ ରଖିଥିଲେ ମଧ୍ୟ, ଏହାର ମାନସିକ କଂଗ୍ରେସୀକରଣ ହୋଇସାରିଛି। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଯେଉଁ ଏକଛତ୍ରବାଦୀ ଚରିତ୍ର ରହିଥିଲା, ତାହା ଆଜି ନରେନ୍ଦ୍ର ମୋଦୀଙ୍କ ବିଜେପିକୁ ମାଡିସାରିଛି।
ନବେ ଦଶକରେ କଂଗ୍ରେସର ବର୍ଚ୍ଚସ୍ଵ ଭାଙ୍ଗିବାକୁ ଯାଇ ବିଭିନ୍ନ ରାଜ୍ୟଗୁଡିକରେ ଆଞ୍ଚଳିକ ଦଳଗୁଡିକ ନିଜର ପ୍ରାଧାନ୍ୟ ବିସ୍ତାର କାଲେ। ଆନ୍ଧ୍ରପ୍ରଦେଶରେ ସିନେ ତାରକା ଏନ.ଟି.ରାମାରାଓଙ୍କ ସଫଳତାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଓ ସଂଯୁକ୍ତ ଜନତା ଦଳ,ତାମିଲନାଡୁରେ ଏଆଇଡିଏମକେ ଓ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଓ ୱାଇଏସଆର, କର୍ଣ୍ଣାଟକରେ ଧର୍ମନିରପେକ୍ଷ ଜନତାଦଳ, ମହାରାଷ୍ଟ୍ରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି, ପଶ୍ଚିମବଙ୍ଗରେ ତୃଣମୂଳ ଓ ଓଡିଶାରେ ବିଜୁ ଜନତା ଦଳର ସଫଳ ନେତୃତ୍ଵ ପ୍ରତିଷ୍ଠା କରିଥିଲା। ଅଶି ରୁ ୨୦୧୪ ପର୍ୟନ୍ତ ଆଞ୍ଚଳିକ ଦଳମାନେ ଜାତୀୟ ରାଜନୀତିର ମୁଖ୍ୟ ନିର୍ଣ୍ଣାୟକ ଭୂମିକା ନେଉଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ଲୋକସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢିଲା ପରେ ଏହା ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳକୁ ଖତମ କରିଦେବାର ସୁଚିନ୍ତିତ ରଣ କୌଶଳ ଆରମ୍ଭ କରି ସେଥିରୁ ଅନେକଙ୍କୁ ମାଟିରେ ମିଶାଇ ସାରିଥିବା ବେଳେ ଆଉ କିଛି ଏବେ ବିଜେପିର ଳୋଲୁପ ନଜରରେ ରହିଛନ୍ତି। ସେଥିରୁ ଓଡିଶାରେ ବିଜୁ ଜନତା ଦଳ ଅନ୍ୟତମ ବୋଲି କୁହାଯାଉଛି।
ଗତ ଦୁଇଟି ନିର୍ବାଚନରେ ଯେଉଁ ଦୁଇ ତିନିଟି ଆଞ୍ଚଳିକ ଶକ୍ତିକୁ ସାମ୍ନା କରିବାରେ ବିଜେପି ଅସମର୍ଥ ହୋଇଛି ସେଥିରୁ ବିଜୁ ଜନତା ଦଳ ଅନ୍ୟତମ। ଓଡିଶାରେ ନବୀନ ପଟ୍ଟନାୟକଙ୍କୁ ମାତ ଦେବାକୁ ଗତ ୬ ବର୍ଷ ଧରି ପ୍ରବଳ ଉଦ୍ୟମ କରିଆସୁଥିବା ବିଜେପି ଏବେ ବିଜେଡି ସହିତ ସନ୍ଧି କରିବା ଆରମ୍ଭ କରିଛି। ଏହାର କାରଣ କଣ? ବିଜେଡ଼ିକୁ ବିଜେପିର ସହଯୋଗ ପଛରେ ତଥାକଥିତ ସହଯୋଗୀ ସଙ୍ଘୀୟ ବିଚାର ରହିଛି ନା ଏହା ବିଜେପିର “ସର୍ବଦଳ ଗିଳା” ଅଭିଯାନର ଏକ ଅଂଶ ବିଶେଷ ତାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ନବୀନ ଥିବା ଯାଏ ଓଡିଶାରେ ବିଜେପିର ଭବିଷ୍ୟତ ଉଜ୍ଜଳ ନୁହେଁ, ଏକଥା ଗତ ଦୁଇଟି ନିର୍ବାଚନରେ ପ୍ରମାଣିତ ହୋଇସାରିଛି।ବିଧାନସଭାରେ ବିଜେଡ଼ିର ପ୍ରଚଣ୍ଡ ବହୁମତ ରହିଥିବାରୁ କିଣାବିକା ଓ ଭଙ୍ଗାଗଢା ରାଜନୀତି କରିବା ଭଳି ଅନୁକୂଳ ସ୍ଥିତି ବିଜେପି ପାଖରେ ନାହିଁ। ଅଗତ୍ୟା ବିଜେଡି ସହିତ ସନ୍ଧି କରି ବିଜେଡ଼ିକୁ ଅକ୍ତିଆର କରିବାର ଏକ ଦୂରଗାମୀ ଲକ୍ଷ୍ୟ ବିଜେପି ପାଖରେ ରହିଛି।
ବିଜେଡି ଭିତରେ ନବୀନଙ୍କ ପରବର୍ତ୍ତୀ ନେତୃତ୍ଵ ପ୍ରସଙ୍ଗରେ କୌଣସି ସ୍ପଷ୍ଟ ଯୋଜନା ନାହିଁ। ତେଣୁ ତାକୁ ବିଜେପି ଏକ ସୁଯୋଗ ବୋଲି ଭାବୁଛି। ନବୀନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସଭାପତି ଅମିତ ଶାହ ଗୋଟେ କଥା ସ୍ପଷ୍ଟ କରିଦେଇଛନ୍ତି ଯେ ନିକଟ ଭବିଷ୍ୟତରେ ବିଜେପି-ବିଜେଡି ଭିତରେ ବିଶେଷ ବିରୋଧର ସମ୍ଭାବନା ନାହିଁ। କିନ୍ତୁ ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗୁଥିବା ଓ ବିରୋଧୀ ଦଳଙ୍କର ଘର ଉଜାଡିଦେବାରେ ଦକ୍ଷତା ହାସଲ କରିଥିବା ବିଜେପି ର ବିଜେଡି ପ୍ରତି ଏ ଯେଉଁ ଅଭିନବ ପ୍ରେମ ଏଥିରେ ମା ର ମମତା ଅଛି ନା ପୁତନା ର ବିଷ ଭରି ରହିଛି, ତାହା ସମୟକ୍ରମେ ସ୍ପଷ୍ଟ ହୋଇଯିବ।
କେଦାର ମିଶ୍ର
ଓଡିଶା ସରକାର ୨୦୧୮-୧୯ ମସିହା ପାଇଁ ତାଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ବିଧାନସଭାରେ ଉପସ୍ଥାପିତ କରିଛନ୍ତି, ସେଥିରେ ଦୁର୍ନୀତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବାଧକ ବୋଲି ମାନିଛନ୍ତି। ସରକାରଙ୍କ ନିଜ ଭାଷାରେ” ଦୁର୍ନୀତି ନିବାରଣ କେବଳ ଏକ ନୈତିକ ଦାୟିତ୍ଵ ନୁହେଁ, ଏହା ଏକ ଅର୍ଥନୈତିକ ଆବଶ୍ୟକତାଯ”। ଏଥିରେ ଦ୍ଵିମତ ହେବାର କୌଣସି କାରଣ ନାହିଁ। ତେବେ ସରକାରୀ ସ୍ତରରେ ଏହାକୁ ଲାଗୁ କରିବ କିଏ? ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଦୁଇଟି ସ୍ଵତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତରେ ମାତ୍ର ୪୩ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି। ତେବେ ସେମାନଙ୍କ ଭିତରୁ ଉପରିସ୍ଥ ଅଦାଲତରେ କେତେଜଣଙ୍କ ଦଣ୍ଡ କାୟମ ରହିଛି, ତାହାର ତଥ୍ୟ ରାଜ୍ୟ ସରକାର ଦେଇ ନାହାନ୍ତି। ସରକାରୀ ତଥ୍ୟ ଏ ସଙ୍କ୍ରାନ୍ତରେ ଯାହା ମିଳୁଛି, ତାହା ଅତ୍ୟନ୍ତ ନିରାଶାଜନକ।
୨୦୧୮ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ୪୨୯ ଟି ଅପରାଧିକ ମାମଲା ରୁଜୁ କରିଥିଲେ। ମାମଲା ହୋଇଥିବା ଅଧିକାରୀଙ୍କ ଭିତରେ ରହିଛନ୍ତି ୫୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୪୪ ଜଣ ଦ୍ଵିତୀୟ ଶ୍ରେଣୀ ଅଧିକାରୀ, ୩୯୮ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୧୬୫ ଜଣ ବେସରକାରୀ ବ୍ୟକ୍ତି ବିଶେଷ। ଯେଉଁ ସବୁ ମାମଲା ଦାୟର ହୋଇଛି ସେଥିରୁ ଅଧିକାଂଶ ହେଉଛି ବେଆଇନ ଭାବରେ ସମ୍ପତ୍ତି ଜମା କରିଥିବା ସମ୍ପର୍କିତ। ୯୪.୨୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ବିରୋଧରେ ଏହି ସବୁ ମାମଲା ହୋଇଛି। ୧୮୨ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଧାରା ପଗଡ କରିଛି।
ସେହିପରି ୪୨୨ ଜଣଙ୍କ ବିରୋଧରେ ଭିଜଲାନ୍ସ ବିଭାଗ ତଦନ୍ତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ ଜଣ ପ୍ରଥମ ଶ୍ରେଣୀର ଅଧିକାରୀ, ୩୮ ଜଣ ଦ୍ଵିତୀୟ ଶ୍ରେଣୀ, ୪୦୮ ଜଣ ତୃତୀୟ ଶ୍ରେଣୀ, ୧୧ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୩୪ ଜଣ ବେସରକାରୀ ଲୋକ। ୪୨୨ ଟି ତଦନ୍ତ ମାମଲାରୁ ୩୭୮ ମାମଲାରେ ରେ ବିହିତ କାର୍ୟାନୁଷ୍ଠାନ ହୋଇଛି। ୧୦୮ ଟି ମାମଲାର ତଦନ୍ତ ସାରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବାକୁ ବିଭିନ୍ନ ବିଭାଗକୁ ସୁପାରିଶ କରାଯାଇଛି। ସେଥିରୁ ୧୮୭ ଟି ମାମଲାକୁ ଅପରାଧିକ ବୋଲି ଘୋଷଣା କରାଯାଇଛି। ୮୩ ଟି ମାମଲା ପ୍ରମାଣ ଅଭାବରୁ ବନ୍ଦ କରି ଦିଆଯାଇଛି।
ଦୁର୍ନୀତି ଅଭଯୋଗରେ ରାଜ୍ୟର ୨୪୧ ଜଣଙ୍କୁ(୨୬ ପ୍ରଥମଶ୍ରେଣୀ, ୧୯ ଦ୍ଵିତୀୟ ଶ୍ରେଣୀ,୧୭୬ ତୃତୀୟ ଶ୍ରେଣୀ,୯ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୫ ବେସରକାରୀ ଲୋକ) ଗିରଫ କରାଯାଇଛି। ୩୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଦୁର୍ନୀତି ନିବାରଣ ଅଦାଲତ ଦ୍ଵାରା ୨୩୪ ମାମଲାର ବିଚାର କରି ୧୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଯଦିଓ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ହାର ୫୧%, ହେଲେ ଅଭଯୋଗ ହାର ଯଥେଷ୍ଟ କମ।
ଉପରେ ଆମେ ଯେଉଁସବୁ ତଥ୍ୟ ଦେଖିଲେ, ସେଥିରୁ ଗୋଟେ କଥା ପ୍ରମାଣିତ ହେଉଛି ଯେ, ଉପରସ୍ତରର ଦୁର୍ନୀତି ବିରୋଧରେ କାର୍ୟାନୁଷ୍ଠାନ ସଂଖ୍ୟା ଆପାତତଃ କମ। ପ୍ରାୟତଃ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ଅଧିକ ଚଢାଉ ହେଉଛି। ରାଜନୈତିକ ପ୍ରଶାସକମାନେ ଏ କ୍ଷେତ୍ରରେ ବର୍ତ୍ତି ଯାଉଛନ୍ତି। ଗତ କୋଡିଏ ବର୍ଷ ଭିତରେ ପ୍ରାୟ କୌଣସି ରାଜନୈତିକ ପ୍ରଶାସକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। କାହିଁ କେତେ ବର୍ଷ ତଳେ ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କୁ ଏକ ନିମ୍ନ ଅଦାଲତ ଦଣ୍ଡିତ କରିଥିଲେ। ତାପରଠୁ କୌଣସି ମନ୍ତ୍ରୀ ବା ବିଧାୟକ ଏ ପ୍ରକାର ମାମଲାର ସାମ୍ନା କରିନାହାନ୍ତି। ସେହିପରି ମାମଲାରେ ପଡିଥିବା ଆଇଏଏସ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ କମ। ଉପରସ୍ତରର ଦୁର୍ନୀତିକୁ ଛୁଇଁବା ଲାଗି ଦୁର୍ନୀତି ନିବାରଣ ବିଭାଗ ବୋଧହୁଏ ସାହସ କରୁନାହାନ୍ତି।
କିରାଣୀ ଓ ତଳ ସ୍ତରର କର୍ମଚାରୀଙ୍କୁ ଗିରଫ କରି ଦୁର୍ନୀତି ବିରୋଧରେ ବଡ ପଦକ୍ଷେପ ନେଉଛୁ ବୋଲି କହିବା ହାସ୍ୟାସ୍ପଦ ହେବ। ଇତି ମଧ୍ୟରେ ରାଜ୍ୟରେ ଲୋକପାଳ ବ୍ୟବସ୍ଥା ଲାଗୁ ହୋଇ ସାରିଛି। ଲୋକପାଳଙ୍କ ରିପୋର୍ଟ ମିଳୁ ମିଳୁ ଆଉ ବର୍ଷେ ସମୟ ଲାଗିବ।ତେଣୁ ଉପରସ୍ତରରର ଦୁର୍ନୀତି ବିରୋଧରେ ଲୋକପାଳ କି ପ୍ରକାର ଆଭିମୁଖ୍ୟ ରଖୁଛନ୍ତି, ତାହା ସମୟ କହିବ। ହେଲେ ସରକାରୀ ତଥ୍ୟ ଆଧାରରେ ଆମେ ଏତିକି କହିପାରିବା ଯେ ଦୁର୍ନୀତି ନିବାରଣ ପ୍ରସଙ୍ଗରେ କେବଳ ଚୂନା ମାଛ ଇ ଧାରା ପଡ଼ୁଛନ୍ତି। ବଡ ମାଛଙ୍କୁ ଧରିବା ଲାଗି ରାଜ୍ୟ ସରକାରଙ୍କ ଜାଲ ଏବେବି ଦକ୍ଷ ହୋଇନାହିଁ।