Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

Budget 2023: ନିର୍ମଳା ସୀତାରମଣଙ୍କ ବଜେଟରେ କଣ ରହିଛି ମୁଖ୍ୟାଂଶ

ନୂଆଦିଲ୍ଳୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ରେ ‘ଅମୃତକାଳ’ର ଲକ୍ଷ୍ୟ ସ୍ଥାନିତ ହୋଇଛି ଯାହା ଏକ ସଶକ୍ତ ଓ ସମାବେଶୀ ଅର୍ଥନୀତିକୁ ପ୍ରତିଫଳିତ କରିବ । ସେ କହିଛନ୍ତି “ଆମେ ଏକ ସମୃଦ୍ଧ ଓ ସମାବେଶୀ ଭାରତ ଗଠନର ଲକ୍ଷ୍ୟ ରଖିଛୁ ଯେଉଁଠି ବିକାଶର ଲାଭ ସବୁ ନାଗରିକଙ୍କ ପାଖରେ ଓ ସବୁ ଅଞ୍ଚଳରେ ପହଞ୍ଚି ପାରିବ ।

ବିଶେଷକରି ଆମ ଯୁବ ସମାଜ, ମହିଳା, ଚାଷୀ, ଓବିସି, ତଫସିଲଭୁକ୍ତ ଜାତି ଓ ଉପଜାତି ବର୍ଗର ଲୋକେ ଏହି ବିକାଶର ଲାଭ ଯେପରି ଉଠାଇପାରିବେ ସେଥିପାଇଁ ଆମେ ବିଶେଷ ଗୁରୁତ୍ୱ ଦେଉଛୁ ।”

ଅମୃତକାଳର ଲକ୍ଷ୍ୟ-ଏକ ସଶକ୍ତ ଓ ସମାବେଶୀ ଅର୍ଥନୀତି

କେନ୍ଦ୍ର ଅର୍ଥମନ୍ତ୍ରୀ ସରକାରଙ୍କ ଅମୃତକାଳର ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି ଯେ “ ଆମର ଅମୃତକାଳର ଲକ୍ଷ୍ୟ ମଧ୍ୟରେ ରହିଛି ଟେକ୍ନୋଲୋଜି ପରିଚାଳିତ ଓ ଜ୍ଞାନଭିତ୍ତିକ ଅର୍ଥନୀତି ଏବଂ ଶକ୍ତିଶାଳୀ ସାର୍ବଜନିକ ବିତ୍ତ ତଥା ଏକ ସୁଦୃଢ ଆର୍ଥିକ କ୍ଷେତ୍ର ।” ଏହାକୁ ହାସଲ କରିବା ପାଇଁ ସବ୍କା ସାଥ୍, ସବ୍କା ବିକାଶ ନୀତି ମାଧ୍ୟମରେ ଜନଭାଗିଦାରୀର ଆବଶ୍ୟକତା ରହିଛି ।

ସେ ଆହୁରି କହିଛନ୍ତି ଯେ ଏହି ଲକ୍ଷ୍ୟପୂରଣ ପାଇଁ ଉଦ୍ଦିଷ୍ଟ ଅର୍ଥନୀତିକ କାର‌୍ୟ୍ୟସୂଚୀ ତିନିଟି ଅଗ୍ରାଧିକାର କ୍ଷେତ୍ର ଉପରେ କେନ୍ଦ୍ରିତ ହେବ । ସେଗୁଡିକ ହେଲା

୧) ଯୁବବର୍ଗଙ୍କ ସମେତ ନାଗରିକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ପର‌୍ୟ୍ୟାପ୍ତ ସୁଯୋଗ ସୁବିଧା ସୃଷ୍ଟି କରିବା

୨) ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ନିଯୁକ୍ତି ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ

୩) ସ୍ଥୂଳ ଅର୍ଥନୀତିକ ସ୍ଥିରତାକୁ ସୁଦୃଢ କରିବା। ଏହି ଅଗ୍ରାଧିକାର କ୍ଷେତ୍ରଗୁଡିକୁ ରୂପାୟିତ କରିବା ପାଇଁ ବଜେଟ୍ରେ ଚାରିଟି ପରିବର୍ତ୍ତନଶୀଳ ସୁଯୋଗ ସୃଷ୍ଟି କରାଯାଇଛି । ତାହାରି ମଧ୍ୟମରେ ଭାରତ ସ୍ୱାଧୀନତାର ୧୦୦ବର୍ଷ ପୂର୍ତ୍ତି ଯାତ୍ରା (ଇଣ୍ଡିଆ ଅ୧୦୦)ଆଗକୁ ବଢିବ। ସେହି ସୁଯୋଗଗୁଡିକ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି ।

୧) ଏସଏଚଜି ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ: ଗ୍ରାମାଞ୍ଚଳରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଗ୍ରାମୀଣ ଜୀବିକା ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଉଲ୍ଲେଖ କରି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନ କହିଛନ୍ତି ଯେ ଏହା ମାଧ୍ୟମରେ ଗ୍ରାମାଞ୍ଚଳ ମହିଳାମାନଙ୍କୁ ଏକଜୁଟ କରାଯାଇ ୮୧ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏସ୍ଜି) ଗଠନ କରାଯାଇଛି । ଏବେ ଏହି ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣର ପରବର୍ତ୍ତୀ ପର‌୍ୟ୍ୟାୟରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ।

ସମ୍ପୃକ୍ତ ଗୋଷ୍ଠୀମାନଙ୍କୁ ବୃହତ୍ତର ଉତ୍ପାଦକ ବା ଉଦ୍ୟୋଗୀ ଗୋଷ୍ଠୀ/ସମୁଦାୟରେ ପରିଣତ କରାଯିବ । ଏଥିରେ ସହସ୍ରାଧିକ ମହିଳାଙ୍କୁ ସଦସ୍ୟଭାବେ ରଖାଯିବ ଏବଂ ଏହି ଉତ୍ପାଦକ ଗୋଷ୍ଠୀକୁ ପେସାଦାରୀ ଢଙ୍ଗରେ ପରିଚାଳିତ କରାଯିବ । ସେମାନଙ୍କୁ କଞ୍ଚାମାଲ ସମେତ ଭଲ ଡିଜାଇନ, ମାନକ ସହାୟକ ଉପକରଣ, ବ୍ରାଣ୍ଡିଂ ଓ ବିପଣନ ସୁବିଧା ସରକାର ଯୋଗାଇଦେବେ ।

ସରକାରୀ ସହାୟତା ନୀତି ଦ୍ୱାରା ସେମାନେ ନିଜର ଉତ୍ପାଦନ ବଢାଇ ଅଧିକରୁ ଅଧିକ ଖାଉଟିଙ୍କ ଚାହିଦା ପୂରଣ କରିବେ । ଷ୍ଟାର୍ଟ ଅପ୍ମାନ ମିଳିତ ହୋଇ ଯେପରି ୟୁନିକର୍ଣ୍ଣ ପ୍ରତିଷ୍ଠା କରୁଛନ୍ତି ଏହା ସେହି ଢଙ୍ଗରେ ବୃହତ୍ତର ଗୋଷ୍ଠୀରେ ପରିଣତ ହେବ ।

୨) ପିଏମ୍ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍ ବିକାଶ): ଏହି ନୂଆ ଯୋଜନା ବିଷୟରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶର ପାରମ୍ପରିକ କାରିଗରମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ । ସେମାନେ ନିଜର କର୍ମ କୁଶଳତା ପାଇଁ ସାଧାରଣତଃ କାରିଗର ବା ବିଶ୍ୱକର୍ମାଭାବେ ପରିଚିତ । ସେମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଓ କଳାକୃତି ଆତ୍ମନିର୍ଭର ଭାରତର ଯଥାର୍ଥ ଚେତନା ପ୍ରକାଶ କରେ । ପ୍ରଥମ ଥର ପାଇଁ ଏହି କାରିଗରମାନଙ୍କ ନିମନ୍ତେ ସହାୟତା ପ୍ୟାକେଜ ପ୍ରଦାନ କରିବା କଥା ଚିନ୍ତା କରାଯାଇଛି ।

(କ) ଏହି ନୂଆ ଯୋଜନା ଦ୍ୱାରା ସମ୍ପୃକ୍ତ କାରିଗର ନିଜର ଉତ୍ପାଦିତ ସାମଗ୍ରୀର ମାନ ଓ ପରିମାଣ ବଢାଇ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିବେ । ସେମାନେ ମଧ୍ୟ ନିଜର ଉତ୍ପାଦନ ବଢାଇ ଏମ୍ଏସ୍ଏମ୍ଇ ଯୋଗାଣ ଶୃଙ୍ଖଳା ସହିତ ସାମିଲ ହେବାର ସୁଯୋଗ ପାଇବେ ।

(ଖ) ଏହି ଯୋଜନାରେ ସମ୍ପୃକ୍ତ କାରିଗରଙ୍କୁ ଆର୍ଥିକ ସହାୟତା ସହିତ ଉନ୍ନତ ଦକ୍ଷତା ବିକାଶ ତାଲିମ, ଆଧୁନିକ ଡିଜିଟାଲ ଟେକ୍ନୋଲୋଜି ଜ୍ଞାନ, ଦକ୍ଷ ଗ୍ରୀନ ଟେକ୍ନୋଲୋଜି, ବ୍ରାଣ୍ଡ ପ୍ରମୋସନ, ସ୍ଥାନୀୟ ଓ ବିଶ୍ୱବଜାର ସହିତ ସଂଯୁକ୍ତ ହେବାର ସୁଯୋଗ, ଡିଜିଟାଲ ପେମେଣ୍ଟ ଓ ସାମାଜିକ ସୁରକ୍ଷା ସୁବିଧା ମଧ୍ୟ ଦିଆଯିବ ।

ଗ) ଏହି ଯୋଜନା ଦ୍ୱାରା ତଫସିଲଭୁକ୍ତ ଜାତି, ଉପଜାତି, ଓବିସି, ମହିଳା ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ଅଧିକ ଉପକୃତ ହେବେ ।

୩) ମିଶନ ମୋଡରେ ପର୍ଯ୍ୟଟନ ପ୍ରୋତ୍ସାହନ:- ଦେଶରେ ପର୍ଯ୍ୟଟନର ଯେଉଁ ଅପାର ସମ୍ଭାବନା ରହିଛି ତାହାର ଲାଭ ଉଠାଇ ଅଧିକରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତିକ ପର‌୍ୟ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବଜେଟ୍ରେ ଏକ ନୂଆ କାର‌୍ୟ୍ୟକ୍ରମ ରହିଛି । ଏହି କ୍ଷେତ୍ରରେ କର୍ମନିଯୁକ୍ତି ଓ ରୋଜଗାରର ପ୍ରଚୁର ସମ୍ଭାବନା ଥିବାରୁ ପର‌୍ୟ୍ୟଟନର ପ୍ରୋତ୍ସାହନ ମିଶନ ମୋଡରେ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏଥିରେ ରାଜ୍ୟମାନଙ୍କର ସକ୍ରିୟ ସହଯୋଗ ରହିବ । ସରକାରୀ କାର‌୍ୟ୍ୟକ୍ରମଗୁଡିକର ସମ୍ମିଶ୍ରଣ କରାଯିବା ସହିତ ସରକାରୀ ଘରୋଇ ଭାଗିଦାରୀରେ ଏହି କ୍ଷେତ୍ରରେ କାମ ହେବ ।

୪) ଗ୍ରୀନଗ୍ରୋଥ ବା ସବୁଜ ଅଭିବୃଦ୍ଧି:- କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଗ୍ରୀନ ଗ୍ରୋଥ ଉପରେ ଅଗ୍ରାଧିକାର ଦେଉଛନ୍ତି । ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା ଅଙ୍ଗାରକାମ୍ଳ ନିର୍ଗମନକୁ ଯଥାସମ୍ଭବ ହ୍ରାସ କରି ପରିବେଶକୁ ଅଙ୍ଗାରମୁକ୍ତ ଏବଂ ନିର୍ମଳ ରଖିବା ତଥା ଏକ ଅଙ୍ଗାରମୁକ୍ତ ଅର୍ଥନୀତି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ।

ଏହା ଫଳରେ ଅନେକ ଗ୍ରୀନଜବ (ଅଙ୍ଗାରମୁକ୍ତ ନିଯୁକ୍ତି) ସୁଯୋଗ ସୃଷ୍ଟି ହେବ । ସରକାର ସବୁଜ ଇନ୍ଧନ, ସବୁଜ ଊର୍ଜା, ପ୍ରଦୂଷଣ ମୁକ୍ତ ଚାଷ, ପ୍ରଦୂଷଣ ମୁକ୍ତ ଗମନାଗମନ, ସବୁଜ ବିଲ୍ଡିଂ, ସବୁଜ ଉପକରଣ ଭଳି ବିଭିନ୍ନ କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରୁଛନ୍ତି । ଏହାଛଡା ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଦକ୍ଷ ଏବଂ ପ୍ରଦୂଷଣମୁକ୍ତ ଊର୍ଜାକୁ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି । ଅର୍ଥନୀତିକ ଅଭିବୃଦ୍ଧିରେ ପ୍ରଦୂଷଣର ପ୍ରଭାବ ଯେପରି ନ ରହେ ସେଥିପାଇଁ ସରକାର ଉଦ୍ୟମଶୀଳ ।

ବଜେଟ୍ ୨୦୨୩-୨୪ର ସପ୍ତଋଷି ବା ସାତଟି ଦିଗ୍ଦର୍ଶନକାରୀ ଅଗ୍ରାଧିକାର: ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅମୃତକାଳର ପ୍ରଥମ ବଜେଟ୍ ସାତଟି ଅଗ୍ରାଧିକାର ଭିତ୍ତିରେ କାର‌୍ୟ୍ୟକାରୀ ହେବ ଏବଂ ଏହା ସପ୍ତଋଷି ସଦୃଶ ।

ସେଗୁଡିକ ହେଲା-୧) ସମାବେଶୀ ବିକାଶ, ୨) ଶେଷ ଲକ୍ଷ୍ୟସ୍ଥଳରେ ପହଞ୍ଚବା, ୩) ଭିତ୍ତିଭୂମି ଏବଂ ପୁଞ୍ଜିନିବେଶ, ୪) ସାମର୍ଥ୍ୟର ଉପଯୋଗ, ୫) ସବୁଜ ଅଭିବୃଦ୍ଧି, ୬) ଯୁବଶକ୍ତି ଓ ୭)ଆର୍ଥିକ କ୍ଷେତ୍ର ।

ସବକା ସାଥ୍ ସବକା ବିକାଶ: ୨୦୨୩-୨୪ କେନ୍ଦ୍ର ବଜେଟର ମୁଖ୍ୟ ବିଷୟବସ୍ତୁ ହେଲା ସମାବେଶୀ ବିକାଶ ଉପରେ ଦୃଷ୍ଟି କେନ୍ଦ୍ରୀତ କରିବା । ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରାମଣ କହିଛନ୍ତି , “ସରକାରଙ୍କ ସବ୍କା ସାଥ୍, ସବ୍କା ବିକାଶ ଦର୍ଶନ ହିଁ ସମାବେଶୀ ବିକାଶର ପଥ ଉନ୍ମୁକ୍ତ କରିଛି । ଏଥିରେ ନିର୍ଦ୍ଦିଷ୍ଟଭାବେ ଚାଷୀ, ମହିଳା, ଯୁବବର୍ଗ, ଓବିସି, ତଫସିଲଭୁକ୍ତ ଜାତି ଓ ଉପଜାତି, ଦିବ୍ୟାଙ୍ଗଜନ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ବର୍ଗର ଲୋକଙ୍କ ବିକାଶ ଅଗ୍ରାଧିକାର ପାଇଛି । ଏହା ହିଁ ବଂଚିତଙ୍କୁ ଅଗ୍ରାଧିକାର ବା ବରିଷ୍ଠତା ପ୍ରଦାନ ।”

ଏହାଛଡା ଜମ୍ମୁ ଓ କାଶ୍ମୀର, ଲଦାଖ ଓ ଉତ୍ତର-ପୂର୍ବାଞ୍ଚଳର ବିକାଶ ଉପରେ ଅଗ୍ରାଧିକାର ବଳବତ୍ତର ରହିଛି । ଏହି ବଜେଟ୍ ଏହି ସବୁ ଉଦ୍ୟମରେ ପ୍ରସ୍ତୁତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।