Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାରଣ କଣ ଜାଣନ୍ତୁ

ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରିବେ। ସେ ଭୁବନେଶ୍ବରରୁ ହେଲିକେପ୍ଟରେ ଯୋଗେ ଦିନ 10ଟା 30ରୁ ବାହାରି କଟକ ଉପର ବାଲିଯାତ୍ରା ପଡିଆରେ ଦିନ 10ଟା 50ରେ ପହଁଚିବେ। ଆସନ୍ତାକାଲି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଜାନକୀନାଥ ଭବନରେ ସେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏଥିସହିତ ସେଠାରେ ପତାକା ଉତ୍ତୋଳନ ମଧ୍ୟ କରିବେ।

ଏହାପରେ ନବୀନ ଖାନନଗରେ ହେବାକୁ ଥିବା ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ ମଧ୍ୟ କରିବେ। ଏଥିସହିତ ବସ ଟର୍ମିନାଲ ଅଞ୍ଚଳ ପରିଦର୍ଶନ କରି ଏହାର ନକ୍ସା ଅନୁଧ୍ୟାନ କରିବେ। ପ୍ରାୟ 12 ଏକର ସ୍ଥାନରେ ଏହି ବସ ରହଣିସ୍ଥଳ ନିର୍ମାଣ ହେବ। ସେଥିପାଇଁ 65 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ବସ ଟର୍ମିନାଲରେ ଏକାଥରେ 150ଟି ବସ ରହିପାରିବା ପରି ବ୍ୟବସ୍ଥା କରାଯାଉଛି।

ଏହି ବସ ଟର୍ମିନାଲରେ ଯାତ୍ରୀମାନେ ଯେପରି ଅନ୍ତର୍ଜାତୀୟ ଅନୁଭବ ପାଇବେ ସେହି ଢାଞ୍ଚାରେ ନିର୍ମାଣ କରାଯିବ। ଏହି ସ୍ଥାନରେ ଏକ କିଓସ୍କୋ ମଧ୍ୟ ନିର୍ମାଣ ହେବ। ସେଠାରେ ଯାତ୍ରୀଙ୍କୁ ନେତାଜୀଙ୍କ ଅବଦାନ ସଂପର୍କରେ ଅବଗତ କରାଯିବ। ଏହି ଟର୍ମିନାଲ ତିନି ମହଲା ବିଶିଷ୍ଠ କରାଯିବ। ଏଥିସହିତ ଯାତ୍ରୀମାନଙ୍କ ସୂଚନା ପାଇଁ ସମନ୍ବିତ ସୂଚନା ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯିବ।

ଯାତ୍ରୀମାନଙ୍କର ସାଧାରଣ ଆବଶ୍ୟକତା ସହିତ ବ୍ୟବସାୟ ବାଣିଜ୍ୟ ପାଇଁ ସେଠାରେ ଆକର୍ଷଣୀୟ ବ୍ୟବସାୟିକ କେନ୍ଦ୍ର ମଧ୍ୟ ନିର୍ମାଣ କରାଯିବ। ସେଥିପାଇଁ ସେହି ସ୍ଥାନ ନିକଟରେ ପ୍ରାୟ ଦୁଇ ଏକର ଜାଗା ଚିହ୍ନଟ କରାଯାଇଛି।