Categories
ବିଶେଷ ଖବର ରାଜ୍ୟ ଖବର

ଓୟୁଟିଆର ହେବ ନବକଳେବର, ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଭୁବନେଶ୍ବର: ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର। ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା CET ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର।

ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା। କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । IIM, IIT ଓ NIT ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ । ଆଜି OUTR ର ବିକାଶ ସଂପର୍କିତ master plan କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତ।

ବର୍ତ୍ତମାନ OUTRରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ IIT ଢାଞ୍ଚାରେ ବିକାଶ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ OUTRର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବିଶ୍ବବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ବ ସହ new age technology ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଅଧିକ Centre of Excellence ମଧ୍ୟ ପ୍ରତିଷ୍ଠା କରାଯିବ। ଏହାସହିତ ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ବବିଦ୍ୟାଳୟ ସହ ମଧ୍ୟ ସହଭାଗିତାରେ କାର୍ଯ୍ୟ କରାଯିବ।

ପ୍ରଯୁକ୍ତି ବିଦ୍ୟା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ Startup cultureକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ପାଇଁ ବିଭିନ୍ନ ଅଗ୍ରଣୀ ଶିଳ୍ପାନୁଷ୍ଠାନ ସହଯୋଗରେ Incubation Centreର ମଧ୍ୟ ବିକାଶ କରାଯିବ। ବିଶ୍ବବିଦ୍ୟାଳୟ ମଧ୍ୟରେ ଗବେଷଣା ସହିତ ଯେପରି ନୂଆ ନୂଆ patent ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ହାସଲ କରାଯାଇପାରିବ ହୋଇପାରିବ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ।

ସୂଚନାଯୋଗ୍ୟ ଯେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, OUTR (CET) ପରିଦର୍ଶନ କରି ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠାନର ବିକାଶ ସଂପର୍କରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ବିଶ୍ବବିଦ୍ୟାଳୟ ୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧିନରେ College of Engineering & Technology ବା CET ନାମରେ ପ୍ରତିଷ୍ଠିତ ହୋଇଥିଲା। ୨୦୦୧ ମସିହାରେ ଏହା ଭୁବନେଶ୍ବରର ଘାଟିକିଆ ଠାରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ବ କ୍ୟମ୍ପସ୍‌କୁ ସ୍ଥାନାନ୍ତରିତ ହୋଇଥିଲା। ଏହା ହେଉଛି ଓଡିଶାର ଏକମାତ୍ର ଅନୁଷ୍ଠାନ ଯାହାକି NAAC A Grade ମାନ୍ୟତା ହାସଲ କରିପାରିଛି। ୨୦୨୧ରେ ଏହା ଏକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ଓଡିଶା ବୈଷୟିକ ଶିକ୍ଷା ତଥା ଗବେଷଣା ବିଶ୍ବବିଦ୍ୟାଳୟ ଭାବରେ ନାମିତ ହୋଇଥିଲା।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, OUTRର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ବୈଠକରେ OUTRର OSD ଡଃ ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହିତ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଜାତୀୟ ନିଯୁକ୍ତି ଏଜେନ୍ସି: ସମ୍ଭାବନା, ଆଶା ଓ ଆଶଙ୍କା

ସହସ୍ରାଂଶୁ ମହାପାତ୍ର

ଜାତୀୟ ନିଯୁକ୍ତି ଏଜେନ୍ସି ପ୍ରତିଷ୍ଠା ପ୍ରସ୍ତାବକୁ ଅଗଷ୍ଟ ୧୯ ରେ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ ମିଳିସାରିଛି ଓ ଏହା ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀ ପାଇଁ ମୋଦି ସରକାର ଦ୍ୱାରା ଏକ ଐତିହାସିକ ପଦକ୍ଷେପ ବୋଲି ବିଚାର କରା ଯାଉଛି। ଏହି କେନ୍ଦ୍ରୀୟ ଏଜେନସି ଏକକ ଯୋଗ୍ୟତା ପରୀକ୍ଷା ପରିଚାଳନା କରିବ ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ଗୃପ ବି ଏବଂ ସି (ଅଣ-ବୈଷୟିକ) ପଦବୀ ପାଇଁ ପ୍ରାର୍ଥୀଙ୍କୁ ଅନେକ ସୁବିଧା ମିଳି ପାରିବ।

ଜାତୀୟ ନିଯୁକ୍ତି ଏଜେନ୍ସି ପାଇଁ  ତିନି ବର୍ଷ ର ବ୍ୟୟ ଅଟକଳ ୧୫୧୭.୫୭ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଜାତୀୟ ନିଯୁକ୍ତି ଏଜେନସି କୁ ଯେଉଁଭଳି ଭାବରେ କେନ୍ଦ୍ରୀୟ ସରକାରୀ ଚାକିରୀ ଅନ୍ଵେଷୁଙ୍କ ପାଇଁ ସଞ୍ଜିବନୀ  ରୂପେ ଚିତ୍ରଣ କରା ଯାଉଛି ତାହା କେତେଦୂର ସଫଳ ହେବ ତାହା ଏବେଠାରୁ ଆକଳନ କରିବା ହୁଏତ ଅପରିପକ୍ଵ ଲାଗିପାରେ!

ଜାତୀୟ ନିଯୁକ୍ତି ଏଜେନସି – କଣ ଓ କାହିଁକି

-ଜାତୀୟ ନିଯୁକ୍ତି ଏଜେନସି କୁ ନେଇ ସୃଷ୍ଟି ହୋଇଥିବା ସମ୍ଭାବନା, ପ୍ରତିଶ୍ରୁତି ଓ ଆଶଙ୍କା ର ସଠିକ ଆକଳନ କରିବାକୁ ହେଲେ ଏହାର ଲକ୍ଷ୍ୟ ଓ କାର୍ଯ୍ୟ ପ୍ରଣାଳୀ କୁ ବୁଝିବା ଆବଶ୍ୟକ।

-ଜାତୀୟ ନିଯୁକ୍ତି ଏଜେନସି ଏକକ ପରୀକ୍ଷା (କମନ ଏଲିଜିବିଲିଟି ଟେଷ୍ଟ – CET) ମାଧ୍ୟମ ରେ ଅଣ ବୈଷୟିକ ଗୃପ ବି ଓ ସି ପଦବୀ ପାଇଁ ପ୍ରାର୍ଥୀ ମାନଙ୍କର ପ୍ରାରମ୍ଭିକ ଚୟନ କରିବ।

-ଏହି ଏଜେନସି ରେ କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ଏସଏସସି, ଆରଆରବି, ଏବଂ ଆଇବିପିଏସର ପ୍ରତିନିଧି ରହିବେ ଓ ଏହାର ମୁଖ୍ୟାଳୟ ଦିଲ୍ଲୀ ହେବ

-ଦେଶରେ ପ୍ରାୟ ୨୦ ନିଯୁକ୍ତି ଏଜେନ୍ସି ରହିଛି ଓ ଏହି ସବୁ ଏଜେନ୍ସି ବିଭିନ୍ନ ପଦବୀ ପାଇଁ ନିଜ ନିଜ ପରୀକ୍ଷା କରିଥାନ୍ତି। ବର୍ତମାନ ଏ ସମସ୍ତ ସଂସ୍ଥା ପାଇଁ ଏକମାତ୍ର CET ପରୀକ୍ଷା ହେବ।

-CET ପରୀକ୍ଷା ବର୍ଷକୁ ଦୁଇଥର ହେବ ଓ ପରୀକ୍ଷା ୧୨ଟି ଭାଷାରେ ହେବ।

-ସ୍ନାତକ, ଉଚ୍ଚ ମାଧ୍ୟମିକ (ଦ୍ଵାଦଶ ଉତ୍ତୀର୍ଣ୍ଣ) ଏବଂ ମାଟ୍ରିକ (ଦଶମ ଉତ୍ତୀର୍ଣ୍ଣ) ପ୍ରାର୍ଥୀଙ୍କ ଲାଗି କମ୍ପ୍ୟୁଟର ଆଧାରିତ ଅନଲାଇନ ପରୀକ୍ଷା ହେବ

-ଏହି ଏଜେନସି ପ୍ରଥମ ସ୍ତର (ଟିୟର-1) ପରୀକ୍ଷା ପରିଚାଳନା କରିବ ଯାହା ଅନ୍ୟ କୌଣସି ଚୟନ ନିମନ୍ତେ ପ୍ରାରମ୍ଭିକ ଯୋଗ୍ୟତା ପରୀକ୍ଷା ଭାବେ କାମ କରିବ

ଚାକିରୀ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବିଧା ଓ ସୁଯୋଗ

-୧୧୭ଟି ଜିଲ୍ଲାରେ ଏକ ହଜାର ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ, ପ୍ରାର୍ଥୀମାନେ ନିଜ ରହୁଥିବା ସହର ବା ଗାଁ ର ସବୁଠାରୁ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ପାରିବେ, ସେମାନଙ୍କୁ ଦୂରକୁ ଯିବାକୁ ପଡିବ ନାହିଁ।

-ପ୍ରାର୍ଥୀଙ୍କର ଏକକ ଯୋଗ୍ୟତା ପରୀକ୍ଷାର ଫଳାଫଳ ଘୋଷଣା ତାରିଖ ଠାରୁ ତାହା ତିନି ବର୍ଷ ପାଇଁ ବୈଧ ରହିବ।

-ପ୍ରାର୍ଥୀ ମାନେ ସର୍ବୋଚ୍ଚ ବୟସ ସୀମା ଅନୁଯାୟୀ ଏକକ ଯୋଗ୍ୟତା ପରୀକ୍ଷା ଦେବାର ପ୍ରୟାସ ସଂଖ୍ୟା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

-ପ୍ରାର୍ଥୀମାନେ ଏକ ସାଧାରଣ ପୋର୍ଟାଲରେ ପଞ୍ଜୀକରଣ କରିବାର ସୁବିଧା ପାଇବେ ଏବଂ କେନ୍ଦ୍ର ଚୟନ କରି ପାରିବେ।

-ପ୍ରାର୍ଥୀ ମାନଙ୍କୁ ସମାନ ସ୍ତର ର ଚାକିରୀ ପାଇଁ ଅଲଗା ଅଲଗା ପରୀକ୍ଷା ଦେବାକୁ ପଡିବ ନାହିଁ ।

-ପ୍ରାର୍ଥୀ ମାନଙ୍କ ର ସମୟ ବଞ୍ଚିବ ଓ ପରୀକ୍ଷା ଜନିତ ଅଯଥା ବ୍ୟୟ ରୁ ମୁକ୍ତି ମିଳିବ।

ନିଯୁକ୍ତି ପ୍ରକ୍ରିୟାରେ ସୁଧାରର ବାସ୍ତବିକତା

ସରକାରୀ ଚାକିରି ଲାଗି ଇଚ୍ଚୁକ ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପଦବୀ ନିମନ୍ତେ ପୃଥକ ନିଯୁକ୍ତି ସଂସ୍ଥାଗୁଡ଼ିକ ଦ୍ଵାରା ପରିଚାଳିତ ଭିନ୍ନ ଭିନ୍ନ ପରୀକ୍ଷା ଦେବାକୁ ପଡ଼ୁଛି। ପ୍ରାର୍ଥୀମାନଙ୍କୁ ଭିନ୍ନ ଭିନ୍ନ ନିଯୁକ୍ତି ସଂସ୍ଥାଗୁଡ଼ିକୁ ଶୁଳ୍କ ପୈଠ କରିବାକୁ ପଡ଼ୁଛି ଏବଂ ଏସବୁ ପରୀକ୍ଷାରେ ଭାଗ ନେବା ନିମନ୍ତେ ବହୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ୁଛି।  ଏସବୁ ପରୀକ୍ଷାରେ ପୃଥକ ପୃଥକ ଭାବେ ୨.୫ କୋଟିରୁ ୩ କୋଟି ପ୍ରାର୍ଥୀ ସାମିଲ ହୋଇଥାନ୍ତି। ବର୍ତ୍ତମାନ ସମସ୍ତ ପ୍ରାର୍ଥୀଙ୍କୁ କେବଳ ଥରେ ଏକକ ଯୋଗ୍ୟତା ପରୀକ୍ଷା ଦେବାକୁ ହେବ।

ପ୍ରାଥମିକ ସ୍ତରରେ ଏକକ ଯୋଗ୍ୟତା ପରୀକ୍ଷା ଆଶାୟୀ ପ୍ରାର୍ଥୀଙ୍କ ଉପରେ ଚାପ କମ କରିବା ସ୍ଥଳେ ଏକ ନୂଆ ମାନସିକ ଚାପ ସୃଷ୍ଟି କରିବାର ସମ୍ଭାବନା ଅଛି। ବିଭିନ୍ନ ସଂସ୍ଥା ଦ୍ୱାରା ବିଭିନ୍ନ ପଦବୀ ପାଇଁ କରା ଯାଉଥିବା ପରୀକ୍ଷା ର ବିଷୟ ଓ ପରୀକ୍ଷା ର ପ୍ରଶ୍ନପତ୍ରର ଶୈଳୀ ଅଲଗା ଅଲଗା ହୋଇଥାଏ ଏବଂ ପ୍ରାର୍ଥୀମାନେ ନିଜ ନିଜ ପସନ୍ଦ ଓ ଦକ୍ଷତା ଅନୁଯାୟୀ ପରୀକ୍ଷା ଚୟନ କରିଥାନ୍ତି । ବର୍ତ୍ତମାନ ଏକକ ଯୋଗ୍ୟତା ପରୀକ୍ଷାର ବିଷୟ ଓ ପ୍ରଶ୍ନପତ୍ର ର ଶୈଳୀ କଣ ରହିବ ତାହା ଜଣା ନାହିଁ। ଯଦି ଏକ ନୂଆ ପ୍ରକାର ର ପ୍ରଶ୍ନପତ୍ର ଓ ବିଷୟବସ୍ତୁ ଚୟନ କରାଯାଏ ତା ହେଲେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ହୋଇପାରେ। କାରଣ ଯେହେତୁ ମୁଖ୍ୟ ପରୀକ୍ଷା ଅଲଗା ଅଲଗା ସଂସ୍ଥା ଦ୍ୱାରା ହିଁ କରାଯିବ, ସେଥିପାଇଁ ଜଣେ ପ୍ରାର୍ଥୀଙ୍କୁ ବିଭିନ୍ନ ପରୀକ୍ଷା ର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ନିଜକୁ ପ୍ରସ୍ତୁତ କରିବାକୁ ପଡିବ। ଉଦାହରଣ ସ୍ୱରୂପ ବ୍ୟାଙ୍କିଙ୍ଗ ପାଇଁ ଗଣିତ ଓ ରେଲୱେ ପାଇଁ ଇଂରାଜୀ ବିଷୟ ର ପ୍ରାଧାନ୍ୟ ରହିଥାଏ। ଏକକ ପରୀକ୍ଷା ରେ ଗଣିତ ଓ ଇଂରାଜୀ କୁ କେତେ ଗୁରୁତ୍ୱ ମିଳିବ ଓ ଜଣେ ପ୍ରାର୍ଥୀ କେଉଁ ବିଷୟ କୁ କେତେ ପ୍ରାଧାନ୍ୟ ଦେବ ତାହା ଏକ ନୂଆ ମାନସିକ ଚାପ ସୃଷ୍ଟି କରିପାରେ।

ଏକକ ପରୀକ୍ଷା କେବଳ ୧୨ଟି ଭାଷା ରେ ହେବ, ଅନ୍ୟ ଭାଷାଭାଷୀ ପ୍ରାର୍ଥୀଙ୍କୁ ଏହାର ଲାଭ ମିଳିବ ନାହିଁ। ସରକାରଙ୍କୁ ଯେତେ ଶୀଘ୍ର ସମ୍ଭବ ସମ୍ବିଧାନ ଅନୁମୋଦିତ ସମସ୍ତ ଭାଷା ରେ ଏକକ ପରୀକ୍ଷା କରିବାକୁ ପଡିବ, ଅନ୍ୟଥା ଜାତୀୟ ନିଯୁକ୍ତି ଏଜେନସି ର ଲକ୍ଷ୍ୟ ପୁରଣ ହେବ ନାହିଁ।

ପ୍ରାରମ୍ଭିକ ସ୍ତରରେ ସିଇଟିରୁ ପ୍ରାପ୍ତ ସ୍କୋରକୁ ତିନୋଟି ପ୍ରମୁଖ ନିଯୁକ୍ତି ଏଜେନ୍ସି ଉପଯୋଗ କରିବେ କିନ୍ତୁ ଅନ୍ୟ ସଂସ୍ଥା ମାନଙ୍କ ରେ ଚାକିରୀ ଆଶାୟୀ ପ୍ରାର୍ଥୀଙ୍କୁ ପୁଣି ପରୀକ୍ଷା ପାଇଁ ଅଲଗା ପ୍ରସ୍ତୁତି କରିବାକୁ ପଡିବ। ଯଦି ସମସ୍ତ ସଂସ୍ଥା କୁ ଏକକ ପରୀକ୍ଷା ଅଧୀନ କୁ ନ ଅଣାଯାଏ ତା ହେଲେ ସରକାରୀ ଚାକିରୀ ଆଶାୟୀ ପ୍ରାର୍ଥୀଙ୍କ ପାଇଁ CET କେବଳ ଆଉ ଏକ ନୂଆ ପରୀକ୍ଷା ରୂପେ ରହିଯିବ, କୌଣସି ପ୍ରକାର ର ଚାପ କମ ହେବ ନାହିଁ।

ଏକକ ପରୀକ୍ଷା ଦ୍ୱାରା ପ୍ରାର୍ଥୀ ମାନଙ୍କର ପରୀକ୍ଷା ଆବେଦନ ଜନିତ ଖର୍ଚ କମ ହେବାର ପ୍ରତିଶ୍ରୁତି ଦିଆ ଯାଇଛି। କିନ୍ତୁ ଏକକ ପରୀକ୍ଷା ସମ୍ପୂର୍ଣ ରୂପେ ଅନଲାଇନ ହେବ ଓ ଏହା କୌଣସି ଘରୋଇ ଆଇଟି ସଂସ୍ଥା ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ଦେଶର ବଡ ବଡ ଆଇଟି ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିବା ର ମଧ୍ୟ ଶୁଣା ଯାଉଛି। ହୁଏତ ଆଶାୟୀ ପ୍ରାର୍ଥୀ ମାନେ ଅଲଗା ଅଲଗା ପରୀକ୍ଷା ପାଇଁ ଆବେଦନ କରିବାର ଖର୍ଚ ରୁ ମୁକ୍ତି ପାଇ ଯାଇ ପାରନ୍ତି କିନ୍ତୁ ଏକକ ପରୀକ୍ଷାର ଶୁଳ୍କ କେତେ ହେବ? ଘରୋଇ ସଂସ୍ଥା ପରୀକ୍ଷା ପରିଚାଳନା, ଅନଲାଇନ ପରୀକ୍ଷା କେନ୍ଦ୍ର ରେ କମ୍ପ୍ୟୁଟର ର ଉପଲବ୍ଧତା ଓ ଆନୁସଙ୍ଗିକ ସୁବିଧା ନିମିତ୍ତ କେତେ ଅର୍ଥ ଆଦାୟ କରିବ ତାହା ସ୍ପଷ୍ଟ ନୁହେଁ। ବର୍ତ୍ତମାନ ଦେଶରେ ଅନେକ ସରକାରୀ ପ୍ରବେଶିକା ଓ ଚାକିରୀ ନିମିତ୍ତ ପରୀକ୍ଷା ଘରୋଇ ଠିକା ସଂସ୍ଥା ଦ୍ୱାରା କରା ଯାଉଛି ଓ ପରୀକ୍ଷା ଶୁଳ୍କ ପ୍ରାର୍ଥୀ ଓ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରା ଯାଉଛି।

ଜାତୀୟ ନିଯୁକ୍ତି ଏଜେନସି ପ୍ରତିଷ୍ଠା ପରେ ସରକାରୀ ଚାକିରୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଅଲଗା ଅଲଗା ପରୀକ୍ଷା ପାଇଁ ଅଲଗା ଅଲଗା ସହର କୁ ଯାତ୍ରା ରୁ ମୁକ୍ତି ମିଳିବର ସମ୍ଭାବନା ଅଛି। କିନ୍ତୁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ସମସ୍ତ ସଂସ୍ଥା ଏକକ ପରୀକ୍ଷା ର ଅନ୍ତର୍ଭୁକ୍ତ ନୁହନ୍ତି, କେବଳ ତିନୋଟି ସଂସ୍ଥା ପ୍ରାରମ୍ଭିକ ସ୍ତର ରେ ଯୋଗ ଦେବେ। ତା ସହିତ ରାଜ୍ୟ ସରକାର ନିଜ ନିଜ ର ପରୀକ୍ଷା ପରିଚାଳନା କରିବେ, ଯାହା ଚିରାଚରିତ ଭାବେ ହେଇ ଆସିଛି। ଏପରି ସ୍ଥଳେ ପ୍ରାର୍ଥୀ ମାନଙ୍କୁ ଯେ ଅଲଗା ଅଲଗା ପରୀକ୍ଷା ପାଇଁ ବିଭିନ୍ନ ସହର କୁ ଯିବାକୁ ନ ପଡିବ ଏହାର କୌଣସି ନିଶ୍ଚିତତା ନାହିଁ। ରାଜ୍ୟ ସରକାରଙ୍କ ପରୀକ୍ଷା, ଏକକ ପରୀକ୍ଷା ଓ କେନ୍ଦ୍ର ସରକାରଙ୍କ ଅନ୍ୟ ସଂସ୍ଥା ର ପରୀକ୍ଷା- ଏ ସବୁ ପରୀକ୍ଷା ର ଧାର୍ଯ୍ୟ ଦିନ ଓ ସମୟ ଯେ ଏକାଠି ନ ପଡିବ ତାହା ଏ ପର୍ଯ୍ୟନ୍ତ ଜଣାନାହିଁ।

ଜାତୀୟ ନିଯୁକ୍ତି ଏଜେନସି ମୋଦି ସରକାର ଦ୍ୱାରା ଏକ ସମ୍ଭାବନାମୟ ପଦକ୍ଷେପ ନିଶ୍ଚୟ କିନ୍ତୁ ଏହାକୁ ଯେଉଁଭଳି ଭାବରେ ସରକାରୀ ଚାକିରୀ ପାଇଁ ନିଯୁକ୍ତି ପ୍ରକ୍ରିୟା ର ସମସ୍ଥ ପ୍ରତିବନ୍ଧକ ର ଏକମାତ୍ର ଉପାୟ ଭାବେ ଉପସ୍ଥାପିତ କରା ଯାଉଛି ତାହା କେବଳ ଏକ କଳ୍ପିତ ପ୍ରେକ୍ଷାପଟ ହୋଇପାରେ। ଏହାକୁ ସମ୍ପୂର୍ଣ ପ୍ରତ୍ୟାଖ୍ୟାନ କରିବା ବା ସରକାରଙ୍କ ପ୍ରତିଶ୍ରୁତି ରେ ଭଳିଯିବା ପୂର୍ବରୁ ଏହାର କାର୍ଯ୍ୟକାରିତା ଓ ବାସ୍ତବିକ ଉପଲବ୍ଧି କୁ ଅପେକ୍ଷା କରିବାକୁ ପଡିବ।