Categories
ଜାତୀୟ ଖବର ବିଶେଷ ଖବର

ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଅବତରଣ ସ୍ଥଳ ନାମ ଦେଲେ ‘ଶିବ ଶକ୍ତି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଆଜି ସକାଳେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏକ ଭାବପ୍ରବଣ ହୋଇ ତାଙ୍କ ଭାଷଣରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଚନ୍ଦ୍ର ଉପରେ ଅଛି ଏବଂ ଚନ୍ଦ୍ର ଉପରେ ବିକ୍ରମଙ୍କ ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବ ଶକ୍ତି’ ପଏଣ୍ଟ ନାମରେ ନାମିତ କରାଗଲା ବୋଲି ସେ ଘୋଷଣା କରିଥିଲେ।

ସେ କହିଥିଲେ ଯେ, ଏହି ସଫଳତା ଆଗାମୀ ପିଢୀକୁ ପ୍ରେରଣା ଯୋଗାଇବ। ଆମେ ମାନବିକତାର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏକ ଟୁଇଟ୍ କରି ସେ କହିଛନ୍ତି ଯେ ଚନ୍ଦ୍ରାୟନ -୩ ର ସଫଳତା ସହ ଇସ୍ରୋର ବୈଜ୍ଞାନିକମାନେ ଭାରତକୁ ଗର୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ଦେଶର ସଫଳତା ପଛରେ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତତା ଏବଂ ଉତ୍ସାହ ପ୍ରକୃତରେ ଏକ ପ୍ରେରଣାର ଶକ୍ତି ଅଟେ।

ଆଜି ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ସିଧା ବିଦେଶରୁ ବେଙ୍ଗାଲୁରୁ ହାଲ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ସେ ଜୟ ଜୱାନ, ଜୟ କିସାନ ଏବଂ ଜୟ ବିଜ୍ଞାନ କହି ବାହାରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ସେ ସେମାନଙ୍କୁ କହିଥିଲେ ଯେ ଇସ୍ରୋରର ବୈଜ୍ଞାନିକମାନଙ୍କୁ ଭେଟିବା ଏବଂ ଅଭିବାଦନ ଦେବାକୁ ମୁଁ ନିଜକୁ ରୋକିପାରିଲି ନାହିଁ। ତେଣୁ ସେ ତାଙ୍କର ବିଦେଶ ଗସ୍ତ ପରେ ସିଧା ବେଙ୍ଗାଲୁରୁକୁ ଆସିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ବିଶ୍ୱରେ ଥିବା ଭାରତୀୟ ଏବଂ ଯେଉଁମାନେ ବିଜ୍ଞାନ, ଭବିଷ୍ୟତ ଏବଂ ମାନବିକତା ଉପରେ ବିଶ୍ବାସ କରନ୍ତି, ସେମାନେ ଇସ୍ରୋର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ସଫଳ ହୋଇଛନ୍ତି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ସଫଳ ହୋଇଥିବାରୁ ସେ ବେଙ୍ଗାଲୁରୁର ନାଗରିକଙ୍କ ସମେତ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।