Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତ ଯୋଡ଼ ନ୍ୟାୟ ଯାତ୍ରାକୁ ନେଇ ଓଡିଶା କଂଗ୍ରେସ ଚଳଚଞ୍ଚଳ, ଲୋଗୋ ଉନମୋଚନ

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ଏ.ଆଇ.ସି.ସି ସଭାପତି ତଥା ଜନମାନସର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆଜି ମଣିପୁରର ଇମ୍ଫାଲ ଠାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ଭାରତ ଯୋଡୋ ନ୍ୟାୟ ଯାତ୍ରାର ଲୋଗୋ ଶତାଧିକ ଚାରି ଚକିଆ ଯାନରେ ଷ୍ଟିକରିଙ୍ଗ କରାଗଲା। ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ୪ ଚକିଆ ଯାନରେ ଷ୍ଟିକରିଂ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ଶ୍ରୀ ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏହି ଯାତ୍ରା ମଣିପୁର ଇମ୍ଫାଲ ଠାରୁ ଆରମ୍ଭ ହୋଇ ମହାରାଷ୍ଟ୍ର ମୁମ୍ବାଇ ଠାରେ ସମାପ୍ତ ହେବ।

ଏହି ଯାତ୍ରା ଦୀର୍ଘ ୬୬ ଦିନ ଧରି ଏବଂ ୧୫ ଟି ରାଜ୍ୟ ୧୧୦ ଟି ଜିଲ୍ଲା ଅତିକ୍ରମ କରିବ। ଓଡ଼ିଶାରେ ୪ ଦିନ ଧରି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ୩୪୧ କିଲୋମିଟର ଅତିକ୍ରମ କରିବ।

ଏହି ପରିପ୍ରେକ୍ଷିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ କହିଥିଲେ ଯେ ସମ୍ବିଧାନର ସୁରକ୍ଷା, ସାମ୍ବିଧାନିକ ଅନୁଷ୍ଠାନର ନିରପେକ୍ଷତା, ଦୁର୍ନୀତି ଓ ଭ୍ରଷ୍ଟାଚାର, ଉପେକ୍ଷିତ ଜନତାକୁ ନ୍ୟାୟ, ଧନୀ ଓ ଗରବିଙ୍କ ଭିତରେ ଦୂରତା ହ୍ରାସ, ଆକାଶ ଛୁଆଁ ଦରଦାମ ବୃଦ୍ଧି, ନାରୀ ସୁରକ୍ଷା ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଉର୍ଦ୍ଦିଷ୍ଟ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାସ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ରଜତ ଚୌଧୁରୀ, ଶ୍ରୀନିବାସ ରାଉତରାୟ, ରଜନୀ ମହାନ୍ତି, ମନୋଜ ବିଶ୍ୱାଳ, ବିସ୍ମୟ ମହାପାତ୍ର, ଜ୍ଞାନ ରଞ୍ଜନ ପଟ୍ଟନାୟକ, ପ୍ରକାଶ ମିଶ୍ର, କୃଷ୍ଣଚନ୍ଦ୍ର ପତି, ଦୀପକ କୁମାର ମହାପାତ୍ର, ଜୟନ୍ତ ଦାସ, ପ୍ରଦୀପ ମହପାତ୍ର, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରସନ୍ନ ନାୟକ ଯୋଗଦେଇଥିଲେ।

ସେହିପରି ପ୍ରଶାନ୍ତ ଚମ୍ପତି, ଅମିତା ବିଶ୍ୱାଳ, ପ୍ରଭାତ ପ୍ରତାପ ସିଂ, ମିହିର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଭଦ୍ରା ମିଶ୍ର, ଶ୍ରୀୟାସ୍ମିତା ପଣ୍ଡା, ସୌମେନ୍ଦ୍ର ମହାନ୍ତି, ପୁଷ୍ପିତା ଦାସ, ସ୍ନେହା ଜେନା, ଭାଗ୍ୟଶ୍ରୀ ଜେନା, ମାନସ ରଞ୍ଜନ ସେଠୀ, ରାହୁଲ ପଟ୍ଟନାୟକ, ମହମ୍ମଦ ଗୁଲଫାମ୍‌, ନିହାର ରଞ୍ଜନ ବେହେରା, ଦେବରାଜ ମିଶ୍ର, ମୋହନ ଜେନା, ଜ୍ୟେତିଷ ସାହୁ, ଲିଙ୍ଗରାଜ ସାହୁ, ଲଲାଟେନ୍ଦୁ ଦାଶ, ସାଗର ପଟ୍ଟନାୟକ, ଅନନ୍ତ ସାମନ୍ତରାୟ ଓ ଅଭିଷେକ ରାଉତ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ କର୍ମୀ ଅଂଶ ଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିବାଦୀୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବୀ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର : ମହିଳାଙ୍କୁ ସମ୍ମାନ ଓ ମୋ ପରିବାର ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଭଳି ବିବାଦୀୟ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ପ୍ରଶ୍ନ କରିଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା, ଉପସଭାପତି ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ଏହି ଦାବୀ କରିଛନ୍ତି।

ରାଜ୍ୟର ଜଣେ ମନ୍ତ୍ରୀ ଯେପରି ମହିଳାମାନଙ୍କ ସମ୍ମୁଖରେ ଓ ମହିଳାମାନଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବାର ଭିଡିଓ ଭାଇରାଲ ହୋଇଛି ସେ ସମ୍ପର୍କରେ ଦଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ନୀରବତା କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି । ଏହା ପୂର୍ବରୁ ସଂପୃକ୍ତ ମନ୍ତ୍ରୀ ଯିଏକି ପୂର୍ତ, ପଂଚାୟତରାଜ ଓ ଆଇନ ବିଭାଗ ପରି ଦାୟୀତ୍ୱରେ ରହିଛନ୍ତି । ସିଏ କିପରି ବହୁଚର୍ଚ୍ଚିତ ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ନିଜ ନାମକୁ ଚାର୍ଜସିଟ୍‌ରୁ ବାଦ ଦେବାପରେ କୋର୍ଟ ଦ୍ୱାରା ଭର୍ତ୍ସିତ ହୋଇଥିଲେ ତାହାର ଉଦାହରଣ ଦେଇ ଏହା କ’ଣ ବହୁ ପ୍ରଚାରିତ ୫-ଟି ର ସ୍ୱଚ୍ଛତା ବୋଲି ଜାଣିବାକୁ ଚାହିଁଥିଲେ।

ସଂପୃକ୍ତ ମନ୍ତ୍ରୀ ନିଜ ଆଡ଼ୁ ଇସ୍ତଫା ଦେବା ଉଚିତ୍ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି। ବାଙ୍କୀର ପୂର୍ବତନ ବିଧାୟକ ମଧ୍ୟ ନୂଆବର୍ଷରେ ନାରୀମାନଙ୍କୁ କିଭଳି ବ୍ୟବହାର କରିଛନ୍ତି ତାହା ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଛି। ନବୀନ ବାବୁ ଏସବୁ ଜାଣିପାରୁଛନ୍ତି କି ନାହିଁ, ପଚାରିବା ସହ ଯଦି ଜାଣିମଧ୍ୟ ନୀରବ ରହୁଛନ୍ତି ତାର ଫଳାଫଳ ଭୋଗିବାକୁ ସେ ପ୍ରସ୍ତୁତ ରୁହନ୍ତି ବୋଲି ଚେତାବନୀ ଦେଇଥିଲେ ।

ରାଜ୍ୟପାଳ ମଧ୍ୟ ଏ ଘଟଣାରେ ହସ୍ତକ୍ଷେପ କରିବା ସହ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଡ. ପଟ୍ଟନାୟକ ଦାବିକରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଲୁଲୁ ମହାପାତ୍ରଙ୍କ 56 ତମ ଜନ୍ମ ଦିବସ ପାଳନ

ଭୁବନେଶ୍ୱର, ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୬ତମ ଜନ୍ମଦିବସ ପାଳନ କରାଯାଇଛି। ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ସମ୍ମିଳନୀ କକ୍ଷରେ ସ୍ମୃତି କମିଟି ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ଲୁଲୁ ମହାପାତ୍ର ମରି ନାହାନ୍ତି ଅମର ହୋଇ ଛାତ୍ର ଯୁବ ସମାଜଙ୍କ ହୃଦୟରେ ସ୍ଥାନ ନେଇଛନ୍ତି । ତାଙ୍କ ଛାତ୍ର ଜୀବନ କାଳରେ ଛାତ୍ର ସଂଗଠନର ଦାୟିତ୍ୱ ନେଇ ଛାତ୍ର ସମାଜକୁୁୁ ଆଗେଇ ନେବାରେ ତାଙ୍କର ବଳିଷ୍ଠ ନେତୃତ୍ୱ ଏବେବି ମନେପଡ଼ୁଛି । ଲୁଲୁ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟକ ଭାବେ ତାଙ୍କର ସୁପୁତ୍ରୀ ସୁଶ୍ରୀ ଉପାସନା ମହାପାତ୍ର ଉଦ୍‌ଘାଟନ କରି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ୟମାନଙ୍କ ଅତିଥି ମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ ପ୍ରମୁଖ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି ଜୟନ୍ତୀ ଅବସରରେ ଉପସ୍ଥିତ ଥିବା ଅତିଥିମାନେ ଓଏସ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ତପସ୍ୱିନୀ ଦାସଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିମାଂଶୁ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଦୀପକ ସାହୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୁଲୁ ମହାପାତ୍ର ପରିବାର ତରଫରୁ ରାଜେନ୍ଦ୍ର ପଣ୍ଡା, ନଜେବୁର ରେହମନ ଖାନ୍‌, ମନୋଜ ସାହୁ, ଆଲୋକ ମହାନ୍ତି, ମାନଓ ଆଚାର୍ଯ୍ୟ, ମନୋଜ ବିଶ୍ୱାଳ, ପ୍ରକାଶ ମିଶ୍ର, ଦୀପକ ମହାପାତ୍ର, ବିଶ୍ୱପ୍ରସାଦ ଦାସ, କିରଣ ସାହୁ, ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର

ଓଡିଶା କଂଗ୍ରେସର ଚରିତ୍ର, ସର୍ବ ସାଧାରଣରେ ଗୋଡ ଟଣାଟଣି ଓ କାଦୁଅ ଫିଙ୍ଗା!!

ସମୀକ୍ଷା ବ୍ୟୁରୋ

ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡି ରହିବା ପରେ ଗତ ନିର୍ବାଚନର ଅଳ୍ପ କେତେମାସ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ର ନେତୃତ୍ବ ପରିବର୍ତ୍ତନ ଘଟିଲା। ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା ö ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଂକୁ ଆଉ ଥରେ ସଭାପତି ଭାବେ ଅଖିଳ ଭାରତ କଂଗ୍ରେସ କମିଟି ନିଯୁକ୍ତି ଦେଇ ଗୋଟେ ନୂଆ ପରିବର୍ତ୍ତନର ବାଟ ଫିଟେଇଥିଲେ ö ହେଲେ ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ପାଟକୁରା ଓ ବିଜେପୁର ଉପ ନିର୍ବାଚନର ଲଜ୍ଜାଜନକ ପରାଜୟ ପରେ କଂଗ୍ରେସର ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ବୋଧେ କଂଗ୍ରେସ ଓଡିଶାରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ସାରିଛି!

୧୯୯୮ ମସିହା ପରଠୁ କଂଗ୍ରେସ ଓଡିଶାର ପ୍ରାୟ ସବୁ ନିର୍ବାଚନରେ ପରାଜୟ ବରଣ କରୁଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଏହାର ପରିଚୟ ରହି ଆସିଥିଲାö କିନ୍ତୁ ୨୦୧୪ ପରେ କଂଗ୍ରେସର ଅସ୍ତିତ୍ବ ଓଡିଶାରୁ ଆସ୍ତେ ଆସ୍ତେ ଲିଭିବା ଆରମ୍ଭ କରିଛି ö ପ୍ରଥମେ କନ୍ଧମାଳ ଲୋକସଭା ଉପ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଲା ଓ ମାର୍ଚ୍ଚ ୨୦୧୭ ପଂଚାୟତ ନିର୍ବାଚନରେ ଏହା ଭାରତୀୟ ଜନତା ପାର୍ଟି ଠୁ ଉଭୟ ଆସନ ତଥା ଭୋଟ୍ ହାର କ୍ଷେତ୍ରରେ ଯଥେଷ୍ଟ ପଛରେ ପଡିଗଲା  ସବୁଠୁ ହତାଶାର ବିଷୟ ହେଉଛି, ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ö ଦଳ ନିଜର ମୁଖ୍ୟ ବିରୋଧୀ ଭୂମିକାରୁ ବିଧାନସଭାରେ ତୃତୀୟ ସ୍ଥାନକୁ ଖସି ଆସିଲା। କଂଗ୍ରେସ ଦଳ ଭିତରେ ରହିଥିବା ପ୍ରଚଣ୍ଡ ଗୋଷ୍ଠୀ ବିବାଦ ଓ ଆଜିର  ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ଦଳୀୟ ନେତା କର୍ମୀଙ୍କ ଅନାସ୍ଥା କାରଣରୁ ରାଜ୍ୟରେ କଂଗ୍ରେସ ଏକ ମୃତ ଦଳ ବୋଲି ଲୋକେ ଧରି ନେଲେଣି ö

ଯେତେବେଳେ ନିରଂଜନ ପଟ୍ଟନାୟକ ସଭାପତି ଦାୟିତ୍ବ ନେଲେ, ତୃଣମୂଳ ସ୍ତରରେ ନହେଲେ ମଧ୍ୟ, ଗଣ ମାଧ୍ୟମ ଜରିଆରେ କଂଗ୍ରେସ ନିଜର ପୁରୁଣା ଅସ୍ତିତ୍ବ ଫେରି ପାଇବ ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା ö ନିରଂଜନ ବାବୁ ଅଭିଜ୍ଞ ଲୋକ ଓ ତାଂକ ପଛରେ ସବୁ ପ୍ରକାର ସାଧନର ଅଭାବ ରହିବ ନାହିଁ ବୋଲି କଂଗ୍ରେସ କର୍ମୀମାନେ ଆସ୍ଥାବାନ ଥିବାରୁ, ଦଳ ର ପୁନଃ ସଂଗଠନ ସମ୍ଭବ ବୋଲି ଆଶା ଦେଖାଦେଇଥିଲା ö ପ୍ରାଥମିକ ଭାବରେ କଂଗ୍ରେସ ଭିତରେ ଉତ୍ସାହ ଓ ଆଶାର ଏକ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା ö ହେଲେ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ଏବେ କଂଗ୍ରେସର ପୁରୁଣା ରୋଗ ପୁଣି ଆରମ୍ଭ ହୋଇଛି ö

ସାଧାରଣ ନିର୍ବାଚନ ସରିବା ପରେ  କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାହା ଗୃହୀତ ହେଲାନାହିଁ। ସଭାପତି ଭାବରେ ନିରଞ୍ଜନ ବାବୁଙ୍କର ନା ସେ ଆଗର ଉତ୍ସାହ ରହିଛି, ନା କର୍ମୀମାନେ ତାଙ୍କ ସହ ଅଛନ୍ତି। ପୁଣିଥରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଚରମ ଅବସ୍ଥାରେ ପହଞ୍ଚିଛି। ଏବେ ନିରଞ୍ଜନ ହତାୟ ଅଭିଯାନ ଆରମ୍ଭ ହୋଇଛି ଓ ସର୍ବ ସାଧାରଣରେ କଂଗ୍ରେସ ନେତା ଓ କର୍ମୀମାନେ ପରଷ୍ପର ଉପରେ କାଦୁଅ ଛାଟିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରାଯାଉ ବୋଲି କଂଗ୍ରେସରେ ମେଳି ଚାଲିଛି।

ଓଡିଶାର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ଓ ବିଜେଡ଼ିର ଅନ୍ତରଙ୍ଗତା ବଢିଥିବାରୁ, କଂଗ୍ରେସ ହିଁ ବିରୋଧୀ ଭାବରେ ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରାଯାଉଥିବା ସମୟରେ କଂଗ୍ରେସର ଏହି ଗୋଷ୍ଠୀ କନ୍ଦଳ କଂଗ୍ରେସର ପୁନରୁତ୍ଥାନ ସମବାବନାକୁ କୁ ନଷ୍ଟ କରି ଦେଇଛି।

କଂଗ୍ରେସର ନିଜସ୍ବ ସଂଗଠନ ଧ୍ବଂସ ପାଇଯିବା ପଛରେ ବଡ ନେତା ମାନଂକର ଏମିତି ଚକ୍ରାନ୍ତ ଦାୟୀ ବୋଲି ଓଡିଶାର ଲୋକେ ଭଲ ଭାବରେ ଜାଣନ୍ତି ö ଏତେ ପରାଜୟ ଓ ଅପମାନ ପରେ ମଧ୍ୟ କଂଗ୍ରେସ ଦଳ ନିଜ ଚରିତ୍ର ସୁଧାରିବାରେ ସମର୍ଥ ହୋଇ ପାରୁନାହିଁ ö ନେତାଂକ ଭିତରେ ରହିଥିବା ଗୋଡଟଣା ପ୍ରକୃତି ଯୋଗୁଁ ତୃଣମୂଳ ସ୍ତରରେ କର୍ମୀମାନେ ଆଉ କଂଗ୍ରେସ ସହ ରହିବାକୁ ଚାହୁନାହାନ୍ତି ö ଯିଏ ବି କଂଗ୍ରେସ ସଭାପତି ହେଲା, ତାକୁ ପ୍ରଥମ ଦିନରୁ ବିରୋଧ କରିବାର ଏକ ଆତ୍ମଘାତୀ ପରମ୍ପରା କଂଗ୍ରେସ ଦଳରେ ରହିଛି ö ଏହା କଂଗ୍ରେସର ବହୁ ପୁରୁଣା ରୋଗ ö ଆତ୍ମଘାତର ଏହି ରାସ୍ତାରେ କଂଗ୍ରେସକୁ ବଞ୍ଚାଇବା ବୋଧେ ଆଉ ସହଜ ନୁହେଁ!!

Categories
ବିଶେଷ ଖବର

ବିଜେପୁରରେ ଉପ ନିର୍ବାଚନ ହେଉଛି ତ, କାହିଁ କିଛି ସୋର ଶବ୍ଦ ତ ଶୁଭୁନି ! 

କେଦାର ମିଶ୍ର 

୨୦୧୮,ଫେବୃଆରି ମାସ କଥା ଆପଣମାନଙ୍କର ମନେଥିବ ନିଶ୍ଚୟ। ପ୍ରାୟତଃ ଚର୍ଚ୍ଚାରେ ନଥିବା ପଶ୍ଚିମ ଓଡିଶାର ଏକ ନିର୍ବାଚନମଣ୍ଡଳୀ ହଠାତ ସାରା ଓଡିଶାରେ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା। ଓଡିଶାର ସବୁ ରାଜନୈତିକ ଦଳ, ସାମ୍ବାଦିକ ଓ ରାଜନୀତି ପ୍ରତି ଆଗ୍ରହ ରଖିଥିବା ଲୋକଙ୍କ ପାଇଁ ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ସବୁଠୁ ବେଶୀ ଗୁରୁତ୍ଵ ବହନ କରିବା ଆରମ୍ଭ କଲା।୨୦୧୭ ମସିହାରେ ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ କ୍ରମାଗତ ଭାବେ ତିନିଥର ବିଧାୟକ ନିର୍ବାଚିତ ହୋଇଥିବା ସୁବଳ ସାହୁଙ୍କର ଅକାଳ ବିୟୋଗ ଘଟିଲା। ଯାହା ଫଳରେ ବିଜେପୁରରେ ସାଧାରଣ ନିର୍ବାଚନ ପୂର୍ବରୁ ଉପ ନିର୍ବାଚନ ହୋଇଥିଲା। ଫେବୃଆରି, ୨୦୧୮ର ବିଜେପୁର ଉପ ନିର୍ବାଚନ ଓଡିଶା ଇତିହାସରେ ସବୁଠୁ ଚର୍ଚ୍ଚିତ ଓ ସବୁଠୁ ଉତ୍ତେଜନା ପ୍ରବଣ ନିର୍ବାଚନ ଭାବରେ ସ୍ଥାନ ପାଇବ। ୨୦୧୯ ନିର୍ବାଚନରେ ଓଡିଶାରେ କ୍ଷମତା ଦଖଲ କରିବା ଲାଗି ବଦ୍ଧ ପରିକର ବୋଲି ଦାବି କରୁଥିବା ବିଜେପି ବିଜେପୁର ଉପ ନିର୍ବାଚନକୁ ସେମି ଫାଇନାଲ ଭାବରେ ଗ୍ରହଣ କରିଥିଲା। ଏହି ନିର୍ବାଚନ ଜିତିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ବିଜେପୁରରେ ଡେରା ପକାଇ ନିର୍ବାଚନ ପରିଚାଳନା କରିଥିଲେ। ଟେଲିଭିଜନ ଚାନେଲ ଗୁଡିକରେ ଏହି ଉପ ନିର୍ବାଚନର ସବୁ ଛୋଟ ବଡ ଘଟଣା ପ୍ରସାରିତ ହେଉଥିଲା। ବିଜେପି ସମର୍ଥିତ ଓଡିଶାର ଗୋଟେ ଟେଲିଭିଜନ ଚାନେଲ ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରିଥିବା ଜଣେ ଅନାମଧେୟ ମହିଳାଙ୍କୁ ବିଜେପିର ସୁପରଷ୍ଟାର ଭାବେ ଉପସ୍ଥାପିତ କରିଥିଲା। ପରବର୍ତ୍ତୀ ସମୟରେ ବିଜେପୁରର ସବୁଠୁ ବଡ ଗାଁ କୁମ୍ଭାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭା କରୁଥିବା ବେଳେ ତାଙ୍କ ଉପରକୁ ଜୋତା ମାଡ କରା ଯାଇଥିଲା। ଫେବୃଆରି ୨୦୧୮ ପୂର୍ବରୁ ଓଡିଶାର ଗଣମାଧ୍ୟମରେ ବିଜେପୁର ଛଡା ଅନ୍ୟ କିଛି ଖବର ନଥିଲା।

ସେହି ନିର୍ବାଚନରେ ବିଜେପିର ସବୁ ପ୍ରକାର କଳ, ବଳ ଓ କୌଶଳ ପ୍ରୟୋଗ ସତ୍ତ୍ୱେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧,୯୩୩ ଖଣ୍ଡ ଭୋଟରେ ଜିତିଥିଲେ। ସେମି ଫାଇନାଲରେ ବିଜେଡି ଜିତିଥିଲା ଓ ଫାଇନାଲରେ ମଧ୍ୟ ବିଜେଡି ଜିତିଲା। ୨୦୧୯ ସାଧାରଣ ନିର୍ବାଚନରେ ପୁଣି ବିଜେପୁର ଚର୍ଚ୍ଚାକୁ ଆସିଲା, କାରଣ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ହିଂଜିଳି ଆସନ ସହିତ ବିଜେପୁରରୁ ମଧ୍ୟ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲେ। ସ୍ଵାଭାବିକ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଆସନ ଭାବରେ ବିଜେପୁର ରେ ଫୋକସ ରହିଥିଲା। ମୁଖ୍ୟମନ୍ତ୍ରୀ ଜିତିବା ପରେ ହିଂଜିଳି କୁ ହାତରେ ରଖି ବିଜେପୁରରୁ ଇସ୍ତଫା ଦେଲେ। ତେଣୁ ଏଠାରେ ଆଉ ଥରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି। ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ନିର୍ବାଚନ ହେବ। ବିଜେଡି ତରଫରୁ ରୀତା ସାହୁ ଓ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ନିର୍ବାଚନ ରେ ସାମ୍ନାସାମ୍ନି ହେଉଛନ୍ତି। ତେବେ ଗତ ଦୁଇଟି ନିର୍ବାଚନରେ ବିଜେପୁରରେ ଯେଉଁ ପ୍ରକାର ଉତ୍ତେଜନା, ଆକର୍ଷଣ ଓ ଆଗ୍ରହ ରହିଥିଲା, ଏ ନିର୍ବାଚନରେ ତାର କାଣିଚାଏ ମଧ୍ୟ ଦେଖିବାକୁ ମିଳୁନାହିଁ ।

ବିଜେପି ନେତାମାନେ ୨୦୧୮ରେ ଯେମିତି ତମ୍ଭି ତୋଫାନ କରୁଥିଲେ, ଏହି ନିର୍ବାଚନରେ ସେମାନେ ଏକ ପ୍ରକାର ଅସ୍ତ୍ର ତ୍ୟାଗ କରି ବସି ଯାଇଛନ୍ତି। ୨୦୧୮ ସେମି ଫାଇନାଲର ନେତୃତ୍ଵ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ବିଜେଡ଼ିର ଘନିଷ୍ଠ ବନ୍ଧୁ ହୋଇ ଯାଇଛନ୍ତି। ଯଦିଓ ବିଜେପିର କିଛି ରାଜ୍ୟ ସ୍ତରୀୟ ନେତା କିଛି କିଛି ପାଟିଗୋଳ କରୁଛନ୍ତି, ତାହା କେବଳ ଲୋକ ଦେଖାଣିଆ। କେବଳ ନିର୍ବାଚନ ଲଢିବାକୁ ପଡିବ ବୋଲି ବିଜେପି ନିର୍ବାଚନ ଲଢୁଛି, ନଚେତ ଏହି ଲଢେଇରେ ବିଜେପିର କୌଣସି ଆଗ୍ରହ ନାହିଁ।ନିର୍ବାଚନ ପ୍ରଚାର ଲାଗି ଆଉ ମାତ୍ର ଦଶ ଦିନ ହାତରେ ସମୟ ଥିବା ବେଳେ ବିଜେପିର ବଡ ମୁଣ୍ଡ, କେହିବି ବିଜେପୁରକୁ ଯାଇନାହାନ୍ତି। ବିଜେପି ତରଫରୁ କେବଳ ଔପଚାରିକ ପ୍ରଚାର ବ୍ୟତୀତ ଅଧିକ କିଛି ହେଉନାହିଁ ।

ବିଜୁ ଜନତା ଦଳ କିନ୍ତୁ ପାରମ୍ପରିକ ଶୈଳୀରେ ନିର୍ବାଚନ ଲଢୁଛି। କୌଣସି ବି ନିର୍ବାଚନକୁ ହାଲୁକା ଭାବରେ ବିଜେଡି ନିଏ ନାହିଁ। କଂଗ୍ରେସ ଓ ବିଜେପି ବିଜେପୁର ନିର୍ବାଚନ ପାଇଁ ଚିନ୍ତା କରିବାର ଯଥେଷ୍ଟ ଆଗରୁ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରି ସାରିଥିଲା। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ପରେ ରୀତା ସାହୁଙ୍କୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ରହିବାକୁ ସଙ୍କେତ ଦିଆ ସରିଥିଲା।ମନ୍ତ୍ରୀ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ମଲ୍ଲିକ ବହୁ ଆଗରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ। ବରଗଡ ଜିଲା ଓ ବିଜେପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ବିଜେପି ନେତାମାନେ ବହୁ ଆଗରୁ ବିଜେଡିରେ ସାମିଲ ହୋଇସାରିଥିଲେ। ଉପ ନିର୍ବାଚନ ଆଗରୁ ବରଗଡ ଜିଲାର ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ଦେଇ ବିଜେଡି ନିଜର ନିର୍ବାଚନୀ ବାର୍ତ୍ତା ଦେଇ ସାରିଥିଲା। ଆଜିର ତାରିଖରେ ଉଭୟ କଂଗ୍ରେସ ଓ ବିଜେପିର ସ୍ଥାନୀୟ ସଂଗଠନ ବିଜେଡି ହାତକୁ ଚାଲି ଆସିଛି। ତେଣୁ ବିଜେଡି ବିଜେପୁରରେ ସହଜ ଓ ସ୍ଵାଭାବିକ ଭାବରେ ଜିତିବ ବୋଲି ଏକ ଧାରଣା ବଳବତ୍ତର ହେଉଛି।

ନିର୍ବାଚନରେ ଯିଏ ଜିତୁ ବା ହାରୁ, ନିର୍ବାଚନର ଲଢେଇ ପ୍ରାଥମିକତା ପାଇବା କଥା। ଏଥର ବିଜେପୁର ଉପ ନିର୍ବାଚନରେ ଲଢେଇ ଏକା ନାହିଁ। ବିଜେପି ତରଫରୁ ପାଟକୁରାରେ ଯେଉଁ ନୀତି ଅବଲମ୍ବନ କରା ଯାଇଥିଲା, ବିଜେପୁରରେ ମଧ୍ୟ ସେହି ସମାନ ନୀତି ଗ୍ରହଣ କରାଯାଇଛି। କେବଳ ସ୍ଥାନୀୟ ନେତାମାନେ ଏହି ଲଢେଇରେ ସାମିଲ ରହିବେ, ହେଲେ ରାଜ୍ୟ ଓ କେନ୍ଦ୍ର ନେତାଏ ନୀରବ ରହିବେ। ଆଗରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରବଳ ଆକ୍ରମଣ କରୁଥିଲେ। ଆଜିକାଲି ତାଙ୍କ ମୁହଁରେ ସହମତି ଓ ସମନ୍ବୟର ମନ୍ତ୍ର ଶୁଣିବାକୁ ମିଳୁଛି। ତେଣୁ ନିର୍ବାଚନ ପରିବେଶ ନିପଟ ପାଣିଚିଆ ଲାଗୁଛି। ଗଣମାଧ୍ୟମର ମଧ୍ୟ ବିଜେପୁରକୁ ନେଇ ବିଶେଷ ଆଗ୍ରହ ନାହିଁ।

 

Categories
ବିଶେଷ ଖବର

କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି

ସମୀକ୍ଷା ବ୍ୟୁରୋ

ନୂଆ ସରକାର ଗଠିତ ହେବାପରେ ସଂସଦର ବର୍ଷାକାଳୀନ ଅଧିବେଶନ ସବୁଠୁ ସଫଳ ଓ ସବୁଠୁ କାର୍ୟକ୍ଷମ ବୋଲି କୁହାଯାଉଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସାଂସଦମାନେ ଚଳିତ ଅଧିବେଶନରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ବିଜେଡି ଓ ବିଜେପିର ସାଂସଦମାନଙ୍କୁ ପ୍ରାୟ ସବୁ ବିତର୍କରେ, ଶୂନ୍ୟକାଳରେ ଓ ପ୍ରଶ୍ନୋତ୍ତର ରେ ଉତ୍ସାହର ସହିତ ଭାଗ ନେଉଥିବାର ଦେଖିବାକୁ ମିଳୁଛି। ଏପରିକି କୋରାପୁଟରୁ ନିର୍ବାଚିତ ଏକମାତ୍ର କଂଗ୍ରେସ ଲୋକସଭା ସଦସ୍ୟ ସପ୍ତଗିରି ଉଲାକାଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ରହିଥିଲା। ତେବେ ସଂସଦର ଏହି ବିଶେଷ ଅଧିବେଶନରେ କେବଳ ଜଣେ ସଦସ୍ୟଙ୍କ ମୁହଁ ଦିଶୁନଥିଲା, ସେ ହେଲେ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ। ଯଦିଓ ରାଜ୍ୟସଭା ସଚିବାଳୟ ତରଫରୁ ସେ କିଛି ପ୍ରଶ୍ନ ପଚାରିଥିବାର ତଥ୍ୟ ମିଳୁଛି, ହେଲେ ସେଗୁଡିକ ସେମିତି ବିଶେଷ ଗୁରୁତ୍ଵ ବହନ କରେନାହିଁ। ସେ କୌଣସି ବିତର୍କରେ ଭାଗନେବା, ଆଲୋଚନା କରିବା କିମ୍ବା କୌଣସି ପ୍ରସଙ୍ଗ ପ୍ରଭାବଶାଳୀ ଢଙ୍ଗରେ ଉଠାଇବାର କୌଣସି ଉଦାହରଣ ଗତ ପାଞ୍ଚ ବର୍ଷରେ ମିଳିନାହିଁ।

ଏକ ସଙ୍କଟଜନକ ସ୍ଥିତିରେ ଥିବା ସମୟରେ କଂଗ୍ରେସ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତେବେ ନିର୍ବାଚିତ ହେବା ପରଠୁ ରାଜ୍ୟ କଂଗ୍ରେସର ସ୍ଵାର୍ଥ ହେଉ ବା ରାଜ୍ୟର ସ୍ଵାର୍ଥ, କୌଣସି ପ୍ରସଙ୍ଗରେ ରଞ୍ଜିବ ବିଶ୍ଵାଳଙ୍କ ଭାଗୀଦାରୀ ପ୍ରାୟ ଶୂନ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ସେ ରହିଥିଲେ ମଧ୍ୟ, କଂଗ୍ରେସର ନିର୍ବାଚନ ପ୍ରଚାରରେ ତାଙ୍କର ଅବଦାନ କିଛି ନଥିଲା। ଜାତୀୟ ସ୍ତରରେ ଜଣେ କ୍ରିକେଟ ପ୍ରଶାସକ ଭାବରେ ତାଙ୍କର ଯେଉଁ ପ୍ରଭାବ ରହିଛି, ସେଥିରୁ ପାଞ୍ଚ ପଇସାର ଲାଭ ତାଙ୍କ ଦଳ ବା ଓଡିଶା ବାସୀ ପାଇନାହାନ୍ତି। ଏତେ ବଡ ସୁଯୋଗ ତାଙ୍କୁ ଓଡିଶାବାସୀ ଓ କଙ୍ଗ୍ରେସଦଳ ଦେଇଥିଲା କାହିଁକି, ତାହା ଆଜି ବଡ ପ୍ରଶ୍ନ।

ରଞ୍ଜିବ ବିଶ୍ବାଳଙ୍କର ରାଜନୀତି ବଡ ବିଚିତ୍ର। ସେ ଆଗରୁ ଲୋକସଭାରେ ଥିଲେ, ଏବେ ରାଜ୍ୟସଭାରେ ଅଛନ୍ତି। ଅଥଚ ଓଡିଶାର ସାମାଜିକ ଜୀବନ ସହିତ ତାଙ୍କର ସମ୍ପର୍କ ପ୍ରାୟ ନଥାଏ। ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସେ କେବେ କେମିତି ଦୃଶ୍ୟମାନ ହୁଅନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଯୋଗଦାନ ନାହିଁ। ଟୁଇଟର ବା ଫେସବୁକ ରେ ତାଙ୍କୁ କେହି ଦେଖିଥିବାର କହିପାରିବେ ନାହିଁ। କେବଳ ଫେସବୁକ ରେ ରହିଥିବା ତାଙ୍କର ଅଫିସିଆଲ ପେଜ ରେ ସେ କିଛି ପୋଷ୍ଟିଂ କରିଥାନ୍ତି, ଯାହାକୁ ଅତି ବେଶୀରେ ସାଧାରଣ ସୂଚନା ବୋଲି କୁହାଯାଇପାରିବା। ତାଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ମୁଖପାତ୍ର ଭାବରେ ନିଯୁକ୍ତି ମିଳିଥିଲେ ମଧ୍ୟ ସେ କେବେ କେଉଁ ଟେଲିଭିଜନ ବିତର୍କରେ ଭାଗ ନେଇଥିବା, କେହି ଦେଖିନଥିବେ। ତା ସତ୍ତ୍ୱେ ରାଜନୀତିରେ ସେ ଏତେ ବର୍ଷ ଧରି ସଫଳତା ପାଉଛନ୍ତି କେମିତି?

ଏବେ ରଞ୍ଜିବଙ୍କୁ ନେଇ ଯେଉଁ ନୂଆ ଚର୍ଚ୍ଚା ଚାଲିଛି, ସେଥିରୁ ସେ ଏବେ ଆଉ କଂଗ୍ରେସ ପ୍ରତି ଆସକ୍ତ ନାହାନ୍ତି ବୋଲି ସୂଚନା ମିଳୁଛି। କଂଗ୍ରେସର ଭଲଦିନରେ ଯେଉଁମାନେ ସବୁଠୁ ବେଶୀ ସୁବିଧା ସୁଯୋଗ ଭୋଗ କରୁଥିଲେ, ଏବେ ସେମାନେ କଂଗ୍ରେସକୁ ବୁଡେଇ ଅନ୍ୟଦଳକୁ ଡେଇଁବା ପ୍ରୟାସ ଆରମ୍ଭ କରିଛନ୍ତି। ରଞ୍ଜିବ ରାଜ୍ୟସଭାରେ ଆଉ କଂଗ୍ରେସ ଶିବିରରେ ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି। ସେ ଯଥାଶୀଘ୍ର ବିଜେପିରେ କିମ୍ବା ବିଜେଡିରେ ଯୋଗଦେବେ ବୋଲି ଶୁଣାଯାଉଛି। କ୍ରିକେଟ ରାଜନୀତି ଦୃଷ୍ଟିରୁ ତାଙ୍କୁ ବିଜେଡି ଅପେକ୍ଷା ବିଜେପି ତାଙ୍କ ଲାଗି ବେଶୀ ସହାୟକ ହେବ। ଆଗାମୀ ପାଞ୍ଚ ବର୍ଷ ଯାଏ ବିଜେପିର ପ୍ରଭାବ ଭାରତୀୟ କ୍ରିକେଟ ବୋର୍ଡ ରେ ରହିବା ସୁନିଶ୍ଚିତ। ତେଣୁ ବିଜେପି ଏବେ ତାଙ୍କ ଲାଗି ସ୍ଵାଭାବିକ ପସନ୍ଦ ହୋଇପାରେ। ହେଲେ ଜଗତସିଂପୁର ତଥା ସାମଗ୍ରିକ ଭାବରେ ଓଡିଶା ରାଜନୀତିରେ ଆଜି ମଧ୍ୟ ବିଜେପିର ଦୁର୍ବଳ ସ୍ଥିତି ରହିଛି। ସେଥିପାଇଁ ବିଜେଡି ଯିବା ବାଟକୁ ମଧ୍ୟ ସେ ପରୀକ୍ଷା ନିରୀକ୍ଷା କରୁଥିବାର କୁହାଯାଉଛି।

ତେବେ ରଞ୍ଜିବ ବିଶ୍ଵାଳ ଯେଉଁ ଦଳକୁ ଗଲେ ମଧ୍ୟ ସେ କ୍ରିକେଟ ଗ୍ରାଉଣ୍ଡରୁ ଆଉ ଆଗକୁ ଯିବାର ସମ୍ଭାବନା ନାହିଁ। ଯେ କୌଣସି ଦଳରେ ରହିଲେ ମଧ୍ୟ ସେ ଦଳ ପାଇଁ କିଛି ବି ମୂଲ୍ୟ ଯୋଡିବା ଭଳି ଦକ୍ଷତା ବା ନେତୃତ୍ଵ ରଞ୍ଜିବ ବିଶ୍ବାଳଙ୍କର ନାହିଁ।

Categories
ଆଜିର ଖବର

ରାଜ୍ୟସଭାରେ ପାସ୍ ହେଲା ଟ୍ରିପିଲ ତଲାକ ବିଲ୍, ସପକ୍ଷରେ 99ଟି ଭୋଟ ଏବଂ ବିପକ୍ଷରେ 84 ଭୋଟ ମିଲିଲା

ଆଜି ରାଜ୍ୟ ସଭାରେ ବହୁ ବିବାଦୀୟ ଟ୍ରିପିଲ୍ ତଲାକ ବିଲ ପାରିତ ହୋଇଛି। ଏହି ବିଲ ପାଶ ହୋଇଥିବା ଭୋଟିଂରେ ସପକ୍ଷରେ 99 ଟି ଭୋଟ ଏବଂ ବିପକ୍ଷରେ 84ଟି ଭୋଟ ମିଳିଥିଲା। ମୁସିଲମ ମହିଳା ବିଲ 2019କୁ ରାଜ୍ୟସଭାରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଗତ କରିଥିଲେ। ଏହାପରେ ଡିଭିଜନ ହୋଇ ଭୋଟ ଗ୍ରହଣ କରାଯାଇଥିଲା। ପୂର୍ବରୁ ଏହି ବିଲ୍ ରାଜ୍ୟସଭାରେ ଗୃହିତ ହୋଇପାରି ନ ଥିଲା। ସେତେବେଳେ ଏହା ସପକ୍ଷରେ ମାତ୍ର 84ଟି ଭୋଟ ମିଳିଥିବା ବେଳେ ବିରୋଧରେ 100 ଖଣ୍ଡ ଭୋଟ ମିଳିଥିଲା। ଫଳରେ ସେତେବେଳେ ବିଲ୍ କୁ ଷ୍ଟାଡିଂ କମିଟକୁ ପଠାଇଦିଆଯାଇଥିଲା। ଏହି ବିଲ୍ ଲୋକସଭାରେ ପୂର୍ବରୁ ପାଶ ହୋଇଯାଇଥିଲା। ଏହି ବିଲ୍ ଆଗତ ହେବା ପରେ ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମନବୀ ଆଜାଦ ବିରୋଧ କରିଥିଲେ। ସେ କହିଥିଲେ ଯେ, ବିରୋଧୀ ଦଳ ଏହି ବିଲ୍ ରେ କେତେକ ସଂଶୋଧନ ଆଣିବାକୁ ଚାହୁଁଥିଲେ ହେଲେ ସରକାର ତାହା କରାଇଦେଲେ ନାହିଁ। ସେଥିପାଇଁ କଂଗ୍ରେସ ଏହି ବିଲ୍ କୁ ବିରୋଧ କରିବ ବୋଲି ଘୋଷଣା କରିଥିଲେ। ଏହି ବିଲ୍ କୁ ବିଜେଡି ତରଫରୁ ସମର୍ଥନ ଦିଆଯାଇଥିଲା।

Categories
ବିଶେଷ ଖବର

ବିଧାୟକଙ୍କ ଇସ୍ତଫା, ଗଣତନ୍ତ୍ରର ହତ୍ୟା ଲାଗି ଅଭିନବ ଓ ଅବ୍ୟର୍ଥ ଉପାୟ

କେଦାର ମିଶ୍ର 

କର୍ଣ୍ଣାଟକରେ ଯେଉଁ ସରକାର ୨୩, ମଇ, ୨୦୧୮ ରେ ଶପଥ ଗ୍ରହଣ କଲା, ପ୍ରଥମ ଦିନରୁ ହିଁ ସେ ସରକାର ଭେଣ୍ଟିଲଟରରେ ରହି ଆସିଛି। ପ୍ରଥମ ଓ ଦ୍ଵିତୀୟ ବୃହତ୍ତମ ଦଳ ସେଠି ସରକାର ଗଠନର ସୁଯୋଗ ପାଇଲେ ନାହିଁ। କାରଣ ତୃତୀୟ ପକ୍ଷ ପାଖରେ ଥିବା ସଂଖ୍ୟା ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା। ୨୨୫ ସଂଖ୍ୟା ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର ନିର୍ବାଚନ ଫଳାଫଳରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳି ନଥିଲା। ଏହାର ପରିଣତି ସ୍ୱରୂପ ମାତ୍ର ୩୭ ଆସନ ପାଇଥିବା ଧର୍ମ ନିରପେକ୍ଷ ଜନତା ଦଳର ନେତା ଏଚ.ଡି.କୁମାରସ୍ଵାମୀ କଂଗ୍ରେସର ୭୯ ବିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହେଲେ। ୭୯+୩୭=୧୧୬ ଆସନକୁ ନେଇ ସରକାର ଗଢିବାରେ କିଛି ଅସୁବିଧା ନଥିଲା। ହେଲେ ଅଳ୍ପ ବହୁମତର ସରକାରକୁ ଅସ୍ଥିର କରି ନିଜ ନିଜ କ୍ଷମତା ଦଖଲର ଷଡଯନ୍ତ୍ର ଏ ପ୍ରକାର ପୃଷ୍ଠଭୂମିରେ ପ୍ରଶସ୍ତ ହୋଇଯାଏ। ଯଦିଓ ଦଳ ବଦଳ ନିରୋଧ ଆଇନ ଅନୁସାରେ କୌଣସି ବିଧାୟକ ଅନ୍ୟ ଦଳକୁ ହ୍ଵିପ ଅବମାନନା କରି ଭୋଟ ଦେଇପାରିବେ ନାହିଁ, କିନ୍ତୁ ସେମାନେ ତ ଇସ୍ତଫା ଦେଇପାରିବେ।

ଏବେ ବିଭିନ୍ନ ବିଧାନସଭାରେ ନିଜର ପ୍ରତିଷ୍ଠା ଜାହିର କରିବାକୁ ବିଜେପି ଦଳ ବଦଳ ନିରୋଧ ଆଇନର ଏକ ଗଳା ବାଟ ବାହାର କରିଛି। କୋଟି କୋଟି ଟଙ୍କାର କାରବାର କରି ବିଧାୟକମାନଙ୍କୁ ଇସ୍ତଫା ଦେବାକୁ କୁହା ଯାଉଛି। ଗଣତନ୍ତ୍ରକୁ ହତ୍ୟା କରିବା ଲାଗି ଗୋଟେ ସମୟରେ କଂଗ୍ରେସ ଯେମିତି ସମ୍ବିଧାନର ଧାରା ୩୫୬ କୁ ଅପପ୍ରୟୋଗ କରି ଚାଲିଥିଲା, ଏବେ ବିଜେପି ଦଳ ବଦଳ ନିରୋଧ ଆଇନକୁ ସମାନ ଢଙ୍ଗରେ ବ୍ୟବହାର କରୁଛି। ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମ ବଙ୍ଗ  ଓ କର୍ଣ୍ଣାଟକରେ ବିଜେପିର ବିଧାୟକ କିଣା ଅଭିଯାନକୁ ଅମିତ ଶାହାଙ୍କ ନୂଆ ରଣନୀତି ବୋଲି ଏବେ କୁହା ଯାଉଛି। ଅରୁଣାଚଳ ପ୍ରଦେଶରେ ପୂରା କଂଗ୍ରେସ ସରକାରକୁ ରାତାରାତି ବିଜେପି ସରକାରରେ ବଦଳାଇ ଦିଆ ଯାଇଥିଲା। ଏହି ଅଗଣତାନ୍ତ୍ରିକ ଓ ଅମାନବୀୟ ପ୍ରକ୍ରିୟା ଯୋଗୁଁ ବେଚାରା ପୂର୍ବତନ ମୁଖ୍ୟମନ୍ତ୍ରୀ ଖାଲିକୋ ପୁଲ ଆତ୍ମହତ୍ୟା କରିଥିଲେ।

ସରକାର ହାତେଇବାର ପ୍ରକ୍ରିୟାରେ ଯେ କୌଣସି ସ୍ତରକୁ ଖସି ପାରିବାର କଂଗ୍ରେସୀ ଅବଗୁଣ ଏବେ ବିଜେପି ପାଖକୁ ଆସିଛି। ବିଜେପି ଓ ଏହାର ନେତା ଯେଦୁୟୂରାପ୍ପାଙ୍କୁ ଯେମିତି ହେଲେ କ୍ଷମତା ଦରକାର। ସମାନ୍ତରାଳରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରାମେୟା ମଧ୍ୟ ଅଶାନ୍ତ ଗ୍ରହ ପରି କ୍ଷମତା ଦଖଲର ଅପେକ୍ଷାରେ  ରହିଛନ୍ତି। ତାଙ୍କୁ ମଧ୍ୟ ଜେନ ତେନ ପ୍ରକାରେଣ କ୍ଷମତା ଦରକାର। ତେଣୁ ଯେଦୁୟୂରାପ୍ପା, ସିଦ୍ଧାରାମେୟା ଓ କୁମାରସ୍ଵାମୀଙ୍କ କ୍ଷମତା ଯୁଦ୍ଧରେ ଗଣତନ୍ତ୍ର ସେଠି ବିଚ ବଜାରରେ ଧର୍ଷିତ ହେଉଛି।

ଯେ କୌଣସି ଆଇନକୁ ଭାଙ୍ଗି ତାରି ଭିତରୁ ଗଳା ବାଟ ବାହାର କରିବାରେ ଆମର ରାଜନେତାମାନେ ବେଶ ସିଦ୍ଧହସ୍ତ। ଦଳ ବଦଳ ନିରୋଧ ଆଇନକୁ ନିରସ୍ତ କରିବାକୁ ଯାଇ ଇସ୍ତଫା ମାଧ୍ୟମରେ ଯେଉଁ ବିଧାୟକମାନେ ଖେଳ ଖେଳୁଛନ୍ତି, ସେମାନେ ସିଧା ସଳଖ ଅପରାଧୀ। ଗୋଟେ ଦଳର ପ୍ରତିନିଧି ଭାବରେ ଓ ସେହି ଦଳର ନିର୍ବାଚନୀ ସଙ୍କେତରେ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥିବା କୌଣସି ସାଂସଦ ବା ବିଧାୟକ ଉଦ୍ଦେଶ୍ୟମୂଳକ ଭାବରେ ଇସ୍ତଫା ଦେଇ ନପାରିବାର ବ୍ୟବସ୍ଥା ଏବେ ଆସିବା ନିହାତି ଜରୁରୀ। ତେବେ ଏ ବ୍ୟବସ୍ଥା କରିବା କିଏ? ବିଧାନସଭା ଭାଙ୍ଗିବା ଓ ରାଜନୈତିକ ଅସ୍ଥିରତା ସୃଷ୍ଟି କରି କ୍ଷମତା ଦଖଲକୁ ନିଜର ଅଧିକାର ବୋଲି ବିଜେପି ଧରି ନେଇଛି। ତେଣୁ ସଂସଦୀୟ ଓ ନିର୍ବାଚନୀ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ବିଜେପି ସରକାର ଚାହିଁବ ନାହିଁ। ଆଇନ ନ ବଦଳିଲେ, ସେ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ମଧ୍ୟ କିଛି କରିପାରିବେ ନାହିଁ।

କର୍ଣ୍ଣାଟକରେ ଆଜିର ସ୍ଥିତି ଅତ୍ୟନ୍ତ ଜଟିଳ। ସରକାର ଭାଙ୍ଗିବା ବା ଗଢିବାର ଚୂଡାନ୍ତ ନିଷ୍ପତ୍ତି କେବଳ ବିଧାନସଭା ନେଇ ପାରିବ। ତେଣୁ ଆଇନ ଦୃଷ୍ଟିରୁ ଏବେ କୁମାରସ୍ଵାମୀଙ୍କୁ ବହୁମତ ପ୍ରମାଣ ଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେବେ। ଇସ୍ତଫା ଦେଇଥିବା ବିଧାୟକମାନେ ଯଦିଓ ନିଜର ସଭ୍ୟପଦ ହରାଇବେ, ତେବେ ତତ ପରବର୍ତ୍ତୀ ସରକାରରେ ସେମାନେ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ଅବଶ୍ୟ ଏଥି ପାଇଁ ସେମାନଙ୍କୁ ପୁଣିଥରେ ନିର୍ବାଚନ ଜିତିବାକୁ ପଡିବ କିମ୍ବା କର୍ଣ୍ଣାଟକ ବିଧାନ ପରିଷଦକୁ ଆସିବାକୁ ପଡିବ। ନୂଆ ସରକାରରେ ଯେଉଁମାନେ ମନ୍ତ୍ରୀ ହେବେନାହିଁ, ସେମାନେ ଯଦି ଇସ୍ତଫା ଦିଅନ୍ତି, ତେବେ ସ୍ଥିତି ଆହୁରି ଗମ୍ଭୀର ହେବାକୁ ବାଧ୍ୟ।

ଏ ପ୍ରକାର ସଙ୍କଟର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କର ପ୍ରଥମ ଦାୟିତ୍ଵ ହେଉଛି ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା। ସେକଥା ଆଶା କରି କିଛି ଲାଭ ନାହିଁ। ଗଣତନ୍ତ୍ରର ହତ୍ୟା ଲାଗି ବିଧାୟକମାନେ ଘୋଡା ହୋଇ ବଜାରରେ ବିକ୍ରି ହେଉଥିବାର ଦୃଶ୍ୟ ଦେଖିଲେ ଆମକୁ ଲଜ୍ଜା ଲାଗୁଛି। ହେଲେ ରାଜନୀତିରେ ଲଜ୍ଜା ବା ସରମର ବିଶେଷ କିଛି ଭୂମିକା ଆଉ ନାହିଁ।

Categories
ବିଶେଷ ଖବର

ଶାସନ କରିବ ବିଜେପି, କ୍ଷମତା ଭୋଗ କରିବେ ମୋଦୀ ଓ ଶାହ, ହେଲେ ସବୁ ସମସ୍ୟା ଲାଗି ଦାୟୀ ରହିବେ କଂଗ୍ରେସ ଏବଂ ନେହେରୁ ପରିବାର!!

କେଦାର ମିଶ୍ର

ଦେଶର ଗୃହମନ୍ତ୍ରୀ ୨, ଜୁଲାଇ, ୨୦୧୯ରେ କାଶ୍ମୀର ପ୍ରସଙ୍ଗରେ ଜବାବ ଦେବାକୁ ଯାଇ କହୁଛନ୍ତି, ୧,ଜାନୁଆରୀ,୧୯୪୯ରେ କରିଥିବା ଭୁଲ  ପାଇଁ ନେହେରୁ ସରକାରକୁ ଜବାବ ଦେବାକୁ ପଡିବ। ପାଞ୍ଚବର୍ଷ କ୍ଷମତାରେ ରହିସାରିବା ପରେ ଆଜି ମଧ୍ୟ ମୋଦୀ ସରକାର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନୁହେଁ! ଦେଶର ସବୁ ସମସ୍ୟା ଲାଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କୁ ଦାୟୀ କରିବା ବିଜେପିର ଅଭ୍ୟାସ ପାଲଟି ଯାଇଛି। ସତୁରୀ ବର୍ଷର କଂଗ୍ରେସ ଶାସନ ବୋଲି କହି କହି ନିଜେ ମୋଦୀ-ଶାହ ଯୋଡି ପାଞ୍ଚ ବର୍ଷ ଶାସନ କରିସାରି ଏବେ ଆଉ ପାଞ୍ଚ ବର୍ଷ ଲାଗି ନିର୍ବାଚନ ଜିଣି ସାରିଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ କାଶ୍ମୀର ସମସ୍ୟା ଅଧିକରୁ ଅଧିକ ଖରାପ ହୋଇ ଚାଲିଛି। ଗତ ପାଞ୍ଚ ବର୍ଷର ହିସାବ ମାଗିଲେ ୭୦ ବର୍ଷ ତଳର ଗପ କୁହା ଯାଉଛି। ୧, ଜାନୁଆରୀ ୧୯୪୯ ରେ କଣ ଘଟିଥିଲା, ତାର ପୃଷ୍ଟଭୂମି କଣ ଥିଲା ଓ ସେତେବେଳେ ପ୍ରଧାନମନ୍ତ୍ରୀ ନେହେରୁ ଓ ଗୃହ ମନ୍ତ୍ରୀ ପଟେଲ କେଉଁ ପରିସ୍ଥିତିରେ କି ନିର୍ଣ୍ଣୟ ନେଇଥିଲେ, ତାହା ସେ ସମୟର ରାଜନୀତିରେ ଲୋକ ସମର୍ଥନ ପାଇଥିଲା। ୧୯୪୯ ପରେ ପଣ୍ଡିତ ନେହେରୁ ୧୯୫୨, ୧୯୫୭ ଓ ୧୯୬୨ ନିର୍ବାଚନରେ ବିପୁଳ ଜନମତ ପାଇ ସରକାର ଗଢିଛନ୍ତି। ୧୯୪୭ ରୁ ପ୍ରାୟ ପଚାଶ ବର୍ଷ ଧରି କଂଗ୍ରେସ ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ୧୦ ଥର ସରକାର ଗଢି ସାରିଛି। ଇତିମଧ୍ୟରେ ବିଜେପି ମଧ୍ୟ ୫ ଥର ସରକାର ଗଢି ସାରିଲାଣି। ବାଜପାୟୀ (୧୩ ଦିନ+୧୩ମାସ+୪.୬ ବର୍ଷ) ଓ ନରେନ୍ଦ୍ର ମୋଦୀ (୫+) ବର୍ଷ ଶାସନରେ କାଶ୍ମୀର ସମସ୍ୟାର କେତେଦୂର ସମାଧାନ ହୋଇଛି, ତାର ଉତ୍ତର ବିଜେପି ଦେବା ଉଚିତ ହେବନାହିଁ କି?

ପଣ୍ଡିତ ନେହେରୁ ସ୍ଵର୍ଗରୁ ଆସି ସଂସଦରେ ନିଜର ଉତ୍ତର ରଖି ପାରିବେ ନାହିଁ। ତେଣୁ ତାଙ୍କୁ ପ୍ରଶ୍ନ ପଚାରିବା ସହଜ। ୧ ଜାନୁଆରୀ ୧୯୪୯ ବେଳକୁ ନରେନ୍ଦ୍ର ମୋଦୀ ବା ଅମିତ ଶାହ ଜନ୍ମ ମଧ୍ୟ ହୋଇନଥିଲେ। (ମୋଦୀ ୧୭, ସେପ୍ଟେମ୍ବର,୧୯୫୦ ଓ ଶାହ ୨୨, ଅକ୍ଟୋବର,୧୯୬୪ ରେ ଜନ୍ମ। ଅମିତ ଶାହ ନେହେରୁ ମରିବାର ୫ ମାସ ପରେ ଜନ୍ମ) ଇତିହାସ ସହିତ ଛାୟାଯୁଦ୍ଧ କରି ବର୍ତ୍ତମାନର ସଙ୍କଟକୁ ଭୁଲେଇଦେବାର ଭୟଙ୍କର ରଣକୌଶଳ ବିଜେପି ପ୍ରୟୋଗ କରିଚାଲିଛି। ଆଜି କାଶ୍ମୀରରେ ସାଧାରଣ ଜୀବନ ଠପ ହୋଇଯାଇଛି। ତାର କାରଣ ନେହେରୁ ନୁହନ୍ତି। ନେହେରୁ ଯଦି କିଛି ଭୁଲ କରିଥିଲେ ତାକୁ ସଂଶୋଧନ କରିବାର ଶହ ଶହ ସୁଯୋଗ ତମର ଥିଲା। ତାକୁ ନ କରି ନେହେରୁଙ୍କୁ ଗାଳି କରିବା ଅପଦାର୍ଥ ରାଜନୀତିର ସବୁଠୁ ବଡ ଉଦାହରଣ ବୋଲି କୁହାଯାଇପାରେ। ୨୦୧୫ ରେ ଜାମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ହୋଇଥିଲା। ୨୦୧୪ ବେଳକୁ କାଶ୍ମୀର ଆପାତତଃ ଶାନ୍ତ ଥିଲା। ୨୦୧୫ ରେ ପିଡିପି –ବିଜେପି ମିଳିତ ସରକାର ଆସିବା ପରଠୁ କାଶ୍ମୀର ପରିସ୍ଥିତି ଅଧିକ ଅଶାନ୍ତ ହୋଇଛି। ପ୍ରତିଦିନ କାଶ୍ମୀର ଉପତ୍ୟକାରେ ଆମର ଯବାନ ମାରୁଛନ୍ତି। ସାଧାରଣ କାଶ୍ମିରୀ ମଧ୍ୟ ମରୁଛନ୍ତି। ପାଞ୍ଚବର୍ଷ ଧରି ପ୍ରତିଦିନ ସନ୍ତ୍ରାସବାଦ ନିର୍ମୂଳନର କଥା କୁହାଯାଉଛି, ହେଲେ ପ୍ରତିଦିନ ନୂଆ ସନ୍ତ୍ରାସବାଦୀ ଗୋଷ୍ଠୀ କାଶ୍ମୀରରେ ମୁଣ୍ଡ ଟେକୁଛନ୍ତି।

ଏଥିପାଇଁ ବି କଣ ନେହେରୁ ଦାୟୀ? ଜାତିସଂଘ ଆଜି ଆଉ କାଶ୍ମୀରରେ ଗଣଭୋଟ କଥା ଉଠାଉଛି କି? ନୂଆ କରି ବିଭାଜିତ ଓ ସ୍ଵାଧୀନ ହୋଇଥିବା ଗୋଟେ ଦେଶର ବାସ୍ତବ ସମସ୍ୟା କଣ ଥିଲା ତାହା ଆଜି ଆମେ ବିଚାର କରିପାରିବା କି? ଏକଥା ସତ୍ୟ ଯେ, ପଣ୍ଡିତ ନେହେରୁଙ୍କ ଉପରେ ଭାରତର ଜଣ ସାଧାରଣ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ ଓ ତାଙ୍କର ନେତୃତ୍ବକୁ ତାଙ୍କର କଟ୍ଟର ବିରୋଧୀମାନେ ମଧ୍ୟ ସେତେବେଳେ ପ୍ରଶଂସା କରିଛନ୍ତି। ଇତିହାସରେ ପଣ୍ଡିତ ନେହେରୁଙ୍କ ସପକ୍ଷରେ ଏତେ ଯୁକ୍ତି ରହିଛି ଯେ, ଅମିତ ଶାହ ନେହେରୁଙ୍କୁ ଦୋଷୀ ବୋଲି କହିଲେ, ସେ ନିଜେ ହିଁ ହାସ୍ୟାସ୍ପଦ ହେବେ। ଏ ଦେଶ  ନିରନ୍ତର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସାମ୍ବିଧାନିକ ଅନୁଷ୍ଠାନ ସୃଷ୍ଟି କରିଥିବା ହେତୁ ପଣ୍ଡିତ ନେହେରୁଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବ। ଯେତେବେଳେ ସମକାଳରେ ସ୍ଵାଧୀନ ହୋଇଥିବା ଅଧିକାଂଶ ରାଷ୍ଟ୍ର ସାମରିକ ଶାସନ ଓ ଏକଛତ୍ରବାଦକୁ ଆପଣାର କରୁଛନ୍ତି ସେତେବେଳେ ପଣ୍ଡିତ ନେହେରୁ ଆମକୁ ସମ୍ବିଧାନ ଓ ଗଣତନ୍ତ୍ର ଦେଇ ଯାଇଛନ୍ତି। ତାଙ୍କରି ଉତ୍ତରାଧିକାର ହେଉଛି ଏ ଦେଶର ସଂସଦୀୟ ବ୍ୟବସ୍ଥା। ସେହି ପବିତ୍ର ସଂସଦରେ ଆମ ଗଣତନ୍ତ୍ରର ଭିତ୍ତି ପକାଇଥିବା ନେହେରୁଙ୍କୁ ନିନ୍ଦିତ କରିବା ଇତିହାସର ସବୁଠୁ ବିଡମ୍ବନା।

ତେବେ ଅନ୍ତିମ ପ୍ରଶ୍ନ ହେଉଛି, ଧରି ନିଆଯାଉ ୧୯୪୯ ରେ ନେହେରୁ ଭୁଲ କରିଥିଲେ। ହେଲେ ଗତ ପାଞ୍ଚ ବର୍ଷ ଧରି ମୋଦୀ ସରକାର ସେ ଭୁଲ ସୁଧାରିବାରେ ସଫଳ ହେଲେ ନାହିଁ କାହିଁକି? ୭୦ ବର୍ଷ ତଳର ଭୁଲ କଥା କହି ନିଜ ଭୁଲକୁ ଚାପିଦେବାର ମନ୍ଦ ଉଦ୍ଦେଶ୍ୟକୁ ଲୋକ ବେଶ ବୁଝୁଛନ୍ତି।

Categories
ବିଶେଷ ଖବର

ବିଧାନସଭାରେ କଂଗ୍ରେସର ପ୍ରଶ୍ନ, ବିଜେପି ଓ ବିଜେଡି ଉଭୟଙ୍କ ଲାଗି ମୁଣ୍ଡବିନ୍ଧା

ସମୀକ୍ଷା ବ୍ୟୁରୋ

ବିଜେପିର ଘୋଷାପାଠ ହେଉଛି- ବିଜେଡି ଆମକୁ କାହିଁକି ସମର୍ଥନ କଲା, ତାର କାରଣ ସେମାନେ ଦିଅନ୍ତୁ। ବିଜେଡି ଏ ମାମଲାରେ ପୂରାପୂରି ଚୁପ। ଏଇ କିଛିଦିନ ହେଲା ବିଜେଡି ମୁଖପାତ୍ରମାନେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖୁଛନ୍ତି। ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ମନୋନୟନ ଉଭୟ ବିଜେପି ଓ ବିଜେଡି ପାଇଁ ଗୋଟେ ଭୟଙ୍କର ସମସ୍ୟା ସୃଷ୍ଟି କରିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରାର୍ଥୀ ଭାବରେ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ବିଜେପି ନେତାଏ ଏ ବିଷୟରେ କିଛି କୁଳ କିନାରା ପାଉନାହାନ୍ତି। ଗତ ଦୁଇ ଦିନ ହେଲା ବିଧାନସଭାରେ ବିଜେପି ବିଧାୟକମାନେ କାଠ ପିତୁଳି ଭଳି କେବଳ ବସୁଛନ୍ତି। ସରକାରକୁ ବିରୋଧ କରି କଂଗ୍ରେସର ବିଧାୟକମାନେ ଗୋଟେ ଉତ୍ତେଜକ ପରିବେଶ ତିଆରି କରୁଥିବା ବେଳେ ବିଜେପି ବିଧାୟକମାନେ କଣ କରିବେ କିଛି ଭାବି ପାରୁନାହାନ୍ତି। ଅତ୍ୟନ୍ତ ସଫଳ ଭାବରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଜେପି ଓ ବିଜେଡ଼ିର ବୁଝାମଣାକୁ ରାଜନୈତିକ ସ୍ଵାର୍ଥ ଜନିତ ବୋଲି ପ୍ରମାଣିତ କରିଦେଇଛନ୍ତି। ଆଜି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ସରକାରୀ ତଥ୍ୟକୁ ସଠିକ ଭାବରେ ଉପସ୍ଥାପନ କରି ନପାରି ବିରୋଧୀ ଦଳକୁ ଏକ ଭଲ ସୁଯୋଗ ଦେଇଥିଲେ ମଧ୍ୟ, ବିଜେପି ତାଙ୍କୁ ଘେରିବାର ସାହସ ଯୁଟାଇ ପାରିନଥିଲା।

ବିଜେପିର ଏହି ସ୍ଥାଣୁତାର ଏକମାତ୍ର କାରଣ ଅଶ୍ବିନୀ ବୈଷ୍ଣବ। ଦେଶର ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଯାହାଙ୍କ ପ୍ରାର୍ଥିତ୍ଵ ଲାଗି ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଥିଲେ ବୋଲି କୁହାଯାଉଛି, ତାଙ୍କ ନାଁରେ ଭିଜିଲାନ୍ସ ମାମଲା ସରକାର ରୁଜୁ କରିଥିଲେ ବୋଲି ନରସିଂହ ମିଶ୍ର ଆଜି ଗୃହ ଭିତରେ ଅଭିଯୋଗ ଆଣିଛନ୍ତି। ଶ୍ରୀ ମିଶ୍ର ଯାହାସବୁ ଅଭିଯୋଗ ଆଣିଛନ୍ତି, ସେସବୁ ନିରାଟ ସତ୍ୟ। ଭୁବନେଶ୍ଵର ଓ କଟକ ସହରରେ ସରକାରୀ ଜମି ତଥା ଗୃହ ଆବଣ୍ଟନରେ ଅଶ୍ବିନୀ ବୈଷ୍ଣବଙ୍କ ଭୂମିକା କୁ ନେଇ ତାରା ଦତ୍ତ କମିଟି ସଙ୍ଗୀନ ଅଭିଯୋଗ କରିଛି। ୨୦୦୨ ରୁ ୨୦୧୨ ମସିହା ଭିତରେ ଓଡିଶା ସରକାର ୬୩୪ଟି ଘର ଶାଗ ମାଛ  ମୂଲ୍ୟରେ ବିଭିନ୍ନ ପ୍ରତିଷ୍ଠିତ ଲୋକଙ୍କୁ ଦେଇଥିଲେ। ଏହି ତଥ୍ୟକୁ ସେତେବେଳେ ଓଡିଶାର ମୁଖ୍ୟ ମହାଲେଖା ନିୟନ୍ତ୍ରକ ଥିବା ଆମର ପଟ୍ଟନାୟକ ଉଜାଗର କରିଥିଲେ। ସମୟ ଚକ୍ରରେ ଅମର ପଟ୍ଟନାୟକ ଆଜି ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଓ ସେ ଯେଉଁମାନଙ୍କୁ ଇଚ୍ଛାଧୀନ କୋଟାରେ ଅବୈଧ ଭାବେ ଘର ଦିଆ ହୋଇଛି ବୋଲି କହିଥିଲେ ତାଙ୍କ ଭିତରୁ ଜଣକୁ ତାଙ୍କ ସହିତ ରାଜ୍ୟସଭାକୁ ପଠାଯାଉଛି।

ଏଠି କହିରଖିବା ଉଚିତ ହେବ ଯେ ଇଚ୍ଛାଧୀନ କୋଟାରେ ଗୃହ ଆବଣ୍ଟନ କଥା ଯେତେବେଳେ ଉଠୁଥିଲା ସେତେବେଳେ ବିଜେପି-ବିଜେଡ଼ିର ମିଳିତ ସରକାର ଥିଲା ଓ ସହର ଉନ୍ନୟନ ମନ୍ତ୍ରୀ ଭାବରେ ଏହି ସମୟରେ ବିଜେପିର ଦୁଇ ବରିଷ୍ଠ ନେତା ସମୀର ଦେ ଏବଂ କନକ ବର୍ଦ୍ଧନ ସିଂ ଦେଓ ରହିଥିଲେ। ତେଣୁ ଏହି ଦୁର୍ନୀତି ସମ୍ପର୍କରେ ବିଜେପି ନୀରବ ରହିଥିଲା। ଆଜି ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ରହିଥିବା ପ୍ରସଙ୍ଗ ଉଠିବା ପରେ, ବିଜେପି ଏହାର ଉତ୍ତର ରଖିବାକୁ ସାହସ କରୁନାହିଁ।

ଆମେ ପୂର୍ବରୁ ଅଶ୍ବିନୀ ବୈଷ୍ଣବଙ୍କ ଏକ ଖଣି କମ୍ପାନୀ ସହ ରହିଥିବା ସମ୍ପର୍କ କଥା ଉଲ୍ଲେଖ କରିଥିଲୁ। ଆଜି ବିଧାନସଭାରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ସେଇ ପ୍ରସଙ୍ଗ ଉଠାଇଛନ୍ତି। ବିଭିନ୍ନ ଖଣି କମ୍ପାନୀର ନିର୍ଦ୍ଦେଶକ ଭାବରେ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଧାନମନ୍ତ୍ରୀ କାର୍ୟାଳୟ ଖୋଲାଖୋଲି ସମର୍ଥନ କରୁଥିବା କଥା ଏବେ ଆଉ ଲୁଚେଇ ହେବ କି? ଶାହ କମିଶନ ନିଜ ରିପୋର୍ଟରେ ଯେଉଁ କମ୍ପାନୀକୁ ଅଭିଯୁକ୍ତ ବୋଲି କହିଥିଲେ ସେ କମ୍ପାନୀ ସହ ଶ୍ରୀ ବୈଷ୍ଣବଙ୍କ ସମ୍ପର୍କ ବିଷୟରେ ବିଜେପି ଓ ବିଜେଡି କି ସ୍ପଷ୍ଟୀକରଣ ଦେବେ?

ତେବେ ଏହି ପ୍ରସଙ୍ଗ ଏବେ ଖାଲି ଓଡିଶା ରାଜନୀତି ନୁହଁ, ବରଂ ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଖଣି ବ୍ୟବସାୟୀଙ୍କ ସହ ସଂପର୍କକୁ ସ୍ପଷ୍ଟ କରୁଛି।

Categories
ବିଶେଷ ଖବର

ବିଧାନସଭାର ପ୍ରଥମ ଦିନ, କଂଗ୍ରେସ ହିଁ ବିରୋଧୀ ଦଳ, ବିଜେପି ବିଜେଡ଼ିର “ବି–ଟିମ” ମାତ୍ର!!

କେଦାର ମିଶ୍ର

ଗତକାଲି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପାରମ୍ପାରିକ ଭାବରେ ରାଜ୍ୟପାଳ ଗୃହକୁ ନିଜ ସରକାରର ଆଭିମୁଖ୍ୟ ବିଷୟରେ ସମ୍ବୋଧିତ କରିଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଭାବରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ  ତାଙ୍କର କାର୍ୟ ଆରମ୍ଭ କରିଛନ୍ତି। ତେବେ ବୈଧାନିକ ଭାବରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନିର୍ବାଚନ ପ୍ରସଙ୍ଗ ଗୃହରେ ଘୋଷଣା କାରିବା କଥା। ତାହା କରିନଥିବାରୁ ଏହାକୁ ନେଇ କଂଗ୍ରେସର ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳର   ସଂଖ୍ୟା କମ ଥିଲେ ମଧ୍ୟ, ବିରୋଧୀ ଭାବରେ କଂଗ୍ରେସର ସ୍ଵର ହିଁ ଆଜି ବିଧାନସଭାରେ ପ୍ରମୁଖ ଥିଲା। ରାଜ୍ୟସଭା ନିର୍ବାଚନରେ ବିଜେଡି ଠାରୁ ସମର୍ଥନ ନେଇ ବିଜେପି ନୈତିକ ଭାବରେ ବିରୋଧୀ ହେବାର ମର୍ୟାଦା ହରାଇ ଦେଇଛି। ବିଧାନସଭା ଭିତରେ ବିଜେପି ବିଧାୟକମାନେ ଏକ ପ୍ରକାର ନୀରବ ଓ ଶାସକ ଦଳର ସମର୍ଥକ ପରି ବସିରହିଥିଲେ। ସାଧାରଣତଃ ରାଜ୍ୟପାଳଙ୍କ ଉଦ୍ବୋଧନ ସମୟରେ ବିରୋଧିଦଳ ଗୁଡିକ ହୋ ହଲ୍ଲା କରିଥାନ୍ତି। ବିଜେପି ଏଥର ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରିନଥିଲା। କଂଗ୍ରେସ ରାଜ୍ୟପାଳଙ୍କ ଭାଷଣ ଶୁଣିଥିଲେ ମଧ୍ୟ, ନିଜର ପ୍ରତିବାଦକୁ ଜାହିର କରିବାରେ ସଫଳ ହୋଇଥିଲା।

ବିଜେପି ପାଇଁ ଏବେ ରାଜନୈତିକ ଦୃଷ୍ଟିରୁ ଏକ ପ୍ରକାର ଅସ୍ତିତ୍ଵ ସଙ୍କଟ ଦେଖା ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସହିତ ବିଜେପିର ଖୋଲା ବୁଝାମଣା ହୋଇଛି ବୋଲି ସ୍ଵୀକାର କରିବା ପରେ ବିଧାୟକ ଦଳ ଏବେ କେଉଁ ମୁହଁରେ ନିଜର ବିରୋଧ ଜାହିର କରିବ? ବିରୋଧୀ ଦଳ ନେତା ଭାବରେ ପ୍ରଦୀପ୍ତ ନାୟକଙ୍କ ନିର୍ବାଚନରୁ ଏ କଥା ଆହୁରି ସ୍ପଷ୍ଟ ହୋଇଯାଇଛି ଯେ, ଶାସକ ଦଳ ପ୍ରତି ବିଜେପି ନରମ ଆଭିମୁଖ୍ୟ ପୋଷଣ କରିବାକୁ ଯାଉଛି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନିଜର ଉଗ୍ର ଆଚରଣ ପାଇଁ ପ୍ରସିଦ୍ଧ। ତେଣୁ ତାଙ୍କୁ ଜାଣିଶୁଣି ବିଧାୟକ ଦଳର ନେତା କରାଗଲା ନାହିଁ ବୋଲି କୁହାଯାଉଛି। କେଉଁଠି ନା କେଉଁଠି ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନିଜର ଦୁର୍ବଳତା ପ୍ରଦର୍ଶନ କରୁଛି। ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଯାଇ ବିଜେପି ଭବାନୀପାଟଣା ବିଧାୟକ ତଥା  ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତା କରିଛି। ପ୍ରଦୀପ୍ତ ନାୟକ ସ୍ବଭାବତଃ ନରମ ଓ ଆକ୍ରାମକ ରାଜନୀତି ତାଙ୍କର ପରିଚୟ ନୁହେଁ। ବିଧାନସଭା ଅଧିବେଶନ ପୂର୍ବରୁ କିଛି ଟେଲିଭିଜନ ଚାନେଲର ବିତର୍କରେ ଭାଗ ନେଇ ପ୍ରଦୀପ୍ତ ନାୟକ ନିଜର  ନରମ ଆଭିମୁଖ୍ୟକୁ  ସ୍ପଷ୍ଟ କରିଛନ୍ତି। ବିରୋଧିଦଳ ନେତା ଭାବରେ ପ୍ରଦୀପ୍ତ ବାବୁ ଅତ୍ୟନ୍ତ ନରମପନ୍ଥୀ ଓ ଏହା ଶାସକ ଦଳକୁ ବେଶ ସୁହାଇବ।

ଅପରପକ୍ଷରେ ଆଜି କଂଗ୍ରେସର ଅଭିଜ୍ଞ ବିଧାୟକ ନରସିଂହ ମିଶ୍ର, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ପ୍ରମୁଖ ବେଶ ଆକ୍ରାମକ ଭୂମିକାରେ ରହିଥିଲେ। ବିଭିନ୍ନ ପ୍ରଶ୍ନ ଓ ପ୍ରତିବାଦ ଜରିଆରେ ବିଧାନସଭା ଭିତରେ କଂଗ୍ରେସ ନିଜର ବିରୋଧୀ ଭୂମିକାକୁ ସାବ୍ୟସ୍ତ କରିଥିଲା। ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ କାଠଗଡାରେ ଛିଡା କରାଇବାରେ କଂଗ୍ରେସ ସଫଳ ହୋଇଥିଲା। ଆଗକୁ ବିଜେପି ତୁଳନାରେ କଂଗ୍ରେସକୁ ମନାଇବା ବାଚସ୍ପତି ଓ ଶାସକ ଦଳ ମୁଖ୍ୟ ସଚେତକଙ୍କ ପାଇଁ ବଡ ଆହ୍ଵାନ ହେବ ବୋଲି ଗତକାଲି ସ୍ପଷ୍ଟ ହୋଇ ଯାଇଛି। ବିଜେଡି ବିଜେପି ଭାଇ ଭାଇ ବୋଲି ଏକ ରାଜନୈତିକ ବାର୍ତ୍ତା ଦେବାରେ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ସମର୍ଥ ହୋଇଛନ୍ତି।

ଗୃହ ବାହାରେ ଅନୁଷ୍ଠିତ ବିଭିନ୍ନ ଟେଲିଭିଜନ ବିତର୍କରେ ମଧ୍ୟ କଂଗ୍ରେସ ବିଧାୟକମାନେ ନିଜର ଶାଣିତ ଯୁକ୍ତି ରଖିଛନ୍ତି। ଯଦିଓ ଅଖିଳ ଭାରତୀୟ କଂଗ୍ରେସ କମିଟି ମାସେ ପାଇଁ ଟେଲିଭିଜନ ବିତର୍କକୁ ବର୍ଜନ କରିଛି, ତଥାପି ଆଜି ମହମ୍ମଦ ମୁକିମଙ୍କ ପରି କିଛି ବିଧାୟକ ନିଜର ସ୍ପଷ୍ଟ ସରକାର ବିରୋଧୀ ମତ ରଖିଛନ୍ତି। ଗୃହ ବାହାରର ବିତର୍କରେ ବିଜେପି ବିଧାୟକମାନଙ୍କର ମାନସିକ ଦ୍ଵନ୍ଦ୍ଵ ବାରି ହୋଇ ପଡୁଥିଲା। ସେମାନେ ମୁଖ୍ୟ ବିରୋଧୀ ଦଳର ପ୍ରତିନିଧି ନା ଶାସକ ଦଳର ସହଯୋଗୀ, ସେକଥା ସେମାନେ  ସ୍ପଷ୍ଟ ଜାଣିନଥିବା ଭଳି ମନେ ହେଉଥିଲା। ତେବେ ଏହାରି ଭିତରେ କ୍ଷମତାସୀନ ବିଜେଡି ଦଳ ଏକ ପ୍ରକାର ଅଚିନ୍ତା ଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ବିରୋଧୀ ଦଳ ବିଜେପିର ନୀରବତା ପରେ ଏବେ ବିଜେଡି ଲାଗି ବିଧାନସଭା ନିଷ୍କଣ୍ଟକ ଭୂମି ପାଳଟି ଯାଇଛି।

Categories
ବିଶେଷ ଖବର

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ବିଧାୟକ ଦଳ ଯଦି ଭାଙ୍ଗିଯାଏ, ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ!!

ସମୀକ୍ଷା ବ୍ୟୁରୋ

ଏବେ ଏବେ ଗୋଟେ ଖବର ଉଡିବୁଲୁଛି ଯେ ଓଡିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ପାଞ୍ଚଜଣ ସଦସ୍ୟ ଅନ୍ୟ ଦଳକୁ ଚାଲି ଯାଇପାରନ୍ତି। ଓଡିଶା ବିଧାନସଭା ନିର୍ବାଚନ ଇତିହାସରେ ୨୦୧୯ ହେଉଛି କଂଗ୍ରେସର ସବୁଠୁ ଖରାପ ପ୍ରଦର୍ଶନ। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ରାଜ୍ୟର ଶାସନ ସମ୍ଭାଳିଥିବା କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିବା ଓ ୧୪୭ ଟି ଆସନରୁ ୧୦୦ରୁ ଅଧିକ ଆସନରେ କଂଗ୍ରେସ ପ୍ରାର୍ଥୀମାନେ ତୃତୀୟ ସ୍ଥାନରେ ରହିବା କିମ୍ବା ଅମାନତ ହରାଇବା ଭଳି ଅବସ୍ଥା କେବେ ସୃଷ୍ଟି ହୋଇନଥିଲା। ବିଧାନସଭାରେ ମାତ୍ର ୯ ଟି ଆସନରେ କଂଗ୍ରେସ ଜିତିଥିବା ବେଳେ ବର୍ତ୍ତମାନ ସେଥିରୁ ପାଞ୍ଚଜଣ ବିଧାୟକ ବିଜେଡିରେ ମିଶିଯିବାକୁ ଉଦ୍ୟମ କରୁଛନ୍ତି ବୋଲି ଖବର ଆସୁଛି।ବିଧାନସଭାରେ ବିଜେଡ଼ିର ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ଅଛନ୍ତି। ତା ସତ୍ତ୍ୱେ ମଧ୍ୟ ରାଜ୍ୟସଭାର ସବୁ ଆସନ ଜିଣିବାକୁ ହେଲେ ବିଜେଡ଼ିକୁ କିଛି କଂଗ୍ରେସ ବିଧାୟକଙ୍କ ସମର୍ଥନ ଲୋଡା। ସେହିପରି ବିଜେପି ମଧ୍ୟ କଂଗ୍ରେସ ବିଧାୟକଙ୍କ ଉପରେ ଆଖି ରଖିଛି। ଯଦି କିଛି କଂଗ୍ରେସ ବିଧାୟକ ବିଜେପିରେ ମିଶିଯାଆନ୍ତି, ତାହେଲେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିଯିବ।

ବର୍ତ୍ତମାନ ବିଜେଡ଼ିର ଚାରିଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଦସ୍ୟଥିବା ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଦେବ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ସ୍ଥାନ ପୂରଣ ଲାଗି ଯଥାଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଜଣ ରାଜ୍ୟସଭା ସଦସ୍ୟଙ୍କୁ ସହଜରେ ନିର୍ବାଚିତ କରିପାରିବ। ଚତୁର୍ଥ ସଦସ୍ୟ ନିର୍ବାଚିତ କରାଇବାକୁ ହେଲେ ବିଜେଡ଼ିକୁ ଆଉ ୮ ଜଣ ବାହାର ସଦସ୍ୟଙ୍କ ସମର୍ଥନ ନିହାତି ଜରୁରୀ। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୯ଜଣ, ସିପିଆଇଏମ ଓ ସ୍ଵାଧୀନର ଜଣେ ଲେଖାଏଁ ସଦସ୍ୟ ନିର୍ଣ୍ଣାୟକ ଭୂମିକା ନେବେ। ତେବେ କଂଗ୍ରେସ ବିଧାୟକ ଦଳକୁ ଭାଙ୍ଗି ସବୁଦିନ ଲାଗି ନିଜର ପକ୍ଷ ମଜବୁତ କରିବାକୁ ଏବେ ବିଜେଡି ଓ ବିଜେପି ଉଦ୍ୟମ ଆରମ୍ଭ କରିଛନ୍ତି।

କଂଗ୍ରେସକୁ ବିଭିନ୍ନ ରାଜ୍ୟରେ ଭାଙ୍ଗିବା ଲାଗି ବିଜେପି ତରଫରୁ ଗତ କିଛି ମାସ ହେଲା ଉଦ୍ୟମ ଜାରି ରହିଛି। ଗୋଆ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଅନେକ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଉଛନ୍ତି। ପଶ୍ଚିମବଙ୍ଗରେ କିଛି ତୃଣମୂଳ ଓ ବାମପନ୍ଥୀ ବିଧାୟକଙ୍କୁ ବିଜେପି ନିଜ ଶିବିରକୁ ଆଣିପାରିଛି। ତେଲେଙ୍ଗାନାରେ ୧୨ ଜଣ କଂଗ୍ରେସ ବିଧାୟକ ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି। ସାରା ଦେଶରେ କଂଗ୍ରେସ ବିଧାୟକଙ୍କ ଦଳ ଡିଆଁ ଚାଲିଥିବା ବେଳେ ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡିବ। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାପରେ ଏବେ ଜାତୀୟ ସ୍ତରରେ କଂଗ୍ରେସ ଏକ ପ୍ରକାର ଦିଶାଶୂନ୍ୟ ଅବସ୍ଥାରେ ପହଞ୍ଚିଛି। ଏପରିକି ଦଳ ସରକାର ଥିବା ପଞ୍ଜାବ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକମାନେ ସ୍ଥାନୀୟ ନେତୃତ୍ଵ ବିରୋଧରେ ମେଳି ବାନ୍ଧି ବିଜେପିର ଏଜେଣ୍ଡାକୁ ଆଗକୁ ବଢାଉଛନ୍ତି।

ଓଡିଶାରେ ନବ ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କୁ ବାନ୍ଧି ରଖିବାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି କେତେଦୂର ସକ୍ଷମ ହେବେ, ତାହା ସମୟ କହିବ। ତେବେ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ନିଜ ଛୋଟିଆ ବିଧାୟକ ଦଳକୁ ଯେ ବଞ୍ଚାଇ ପାରିବ ସେ ଭରସା ଆଉ ନାହିଁ। ଉଭୟ ବିଜେଡି ଓ ବିଜେପି ଶିବିରରୁ ଏମାନଙ୍କୁ ନିଜ ପକ୍ଷକୁ ଟାଣିବା ଲାଗି ସୁଚିନ୍ତିତ ରଣନୀତି ରହିଛି। ଟଙ୍କା ଥଳି ସହିତ ପଦବୀର ପ୍ରଲୋଭନ ରହିଛି। କଂଗ୍ରେସ ଭିତରେ ରହି ମାଟି କାମୁଡି ପଡି ରହିବା ଅପେକ୍ଷା ମଉକା ଦେଖି ଚଉକା ମାରିବାକୁ କିଛି କଂଗ୍ରେସ ବିଧାୟକ ଚାହୁଁଛନ୍ତି। କଂଗ୍ରେସରେ ରହିଲେ ନିଜର ରାଜନୈତିକ ଭବିଷ୍ୟତ ଅନ୍ଧାର ବୋଲି ଏବେ ଏକ ସ୍ପଷ୍ଟ ଧାରଣା କଂଗ୍ରେସ ନେତାମାନଙ୍କର ହେଲାଣି। ଗୋଷ୍ଠୀ କନ୍ଦଳ ଓ ଗୋଡ ଟଣାଟଣି ରାଜନୀତି ରୁ କଂଗ୍ରେସକୁ ମୁକ୍ତି ମିଳୁନାହିଁ। କେନ୍ଦ୍ର ଓ ରାଜ୍ୟରେ କ୍ଷମତାଠୁ ଦୀର୍ଘ ବର୍ଷ ଦୂରରେ ରହି କଂଗ୍ରେସର ମନୋବଳ ଭାଙ୍ଗି ଯାଇଛି। କ୍ଷମତା ଲାଗି ଛଟପଟ ଅନେକ କଂଗ୍ରେସ ବିଧାୟକ ଏବେ ଆଉ ଦଳରେ ରହି ନିଜର ଶକ୍ତି ଓ ସାମର୍ଥ୍ୟ ଅପଚୟ କରିବାକୁ ଚାହୁଁନାହାନ୍ତି।

ସେହି ଦୃଷ୍ଟିରୁ ଆସନ୍ତା ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଦଳରେ ବିଭାଜନ ଲାଗି ଉଦ୍ୟମ ସଫଳ ହେବାର ଢେର ସମ୍ଭାବନା ରହିଛି।

Categories
ବିଶେଷ ଖବର

ଇତିହାସ ରଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଓଡିଶାବାସୀଙ୍କ ନବୀନଙ୍କୁ ଭଲ ପାଇବା ରହିଛି ଅତୁଟ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନେବେ ଶପଥ

ସମୀକ୍ଷା ବ୍ୟୁରୋ

ପୁଣି ଥରେ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବର୍ତ୍ତମାନ ଯାହା ଫଳାଫଳ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ, ନବୀନଙ୍କ ନେତୃତ୍ବକୁ ବର୍ତ୍ତମାନ ସୁଦ୍ଧା ଓଡିଶାର ଲୋକେ ସମର୍ଥନ କରିଛନ୍ତି। ୧୪୬ଟି ଆସନରୁ ବର୍ତ୍ତମାନ ବିଜେଡି ଶହେରୁ ଅଧିକ ଆସନ ଅକ୍ତିଆର କରିଛି। ସଂପୂର୍ଣ୍ଣ ଫଳାଫଳ ଆସି ନ ଥିଲେ ମଧ୍ୟ ବର୍ତ୍ତମାନ ବିଜେଡିକୁ ପ୍ରାୟ ୧୧୫ ଟି ଆସନ ମିଳୁଛି। ସେହିପରି ବିଜେପିକୁ ୨୩ଟି ଆସନ ମିଳିବାକୁଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୮ଟି ଆସନ। ତେବେ ଲୋକସଭାରେ ନବୀନଙ୍କୁ ସମାନ୍ୟ ଝଟକ୍କା ଲାଗିଛି। କାରଣ ଏଥର ବିଜେପି ପ୍ରାୟ ୫ଟି ଆସନରେ ଜିତିବାକୁ ଯାଉଛି। ୨୦୧୪ ମସିହାରେ ବିଜେପିର ଏକମାତ୍ର ପ୍ରାର୍ଥୀ ଜୁଏଲ ଓରାମ ସୁନ୍ଦରଗଡରୁ ଜିତି ଦଳର ଇଜ୍ଜତ ରଖିଥିଲେ। ଏଥର ନିର୍ବାଚନରେ ବିଜେପି ପୂର୍ବ ଅପେକ୍ଷା ବେଶ ଭଲ କରିଛି।

ତେବେ ଏହି ନିର୍ବାଚନରେ ଦୁଇଟି ବଡ କଥା ଦେଖିବାକୁ ମିଳିଛି। ତାହା ହେଲା ସାରା ଭାରତରେ ମୋଦୀ ଶାହା ଟିମ ଭଲ ପ୍ରଦର୍ଶନ କରିଥିବା ବେଳେ ତାହା ଓଡିଶାରେ କାମ ଦେଇ ନାହିଁ। ଦ୍ବିତୀୟ କଥା ହେଲା ଯେ, ଏଥର କଂଗ୍ରେସ ପାଇଁ ଏକ ଭଲ ସୁଯୋଗ ଥିଲେ ମଧ୍ୟ ତାହା ସେମାନେ ହାସଲ କରିବାରେ ସଫଳ ହେଲେ ନାହିଁ। ଆଶ୍ଚର୍ଯ୍ୟର କଥା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଛିଡା ହୋଇଥିବା ଦୁଇଟି ଆସନରେ ତାଙ୍କର ନିକଟତମ ପ୍ରାର୍ଥୀଙ୍କଠାରୁ ପଛରେ ଅଛନ୍ତି। ସେହିପରି ବାଲେଶ୍ବର ଲୋକସଭାରୁ ପ୍ରାର୍ଥୀ ହୋଇଥିବା ତାଙ୍କର ପୁତ୍ର ନବଜ୍ୟୋତି ପଟ୍ଟନାୟକ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ଲୋକସଭାରେ ୨୦୧୪ରେ କୌଣସି ପ୍ରାର୍ଥୀ ପଠାଇବାରେ ସମର୍ଥ ହୋଇ ନ ଥିବା ବେଳେ ଏଥର ମଧ୍ୟ ସେହି ଅବସ୍ଥା ହୋଇଛି। ସେହିପରି ବିଧାନସଭାରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିପାରି ନାହିଁ। ପୂର୍ବ ଅପେକ୍ଷା ଏଥର ସିଟ ସଂଖ୍ୟା ହ୍ରାସ ପାଇଛି। ଏପରିକି ବିରୋଧୀ ଦଳର ଭୂମିକାରେ ମଧ୍ୟ ଏଥର କଂଗ୍ରେସ ଆସିପାରିବ ନାହିଁ। ଗତଥର କଂଗ୍ରେସ ୧୬ଟି ଆସନ ପାଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଅଧାକୁ ଖସିବାକୁ ଯାଉଛି। ଏହି ନିର୍ବାଚନ କଂଗ୍ରେସକୁ ଧରାଶାୟୀ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଫାଇଦା ମିଳିଛି। କାରଣ ବିଜେପି ଏଥର ବିଧାନସଭାରେ ବିରୋଧୀ ଦଳର ଭୂମିକା ନେଉଥିବା ବେଳେ ଲୋକସଭାରେ ମଧ୍ୟ ଆସନ ସଂଖ୍ୟା ବଢିଛି। ବିଧାନସଭାରେ ବିଜେପି ଏଥର ପ୍ରାୟ ୨୩ଟି ଆସନ ମିଳିବାକୁ ଯାଉଛି।  ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଓଡିଶାରେ ମୋଦୀଶାହା ଟିମ ଯେପରି ମାରଥନ ପ୍ରଚାର କରିଥିଲେ, ସେହି ଅନୁସାରେ ଫଳ ମିଳିପାରିଲା ନାହିଁ। ନବୀନଙ୍କ କ୍ରେଜ ଆଗରେ ବିଜେପିର ଏହି ମାରଥନ ପ୍ରଚାର କୌଣସି କାମ କଲା ନାହିଁ। ବିଜେପି ମିଶନ ୧୨୦ ଅର୍ଥାତ ୧୪୭ଟି ଆସନରୁ ୧୨୦ଟି ଆସନ ହାସଲ କରିବ ବୋଲି ଲକ୍ଷ୍ୟ ରଖିଥିଲା। ତେବେ ମିଶନ ୧୨୦ ନୁହେଁ ମିଶନ ୨୦ ପ୍ଲସରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି। ଯେତେବେଳେ ଏଗଜିଟ ପୋଲ ଆସିଥିଲା ସେତେବେଳେ ମଧ୍ୟ ରାଜ୍ୟ ବିଜେପି ବାହାସ୍ଫୋଟ ମାରିଥିଲେ ଯେ, ଓଡିଶାରେ ବିଜେପି ଶାସନ କରିବ। ନବୀନଙ୍କୁ ଲୋକମାନେ ଏଥର ନିର୍ବାଚନରେ ପରିବର୍ତ୍ତନ କରିଦେଇଛନ୍ତି ବୋଲି ବିଜେପି କହିଆସୁଥିଲା। ବର୍ତ୍ତମାନ୨୦ପ୍ଲସରେ ବିଜେପିକୁ ସନ୍ତୁଷ୍ଠ ହେବାକୁ ପଡିଛି।

ଏହି ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା, ପୁରୀ ଏବଂ ଭୁବନେଶ୍ବର ଲୋକସଭାରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଜନମତ ମିଳିଛି। କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ୪୯ ହଜାର ଭୋଟ ପଛରେ ଅଛନ୍ତି। ସେହିପରି ପୁରୀରେ ମଧ୍ୟ ପିନାକୀ ମିଶ୍ର ଖୁବ କମ ଭୋଟରେ ଆଗୁଆ ଅଛନ୍ତି। ହେଲେ ଭୁବନେଶ୍ବର ଲୋକସଭାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କଠାରୁ ମଧ୍ୟ ଢେର ଅଧିକ ଭୋଟରେ ଆଗୁଆ ଅଛନ୍ତି।

Categories
ବିଶେଷ ଖବର

କେନ୍ଦ୍ରାପଡା, ନିର୍ବାଚନର ଅନ୍ତିମ ସମୟରେ ଭୟ ଓ ଆଶଙ୍କାର ଅବାସ୍ତବ ରାଜନୀତି

ସମୀକ୍ଷା ବ୍ୟୁରୋ

ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?

ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।

ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?

ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !

(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)

Categories
ବିଶେଷ ଖବର

କେନ୍ଦ୍ରାପଡା ନିର୍ବାଚନର ଆଚମ୍ବିତ ସମୀକରଣ; କଂଗ୍ରେସ ବିଜେପି ଭାଇ ଭାଇ

କେଦାର ମିଶ୍ର

ତୃତୀୟ ପର୍ୟାୟ ନିର୍ବାଚନ ସରିଗଲା ପରେ ଏବେ ସାରା ରାଜ୍ୟର ଓ କିଛିକାଂଶରେ ପୂରା ଦେଶର ନଜର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଉପରେ ରହିଛି। ଏକଦା ଘନିଷ୍ଠ ବନ୍ଧୁ ଓ ଏବେ ପରଷ୍ପରର ପ୍ରବଳ ଶତ୍ରୁ ପାଲଟିଥିବା ବୈଜୟନ୍ତ ପଣ୍ଡା ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରାର ସଂଘର୍ଷ ଏଠାରେ ଦେଖିବାକୁ ମିଳୁଛି। ଅନେକ ସମୟରେ ଆମକୁ ଏ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି- କେନ୍ଦ୍ରାପଡାରେ କିଏ ଜିତିବ? ସତେକି କେନ୍ଦ୍ରାପଡା ଏବେ ପୂରା ଓଡିଶାର ପ୍ରତୀକ ପାଲଟି ଯାଇଛି। ସାରା ରାଜ୍ୟ କେନ୍ଦ୍ରାପଡା ବିଷୟରେ ଯାହା ଭାବୁଛି, କେନ୍ଦ୍ରାପଡା ନିଜ ବିଷୟରେ ସେୟା ଭାବୁଛି କି? ଆମେ ସାଲେପୁରରେ ପହଞ୍ଚିବା ଆଗରୁ ଜଣେ ବାଟୋଇଙ୍କୁ ଏକଥା ପଚାରିଥିଲୁ। ତାଙ୍କର ଉତ୍ତର ଥିଲା- ମୁହଁ ବଦଳିଛି, ହେଲେ ଚିହ୍ନ ବଦଳିନାହିଁ, ତେଣୁ ଇଏ ଆଉ ଅନେକ ନିର୍ବାଚନ ପରି ନୂଆ ଏକ ନିର୍ବାଚନ। ଏକଥାର ଯାହା ଅର୍ଥ କରିବେ ଆପଣମାନେ କରନ୍ତୁ। ହେଲେ କେନ୍ଦ୍ରାପଡା କୁ ଜାଣିବାଲାଗି ଓ ଭୋଟରଙ୍କ ମନୋଭାବ ବୁଝିବାଲାଗି ଗୋଟେ ବଡ ସଙ୍କେତ ଆମକୁ ସେଇଠି ମିଳିଗଲା।

ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡା, ରାଜନଗର ଓ ଆଳି ଏମିତି ପାଞ୍ଚୋଟି ବିଧାନସଭା କ୍ଷେତ୍ର ବୁଲିବାର ସମୟ ଆମ ପାଖରେ ଥିଲା। ପାଟକୁରା ଓ ମହାକାଳପଡା ଆମେ ଯାଇପାରିଲୁ ନାହିଁ। ସବୁଠାରେ ଭୋଟରଙ୍କ ମୁହଁ ରେ ଗୋଟେ କଥା- କଡା ଟକ୍କର ହେବ। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଭିତରୁ ଯିଏ ବି ଜିତିବ, ତାଙ୍କ ପାଇଁ ବିଜୟ ଆଦୌ ସହଜ ନୁହେଁ। ଏକଦା ବିଜେଡ଼ିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା କେନ୍ଦ୍ରାପଡାରେ ବୈଜୟନ୍ତ ବିଜେଡି ଲାଗି ଏକ ମୁକାବିଲା ପରିସ୍ଥିତି ସୃଷ୍ଟି କରିଛନ୍ତି, ଯେଉଁଥିରେ ବିଜେଡ଼ିକୁ ନିଜର ସବୁ ଶକ୍ତି ଏଠାରେ ଖଟାଇବାକୁ ବାଧ୍ୟ କରିଛି।

ଭୋଟରଙ୍କ ମନୋଭାବରୁ ବିଲକୁଲ କହି ହେଉନାହିଁ ଯେ, ଏଠାରେ କାହା ସପକ୍ଷରେ ହାୱା ବୋହୁଛି। ବୈଜୟନ୍ତ ଭୋଟରଙ୍କ ପାଇଁ ବ୍ୟକ୍ତି ଭାବରେ ଚର୍ଚ୍ଚିତ, ହେଲେ ବିଜେପି କୁ ନେଇ ସେଠାରେ କୌଣସି ବିଶେଷ ଆଗ୍ରହ ନାଇଁ। ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରାପଡା ସଭା ପରଦିନ ଆମେ ପଚାରି ବୁଝୁଥିଲୁ ଯେ, କେନ୍ଦ୍ରାପଡା ନିଜର ରଙ୍ଗ ଗେରୁଆ କରିବାକୁ ଚାହେଁ କି? ଏହାର ସିଧାସଳଖ ଉତ୍ତର ହେଉଛି, ଏଠି ପ୍ରାର୍ଥୀ ଭଲଲୋକ, ହେଲେ ଦଳ ପସନ୍ଦ ନୁହେଁ। କେନ୍ଦ୍ରାପଡାର ଯେଉଁମାନେ ମୂଳ ବିଜେପି ଓ ସଂଘ ସଦସ୍ୟ ସେମାନେ ବୈଜୟନ୍ତଙ୍କ ପାଇଁ ଉଦାସୀନ ବା ନୀରବ। ବୈଜୟନ୍ତଙ୍କ ପ୍ରଚାର କିନ୍ତୁ ଭଲ ଜମୁଛି। ବୈଜୟନ୍ତଙ୍କ ସମର୍ଥକ ଓ ପ୍ରଶଂସକ ତାହେଲେ କିଏ? ବିଜେଡ଼ିର ଅଳ୍ପ କିଛି ଅସନ୍ତୁଷ୍ଟ ନେତା ଅଛନ୍ତି, ଯେଉଁ ମାନେ ତାଙ୍କର ସମର୍ଥକ। ତେବେ ସବୁଠୁ ବଡ ବୈଜୟନ୍ତ ସମର୍ଥକ ଏବେ ଏକ ଆଚମ୍ବିତ ଗୋଷ୍ଠୀରୁ ଆସିଛନ୍ତି। କଂଗ୍ରେସ ଦଳର ପ୍ରାୟ ନବେ ଭାଗ ସମର୍ଥକ ଏବେ ବୈଜୟନ୍ତଙ୍କ ପତାକା ଧରି ବୁଲୁଛନ୍ତି। ସାଲେପୁର କଂଗ୍ରେସ ବିଧାୟକ ତ ସହଜେ ବିଜେପିରେ ଅଛନ୍ତି, ହେଲେ ସେଠିକାର କଂଗ୍ରେସ ପ୍ରାର୍ଥୀ ମଧ୍ୟ ବୈଜୟନ୍ତଙ୍କୁ ଭିତିରି ସମର୍ଥନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଆଳି ବଜାରରେ ଆମକୁ ଜଣେ କଂଗ୍ରେସ କର୍ମୀ କହିଥିଲେ- ଆମ ପରିବାର ଦେବଶର୍ମାଙ୍କ ସମର୍ଥକ କିନ୍ତୁ ମୋ ଝିଅ ବୈଜୟନ୍ତଙ୍କ ଲାଗି ପ୍ରଚାର କରୁଛି। ଆମେ ବିଧାୟକଙ୍କୁ ହାତରେ ଓ ସାଂସଦଙ୍କୁ ଫୁଲରେ ଭୋଟ ଦେବୁ। ଗତ ଥର କଂଗ୍ରେସ ପାଖାପାଖି ଚାରି ଲକ୍ଷ ଭୋଟ ଏଠାରୁ ପାଇଥିଲା, ଏଥର ତାର ଅଧା ଭୋଟ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମିଳିବାର ସମ୍ଭାବନା ନାହିଁ। ଧରଣୀବାବୁଙ୍କ ପ୍ରଚାର ଏବେ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଛି। ଆଳି, ରାଜନଗର, କେନ୍ଦ୍ରାପଡା ଓ ସାଲେପୁରର ଏକ ବଡ କଂଗ୍ରେସ ଭୋଟ ଅଂଶ ବୈଜୟନ୍ତଙ୍କ ପାଖକୁ ଯିବ। ସାରା ଦେଶରେ କଂଗ୍ରେସ ଓ ବିଜେପି ଭିତରେ  ଅହି ନକୁଳ ସମ୍ପର୍କ ରଖିଥିବା ବେଳେ, କେନ୍ଦ୍ରାପଡାରେ ଏମାନେ ଭାଇ ଭାଇ ହୋଇ ଲଢୁଛନ୍ତି। ଗତ ନିର୍ବାଚନରେ ଆଳି, ରାଜନଗର ତଥା ସାଲେପୁର ଆସନ କଂଗ୍ରେସ ହାତକୁ ଯାଇଥିଲା। ଏଥର କେବଳ ରାଜନଗର ଆସନରେ କଂଗ୍ରେସ ସ୍ଥିତି ସାମାନ୍ୟ ଭଲ ରହିଛି। ତେବେ ସବୁ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଭୋଟ ବୈଜୟନ୍ତଙ୍କ ପାଖକୁ ଯେମିତି ଆସେ, ସେମିତି ଏକ “ଡିଲ” ହୋଇଛି ବୋଲି ଅନେକ କଂଗ୍ରେସ ସମର୍ଥକ ଖୋଲାଖୋଲି ସ୍ଵୀକାର କରିଛନ୍ତି।

କେନ୍ଦ୍ରାପଡାରେ କଂଗ୍ରେସ, ବିଜେପି ଓ ଅସନ୍ତୁଷ୍ଟ ବିଜେଡି ମିଶି ଏକ ଶକ୍ତିଶାଳୀ ବିଜେଡି ବିରୋଧୀ ଭୋଟବ୍ୟାଙ୍କ ହୁଏତ ତିଆରି ହୋଇଥାଇପାରେ। ଏହା ବିଜେଡ଼ିର ଦୁର୍ଗ ପତନରେ ସାହାଯ୍ୟ କରିବ କି? ଲୋକଙ୍କ ମତରେ ଆଜି ମଧ୍ୟ ମହାକାଳପଡା, ଆଳି ଓ ମାହାଙ୍ଗାରେ ବିଜେଡ଼ିର ବିଧାୟକମାନେ ଜିତିବା ସ୍ଥିତିରେ ଅଛନ୍ତି। କେନ୍ଦ୍ରାପଡା ଓ ରାଜନଗରରେ କଂଗ୍ରେସ ଓ ବିଜେଡି ଭିତରେ କଡା ମୁକାବିଲା ରହିଛି। କେବଳ ପାଟକୁରାରେ ବିଜେପି ଆଗୁଆ ରହିଛି, ଯାହାର ମୁଖ୍ୟ କାରଣ ବିଜୟ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ। ପାଟକୁରା ଓ ସାଲେପୁର ବ୍ୟତୀତ ବାକି ସବୁ ଆସନରେ ବିଜେପି ତୃତୀୟ ସ୍ଥାନରେ ରହିଛି। ସେହି ଦୃଷ୍ଟିରୁ ପାଞ୍ଚଟି ରୁ ଅତିକମରେ ତିନୋଟି ବିଧାନସଭା ଆସନରେ କଂଗ୍ରେସ ଭୋଟ ସମୂଳେ ବୈଜୟନ୍ତଙ୍କ ଖାତାକୁ ଯାଇପାରିବ କି? ଯଦି ତାହା ସମ୍ଭବ ହୁଏ, ତାହେଲେ କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବାର ସମ୍ଭାବନା ସୃଷ୍ଟି ହେବ, ନଚେତ ଆଜି ମଧ୍ୟ ବିଜେଡି ଲାଗି କେନ୍ଦ୍ରାପଡା ବିଜୟର ବାର୍ତ୍ତା ଦେବ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢି ଚାଲନ୍ତୁ ଖବର ପରେ ଖବର )

Categories
ବିଶେଷ ଖବର ମତାମତ

ଆସ୍କା ରେ ପରୀ ମାଁ ଓ ସାଧାରଣ ମଣିଷର ଅସାଧାରଣ ନିର୍ବାଚନ , ବିଜେଡି ଲାଗି ସବୁଠୁ ସହଜ ରଣକ୍ଷେତ୍ର

କେଦାର ମିଶ୍ର

ଓଡିଶାରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ଯାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ଲୋକସଭା ତଥା ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆସନ୍ତା ୧୮ ତାରିଖରେ ହେବ। ପ୍ରଥମ ପର୍ୟାୟ ନିର୍ବାଚନ ଶାସକ ବିଜେଡି ପାଇଁ ଏକପ୍ରକାର ଅଗ୍ନି ପରୀକ୍ଷା ଥିଲା। କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ବିଜେଡି କଡା ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି। ବିଧାନସଭା ପାଇଁ ବିଜେଡି ଭଲ ଫଳାଫଳ କରିଥିବାବେଳେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନରେ ବିଜେଡ଼ିକୁ ନାକେଦମ ହେବାକୁ ପଡିଛି। କୋରାପୁଟ ଆସନରେ ମଧ୍ୟ ବିଜେପିର ଅଭ୍ୟୁଦୟ ଅପ୍ରତ୍ୟାଶ୍ୟିତ ବୋଲି କୁହାଯାଇପାରେ। ତେବେ ଦ୍ଵିତୀୟ ପର୍ୟାୟରେ ଆସ୍କା ଓ କନ୍ଧମାଳ ଆସନ ବିଜେଡି ପାଇଁ ସବୁଠୁ ସହଜ ଆସନ ମନେ ହେଉଛି। ପାରମ୍ପରିକ ଭାବରେ ଆସ୍କା ବିଜୁ ଜନତା ଦଳର ଗଡ ରହି ଆସିଛି। ତେବେ ଏଥର ମିଶନ ଶକ୍ତିରୁ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିବାଟାକୁ ସାଧାରଣ ଭୋଟର ଉତ୍ସାହ ର ସହିତ ନେଇଥିବାବେଳେ ବିଜେଡି କର୍ମୀ ମହଲରେ ଏହାକୁ ନେଇ କିଛିଟା ଭିନ୍ନମତ ରହିଥିଲା।

ଆସ୍କାରେ ତ୍ରିମୁଖୀ ପ୍ରତିଯୋଗିତା ରହିଛି। କଂଗ୍ରେସ ସମର୍ଥନରେ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ବିଜେପି ପ୍ରାର୍ଥୀ ଅନୀତା ପ୍ରିୟଦର୍ଶିନୀ ଓ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କ ମଧ୍ୟରେ ତ୍ରିମୂଖୀ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଗତ ୬ ଟି ଯାକ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ଜିତି ଆସୁଛି। ୨୦୧୪ ରେ ଆସ୍କାର ୭ ଟି ଯାକ ଆସନ ଯଥା- ପୋଲସରା, ହିଂଜିଳି, ଆସ୍କା, କବିସୂର୍ୟ ନଗର, ଖଲ୍ଲିକୋଟ, ସୋରୋଡା ଓ ସାନ ଖେମଣ୍ଡିରେ ବିଜେଡି ବିଜୟ ଲାଭ କରିଥିଲା। ଆସ୍କା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁ ୫,୪୧,୪୭୩ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଲୋକନାଥ ରଥ ୨,୨୯,୪୭୬ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଥିଲା ୩ ଲକ୍ଷ ୧୧ ହଜାରରୁ ଅଧିକ। ଏହି ଆସନରେ ବିଜେପିକୁ ମାତ୍ର ୬୭,୩୬୧ ଖଣ୍ଡ ଭୋଟ ମିଳିଥିଲା। ତେବେ ଚଳିତ ନିର୍ବାଚନରେ ସମୀକରଣ ପୂରାପୂରି ଅଲଗା। ବହୁ ବର୍ଷ ପରେ ଏଠାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏକ ପ୍ରମୁଖ ଦାବୀଦାର ଭାବରେ ଛିଡା ହୋଇଛନ୍ତି। ଏକଦା ଆସ୍କା କମ୍ୟୁନିଷ୍ଟ ପାର୍ଟିର ଅଭେଦ୍ୟ ଦୁର୍ଗ ଥିଲା। ତେବେ ବ୍ୟାପକ ସଂଗଠନ ସତ୍ତ୍ୱେ ଏହି ଆସନରୁ ମାତ୍ର ଥରେ ସିପିଆଇ ପ୍ରାର୍ଥୀ ଦ୍ଵିତିକୃଷ୍ଣ ପଣ୍ଡା ୧୯୭୧ ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଏଥର ନିର୍ବାଚନରେ ହଠାତ ବିଜେପି ଆସ୍କା ଲୋକସଭା ଆସନରେ ଟିକେ ଅଧିକ ଶକ୍ତିଶାଳୀ ଲାଗୁଛି। ବିଜେଡ଼ିର ପୂର୍ବତନ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀ ଏଥର ବିଜେପି ଟିକଟରେ ଲଢୁଥିବାରୁ ତାଙ୍କ ପ୍ରତି ସହରୀ ମଧ୍ୟବିତ୍ତ ଭୋଟରଙ୍କ ଆଗ୍ରହ ବଢିଛି। ଯଦିଓ ଆସ୍କାରେ ବିଜେପିର ସଂଗଠନ ଅତ୍ୟନ୍ତ ଦୁର୍ବଳ, ତଥାପି ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରଭାବରୁ ଅନୀତା କିଛି ଅଧିକ ଭୋଟ ପାଇପାରନ୍ତି। ହିଂଜିଳି ର ଶେରଗଡ, ସାନ ଖେମଣ୍ଡି ବିଧାନସଭା କ୍ଷେତ୍ରରୁ କମ୍ୟୁନିଷ୍ଟ ପ୍ରାର୍ଥୀ ଅଧିକ ଭୋଟ ପାଇପାରନ୍ତି। ତେବେ ହିଂଜିଳି, କବିସୂର୍ୟ ନଗର, ସୋରୋଡା, ଖଲ୍ଲିକୋଟ ଇତ୍ୟାଦି କ୍ଷେତ୍ରରେ ବିଜେଡ଼ିର ପ୍ରଚଣ୍ଡ ପ୍ରଭାବ ରହିଛି। ଏଥର କବିସୂର୍ୟ ନଗର ଆସନରୁ ଭି.ସୁଜ୍ଞାନୀ କୁମାରୀ ଦେଓ ପ୍ରାର୍ଥୀ ହୋଇନଥିଲେ ମଧ୍ୟ ଉଭୟ ଖଲ୍ଲିକୋଟ ଓ କବିସୂର୍ୟ ନଗର ଆସନରେ ତାଙ୍କ ନାଁର ପ୍ରଭାବ ରହିଛି।

ସବୁଠୁ ବଡ କଥା ହେଉଛି ଆସ୍କା ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ। ପ୍ରଥମ ଥର ଲାଗି ନବୀନ ହିଂଜିଳି ଓ ବିଜେପୁରରୁ ନିର୍ବାଚନ ଲଢୁଥିଲେ ମଧ୍ୟ, ଆସ୍କାରେ ଆଜି ମଧ୍ୟ ନବୀନଙ୍କର ବିକଳ୍ପ କଥା ଲୋକେ ଚିନ୍ତା କରୁନାହାନ୍ତି। ଆସ୍କାର ଲୋକସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କୁ ନେଇ ପ୍ରାଥମିକ ଭାବରେ ଯେଉଁ ପ୍ରଶ୍ନବାଚୀ ଉଠୁଥିଲା, ଏବେ ସେଟା ମିଳେଇଗଲାଣି। ନିଜର ଭାଷଣ ଓ କଥାବାର୍ତ୍ତାରେ ପ୍ରମିଳା ନିଜର ନେତୃତ୍ବର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି। ତେବେ ବିଧାନସଭାରେ ଏଥର ବିଜେଡି ପାଇଁ ଆସ୍କା ଓ ସାନ ଖେମଣ୍ଡି ଆସନ ଜିଣିବା ସହଜ ହୋଇ ନପାରେ। ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କ ପ୍ରତି ବିଜେଡି କର୍ମୀଙ୍କ ଅସନ୍ତୋଷ ରହିଥିବା ବେଳେ ଖେମଣ୍ଡି ରେ କଂଗ୍ରେସ ପ୍ରତି ଲୋକ ସମର୍ଥନ ବାରି ହୋଇ ପଡୁଛି। ବିଜେଡି ଆସ୍କାର ସାତୋଟି ଯାକ ଆସନ ଏଥର ଜିଣିବା ସମ୍ଭବ ହୋଇନପାରେ।

ଆସ୍କା ଆସନ ଜିଣିବା ବିଜେଡି ଲାଗି ସବୁଠୁ ସହଜ କଥା ହୁଏତ ହୋଇପାରେ। କିନ୍ତୁ ଏଠାରେ ବିଜେପିର ଅଭ୍ୟୁଦୟ ଉଭୟ ବିଜେଡି ଓ କମ୍ୟୁନିଷ୍ଟମାନଙ୍କୁ ଚିନ୍ତିତ କରିବା ଉଚିତ। ଏକଦା ପ୍ରଗତିବାଦୀ ଆଂଦୋଳନର ମୁଖ୍ୟ ଆଧାର ଥିବା ଆସ୍କାରେ ଗୈରିକ ସମ୍ଭାବନା ସୃଷ୍ଟି ହେବା, ନିହାତି ଆଶ୍ଚର୍ୟଜନକ।

Categories
ବିଶେଷ ଖବର

ଦଳବଦଳ କରି ଅନାମଧେୟ ନେତା ରାତାରାତି ନାମଜାଦା ହେବା ପଛରେ ଗଣମାଧ୍ୟମର ଭୂମିକାକୁ ଆମେ ଷଡଯନ୍ତ୍ର ବୋଲି କହି ପାରିବା କି ?

କେଦାର ମିଶ୍ର

ଋଷଭ ନନ୍ଦ କିଏ?

ପ୍ରମୋଦ ପଟ୍ଟନାୟକ କିଏ?

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ରାଜନୈତିକ ପ୍ରଭାବ କଣ? ଗତ କିଛିଦିନ ହେଲା ଏମିତି କିଛି ନାଁକୁ ନେଇ ଆମ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ଯେଉଁମାନେ ସପ୍ତାହେ ତଳେ ପ୍ରାୟ ଅପରିଚିତ ଥିଲେ। ହଠାତ ଅନାମଧେୟମାନେ ନାମଜାଦା ହେବାର କାରଣ କଣ? ଦଳ ବଦଳକାରୀଙ୍କୁ ଗୋଟେ ସମୟରେ ଭାରତର ଗଣମାଧ୍ୟମ ପ୍ରଚୁର ସମାଲୋଚନା କରୁଥିଲା। ଏକଦା ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ଦଳବଦଳ ପ୍ରକ୍ରିୟାକୁ କଟାକ୍ଷ କରି “ଆୟାରାମ ଗୟାରାମ’ ଶବ୍ଦ ସୃଷ୍ଟି ହୋଇଥିଲା। ଏବେ କିନ୍ତୁ ସମୟ ବଦଳିଛି। ଦଳ ବଦଳକାରୀଙ୍କୁ ହିରୋ ବୋଲି ଦେଖାଇବାରେ ଆମେ ଆନନ୍ଦ ପାଉଛୁ। ନିର୍ବାଚନ ସମୟରେ ଟିକଟ ନପାଇ ଯେଉଁମାନେ ଦଳ ଛାଡନ୍ତି ସେମାନଙ୍କୁ ସବୁଠୁ ଦୁର୍ବଳ ନେତା ବୋଲି ବିବେଚନା କରାଯାଉଥିଲା। ଏବେ ସେମାନେ ସବୁଠୁ ଶକ୍ତିଶାଳୀ ହିରୋ। ଆଗରୁ ଲୋକ ସମର୍ଥନ ଥିବା ସତ୍ତ୍ୱେ ଯଦି ଦଳ ଟିକଟ ଦେଉନଥିଲା, ତାହେଲେ ସଂପୃକ୍ତ ନେତା ସ୍ଵାଧୀନ ଭାବରେ ନିର୍ବାଚନ ଲଢି ନିଜର ପତିଆରା ପ୍ରଦର୍ଶନ କରୁଥିଲେ।

ଗତ ଚାରୋଟି ବିଧାନସଭାର ବିଜୟୀ ସଦସ୍ୟଙ୍କ ତାଲିକା ଦେଖିଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ, ସ୍ଵାଧୀନ ଭାବରେ ନିର୍ବାଚନ ଲଢି ସଫଳ ହେଉଥିବା ନେତାଙ୍କ ସଂଖ୍ୟା ଏବେ ଯଥେଷ୍ଟ କମ। ଗତ ବିଧାନସଭାରେ କେବଳ ଜର୍ଜ ତିର୍କୀଙ୍କୁ ବାଦ ଦେଲେ ଅନ୍ୟ କୌଣସି ସ୍ଵାଧୀନ ସଦସ୍ୟ ଜିତି ନଥିଲେ। ୧୯୯୦ରେ ପ୍ରଚଣ୍ଡ ବିଜୁ ପଟ୍ଟନାୟକ ହାୱା ସତ୍ତ୍ୱେ ପଂଚାନନ ମିଶ୍ର ନାମକ ଜଣେ ଯୁବକ ବିନିକା ବିଧାନସଭା ଆସନରୁ ସେତେବେଳେ ଅଶି ହଜାରରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଆସିଥିଲେ। ସ୍ଵାଧୀନ ଭାବରେ ଲଢିକି ହେଉ ବା ଅତି ଛୋଟ ରାଜନୈତିକ ଦଳର ପ୍ରତିନିଧି ଭାବରେ ଏକଦା ଓଡିଶାରୁ ଗୋଟେ ବଡ ରାଜନୈତିକ ଶକ୍ତି ଉଭା ହେଉଥିଲେ। ସାମ୍ୟବାଦୀ ନେତା ପ୍ରସନ୍ନ କୁମାର ପଣ୍ଡା, ବାଳଗୋପାଳ ମିଶ୍ର, ଅରୁଣ ଦେ, ଶମ୍ଭୁନାଥ ନାୟକ, ରାଧାକାନ୍ତ ସେଠି, ଜର୍ଜ ତିର୍କୀଙ୍କ ଭଳି ନିଜ ଦମ୍ଭରେ ନିର୍ବାଚନ ଲଢି ଜିତିପାରିବାର ତାକତ ଥିବା ନେତା ଏବେ ଆଉ ଆମ ପାଖରେ ନାହାନ୍ତି। ଏହାର କାରଣ ଦୁଇ ପ୍ରକାର। ପ୍ରଥମତଃ ବର୍ତ୍ତମାନ ସମୟରେ ନିର୍ବାଚନ ଖର୍ଚ୍ଚ ବହୁ ପରିମାଣରେ ବଢି ଯାଇଛି, ଯାହାକୁ ଜଣେ ସାଧାରଣ ରାଜନେତା ବହନ କରିପାରିବ ନାହିଁ। ଦ୍ବିତୀୟରେ ଲୋକଙ୍କୁ ସଂଗଠିତ କରି ରାଜନୈତିକ ଆଧାର ସୃଷ୍ଟି କରିବା ଭଳି ଶକ୍ତି ନୂଆ ପ୍ରଜନ୍ମର ରାଜନେତାଙ୍କ ପାଖରେ ନାହିଁ। ସମସ୍ତେ ଏଠି ହାୱା ସହିତ ବହି ଯିବାକୁ ପ୍ରସ୍ତୁତ। ତେଣୁ ରାଜନୀତିରେ ଜଣେ ନବୀନ ପଟ୍ଟନାୟକକି ନରେନ୍ଦ୍ର ମୋଦୀ କି ରାହୁଲ ଗାନ୍ଧୀଙ୍କ ଛାଇରେ ବାକି ସମସ୍ତେ ଲିଲିପୁଟ ହେବାକୁ ବାଧ୍ୟ।

ଏହି କ୍ରମରେ ଏବେ ପ୍ରତିଦିନ ଶହ ଶହ ଲିଲିପୁଟ ଆମ ଗଣମାଧ୍ୟମରେ ନିଜର ଖେଳ କସରତ ଦେଖାଉଛନ୍ତି। ଏ ପ୍ରକାର ଲିଲିପୁଟ ସବୁ ଦଳରେ ଅଛନ୍ତି। ଏଇ ଲିଲିପୁଟମାନେ ମଧ୍ୟ ଦୁଇ ପ୍ରକାର ଉତ୍ସରୁ ଆସିଥାନ୍ତି। ଗୋଟେ ଦଳରେ ଥାଇ ଏମାନେ ଯେତେବେଳେ ସେ ଦଳ ଭିତରେ ଅପ୍ରାସଙ୍ଗିକ ହୋଇ ପଡନ୍ତି, ସେତେବେଳେ ତାଙ୍କର ବିବେକ ହଠାତ ଜାଗ୍ରତ ହୁଏ ଓ ଦଳର ନେତାଙ୍କୁ ଗାଳି କରି ସେମାନେ ଦଳ ଛାଡନ୍ତି। ଆଉ ଦଳେ ଅଛନ୍ତି, ଯେଉଁମାନଙ୍କର ଏକମାତ୍ର ପରିଚୟ ହେଉଛି, ସେମାନେ କାହାର ଗୋଟେ ପୁଅ, ଝିଅ, ଭାଇ, ପୁତୁରା, ସ୍ତ୍ରୀ କିମ୍ବା ସମ୍ପର୍କୀୟ। ଟିକଟ ବଣ୍ଟନ ବେଳେ ଆମେ ଦାମୋଦର ରାଉତଙ୍କ ପୁଅ ଓ ଝିଅ, ଯୋଗେନ୍ଦ୍ର ବେହେରା, ଅନଙ୍ଗ ଉଦୟ ସିଂ ଦେଓ, ପ୍ରଶାନ୍ତ ନନ୍ଦ ପ୍ରମୁଖଙ୍କ ପୁଅଇତ୍ୟାଦିଙ୍କ ବିଷୟରେ ବହୁତ ଚର୍ଚ୍ଚା କରୁଛେ। ଏ ପ୍ରକାର ପରାଙ୍ଗପୁଷ୍ଟଙ୍କ ବିଷୟରେ ଗଣମାଧ୍ୟମ ଅଧିକରୁ ଅଧିକ ଜାଗା ଛାଡି ଦେଉଛି।

ସବୁଦଳ କେଉଁଠି ନା କେଉଁଠି ପାରିବାରିକ ରାଜନୀତି ବିରୋଧରେ କହୁଥିବାବେଳେ ସବୁ ଦଳ ଏବେ ପାରିବାରିକ ଜମିଦାରୀ ପାଲଟି ଯାଉଛନ୍ତି। ପରିବାରବାଦ ଓ ବ୍ୟକ୍ତି ରାଜନୀତି ବିରୋଧରେ ସବୁଠୁ ଅଧିକ ପ୍ରବଚନ ଦେଉଥିବା ଭାରତୀୟ ଜନତା ପାର୍ଟି ଏବେ ପୁଅ-ପୁତୁରାଙ୍କ ଦଳ ଭାବରେ ବେଶ ଅଗ୍ରଗତି କଲାଣି। ଏବେ ବିଜେଡି ଟିକଟରୁ ବଞ୍ଚିତ କେବଳ ଲୋକସଭା ବା ବିଧାନସଭା ସଦସ୍ୟ ନୁହନ୍ତି, ତାଙ୍କ ପରିବାର ଲୋକେ ମଧ୍ୟ ବିଜେପିରେ ଜାଗା ପାଇବେ। ଯେଉଁ ବିଜେଡି ନେତା ନିଜ ପୁଅ ଝିଅଙ୍କୁ ବିଜେଡିରେ ସଫଳ କରାଇପାରିଲେ ନାହିଁ,ସେମାନେ ବିଜେପିକୁ ନିଜ ପରିବାରକୁ ପଠାଇବେ। ସମାନ କଥା ବିଜେପିରେ କି କଂଗ୍ରେସରେ ମଧ୍ୟ ଘଟିବ। କେବଳ ଟିକେଟ ଆବଣ୍ଟନ ହଟ ଚମଟରୁ ଏ ପ୍ରକାର ପାରିବାରିକ ଓ ଅନାବଶ୍ୟକ ଭାଟଗିରି କରିବାରେ ଆମର ସମୟ ଯିବ।

ଏ ପ୍ରସଙ୍ଗରେ ଗଣମାଧ୍ୟମ ଯଦି ନିଜର ଆତ୍ମସମୀକ୍ଷା ନ କରିବ ତାହେଲେ ଲୋକ ଆମକୁ ଭାଟ ବା ଯୋକର ବୋଲି ଭାବିବାକୁ ବାଧ୍ୟ ହେବେ!

Categories
ବିଶେଷ ଖବର

ହଜାର ସଂଖ୍ୟାରେ ଟିକଟରୁ ବଞ୍ଚିତ ନେତା ଯିବେ କୁଆଡେ ? କେଉଁ ଦଳରେ ହଜାର ହଜାର ଟିକଟ ବଣ୍ଟାହେବାର ସମ୍ଭାବନା ଅଛି ?

କେଦାର ମିଶ୍ର

ବିଜେପିର ଆଭ୍ୟନ୍ତରୀଣ ଖବର ରଖୁଥିବା ଜଣେ ସାମ୍ବାଦିକଙ୍କ ସହ ଆଜି ସନ୍ଧ୍ୟାରେ ଦେଖାହେଲା। ତାଙ୍କ କହିବା ମୁତାବକ, ବିଜେପି ପାଇଁ ୨୦୧୯ ନିର୍ବାଚନରେ ସବୁଠୁ ବଡ ଶକ୍ତି ହେଉଛନ୍ତି, ବିଜେଡ଼ିରୁ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାମାନେ। ବିଜେଡି ଭିତରେ ଟିକଟ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ଯେ ସେଥିରୁ ହଜାର ହଜାର ସଂଖ୍ୟାରେ ଅସନ୍ତୁଷ୍ଟ ହେବାର ସମ୍ଭାବନା ସର୍ବାଧିକ। ମାତ୍ର ୧୪୭ ବିଧାନସଭା ଓ ୨୧ ବିଧାନସଭା ଲାଗି କେବଳ ବିଜେଡିରେ ତିରିଶ ହଜାର ଆବେଦନକାରୀ ଅଛନ୍ତି ବୋଲି କୁହାଯାଉଛି। ଅର୍ଥାତ ପ୍ରତି ଆସନ ପିଛା କେବଳ ବିଜେଡି ଆଶାୟୀଙ୍କ ହାରାହାରି ସଂଖ୍ୟା ହେଉଛି ୧୭୮। ତିରିଶ ହଜାରରୁ ମାତ୍ର ୧୬୮ ଜଣ ଟିକଟ ପାଇବେ ଓ ବାକି ସବୁ ନିରାଶ ହେବେ।  ଏଇ ହତାଶ ଓ ନିରାଶ ନେତାମାନେ ବିଜେପି ପାଇଁ ସବୁଠୁ ବଡ ଶକ୍ତି ହେବାକୁ ଯାଉଛନ୍ତି ବୋଲି ବିଜେପି ଶିବିର ଏବେ ଆକଳନ କରୁଛି। କେବଳ ବିଜେଡ଼ିର ୨୯,୮୦୦ ନେତା ବିଜେଡ଼ିକୁ ଚାଲି ଆସିବେ ଓ ସେମାନେ ଆସିଲେ ବିଜେପିର ମିଶନ ୧୨୦ ସହଜ ହୋଇଯିବ ବୋଲି ବିଚାର ଚାଲିଛି। ତାହା ସହିତ କଂଗ୍ରେସ ରୁ ମଧ୍ୟ କିଛି ନେତା ଏବେ ବିଜେପିକୁ ଆସୁଛନ୍ତି। ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଛି। ଏହାର ଅର୍ଥ ହେଉଛି, ଏବେ ବିଜେପି ଅସନ୍ତୁଷ୍ଟ ଓ ଦଳବଦଳକାରୀ ନେତାମାନଙ୍କର ସବୁଠୁ ବଡ ଧର୍ମଶାଳା।

ତେବେ ବୁଝିବା ଲୋକ ବୁଝନ୍ତି ଯେ, ବିଜେପି ଧର୍ମଶାଳାରେ ମଧ୍ୟ କୋଠରି ସଂଖ୍ୟା ସେହି ୧୪୭+୨୧=୧୬୮। ହଜାର ସଂଖ୍ୟାର  ଯେଉଁ ଉଦବାସ୍ତୁ ନେତା ଆସିବେ ସେମାନେ କେବଳ ଟୋପି ପିନ୍ଧି ନାଚିବାକୁ ଆସିବେନି। କିଛି ନେତା ହୁଏତ ନିଜ ପୁରୁଣା ଦଳ ପ୍ରତି ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁଥିବେ। କିନ୍ତୁ ବଡ ଭାଗ ନେତାଙ୍କ ଏକମାତ୍ର ଆଶା ସେଇ ଟିକଟ ଖଣ୍ଡକ। ଏପଟେ ବିଜେପି ଭିତରେ ଆବେଦନକାରୀଙ୍କ ସଂଖ୍ୟା କିଛି କମ ନୁହେଁ। ବିଜେଡି ଅଫିସରେ ଯଦି ତିରିଶ ହଜାର ଦରଖାସ୍ତ ପଡିଛି, ବିଜେପି ଅଫିସରେ ବି ସେଇ ପନ୍ଦର କୋଡିଏ ହଜାର ଦରଖାସ୍ତ ଅଛି। ଏଥିରୁ ଯେଉଁ ହତାଶ ଓ ଅସନ୍ତୁଷ୍ଟ ବାହାରିବେ ସେମାନେ ତ ପୁଣି କେଉଁଠିକି ଯିବେ ନା! ବାସ, ଗଣିତ ଏଇଠି ଜଟିଳ।

ଦଳ ବଦଳକାରୀଙ୍କ ଭରସାରେ ଯେଉଁ ଦଳ ରହେ ସେ ନିର୍ବାଚନରେ ସବୁଠୁ ଦୁର୍ବଳ ଦଳ ବୋଲି ଭାବିବାକୁ ପଡିବ। ତେବେ ଏହାର ବ୍ୟତିକ୍ରମ ଭାବରେ କେହି କେହି ୨୦୧୪ ସାଧାରଣ ନିର୍ବାଚନ କଥା ଉଠାଇପାରନ୍ତି। ୨୦୧୪ ରେ କଂଗ୍ରେସର ପାଖାପାଖି ଶହେ ଜଣ ପୁରୁଣା ସାଂସଦ ବିଜେପିକୁ ଆସିଥିଲେ ଓ ସେମାନେ ଜିତିକରି ବିଜେପି ର ବଡ ସମ୍ପତ୍ତି ହୋଇଥିଲେ। ଏବେ ସେକଥା ଓଡିଶାରେ ଘଟିବ କି? ବିଜେଡି ଲୋକସଭା ଓ ବିଧାନସଭା ପାଇଁ ଯେହେତୁ ନୂଆ ମୁହଁ ଦେବାକୁ ବଦ୍ଧ ପରିକର, ସେହି କାରଣରୁ ବିଜେଡିରେ ବଡ ଧରଣର ଅସନ୍ତୋଷ ଆସିପାରେ। ହେଲେ ଏ ପ୍ରକାର ଅସନ୍ତୋଷକୁ ବିଜେଡି ମୁକାବିଲା କରିବାରେ ସବୁବେଳେ ସମର୍ଥ ରହି ଆସିଛି। ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ମୋଦୀ ହାୱା ଓ ପ୍ୟାରୀମୋହନ ମହାପାତ୍ରଙ୍କ ବ୍ରାହ୍ମାସ୍ତ୍ରକୁ ଏକା ସାଙ୍ଗରେ ମୁକାବିଲା କରିଥିଲା। ତେଣୁ ଆଜି, ତଥାକଥିତ ଦାମ-ବୈଜୟନ୍ତ ଆହ୍ଵାନ ଓ ବିଜେପିର ଉଗ୍ର ଜାତୀୟତାବାଦକୁ ଏକା ସାଙ୍ଗରେ ବିଜେଡି କେମିତି ସାମ୍ନା କରୁଛି, ତାହା ଦେଖିବା ପାଇଁ ଆମେ ସାମ୍ବାଦିକମାନେ ବେଶ ଉଦଗ୍ରୀବ।

ନିର୍ବାଚନ ଘୋଷଣା ହେବା ପରେ ଯେଉଁ ନେତାମାନେ ଦଳ ବଦଳ କରନ୍ତି, ସେମାନେ ଲୋକ ଚକ୍ଷୁରେ ଅପାରଗ ଓ ସେମାନେ ନିଜ ପୁରୁଣା ଦଳର ଉଚ୍ଚିଷ୍ଟ ଭାବରେ ବିବେଚିତ ହୁଅନ୍ତି। ଯେତେ ଟାଣୁଆ ନେତା ହେଲେ ମଧ୍ୟ ନୂଆ ଦଳରେ ପୁରୁଣା ଦଳର ନେତାଟି ଅଚିହ୍ନା ଓ ଅସ୍ପୃଶ୍ୟ ହୋଇ କିଛି ଦିନ ରହେ। ତୃଣମୂଳ ସ୍ତରରେ ଏ ସ୍ଥିତି ଆହୁରି ଗମ୍ଭୀର। ଦଳବଦଳକାରୀ ନେତାକୁ ନୂଆ ଦଳର କର୍ମୀ ପ୍ରତ୍ୟାଖ୍ୟାନ କରିବାର ବହୁ ଉଦାହରଣ ରହିଛି। ତେବେ ଦଳବଦଳକାରୀ ନେତାଙ୍କର ସ୍ତର ଯଦି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବଳଭଦ୍ର ମାଝୀ କିମ୍ବା ସୁକାନ୍ତ ନାୟକଙ୍କ ପରି ହୋଇଥାଏ, ସେଠି ପରିସ୍ଥିତି ଅଲଗା ହେବ କି? ଏହାର ଉତ୍ତରରେ ଆମେ କହିବୁ ଯେ, ଏ ସ୍ତରର ନେତା ନିଜ ନୂଆ ଦଳ ଲାଗି ସବୁଠୁ ବଡ ବୋଝ ହୋଇଥାନ୍ତି। ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କର୍ମକର୍ତ୍ତାମାନଙ୍କର ଏକ ବୈଠକର ଫଟୋ ବାହାରିଛି। ସେଥିରେ ବୈଜୟନ୍ତ ପଣ୍ଡା ହଠାତ କେନ୍ଦ୍ରୀୟ ଭୂମିକାରେ ଦୃଶ୍ୟମାନ ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣଠେସା ହୋଇ ବସିଛନ୍ତି। ନୂଆ ନେତାଙ୍କୁ ନେଇ ପୁରୁଣା ନେତାଙ୍କ ଅସୁରକ୍ଷାର ଭାବନା ଅନେକ ସଙ୍କଟ ସୃଷ୍ଟି କରିଥାଏ। ଏଇ ନିର୍ବାଚନରେ ବିଜେପି ଲାଗି ଅସନ୍ତୁଷ୍ଟ ବିଜେଡି ନେତାମାନେ ସବୁଠୁ ବଡ ବୋଝ ହେବାକୁ ଯାଉଛନ୍ତି। ଯେଉଁ ଅସନ୍ତୁଷ୍ଟ ବିଜେଡି ନେତାମାନେ ବୈଜୟନ୍ତ ଓ ଦାମଙ୍କ ମାର୍ଫତରେ ବିଜେପିକୁ ଆସିବେ, ସେମାନେ ବିଜେପିର ପୁରୁଣା ନେତାଙ୍କ ଲାଗି କଣ୍ଟା ହୋଇକି ରହିବେ। ତେଣୁ ଦଳବଦଳକାରୀଙ୍କ ଉପରେ ଆସ୍ଥା ରଖି ବିଜେପିର ନିର୍ବାଚନ ଜିତିବା ସ୍ଵପ୍ନ, କେବଳ ଆକାଶ କଇଆଁ ହୋଇ ରହି ନ ଯାଏ ଯେମିତି!!

Categories
ବିଶେଷ ଖବର

ବିଜେଡି ଓ ବିଜେପିର “ଡଷ୍ଟବିନ” ରାଜନୀତି; ନିର୍ବାଚନରେ କାହାକୁ କେତେ ଫାଇଦା ଦେବ ?

କେଦାର ମିଶ୍ର

ଏବେ ଲାଗୁଛି, ଓଡିଶାର ତିନୋଟିଯାକ ପ୍ରମୁଖ ରାଜନୈତିକ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ କାର୍ଯ୍ୟାଳୟ ଆଗରେ ଗୋଟେ ଗୋଟେ ସୁନ୍ଦର ଡଷ୍ଟବିନ ଥୋଇଛନ୍ତି। ନିଜ ଦଳ ଭିତରେ ଯେଉଁ ନେତାମାନେ ଅଳିଆ କରୁଛନ୍ତି ବୋଲି ଦଳ ବିଚାର କରୁଛି ସେମାନଙ୍କୁ ଡଷ୍ଟବିନ କୁ ଫୋପାଡି ଦିଆଯାଉଛି। ହେଲେ ସବୁଠୁ ମଜାର କଥା ହେଉଛି, ଏଇ ତିନୋଟି ଯାକ ଦଳ ନିଜ ନିଜର ଡଷ୍ଟବିନକୁ ପ୍ରତିଦିନ ଅଦଳ ବଦଳ କରି ଚାଲିଛନ୍ତି। ବିଜେଡ଼ିର ଅଳିଆ ଏବେ ଯାଇ ବିଜେପିରେ ହାଜର, ସେହିପରି ବିଜେପିର ଅଳିଆ ବିଜେଡି ଅଫିସ ରେ ସୁଶୋଭିତ। ଅବଶ୍ୟ ଏହା ଭିତରେ କଂଗ୍ରେସର ସ୍ଥିତି ଟିକେ ଭିନ୍ନ। ତାଙ୍କ ଦଳରେ ଅଳିଆ ବାହାରୁଛନ୍ତି ବହୁତ, ହେଲେ ଆସୁଛନ୍ତି କମ। କେନ୍ଦ୍ର ଓ ରାଜ୍ୟ ଶାସନରେ ଥିବା ହେତୁ ବିଜେପି ଓ ବିଜେଡିରେ ଲୋକଙ୍କ ଆଶା ଯେତିକି, ଆଶା ଭାଙ୍ଗିବାର କଷ୍ଟ ମଧ୍ୟ ସେତିକି ଅଧିକ।

ବର୍ତ୍ତମାନ ୧୯ ବର୍ଷ ଓଡିଶା ଶାସନରେ ରହି ଆସିଥିବା ବିଜେଡିରେ ନବ କଳେବର ଚାଲିଛି। ୨୦୧୯ ନିର୍ବାଚନରେ ଦଳ ନୂଆ ମୁହଁକୁ ନେଇ ନିର୍ବାଚନ ମଇଦାନକୁ ଯିବାପାଇଁ ଏକ ପ୍ରକାର ସ୍ଥିର କରି ସାରିଛି। ଲୋକସଭା ପାଇଁ ୩୩% ମହିଳା ପ୍ରାର୍ଥୀ ଓ ପୁରୁଣା ମୁହଁ ବଦଳାଇବାର ନୀତି ଯୋଗୁଁ ବିଜେଡ଼ିର ପୁରୁଣା ନେତାମାନେ ଏବେ ସ୍ଵାଭାବିକ ଭାବରେ ଅସନ୍ତୁଷ୍ଟ। ଅନେକ ଟିକେଟ ଆଶାୟୀ ଏବେ ଦଳ ଛାଡୁଛନ୍ତି। ଆଗରୁ ବିଜେଡି ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ପରି ପୁରୁଣା ନେତାଙ୍କୁ ବହିଷ୍କାର କରିସାରିଥିଲା। ଦଳରୁ ବହିଷ୍କୃତ ହେଲାପରେ ଏମାନେ କିଛି ଦିନ ଶହୀଦ ହେବାର ଅଭିନୟ କଲାପରେ ଏବେ ହଠାତ ବିଜେପିରେ ଯୋଗଦାନ କରିଛନ୍ତି। ଅର୍ଥାତ ବିଜେପିର ଡଷ୍ଟବିନରେ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାଙ୍କର ଭରପୂର ଭିଡ। ଆହୁରି ରୋଚକ କଥାହେଲା, ଏବେ ବିଜେପିର ମିଶ୍ରଣ ପର୍ବ ଓଡିଶାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଛି। ବୋଧହୁଏ, ବିଜେପି ଦିଲ୍ଲୀର ଗଣମାଧ୍ୟମକୁ କହିବାକୁ ଚାହୁଁଛି ଯେ ଓଡିଶା ଦଖଲ ଲାଗି ବିଜେପି ଏବେ ପୂରା ପ୍ରସ୍ତୁତ। ଦଳର ଟିକଟରୁ ବଞ୍ଚିତ ସାଂସଦ ବଳଭଦ୍ର ମାଝୀ ବିଜେଡି ଛାଡିଛନ୍ତି ଓ ତାଙ୍କ ଲାଗି ବିଜେପି ଦୁଆର ଖୋଲା ଅଛି ବୋଲି ଶୁଣା ଯାଉଛି। ସେହିପରି କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ମଧ୍ୟ ବିଜେପି ସହ ଯୋଗାଯୋଗରେ ଅଛନ୍ତି।

ଅପରପକ୍ଷରେ ବିଜେପିକୁ ଯାଉଥିବା ବିଜେଡି ନେତାଙ୍କୁ ଦେଖି ଏବେ ବିଜେପିର ପୁରୁଣା ନେତାମାନେ ପ୍ରମାଦ ଗଣିଲେଣି। ଯେଉଁ ନେତାମାନେ ଦିନରାତି ସେମାନଙ୍କୁ ଶୋଧୁଥିଲେ, ଏବେ ସେମାନେ ବିଜେପିର ଛାମୁଆ ନେତା। ବୈଜୟନ୍ତ ପଣ୍ଡା ତ ଏବେ ରାଷ୍ଟ୍ରୀୟ ଉପ ସଭାପତି। ଦାମ ରାଉତ ମଧ୍ୟ କିଛି ଗୋଟେ ପଦବୀ ହାତେଇ ପାରନ୍ତି। ବୈଜୟନ୍ତ କେନ୍ଦ୍ରାପଡା ଲୋକସଭାରୁ ବିଜେପି ପ୍ରାର୍ଥୀ ହେବେ ଓ ଦାମୋଦର ରାଉତ ବାଲିକୁଦା ଏରସମା ବିଧାନସଭାରୁ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ନିଷ୍ପତ୍ତି ହୋଇଛି। ଦାମ ତାଙ୍କ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ନ ଲଢିବାର କାରଣ ହେଉଛି, ଏବେବି ସେ ଆଶା କରୁଛନ୍ତି ଯେ କାଳେ ବିଜେଡ଼ିରୁ ତାଙ୍କ ପୁଅ ସମୀର ରାଉତରାୟଙ୍କୁ ଟିକଟ ମିଳିଯିବ। ଇତି ମଧ୍ୟରେ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳକୁ ଫେରି ଆସିବେ ବୋଲି କୁହାଯାଉଛି। ତା ମାନେ ହେଲା, ଏବେ ଓଡିଶା ବିଜେପି ପୁରୁଣା ବିଜୁ ଅନୁଗତଙ୍କ ଦଳପାଲଟିଯିବ।

ଏବେ ଅକସ୍ମାତ ବିଜେପି ଭିତରେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ ବେଶି ବେଶି ଶୁଣିବାକୁ ମିଳୁଛି। ବିଜେପିଭିତରେ ପୁରୁଣା ସଙ୍ଘୀମାନଙ୍କୁ ଏ ବିଜୁ କୀର୍ତ୍ତନ ଭଲ ନାଲାଗିବା ସ୍ଵାଭାବିକ। ଆଦର୍ଶଗତ କାରଣରୁ ଓ ଟିକଟ ନ ପାଇବାର ରାଗ ଯୋଗୁଁ ଏବେ ଅନେକ ବିଜେପି ନେତା ବିଜେଡି ସହ ଯୋଗସୂତ୍ରରେ ଅଛନ୍ତି। କିଛି ନେତା ତ ନବୀନ ନିବାସରେ ପହଞ୍ଚି ସାରିଲେଣି। ଏ ଯିବା ଆସିବାର ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା କଣ? ଲୋକେ ଡଷ୍ଟବିନରୁ ଗୋଟା ହୋଇ ଆସୁଥିବା ନେତାଙ୍କୁ ଭଲ ପାଆନ୍ତି କି? ୨୦୧୪ ନିର୍ବାଚନରେ କଂଗ୍ରେସର ଦୁଇଜଣ ଟାଣୁଆ ନେତା ଅନୁପ କୁମାର ସାଏ ଓ ହେମା ଗମାଙ୍ଗ  ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ, ହେଲେ ବିଜେଡ଼ିର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଏ ଦୁଇ ନେତା ହାରିଥିଲେ। ତେଣୁ ଦଳ ବଦଳକାରୀ ନେତାଙ୍କ ପ୍ରତି ଲୋକଙ୍କର ବିତୃଷ୍ଣା ରହିଛି।

ଦାମୋଦର ରାଉତ ବା ବୈଜୟନ୍ତ ପଣ୍ଡା ନୂଆ ଦଳ ଗଢି ନିର୍ବାଚନ ଲଢିଥିଲେ ହୁଏତ ସେମାନେ ହାରିଥାନ୍ତେ, କିନ୍ତୁ ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବରେ ତାଙ୍କର ପରିଚୟ ସୃଷ୍ଟି ହୋଇଥାନ୍ତା। ବିଜେପିରେ ଏମାନଙ୍କର ଯୋଗଦାନ କେବଳ ଗଣମାଧ୍ୟମର ପ୍ରଚାରକୁ ପ୍ରଭାବିତ କରିବା ସିନା, ବାସ୍ତବ କ୍ଷେତ୍ରରେ ଏହାର କୌଣସି ପ୍ରଭାବ ନାହିଁ। ବିଜେଡି, ବିଜେପି ବା କଂଗ୍ରେସ, ଯେଉଁମାନଙ୍କୁ ଟିକଟ ଦେଉନାହାନ୍ତି, ସେମାନେ ସେଇ ଦଳ ଲାଗି ଅନାବଶ୍ୟକ ବୋଝ। ତେଣୁ ବୋଝ ବା ଅଳିଆ ଅନ୍ୟ ଦଳକୁ ଯିବ ବୋଲି ଜଣାଥାଏ। ସାଧାରଣ ଜନତା କିନ୍ତୁ ଏ ପ୍ରକାର ନେତାଙ୍କୁ ଠିକଣା ସମୟରେ ଜବାବ ଦେଇଥାନ୍ତି।

ଓଡିଶାର ସାଧାରଣ ନିର୍ବାଚନରେ ଲୋକ କାହାକୁ ଭୋଟ ଦେବେ ତାହା ଦଳ ବଦଳ କରୁଥିବା ନେତାଙ୍କ ଓଜନ ଉପରେ ନିର୍ଭର କରିବ ନାହିଁ। ଦଳବଦଳ ରାଜନୀତି ଖାଲି କାମେରା ଆଗରେ ନାଟକ ମାତ୍ର। ଯିଏ ଯେଉଁଠି ଜିତିବା ବା ହାରିବା କଥା ସେ ପ୍ରସଙ୍ଗ ଲୋକ ସ୍ଥିର କରି ସାରିଛନ୍ତି।

Categories
ବିଶେଷ ଖବର

କଂଗ୍ରେସ ଓ ବିଜେପିର ପୁରୁଣା ମୁହଁ ବନାମ ବିଜେଡ଼ିର ନୂଆ ମୁହଁ, କିଏ କାହାକୁ ଚକମା ଦେବ?

କେଦାର ମିଶ୍ର

୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ ଥିଲେ ଏବଂ ୨୦୦୪ ପର୍ୟନ୍ତ  ବିଜେଡି ଏନଡିଏ ସରକାରର ଅଂଶୀଦାର ଥିଲା) ଓ ରାଜ୍ୟରେ କ୍ଷମତା ଭୋଗ କରିଥିବା ବିଜେଡି ରେ ସ୍ଵାଭାବିକ ଭାବରେ ପୁରୁଣା ତଥା ଅଭିଜ୍ଞ ନେତାଙ୍କ ଭିଡ ରହିବା ଉଚିତ ହୁଅନ୍ତା। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖା ଯାଉଛି, ବିଜେଡିରେ ଏବେ ପୁରୁଣାଙ୍କର ଆଉ କୌଣସି ଭୂମିକା ରହୁନାହିଁ। ଏବେ ବିଜେଡ଼ିର ଅଳ୍ପ କେତେଜଣ ମନ୍ତ୍ରୀଙ୍କୁ ବାଦ ଦେଲେ ଏହା ମୁଖ୍ୟତଃ ତରୁଣ ଓ ମଧ୍ୟବୟସ୍କଙ୍କର ଏକ ଦଳ। ଅପର ପକ୍ଷରେ ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସରେ ଏବେ ମଧ୍ୟ ପୁରୁଣା ନେତାଙ୍କର ରାଜୁତି ଚାଲିଛି। କ୍ଷମତାରେ ନଥିବା ଦଳକୁ ଶକ୍ତିଶାଳୀ କରିବାକୁ ହେଲେ ନୂଆ ପ୍ରଜନ୍ମର ନେତା ବାହାରିବା ନିହାତି ଜରୁରୀ। ବିଜେପି ଓ କଂଗ୍ରେସ ଗତ ଦଶ ବର୍ଷ ଭିତରେ ପ୍ରଭାବଶାଳୀ ନୂଆ ମୁହଁ ତିଆରି କରିବାରେ ବିଫଳ ହୋଇଛନ୍ତି।

ଆମେ କେବଳ ଆଗାମୀ ନିର୍ବାଚନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ଏହି ପ୍ରସଙ୍ଗକୁ ବିଶ୍ଳେଷଣ କରିବା । ଉଭୟ ବିଜେପି ଓ କଂଗ୍ରେସର ସମ୍ଭାବ୍ୟ ଲୋକସଭା ତଥା ବିଧାନସଭା ପ୍ରାର୍ଥୀ କିଏ ହେବେ ତାର କିଛି ତାଲିକା ଏବେ ଜନ ସାଧାରଣରେ ଚର୍ଚ୍ଚିତ ହେଉଛି। କଂଗ୍ରେସ ଆଜି ମଧ୍ୟ ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂ ଦେଓ, ଜଗନ୍ନାଥ ପଟ୍ଟନାୟକ, ଭକ୍ତ ଚରଣ ଦାସ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ବିଭୁ ପ୍ରସାଦ ତରାଇଙ୍କ ପରି ପୁରୁଖା ନେତାଙ୍କ କାନ୍ଧ ଉପରେ ନିର୍ଭର କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପାଇଁ ଏକ ତରୁଣ ଶକ୍ତି ନିର୍ମାଣ କରିପାରିନାହାନ୍ତି। ଯେଉଁ ଜଣେ ଦୁଇ ଜଣ ତରୁଣ ନେତା କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି, ସେମାନେ ବିଭିନ୍ନ ରାଜନୈତିକ ପରିବାରରୁ ଆସିଛନ୍ତି। ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ପୁଅଙ୍କ ନାମ ଏଇ ତାଲିକାରେ ରହିଛି।

ବିଜେପି ନିଜକୁ ଯୁବା ଶକ୍ତିର ପ୍ରତୀକ ବୋଲି କହୁଥିଲେ ମଧ୍ୟ ଏହି ଦଳର ମୁଖ୍ୟ ଆସନ ମାଡି ବସିଥିବା ନେତାଏ ଓ ଟିକଟ ଆଶାୟୀମାନେ ଆଜି ମଧ୍ୟ ପୁରୁଣା। ଏହାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଆଜି ବି ସେଇ ପୁରୁଣା ନାମ ଗୁଡିକର ପ୍ରାଧାନ୍ୟ ରହିଛି। ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଅନନ୍ତ ନାୟକ, ବସନ୍ତ ପଣ୍ଡା, ପର୍ଶୁରାମ ମାଝୀ, ରୁଦ୍ର ପାଣି, ସୁରେଶ ପୂଜାରୀ, ସଂଗୀତା ସିଂ ଦେଓ, ଜୟରାମ ପାଙ୍ଗିଙ୍କ ଭଳି ପୁରୁଣା ଓ  ବାରମ୍ବାର ହାରିଥିବା ନେତାଙ୍କୁ (ଅବଶ୍ୟ କିଛି ବିଜେଡ଼ିରୁ ଆମଦାନୀ ହୋଇଥିବା ବିଜୟୀ ନେତା ମଧ୍ୟ ଅଛନ୍ତି)  ନେଇ ବିଜେପି ନିଜର ସଫଳତା ହାସଲ କରିବ ବୋଲି ଭାବୁଛି।

ତେବେ ଏମାନଙ୍କ ରଣନୀତିଠୁ ବିଜେଡି ପୂରାପୂରି ଅଲଗା।  ବିଜେଡି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏବେ ଅନେକ ନୂଆ ମୁହଁ ସ୍ଥାନ ପାଇବାର ସମ୍ଭାବନା ରହିଛି। ତଥାଗତ ଶତପଥି, ବିଜୟଶ୍ରୀ ରାଉତରାୟ ଙ୍କ ପରି ବିଜେଡ଼ିର ପୁରୁଣା ନେତାମାନେ ନିଜ ତରଫରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିସାରିଲେଣି। ବିଜେଡି ଲୋକସଭା ପାଇଁ ପ୍ରାୟ ନବେ ଭାଗ ନୂଆ ମୁହଁ କଥା ଭାବୁଥିବା ବେଳେ ବିଧାନସଭା ପାଇଁ ୪୦-୫୦% ଯୁବକ ଓ ମହିଳାଙ୍କୁ ସୁଯୋଗ ଦେବ ବୋଲି କୁହାଯାଉଛି। ବିଜେଡ଼ିର ଦଳୀୟ ସଙ୍ଗଠନରେ ମଧ୍ୟ ଏବେ ନୂଆ ମୁହଁ ମାନଙ୍କର ଭୂମିକା ବଢି ଚାଲିଛି। ଦଳ ଭିତରକୁ ପ୍ରତି ଦିନ ନୂଆ ଲୋକ ଆସୁଛନ୍ତି। ବିଜେପି ଭିତରକୁ ଅଧିକରୁ ଅଧିକ ବିଜେଡ଼ିରୁ ବିତାଡିତ କିମ୍ବା ଅସନ୍ତୁଷ୍ଟ ନେତା ପ୍ରବେଶ କରୁଥିବା ବେଳେ ବିଜେଡିରେ ଏବେ ପୂର୍ବତନ ପ୍ରଶାସକ ଓ ତୃଣମୂଳ ସ୍ତରର କର୍ମୀମାନେ ପ୍ରବେଶ କରୁଛନ୍ତି।

ନୂଆ ଭୋଟରଙ୍କୁ ପୁରୁଣା ମୁହଁ ଦ୍ଵାରା ପ୍ରଭାବିତ କରିବା ସହଜ ନୁହେଁ। ନେତା ଭାବରେ ହୁଏତ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ନିରଞ୍ଜନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଛି। ହେଲେ ନିର୍ବାଚନ ଲଢିବା ପାଇଁ ନୂଆ ଶକ୍ତି ଓ ନୂଆ ମୁହଁ ଯାହାର ଅଧିକ ରହିବ,  ସେମାନଙ୍କ ପକ୍ଷରେ ନିର୍ବାଚନ ଜିଣିବା ସହଜ ହେବ।

Categories
ବିଶେଷ ଖବର ମତାମତ

ମହିଳା ଦିବସରେ ରାଜନୈତିକ ଦଳମାନଙ୍କୁ ପ୍ରଶ୍ନ, ଭାରତୀୟ ରାଜନୀତିରେ ମହିଳାଙ୍କୁ ସମାନ ପ୍ରତିନିଧିତ୍ଵ ଅଧିକାର କେବେ ମିଳିବ?

କେଦାର ମିଶ୍ର

୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ହୋଇଛି ଓ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ପ୍ରାୟ ସମାନ ପରିମାଣରେ ଭୋଟ ଦେଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଏହି ଅନୁପାତ ଥିଲା ୪୮;୫୨। ଏତେ ସଂଖ୍ୟକ ମହିଳା ଭୋଟର ଥିବା ସତ୍ତ୍ୱେ ଆମର ସଂସଦ ଓ ବିଧାନସଭାଗୁଡିକରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଏତେ କମ କାହିଁକି? ଲୋକସଭାର ୫୪୩ ସଦସ୍ୟଙ୍କ ଭିତରୁ ମହିଳା ସଦସ୍ୟଙ୍କ ସଂଖ୍ୟା ମାତ୍ର ୬୪ ଅର୍ଥାତ ୧୧.୮% । ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ୨୭ (୯.୧୧%)। ସେହିପରି ରାଜ୍ୟ ବିଧାନସଭା ଗୁଡିକରେ ଏହି ସଂଖ୍ୟା ଆହୁରି ନଗଣ୍ୟ। ଭାରତର ୩୫ ଟି ଯାକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର  ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ମାତ୍ର ୯%।

ସବୁଠୁ ବିଡମ୍ବନାର କଥା ହେଉଛି ପୃଥିବୀର ଦେଶମାନଙ୍କରେ ହାରାହାରି ମହିଳା ସାଂସଦଙ୍କ ସଂଖ୍ୟା ୨୨.୪ % ହୋଇଥିବାବେଳେ ଭାରତରେ ଏହା ଅଧାରୁ ଆହୁରି କମ। ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ଦେଶରେ ମହିଳା ବିଧାୟକଙ୍କ ସଂଖ୍ୟା ଭାରତ ତୁଳନାରେ ଢେର ଅଧିକ। ପାକିସ୍ତାନ ଓ ବାଂଲାଦେଶରେ ୨୦% ମହିଳା ସାଂସଦ ଥିବାବେଳେ ଆଫଗାନିସ୍ତାନରେ ସେମାନଙ୍କ ସଂଖ୍ୟା ହେଉଛି ୨୭.୭%। ଏପରିକି ଆଫ୍ରିକୀୟ ଓ ଆରବୀୟ ଦେଶମାନଙ୍କ ତୁଳନାରେ ମଧ୍ୟ ଭାରତର ମହିଳା ସାଂସଦ ଓ ବିଧାୟକଙ୍କ ସଂଖ୍ୟା ଯଥେଷ୍ଟ କମ।  ପଞ୍ଚାୟତ ସ୍ତରରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଭାରତରେ ୩୭% ରୁ ୫୦% ଭାଗ ପର୍ଯନ୍ତ ବଢିଛି, ତାହାର ଏକ ମାତ୍ର କାରଣ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ। ବର୍ତ୍ତମାନ ଭାରତର ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକରେ ୧୩.୭୨ ଲକ୍ଷ ମହିଳା ପ୍ରତିନିଧି ରହିଛନ୍ତି ଓ ସେମାନଙ୍କ ପ୍ରତିନିଧିତ୍ଵ ହାର ହେଉଛି ୪୩%। ଏହା ଜାତୀୟ ରାଜନୀତିରେ କାହିଁକି ଗ୍ରହଣୀୟ ହେଉନି, ସେ ପ୍ରଶ୍ନ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଗତ ୨୦ ବର୍ଷ ହେଲା ଭାରତର ସଂସଦରେ ମହିଳା ସଂରକ୍ଷଣ ବିଲ ପଡିରହିଛି। ରାଜ୍ୟସଭାରେ ଏହା ଗୃହୀତ ହୋଇ ବାତିଲ ମଧ୍ୟ ହୋଇସାରିଛି। ଏ ସଙ୍କ୍ରାନ୍ତରେ ଆଲୋଚନା କରି ଭାରତର ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮ ରେ କୁହାଯାଇଛି ଯେ- ରୁଆଣ୍ଡା ଭଳି ଦେଶରେ ୬୦% ମହିଳା ସାଂସଦ ନିର୍ବାଚିତ ହୋଇପାରୁଥିବା ବେଳେ ଭାରତରେ ଏହା ୧୨% ଭିତରେ ସୀମିତ। ଓଡିଶା ଭଳି ରାଜ୍ୟରେ ଏବେ ଆମେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ଆଲୋଚନା ଶୁଣୁଛୁ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ରାଜନୈତିକ ଦଳମାନଙ୍କୁ ପ୍ରଭାବିତ କରିବା ଲାଗି ଅଭିଯାନ ଆରମ୍ଭ କରିଥିବାବେଳେ ଓଡିଶା ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ୧୪୭ ଟି ବିଧାନସଭା ଆସନରୁ ମାତ୍ର ୧୨ ଜଣ ମହିଳା ବିଧାୟକ ଅଛନ୍ତି ଅର୍ଥାତ ପ୍ରତିନିଧିତ୍ଵ ହାର ହେଉଛି ମାତ୍ର ୮ %। ଲୋକସଭା ପାଇଁ ଓଡିଶାର ୨୧ ଟି ଆସନରୁ ବିଜେଡ଼ିର ତିନିଜଣ ମହିଳା ସାଂସଦ ରହିଛନ୍ତି। ଗତ ୨୦୧୪ ନିର୍ବାଚନରେ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ମାତ୍ର ୩୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ। ଗତ ବିଧାନସଭା ପାଇଁ କଂଗ୍ରେସ ୧୦ ଜଣ, ବିଜେପି ୫ ଜଣ ଓ ବିଜେଡି ୧୨ ଜଣ ମହିଳାଙ୍କୁ ଟିକଟ ଦେଇଥିବାବେଳେ ଲୋକସଭା ପାଇଁ କଂଗ୍ରେସ ୨ ଜଣଙ୍କୁ, ବିଜେପି ୧ ଓ ବିଜେଡି ୨ ଜଣକୁ ଟିକଟ ଦେଇଥିଲେ। ପରେ କନ୍ଧମାଳ ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେଡି ଆଉ ଜଣେ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇଥିଲା।

ବିଜୁ ଜନତା ଦଳ ଓଡିଶାରେ ମିଶନ ଶକ୍ତି ଓ ପଞ୍ଚାୟତି ରାଜ ବ୍ୟବସ୍ଥା ଜରିଆରେ ମହିଳା ସଶକ୍ତିକରଣର କଥା କହୁଛି ଓ ମହିଳା ସଂରକ୍ଷଣ ବିଲ ପାଇଁ ଜାତୀୟ ଅଭିଯାନ ଚଳାଇଛି, କିନ୍ତୁ ବିଧାନସଭାରେ ଏହାର ମହିଳା ପ୍ରତିନିଧିଙ୍କ ସଂଖ୍ୟା ଅତ୍ୟନ୍ତ ଗୌଣ। ଆଗାମୀ ନିର୍ବାଚନ ରେ ବିଜେଡି ମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ଵ କଥାକୁ କାମରେ ଲଗାଇବ କି? ଦଳ ଉଭୟ ଲୋକସଭା ଓ ବିଧାନସଭାରେ ୩୦ ରୁ ୩୩ % ମହିଳାଙ୍କୁ ଟିକଟ ଦେଇ ଏକ ଉଦାହରଣ ପ୍ରସ୍ତୁତ କରିବ କି? ଜାତୀୟ ସ୍ତରରେ କଂଗ୍ରେସ ସଭାପତି ମହିଳା ସଂରକ୍ଷଣ ବିଲ ସପକ୍ଷରେ କହୁଥିବା ବେଳେ କଂଗ୍ରେସ ମଧ୍ୟ ବହୁ କମ ସଂଖ୍ୟକ ମହିଳାଙ୍କୁ ଟିକଟ ଦେଉଛି। କଥାରେ କହିବା ଓ କାମରେ ତାକୁ ଉପଯୋଗ ନକରିବା ସବୁ ରାଜନୈତିକ ଦଳଙ୍କର ପୁରୁଣା ରୋଗ। ଏଇ ରୋଗରୁ ୨୦୧୯ ନିର୍ବାଚନ ଆମକୁ ମୁକ୍ତି ଦେବ କି? ଆଗାମୀ ଲୋକସଭା ଓ ବିଧାନସଭାରେ ଆମେ ଅଧିକ ସଂଖ୍ୟକ ମହିଳା ପ୍ରତିନିଧିଙ୍କ ଉପସ୍ଥିତି ଆଶା କରିପାରିବା କି?