Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

କରୋନା ଆତଙ୍କ : ଆମେରିକୀୟ ଜେଲ୍‌ରୁ ଚମ୍ପଟ ମାରିଲେ 9 ମହିଳା କଏଦୀ

ସାଉଥ୍‌ ଡାକୋଟା : ଆମମେରିକୀୟ ଜେଲ୍‌ରୁ ଚମ୍ପଟ ମାରିଛନ୍ତି 9 ମହିଳା କଏଦୀ । କରୋନା ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ଭୟରେ ଏହି 9ମହିଳା କଏଦୀ ଜେଲ୍‌ରୁ ଚମ୍ପଟ ମାରିଛନ୍ତି । ସାଉଥ୍‌ ଡାକୋଟାର ଏହି ଜେଲ୍‌ରୁ 9 ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି । ଜେଲ୍‌ର ଜଣେ କଏଦୀ କରୋନା ଆକ୍ରାନ୍ତ ଥିବା ଜଣା ପଡିବ ପରେ ଭୟରେ ଏହି କଏଦୀ ମାନେ ଚମ୍ପଟ ମାରିଥିବା ଜଣାପଡିଛି । ସୋମବାର ଏହି କଏଦୀ ମାନେ ଚମ୍ପଟ ମାରିଥିବା ବେଳେ ବୁଧବାର ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶରେ ପ୍ରଥମ ମୁଣ୍ଡ ନେଲା କରୋନା : ଆକ୍ରାନ୍ତଙ୍କ ସଂଖ୍ୟା 606

ଭୋପାଳ : ଦେଶରେ କରୋନା ପ୍ରଭାବରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବୁଧବାର ମଧ୍ୟପ୍ରଦେଶରେ ଜଣେ ମହିଳା ପ୍ରାଣ ହରାଇବା ସହିତ କରୋନା ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ସଙ୍କ୍ରମିତ ମହିଳା ଜଣକ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ପ୍ରାଣ ହରାଇଛନ୍ତି । ଏହି 65 ବର୍ଷୀୟ ମହିଳା ଜଣକ ବୁଧବାର ପ୍ରାଣ ହରାଇଛନ୍ତି । ଏହା ସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 606ରେ ପହଞ୍ଚିଥିବା ନେଇ ସୂଚନା ଦିଆଯାଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କୋଭିଡ୍‌ 19 : ବିଦେଶରେ ପ୍ରାଣ ହରାଇଛନ୍ତି 3 ଭାରତୀୟ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ବିଦେଶରେ ତିନି ଭାରତୀୟ ପ୍ରାଣ ହରାଇଛନ୍ତି । 25 ଶହରୁ ଅଧିକ ଭାରତୀୟଙ୍କୁ କେନ୍ଦ୍ର ସରକାର ଦେଶକୁ ଆଣିଥିବା ବେଳେ ତିନି ଭାରତୀୟ ବିଦେଶରେ ପ୍ରାଣ ହରାଇଛନ୍ତି । ଉହାନ୍‌ ପ୍ରଦେଶରୁ ସୃଷ୍ଟ ଏହି ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ 15 ହଜାର 300 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତିନି ମୃତକଙ୍କ ମଧ୍ୟରୁ ଜଣେ ସ୍ବିଡେନ୍‌ରେ, ଜଣେ ଇରାନ୍‌ରେ ଏବଂ ଜଣେ ଇଜିପ୍ଟରେ ପ୍ରାଣ ହରାଇଛନ୍ତି । ସ୍ବିଡେନ୍‌ରେ କରୋନା ଆକ୍ରାନ୍ତ ତାମିଲନାଡୁ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଇରାନ୍‌ରେ 61 ବର୍ଷୀୟ ଜଣେ ଲଦାଖ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେହିପରି ଇଜିପ୍ଟରେ ଜଣେ 45 ବର୍ଷୀୟ ଭାରତୀୟ ଯୁବକ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଭାରତ ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ 255 ଜଣ ଭାରତୀୟ ବିଦେଶରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ଦଶମ ମୁଣ୍ଡ ନେଲା କରୋନା : ହିମାଚଳରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସୋମବାର ତିନି ଜଣଙ୍କର ପ୍ରାଣହାନି ଘଟିଛି । ତିନି ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ହିମାଚଳ ପ୍ରଦେଶରେ ପ୍ରଥମ ମୃତ୍ୟୁ ହେବା ସହିତ ମୃତକଙ୍କ ସଂଖ୍ୟା 10ରେ ପହଞ୍ଚିଛି । ଏହା ସହିତ ଆକ୍ରାନ୍ତଙ୍କ ସଂଖ୍ୟା 490 ଛୁଇଁଛି । ମୃତକ ଜଣକ ଟାଣ୍ଡା ସ୍ଥିତ ଟାଟା ମେମୋରିଆଲ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଛନ୍ତି । ମୃତକ ଜଣକ 69 ବର୍ଷୀୟ ତିବ୍ବତ ରିଫ୍ୟୁଜି ବୋଲି ଜଣା ପଡିଛି । ମାର୍ଚ୍ଚ 15 ତାରିଖରେ ଆମେରିକାରୁ ଫେରିଥିବା ବେଳେ 23 ତାରିଖରେ ତାଙ୍କଠାରେ କୋରୋନା ସଂକ୍ରମଣ ଚିହ୍ନଟ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଖେଳ

ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌-13ର ଭାଗ୍ୟ ନିର୍ଦ୍ଧାରଣ!

ମୁମ୍ବାଇ : ଦେଶରେ କୋରୋନା ଭାଇରସ୍‌ର ସଙ୍କଟ ଦିନକୁ ଦିନ ବଢି ଚାଲିଥିବା ବେଳେ କ୍ରୀଡାପ୍ରେମୀଙ୍କ ପାଇଁ ଦୁସମ୍ବାଦ ମିଳିଛି । ଟି 20 କ୍ରୀଡାର ମହାକୁମ୍ଭ ଆଇପିଏଲ୍‌ ଆୟୋଜନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 24 ତାରିଖରେ ଆଇପିଏଲ୍‌ର ଭାଗ୍ୟ ନିର୍ଦ୍ଧାରଣ କରାଯିବ । ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଆସନ୍ତା ମଙ୍ଗଳବାର ଦିନ ଏକ ବୈଠକ କରିବା ପରେ ଆଇପିଏଲ୍‌ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆସନ୍ତା ମଙ୍ଗଳବାର ଦିନ କନ୍‌ଫରେନ୍ସିଂ କଲ୍‌ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ଉଲ୍ଳେଖଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 250 ଅତିକ୍ରମ କରିଛି । (ଏଜେନ୍ସି)

Categories
ଆଞ୍ଚଳିକ

କରୋନା ସଚେତନତା ସଭାରେ ଅଢେଇ ଘଂଟା ବିଳମ୍ବରେ ପହଂଚିଲେ ବିଧାୟକ

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଳକ ସଭାଗୃହରେ ଆଜି କରୋନା ସମ୍ପର୍କୀତ ସ୍ୱତନ୍ତ୍ର ପଂଚାୟତ ସମିତି ବୈଠକ ପ୍ରହସନରେ ପରିଣତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସ୍ଥାନୀୟ ବିଧାୟକଙ୍କ ପାଇଁ ଅଢେଇଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ଏହି ସମାବେଶ। ଫଳରେ ଅର୍ଦ୍ଧାଧିକ ପଂଚାୟତ ନିର୍ବାଚିତ ପ୍ରତିନିଧି ମାନେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିଥିଲେ। ସେହିପରିଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଶତପଥୀ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବୈଠକରେ ସାମିଲ ହେବାକୁ ଜିଲ୍ଲାପାଳ ବାରଣ କରିଥିବା କହି ଅନୁମତି ପ୍ରଦାନ କରିନଥିଲେ। ଫଳରେ ଉପସ୍ଥିତ ସାମ୍ବାଦିକମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ।

ପ୍ରକାଶଯେ, ଦୀର୍ଘ ପାଞ୍ଚମାସ ହେବ ବିଡ଼ିଓଙ୍କ ଅନୁପସ୍ଥିତିକ୍ରମେ ଏଠାରେ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ଶତପଥୀ ବିଡ଼ିଓଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଦୀର୍ଘ ୮ମାସ ହେବ ଏଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇନାହିଁ। କେବଳ କରୋନା ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସ୍ୱତନ୍ତ୍ରଭାବେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପୂର୍ବାହ୍ନ ସାଢେ ଦଶଟା ସମୟରେ ଅନୁଷ୍ଠିତ ହେବ ବୋଲି ପଂଚାୟତର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ମାତ୍ର ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ ପ୍ରାୟ ଅଢେଇଘଂଟା ବିଳମ୍ବରେ ଅର୍ଥାତ ପ୍ରାୟ ଅପରାହ୍ନ ଗୋଟାଏ ସମୟରେ ବ୍ଳକରେ ପହଂଚିଥିଲେ। ନିର୍ଦ୍ଧାରିତ ସମୟଠାରୁ ଅଢେଇ ଘଂଟା ବିଳମ୍ବରେ ବୈଠକ ଆରମ୍ଭ ହୋଇଥିବାରୁ ବିରକ୍ତି ପ୍ରକାଶ କରି କୁଜଙ୍ଗ ବ୍ଳକର ୨୮ ପଂଚାୟତରୁ ପ୍ରାୟ ୧୫ରୁ ଉର୍ଦ୍ଧ୍ଵ ପଂଚାୟତର ସରପଂଚ ଏବଂ ସମିତିସଭ୍ୟ ମାନେ ବୈଠକକୁ ବର୍ଜନ କରି ପଳାଇଥିଲେ। ବିଧାୟକ ପହଂଚିବାପରେ ଆରମ୍ଭ ହୋଇଥିବା ବୈଠକ ମାତ୍ର ଏକଘଂଟା ମଧ୍ୟରେ ଶେଷ ହୋଇ ଯାଇଥିଲା। ତେବେ ଔପଚାରିକତା ଦୃଷ୍ଟିରୁ କେବଳ କିଛି କରୋନା ସଚେତନତା ବାର୍ତା ପ୍ରଦାନ କରାଯାଇ ବୈଠକକୁ ଶେଷ କରି ଦିଆଯାଇଥିଲା।

ଏଭଳି ଭାବେ ଯଦି କରୋନା ସଚେତନତା କରାଯାଏ ତାହାଲେ ସ୍ଥାନୀୟ ଜନସାଧାରଣମାନେ କରୋନା ଭୂତାଣୁ ସମ୍ପର୍କରେ ଆବଶ୍ୟକୀୟ ସୂଚନା ପାଇପାରିବେ ନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, ଚିକିତ୍ସାଧିକାରୀ ଡ଼. ପ୍ରସନ୍ନ କୁମାର ପଣ୍ଡା, ସାଂସଦ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ, ଅତିରିକ୍ତ ଯନ୍ତ୍ରୀ ସଙ୍ଗ୍ରାମ କେଶରୀ ପରିଡ଼ା, ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ସତ୍ୟଜିତ ସ୍ୱାଇଁ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ଅବସରରେ ଯୋଗଦାନ କରିଥିଲେ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

କୋରୋନା ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କଲେ ନବୀନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କୋରୋନା ସଙ୍କ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ କିଛି ପଦକ୍ଷେପକୁ ପ୍ରଶଂସା କରିବା ସହିତ କିଛି ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ । ଏହା ସହିତ ଅର୍ଥନୈତିକ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା, ବିଦେଶରେ ମହଜୁଦ ଭାରତୀୟଙ୍କୁ ଏୟାରଲିଫ୍ଟ ଜରିଆରେ ଦେଶକୁ ଆଣିବା ଏବଂ ଏସ୍‌ଡିଆର୍‌ଏଫ୍‌ ଉପଲବ୍ଧ କରାଇବା ପାଇଁ ନବୀନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସେହିପରି ପରୀକ୍ଷା ଗାର ଏବଂ ପରୀକ୍ଷଣ କେନ୍ଦ୍ରର ସଂଖ୍ୟା ତ୍ବରିତ ଗତିରେ ବଢାଇବା ପାଇଁ ନବୀନ ପରାମର୍ଶ ଦେଇଥିଲେ । ଏହା ସହିତ ଘରୋଇ ଏବଂ ସରକାରୀ ଉଭୟ କେନ୍ଦ୍ରରେ ପରୀକ୍ଷଣ ମାଗଣା ଉପଲବ୍ଧ କରାଇବା ପାଇଁ ନବୀନ ପରାମର୍ଶ ଦେଇଥିଲେ । କୋରୋନା ମୁକାବିଲା ପାଇଁ ଆବଶ୍ୟକୀୟ ଉପକରଣ, ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଉପଲବ୍ଧ କରାଇବା ପାଇଁ ନବୀନ ପରାମର୍ଶ ଦେଇଥିଲେ ।

ମନରେଗା କର୍ମୀ ମାନଙ୍କୁ ଆଗୁଆ ଭାବରେ 50 ଦିନର ବେତନ ଦେବା ପାଇଁ ନବୀନ ଦାବି କରିଥିଲେ । ସମସ୍ତ ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା । ପିଏମ୍‌ କିଶାନ୍‌ ଯୋଜନାରେ ଆଗୁଆ କୃଷି କିସ୍ତି ପ୍ରଦାନ । ନିର୍ମାଣ ଶ୍ରମିକ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଆଗୁଆ ଅର୍ଥନୈତିକ ବ୍ୟବସ୍ଥା କରିବା ସହିତ ବିପର୍ଯ୍ୟୟ ପରିଚାଳନା ପାଇଁ ସମସ୍ତ ରାଜ୍ୟଙ୍କୁ ଆଗୁଆ ଅର୍ଥରାଶି ପ୍ରଦାନ କରିବା ପାଇଁ ନବୀନ ଦାବି କରିଥିଲେ ।

Categories
ଆଞ୍ଚଳିକ

ଜ୍ୟୋତି ଫେଡ଼େରେସନ ପକ୍ଷରୁ କୋରୋନା ଆକ୍ରାନ୍ତଙ୍କ ପାଇଁ ମାସ୍କ ପ୍ରସ୍ତୁତି

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଜ୍ୟୋତି ଫେଡ଼େରେସନ ପକ୍ଷରୁ କୋରୋନା ଭୂତାଣୁ ଜନିତ ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ମାସ୍କ ପ୍ରସ୍ତୁତି କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଏହି ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଜନସାଧାରଣ ମାନଙ୍କ ସେବାରେ ଆସିବ ବୋଲି ସେ ଏହି ଅବସରରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଜ୍ୟୋତି ଫେଡ଼େରେସନର ସଭାପତି ମନୋରମା ମହାପାତ୍ର, ସମ୍ପାଦିକା ତପସ୍ୱିନୀ ପଟ୍ଟନାୟକ, ସଭ୍ୟା ସରୋଜିନୀ ମିଶ୍ର, ମିସନ ଶକ୍ତିର ପ୍ରୋଗ୍ରାମର ଜ୍ୟୋତ୍ସ୍ନାରାଣୀ ମନ୍ତ୍ରୀ, ପ୍ରିୟଦର୍ଶିନୀ ମହାପାତ୍ର, ଆଇସିଡ଼ିଏସର ସୁପରଭାଇଜର କଳ୍ପନା ବାରିକ, ଛବିଲତା ଭୋଇ, ସ୍ମୃତିପ୍ରଜ୍ଞା ମହାପାତ୍ର, ଚିନ୍ତାମଣୀ କଣ୍ଠ, ଜୟନ୍ତୀ ବେହେରା, ମନୋରମା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ପ୍ରିୟଦର୍ଶିନୀ ବିଶ୍ୱାଳ, ଚିନ୍ମୟୀ ବେଉରା, ମଞ୍ଜୁଲତା ପଣ୍ଡା ପ୍ରମୁଖ ମାସ୍କ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କୋରୋନା ଆତଙ୍କ : ଏକ ସପ୍ତାହ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ : ଦେଶରେ କୋରୋନାର ବର୍ଦ୍ଧିତ ପ୍ରଭାବକୁ ରୋକିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମାର୍ଚ୍ଚ 22 ତାରିଖରୁ ଏକ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତୀୟ ଉଡାଣ ବନ୍ଦ କରିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ତଙ୍କ ପାଇଁ ଏହି ଯାତ୍ର ବନ୍ଦ କରଯାଇନାହିଁ । ବୟସ୍କ ନାଗରିକ, ଛାତ୍ର ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ନିୟମକୁ ଆଶିଂକ କୋହଳ କରାଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 166 ଛୁଇଁଥିବା ବେଳେ ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋରୋନା ପଜିଟିଭ୍‌ ଜଣା ପଡିଲେ ଯବାନ୍‌ : ସମରାଭ୍ୟାସ ବନ୍ଦ ରଖିଲା ଭାରତୀୟ ସେନା

ନୂଆଦିଲ୍ଲୀ : ଜଣେ ଭାରତୀୟ ଯବାନ କୋରୋନାରେ ଆକ୍ରାନ୍ତ ରହିଥିବା ଜଣା ପଡିବା ପରେ ଭାରତୀୟ ସେନା ପକ୍ଷରୁ କୋରୋନା ବିପକ୍ଷରେ ଯୁଦ୍ଧ ଘୋଷଣା କରାଯାଇଛି । ସମସ୍ତ ବୈଠକ ଏବଂ ସମରାଭ୍ୟାସକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଛି । ବୁଧବାର ସେନା ମୁଖ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହା ସହିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମିତ ଯବାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ 4 ହଜାର ଯବାନଙ୍କୁ କ୍ବାରାଣ୍ଟାଇନ୍‌ ପାଇଁ ଆଇସୋଲେସନ୍‌ରେ ରଖାଯିବ । ଉଲ୍ଲେଖଯୋଗ୍ୟ ଯେ ଭାରତରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋମୂତ୍ରରେ ଆରୋଗ୍ୟ ହେଉଛି କୋରୋନା : ଗୁଜବ ପ୍ରଚାର କରି ଯୁବକ ଗିରଫ

କୋଲକାତା : ଗୋମୂତ୍ରରେ ଆରୋଗ୍ୟ ହେଉଛି କୋରୋନା ଭାଇରସ୍‌ । ଏପରି ଗୁଜବ ସୃଷ୍ଟି କରି ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର ଯୁବକ । କୋରୋନା ଭାଇରସ୍‌ରୁ ଆରୋଗ୍ୟ ପାଇଁ ରସୁଣ, ତୁଳସୀ ପତ୍ରର ବ୍ୟବହାର ପରି ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ କଲିକତାର ହୁଗୁଳୀ ଜିଲ୍ଲାରେ ଗୋମୂତ୍ରର ଗୁଜବ ଦେଖିବାକୁ ମିଳିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ହୁଗୁଳୀ ଜିଲ୍ଲାର ମାମୁଦ ଅଲ୍ଲୀ । ନିଜ ସାଙ୍ଗ ମାନଙ୍କୁ ହଇରାଣ କରିବା ପାଇଁ ଅଲ୍ଲୀ ଏହି ଗୁଜବ ପ୍ରଚାର କରିଥିଲେ । ପୋଲିସ୍‌ ମାମୁଦ ଅଲ୍ଲୀଙ୍କୁ ଗିରଫ କରିବା ପରେ ସେ ସାଧାରଣ ଲୋକଙ୍କୁ ନୁହେଁ ବରଂ ନିଜ ସାଙ୍ଗ ମାନଙ୍କ ପାଇଁ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ସେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମାମୁଦ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କଲେ ସସ୍ମିତ୍‌ ପାତ୍ର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଟିଏମ୍‌ ସର୍ବସାଧାରଣ ବ୍ୟବହାର ସ୍ଥଳ ହୋଇଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ଏବଂ ସଙ୍କ୍ରମଣ କରାଯିବ ଏହାକୁ ନେଇ ସସ୍ମିତ ପ୍ରଶ୍ନ ଉଠାଇଥିଲେ । ଏଟିଏମ୍‌କୁ ସମସ୍ତେ ଛୁଉଁଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମଗ୍ର ଦେଶରେ 51ଟି ପରୀକ୍ଷଣ କେନ୍ଦ୍ର ରହିଥିବା ବେଳେ ଏହାର ସଂଖ୍ୟା ବଢାଇବା ପାଇଁ ମଧ୍ୟ ଶ୍ରୀ ପାତ୍ର କହିଥିଲେ । ସେହିପରି ଡାକ୍ତରଙ୍କ ପାଇଁ ବ୍ୟବହୃତ ସୁଟ୍‌ ମଧ୍ୟ ଆବଶ୍ୟକ ସଂଖ୍ୟକ ନଥିବା ଉପରେ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ରହିଥିବା ବେଳେ ଘରୋଇ ବିମାନବନ୍ଦରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବା ଉଚିତ୍‌ । ସେହିପରି ଓଡିଶା ବିଧାନସଭାରେ କରାଯାଇଥିବା ହାତଧୁଆ ସେସନ୍‌ ପରି ସଂସଦରେ ଏକ ସେସନ୍‌ କରିବା ପାଇଁ ପାତ୍ର ଅନୁରୋଧ କରିଥିଲେ । ସେହିପରି ଘରୁ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଥିବାରୁ ଏହା ଦ୍ବାରା ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ କେନ୍ଦ୍ର ସରକାର ଏହା ଉପରେ ଧ୍ୟାନ ଦେବା ଉଚିତ୍‌ ବୋଲି ଶ୍ରୀ ପାତ୍ର କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁକା କଳାରେ କୋରୋନା ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ଜରିଆରେ କୋରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ସାର୍କ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପରେ ମୋଦିଙ୍କୁ ନେଇ ସୁଦର୍ଶନ ଏହି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । କୋରୋନା ଭାଇରସ୍‌କୁ ନେଇ ଭୟଭୀତ ନ ହୋଇ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ସୁଦର୍ଶନ ଲେଖିଛନ୍ତି । ଏହା ସହିତ ନମସ୍କାରକୁ ହଁ ଏବଂ ହାତ ମିଳାଇବାକୁ ନାଁ ବୋଲି କହି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଲେଖିଛନ୍ତି ସୁଦର୍ଶନ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋରୋନା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ଫଣ୍ଡରୁ 225 କୋଟି ସହାୟତା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 225 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛି । ସୋମବାର ସନ୍ଧ୍ୟା 6.15ରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବୈଠକରେ ଏହି ଘୋଷଣା କରାଯାଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ 225 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରାଶିକୁ କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରାଇବା, ନମୁନା ସଂଗ୍ରହ, ରୋଗୀଙ୍କ ସାମୟିକ ରହଣି, ଖାଦ୍ୟ ଏବଂ ଔଷଧରେ ଏହି ଅର୍ଥ ବିନିଯୋଗ କରାଯିବ ।

Categories
ଆଜିର ଖବର

କୋରୋନା ମୁକାବିଲା : ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ ଘୋଷଣା କଲେ ଓଡିଶା ସରକାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ନିଆଯାଇଛି । ସତର୍କତା ପଦକ୍ଷେପ ସ୍ବରୂପ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ଭାଇରସ୍‌ର ଚିହ୍ନବର୍ଣ୍ଣ ନଥିବାରୁ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ଜରିଆରେ ହିଁ ଭାଇରସ୍‌ ଆସିବାର ସର୍ବାଧିକ ସମ୍ଭାବନା ରହିଥାଏ । ଏହି ଭାଇରସ୍‌ କାରଣରୁ ବିଦେଶରେ ଅବସ୍ଥାନ କରୁଥିବା ବହୁସଂଖ୍ୟକ ଓଡିଶା ବାସୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ତେଣୁ ପ୍ରତିଶେଧକ ବ୍ୟବସ୍ଥା ସ୍ବରୂପ ସରକାର ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ସହିତ ପଞ୍ଜୀକରଣ ପାଇଁ 15 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା ରହିଥିବା ବେଳେ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ପାଇଁ ଘୋଷଣା କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ 2 କୋରୋନା ସନ୍ଦିଗ୍ଧ : ପାରାଦୀପରେ 144 ଧାରା ଜାରି

ରଞ୍ଜିତ ପଣ୍ଡା
ପାରାଦୀପ : ଜଗତସିଂହପୁରର ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଉଭୟ ରୋଗୀ ଦୀର୍ଘଦିନ ହେବ ଥଣ୍ଡା ଜ୍ବରରେ ପୀଡିତ ଥିଲେ । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ସାଉଦି ଆରବ ଗସ୍ତ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ମିଳିଛି । ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହିତ ସମ୍ପର୍କ କରାଯିବା ପରେ ଏକ ସ୍ବତନ୍ତ୍ର ଗାଡି ଯୋଗେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ଉଭୟ ରୋଗୀଙ୍କ ପରିଚୟ ଗୋପନ ରଖିଛନ୍ତି । ଉଭୟ ଯୁବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର । କେନ୍ଦ୍ରାପଡାର ଗରଦପୁର ବ୍ଲକ୍‌ ଅନ୍ତର୍ଗତ ତେଣ୍ଟାକୁଡା ଅଞ୍ଚଳର ଯୁବକ ଜଣକ ଫେବୃୟାରୀ 24 ତାରିଖରେ ସାଉଦି ଆରବରୁ ଫେରିଥିଲେ । ସେହିପରି ଅନ୍ୟ ଜଣେ ସନ୍ଦିଗ୍ଧ ତିର୍ତ୍ତୋଲ କଟରା ହାଜିନଗର ଅଞ୍ଚଳର 35 ବର୍ଷୀୟ ଯୁବକ ଚଳିତ ମାର୍ଚ୍ଚ 11 ତାରିଖରେ ଦିଲ୍ଲୀରୁ ଫେରିଥିଲେ । ଏହି ଘଟଣା ପରେ ପାରାଦୀପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ 144 ଧାରା ଜାରି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ : ଉଦ୍ଧବଙ୍କୁ ଫୋନ୍‌ କଲେ ମୋଦି

ମୁମ୍ବାଇ : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ଉଦ୍ଧବଙ୍କ ସହିତ କୋରୋନା ମୁକାବିଲା ନେଇ ଆଲୋଚନା କରିବା ପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ମଧ୍ୟ ମୋଦି ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ମହାରାଷ୍ଟ୍ରରେ 12 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଏମ୍‌କେସିଜି ପରିସରରୁ କରୋନା ସନ୍ଧିଗ୍ଧ ଫେରାର୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ଆଇସୋଲେସନ ୱାର୍ଡ଼ରେ ଥିବା ଜଣେ କରୋନା ସନ୍ଧିଗ୍ଧ ମେଡ଼ିକାଲ୍‌ରୁ ଚମ୍ପଟ ମାରିଛନ୍ତି । ଏଥିନେଇ ସହରରେ ଭୟର ବାତାବରଣ ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ପୁରୀ କୃଷ୍ଣପ୍ରସାଦ ଅଂଚଳର ପ୍ରଭାତ କୁମାର ପଲାଇ (୨୪)ଙ୍କୁ ଥଣ୍ଡା, କାଶ ତଥା କରୋନା ଲକ୍ଷଣ ଦେଖାଯିବା ପରେ ବ୍ରହ୍ମପୁର ଏମ୍‌କେସିଜି ଅନ୍ତଃବିଭାଗର ଆଇସୋଲେସନ୍ ୱାର୍ଡ଼ରେ ରଖାଯାଇ ତାଙ୍କ ନମୁନା ଭୁବନେଶ୍ୱରକୁ ପଠାଯାଇଥିଲା । ଆଜି ସେ ମେଡ଼ିକାଲ୍‌ରୁ କାହାରିକୁ କିଛି ନ ଜଣାଇ କେଉଁଆଡ଼େ ଚମ୍ପଟ ମାରିଛନ୍ତି । ଏନେଇ ଏମ୍‌କେସିଜି ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ତୁରନ୍ତ ତାଙ୍କୁ ଖୋଜିବା ପାଇଁ କୁହାଯାଇଛି । ଏପଟେ ସନ୍ଧିଗ୍ଧ କରୋନା ରୋଗୀ ଫେରାର୍ ହୋଇଯିବା ପରେ ଗଂଜାମ ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଇରାନ୍‌ରେ କୋରୋନା ମୃତ୍ୟୁ ସଂଖ୍ୟା 724ରେ ଛୁଇଁଲା

ତେହେରାନ୍‌ : ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 724ରେ ପହଞ୍ଚିଛି । ରବିବାର ନୂତନ ଭାବରେ 113 ଜଣ ଲୋକ ପ୍ରାଣ ହରାଇଛନ୍ତି । ରବିବାର ସୁଦ୍ଧା ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ପହଞ୍ଚିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଟାଲୀ ଏବଂ ଇରାନ୍‌ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇରାନ ନାଗରିକଙ୍କୁ ନିଜର ବିଦେଶ ଗସ୍ତ ବାତିଲ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କୋରୋନା ମୁକାବିଲା : ସାର୍କ ସମୁଦାୟ ରାଷ୍ଟ୍ରକୁ ଭାରତର 10 ମିଲିୟନ୍‌ ଡଲାର ସହାୟତା

ନୂଆଦିଲ୍ଲୀ : କୋରୋନା ମୁକାବିଲା ପାଇଁ ସମଗ୍ର ବିଶ୍ବ ଏକତ୍ର ଛିଡା ହୋଇଥିବା ବେଳେ ଭାରତ ମଧ୍ୟ ପଛରେ ରହିନାହିଁ । ଦକ୍ଷିଣ ଏସୀୟ ରାଷ୍ଟ୍ର ସୁମଦାୟ (ସାର୍କ)କୁ ଭାରତ 10 ମିଲିୟନ୍‌ ଡଲାରର ସହାୟତା ରାଶି ପ୍ରଦାନ କରିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ଏହା ସହିତ ସମସ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ର ନିମନ୍ତେ ଭାରତୀୟ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ରହିଛି । କୌଣସି ରାଷ୍ଟ୍ର ଆବଶ୍ୟକ କଲେ ମେଡିକାଲ୍‌ ଟିମ୍‌ ପଠାଯିବ ବୋଲି ମୋଦି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭାଇରସ୍‌ ଆତଙ୍କ କାରଣରୁ ଚଳିତ ବର୍ଷର ସାର୍କ ସମୁଦାୟ ବୈଠକକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଉଛି । ଭାରତ ସମେତ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ବୀପ, ନେପାଳ, ଶ୍ରୀଲଙ୍କା ଏବଂ ପାକିସ୍ତାନର ଶୀୋଷ ନେତୃତ୍ବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋରୋନା ଭାଇରସ୍‌କୁ ଜାତୀୟ ସଙ୍କଟ ଘୋଷଣା କଲେ ଭାରତ ସରକାର

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କୋରୋନା ଭାଇରସ୍‌ର ପ୍ରଭାବ ବଢୁଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ଜାତୀୟ ସଙ୍କଟ ବା ମହାମାରୀ ଭାବରେ ଘୋଷଣା କରାଯାଇଛି । କୋରୋନା ପ୍ରଭାବରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ 4 ଲକ୍ଷର ସହାୟତା ଘୋଷଣା କରିବା ସହିତ ସରକାର ଏହାକୁ ମହାମାରୀ ଭାବରେ ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ମାନଙ୍କୁ ପତ୍ର ଲେଖି କୋରୋନା ଭାଇରସ୍‌ ସମ୍ପର୍କରେ ଚେତାଇ ଦିଆଯାଇଛି । ଭାରତରେ କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମହାମାରୀ ଭାବରେ ଘୋଷଣା କରାଯାଇଛି । ସମଗ୍ର ବିଶ୍ବ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥିବାରୁ ଭାରତରେ ଏହି ଭାଇରସ୍‌ ପ୍ରଭାବ ବିସ୍ତାର କରିବା ପୂର୍ବରୁ ଏହାକୁ ରୋକିବା ପାଇଁ ଏହାକୁ ଜାତୀୟ ସଙ୍କଟ ଭାବରେ ଘୋଷଣା କରାଯାଇଛି ବୋଲି ଗୃହ ମନ୍ତ୍ରାଳୟ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । (ଏଜେନ୍ସି)