Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ଲୋକାର୍ପିତ ହେଲା ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ

ହେମାଙ୍ଗ ପ୍ରସାଦ ରାଉଳ

ଗଞ୍ଜାମ: କରୋନା ମହାମାରୀର ମୁକାବିଲା କରିବା ପାଇଁ ଓଡିଶା ସରକାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ-୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ପୂର୍ବରୁ ରାଜ୍ୟରେ ୭ଟି କୋଭିଡ୍‌ ହସ୍ପିଟାଲର ଉଦ୍‌ଘାଟନ କରାଯାଇଥିଲା।  ଟାଟା ଷ୍ଟିଲ ଦେଇଥିବା ପାଣ୍ଠି ଦ୍ଵାରା ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଟାଟା ଷ୍ଟିଲ ମେଡିକା ଦ୍ବାରା ଏହି ହସ୍ପିଟାଲ ନିୟନ୍ତ୍ରିତ ହେବ। ଏହି ମେଡିକାଲଟି ଉଭୟ ଡିସିଏଚ ଏବଂ ଡି ସିଏ ସି ଭାବେ କାର୍ଯ୍ୟ କରିବ। ଏମକେସିଜି ଗଞ୍ଜାମ ପକ୍ଷରୁ ଡାକ୍ତର, ଷ୍ଟାଫ ନର୍ସ ଏବଂ ଅନ୍ୟାନ୍ୟ ସରଞ୍ଜାମ ଏହି ହସ୍ପିଟାଲକୁ ଯୋଗାଇ ଦିଆଯିବ।

କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଏଠାରେ ଭେଣ୍ଟିଲେଟର ସହିତ ୧୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଆଉ ୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯିବ। ଏଥିରେ ଅଲଗା ଅଲଗା ଆଇସୋଲେସନ ଏବଂ ସାଧାରଣ କୋଭିଡ ୱାର୍ଡ ରହିବ। ଏହି ହସ୍ପିଟାଲ ପାଇଁ ନୋଡାଲ ଅଫିସର ଡାକ୍ତର ଉମା ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି।

ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ରହିବା ଲାଗି ମେଡିକାଲ କ୍ୟାମ୍ପସ ଭିତରେ ବ୍ୟବସ୍ଥା ହୋଇଛି। ଟାଟା ମେଡିକାର କର୍ମଚାରୀ ଏହି ହସ୍ପିଟାଲର କାର୍ଯ୍ୟକୁ ସୁରୁଖୁରୁରେ ଚାଲିବାରେ ସହାୟତା କରିବେ। ଏହି ହସ୍ପିଟାଲରେ କୋଭିଡ-୧୯ ର ନିୟମାବଳୀକୁ କଡାକଡି ପାଳନ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲ୍‌ର ଉଦ୍‌ଘାଟନ ଅବସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ, ବିଏମ୍‌ସି କମିଶନର, ଟାଟା ମେଡିକାଲର ଅଧିକାରୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଦୁଇଶହ ଭଡାଟିଆଙ୍କ ଘର ଭଡା ଛାଡ କଲେ ଘର ମାଲିକ

ନ୍ୟୁୟର୍କ : ଜଣେ ଘର ମାଲିକ 18 ମହଲା ବିଶିଷ୍ଟ 80ଟି ଆପାର୍ଟମେଣ୍ଟରେ ରହୁଥିବା 200ରୁ ଅଧିକ ଭଡାଟିଆଙ୍କ ଅପ୍ରେଲ ମାସର ଘର ଭଡାକୁ ଛାଡ କରିଛନ୍ତି । ଘର ଭଡା ଛାଡ କରିଥିବା ଘର ମାଲିକ ନ୍ୟୁୟର୍କର । ନ୍ୟୁୟର୍କର ବ୍ରୁକଲିନ୍‌ରେ ରହୁଥିବା ଏହି ଘର ମାଲିକ ଜଣକ କହିଛନ୍ତି ଯେ, କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ସେ ତାଙ୍କ ଭଡାଟିଆମାନଙ୍କୁ କୌଣସି ପ୍ରକାରର ଚିନ୍ତା ଦେବାକୁ ଚାହାଁନ୍ତି ନାହିଁ । କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରୁଥିବା ଏହି ଘର ମାଲିକଙ୍କ ନାମ ହେଉଛି ମାରିୟୋ ସଲେରନୋ । ସେ ତାଙ୍କ ଆପାର୍ଟମେଣ୍ଟ ବାହାରେ ଏକ ପୋଷ୍ଟର ଦ୍ବାରା ଅପ୍ରେଲ୍‌ ମାସର ଘର ଭଡା ଛାଡ କରିଛନ୍ତି ବୋଲି ଘୋଷଣା କରିଛନ୍ତି ।

କରୋନା ମହମାରୀ ଯୋଗୁଁ ଆମେରିକାର ନ୍ୟୁୟର୍କ ସହର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଅଧିକସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି ।  ଏଠାରେ କାମ ବନ୍ଦରହିଥିବା ବହୁ ଲୋକଙ୍କ ଚାକିରି ମଧ୍ୟ ଚାଲିଯାଇଛି ।ଆମେରିକାର ଅନ୍ୟ ବଡ ସହରଠାରୁ ନ୍ୟୁୟର୍କ ସହରରେ ଅଧିକ ଲୋକ ଭଡାରେ ରହିଥା’ନ୍ତି । ଏଠାରେ ଲୋକଙ୍କ ଦରମାର ଅଧା ଅଂଶ ଘରର ଭଡାରେ ଚାଲିଯାଇଥାଏ ।

ମାରିୟୋ ତାଙ୍କ ଭଡାଟିଆମାନଙ୍କ ଘର ଭଡା ଛାଡ କରିବା ସହ ତାଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି ମାରିୟୋ । ମାରିୟୋଙ୍କ ଆପାର୍ଟମେଣ୍ଟ ଯେଉଁ ଅଞ୍ଚଳରେ ରହିଛି, ସେଠାରେ ଟୁବିଏଚ୍‌କେ ଆପାର୍ଟମେଣ୍ଟର ହାରାହାରି ମାସିକ ଭଡା ମୂଲ୍ୟ 2 ଲକ୍ଷ 13 ହଜାର ଅଟେ ।

କରୋନା ଯୋଗୁଁ ଆମେରିକାରେ ଅର୍ଥନୀତିକୁ ଅଚାନକ ଝଟ୍‌କା ଲାଗିଛି । ଏହି କାରଣରୁ ନ୍ୟୁୟର୍କରେ ରହୁଥିବା ଅଧିକାଂଶ ଲୋକେ ଏବେ ଘର ଭଡା ଦେବା ପାଇଁ ଚିନ୍ତାରେ ପଡିଯାଇଛନ୍ତି ।

ମାରିୟୋଙ୍କ 80ଟି ଆପାର୍ଟମେଣ୍ଟରେ 200ରୁ 300 ଲୋକ ରହୁଛନ୍ତି । ମାରିୟୋ କହିଛନ୍ତି ଯେ, ସେ ତାଙ୍କ ଭଡାଟିଆଙ୍କୁ କୌଣସି ପ୍ରକାରର ଚିନ୍ତା ଦେବାକୁ ଚାହୁଁନାହାନ୍ତି । ମାରିୟୋ କହିଛନ୍ତି ଯେ, ଗତ ମାସ କିଛି ଭଡାଟିଆ ଘର ଭଡା ଦେଇପାରିବେ ନାହିଁ ବୋଲି ମେସେଜ୍‌ କରିଥିଲେ । ଆୟାର୍ଲାଣ୍ଡର ତିନିଜଣ ଭଡାଟିଆ ଏପରି ସମସ୍ୟାକୁ ଦେଖି ସ୍ଥାନ ଛାଡି ଚାଲିଯାଇଛନ୍ତି । ଏଥିପାଇଁ ମାରିୟୋ ଏପରି ସଂକଟ ସମୟରେ ତାଙ୍କ ଭଡାଟିଆ ମାନେ ସୁସ୍ଥ ଓ ଚିନ୍ତାଶୂନ୍ୟ ରହିବା ପାଇଁ ସେ ତାଙ୍କର ଭଡାଟିଆଙ୍କ ଅପ୍ରେଲ ମାସର ଘର ଭଡା ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଆମ ରାଜ୍ୟରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଲୋକଙ୍କଠାରୁ ତିନିମାସର ଘର ଭଡା ଛାଡ ବା ପରେ ଏହାକୁ ନେବା ପାଇଁ ଅନୁରୋଧ କରିଛନ୍ତି ।

Categories
ବିଶେଷ ଖବର

ସତ୍ୟନଗରର କରୋନା ସତ୍ୟ; ସ୍ୱାସ୍ଥ୍ୟ ବିଭାଗ ନୀରବ, ହେଲେ ମହାନଗର ନିଗମ ଅଞ୍ଚଳକୁ ସିଲ କରିଛି କାହିଁକି?

ସମୀକ୍ଷା ବ୍ୟୁରୋ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42ରେ ପହଞ୍ଚିଥିବାବେଳେ ଜଣକଙ୍କର ମୃତ୍ୟୁ ହୋଇଯାଇଛି। ଭୁବନେଶ୍ବରକୁ କରୋନା ହଟସ୍ପଟ୍‌ ବୋଲି ଚିହ୍ନଟ କରାଯାଇଛି  ସର୍ବାଧିକ କରୋନା ରୋଗୀ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ଆଜି ସକାଳୁ ଭୁବନେଶ୍ବରର କେନ୍ଦ୍ରରେ ଥିବା ସତ୍ୟନଗର ଅଞ୍ଚଳକୁ ବିଏମସି ତରଫରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଏହି ଅଞ୍ଚଳରୁ କେହି ଆକ୍ରାନ୍ତ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହି ନାହିଁ। ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚୁପ୍‌ ରହିଥିବା ବେଳେ ମହାନଗର ନିଗମର ପଦକ୍ଷେପକୁ ନେଇ ଅନେକ ଦ୍ଵନ୍ଦ୍ଵ ଉପୁଜିଛି।

ଭୁବନେଶ୍ବରର ଝାରପଡା, ବମିଖାଲ, ସୂର୍ଯ୍ୟନଗର, କପିଳପ୍ରସାଦ ପରି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ରୂପେ ଘୋଷଣା କରାଯାଇ ସେହି ସବୁ ଅଞ୍ଚଳକୁ ସିଲ୍‌ କରାଯାଇଥିଲା। କିନ୍ତୁ ମିଳିଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ହିସାବରେ ସତ୍ୟନଗରରୁ କେହି ଆକ୍ରାନ୍ତ ରହିଥିବାର ସୂଚନା ନାହିଁ। ସତ୍ୟନଗରରୁ କେହି କରୋନା ଆକ୍ରାନ୍ତ ଥିବାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ରହିଥିବାବେଳେ ବିଏମ୍‌ସି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ରୂପେ ଘୋଷଣା କରିବା ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ରାଜ୍ୟ ସରକାର କରୋନା ଆକ୍ରାନ୍ତଙ୍କୁ ନେଇ ବେଶ୍‌ ସମ୍ବେଦନଶୀଳ ରହିଛନ୍ତି। କରୋନା ସହ ଲଢେଇ ପାଇଁ ରାଜ୍ୟ ସରକାର ଯଥାସମ୍ଭବ ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟରେ 7ଟି କୋଭିଡ ହସ୍ପିଟାଲ କାର୍ୟକ୍ଷମ ହୋଇସାରିଛି ଓ ଏନେଇ ରାଜ୍ୟସ୍ବାସ୍ଥ୍ୟ ବିଭାଗ ବେଶ୍‌ ସଜାଗ ରହିଛି।

ବିଏମସି ସତ୍ୟ ନଗରରୁ କରୋନା ଆକ୍ରାନ୍ତ ମିଳିଥିବା ନେଇ କହିଥିବାବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବା ମଧ୍ୟ  କହିଛି। ଆକ୍ରାନ୍ତଙ୍କ କୌଣସି ଯାତ୍ରା ବିବରଣୀ ନଥିବାରୁ ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ବିବେଚନା କରାଯାଉଛି ବୋଲି ବିଏମ୍‌ସି କହିଛି। ତେବେ ସତ୍ୟନଗରର କରୋନା ପଜିଟିଭି ସମ୍ପର୍କରେ କାହାକୁ କିଛି ସୂଚନା ମିଳିନଥିବା ହେତୁ ବିଏମସିର ଏପରି ପଦକ୍ଷେପ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଉଛି। ତେବେ ସତ୍ୟନଗରର ଦ୍ବନ୍ଦ୍ବକୁ ଏବେ ରାଜ୍ୟ ସରକାର ଓ ବିଏମ୍‌ସି ମଧ୍ୟରେ ତାଳମେଳ ନାହିଁ ବୋଲି ଅନୁମାନ କରାଯାଉଛି। ତେବେ ସେ ଯାହାବି ହେଉ ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ ସୂଚନା ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି।

ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ 42 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ସର୍ବାଧିକ 34 ଜଣ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରର ଝାରପଡାର 72 ବର୍ଷୀୟ ବ୍ୟକ୍ତି କରୋନା ଯୋଗୁଁ ପ୍ରାଣ ହାରିଛନ୍ତି। ଭୁବନେଶ୍ବରର ବମିଖାଲ ଅଞ୍ଚଳରେ ସର୍ବାଧିକ 19ଜଣ ଚିହ୍ନଟ ହୋଇଥିବାବେଳେ ସୂର୍ଯ୍ୟନଗର ଅଞ୍ଚଳରେ 7 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଭଦ୍ରକ, ଯାଜପୁର ଆଦି ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତରେ 5000 ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାରକୁ ଟପିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ମୃତ୍ୟୁ ସଂଖ୍ୟା 149ରେ ପହଞ୍ଚିଛି। ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା 5 ହଜାର 194କୁ ବୃଦ୍ଧି ହୋଇଛି। ସେହିପରି 402 ଜଣ ସୁସ୍ଥ ହୋଇଛନ୍ତି। ଗତ 12 ଘଣ୍ଟା ମଧ୍ୟରେ 25 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ମହାରାଷ୍ଟ୍ରରେ ସର୍ବାଧିକ 1018 ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ 64ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ 13-13ଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଳୀରେ ସାତ, ପଞ୍ଜାବ ଓ ତେଲେଙ୍ଗାନାରେ ବି 7-7ଜଣଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗରେ 5, ଉତ୍ତରପ୍ରଦେଶ – ରାଜସ୍ଥାନରେ 3-3 ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶରେ 4, ତାମିଲନାଡୁରେ 7, କର୍ଣ୍ଣାଟକରେ 4, ଜମ୍ମୁକାଶ୍ମୀର ଓ କେରଳରୁ ଦୁଇଜଣ ଲେଖାଏଁ, ହିମାଚଳ, ଓଡ଼ିଶା ଓ ବିହାରରେ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ: ପାରାଦ୍ବୀପରେ ହେଲା କୋଭିଡ ହସ୍ପିଟାଲ୍

ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ପୃଥକ ବାସ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଦୃଢ଼ କଟକଣା ଜାରୀ କରିଛନ୍ତି।

ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ପ୍ରତିଦିନ ସକାଳ ୦୬ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲାରହିବ। ପ୍ରତ୍ୟେକ ଦୋକାନ ସହିତ ଔଷଧ ଦୋକାନ ଗୁଡିକ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ।ସାମାଜିକ ଦୂରତ୍ୱ ବଜାୟ ରଖିବା ଆଇନ ଅବମାନନାକୁ ଜିଲ୍ଲା ପ୍ରଶାସନ ଜିରୋଟଲରାନସ ଭାବରେ ଗ୍ରହଣ କରିଛି। ସାମାଜିକ ଦୂରତ୍ୱ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ଅପରାଧି ଭାବେ ବିବେଚନା କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଦୋକାନୀ/ବ୍ୟବସାୟୀ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ନରଖିବେ ସେହି ଦୋକାନକୁ ସିଲ୍ କରାଯିବ। ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ ବିକ୍ରି କରୁଥିବା ଦୋକାନୀ ମାସ୍କ (Face Mask)ବ୍ୟବହାର କରିବେ।ସଂପୃକ୍ତ ଦୋକାନ ମାନଙ୍କୁ ଆସୁଥିବା ସମସ୍ତ ଗ୍ରାହକ (ମୁହଁରେ) ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ। ଅଯଥାରେ ବାହାରେ ବୁଲାବୁଲି କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପୋଲିସ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପାରାଦ୍ୱୀପ ପୋର୍ଟ ହସପିଟାଲ ଏବଂ ଭାରତୀୟ ତୈଳ ନିଗମ (iocl)ହସପିଟାଲକୁ କୋଭିଡ୍ ହସପିଟାଲ୍ ଭାବେ ଘୋଷଣା କରିଛନ୍ତି। ଏହି ହସପିଟାଲରେ କୋଭିଡ୍ ଆଇସୋଲେସନ ସେଣ୍ଟର ,ସନ୍ଦିଗ୍ଧ ଏବଂ ପଜିଟିଭ୍ କୋଭିଡ୍-୧୯ ରୋଗୀ ଚିକିତ୍ସିତ ହୋଇପାରିବେ।ଏଥିସହିତ ଜଗତସିଂହପୁର ଜିଲ୍ଲାର ରାହାମା ହାଟରେ ଗ୍ରାହକମାନେ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ ଏହି ସାପ୍ତାହିକ ରାହାମା ହାଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି।

ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନେ ସାମଗ୍ରୀ ପରିବହନ ଯାନ,ଆମ୍ବୁଲାନ୍ସ, ପୋଲିସ୍ ଗାଡ଼ି,କୋଭିଡ୍-୧୯ ପାଇଁ ବ୍ୟବହୃତ ଜରୁରୀକାଳୀନ ଯାନ, ସରକାରୀ ଯାନ, ପାସ୍ ପାଇଥିବା ଯାନ, ଭାଲିଡ୍ ପରିଚୟପତ୍ର ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଚଳାଉଥିବା ଯାନକୁ ଅପରାହ୍ନ ୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପେଟ୍ରୋଲ,ଡିଜେଲ୍, ଲୁବ୍ରିକାଣ୍ଟ ପ୍ରଦାନ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକମାନଙ୍କ ସାମାଜିକ ଦୂରତା ବଜାୟ ନ ରଖିବାରୁ ଜିଲ୍ଲାପାଳ କଲେକଟୋରେଟ୍ କ୍ୟାମ୍ପସ୍ ୟୁକୋ ବ୍ୟାଙ୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଫୋକସ୍‌ରେ ଗଂଜାମର କରୋନାର କରୁଣ ଚିତ୍ର: ନିରୀହ ମଣିଷର କଥା ପୁଣି ବଡ ଦାରୁଣ ବ୍ୟଥା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବର୍ତ୍ତମାନ ସାରା ପୃଥବୀ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ଏଭଳି ବିପତ୍ତି ବର୍ତ୍ତମାନର ମଣିଷ ମାନେ କେବେ ବି ଦେଖିନଥିଲେ। ହାହାକାରମୟ, ଆତଙ୍କିତ, ଆଶଙ୍କିତ ପରିବେଶ। ନୀରବତାର ପୃଥିବୀରେ ଏକରୁ ଅନେକ ମଣିଷ ମନରେ ସେଇ କେବଳ ଗୋଟିଏ ପ୍ରଶ୍ନ, କେବେ ଘଟିବ ଅନ୍ତ? କରୋନାର କରୁଣ ପ୍ରହାର ଆଗରେ ହାର ମାନିଛି ସଭ୍ୟ ସମାଜର ଜ୍ଞାନବିଜ୍ଞଶନ ବୌଦ୍ଧିକ ଚେତନାର ସମସ୍ତ ସୂତ୍ର। ହେଲେ ଯେଉଁ ମଣିଷମାନେ ପ୍ରତିଦିନ ସନ୍ତୁଳିତ ହୋଇ ଅକୁହା ବେଦନାର ଚିନ୍ତାଗ୍ରସ୍ତ ଚାପରେ ଷଢ଼ୁଛନ୍ତି ସେଇ ମଣିଷର କଥା, ବ୍ୟଥା ଲେଖିଲେ କଲମ ମଧ୍ୟ କାନ୍ଦି ଉଠିବ। ଗଂଜାମ ଜିଲ୍ଲାରେ ୧୬ ଦିନ ପୂରଣ କରିଛି ଲକ୍‌ଡ଼ାଉନ୍।

ବ୍ରହ୍ମପୁର ସହରର ନିକଟବର୍ତ୍ତୀ ଅଂଚଳରେ ବସବାସ କରୁଥିବାଖଟିଖିଆ, ଦିନ ମଜୁରିଆ, ରିକ୍‌ସା ଚାଳକ ଶ୍ରମ ଜୀବନର ଦୁଃଖ ଅଜାଡ଼ି ହୋଇ ପଡ଼ିଛି ପାହାଡ଼ ଉପରେ ଏମାନଙ୍କ ସଂସାରରେ। ଛୋଟ କୁଡ଼ିଆ ତଳେ ଜୀବନର ଦାରୁଣ ଚିତ୍ର ସତରେ ଅସହ୍ୟ।

ଗଂଜାମ ଜିଲ୍ଲା ପ୍ରଶାସନ ନିଷ୍ଠାର ସହ କରୋନାର ଭୟକୁ ଦୂରେଇ ଯାବତୀୟ ପ୍ରୟାସ ଚଲାଇଛି। ପୋଲିସ୍ ଅଧିକାରୀ ମଧ୍ୟ ଅନୁରୂପ କୌଣସି ବିଷୟରେ ସାମାନ୍ୟ ତ୍ରୁଟି ନ ରଖି ନିଜ କାର୍ଯ୍ୟ ସଂପାଦନାରେ ମଗ୍ନ ରହିଛନ୍ତି। ଏଇମାନଙ୍କ ପାଇଁ ଗଂଜାମ ଜିଲ୍ଲା ଏକପ୍ରକାର ଅଭେଦ୍ୟ ଗଡ଼ର ଭ୍ରମ ସୃଷ୍ଟି କରୁଛି। କୌଣସି ପ୍ରକାରେ କରୋନାର ପ୍ରକୋପ ବୃଦ୍ଧି ନପାଉ ଏହା ସମସ୍ତଙ୍କ ଏକମାତ୍ର ଲକ୍ଷ୍ୟ। ଏପରି ସମୟରେ ଡ଼ାକ୍ତରୀ ବିଜ୍ଞାନ ସହ ପ୍ରତ୍ୟକ୍ଷ ସଂପର୍କ ରଖିଥିବା ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ଡ଼ାକ୍ତର, ପ୍ରଫେସର, ଛାତ୍ରଛାତ୍ରୀ ଏବଂ ସିନିୟର ରେସିଡ଼େଣ୍ଟ ପ୍ରାୟ ଏକହଜାର ପ୍ରସ୍ତୁତ ଅଛନ୍ତି ଏହା ନିଶ୍ଚୟ ଯେ, କୌଣସି ପରିସ୍ଥିତିର ମୁକାବିଲା ପାଇଁ। ଏଇମାନଙ୍କ ସାଧନ ଯଥେଷ୍ଟ ନହେଲେ ବି ନିରାଶାଜନକ ମଧ୍ୟ ନୁହଁ।

ବର୍ତ୍ତମାନ ଗଂଜାମ ଜିଲ୍ଲା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ଶୀର୍ଷରେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବଶାଳୀ ପଦାଧିକାରୀମାନେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହି ପ୍ରତି ବ୍ଲକ୍‌ର ତଥ୍ୟକୁ ନେଇ ଅନୁଶୀଳନ ଓ ବୈଠକ ଘଡ଼ି ଘଡ଼ିକେ ବସୁଛି। ଏପରିକି ମିଡ଼ିଆ ମଧ୍ୟ ଟେର୍ ପାଉନି। ଲକ୍‌ଡ଼ାଉନ୍ ପରେ ସାଧାରଣ ଜନତା ଅଧିକ ସଚେତନ ହୋଇ ଲୋକଶୂନ୍ୟ ହୋଇଯାଉଛି ରାଜପଥ। କୌଣସି ସମୟରେ କରୋନାର ପ୍ରହାରରୁ ବଂଚିତ ହେବା ପାଇଁ ସମସ୍ତଙ୍କ ପ୍ରୟାସ ବଳବତ୍ତର ସମୟ ସାଥୀ ହେଲେ ଓଡ଼ିଶାର ବର୍ତ୍ତମାନ ସ୍ଥିତିର ଗଂଜାମର କଥା ଭିନ୍ନ ହେବ। ଆମେ ଘରେ ରହି ମୁକାବିଲାରେ ଯଦି ସଫଳ ହେବା କରୋନା ଚିତ୍ର ଦୁର୍ବଳ ହେବ ଏହା ନିଃସଂଦେହ।

ତେବେ ଗଂଜାମ ଜିଲ୍ଲାର ଖଟିଖିଆ, ଦିନ ମଜୁରିଆ, ରିକ୍‌ସାଚାଳକ, ଶ୍ରମଜୀବୀଙ୍କ ପାଇଁ ୧୬ ଦିନ ଧରି କୌଣସି କାମଧନ୍ଦା ନାହିଁ। ସରକାରୀ ସୁବିଧା ଓ ସେବା ଯାହା ଦିଆଯାଇଛି ସେଥିରେ ସବୁ ପରିବାରର ପ୍ରାଣୀଙ୍କ ପେଟ ପୁରିବା ମଧ୍ୟ କ’ଣ ସମ୍ଭବ। ଏପରି ଏକ ଅପ୍ରତ୍ୟାଶିତ ଆକ୍ରମଣ ରୋଗର ଦାଉରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବାବେଳେ ଅନେକ ସାଂଘାତିକ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି। ଅସହାୟ ଜୀବନୀର ସ୍ୱର ଭାବରେ ଗଣମାଧ୍ୟମ ଯେତିକି ସହଯୋଗ କରିଛି ନିଶ୍ଚୟ ବନ୍ଦନୀୟ କିନ୍ତୁ ସାଧାରଣ ମଣିଷର କଥାବ୍ୟଥାକୁ କେମେରା ଓ ଲେଖନୀ ଯୋଡ଼ି ଦେଲେ ଏହି କରୁଣ ଚିତ୍ରଗୁଡ଼ିକ କେତେ ସାଂଘାତିକ ସ୍ପଷ୍ଟ ବାରି ହୋଇପଡ଼ିବ। ଏଭଳି ସହରର ଦୁଇ ଜଣ ଖଟିଖିଆଙ୍କୁ ଆମେ ଭେଟି ତାଙ୍କ ଦୁଃଖ ଶୁଣିଥିଲୁ। ଏହି ଦୁଇଜଣ ହେଲେ ଗରିବ ଶ୍ରମଜୀବୀ କାଳିଆ ଦାସ ଓ ଅନ୍ୟ ଜଣେ ରିକ୍‌ସାବାଲା ବିକ୍ରମ। କାଳିଆ ଦାସ ଉତ୍କଳ ହଲ୍‌ ଆପାର୍ଟମେଣ୍ଟ ପଛପଟେ ଥିବା ଏକ ବସ୍ତିରେ କୁଡିଆ ଘରେ ରହିଛି। ଦିନରେ ଗୋଟିଏ ଓଳି ଖାଇବା ଯୋଗାଡ କରିବା ବହୁ କଷ୍ଟ ହୋଇପଡିଛି ତାଙ୍କ ପକ୍ଷରେ।

ସେହିପରି ରିକ୍‌ସାବାଲା ବିକ୍ରମଙ୍କ କାହାଣୀ ଆହୁରି  ଦାରୁଣ। ଖାଲାସୀ ସାହିରେ ରହୁଥିବା ବିକ୍ରମଙ୍କ ସ୍ତ୍ରୀ ପିଲାଛୁଅଙ୍କ ସହ ବାପା ମା’ ରହୁଛନ୍ତି। ପୂର୍ବରୁ ସହରରେ ଅତ୍ୟଧିକ ଅଟୋସଂଖ୍ୟା ବଢ଼ିଯିବାରୁ ଆଉ ରିକ୍‌ସାରେ କେହି ଯାତାୟତ କରୁନଥିଲେ। ବର୍ତ୍ତମାନ ଏଭଳି କରୋନା ଯୋଗୁଁ ଆଉ ରିକ୍‌ସାରେ ଭଡ଼ା ହେଉନାହିଁ।  ପ୍ରତିଦିନ ରିକ୍‌ସା ଚଳାଇଲେ ଯାହା ରୋଜଗାର କରୁଥିଲି ସେଥିରେ ସେ ଚଳୁଥିଲେ କିନ୍ତୁ କରୋନାର ତାଡନାରେ ତାଙ୍କ ଦୁଃଖ ଆହୁରି ବଢିଯାଇଛି। କିଛି ସଞ୍ଚୟ ନଥିବାରୁ ଏପରି ସମୟରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଛି।

ବିକ୍ରମ ଏବଂ କାଳିଆଙ୍କ ପରି ଶହ ଶହ ଶ୍ରମଜୀବୀ, ରିକ୍‌ସାଚାଳକ ଏବଂ ଦାଦନ ଶ୍ରମିକ ବର୍ତ୍ତମାନ ଭାଗ୍ୟକୁ ନିନ୍ଦି ଘରେ ପଡ଼ି ରହିଛନ୍ତି। କରୋନା ବଡ଼ବଡ଼ିଆ, ଚାକିରିଆ ତଥା ସଂଚୟ କରି ରଖିଥିବା ଲୋକଙ୍କ ପାଇଁ ମଉଜ, ମଜଲିସ୍‌ର ଦିନ ଆଣିଥିବାବେଳେ ଗରିବ, ଖଟିଖିଆଙ୍କ ପାଇଁ ଦୁଃଖର ପାହାଡ଼ ଲଦିଦେଇଛି। ସରକାରୀ ସ୍ତରରେ ସାହାଯ୍ୟ ପ୍ରଦାନ କରାଯାଉଛି କିନ୍ତୁ ତୃଣମୂଳ ସ୍ତରରେ ସାହାଯ୍ୟ ପହଞ୍ଚିଲା ପର୍ଯ୍ୟନ୍ତ ଏମାନେ ବଂଚିଥିଲେ ହେଲା।

Categories
ଆଜିର ଖବର ରାଜ୍ୟ ଖବର

ସରକାରଙ୍କ ତତ୍ତ୍ବାବଧାନରେ ହେବ କରୋନା ମୃତକଙ୍କ ଅନ୍ତିମ ସଂସ୍କାର: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: କରୋନା ରୋଗୀର ମୃତ୍ୟୁ ଏବଂ ଶବସତ୍କାର ସମ୍ପର୍କରେ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି। ସରକାରଙ୍କ ତତ୍ତ୍ବାବଧାନରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସରକାରୀ ତତ୍ତ୍ବାବଧାନରେ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନାରେ ମୃତ୍ୟୁ ହେଲେ କେନ୍ଦ୍ର ନିର୍ଦ୍ଦେଶନାମା ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ବାଗ୍‌ଚୀ। କରୋନାରେ ମୃତ୍ୟୁ ଘଟିଲେ ରାଜ୍ୟସରକାରଙ୍କୁ ହସ୍ପିଟାଲ ଶବ ଦେବ ବୋଲି କହିଛନ୍ତି ବାଗ୍‌ଚୀ।

Categories
ବିଶେଷ ଖବର

କରୋନା ସଙ୍କଟ ସମୟରେ ଧର୍ମର ବିଫଳତା ଓ ବିଜ୍ଞାନର ଆବଶ୍ୟକତାକୁ ଆମେ ବୁଝିବା ଉଚିତ ହେବନାହିଁ କି?

କେଦାର ମିଶ୍ର

ଗତକାଲି ସନ୍ଧ୍ୟାରେ କୌଣସି ଏକ ଟେଲିଭିଜନ ଚାନେଲରେ ଭାବପ୍ରବଣ ରିପୋର୍ଟଟିଏ ଦେଖୁଥିଲି। ରିପୋର୍ଟର ମହାଶୟ ପୁରୀ ଶ୍ରୀମନ୍ଦିର ଆଗରେ ଠିଆ ହୋଇ କହୁଥିଲେ- ଭାବର ଠାକୁରଙ୍କ ପାଖକୁ ଭକ୍ତମାନେ ଆସି ପାରୁନଥିବାରୁ ବଡ ବିକଳ ହୋଇ କାନ୍ଦୁଛନ୍ତି। ସତକଥା, ଭକ୍ତମାନେ ବିକଳ ହୁଅନ୍ତି ଓ କନ୍ଦାକଟା କରନ୍ତି। ହେଲେ ସାରା ପୃଥିବୀରେ ଆଜି ଯେଉଁ ମହାମାରୀ ବ୍ୟାପିଛି, ସେଥିରେ ଭାବ ଓ ଭାବ ପ୍ରବଣତାର ଅର୍ଥ ହେଉଛି ନିରୋଳ ଆତ୍ମହତ୍ୟା। ଏମିତି ଏକ ସଙ୍କଟ ସମୟରେ ଏ ପ୍ରକାର ଭାବ ପ୍ରବଣ ରିପୋର୍ଟିଂ ହେଉଛି, ଲୋକଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇବା ସହ ସମାନ। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆମକୁ ସାମାଜିକ ଭିଡକୁ ନିୟନ୍ତ୍ରିତ କରିବାକୁ ପଡିବ। ଧର୍ମ ଦୁଆରରେ ଆଜି ସେ ଭିଡ କମିଯାଇଛି, ଏହା ମଣିଷ ଜାତି ପାଇଁ ଏକ ସୁଯୋଗ। ଆଜିର ତାରିଖରେ ଜୀବନର ମନ୍ଦିର ହେଉଛି ଡାକ୍ତରଖାନା, ଲାବୋରେଟୋରୀ ଏବଂ ଯୋଗାଯୋଗ ବ୍ୟବସ୍ଥା। ଆଜି ଆମ ପାଖରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯଦି ନଥାନ୍ତା, ତାହେଲେ ଆମେ ଘୋର ଅନ୍ଧକାର ଭିତରେ ପଡିରହିଥାନ୍ତେ। ତେଣୁ ଆଜି ଧର୍ମକୁ ନେଇ ଭାବ ପ୍ରବଣ ହେବାର କୌଣସି ଅର୍ଥ ନାହିଁ।

ଧର୍ମକୁ ନେଇ ଅହଂକାର ଓ ଅନ୍ଧପଣ ଯେ କେତେ ମାରାତ୍ମକ ହୋଇପାରେ, ତାର ଏକ ଉଦାହରଣ ଆମେ ଦିଲ୍ଲୀ ସ୍ଥିତ ତବଲିଗି ଜମାତ ଘଟଣାରୁ ଦେଖିଲେ। ଭାରତର ୩୦% ସଂକ୍ରମଣ କେବଳ ନିଜାମୁଦ୍ଦିନରୁ ବ୍ୟାପିଲା। କେବଳ ଭାରତ ନୁହେଁ ପାକିସ୍ତାନ ଓ ମାଲେସିଆରେ ତବଲିଗି କାର୍ୟକ୍ରମ ଯୋଗୁଁ ସଂକ୍ରମଣ ବ୍ୟାପକ ହୋଇଥିଲା। ଏହା କୌଣସି ଉଦ୍ଦେଶ୍ୟମୂଳକ ଯୋଜନା ବା ଚକ୍ରାନ୍ତ ବୋଲି ଆମେ କହିପାରିବା ନାହିଁ। ଏହା ସ୍ଵାଭାବିକ ଭାବରେ ଧର୍ମର ଅନ୍ଧପଣ ଓ ଏହି ଅନ୍ଧତ୍ଵ କାରଣରୁ ଶହ ଶହ ବର୍ଷ ଧରି ମଣିଷ ସଭ୍ୟତା ଭୟଙ୍କର ବିପଦରେ ପଡିଛି। ତଥାପି ଏ ଅନ୍ଧାରରୁ ମଣିଷର ମୁକ୍ତି ନାହିଁ।

ତେବେ ଗୋଟିଏ ଧର୍ମ ନୁହଁ, ସବୁ ଧର୍ମର ମୌଳିକ ଗୁଣ ହେଲା ମଣିଷ ଭିତରେ ଗୋଟେ “ବିଶ୍ଵାସ” ତିଆରି କରିବା। ସେ ବିଶ୍ଵାସ ଅନେକ ସମୟରେ ଅଯୌକ୍ତିକ ଓ କାରଣ ବିହୀନ। ତଥାପି ମଣିଷ ସେ ବିଶ୍ବାସକୁ ଭଲପାଏ। ସେ ବିଶ୍ଵାସ ଉପରେ ଆମର କିଛି କହିବାର ନାଇଁ। ଧର୍ମ ବିରୋଧରେ ବି ବିଶେଷ କିଛି କହିବାର ନାହିଁ। ଯେତେ କହିଲେ ବି ଧାର୍ମିକତା ରହିବ ଓ ଧର୍ମକୁ ଆଶ୍ରା କରି ମଣିଷ ମନ ଭିତରେ ସେ ଅନ୍ଧକାର ରହିବ। କେବଳ ଆଜିର ପ୍ରେକ୍ଷାପଟରେ ଓ ବର୍ତ୍ତମାନ ପ୍ରସଙ୍ଗରେ ଆମେ ଧର୍ମକୁ ବିରତି ଦେବା କଥା କହୁଛୁ। ଆଜି ବଞ୍ଚିବା ଲାଗି ଆମକୁ ବୈଜ୍ଞାନିକଙ୍କ ଉପରେ ବିଶ୍ଵାସ ରଖିବାକୁ ପଡିବ। ଡାକ୍ତର ଓ ବୈଜ୍ଞାନିକମାନେ ଆମକୁ ବଞ୍ଚାଇବେ। ସେଥିଲାଗି ଆଜି ବାରମ୍ବାର ଆମେ ଭାରତ ସମ୍ବିଧାନର “ମୌଳିକ କର୍ତ୍ତବ୍ୟ” କଥାଟିକୁ ମନେ ପକାଇଦେବାକୁ ଚାହୁଁଛୁ।

ସମ୍ବିଧାନର ଚତୁର୍ଥ (କ) ପ୍ରଭାଗର ଧାରା ୫୧ –ଏ-ଏଚ ଅନୁସାରେ ଭାରତର ପ୍ରତ୍ୟେକ ନାଗରିକ ଭିତରେ ବୈଜ୍ଞାନିକ ଚିନ୍ତନ ଏବଂ ମାନବିକତାବୋଧ ପ୍ରତି ଅଙ୍ଗୀକାରବଦ୍ଧ ରହିବାକୁ ନିଜର ମୌଳିକ କର୍ତ୍ତବ୍ୟ ବୋଲି ଭାବିବ।  ଆମେ ସେ କଥା କରୁଛେ କି? ବିଜ୍ଞାନୀର ଭାବନା ବା ବୈଜ୍ଞାନିକ ଚିନ୍ତା ଆଜି ଆମ ସମୟରେ ସବୁଠୁ ଅସହାୟ। ଜଣେ ଷ୍ଟାଣ୍ଡ ଅପ କମେଡିଆନଙ୍କ  ଭାଷାରେ ଆମ ସମୟରେ ଆମେ ବିଜ୍ଞାନର “ଅନର କିଲିଙ୍ଗ” କରି ଚାଲିଛୁ। ସଙ୍କଟ ସମୟରେ ଆମେ ବିଜ୍ଞାନର ଶରଣାପନ୍ନ ହେଉଛୁ, କିନ୍ତୁ ସଙ୍କଟ ସରିଗଲେ ପୁଣି ଧର୍ମର କୋଳରେ ବସି ପଡୁଛୁ।

ଆଜି କରୋନା ଭଳି ଏକ ମାନବୀୟ ସଙ୍କଟରୁ ମୁକ୍ତି ପାଇବାକୁ ହେଲେ ଆମେ କଣ କରିବା ଉଚିତ? ଏ ପ୍ରଶ୍ନର ଉତ୍ତରରେ ସମସ୍ତେ କହିବେ, ଆମେ ଅଧିକରୁ ଅଧିକ ପରୀକ୍ଷା ସରଞ୍ଜାମ, ଭେଣ୍ଟିଲେଟର, ଆଣ୍ଟି ବଡି ଓ ଔଷଧ ତିଆରି କରିବା ଉଚିତ। ହେଲେ ଆମେ ତାହା କରିଛୁ କି? ଚିକତ୍ସା ବିଜ୍ଞାନ ସମ୍ପର୍କରେ ଆମ ଗବେଷଣାର ସ୍ଥିତି କଣ? ଆଜି କରୋନା ପରୀକ୍ଷା ଲାଗି ଆମକୁ ଦକ୍ଷିଣ କୋରିଆରୁ କିଟ ଆମଦାନୀ କରିବାକୁ ପଡୁଛି। ଆମ ପାଖରେ ମୁହଁ ଢାଙ୍କିବା ଲାଗି ମୁଖା କିମ୍ବା ହାତକୁ ଧୋଇବା ଲାଗି ସାନିଟାଇଜର ନାହିଁ। ଯେ କୌଣସି ବଟଲିଙ୍ଗ ପ୍ଳାଣ୍ଟରେ ଆମେ ଆଲକୋହଲିକ ସାନିଟାଇଜର ଆମେ ତିଆରି କରି ପାରିଥାନ୍ତୁ। ନା, ଆମକୁ ଲାଗିଲା ମଦରେ ହାତ ଧୋଇବା ପାପ। ଆରେ ଭାଇ, ମଦ ପିଇବା ଖରାପ, ମଦ ମିଶା ସାନିଟାଇଜର ଜୀବାଣୁ ଓ ଭୂତାଣୁ ମାରିବାରେ ସବୁଠୁ ଭଲ ମାଧ୍ୟମ। ତାର ଉପଯୋଗ କରିବା ନାଇଁ କାହିଁକି? ଆମକୁ କୁହାଗଲା, ଗୋମୂତ୍ର ପିଅ, ଗୋବର ଲଗାଅ- କରୋନା ଛାଡି ପଳାଇବ। ହେଲେ କରୋନା ଆସିଲା ବେଳକୁ ଗୋମୂତ୍ର ବାବାମାନେ ଏବେ କୁଆଡେ ଲୁଚିଛନ୍ତି।

ରାଷ୍ଟ୍ରମୁଖ୍ୟ ଭାବରେ ଆମର ପ୍ରଧାନମନ୍ତ୍ରୀ ବୈଜ୍ଞାନିକ ଚିନ୍ତନକୁ ବଢାଇବା ଲାଗି ନେତୃତ୍ଵ ନେବା କଥା। ହେଲେ କରୋନା ଆତଙ୍କ ସମୟରେ ପ୍ରଧାନମନ୍ତ୍ରୀ ଆମକୁ ଥାଳି ବାଡେଇ ଓ ଦୀପ ଜଳାଇ ମହାଶକ୍ତିର ଜାଗରଣ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏ ମହାଶକ୍ତି ଧାର୍ମିକ ଅପଶକ୍ତିର ଯେ ସାନଭାଇ ସେ କଥା ପ୍ରଧାନମନ୍ତ୍ରୀଙ୍କୁ ବୁଝାଇବ କିଏ?

ମଣିଷ ଜାତି ଲାଗି କରୋନା ଧର୍ମରୁ ମୁକୁଳି ବିଜ୍ଞାନ ସହିତ ଅଧିକ ସମ୍ପର୍କ ବଢାଇବାର ଏକ ସୁଯୋଗ ତିଆରି କରିଛି। ମୂର୍ତ୍ତି, ମନ୍ଦିର, ଗୀର୍ଜା, ମସଜିଦ, ଧାର୍ମିକ ଉତ୍ସବରେ ଅର୍ଥ ନ ଢାଳି ମୌଳିକ ବିଜ୍ଞାନ ପାଇଁ ଅଧିକ ସମ୍ବଳ ବିନିଯୋଗ କରିବାର ଏକ ଆହ୍ଵାନ ଦେଉଛି। ସେ ଆହ୍ଵାନକୁ ଆମେ ଶୁଣୁଛୁ ତ!!

Categories
ଆଜିର ଖବର ଖେଳ ଜାତୀୟ ଖବର

ନିଜର ଦୁଇ ବର୍ଷର ବେତନ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ : ନିଜର ଦୁଇବର୍ଷର ବେତନ ପ୍ରଦାନ କରିବାକୁ ଯାଉଛନ୍ତି କ୍ରିକେଟର ଗୌତମ ଗମ୍ଭୀର । ଗୁରୁବାର ଗମ୍ଭୀର ଏହି ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ପୂର୍ବତନ କ୍ରିକେଟର ଏବଂ ସାଂସଦ ଗମ୍ଭୀର ପୂର୍ବରୁ ୧ କୋଟି ଟଙ୍କା ଏବଂ ଏକ ମାସର ବେତନ ପ୍ରଦାନ କରି ସାରିଥିବା ବେଳେ ଗୁରୁବାର ଏହି ଘୋଷଣା କରିଛନ୍ତି । ଦିଲ୍ଲୀରୁ ବିଜେପିର ସାଂସଦ ରହିଥିବା ଗମ୍ଭୀର ନିଜର ବେତନ ଦାନ କରିବା ନେଇ ଟ୍ୱିଟ୍ଟର ଜରିଆରେ ଘୋଷଣା କରିଛନ୍ତି । ଏହା ସହିତ ଦେଶବାସୀଙ୍କୁ ଅଧିକରୁ ଅଧିକ ପରିମାଣରେ ସହାୟତା କରିବା ପାଇଁ ଗମ୍ଭୀର ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌-୧୯ ମୁକାବିଲା ପାଇଁ ନିର୍ମିତ ହୋଇଛି ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟରେ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଥିବା ବେଳେ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତି। ସେହିପରି ରାଜ୍ୟର ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଯେଉଁଥିରେ ୧,୪୯,୦୬୫ଟି ଶଯ୍ୟା ରହିଛି।

ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ :

୧. ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷ ଏବଂ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ଗୌରବ ବୃଦ୍ଧି କରିବାରେ ଅବଦାନ ରଖିଥିବା ବରପୁତ୍ରମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିକାଶ କ୍ଷେତ୍ରରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଛି। ସେହିପରି ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟବାସୀଙ୍କ ସହଯୋଗରେ ଓଡ଼ିଶା ଆଗୁଆ ରହିଛି। କରୋନା ବିରୋଧରେ ଚାଲିଥିବା ସଂଗ୍ରାମରେ ଆମେ ସମସ୍ତେ ନିଶ୍ଚୟ ବିଜୟୀ ହେବା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

୨. କୋଭିଡ୍‌-୧୯ ସଂକ୍ରମଣ ସମୟରେ ନିଷ୍ଠାପର ସହଯୋଗ କରୁଥିବାରୁ ମିଶନ ଶକ୍ତି ଅନ୍ତର୍ଭୁକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମା’, ଭଉଣୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

୩. ପ୍ରାୟ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଛନ୍ତି ଓ ସେମାନେ ଦୈନିକ ୫୦,୦୦୦ ମାସ୍କ ପ୍ରସ୍ତୁତ କରୁଛନ୍ତି।

୪. ପ୍ରାୟ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତି।

୫. ପ୍ରତି ଗ୍ରାମ ପଞ୍ଚାୟତରେ ରନ୍ଧାଖାଦ୍ୟ ପ୍ରସ୍ତୁତି ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରାଯାଇଛି।

୬. ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନଗୁଡ଼ିକର ଚଳାଚଳକୁ କଟକଣା ମୁକ୍ତ କରାଯାଇଛି। ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ରାଜ୍ୟର ଗୋଦାମ ମାଲିକ,ବ୍ୟବସାୟୀ ସଂଘ, ଖୁଚୁରା ଦୋକାନୀ ଓ ପରିବହନ ସଂସ୍ଥା ମାଲିକମାନଙ୍କ ସହିତ ସଂପର୍କ ରକ୍ଷା କରାଯାଇ ସାମଗ୍ରୀ ଯୋଗାଣ ଓ ପରିବହନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଦୋକାନବଜାର ଇତ୍ୟାଦିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା-ଅଟା, ତେଲ, ଡାଲି, ଆଳୁ ତଥା ପିଆଜ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି।

୭. ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୩,୧୩୩ ଜଣ ଅତିଥି ଶ୍ରମିକଙ୍କୁ ୩୩୬ଟି ଶିବିର ଜରିଆରେ ଖାଇବା ଓ ରହଣି ଯୋଗାଇ ଦିଆଯାଇଛି। ଏହି ସବୁ ଅତିଥି ଶ୍ରମିକ ମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ରାଜ୍ୟର ଅଟନ୍ତି। ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫି୍ର ନଂ-୧୮୦୦୩୪୬୬୭୦୩ ଜାରି କରାଯାଇଛି।

୮. ଆଜି ରାଜ୍ୟର ୪୫୬୩ ଗ୍ରାମ ପଞ୍ଚାୟତରେ ୨,୪୩,୩୩୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୦୪ଟି ପୌରାଞ୍ଚଳରେ ୧୮୪୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

୯. ରାଜ୍ୟର ବିଭିନ୍ନ ସ୍ଥାନରେ ୬୯ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଏଠାରେ ସମୁଦାୟ ୨୯,୧୪୧ ଜଣ ଲୋକ ଉଭୟ ଦିନ ଓ ରାତିରେ ଖାଇବା ସୁବିଧା ପାଇଛନ୍ତି।

୧୦. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ନଗଦ ଅର୍ଥ ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

୧୧. ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏଥିରେ ୧,୪୯,୦୬୫ଟି ଶଯ୍ୟାର ବନ୍ଦୋବସ୍ତ ରହିଛି।

୧୨. କୋଭିଡ୍‌-୧୯ର ଅର୍ଥନୈତିକ ପ୍ରଭାବକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ ଏବଂ ସମସ୍ତ ପୌରସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ଦରମାର ୭୦ ପ୍ରତିଶତ ଏବଂ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ଦରମାର ୫୦ ପ୍ରତିଶତ ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

୧୩. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୧ ମାର୍ଚ୍ଚରୁ ଅପ୍ରେଲ୍‌ ୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୯ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୯୭ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୯ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଓ ୧୩ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତ।

୧୪ କୋଭିଡ୍‌-୧୯ ସଂପର୍କିତ କୌଣସି ଗୁଜବକୁ ପ୍ରଶ୍ରୟ ଦିଆଯିବ ନାହିଁ। ଗୁଜବ ରଟନାକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା :

୧. ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୬୧୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

୨. ପ୍ରଥମ ୨ଟି ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି। ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛି।

୩. ୪ର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କୁ ଚିହ୍ନଟ କରାଯାଇଛି।

୪. ଏହି ୪ର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୧୮ ମାର୍ଚ୍ଚ ୨୦୨୦ରେ ଦୁବାଇରୁ କୋଲକାତା ବିମାନ ଯୋଗେ ଆସିଥିଲେ। କୋଲକାତା ବିମାନ ବନ୍ଦରରୁ ଟ୍ୟାକ୍ସିରେ ଏକୁଟିଆ ହାଓଡା ଷ୍ଟେସନ୍‌ ଯାତ୍ରା କରିଥିଲେ ଏବଂ ୧୮ ତାରିଖ ରାତିରେ ଭଦ୍ରକ ଷ୍ଟେସନ୍‌ରେ ପହଞ୍ଚିଥିଲେ ଏବଂ ସେଠାରୁ ସେ ଅଟୋରିକ୍ସାରେ ଘରକୁ ଯାଇଥିଲେ। ନିଜ ଘରେ ସଙ୍ଗରୋଧ ହୋଇ ରହିଥିବା ସମୟରେ ମାର୍ଚ୍ଚ ୩୦ରେ ତାଙ୍କର ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ମାର୍ଚ୍ଚ ୩୧ରେ ନମୁନା ପରୀକ୍ଷାରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

୫. ଆଜି ୮୮ ଜଣ କରୋନା ସଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି।

୬. ଆଜି ପର୍ଯ୍ୟନ୍ତ ମୋଟ ୧୫,୦୪୫ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪,୩୩୨ ଜଣ ବିଦେଶରୁ ଓ ୧୦,୭୧୩ ଜଣ ବାହାର ରାଜ୍ୟରୁ ଆସିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା କାଲି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସେହିପରି ଭାରତରେ ବି ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାରରୁ ଉର୍ଦ୍ଧ୍ବ ହୋଇଥିବାବେଳେ 40ରୁ ଅଧିକଙ୍କର ମୃତ୍ୟୁ ହେଲାଣି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ପର୍କରେ ଚର୍ଚ୍ଚା କରିବେ । ଗୁରୁବାର ଦିନ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରୋନା ସମ୍ପର୍କରେ ଆଲୋଚାନ କରିବେ ବୋଲି ସୂଚନା ରହିଛି ।

ପୂର୍ବରୁ ଥରେ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନାକୁ ନେଇ ଦେଶରେ ଉପୁଜିଥିବା ସ୍ଥିତିକୁ ନେଇ ଆଲୋଚନା କରିଥିଲେ ।  ସେହିପରି କରୋନା ମହାମାରୀକୁ ନେଇ ଦେଶବାସୀଙ୍କୁ ଦୁଇଥର ସମ୍ବୋଧିତ କରିସାରିଛନ୍ତି । ପ୍ରଥମ ଥର ସମ୍ବୋଧନ କରି ଜନତା କର୍ଫ୍ୟୁ ପାଳନ କରିଥିବାବେଳେ ଦ୍ବିତୀୟ ଥର ଦେଶବାସୀଙ୍କୁ ସମ୍ବୋଧନ କରି 21 ଦିନିଆ ଲକ୍‌ଡାଉନ୍‌ର ଘୋଷଣା କରିଥିଲେ । ଏହା 14 ଏପ୍ରିଲ୍‌ ପର୍ଯ୍ୟନ୍ତ ଜାରି ରହିଛି । ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ କରୋନା ଭାଇରସ୍‌କୁ ନେଇ ଭିନ୍ନ ଭିନ୍ନ କ୍ଷେତ୍ରର ପ୍ରତିନିଧି ତଥା ଲୋକଙ୍କ ସହିତ ଆଲୋଚନା କରିଥିଲେ । ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ବାସ୍ଥ୍ୟ କର୍ମୀ, ମିଡିଆ ପ୍ରତିନିଧି, ସମାଜସେବକ, ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ଗତ ଦୁଇ ତିନି ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । 27 ମାର୍ଚ୍ଚରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଥିବାବେଳେ ବୁଧବାର ଅପରାହ୍ନ ସୁଦ୍ଧା 1700 ପାର କରିଛି । ଗତ 48 ଘଣ୍ଟା ମଧ୍ୟରେ 400ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ଓ କେରଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନାକୁ ମାତ୍‌ ଦେଲେ କେରଳର ବୃଦ୍ଧ ଦମ୍ପତି

କେରଳ : କେରଳର ବୃଦ୍ଧ ଦମ୍ପତି ମହାମାରୀ କରୋନାକୁ ମାତ୍‌ ଦେଇଛନ୍ତି । 93 ବର୍ଷୀୟ ବୃଦ୍ଧ ଏବଂ ତାଙ୍କ 80 ବର୍ଷୀୟା ବୃଦ୍ଧା ସ୍ତ୍ରୀ ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସେ ଦୁହେଁ ଏବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି । କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ବୃଦ୍ଧ ଦମ୍ପତି ଇଟାଲୀ ଯାତ୍ରା କରି ଫେରିଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ । ଏହି ଦମ୍ପତିଙ୍କ ପୂରା ପରିବାର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ବୃଦ୍ଧ ଦମ୍ପତିଙ୍କ ସମେତ ପରିବାରର ଲୋକେ ମଧ୍ୟ ଏହି ରୋଗରୁ ମୁକ୍ତି ପାଇପାରିଛନ୍ତି ।

ଏହି ବୃଦ୍ଧ ଦମ୍ପତି ଡାଇବେଟିସ୍‌,ହାଇପରଟେନସନ୍, ବୟସାଧିକ୍ୟଜନିତ ରୋଗରେ ପୀଡ଼ିତ ରହିଥିଲେ ମଧ୍ୟ ଦୁହେଁ କରୋନାରୁ ବର୍ତ୍ତି ଯାଇଛନ୍ତି । ଏହି କରୋନା ମହାମାରୀ ବୃଦ୍ଧଙ୍କ ପାଇଁ ବିଶେଷ କ୍ଷତିକାରକ ହେଉଥିବାବେଳେ ଏହି ବୃଦ୍ଧ ଦମ୍ପତି କୋଟ୍ଟାୟମ୍‌ ମେଡିକାଲ୍‌ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ଏହି ବୃଦ୍ଧ ଦମ୍ପତିକୁ ଦୁଇ ଭିନ୍ନ ଭିନ୍ନ ଆଇସିୟୁ ରୁମ୍‌ରେ ରଖାଯାଇଥିଲା ।  କିନ୍ତୁ ସେମାନେ ସେଠାରେ ଅସହଜ ମନେ କରିଥିଲେ । ଫଳରେ ଦୁହିଁଙ୍କୁ ଗୋଟିଏ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ସେମାନେ ଦୁହେଁ ଦୁହିଁଙ୍କୁ ଦେଖିପାରୁଥିଲେ । ଦୁହେଁ ସୁସ୍ଥ ହେବା ପରେ ଘରକୁ ଯିବାକୁ ଜିଦ୍‌ ଧରିଥିଲେ । କିନ୍ତୁ ନର୍ସମାନେ ତାଙ୍କର ଦେଖାରେଖା କରୁଛନ୍ତି ।

ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ଭାରତରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା 1400 ଟପି ସାରିଲାଣି । ସେହିପରି 32ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 140 ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ କେରଳ ଓ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି । (ଏଜେନ୍ସି)

 

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରେମ ଆଗରେ ହାର ମାନିଲା କରୋନା : 90 ବର୍ଷୀୟା ଅସୁସ୍ଥ ସ୍ବାମୀଙ୍କ ପାଇଁ 55 ଦିନ ଭିତରେ 45ଟି ଚିଠି ଲେଖିଲେ ସ୍ତ୍ରୀ

ଚୀନ୍‌ : ଯେତେ ବଡ ବିପତ୍ତି ଆସିଲେ ବି ସଚ୍ଚା ପ୍ରେମ କେବେବି ହାରିନଥାଏ । ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ମଧ୍ୟ ଏହି ପ୍ରେମକୁ ହରାଇପାରିନାହିଁ । ଏପରି ଏକ କାହାଣୀ ଏବେ ସାମ୍ନାକୁ ଆସିଛି । ଏହି କାହାଣୀ ହେଉଛି ବୃଦ୍ଧା ଦମ୍ପତିଙ୍କର । ଯାହାଙ୍କ ପ୍ରେମ ଆଗରେ କରୋନା ମଧ୍ୟ ହାର୍ ମାନିଛି । ବୃଦ୍ଧ ସ୍ବାମୀଙ୍କ କରୋନା ସଂକ୍ରମିତ ହେବା ପରେ ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦେଖା ମଧ୍ୟ କରିପାରୁନଥିଲେ । ଦେଶରେ ଲକ୍‌ ଡାଉନ୍‌ ଚାଲିଥିବା ହେତୁ ସେ ତାଙ୍କ ସ୍ବାମୀଙ୍କୁ ଦେଖିବା ପାଇଁ ହସ୍ପିଟାଲ୍‌ ମଧ୍ୟ ଯାଇପାରୁନଥିଲେ । କିନ୍ତୁ ସେ ତାଙ୍କ ସ୍ବାମୀଙ୍କ ପାଇଁ ପ୍ରେମପୂର୍ଣ୍ଣ ଚିଠି ଲେଖିବା ଆରମ୍ଭ କଲେ ।

ଚୀନ୍‌ର ହୋଙ୍ଗଝାଓ ସହରର ରହୁଥିବା ଜଣେ 80 ବର୍ଷୀୟା ବୃଦ୍ଧା ହୁଆଙ୍ଗ ଗୁୟେକି ଓ  ତାଙ୍କ ସ୍ବାମୀ 90 ବର୍ଷୀୟ ମିଷ୍ଟର ସନ୍‌ଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ।  ସ୍ବାମୀଙ୍କୁ ନିଃଶ୍ବାସ ନେବାରେ କଷ୍ଟ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ଦେଖିବା ପାଇଁ ପ୍ରତ୍ୟହ ହସ୍ପିଟାଲ୍‌ ଯାଉଥିଲେ । କିନ୍ତୁ କରୋନା ଭାଇରସ୍‌ କାରଣରୁ ସହରରେ ଲକ୍‌ ଡାଉନ୍‌ ହୋଇଗଲା । ଏବଂ ସେ ଘରୁ ମଧ୍ୟ ବାହାରକୁ ବାହାରି ପାରିଲେ ନାହିଁ ।  କିନ୍ତୁ ସେ ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ସ୍ବାମୀଙ୍କ ପ୍ରତି ଅନୁରକ୍ତ ପ୍ରେମ ପ୍ରଦର୍ଶନ ପୂର୍ବକ ଚିଠି ଲେଖୁଥିଲେ।  ପ୍ରେମ ପୂର୍ଣ୍ଣ ଉପଦେଶ ଦେଇ ତାଙ୍କୁ ଚିଠି ଲେଖୁଥିଲେ । ଅପରପକ୍ଷରେ ତାଙ୍କ ସ୍ବାମୀ ମଧ୍ୟ ହସ୍ପିଟାଲ୍‌ରେ ବେଡରେ ପଡି ତାଙ୍କ ସ୍ତ୍ରୀଙ୍କ ଚିଠିକୁ ପଢୁଥିଲେ । ବୃଦ୍ଧା ସ୍ତ୍ରୀ ଜଣକ 55 ଦିନ ଭିତରେ ତାଙ୍କ ସ୍ବାମୀଙ୍କ ନିକଟକୁ 45ଟି ପ୍ରେମ ପତ୍ର ଲେଖିଥିଲେ । ସେ ଏହି ପତ୍ରରେ ସ୍ବାମୀଙ୍କୁ ସାନ୍ତ୍ବାନା ଦେବା ସହ ତାଙ୍କ ସହ ସବୁବେଳେ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସେମାନଙ୍କ ମିଳନ ହେବ ବୋଲି ସେ ଲେଖିଥିଲେ ।

ଗତ ସପ୍ତାହରେ ସହରରୁ ଲକ୍‌ଡାଉନ୍‌ ହଟିବା ପରେ ବୃଦ୍ଧଙ୍କୁ ଭେଟିଛନ୍ତି ତାଙ୍କ ବୃଦ୍ଧା ପତ୍ନୀ । ସେ ସାଙ୍ଗରେ ତାଙ୍କ ପସନ୍ଦର କୋବି ଫ୍ରୁଟ୍‌ ନେଇଥିବାବେଳେ ତାଙ୍କୁ ପ୍ରେମରେ ଖୁଆଇ ଥିଲେ।
ଏହି ଦୁଇ ବୃଦ୍ଧ ଦମ୍ପତ୍ତିଙ୍କ ପ୍ରେମ କାହାଣୀକୁ ନେଇ ହସ୍ପିଟାଲ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା ଏପରିକି ତାଙ୍କୁ ହସ୍ପିଟାଲ୍‌ରେ ‘ଦାଦା ସନ୍‌’ ନାମରେ ଡାକିବା ଆରମ୍ଭ କରିଥିଲେ । କରୋନା ପରି ମହାମାରୀ ଆଗରେ ଏହି ବୃଦ୍ଧ ଦମ୍ପତି ହାର୍‌ ନ ମାନି ନିଜ ପ୍ରେମ ଜରିଆରେ ତାକୁ ଜିତି ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । କରୋନା ପରି ଏକ ମହାମାରୀ ସାମ୍ନାରେ ନିଜର ଧୈର୍ଯ୍ୟ ଓ ପ୍ରେମକୁ ଢାଲ କରି ଏହି ବୃଦ୍ଧ ଦମ୍ପତି ମୃତ୍ୟକୁ ମଧ୍ୟ ଜିଣିଛନ୍ତି । ଦେଶର ଏପରି ସଂକଟ ସମୟରେ ମଧ୍ୟ ଆମେ ଧେର୍ଯ୍ୟ, ପ୍ରେମ ଓ ସଂଯମକୁ ଢାଲ କରି ଚଳିବା ଉଚିତ୍‌ ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ କର୍ମଚାରୀଙ୍କ ଦରମା କାଟ୍‌ ନେଇ ନିଷ୍ପତ୍ତି ନେଲେ କେସିଆର୍

ତେଲେଙ୍ଗାନା : ଦେଶରେ କରୋନା ସଂକଟର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବେଶ୍‌ କଡା ପଦକ୍ଷେପ ନେଉଛନ୍ତି । କରୋନାର ମୁକାବିଲା କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଦରମା କାଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ କର୍ମଚାରୀ, ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦରମା ମଧ୍ୟ କଟାଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି ।  ଲକ୍‌ଡାଉନ୍‌ର 6 ଦିନ ପୂରଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ର ମଧ୍ୟ ନିଜ ଦରମାର 75 ପ୍ରତିଶତ ଦରମା ହ୍ରାସ କରାଯିବ ।

ସେହିପରି ଅନ୍ୟ ସରକାରୀ ଓ ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କର 75 ପ୍ରତିଶତ ଦରମା ହ୍ରାସ କରାଯିବ ବୋଲି ସୂଚନା ରହିଛି । ଏତଦ୍‌ବ୍ୟତୀତ ପେନ୍‌ସେନ ପାଉଥିବା କର୍ମଚାରୀମାନଙ୍କ  ପଚାଶ ପ୍ରତିଶତ ପେନ୍‌ସେନରେ ମଧ୍ୟ ହ୍ରାସ କରାଯିବ । କିନ୍ତୁ ଚତୁର୍ଥଶ୍ରେଣୀ କର୍ମଚାରୀ ପିଅନ, ଝାଡୁଦାର, ଡ୍ରାଇଭର ଓ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା ମାତ୍ର ଦଶ ପ୍ରତିଶତ ହ୍ରାସ କରାଯିବ। ତେବେ ଏହି ଦରମା କେତେ ଦିନ ପର୍ଯ୍ୟନ୍ତ ହ୍ରାସ କରାଯିବା ସେନେଇ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ 77ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ଏଠାରେ 7ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

କରୋନା ଦ୍ୱାରା ପ୍ରଭାବିତ ହେବ ୨ କୋଟି କ୍ଷୁଦ୍ର ବ୍ୟବସାୟ

ନୂଆଦିଲ୍ଳୀ ; କରୋନା ଦ୍ୱାରା ସମୁଦାୟ ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏହା ଦ୍ୱାରା ଦେଶର ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି । ଦେଶର ଅନ୍ୟୁନ ୨ କୋଟି ଶିଳ୍ପ ସଂସ୍ଥା ଏହା ଦ୍ୱାରା ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ଲକ୍‌ଡାଉନ୍ ଯଦି ୨୧ ଦିନରୁ ଅଧିକ ଦିନ ଲାଗି ରୁହେ ତେବେ ଦେଶର ୧୯ ରୁ ୪୩ ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପ୍ରଭାବିତ ହେବ ଏବଂ ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି ବୋଲି ମତ ଦେଇଛନ୍ତି ଗେମ୍‌ସର ଅଧ୍ୟକ୍ଷ ରବି ଭେଙ୍କଟାସେନ୍ । ଇନ୍‌ଫୋସିସ୍ ଏବଂ ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ରହିଥିବା ରବି କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଗେମ୍‌ସ ପକ୍ଷରୁ ୧୦୦ ମିଲିୟନ୍ ଡଲାର ନିବେଶ କରାଯିବ ବୋଲି ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କରୋନା ଭାଇରସ୍‌ର ମୁକାବିଲା ନିମେନ୍ତ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କଲା ଜମ୍ମୁ ପ୍ରଶାସନ

ଜମ୍ମୁ : ବିଶ୍ବ ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା କରିବା ନିମେନ୍ତ ଜମ୍ମୁକାଶ୍ମୀରର ରୌଜରୀ ଜିଲ୍ଲା ପ୍ରଶାସନ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କରାଯାଇଛି । ପ୍ରଶାସନ ଏହି ପାଞ୍ଚଟି ଗ୍ରାମରେ 43 ଜଣ କରୋନା ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଇବା ସହିତ ଏହି ଗ୍ରାମକୁ ସିଲ୍‌ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ର ଯୋଗୁଁ କିଛି ଦିନ ପୂର୍ବେ ଜଣେ ଧର୍ମଗୁରୁଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ପରେ ରୌଜରୀ ଜିଲ୍ଲାର ମଞ୍ଜାକୋଟ୍‌ ଅଞ୍ଚଳରେ ଜଣେ ଡାକ୍ତର ଏହି ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା । ଏହି ଡାକ୍ତର ଜଣକ ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ କାଶ୍ମୀର ଯିବା ପୂର୍ବରୁ ସାମ୍ବାର ବଡୀ ବ୍ରାହ୍ମଣା ଅଞ୍ଚଳରେ ରହିଥିଲେ ।

ଏହି ସୂଚନା ମିଳିବା ପରେ ରୌଜରୀ ପ୍ରଶାସନ ଉକ୍ତ ଡାକ୍ତରଙ୍କ ସମେତ ନିକଟସ୍ଥ ଗ୍ରାମ ଗୁଡିକୁ ସିଲ୍‌ କରିବା ସହିତ ରେଡ୍‌ ଜୋନ୍‌ର ଘୋଷଣା କରିଛନ୍ତି ।  ସେହିପରି ଉକ୍ତ ଅବସରପ୍ରାପ୍ତ ଡାକ୍ତର ଓ ତାଙ୍କ ପରିବାରର ସମସ୍ତ ଲୋକଙ୍କ ସମେତ 43 ଜଣଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଇଛନ୍ତି ।

ଏହାବ୍ୟତୀତ ଏହି ଗ୍ରାମରେ ଡର୍ଜନରୁ ଅଧିକ ଲୋକ, ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଳ୍‌ ରହିଛନ୍ତି । ଏ ସମସ୍ତଙ୍କୁ ପ୍ରଶାସନ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି । ରୌଜରୀ ସମେତ ଦେହରୀ ଧାରା, ମଙ୍ଗଲ ନାର୍‌, ସାରୋଳା, ଗମ୍ଭୀର ମୁଙ୍ଗଲା ଓ କୋଟଲୀ କାଲା ବନ ଆଦି ଗ୍ରାମକୁ ସିଲ୍‌ କରାଯିବା ସହ ରେଡ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଏହି ଗ୍ରାମର ଆଖପାଖଗ୍ରାମ ଗୁଡିକୁ ଓ୍ବଫର୍‌ ଜୋନ୍‌ରେ ରଖାଯିବା ସହିତ କଡାକଡି ନଜରରେ ରଖାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ ଫାଣ୍ଡି ଅଧିକାରୀଙ୍କ ବଦାନ୍ୟତା: କରୋନା ସଚେତନତା ସହିତ ରନ୍ଧାଖାଦ୍ୟ ବଣ୍ଟନ

ସୀତାରାମ ଅଗ୍ରୱାଲ
ବାଣପୁର: କରୋନାର ମୁକାବିଲା ପାଇଁ ସାରା ଦେଶ ଏକାଠି ହୋଇଥିବା ବେଳେ ଆଜି ନାଚୁଣୀ ପୋଲିସର ବଦାନ୍ୟତା ଦେଖିବାକୁ ମିଳିଛି। ଜନସାଧାରଣଙ୍କୁ ସଚେତନ କରିବାଠୁ ଆରମ୍ଭ କରି ଦିନ ରାତି ପ୍ରହରା ଦେବାରେ ବ୍ୟସ୍ତ ରହୁଛି ନାଚୁଣୀ ପୋଲିସ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଏକ ସଂବେଦନଶୀଳ ଅଞ୍ଚଳ ହୋଇଥିବାବେଳେ ଏଠାରେ ବେଶ ସଜାଗ ରହିଛି ପୋଲିସ। ନାଚୁଣୀ ପୋଲିସ ତରଫରୁ ବଜାର ଏବଂ ଗାଁ ରେ କରୋନା ସଚେତନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପରିବା ଦୋକାନ, ରାସନ ଦୋକାନ, ଔଷଧ ଦୋକାନ ଆଦିରେ ପୋଲିସ ତରଫରୁ ସାମାଜିକ ଦୂରତ୍ବ ରକ୍ଷା କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଆଜି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥିଲା ନାଚୁଣୀ ଅଞ୍ଚଳରେ। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ନାଚୁଣୀର ସଚେତନ ଯୁବଗୋଷ୍ଠୀ ଅଂଚଳରେ ଥିବା ଗରିବ ଗୁରୁବା, ଉଠା ପରିବାବିକାଳୀ, ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ଓ ସୁଦୂର ଝାଡ଼ଖଣ୍ଡ ରାଜ୍ୟରୁ ଆସି ଲକ ଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ନିଃଶୁଳ୍କ ରନ୍ଧା ଖାଦ୍ୟ ବିତରଣ କରିଥିଲେ। ଏହାପରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ତୁରନ୍ତ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ କଥା ହୋଇ ଝାଡ଼ଖଣ୍ଡରୁ ଆସିଥିବା ଚାଳିଶି ଜଣ ଶ୍ରମିକ ମାନଙ୍କ ବିଷୟରେ ସୂଚନା ଦେଇ ତାଙ୍କ ରହିବା ଓ ଖାଇବା ବନ୍ଦୋବସ୍ତ ପାଇଁ ଅନୁରୋଧ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁରନ୍ତ କୁଲେଇ ଗ୍ରାମ ପଂଚାୟତ ସରପଞ୍ଚଙ୍କୁ ତାଙ୍କ ରହିବା ଖାଇବା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ପରବର୍ତ୍ତୀ ସମୟରେ ସେମାନଙ୍କୁ କୁଲେଇ ବାତ୍ୟା ଆଶ୍ରୟସ୍ଥଳୀରେ ସରପଞ୍ଚଙ୍କ ଦ୍ୱାରା ରହିବା ବ୍ୟବସ୍ଥା କରାଯାଇଥିଲା। ଏହି ଦୃଶ୍ୟ ଦେଖି ଝାଡ଼ଖଣ୍ଡ ଶ୍ରମିକମାନେ ଭାବପ୍ରବଣତା ହୋଇ କାନ୍ଦିପକାଇଥିଲେ ଓ ଫାଣ୍ଡି ଅଧିକାରୀଙ୍କୁ ସହୃଦୟ ଧନ୍ୟବାଦ ଜଣାଇଥିଲେ। ଜାତୀୟ ବିପତ୍ତି ସମୟରେ ସାଧାରଣ ଜନତା ପୋଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ବେଳେ ନାଚୁଣୀ ପୋଲିସର ଏପରି କାର୍ଯ୍ୟକୁ ଭୁୟସି ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତରେ 25 ଛୁଇଁଲା କରୋନା ଜନିତ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା 25କୁ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଭାରତରେ 1040 କରୋନା ମାମଲା ସାମ୍ନାକୁ ଆସିଥିବାବେଳେ  928 ଜଣ ଏବେ ଏହି ରୋଗରେ ସକ୍ରିୟ ରହିଛନ୍ତି । ସେହିପରି 86 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।  ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହା ତଳକୁ କେରଳ ରହିଛି । ମହାରାଷ୍ଟ୍ରରେ 193 ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 6 ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କେରଳରେ 182 ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି । ସେହିପରି କର୍ଣ୍ଣାଟକରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ପାଞ୍ଚଜଣଙ୍କର ଜମ୍ମୁକାଶ୍ମୀରରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ଯୋଗୁଁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଥିବାବେଳେ ଏନେଇ କରୋନା ନେଇ ଗୁଜବ ପ୍ରସାରିତ କରୁଥିବା ଅଭିଯୋଗରେ ମହାରାଷ୍ଟ୍ରରେ 36ଟି ମାମଲା ରୁଜୁ ହୋଇଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

କରୋନା କାରଣରୁ ଅଟକିଲା ବିବାହ : ଯୁବକଙ୍କ ଆତ୍ମହତ୍ୟା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: କରୋନା କାରଣରୁ ବିବାହ ଅଟକିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନାର ପଙ୍ଗାପଶି ଗ୍ରାମରେ ଏହି ଘଟଣା ଘଟିଛି। ପଙ୍ଗାପଶି ଗ୍ରାମର ଭାଗବତ ମହାରଣାଙ୍କ ପୁଅ ବଗୁଲୁ ମହାରଣା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବଗୁଲୁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି ଏବଂ ବିବାହ କରିବା ପାଇଁ ପରିବାରକୁ ଜଣାଇଥିଲେ। ମାତ୍ର ଦେଶରେ କରୋନା ଲକ୍‌ଡାଉନ୍‌ ଚାଲିଥିବାରୁ ବର୍ତ୍ତମାନ ବିବାହ ସମ୍ଭବ ନୁହେଁ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। ଲକ୍‌ଡାଉନ୍‌ ପରେ ବିବାହ କରିବା ପାଇଁ ପରିବାର ପକ୍ଷରୁ କୁହାଯାଇଥିଲା। ପରିବାରର ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଥିବା ବଗୁଲୁ ଶେଷରେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ଶୁକ୍ରବାର ପରିବାର ଲୋକଙ୍କ ପକ୍ଷରୁ ଖବର ଦିଆଯିବା ପରେ ହରିଚନ୍ଦନପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସ୍ପେନ୍‌ରେ ଗୋଟିଏ ଦିନରେ ପ୍ରାଣ ହରାଇଲେ 769 : ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର

ମାଦ୍ରିଦ୍‌ : କରୋନା ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍‌ରେ ଏହି ଭାଇରସ୍‌ ତାଣ୍ଡବ ମଚାଇଛି । ସ୍ପେନ୍‌ରେ ଏହି ଭାଇରସ୍‌ ପ୍ରଭାବରେ ଗୋଟିଏ ଦିନରେ 769 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର ଅତିକ୍ରମ କରିଛି । ଶୁକ୍ରବାର ନୂତନ ଭାବରେ 769 ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା 4800ରେ ପହଞ୍ଚିଛି । ଇଟାଲୀର 4858 ମୃତ୍ୟୁ ପଛକୁ ଏହା ଦ୍ବିତୀୟ ସ୍ଥାନରେ ରହିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟାରେ 18 ପ୍ରତିଶତର ଅଭିବୃଦ୍ଧି ଘଟିଛି । ସେହିପରି ଏକ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ 8 ହଜାର ବୃଦ୍ଧି ଘଟିବା ଚିନ୍ତାଜନକ ବୋଲି ସ୍ପେନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)

Categories
ବିଶେଷ ଖବର

କରୋନା ମୁକାବିଲା ପାଇଁ ଓଡିଶା ମଡେଲ, ଭାରତ ସରକାର ଏଥିରୁ କିଛି ଶିଖୁଛନ୍ତି ତ!!

କେଦାର ମିଶ୍ର

ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା ଲାଗି ଯେତେବେଳେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିନଥିଲେ, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ନେବା ଆରମ୍ଭ କରି ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରିବା ଆରମ୍ଭ କରିଥିଲେ। ସେମାନଙ୍କର ରହଣି ତଥା ଗତାଗତ ଉପରେ ଓଡିଶା ସରକାର ତୀବ୍ର ନଜର ରଖିବା ଆରମ୍ଭ କରିଥିଲେ। ୧୪ ଦିନିଆ କ୍ଵାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହିତ ଏହା ଉପରେ କଡା ନଜର ରଖା ଯାଇଥିଲା । ପ୍ରତିଦିନ କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଓ ଗଣମାଧ୍ୟମରେ ସବୁ ତଥ୍ୟକୁ ତୁରନ୍ତ ପହଞ୍ଚାଇବାର ସବୁ ବ୍ୟବସ୍ଥା କରା ଯାଇଥିଲା। ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଥମେ ଓଡିଶା ସାମାଜିକ ଦୂରତା ତଥା ଲକ ଡାଉନ ବ୍ୟବସ୍ଥା ଗ୍ରହଣ କରିଥିଲା।

ତେବେ ଓଡିଶାରେ ଏହି ବ୍ୟବସ୍ଥା ଆରମ୍ଭ ହେବା ବେଳକୁ କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀର ରାଜ୍ୟ ସରକାରମାନେ ମଧ୍ୟ ଏ ପ୍ରକାର ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଦିଲ୍ଲୀ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ର ବ୍ୟାପକତାକୁ ସାମ୍ନା କରୁଛନ୍ତି। ତେବେ ଆଜି ସୁଦ୍ଧା ଓଡିଶାରେ କରୋନା ସଂକ୍ରମଣ ମାତ୍ର ତିନୋଟି ପୋଜିଟିଭ କେସ ରେ ସୀମିତ ରହିଛି। କରୋନାର ବିଶ୍ଵବ୍ୟାପୀ ସଂକ୍ରମଣର ସ୍ଥିତି କୁ ଦେଖି କେତେବେଳେ ଯେ କଣ ଘଟିବ ତାହା କହିହେବା ନାହିଁ। ତେବେ ଏଥି ପାଇଁ ନିଜକୁ ସରକାର ପ୍ରସ୍ତୁତ କରି ସାରିଛନ୍ତି। ଦେଶର ଅନ୍ୟାନ୍ୟ ଆଗୁଆ ରାଜ୍ୟ ତୁଳନାରେ ଓଡିଶା ଏବେ ଏକ ବଡ ଉଦାହରଣ ପ୍ରସ୍ତୁତ କରିଛି। କରୋନା ସଂକ୍ରମିତ ରୋଗୀଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି ସମ ହସପିଟାଲ- ମେଡିକାଲ କଲେଜ ଓ କିମ୍ସ ହସପିଟାଲ-ମେଡିକାଲ କଲେଜର ସହାୟତାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।ଏହି ଡାକ୍ତରଖାନା ଆସନ୍ତା ୧୫ଦିନ ଭିତରେ କାର୍ଯକ୍ଷମ ହେବ ବୋଲି ଜଣା ଯାଇଛି।  ଇତି ମଧ୍ୟରେ କଟକ ବଡ ଡାକ୍ତରଖାନାରେ ମଧ୍ୟ ୭୦୦ ରୁ ୧୦୦୦ ଶଯ୍ୟା ପ୍ରସ୍ତୁତ କରାଯାଉଛି।

ବର୍ତ୍ତମାନ କରୋନା ସଂକ୍ରମଣକୁ ସୀମିତ ରଖିବା ରାଜ୍ୟ ତଥା ଦେଶର ପ୍ରାଥମିକ ଆବଶ୍ୟକତା ରହିଛି। ତେବେ ଆଗାମୀ ଦିନରେ କରୋନା ରୋଗୀଙ୍କ ସଂକ୍ରମଣ ବଢିବାର ସମ୍ଭାବନାକୁ ଆଖିରେ ରଖି ଏ ପ୍ରକାର ପ୍ରସ୍ତୁତି ନିତାନ୍ତ ଆବଶ୍ୟକ। ସ୍ଵତନ୍ତ୍ର ଡାକ୍ତରଖାନା ସହିତ ଜିଲା ଡାକ୍ତରଖାନାଗୁଡିକରେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ତେବେ କରୋନା ପରୀକ୍ଷଣ ଲାଗି ଓଡିଶା ଏକମାତ୍ର କେନ୍ଦ୍ରୀୟ ଲାବୋରେଟରୀ ଉପରେ ନିର୍ଭର କରୁଛି। ଏହାକୁ ଅଧିକ ବ୍ୟାପକ କରିବା ଜରୁରୀ।

କରୋନା ଭଳି ଏକ ବ୍ୟାପକ ସଙ୍କଟକୁ ମୁକାବିଲା କରିବାରେ ଓଡିଶା ଯେଉଁ ମଡେଲ ତିଆରି କରିଛି, ତାକୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର କିଛିଟା ଅନୁସରଣ କରିଛନ୍ତି। ଓଡିଶା ପୋଲିସ ରାଜ୍ୟରେ ଲକ ଡାଉନକୁ ଲାଗୁ କରିବାରେ ସଫଳ ଭୂମିକା ନିର୍ବାହ କରୁଛି। ଗୋଟେ ଦୁଇଟି ଅପ୍ରିୟ ଘଟଣାକୁ ବାଦ ଦେଲେ ପୋଲିସ କର୍ତ୍ତୃପକ୍ଷ ସଂଯମ ରଖି ଲୋକଙ୍କୁ ନିୟନ୍ତ୍ରିତ କରୁଛନ୍ତି। ତେବେ ଲୋକଙ୍କୁ ମାଡ ଦେଇ, ଦଣ୍ଡିତ କରି ବା ଅପମାନିତ କରି ଲକ ଡାଉନର ଉପଯୋଗିତା ବୁଝାଇ ହେବନାହିଁ। ଏଥିଲାଗି ପୋଲିସକୁ ଅଧିକ ସଂବେଦନଶୀଳ ଓ ସଂଯତ ହେବାକୁ ପଡିବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଓଡିଶା ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି  ସେହି ସବୁ ରାଜ୍ୟରେ ରହିଥିବା ଓଡିଆ ଲୋକମାନଙ୍କର ଦାୟିତ୍ଵ ନେବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ସମ୍ପୃକ୍ତ ରାଜ୍ୟ ଗୁଡିକ ଯାହା ଖର୍ଚ୍ଚ କରିବେ, ଓଡିଶା ସରକାର ତାକୁ ଭରଣା କରିବେ ବୋଲି ନବୀନ ବାବୁ କହିଛନ୍ତି। ଏହା ନିଶ୍ଚିତ ଭାବରେ ଏକ ସଂବେଦନଶୀଳ ନିଷ୍ପତ୍ତି।ପ୍ରବାସୀ ଓଡିଆଙ୍କୁ ସାହାଯ୍ୟ କରିବା ଲାଗି ଓଡିଶା ସରକାର ସ୍ଵତନ୍ତ୍ର  ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି। (0674-2392115 ଓ 9438915986)

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ସମନ୍ବୟର ସ୍ଥିତି ଅବଶ୍ୟ ରହିଛି। ହେଲେ କେନ୍ଦ୍ର ସରକାରଙ୍କ କାମ କରିବାର ଢଙ୍ଗରେ ଅତ୍ୟଧିକ ଅହମିକା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ଗୁଡିକ ମଇ-ଜୁନ ମାସ ପର୍ୟନ୍ତ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ୨୧ ଦିନ ଭିତରେ ଏହି ଯୁଦ୍ଧ ଜିଣି ହୋଇଯିବ ବୋଲି କହୁଛନ୍ତି। ଏହା ମାତ୍ର ୨୧ ଦିନରେ ସମାପ୍ତ ହେବନାହିଁ, ଏକଥା ପ୍ରଧାନମନ୍ତ୍ରୀ ଭଲ ଭାବରେ ଜାଣିଛନ୍ତି। ସାରା ଦେଶରେ ଦିନକୁ ଅତି କମରେ  ଲକ୍ଷେ ଲୋକଙ୍କର କରୋନା ପରୀକ୍ଷା ହୋଇପାରିବା ଭଳି ଭିତ୍ତିଭୂମି ତିଆରି ହେବା ଆଜି ସର୍ବ ପ୍ରଥମ ଆବଶ୍ୟକତା। ଏହା ଯେମିତି ଭାରତର ଗ୍ରାମାଞ୍ଚଳକୁ ନ ବ୍ୟାପେ, ତାହା ଦେଖିବା ଲାଗି କେନ୍ଦ୍ର ସରକାର ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଦରକାର। ତେବେ କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ଭଳି ରାଜ୍ୟକୁ ଆଦର୍ଶ ଭାବରେ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ ହେବ। ଓଡିଶା ସମେତ କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀ ମଡେଲକୁ ସାରା ଦେଶରେ ଲାଗୁ କରିବାର ସାହସ କେନ୍ଦ୍ର ସରକାରଙ୍କର ରହିଛି କି ?