Categories
ବିଶେଷ ଖବର

ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ୍‌ କେୟାର ହୋମ୍‌ : ନବୀନ ପଟ୍ଟନାୟକ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ବିଗତ ତିନି ମାସ ମଧ୍ୟରେ କରୋନା ଦ୍ବାରା ଜନଜୀବନ ଗଭୀର ଭାବରେ ପ୍ରଭାବିତ । ସମସ୍ତ ବର୍ଗ ଏବଂ କ୍ଷେତ୍ର ଏହା ଦ୍ବାରା ପ୍ରଭାବିତ । ଏହି ରୋଗର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବାରୁ ସତର୍କତା ହିଁ ଏଥିରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ । ଏହା ସହିତ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ଏବଂ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ବାରା ହିଁ ଏ ରୋଗକୁ ନିୟନ୍ତ୍ରଣ କରିପାରିବ ।

ଓଡିଶା ବାସୀଙ୍କ ସହଯୋଗରେ କରୋନା ନିୟନ୍ତ୍ରଣ ଅନ୍ୟ ରାଜ୍ୟଠାରୁ ଭଲ ସ୍ଥିତିରେ ରହିଛି । ବିଗତ ସମୟରେ ରାଜ୍ୟରେ 10 ହଜାର ଶଯ୍ୟାର କୋଭିଡ୍‌ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି । ଚିକିତ୍ସା ଉପକରଣ ପ୍ରସ୍ତୁତ ରଖାଯିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ ଉପଯୁକ୍ତ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା ଯାହାଫଳରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ମୃତ୍ୟୁହାର କମ୍‌ ରହିଛି । ଓଡିଶା ବାହାରେ ରହିଥିବା ପ୍ରାୟ 5 ଲକ୍ଷରୁ ଅଧିକ ପ୍ରବାସୀ ରାଜ୍ୟକୁ ଫେରିଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସରପଞ୍ଚ ମାନଙ୍କ ସହାୟତାରେ ଏହି ଟିଏମ୍‌ସି ଗୁଡିକୁ ସଠିକ୍‌ ଢଙ୍ଗରେ ପରିଚାଳନା କରାଯାଉଛି ।

କରୋନା ଲଢେଇରେ ଜୁନ୍‌ ମାସ ସବୁଠାର ଗୁରୁତ୍ବପୂର୍ଣ୍ଣ । ଲକ୍‌ଡାଉନ୍‌ ଧୀରେ ଧୀରେ ଖୋଲୁଥିବା ବେଳେ ଗମନାଗମନ ବଢିଛି । ଜୀବନ ସହିତ ଜୀବିକା ମଧ୍ୟ ଆଗକୁ ବଢିବ ତେଣୁ ଏହି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଗୋଷ୍ଠୀ ସଚେତନତା ସହିତ ପରିଚାଳନାର ବିକେନ୍ଦ୍ରୀକରଣ ବର୍ତ୍ତମାନ ଜରୁରୀ ହୋଇ ପଡିଛି । ପ୍ରବାସୀ ମାନଙ୍କ ଆଗମନ ଧୀରେ ଧୀରେ କମୁଥିବାରୁ ଅନେକ ଟିଏମ୍‌ସିର କାର୍ଯ୍ୟକାଳ ଶେଷ ହେଲାଣି । ଅଳ୍ପ କେତେକ କ୍ଲଷ୍ଟରରେ ଟିଏମ୍‌ସି ଖୋଲା ରହିଥିବା ବେଳେ ପ୍ରବାସୀଙ୍କୁ ସେଠାରେ ରଖାଯିବ । କୋଭିଡ୍‌ ସଚେତନତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଘରଘର ବୁଲି ସର୍ବେକ୍ଷଣ ଆରମ୍ଭ କରାଯାଇଥିବା ବେଳେ ଲକ୍ଷଣଯୁକ୍ତ ରୋଗୀଙ୍କୁ ଚିହ୍ନଟର ପ୍ରୟାସ ଜାରି ରଖାଯାଇଛି । ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କ ସ୍ବତନ୍ତ୍ର ଭାବରେ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ 10-20 ଜଣଙ୍କ ରହିବାର ବ୍ୟବସ୍ଥା କରାଯିବ । ଏହା ଦ୍ବାରା ଗ୍ରାମାଞ୍ଚଳରେ ପ୍ରାୟ 70 ହଜାର ଲୋକଙ୍କର ରହିବାର ବ୍ୟବସ୍ଥା କରାଯାଇପାରିବ । ଥଣ୍ଡା, ଜ୍ବର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲ ବଦଳରେ ପ୍ରଥମେ କୋଭିଡ୍‌ କେୟାର ହୋମ୍‌କୁ ନିଆଯିବ । କରୋନା ପରୀକ୍ଷଣ ପରେ ପଜିଟିଭ୍‌ ଆସିଲେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ଅନ୍ୟଥା ଘରେ ରହି ଚିକିତ୍ସିତ ହେବେ । ଏହାର ପରିଚାଳନା ପାଇଁ ଓ୍ବାର୍ଡସ୍ତରୀୟ କମିଟି ଗଠନ କରାଯିବ । ଓ୍ବାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏଏନ୍‌ଏମ୍‌ ଏବଂ ଏସ୍‌ଏଚ୍‌ଜି ସଦସ୍ୟା ମାନେ ଏହି କମିଟିର ସଦସ୍ୟ ରହିବେ । କୋଭିଡ୍‌ କେୟାର ହୋମ୍‌ ପରିଚାଳନା ପାଇଁ 10 ହଜାର ଟଙ୍କା ପ୍ରଦାନ କରାଯିବ । ଏହାର ପରିଚାଳନା ଦାୟିତ୍ବ ପୂର୍ବପରି ସରପଞ୍ଚଙ୍କ ଉପରେ ନ୍ୟସ୍ତ କରାଯିବ ।

ସହରାଞ୍ଚଳରେ ଓ୍ବାର୍ଡ କମିଟି ଗୁଡିକ ଓ୍ବାର୍ଡ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ ଏବଂ ସେଥିରେ ସ୍ଥାନୀୟ ଲୋକ ଓ ସ୍ବେଚ୍ଛାସେବକ ମାନେ ସଦସ୍ୟ ରହିବେ । ସେମାନେ ଘରକୁ ଘରକୁ ବୁଲି ଜନସାଧାରଙ୍କ ଠାରୁ ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସହରାଞ୍ଚଳ ବସ୍ତି ଉପରେ ଅଧିକ ଫୋକସ୍‌ କରିବା ସହିତ ବଡ ବସ୍ତି ଗୁଡିକରେ କୋଭିଡ୍‌ କେୟାର ହୋମ୍‌ ସ୍ଥାପନ କରାଯିବ । କରୋନା ଲଢେଇରେ ପ୍ରତିଟି ଲୋକ ହେଉଛି ଜଣେ ଜଣେ ଯୋଦ୍ଧା । ଏ ଯୁଦ୍ଧର ସଫଳତା ପାଇଁ ଆପଣ ମାନଙ୍କର ସମସ୍ତଙ୍କମ ସକ୍ରିୟ ସହଯୋଗ ଆବଶ୍ୟକ । ଏ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାକୁ ଆମକୁ ଆହୁରି ଆଗକୁ ନେବାକୁ ପଡିବ । ସତର୍କ ଏବଂ ସଚେତନ ରହିଲେ ଆମେ ଏହି ଲଢେଇରେ ନିଶ୍ଚୟ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।