Categories
ଆଜିର ଖବର ଜାତୀୟ ଖବର

ସାହାସିକତାର ଉଦାହରଣ : ବିଦ୍ୟୁତ୍‌ ତାର ଉପରେ ଚଢି ଡାଳ କାଢିଲେ ଯୁବକ

ହାଇଦ୍ରାବାଦ : ସାହାସିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ତେଲେଙ୍ଗାନାର ଜନୈକ ଯୁବକ । ଏକ ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ତାର ଉପରେ ଚଢି ଏକ ଗଛଡାଳ କାଢିଛନ୍ତି ଏହି ଯୁବକ । ନିଜାମପୁରର ସଦାଶିବପେଟ ମଣ୍ଡଳର ସଙ୍ଗାରେଡ୍ଡୀରେ ସୋମବାର ଏହି ଘଟଣା ଘଟିଛି । ତେଲେଙ୍ଗାନା ବିଦ୍ୟୁତ୍‌ ବିଭାଗର ଏହି କର୍ମଚାରୀ ଜଣଙ୍କ ଏକ ବିଦ୍ୟୁତ୍ ତାର ଉପରେ ଚାଲୁଥିବା ବେଳେ ଏହାର ଭିଡିଓ ଭାଇରାଲ୍‌ ହୋଇଛି । ବର୍ଷା କାରଣରୁ ଏହି 33 କେଭି ବିଦ୍ୟୁତ୍‌ ତାର ଉପରେ ଏକ ଗଛ ଡାଳ ପଡି ଅଟକି ଯାଇଥିଲା ।

ନୁର୍‌ ନାମକ ବିଦ୍ୟୁତ୍‌ ବିଭାଗର ଏହି କର୍ମଚାରୀ ଜଣକ ତାର ଉପରେ ଚଢିବା ସହିତ ଗୋଟିଏ ହାତରେ ତାରକୁ ଧରିଥିଲେ । ଅନ୍ୟ ଏକ ତାର ଉପରେ ପାଦ ରଖି ଗୁରୁଣ୍ଡି ଗୁରୁଣ୍ଡି ନୁର୍‌ ଡାଳଟିକୁ ହଟାଇଥିଲେ । ଏହି ଘଟଣାକୁ ଦେଖି ଦେଖଣାହାରୀ ମଧ୍ୟ ହତ୍‌ବାକ୍‌ ହୋଇଯାଇଥିଲେ । ଏହି ଘଟଣା ପରେ ସୋସିଆଲ ମିଡିଆରେ ବିଦ୍ୟୁତ ବିଭାଗକୁ ସମାଲୋଚନା କରାଯାଇଛି । ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜୀବନକୁ ବିପନ୍ନ କରିବାର ଅଧିକାର ବିଦ୍ୟୁତ୍‌ ବିଭାଗ ନିକଟରେ ନାହିଁ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।