Categories
ଆଜିର ଖବର ରାଜ୍ୟ ଖବର

ଏଣିକି ରାଜ୍ୟ ସରକାରଙ୍କ ସୂଚନା ଅଧିକାରୀମାନେ ଡିଜିଟାଲ ମିଡିଆ ସହ ତାଳ ଦେଇ କରିବେ କାମ

ଭୁବନେଶ୍ୱର, ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମର ପରିଚାଳନା ଏବଂ ବ୍ୟବହାର ସଂପର୍କରେ ସୂଚନା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ, ବରିଷ୍ଠ ଅଧିକାରୀମାନଙ୍କ ସହିତ ପରାମର୍ଶ କ୍ରମେ ସଫଳ କାହାଣୀ ପ୍ରସ୍ତୁତି ସାଙ୍ଗକୁ ଆଧୁନିକ ସୂଚନା-ପ୍ରଯୁକ୍ତି ଉପକରଣର ବ୍ୟବହାର ଆପଣେଇବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ । ସରକାରଙ୍କ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାରଣ ଉପରେ ସୂଚନା ଅଧିକାରୀମାନେ ଗୁରୁତ୍ୱ ଦେବାକୁ  ସଚିବ ଉଲ୍ଲେଖ କରିଥିଲେ ।

ବିଭାଗୀୟ କାର୍ଯ୍ୟକୁ ଆଖି ଆଗରେ ରଖି ସମ୍ବାଦ ପରିବେଷଣ ଏବଂ ବିଭାଗକୁ କ୍ରିୟାଶୀଳ କରିବାରେ ସୂଚନା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କହିଥିଲେ । ବିଗତ ଦିନର ଅଭିଜ୍ଞତାକୁ ନେଇ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ବିଭିନ୍ନ ସମସ୍ୟାର ସମାଧାନ ଏବଂ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ ଅନୁଯାୟୀ ସୂଚନା ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଆଶାପ୍ରକାଶ କରିଥିଲେ ।

ପ୍ରମୁଖ ଶାସନ ସଚିବ ବିଭିନ୍ନ ବିଭାଗର ସୂଚନା ଅଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ ଏବଂ ସୁରେନ୍ଦ୍ର କୁମାର ପରିଡ଼ାଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।