Categories
ଆଜିର ଖବର ରାଜ୍ୟ ଖବର

ଏକାମ୍ର ଯୋଜନାର ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ସହିତ ଯୋଜନା ନିମନ୍ତେ ଆବଶ୍ୟକ ଥିବା ବାସଗୃହ, ମଠ ଏବଂ ଦୋକାନ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଅଧିଗ୍ରହଣ ହେବାକୁ ଥିବା ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଫଳକରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ଅଧିନିୟମ 2013 ଅନୁଯାୟୀ ଏହି କ୍ଷତିପୂରଣ ପ୍ରଦାନ କରାଯିବ ।

ବିସ୍ଥାପିତ ହେଉଥିବା ପରିବାର ଏବଂଦୋକାନୀଙ୍କୁ ପରିବହନ ଏବଂ ଅନ୍ୟ ବ୍ୟବସ୍ଥା ନିମନ୍ତେ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଜମି ଅଧିଗ୍ରହଣ ଦିନଠାରୁ 12 ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମାସିକ 15 ହଜାର ଟଙ୍କା ଘର ଭଡା ବାବଦରେ ପ୍ରଦାନ କରାଯିବ । 200 ମିଟରରୁ କମ୍‌ ଅଞ୍ଚଳରେ ପରିବ୍ୟାପ୍ତ ଦୋକାନ ପାଇଁ ମାସିକ 15 ହଜାର ଏବଂ 200 ବର୍ଗ ମିଟରରୁ ଅଧିକ ବଡ ଦୋକାନ ପାଇଁ ମାସିକ 20 ହଜାରର ଭଡା ପ୍ରଦାନ କରାଯିବ । ବାସଗୃହ ହରାଉଥିବା ଘର ମାଲିକଙ୍କୁ 20 ଲକ୍ଷଟଙ୍କାର ଥଇଥାନ ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସେହିପରି ଜମି ହରାଇଥିବା ମାଲିକଙ୍କୁ ଜମି ବଦଳରେ ଜମି ପ୍ରଦାନ କରାଯିବ । ଯଦି ଜମିର ମୂଲ୍ୟ କମ୍‌ ରୁହେ ତେବେ ଅବଶିଷ୍ଟ ପ୍ରାପ୍ୟ ଅର୍ଥ ଆକାରରେ ପ୍ରଦାନ କରାଯିବ ।
ସ୍ଥିତିବାନ ସ୍ବତ୍ବରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦୋକାନ ହରାଇଥିବା ସମସ୍ତ ଦୋକାନୀଙ୍କୁ ମାର୍କେଟ୍‌ କମ୍ପ୍ଲେକ୍ସରେ 50 ପ୍ରତିଶତ ରିହାତିରେ ଘର ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଅନ୍ୟଥା ଦୋକାନୀ ଚାହିଁଲେ ଏକକାଳୀନ 20 ଲକ୍ଷ ଟଙ୍କାର ସହାୟତା ନେଇପାରିବେ ।

ଉଠାଦୋକାନୀ ମାନଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ଏକକାଳୀନ 30 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ସରକାର । ଏହା ସହିତ ନିୟମ ଅନୁଯାୟୀ ଭେଣ୍ଡିଂ ଯୋଜନା କରାଯାଇ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ । ଯୋଜନାରେ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନ ପାଇଁ ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି ନେବ । ସେହିପରି ଉଚ୍ଛେଦ ହୋଇଥିବା ମଠର ପୁନର୍ବିନ୍ୟାସ ବିଏମ୍‌ସି କମିଶନରଙ୍କ ନେତୃତ୍ବରେ କରାଯିବ ।