Categories
ଆଜିର ଖବର ଜାତୀୟ ଖବର

ହଣ୍ଡଓ୍ବାରା ଶହୀଦଙ୍କ ପାଇଁ 50 ଲକ୍ଷର ସହାୟତା ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ : ଜମ୍ମୁ କାଶ୍ମୀରର ହଣ୍ଡଓ୍ବାରାରେ ଶହୀଦଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିହତ ରାଷ୍ଟ୍ରୀୟ ରାଇଫଲ୍‌ସ କମାଣ୍ଡର କଲୋନେଲ ଆଶୁତୋଷ ଶର୍ମାଙ୍କ ପାଇଁ ଯୋଗୀ ଏହି ସହୟତା ରାଶି ଘୋଷଣା କରିଛନ୍ତି । ସହକାରୀ ମୁଖ୍ୟ ସଚି ଅବିନାଶ ଅଓ୍ବସ୍ଥି ଏହି ସହାୟତା ସମ୍ପର୍କରେ ଘୋଷଣା କରିବା ସହିତ ଶର୍ମାଙ୍କ ପତ୍ନୀଙ୍କୁ 40 ଲକ୍ଷ ଟଙ୍କା ଏବଂ ପରିବାରକୁ 10 ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ ରାଇଫଲ୍‌ସ କମାଣ୍ଡର କଲୋନେଲ ଆଶୁତୋଷ ଶର୍ମା ବୁଲନ୍ଦସହରର ସ୍ୟାନା ସହରର ବାସିନ୍ଦା ଅଟନ୍ତି । ଏହା ସହିତ ଶହୀଦଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଶୁତୋଷ ଶର୍ମାଙ୍କ ସ୍ମୃତିରେ ଏକ ଗୌରବ ଦ୍ବାର ନିର୍ମାଣ କରାଯିବା ନେଇ ମଧ୍ୟ ଯୋଗୀ ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : 5 ଯବାନଙ୍କ ସମେତ 7 ଜଣଙ୍କ ପ୍ରାଣହାନି

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଏକ ଏନ୍‌କାଉଣ୍ଟର ଘଟିଛି । ଏହି ଏନ୍‌କାଉଣ୍ଟର 5 ଜଣ ଯବାନ ଶହୀଦ ହୋଇଥିବା ବେଳେ 2 ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ମଧ୍ୟ ନିହତ ହୋଇଛନ୍ତି । ରବିବାର ଦିନ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାରେ ଏହି ଏନକାଉଣ୍ଟର ଘଟିଛି । ବିଗତ 20 ଘଣ୍ଟା ଧରି ଏନ୍‌କାଉଣ୍ଟର ପରେ 5 ଜଣ ଯବାନ ନିହତ ହୋଇଥିବା ନେଇ ଶ୍ରୀନଗରରେ ସେନାର ମୁଖପାତ୍ର ରାଜେଶ କାଲିଆ ସୂଚନା ଦେଇଛନ୍ତି । ଯବାନଙ୍କ ନାମ ପ୍ରକାଶ କରାଯାଇନଥିଲେ ମଧ୍ୟ ରାଷ୍ଟ୍ରୀୟ ରାଇଫଲ୍‌ସର କମାଣ୍ଡିଙ୍ଗ ଅଫିସର, ରାଜଓ୍ବରର ଜନୈକ ମେଜର, ଜଣେ ଲାନ୍ସ ନାଏକ, ଜଣେ ରାଇଫଲ୍‌ ମ୍ୟାନ ଏବଂ ଜମ୍ମୁ କାଶ୍ମୀର ଏସ୍‌ଓଜିର ଜଣେ ଅଫିସର ଶହୀଦ ହୋଇଛନ୍ତି । ହଣ୍ଡଓ୍ବାରାର ଚଞ୍ଜିମୁଲ୍ଲା ଗ୍ରାମରେ ସୁରକ୍ଷା ବଳଙ୍କ ସର୍ଚ୍ଚ ଅପରେସନ୍‌ ସମୟରେ ଏହି ଏନ୍‌କାଉଣ୍ଟର ଘଟିଥିଲା ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଶନିବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶନିବାର ଦିନ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଦୁଇ ନିହତ ଆତଙ୍କବାଦୀ ଜୈସ ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି । ଉକ୍ତ ଅଞ୍ଚଳରେ ଆହୁରି 4 ଜଣ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ଜଣାପଡିଛି । 10 ଘଣ୍ଟା ଧରି ଏନ୍‌କାଉଣ୍ଟର କରାଯିବା ପରେ ସେନା ପକ୍ଷରୁ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୋପିଆନ୍‌ରେ ଏନ୍‌କାଉଣ୍ଟର: ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ୍‌ରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ଘଟିଛି। ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସକାଳୁ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହେବା ସହିତ ଏହି ଏନ୍‌କାଉଣ୍ଟର ସମାପ୍ତ ହୋଇଛି। ନିହତ ତୃତୀୟ ଆତଙ୍କୀର ପରିଚୟ ମିଳିପାରି ନାହିଁ। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟର ଆଜି ସମାପ୍ତ ହୋଇଥିବା ନେଇ ସୂଚନା ମିଳିଛି। ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନା ପକ୍ଷରୁ ମିଳିତ ଭାବରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁକାଶ୍ମୀରରେ ଏନକାଉଣ୍ଟର : ତିନି ଆତଙ୍କବାଦୀ ନିହତ

ପୁଲଓ୍ବାମା : ଜମ୍ମୁ କଶ୍ମୀରରେ ଆଜି ସକାଳୁ ଫୁଲଓ୍ବାମା ଅବନ୍ତୀପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେନାର ଯବାନଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସୁରକ୍ଷାବାହିନୀଙ୍କୁ ଦେଖି ପ୍ରଥମେ ଆତଙ୍କବାଦୀମାନେ ଗୁଳିକରିଥିଲେ। ଏହାର କଡ଼ା ଜବାବ ଦେଇଥିଲେ ଯବାନମାନେ। ଏହି ଗୁଳି ବିନିମୟରେ 2 ଜଣ ଆତଙ୍କବାସୀଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି।ତେବେ ମୃତ ଆତଙ୍କବାଦୀମାନଙ୍କ ପରିଚୟ ମିଳିପାରି ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଦୁଇ ଆତଙ୍କୀ ନିପାତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସେନା ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର କ୍ଷିତଓ୍ବାର ଜିଲ୍ଲାର ଡାଚନ୍‌ରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଦୁଇ ଆତଙ୍କୀ ବୁଧବାର ଦିନ ଏକ ପୋଲିସ୍‌ ଦଳ ଉପରକୁ ଆକ୍ରମଣ କରିବା ସହିତ ଦୁଇଟି ରାଇଫଲ୍‌ ନେଇ ଯାଇଥିଲେ । ଶୁକ୍ରବାର ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବା ସହିତ ରାଇଫଲ୍‌ ଦୁଇଟିକୁ ଜବତ କରିଛି ଭାରତୀୟ ସେନା । ବୁଧବାର ଠାରୁ ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ରାଷ୍ଟ୍ରୀୟ ରାଇଫଲ୍‌ସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆତଙ୍କୀଙ୍କ ଗୁଳିରେ ଅବସରପ୍ରାପ୍ତ ଯବାନ ଶହୀଦ

ଶ୍ରୀନଗର : ଆତଙ୍କୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଯବାନ ଶହୀଦ ହୋଇଛନ୍ତି । ରବିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଯବାନ ଆହତ ହୋଇଥିବା ବେଳେ ସୋମବାର ସକାଳୁ ସେ ପ୍ରାଣ ହରାଇଛନ୍ତି । କୁଲଗାମର ବଚ୍ରୁ ଜିଲ୍ଲାରେ ଅବ୍‌ଦୁଲ୍‌ ହମିଦ ମାଣ୍ଡୁଙ୍କ ଉପରକୁ ରବିବାର ସନ୍ଧ୍ୟାରେ ଆତଙ୍କୀ ମାନେ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନନ୍ତନାଗ ଜିଲ୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶ୍ରୀନଗରକୁ ସ୍ଥାନାନ୍ତର କରାଯାଇଥିଲା । ଶ୍ରୀନଗରରେ ସୋମବାର ସକାଳୁ ଯବାନ ଜଣକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ସୁରକ୍ଷାବଳ-ନକ୍ସଲ ଏନକାଉଣ୍ଟର : 6 ସୁରକ୍ଷାକର୍ମୀ ଆହତ

ଛତିଶଗଡ : ଛତିଶଗଡରେ ପୁଣି ଏକ ନକ୍ସଲ ଏନକାଉଣ୍ଟର ଘଟିଛି । ମାଓ ଉପଦ୍ରୁତ ସୁକ୍‌ମାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଘଟି 6 ଜଣ ସୁରକ୍ଷାବଳ ଅଧିକାରୀ ଆହତ ହୋଇଛନ୍ତି । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌ କରାଯାଉଥିବା ବେଳେ ଅତର୍କିତ ଭାବରେ ନକ୍ସଲଙ୍କ ପକ୍ଷରୁ ହମ୍‌ଲା କରାଯାଇଥିଲା । ଚିନ୍ତାଗୁଫା ଜଙ୍ଗଲ ଅଞ୍ଚଳରେ ନକ୍ସଲଙ୍କ ପକ୍ଷରୁ ଅତର୍କିତ ଆକ୍ରମଣ କରାଯିବା କାରଣରୁ ଏହି 6 ସୁରକ୍ଷା ଅଧିକାରୀ ଆହତ ହୋଇଥିଲେ । ଏହି ଏନ୍‌କାଉଣ୍ଟର ପରେ ସୁରକ୍ଷା ବଳ ଅଧିକାରୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି ।

Categories
ଆଜିର ଖବର

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିପଡିଲେ ଚାରିଜଣ ଆତଙ୍କବାଦୀ

ଶ୍ରୀନଗର: ଆଜି ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୪ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସକାଳ ପ୍ରାୟ ୧୦.୪୦ ସମୟରେ ଦୟାଲଗାମ ଜନବସତି ଅଞ୍ଚଳରେ ହୋଇଥିବା ନେଇ ଜଣେ ସିଆରପିଏଫ ଅଧିକାରୀ କହିଥିଲେ।

ଆତଙ୍କବାଦୀ ଲୁଚିରହିଥିବାର ସୂଚନା ମିଳିବାପରେ ଜାମ୍ମୁ କାଶ୍ମୀର ପୋଲିସ୍, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଏବଂ ସେନାର ସୁରକ୍ଷା କର୍ମୀଙ୍କ ଏକ ଟିମ୍ ରାତିରେ ଏହି ଅଞ୍ଚଳକୁ ଘେରି ରହିଥିଲେ। ଯାହାଫଳରେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏହାପରେ ତୁରନ୍ତ ଭାରତୀୟ ଜବାନମାନେ ପାଲଟା ଆକ୍ରମଣକରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଅପରେସନ୍ ପରେ ଚାରିଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।” ସର୍ଚ୍ଚ ଅପରେସନ୍ ସମୟରେ ଏନକାଉଣ୍ଟର ସ୍ଥାନରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିଲା।

 

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : 2 ଆତଙ୍କୀଙ୍କ ସହିତ ଜଣେ ସିଆରପିଏଫ୍‌ ଯବାନଙ୍କ ପ୍ରାଣହାନି

ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଏନ୍‌କାଉଣ୍ଟରରେ ଜଣେ ସିଆରପିଏଫ୍‌ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ବୁଧବାର ଶ୍ରୀନଗରରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିବା ବେଳେ ଆତଙ୍କୀ ମାନେ ଆକ୍ରମଣ କରିଥିଲେ । ସିଆରପିଏଫ୍‌ ପକ୍ଷରୁ ପ୍ରତି ଆକ୍ରମଣରେ ଦୁଇ ଆତଙ୍କୀ ପ୍ରାଣ ହରାଇଥିଲେ । ଦୁଇ ଆତଙ୍କୀଙ୍କ ପରିଚୟ ଗୋପନ ରଖାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁକାଶ୍ମୀର : ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର:  ଜମ୍ମୁ କାଶ୍ମୀରରେ ଭାରୀ ସୁରକ୍ଷା ମଧ୍ୟରେ ଜମ୍ମୁ-କାଶ୍ମୀର ହାଇଓ୍ବେ ନଗରୋଟାଠାରେ ସିଆରପିଏଫ୍‌ ପୋଷ୍ଟ ନିକଟରେ ଏନକାଉଣ୍ଟର ହୋଇଛି । ଏହି ଗୁଳି ବିନିମୟରେ  ତିନି ଆତଙ୍କୀ ନିହତ ହୋଇଛନ୍ତି । ଏହି ଗୁଳି ବିନିମୟରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂତ୍ର ଅନୁସାରେ ଏନକାଉଣ୍ଟର ଜାରି ଥିବା ବେଳେ ପୋଲିସ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ବନ ଟୋଲ ପ୍ଲାଜା ଠାରେ ଅଟକ ରଖିଛି । ସୂଚନା ଅନୁସାରେ ଟ୍ରକରେ ଆତଙ୍କବାଦୀମାନେ ଯାଉଥିଲେ ଏବଂ ସେମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ ।  ପୋଲିସ କହିବା ଅନୁସାରେ ଏଠାରେ ଆଜି ୨ ଥର ବଡ଼ଧରଣର ବିସ୍ଫୋରଣର ଶବ୍ଦ ଶୁଭିଥିଲା । ଏହା ପୂର୍ବରୁ କାଶ୍ମୀରର କୁପଓ୍ବାଡା କ୍ଷେତ୍ରରେ ଗୁରୁବାର ଦିନ ଏକ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ଦୁଇ ପୃଥକ ଏନକାଉଣ୍ଟରରେ 10 ଆତଙ୍କୀ ମୃତ

କରାଚୀ : ପାକିସ୍ତାନରେ ଦୁଇ ପୃଥକ ଏନକାଉଣ୍ଟରରେ 10 ଜଣ ଆତଙ୍କୀ ନିହତ ହୋଇଛନ୍ତି । ସ୍ଥାନୀୟ ମିଡିଆ ଏବଂ ସେନାବାହିନୀ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବୁଧବାର ରାତିରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଥିଲେ । ପାକିସ୍ତାନର ଦତା ଖେଲ ଏବଂ ଉତ୍ତର ଓ୍ବଜିରସ୍ତାନରେ ଏହି ଦୁଇ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଓ୍ବଜିରସ୍ତାନର ଖାଇବର୍‌ ପ୍ରଦେଶରେ ସଙ୍ଗଠିତ ଏନକାଉଣ୍ଟରରେ 6 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଥିଲେ । ସେହିପରି ଦତା ଖେଲରେ ସଙ୍ଗଠିତ ଏନ୍‌କାଉଣ୍ଟରରେ 4 ଆତଙ୍କୀ ପ୍ରାଣ ହରାଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସେନା ଏବଂ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ପୁଲଓ୍ବାମାର ତ୍ରାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ଜାରି ରହିଛି । ସେନା ପକ୍ଷରୁ ଆତଙ୍କୀଙ୍କୁ ଘେରି ରଖାଯାଇଛି । ଉଭୟ ପକ୍ଷଙ୍କ ତରଫରୁ ଗୁଳିଚାଳନା ଜାରି ରହିଛି । ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ଘେରା କରାଯାଇଥିବାରୁ ଏହି ଆତଙ୍କୀ ମାନେ ଫସିଥିବା ଜଣାପଡିଛି । ଏନକାଉଣ୍ଟରର ନିକଟବର୍ତ୍ତୀ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରାଯାଇ ଗୁଳିଚାଳନା ଜାରି ରହିଛି । ତିନି ଆତଙ୍କୀଙ୍କ ମଧ୍ୟରେ ଜୈସ୍‌ କମାଣ୍ଡର କାରୀ ୟାସିର୍‌ ରହିଛି । ଦ୍ବିତୀୟ ଆତଙ୍କବାଦୀର ନାମ ବୁରହାନ ଶେଖ ବୋଲି ପ୍ରକାଶ କରାଯାଇଛି । ତୃତୀୟ ଆତଙ୍କବାଦୀର ନାମ ଜଣାପଡିନାହିଁ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କୀ ସହିତ ଦୁଇ ସୁରକ୍ଷା ଅଧିକାରୀଙ୍କ ପ୍ରାଣହାନି

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ତ୍ରାଲ ଅଞ୍ଚଳରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ମଙ୍ଗଳବାର ସଙ୍ଗଠିତ ଏହି ଏନ୍‌କାଉଣ୍ଟରରେ ଦୁଇ ସୁରକ୍ଷା ଅଧିକାରୀ ସହିଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି । ଦୁଇ ସୁରକ୍ଷା ଅଧିକାରୀଙ୍କ ମଧ୍ୟରୁ ଜଣେ ଭାରତୀୟ ସେନାର ଯବାନ ହୋଇଥିବା ବେଳେ ଅନ୍ୟ ଜଣେ ଜମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ପିଓ ଅଟନ୍ତି । ଟ୍ରାଲର ଜାଣ୍ଡ ଗ୍ରାମରେ ପୋଲିସ୍‌ ଏବଂ ସେନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ଏହି ଗୁଳିଚାଳନା ଘଟିଥିଲା । ଦୁଇ ସୁରକ୍ଷା ଅଧିକାରୀ ଗୁଳି ମାଡରେ ଗୁରୁତର ଆହତ ହୋଇଥିବା ବେଳେ ହସ୍ପିଟାଲ ନିଆଯିବା ରାସ୍ତାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଆତଙ୍କୀଙ୍କ ପରିଚୟ ମିଳିନଥିବା ବେଳେ ଉଭୟଙ୍କ ନିକଟରୁ 4ଟି ରାଇଫଲ୍‌ ଜବତ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରର ସୋପିଆଁରେ ତିନି ଆତଙ୍କୀ ନିହତ

ସୋପିଆଁ : ଜମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ତିନି ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋମବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ସୋପିଆଁରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିବା ବେଳେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳିମାଡରେ ତିନି ଆତଙ୍କୀ ନିହତ ହୋଇଥିଲେ । ଘଟଣା ସ୍ଥଳରୁ ସୁରକ୍ଷା ବଳ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ତ୍ରାଲ୍‌ରେ ଏନ୍‌କାଉଣ୍ଟର : 3 ଆତଙ୍କୀ ମୃତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ତ୍ରାଲରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି । ରବିବାର ପୁଲଓ୍ବାମାର ତ୍ରାଲର ଗୁଲଶନପୁରାରେ ଏହି ଏନକାଉଣ୍ଟରରେ ସଙ୍ଗଠିତ ହୋଇଛି । ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ପାଲଟା ଗୁଳି ଚାଳନାରେ ତିନି ଆତଙ୍କୀ ପ୍ରାଣ ହରାଇଥିଲେ । ଗୁଳିଚାଳନା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଥିବା ବେଳେ ତିନି ଆତଙ୍କୀ ନିହତ ହୋଇଥିବା ନେଇ ସେନା ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଜାତୀୟ ଖବର ବିଶେଷ ଖବର

ଘଟଣାକ୍ରମ -୨୦୧୯

ସମୀକ୍ଷା ବ୍ୟୁରୋ

ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୧୯। ଏହି ବର୍ଷ ଅନେକ ଘଟଣା ଦେଶରେ ଚହଳ ପକାଇଥିଲା । ରାଜନୀତିଠାରୁ ଆରମ୍ଭ କରି ଉନ୍ନାଓ ଓ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ, ଏନକାଉଣ୍ଟର ଓ ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହସ ପରି ଘଟଣା ବେଶ୍‌ ଚର୍ଚ୍ଚାରେ ରହିଥିଲା। ସେହିପରି କୋର୍ଟଙ୍କର ମଧ୍ୟ କିଛି ଐତିହାସିକ ରାୟ ବର୍ଷ ସାରା ଦେଶର ମାହୋଲ୍‌କୁ ଚଳଚଞ୍ଚଳ କରି ରଖିଥିଲା । ୨୦୨୦କୁ ସ୍ବାଗତ କରିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଚଳିତ ବର୍ଷର କିଛି ପ୍ରମୁଖ ଘଟଣାବଳୀ ଉପରେ….

ଫୁଲଓ୍ବାମା ଆକ୍ରମଣ

ବର୍ଷର ଦ୍ବିତୀୟ ମାସ ଅର୍ଥାତ୍‌ ଫେବୃଆରୀ ମାସରେ ହୋଇଥିଲା ଫୁଲ୍‌ଓ୍ବାମା ଆକ୍ରମଣ। ଫେବ୍ରୁଆରି ୧୪ ରେ ପ୍ରାୟ ଦିନ ୩ ଟା ୧୫ ମିନିଟ ରେ ଜମ୍ମୁ କାଶ୍ମୀର ହାଇୱେ ସି ଆର ପି ଏଫ ଯବାନ ମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରକୁ ଜୈଶ- ଏ ମହମ୍ମଦ ସମର୍ଥିତ ଆତଙ୍କବାଦୀ ସଂସ୍ଥାର ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୪୦ ଜଣ ଯବାନ ସହିଦ ହୋଇଥିଲେ ।

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌

ଫୁଲଓ୍ବାମା ଆକ୍ରମଣ ପରେ ଏହାକୁ ନେଇ ସାରା ଭାରତରେ ପ୍ରତିଶୋଧର ନିଆଁ ଜଳୁଥିଲା। ପାକିସ୍ତାନ କୁ ପାନେ ଦେବାର ଲକ୍ଷ୍ୟ ଫୁଲଓ୍ବାମା ଘଟଣାର ୧୨ ଦିନ ପରେ ଫେବୃଆରି ୨୬ ରେ ପାକିସ୍ତାନ ର ବାଲାକୋଟ ରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଦ୍ଵାରା ଅତର୍କିତ ଆକ୍ରମଣ କରାଯାଇଥିଲା । ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିଲେ।  ଏହାର ଗୋଟିଏ ଦିନ ପରେ ଅର୍ଥାତ ଫେବୃଆରି ୨୭ ରେ ପାକିସ୍ତାନ ଭାରତୀୟ ବାୟୁସୀମା କୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହି ଉଦ୍ୟମ କୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନ ର ଏକ ଫାଇଟର ଜେଟ ଏଫ ୧୬ କୁ ଗୁଳିମାରୀ ଖସାଇ ଦେବା ସହ ପିଛା କରି ପାକିସ୍ତାନ ମଧ୍ୟରେ ଖସି ପଡିଥିଲେ । ପରେ ମୋଦୀଙ୍କ କୂଟନୀତି ଆଗରେ ପାକିସ୍ତାନ ରେ ଥିବା ଇମରାନ ସରକାର ହାର ମାନି ଥିଲା ଏବଂ ଅଭିନନ୍ଦନଙ୍କୁ ସସମ୍ମାନେ ଫେରାଇ ଦେଇଥିଲା ।

ସିବିଆଇ କଳି

୨୦୧୮ ମସିହା ଅକ୍ଟୋବର ରୁ ଦୁଇ ସିବିଆଇ ମୁଖ୍ୟ ଙ୍କ ମଧ୍ୟରେ ବଦଳିକୁ ନେଇ ସିବିଆଇ ମଧ୍ୟରେ ଗଣ୍ଡୋଗୋଳର ସୂତ୍ରପାତ ହୋଇଥିଲା । ସିବିଆଇର ମୁଖ୍ୟ ଓ ଉପମୁଖ୍ୟଙ୍କ ମଧ୍ୟରେ ଚାଲିଥିବା ସିବିଆଇ ବନାମ ସିବିଆଇ ଲଢ଼େଇ ପରେ ସରକାର ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଉପମୁଖ୍ୟ ରାକେଶ ଆସ୍ଥାନାଙ୍କୁ ରାତି ଅଧିଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବାକୁ ସରକାର ନିର୍ଦ୍ଦେଶ ଦେବା ସହ ଯୁଗ୍ମ ନିର୍ଦ୍ଦେଶକ ଥିବା ଏମ୍‌ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଅବସ୍ଥାପିତ କରାଇଥିଲେ । ପରେ ସିବିଆଇ ମୁଖ୍ୟଙ୍କ ଆଲୋକ ବର୍ମା ତାଙ୍କ କାର୍ଯ୍ୟ କାଳ ସରିଯାଇଥିବା ଦର୍ଶାଇ ସେ ଇସ୍ତଫା ଦେଇଥିଲେ । ତେବେ ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ଭାବେ ଋଷି କୁମାର ଶୁକ୍ଲାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ମୋଦୀଙ୍କ ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ପାଳି

ମୋଦୀଙ୍କ ନେତୃତ୍ଵରେ ୨୦୧୪ ରେ ପ୍ରଥମେ ବିଜେପି ଅନ୍ୟ ସହଯୋଗୀ ଦଳଙ୍କ ସହାୟତାରେ କ୍ଷମତାକୁ ଆସିଥିଲା । ତେବେ ଚଳିତଥର ରେକର୍ଡ ସଂଖ୍ୟକ ଆସନ ଅଧିକାର କରି ବିଜେପି ପୁନର୍ବାର କ୍ଷମତାକୁ ଆସିଥିଲା । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ 303 ଆସନ ଅକ୍ତିଆର କରି ଇତିହାସ ରଚିଥିଲା ।  ତେବେ ବିଜେପି ଲୋକସଭା ନିର୍ବାଚନରେ ବହୁ ବରିଷ୍ଠଙ୍କ ଟିକେଟ କାଟିଥିଲା । ଏମାନଙ୍କ ମଧ୍ୟରେ ରହିଥିଲେ ଲାଲକୃଷ୍ଣ ଆଡଭାନୀ, ସୁମିତ୍ରା ମହାଜନ, ମୁରଲୀମନୋହର ଯୋଶୀଙ୍କ ପରି ବହୁ ତୁଙ୍ଗ ବିଜେପି ନେତୃବୃନ୍ଦ । ସେହିପରି ଚଳିତଥର ବିଜେପିର ସଭାପତି ଥିବା ଅମିତ୍‌ ଶାହା ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍‌ କରି ଗୃହମନ୍ତ୍ରୀ ହୋଇଛନ୍ତି ।

କଂଗ୍ରେସର ଅଧ୍ୟକ୍ଷ ପଦରୁ ରାହୁଲ୍‌ଙ୍କ ଇସ୍ତଫା

ଚଳିତ ଲୋକସଭାରେ କଂଗ୍ରେସର ବିଫଳତା ପଦରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ୍‌ ଗାନ୍ଧି । ଦଳର ପରାଜୟକୁ ନେଇ ସେ ଏପରି ନିଷ୍ପତ୍ତି ନେଇଥିଲେ। ଏବେ କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସୋନିଆ ଗାନ୍ଧି ଦାୟିତ୍ବ ସମ୍ଭାଳୁଛନ୍ତି। ସେହିପରି ଚଳିତ ବର୍ଷ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ କଂଗ୍ରେସର ମହାସଚିବ ପଦରେ ଅଭିଷିକ୍ତ ହୋଇଛନ୍ତି ।

ତ୍ରିପଲ୍‌ ତଲାକ୍‌ ବିଲ୍‌କୁ ମିଳିଲା ମଞ୍ଜୁରୀ

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ତ୍ରିପଲ୍‌ ତଲାକ୍‌ ବିଲ୍‌କୁ ମିଳିଲା ମଞ୍ଜୁରୀ । ଏହି ବିଲ୍‌ ଆଇନରେ ପରିଣତ ହେଲା । ଏହି ଆଇନ୍‌ ଅନୁସାରେ ଇନ୍‌ଷ୍ଟାଣ୍ଟ ଟ୍ରିପଲ ତଲାକ ଏକ ଦଣ୍ଡନୀୟ ଅପରାଧ । ଯେଉଁଥିରେ ପୋଲିସ ଅଭିଯୁକ୍ତକୁ ବିନା ୱାରେଣ୍ଟରେ ଗିରଫ କରି ପାରିବ । ଏ କ୍ଷେତ୍ରରେ ଅଭିଯୁକ୍ତ ତିନି ବର୍ଷ ଯାଏ ଜେଲ ଦଣ୍ଡ ସହ ଫାଇନ ଦେବାକୁ ପଡିବ । ଟ୍ରିପଲ ତଲାକର ପୀଡ଼ିତା ମହିଳା କିମ୍ବା ତାଙ୍କ ରକ୍ତ ସମ୍ପର୍କୀୟ ଅଭିଯୋଗ ଆଣିଲେ ହିଁ ଏହା ଦଣ୍ଡନୀୟ ଶ୍ରେଣୀରେ ଆସିବ ।

ଅଯୋଧ୍ୟା ବିବାଦର ସମାଧାନ

ପ୍ରାୟ ୪୦୦ ବର୍ଷ ଧରି ଅଯୋଧ୍ୟା କୁ ନେଇ ହିନ୍ଦୁ ମୁସଲିମ୍‌ ମଧ୍ୟରେ ଲାଗି ରହିଥିବା ବହୁ ଚର୍ଚ୍ଚିତ ଜମି ବିବାଦର ଯବନିକା ପଡିଥିଲା। ସେତେବେଳର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଙ୍କ ଅଧ୍ୟକ୍ଷତା ରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲା ର ନିୟମିତ ଶୁଣାଣି କରିଥିଲେ । ଉଭୟ ପକ୍ଷର ଦଲିଲ ଶୁଣିବା ପରେ ପ୍ରତ୍ନତତ୍ଵ ବିଭାଗର ପ୍ରମାଣ କୁ ଆଧାର କରି ଧାରା ୧୪୨ କୁ ବିନିଯୋଗ କରି ସମୁଦାୟ ୨.୭୭ ଏକର ଜାଗା କୁ ହିନ୍ଦୁ ପକ୍ଷକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଯୋଧ୍ୟା ଭିତରେ ୫ ଏକର ଜାଗା ମୁସଲିମ୍‌ ପକ୍ଷ କୁ ଦେବା କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ପକ୍ଷ କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିବାଦର ଦୀର୍ଘ ସମୟ ଧରି ଶୁଣାଣି ହେବା ସହ ଏକ ରେକର୍ଡ ସୃଷ୍ଟି କରିଥିଲା ।

ସାବରିମାଳା ବିବାଦ

ସବାରିମାଳା ମନ୍ଦିର ରେ ବହୁ ବର୍ଷ ଧରି ୧୦ ବର୍ଷ ରୁ ୫୦ ବର୍ଷ ବୟସ୍କ ମହିଳାଙ୍କର ପ୍ରବେଶ ନିଷେଧ ରହିଥିଲା। ଏହି ମାମଲା ର ଶୁଣାଣି ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କରିଥିଲେ । ଏଥିରେ ୩ : ୨ ଭିତ୍ତି ରେ ବିଚାର ହୋଇଥିଲା । ଏଥିରେ ମହିଳାଙ୍କ ପ୍ରବେଶ କୁ ନେଇ ଥିବା ନିଷେଧଜ୍ଞା କୁ କୋର୍ଟ ଉଠାଇ ଦେଇଥିଲେ । ଏହା ପରେ କେରଲ ରେ ସର୍ବ ବୃହତ ମାନବ ଶ୍ରୁଙ୍ଖଳ କରା ଯାଇ ସପକ୍ଷ ବାଦି ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଟଣା ଓଟରା ଲାଗି ରହିଥିଲା । ଏହି ରାୟ ବିରୋଧ ରେ ଏକ ରିଭିଉ ପିଟିସନ ଦାୟର ହୋଇଥିଲା । ଏହି ପିଟିସନ ସେତେବେଳ ର ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ଙ୍କ ଅଧ୍ୟକ୍ଷତା ରେ ଶୁଣାଣି ହୋଇଥିଲା । ଏହି ମାମଲା ର ଜଟିଳତା କୁ ଲକ୍ଷ କରି ବିଚାରପତି ଉକ୍ତ ମାମଲା କୁ ଏକ ସାତ ଜଣିଆ ଖଣ୍ଡପୀଠ ରେ ଶୁଣାଣି କରିବାକୁ ସୁପାରିଶ କରିଛନ୍ତି ।

ଆତଙ୍କ ନିରୋଧୀ ବିଲ୍‌ ସଂଶୋଧନ

ଚଳିତ ବର୍ଷ ଆତଙ୍କବାଦ ନିରୋଧୀ ବିଲ୍‌ ସଂଶୋଧନ ମଧ୍ୟ ପାସ୍‌ ହୋଇଛି । ଏହି ବିଲ୍‌ରେ ଆତଙ୍କବାଦୀର ସଂଜ୍ଞାକୁ ଆହୁରି ବ୍ୟାପକ କରାଯାଇଛି । ସଂସ୍ଥା ସହ ଲିଙ୍କ୍‌ ନଥିଲେ ବି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯାଇପାରିବ।

ଅନୁଚ୍ଛେଦ ୩୭୦ ର ପ୍ରତ୍ୟାହାର

କେନ୍ଦ୍ର ସରକାର ଚଳିତ ବର୍ଷ ଐତିହାସିକ ନିଷ୍ପତ୍ତି ମଧ୍ୟରେ ରହିଥିଲା ଧାରା ୩୭୦ର ଉଚ୍ଛେଦ । ଅଗଷ୍ଟ 5 ତାରିଖରେ  ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ କରିଥିଲେ । ଏହା ପରେ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର୍ୟ ରାଜ୍ୟ ରୂପେ ନୁହେଁ ବରଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ପାଇଛି । ଗୃହମନ୍ତ୍ରୀ ଅମିତ ଶାହ ଙ୍କ ଅଧ୍ୟକ୍ଷତା ରେ ଅଗଷ୍ଟ ୫ ୨୦୧୯ ରେ ସଂସଦ ର ଉଭୟ ସଦନ ରେ ବିଲ ପାରିତ ହୋଇ ଜାମୁ ଏବଂ କାଶ୍ମୀ କୁ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ର ମାନ୍ୟତା ଦିଆଯିବା ସହ  ସ୍ବତନ୍ତ୍ର ରାଜ୍ୟର ମାନ୍ୟତାକୁ ପ୍ରତ୍ୟାହାର କରି ଦିଆଗଲା । ଏହା ଯୋଗୁଁ ଭାରତ ମାନଚିତ୍ରରେ ପରିବର୍ତ୍ତନ ହେଲା ।

ଉନ୍ନାଓ ମାମଲା

ଏହି ମାମଲା ସାରା ଭାରତରେ ଚହଳ ପକାଇଥିଲା । ଜଣେ ବିଜେପି  ବିଧାୟକ ଙ୍କ ସହ ଜଣେ ନାବାଳିକା ର ସମ୍ପର୍କ ରୁ ଆରମ୍ଭ ହୁଏ ଏହି ଘଟଣା । ପରେ ୪ ଜୁନ ୨୦୧୭ ରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ ହୁଏ । ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତାଙ୍କୁ ଦୀର୍ଘ ଦୁଇ ବର୍ଷ ପରେ ନ୍ୟାୟ ମିଳିଲା। ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦିଲ୍ଲୀର ତିସହଜାରୀ କୋର୍ଟ ଆଜି ଏହି ମାମଲାର ଦଣ୍ଡଶୁଣାଣି କରି ଦୋଷୀସାବ୍ୟସ୍ତ ସେଙ୍ଗାରଙ୍କୁ ଆଜୀବନ ଜେଲ୍ ସହ ୨୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ଗତ ଡିସେମ୍ବର ୧୬ ତାରିଖରେ ଆଇପିସିର ଧାରା ୩୭୬ ଏବଂ ପୋକ୍ସୋ ଆଇନର ଧାରା ୫ ଏବଂ ୬ ଅଧୀନରେ କୋର୍ଟ ସେଙ୍ଗରଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ।

ହାଇଦ୍ରାବାଦ ପଶୁ ଡାକ୍ତରାଣୀ  ହତ୍ୟା ମାମଲା

ନଭେମ୍ବର ୨୮ ରେ ଘଟିଥିବା ଏହି ଘଟଣାଟିକୁ ନେଇ ସାରା ଦେଶରେ ପ୍ରତିବାଦର ସ୍ଵର ଉଠିଥିଲା ଏବଂ ନାରୀ ସୁରକ୍ଷା ପ୍ରତି ସରକାରଙ୍କୁ ସାଧାରଣ ଲୋକଙ୍କ ଅଙ୍ଗୁଳି ଉଠିଥିଲା।  ଏହି ଘଟଣା ଘଟିବାର ଦୁଇ ଦିନ ମଧ୍ୟରେ ପୋଲିସ ଉକ୍ତ ବର୍ବୋରୋଚିତ କାଣ୍ଡ ରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ହେପାଜତ ରେ ଥାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ସେମାନେ ଘଟଣା ଘଟାଇଥିବା ଜାଗାକୁ ସେମାନଙ୍କୁ ନିଆ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହେବାରୁ ଘଟଣା ସ୍ଥଳରେ ସମ୍ପ୍ୟକ୍ତ ଚାରି ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା। ଏହାକୁ ନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଉକ୍ତ ଗୁଳିକାଣ୍ଡରେ ସମ୍ପୃକ୍ତ ପୋଲିସ ଅଧିକୃଙ୍କ ଉପରେ ଏକ ମାମଲା ଦାୟର ହେବା ସହ ଏକ ଏସଆଇଟି ଗଠନ ହୋଇଛି ।

ମୋଟର ଯାନ ସଂଶୋଧନ ଆଇନ

ଚଳିତ ବର୍ଷ କେନ୍ଦ୍ର ସରକାର ମୋଟର ଯାନ ଆଇନକୁ ବେଶ୍‌ କଡାକଡି କରିଛନ୍ତି । ନୂତନ ସଂଶୋଧିତ ମୋଟର ଯାନ ଆଇନରେ ଜରିମାନା ଅର୍ଥକୁ ଅହେତୁକ ବୃଦ୍ଧି କରାଯାଇଛି । ଏହି ନିୟମରେ ନାବାଳକ ଗାଡି ଚାଳନା ପାଇଁ ଅଭିଭାବକଙ୍କୁ ଦଣ୍ଡ ଦେବାର ପ୍ରାବଧାନ ରହିଛି । ସେହିପରି ମଦ ପିଇ ଗାଡିଚାଳନା, ସ୍ପିଡ୍‌ ଲିମିଟ୍‌, ଲାଇସେନ୍ସ ଆଦି କ୍ଷେତ୍ରରେ ମଧ୍ୟ ଜରିମାନା ଅର୍ଥକୁ ବୃଦ୍ଧି କରାଯାଇଛି ।

ଦୀର୍ଘ ବର୍ଷର ମିତ୍ରତାରେ ସୃଷ୍ଟି ହେଲା ଫାଟ

ଚଳିତ  ବର୍ଷ ବିଜେପି – ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଦୁହେଁ 25 ବର୍ଷର ସମ୍ପର୍କକୁ ଭାଙ୍ଗିଛନ୍ତି । ମହାରାଷ୍ଟ୍ରରେ ବିଜେପି-ଶିବସେନା ମିଳିତ ଭାବରେ ନିର୍ବାଚନ ଲଢି ମଧ୍ୟ ଦୁହେଁ ମେଣ୍ଟ ସରକାର ଗଢିବାରେ ଅସମର୍ଥ ହୋଇଥିଲେ । ଆସନ ବୁଝାମଣାକୁ ନେଇ ଦୁହିଁଙ୍କ ମେଣ୍ଟ ଭାଙ୍ଗିଯାଇଥିଲା । ପ୍ରଥମଥର ପାଇଁ ମହାରାଷ୍ଟ୍ରରେ ଶିବସେନା କଂଗ୍ରସ ଓ ଏନ୍‌ସିପି ସହ ମିଶି ସରକାର ଗଠନ କଲା । ସେହିପରି ପ୍ରଥମ ଥର ପାଇଁ ଚଳିତ ବର୍ଷ ପ୍ରତ୍ୟକ୍ଷ ରାଜନୀତିରେ ଠାକ୍‌ରେ ପରିବାର ଅଂଶଗ୍ରହଣ କରି ବାଜିମାତ୍‌ କରିଛନ୍ତି । ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତାଙ୍କ ପୁତ୍ର ଆଦିତ୍ୟ ଠାକ୍‌ରେ ବର୍ଲି ଆସନରୁ ପ୍ରଥମର ଥର ପାଇଁ ନିର୍ବାଚନ ଲଢି ବିଜୟୀ ହୋଇ ଏବେ କ୍ୟାବିନେଟ୍‌ ମନ୍ତ୍ରୀ ରହିଛନ୍ତି ।

ସିଏଏଓ ଏନ୍‌ଆରସିକୁ ନେଇ ବିବାଦ

ଦ୍ବିତୀୟ ପାଳି ସରକାରରେ ମୋଦି ସରକାର ସିଏଏ ଓ ଏନ୍‌ଆରସି ଆଣିଛନ୍ତି । ନାଗରିକତ୍ବ ବିଲ୍‌ରେ କିଛି ପରିବର୍ତ୍ତନ ଆଣିଛନ୍ତି । ଏହାକୁ ନେଇ ବିରୋଧୀଙ୍କ ସମେତ ସାଧାରଣ ଜନତା ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବିରୋଧ ମଧ୍ୟରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ସରିଛି । କିନ୍ତୁ ଏହି ଆଇନ କୁ ରାଜ୍ୟ ମାନେ ଲାଗୁ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହାର ପରିଣତି କଣ ହେବ ଭବିଷ୍ୟତ କହିବ ।

କାରଗିଲ୍‌ ହିରୋର ବିଦାୟ

୧୯୯୯ ମସିହା କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଏୟାରକ୍ରାଫ୍ଟ ମିଗ୍-୨୭।  ଏହି ଲଢ଼ୁଆ ବିମାନ ‘ବାହାଦୂର’ ରାଜସ୍ଥାନ ଯୋଧପୁରରେ ଅନ୍ତିମ ଥର ପାଇଁ ଉଡ଼ାଣ ଭରି ଅବସର ଗ୍ରହଣ କରିଛି।  ୧୯୮୫ ମସିହାରେ ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା।

ଚଳିତ ବର୍ଷ ଚର୍ଚ୍ଚିତ ଘଟଣା ମଧ୍ୟରେ ରହିଛି ଭାରତୀୟ ବଂଶୋଦ୍ଭବ ଅଭିଜିତ୍‌ ଚାଟ୍ଟାର୍ଜୀଙ୍କୁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପ୍ରାପ୍ତ ତଥା ନୋବେଲ୍‌ ଆଓ୍ବାର୍ଡ ପ୍ରାପ୍ତ ଅବସରରେ ଭାରତୀୟ ପରିଧାନ ସ୍ବରୂପ ଧୋତି ଓ କୁର୍ତ୍ତାରେ ଏହି ସମ୍ମାନ ଗ୍ରହଣ କରି ଭାରତୀୟ ସଂସ୍କୃତିର ପରିଚୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ସେହିପରି ଚଳିତ ଥର ଚର୍ଚ୍ଚାରେ ରହିଥିଲା ପିଆଜ। ପିଆଜ ଦର ଭାରତରେ ପ୍ରଥମ ଥର ପାଇଁ 150 ଟଙ୍କା ପ୍ରତି କିଲୋରେ ବିକ୍ରି ହୋଇ ରେକର୍ଡ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ମଧ୍ୟ ସରକାର ପିଆଜ ଦର ଉପରେ ନିୟନ୍ତ୍ରଣ ଆଣି ପାରିନାହାନ୍ତି।

ଘଟଣାବହୁଳ ବର୍ଷ ଭାବରେ 2019 ଆମଠୁ ବିଦାୟ ନେଉଛି। ନୂତନ ବର୍ଷକୁ ସ୍ବାଗତ ପାଇଁ ଚାରିଆଡେ ଚାଲିଛି ଉତ୍ସବର ମାହୋଲ୍‌ । ବର୍ଷର ଅନ୍ତିମ କ୍ଷଣରେ ଆମେ ଏତିକି ଆଶା କରିବା ଯେ, ଆଗାମୀ ବର୍ଷ ଭାରତ ବର୍ଷ ପାଇଁ ଶାନ୍ତିର ବର୍ଷ ହେଉ। ଅର୍ଥନୀତି କ୍ଷେତ୍ରରେ ଭାରତର ସ୍ଥିତି ସୁଦୃଢ ରହୁ । ସର୍ବୋପରି ଭାରତ ନିଜର ଅଖଣ୍ଡତା ଓ ଐକତା ଉପରେ ତିଷ୍ଠି ରହୁ ।

Categories
ଆଜିର ଖବର

କଟକ ପୋଲିସର ରାତିଅଧିଆ ଏନ୍‌କାଉଣ୍ଟର : କୁଖ୍ୟାତ ଅପରାଧୀ ଗିରଫ

ସମୀକ୍ଷା ବ୍ୟୁରୋ
କଟକ,11/12: କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ କମିଶନରେଟ ପୋଲିସ୍‌ ପକ୍ଷରୁ ରାତିଅଧିଆ ଚଢାଉ କରାଯାଇଥିଲା । ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବଲୁ ଆହତ ହୋଇଛି । ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ବବ୍‌ଲୁକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ 3ଟା ବେଳେ ନରାଜ ବଜାର ଅଞ୍ଚଳର ବବ୍‌ଲୁ ରହିଥିବା ଖବର ପାଇ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢଉ କରାଯାଇଥିଲା । ଆତ୍ମସମର୍ପଣ କରିବା ବଦଳରେ ବବ୍‌ଲୁ ପୋଲିସ୍‌ ଉପରକୁ ଗୁଳି ଚଳାଇବାରୁ ତିନି ପୋଲିସ୍‌ କର୍ମୀ ଆହତ ହୋଇଥିଲେ । ବବଲୁ ନିକଟରୁ ପୋଲିସ ଗୋଟିଏ ବନ୍ଧକୁ ଜବତ କରିଛି ।

Categories
ଆଜିର ଖବର

ପୁଲଓ୍ବାମାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ,9/12: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ରବିବାର ମଧ୍ୟରାତ୍ରରୁ ଏହି ଏନ୍‌କାଉଣ୍ଟର ଜାରି ରହିଛି । ଆର୍ମି ପୁଲିସ୍‌ ଏବଂ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ସମୟରେ ଆତଙ୍କୀଙ୍କ ଏହି ଗୁପ୍ତ ଠିକଣାର ସନ୍ଧାନ ମିଳିଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଘଟଣା ସ୍ଥଳରେ ତିନି ଆତଙ୍କବାଦୀ ଉପସ୍ଥିତ ଥିବା ଜଣାପଡିଛି । ଖବର ପ୍ରସ୍ତୁତି ବେଳକୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଛି । (ଏଜେନ୍ସୀ)

Categories
ବିଶେଷ ଖବର

ଭିଡତନ୍ତ୍ର ଆଡକୁ ଅଗ୍ରସର ହେଉଥିବା ଗଣତନ୍ତ୍ର ଆଖିରେ ଏନକାଉଣ୍ଟର ବନାମ ଦୁଷ୍କର୍ମ

ସମୀକ୍ଷା ବ୍ୟୁରୋ

ସାରାଦେଶରେ ଏବେ ଗଣଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା। ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା  ଥମି ନଥିବାବେଳେ ଉନ୍ନାଓ  ମୃତ୍ୟୁ। ପୁଣି ଦୁଷ୍କର୍ମ ଅଭିଯୋଗ ଫେରାଇ ନ ଆଣିବା ପାଇଁ ଏସିଡ୍‌ ମାଡ଼ର ଘଟଣା ସାମ୍ନାକୁ ଆସିଛି। ଦେଶରେ ନାରୀ ଜାତି ଉପରେ ଚାଲିଥିବା ନିର୍ଯାତନା ଓ ଅତ୍ୟାଚାର ଥମିବାର ନାଁ ଧରୁନାହିଁ। ଗୋଟିଏ ଘଟଣା ଉପରୁ ପରଦା ନ ଉଠୁଥିବାବେଳେ ଅନ୍ୟ ଗୋଟେ ଘଟଣା ଘଟିଯାଉଛି। ପ୍ରତି କୋଡିଏ ମିନିଟ୍‌ରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି।

ସମ୍ପ୍ରତି ଦେଶରେ ଚାଲିଥିବା ଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ସାରା ଦେଶ ଏବେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି। ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାର ଏନକାଉଣ୍ଟର ପରେ ଏହାକୁ ନେଇ ଦେଶରେ ଗୋଟେ ଅଲଗା ପ୍ରକାର ବାତାବରଣ ଦେଖିବାକୁ ମିଳିଛି। ତେଲେଙ୍ଗାନା ପୋଲିସ୍‌ର ଏପରି କାର୍ଯ୍ୟକୁ ପ୍ରଚୁର ଜନସମର୍ଥନ ମିଳୁଥିବାବେଳେ ବୁଦ୍ଧିଜୀବୀ, ସମାଜକର୍ମୀ ତଥା ନ୍ୟାୟମୂର୍ତ୍ତିମାନେ ଏହାର ବିରୋଧ କରିଛନ୍ତି।

ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ ନାମରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବାବେଳେ ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜୀଅନ୍ତା ଜାଳିଦେଇଥିଲେ। ୯୦% ପୋଡ଼ିଯାଇଥିବା ଏହି ପୀଡ଼ିତା ଜୀବନ ସହ ୪୦ ଘଣ୍ଟାର ଯୁଦ୍ଧ କରି ଶୁକ୍ରବାର ରାତ୍ର ୧୧.୪୦ ସମୟରେ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ପୀଡ଼ିତା ଜଣକ ବୟାନ ରେକର୍ଡ ପାଇଁ କୋର୍ଟ ଯିବା ରାସ୍ତାରେ ହିଁ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏହି ପ୍ରସଙ୍ଗରେ ବିଳମ୍ବିତ ନ୍ୟାୟକୁ କିଛି ଲୋକ ଦାୟୀ କରୁଥିବାବେଳେ ହାଇଦ୍ରାବାଦ ଏନ୍‌କାଉଣ୍ଟର ପରି ଏହି ପ୍ରସଙ୍ଗରେ ଅଭିଯୁକ୍ତଙ୍କ ପ୍ରତି ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଦୁଷ୍କର୍ମ ଘଟଣାରେ କଠୋର ଦଣ୍ଡ ଆଇନ୍‌ ଓ ତ୍ବରିତ ନ୍ୟାୟ ପ୍ରକ୍ରିୟାକୁ ନେଇ ସାଧାରଣରେ ଦାବି ଉଠୁଛି। ଅପରାଧର ମୂଳୋତ୍ପାଟନ କରିବାକୁ ହେଲେ ଆଜିର ସମୟରେ ଭୟ ହିଁ ଏକମାତ୍ର ମାଧ୍ୟମ। ଆମର ନ୍ୟାୟ ବ୍ୟବସ୍ଥାର ଶିଥୀଳତା ଯୋଗୁଁ ଲୋକେ ଆରାମରେ ଅପରାଧ କରି ଖସି ଯାଉଛନ୍ତି। ଅନ୍ୟ ରାଷ୍ଟ୍ର ପରି ଯଦି ଦୁଷ୍କର୍ମକୁ ନେଇ କଠୋର ଦଣ୍ଡବ୍ୟବସ୍ଥା କରାଯା’ନ୍ତା, ତେବେ ଏହାକୁ କିଛିକାଂଶରେ ବନ୍ଦ କରାଯାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ହାଇଦ୍ରାବାଦ ଏନକାଉଣ୍ଟର ପରେ ଏହାକୁ ନେଇ ସୁପ୍ରିମ୍‌କୋର୍ଟରେ ଯାଚିକା ଦାଏର କରାଯାଇଛି। ଏହି ଏନ୍‌କାଉଣ୍ଟରକୁ ନେଇ ରହିଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜାଯାଉଛି। ଜାତୀୟ ମାନବାଧିକାର କମିଶନ ଏହାର ସମୀକ୍ଷା କରୁଥିବାବେଳେ ଗତକାଲି ଏହି ଏନ୍‌କାଉଣ୍ଟରକୁ ନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେମତ ଦେଇ କହିଛନ୍ତି ଯେ, ପ୍ରତିଶୋଧପୂର୍ଣ୍ଣ ନ୍ୟାୟ କେବେ ବି ନ୍ୟାୟ ପଦବାଚ୍ୟ ନୁହେଁ।

ପ୍ରତିଶୋଧ କେବେ ନ୍ୟାୟ ହୋଇପାରିବନି ଏହା ସତ୍ୟ, ତେବେ ନ୍ୟାୟ ପାଇଁ ପୀଡ଼ିତାଙ୍କୁ ଆଉ କେତେ କଷ୍ଟ କରିବାକୁ ପଡ଼ିବ। ୨୦୧୨ରେ ଘଟିଥିବା ନିର୍ଭୟା ଆଜି ବି ନ୍ୟାୟ ପାଇଁ ପଡ଼ି ରହିଛି। ଦୁଷ୍କର୍ମ ପୀଡ଼ିତା ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟର ସୁବିଧା ରହିଥିଲେ ବି ଦଣ୍ଡ ବ୍ୟବସ୍ଥାରେ ଏତେ ଶିଥିଳତା କାହିଁକି ?

ଗଣତନ୍ତ୍ରକୁ ଭିଡତନ୍ତ୍ର କବଳରୁ ମୁକ୍ତ କରିବାକୁ ହେଲେ ତ୍ବରିତ ନ୍ୟାୟ ଓ ନ୍ୟାୟପାଳିକାର ସଂସ୍କାର ଆଜିର ସମୟରେ ବଡ଼ ଆବଶ୍ୟକତା ପାଲଟିଛି।

Categories
ଆଜିର ଖବର

ହାଇଦ୍ରାବାଦ ଏନକାଉଣ୍ଟର : ପୋଲିସ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ଯାଚିକା ଦାଏର

ହାଇଦ୍ରାବାଦ, ୭/୧୨:  ହାଇଦ୍ରାବାଦ୍‌ ଏନକାଉଣ୍ଟର କେଶ୍‌ରେ ପୋଲିସ୍‌ ବିରୁଦ୍ଧରେ ସୁପ୍ରିମ୍‌କୋର୍ଟରେ ଯାଚିକା ଦାଏର କରାଯାଇଛିି। ଏହି ଯାଚିକାରେ ଏନକାଉଣ୍ଟରରେ ସାମିଲ୍‌ ରହିଥିବା ସମସ୍ତ ପୋଲିସ୍‌ କର୍ମୀଙ୍କ ଉପରେ ଏଫଆଇଆର କରାଯାଇଛି। ଏହି ଘଟଣାର ଯାଞ୍ଚ ହେବା ସହିତ ପୋଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରାଯିବା ନେଇ ଏଫଆଇରରେ ଉଲ୍ଲେଖ ରହିଛି। ସୁପ୍ରିମ୍‌କୋର୍ଟର ଓକିଲ ଜିଏସ୍‌ ମଣି ଓ ପ୍ରଦୀପ କୁମାର ଯାଦବ ଏହି ଯାଚିକାରେ ୨୦୧୪ରେ ସୁପ୍ରିମ୍‌କୋର୍ଟ ଦେଇଥିବା ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରାଯାଇଛି ବୋଲି କହିଛନ୍ତି। (ଏଜେନ୍ସି)