Categories
ଆଜିର ଖବର

ସେନ୍‌ସେକ୍ସରେ ୯୦୦ ପଏଣ୍ଟ ବୃଦ୍ଧି, ଡଲାର ତୁଳନାରେ ଟଙ୍କା ମଜବୁତ

ଭାରତୀୟ ନିର୍ବାଚନର ଫଳାଫଳ ପୂର୍ବାନୂମାନ (ଏକ୍ସିଟ୍‌ ପୋଲ୍‌)ର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଏକ୍ସିଟ୍‌ ପୋଲ୍‌ ରିପୋର୍ଟରେ ଏନ୍‌ଡିଏକୁ ବହୁମତ ମିଳିବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ସେନ୍‌ସେକ୍ସରେ ୯୦୦ ପଏଣ୍ଟର ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ନିଫ୍‌ଟୀରେ ମଧ୍ୟ ୨୬୦ ପଏଣ୍ଟର ଅଭିବୃଦ୍ଧି ଘଟିଛି। ଶୁକ୍ରବାର ଦିନ ବିଏସ୍‌ଇର ସେନ୍‌ସେକ୍ସରେ ୫୩୭.୨୯ ପଏଣ୍ଟ ବୃଦ୍ଧି ଘଟିଥିବା ବେଳେ ଏହା ୩୭୯୩୦.୭୭ ପଏଣ୍ଟରେ ରହିଥିଲା । ସେହିପରି ଏନ୍‌ଏସ୍‌ଇର ନିଫ୍‌ଟି ୫୦ରେ ୧୫୦.୦୫ ପଏଣ୍ଟ ବୃଦ୍ଧି ୧୧୪୦୭.୧୫ ପଏଣ୍ଟ ରହିଥିଲା। ସୋମବାର ବଜାର ଖୋଲିବା ପରଠାରୁ ସେନସେକ୍ସ ଏବଂ ନିଫ୍‌ଟୀ ବଢିଆ ଅଭିବୃଦ୍ଧି ହାସଲ କରିଥିଲେ। ସେନସେକ୍ସ ସୋମବାରର ପ୍ରଥମ ଘଣ୍ଟାରେ ୩୮୮୯୨ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟୀ ୧୧୭୦୦ ପଏଣ୍ଟ ଛୁଇଁଛି। ଏହି ସମୟରେ ଭାରତୀୟ ବଜାର ୨ ପ୍ରତିଶତର ଅଭିବୃଦ୍ଧି ହାସଲ କରିଥିବା ବେଳେ ଡଲାର ତୁଳନାରେ ୭୯ ପଇସା ଶକ୍ତିଶାଳୀ ହୋଇଛି ଭାରତୀୟ ମୁଦ୍ରା। ପୂର୍ବରୁ ଟଙ୍କାର ବିନିମୟ ମୂଲ୍ୟ ୭୦.୨୨  ପଇସା ରହିଥିବା ବେଳେ ସୋମବାର ଏହ ୬୯.୪୯ ପଇସାରେ ପହଞ୍ଚିଛି।