Categories
ଆଜିର ଖବର ଜାତୀୟ ଖବର

ହିନ୍ଦୁ ଦେବାଦେବୀଙ୍କୁ ନାଗରିକତା ମିଳିବା ନେଇ ଦାବି କଲେ ପୂଜାରୀ

ହାଇଦ୍ରାବାଦ : ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟାର (ଏନ୍‌ଆରସି)କୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଲାଗି ରହିଥିବାବେଳେ ଜଣେ ପୂଜାରୀଙ୍କ ହିନ୍ଦୁଦେବାଦେବୀଙ୍କ ପାଇଁ ସରକାରଙ୍କଠାରୁ ନାଗରିକତ୍ବ ଦାବି ବେଶ୍‌ ଚର୍ଚ୍ଚାରେ ରହିଛି ।

ହାଇଦ୍ରାବାଦର ଚିଲକୁର୍‌ ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସିଏସ୍‌ ରଙ୍ଗରାଜନ୍‌ ହିନ୍ଦୁ ଦେବାଦେବୀଙ୍କ ନାଗରିକତ୍ବ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସିଏସ୍‌ ରଙ୍ଗରାଜନ୍‌ ତିରୁମାଲାର ଭେଙ୍କେଟଶ୍ବର ସ୍ବାମୀ, ସାବରମାଳୀର ଆୟାପ୍ପା ସ୍ବାମୀଙ୍କ ପରି ସମସ୍ତ ହିନ୍ଦୁ ଦେବାଦେବୀଙ୍କୁ ସିଏଏ ଅନ୍ତର୍ଗତ ଧାରା 5(4) ଅନୁଯାୟୀ ନାଗରିକ ରୂପରେ ପଞ୍ଜିକୃତ କରିବା ଲାଗି ଦାବି କରିଛନ୍ତି ।

ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସିଏସ୍‌ ରଙ୍ଗରାଜନଙ୍କ ମତରେ ସିଏଏ ଆଇନ ଆଧାରରେ ଯଦି ସମସ୍ତ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ଦେବାକୁ ପ୍ରାବଧାନ ରହିଛି, ତେବେ ମନ୍ଦିରର ଦେବାଦେବୀଙ୍କୁ କ’ଣ ପାଇଁ ନାଗରିକତା ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ରଙ୍ଗରାଜନ୍‌ କହିଛନ୍ତି ଯେ ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ହିନ୍ଦୁ ମନ୍ଦିର ଓ ଧାର୍ମିକ ସଙ୍ଗଠନ ଏବେ ବିପଦରେ ରହିଛନ୍ତି । ସରକାର ସାମ୍ବିଧାନିକ ପ୍ରାବଧାନ ଓ ନ୍ୟାୟିକ ନିଷ୍ପତ୍ତି ଆଧାରରେ ହିନ୍ଦୁ ମନ୍ଦିର ଓ ଧର୍ମୀୟ ସଙ୍ଗଠନକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି। ଅପରପକ୍ଷରେ ଅନ୍ୟ ଧର୍ମ ସଂସ୍ଥାକୁ ନିୟନ୍ତ୍ରଣରୁ ବାହାରେ ରଖିଛନ୍ତି ।

ସଂଶୋଧିତ ନାଗରିକତା ଆଇନ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନଠାରୁ 2014 ଡିସେମ୍ବର 31 ପୂର୍ବରୁ ଭାରତକୁ ଆସିଥିବା ହିନ୍ଦୁ, ଈଶାଇ, ଶିଖ୍‌, ପାର୍ସୀ, ଜୈନ୍‌ ଓ ବୁଦ୍ଧିଷ୍ଟ୍‌ମାନଙ୍କୁ ଭାରତୀୟ ନାଗରିକତ୍ବ ମିଳିବ । ଅପରପକ୍ଷରେ ଏହି ନିୟମରେ ମୁସଲମାନଙ୍କୁ ସାମିଲ୍‌ କରାଯାଇନାହିଁ । ସିଏଏକୁ ନେଇ ଶାହୀନବାଗ୍‌ଠାରେ 38 ଦିନ ଧରି ବିରୋଧ ପ୍ରଦର୍ଶନ ଜାରି ରହିଛି । (ଏଜେନ୍ସି)