Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏନ୍‌ସିଇଆରଟିର ୮ ସପ୍ତାହ ବିଶିଷ୍ଟ ଉଚ୍ଚପ୍ରାଥମିକ ବିକଳ୍ପ ଶିକ୍ଷା ପାଠ୍ୟକ୍ରମ ଉନ୍ମୋଚିତ

ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିକଳ୍ପ ଶୈକ୍ଷିକ ପାଠ୍ୟକ୍ରମ (କ୍ୟାଲେଣ୍ଡର) ଉନ୍ମୋଚନ କରିଛନ୍ତି । କୋଭିଡ୍ ମହାମାରୀ ସମୟରେ ସ୍କୁଲ ବନ୍ଦ ଯୋଗୁଁ ଘରେ ରହୁଥିବା ଏହି ବର୍ଗର ପିଲାମାନଙ୍କୁ ଯଥାର୍ଥ ଭାବରେ ପାଠପଢ଼ାରେ ନିୟୋଜିତ କରିବା ପାଇଁ ଏହି ବିକଳ୍ପ ପାଠ୍ୟକ୍ରମ ଉଦ୍ଦିଷ୍ଟ । ସେମାନେ ନିଜର ପିତାମାତା ଓ ଶିକ୍ଷକମାନଙ୍କ ଦ୍ୱାରା ସହଜରେ ଏହି ପାଠ ପଢିପାରିବେ । ଏହି ବିକଳ୍ପ ପାଠ୍ୟକ୍ରମ ଉଚ୍ଚ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଦିଗ୍‌ଦର୍ଶନରେ ଏନ୍‌ସିଇଆରଟି ଏହାକୁ ପ୍ରସ୍ତୁତ କରିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ନୂଆ ପାଠ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲର ପ୍ରିନ୍‌ସପାଲଙ୍କୁ ସଶକ୍ତ କରିବ । କୋଭିଡ୍ ସମୟରେ ଘରେ ରହୁଥିବା ପିଲାମାନଙ୍କୁ କିପରି ଶୈକ୍ଷିକ ଓ ଶିକ୍ଷଣୀୟ ସମ୍ବଳ ମାଧ୍ୟମରେ ପାଠପଢାରେ ନିୟୋଜିତ କରାଯାଇପାରିବ ସେଥିପାଇଁ ଉଭୟ ପିତାମାତା ଓ ଶିକ୍ଷକମାନେ ଯଥାର୍ଥ ସୁଯୋଗ ପାଇବେ । ଏହି ପାଠ୍ୟକ୍ରମରେ ବିଭିନ୍ନ ପ୍ରକାର ପାଠ ରହିଛି । ଅନ୍‌ଲାଇନ ବ୍ୟବସ୍ଥାରେ ପିଲାମାନେ ଏହି ପାଠ ପଢିବା ସହ ନିଜର ଶୈକ୍ଷିକ ଉପଲବ୍‌ଧିର ପ୍ରମାଣ ମଧ୍ୟ ଦେଇପାରିବେ ।

ସଂକ୍ଷେପରେ, ଘରେ ରହୁଥିବା ପିଲାମାନଙ୍କ ପାଇଁ ଏହା ଯଥାର୍ଥରେ ସ୍କୁଲ ଶିକ୍ଷା ସହ ସମାନ। ସେ କହିଛନ୍ତି ଯେ ଉଚ୍ଚପ୍ରାଥମିକ ପର‌୍ୟ୍ୟାୟ ବା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ୪ ସପ୍ତାହ ନିମନ୍ତେ ଏଭଳି ଏକ ପାଠ୍ୟକ୍ରମ ପୂର୍ବରୁ ପ୍ରକାଶ କରାଯାଇଛି । ଏବେ ପରବର୍ତ୍ତୀ ୮ ସପ୍ତାହ ପାଇଁ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନୂଆ ବିକଳ୍ପ ପାଠ୍ୟକ୍ରମ ପ୍ରକାଶ କରାଗଲା। ସେ ଆହୁରି କହିଛନ୍ତି ଯେ ଏହି ପାଠ୍ୟକ୍ରମରେ ବିଭିନ୍ନ ବୈଷୟିକ ଓ ସାମାଜିକ ଗଣମାଧ୍ୟମର ଉପକରଣ ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ଏହାକୁ କିପରି ଆକର୍ଷଣୀୟଭାବେ ଖେଳିଲାଭଳି ବ୍ୟବହାର କରାଯାଇପାରିବ ତାହାର ମଧ୍ୟ ବ୍ୟବସ୍ଥା ରହିଛି । କେବଳ ଛାତ୍ରଛାତ୍ରୀ ନୁହନ୍ତି, ଶିକ୍ଷକ ଏବଂ ସେମାନଙ୍କ ପିତାମାତା ମଧ୍ୟ ଏଥିରୁ ଅନେକ କଥା ଶିଖିପାରିବେ ।

ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଏସବୁ ଉପକରଣ ମଧ୍ୟରେ ମୋବାଇଲ ଫୋନ, ରେଡିଓ, ଟେଲିଭିଜନ, ଏସ୍‌ଏମ୍‌ଏସ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ରହିଛି । ଆମ ସମସ୍ତଙ୍କ ମୋବାଇଲ ଫୋନରେ ଇଣ୍ଟରନେଟ ସୁବିଧା ଥାଇ ନପାରେ କିମ୍ବା ଆମେ ସମସ୍ତେ ହ୍ୱାଟସ୍‌ଅପ୍‌, ଫେସବୁକ୍‌, ଟ୍ୱିଟର, ଗୁଗ୍‌ଲ ଆଦି ବ୍ୟବହାର କରିବାର ସୁଯୋଗ ପାଇନପାରୁ; ଏହା ସତ୍ତ୍ୱେ ମୋବାଇଲରେ ଏସ୍‌ଏମ୍‌ଏସ୍ କିମ୍ବା ଭଏସ୍ କଲ୍ ବ୍ୟବହାର କରି ପିଲାମାନେ ନୂଆ ପାଠ୍ୟକ୍ରମରେ ଶିକ୍ଷାଲାଭ କରିପାରିବେ । ଏହି ପାଠ୍ୟକ୍ରମକୁ କାର‌୍ୟ୍ୟକାରୀ କରିବା ପାଇଁ ପ୍ରାଥମିକ ଅବସ୍ଥାରେ ପିତାମାତାମାନେ ନିଜର ପିଲାଙ୍କୁ ସାହାଯ୍ୟ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ସମେତ ସ୍ୱତନ୍ତ୍ର ଆବଶ୍ୟକତା ଲୋଡୁଥିବା ପିଲାମାନେ ନୂଆ ପାଠ୍ୟକ୍ରମ ଦ୍ୱାରା ଉପକୃତ ହୋଇପାରିବେ । ସେମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଅଡିଓ ବୁକ୍ ଲିଙ୍କ୍‌, ରେଡିଓ ଓ ଭିଡିଓ ପ୍ରୋଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପାଠ୍ୟକ୍ରମରେ ସପ୍ତାହଭିତ୍ତିକ ପାଠ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ସବୁ ପାଠ୍ୟକ୍ରମ ବେଶ୍ ଚିତ୍ତାକର୍ଷକ, ଆନନ୍ଦଦାୟୀ ଏବଂ ଆହ୍ୱାନମୂଳକ । ସ୍କୁଲ ସିଲାବସ୍‌କୁ ଭିତ୍ତିକରି ପାଠ ବହିରୁ ଏସବୁ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି । ଏଥିରେ ସବୁଠୁ ବଡକଥା ହେଉଛି ପିଲା କ’ଣ ଶିଖିଲେ ତାହା ପରୀକ୍ଷା କରିବା ବ୍ୟବସ୍ଥା କରାଯାଇଛି ।

ସେ କହିଛନ୍ତି ଯେ ଏଥିରେ କଳା ଶିକ୍ଷା, ଶାରୀରିକ ଶିକ୍ଷା, ଯୋଗ, ପ୍ରାକ୍ ଧନ୍ଦାମୂଳକ କୌଶଳ ଆଦି ପରୀକ୍ଷାମୂଳକ ଶୈକ୍ଷିକ କାର‌୍ୟ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି । ଏହି ପାଠ୍ୟକ୍ରମରେ ବିଷୟବସ୍ତୁ ୱାରୀ ଏବଂ ଶ୍ରେଣୀ ୱାରୀ କାର‌୍ୟ୍ୟକ୍ରମ ରହିଛି । ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ ଓ ସଂସ୍କୃତ ଏହି ୪ଟି ଭାଷାରେ ଏଥିରେ ଅତିରିକ୍ତ ପାଠପଢାର ସୁବିଧା ଉପଲବ୍‌ଧ । ଛାତ୍ରଛାତ୍ରୀ, ଶିକ୍ଷକ, ସ୍କୁଲ ପରିଚାଳକ ଏବଂ ପିତାମାତା ଏମାନେ ଯେପରି ଚାପଗ୍ରସ୍ତ ନ ହେବେ ସେଥିପାଇଁ ଏହି ପାଠ୍ୟକ୍ରମରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ବିଷୟବସ୍ତୁଗୁଡିକର ଇ-କଣ୍ଟେଣ୍ଟ ମଧ୍ୟ ଇ-ପାଠଶାଳା, ଏନ୍‌ଆରଓଇଆର ଏବଂ ଦୀକ୍ଷା ପୋର୍ଟାଲରେ ଉପଲବ୍‌ଧ । ପାଠ୍ୟକ୍ରମର ସବୁ ବିଷୟବସ୍ତୁ ସଂକେତାତ୍ମକ, ଆଦେଶମୂଳକ ନୁହେଁ । କାହା ପରେ କେଉଁ ବିଷୟବସ୍ତୁ ରହିବ ତାହା ମଧ୍ୟ ବାଧ୍ୟତାମୂଳକ ହୋଇନାହିଁ । ପିଲାମାନେ ନିଜ ଖୁସି ଅନୁସାରେ ଏଥିରୁ ପାଠ ପଢିପାରିବେ ।

ଏନ୍‌ସିଇଆରଟି ଇତିମଧ୍ୟରେ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକମାନଙ୍କ ସହ ସ୍ୱୟଂପ୍ରଭା କିଶୋର ମଞ୍ଚ ଟିଭି ଚ୍ୟାନେଲ ମାଧ୍ୟମରେ ଇଣ୍ଟରାକ୍ଟିଭ ସେସନ୍ସ ଆରମ୍ଭ କରିଛି । ଏହା ଫ୍ରି ଡିଟିଏଚ୍ ଚ୍ୟାନେଲ ୧୨୮, ଡିସ୍ ଟିଭି ଚ୍ୟାନେଲ ୰ ୯୫୦, ସନ୍ ଡାଇରେକ୍ଟ ୭୯୩, ଜିଓ ଟିଭି, ଟାଟା ସ୍କାଏ ୭୫୬, ଏୟାରଟେଲ ଚ୍ୟାନେଲ ୪୪୦, ଭିଡିଓକନ ଚ୍ୟାନେଲ ୪୭୭୭ରେ ଉପଲବ୍‌ଧ । କିଶୋର ମଞ୍ଚ ଆପ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିହେବ ଏବଂ ୟୁ ଟୁବ୍ ଏନ୍‌ସିଇଆରଟି ଅଫିସିଆଲ ଚ୍ୟାନେଲରୁ ଉପଲବ୍‌ଧ ହୋଇପାରିବ । ସୋମବାରରୁ ଶନିବାର ଯାଏଁ ପ୍ରତିଦିନ ଏହି ଅଧିବେଶନ ସକାଳ ୯ଟାରୁ ୧୦ଟା ୩୦ ପର‌୍ୟ୍ୟନ୍ତ ମାଧ୍ୟମିକ ଶ୍ରେଣୀ ପାଇଁ ଏବଂ ୧୦ଟା ୩୦ରୁ ୧୨ଟା ପର‌୍ୟ୍ୟନ୍ତ ପ୍ରାଥମିକ ଶ୍ରେଣୀ ପାଇଁ ଉପଲବ୍‌ଧ । ଏହାଛଡା ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଦିନ ୧୨ଟାରୁ ସାଢେ ଗୋଟାଏ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଏହି ଅଧିବେଶନ ଉପଲବ୍‌ଧ । ଏହାଛଡା ଏସ୍‌ସିଇଆରଟି/ଏସ୍‌ଆଇଇ ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସ୍‌ଇ ଏବଂ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡଗୁଡିକ ଦ୍ୱାରା ଏହି ଶୈକ୍ଷିକ ପାଠ୍ୟକ୍ରମର ଭିଡିଓ କନ୍‌ଫରେନ୍‌ସିଂ ଭିତ୍ତିକ ଶିକ୍ଷାଦାନ ବ୍ୟବସ୍ଥା ଉପଲବ୍‌ଧ ହେବ ।