ଆଜି ତିନି ଠାକୁରଙ୍କ ସୁନା ବେଶ, ସୁନା ବେଶରେ ସଜ୍ଜିତ ହୋଇ ବେଶ୍ ସୁନ୍ଦର ଦିଶୁଛନ୍ତି ଜଗତର ନାଥ ଜଗନ୍ନାଥ
Tag: jagnnath
କେଦାର ମିଶ୍ର
ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ ମଠ ଗୁଡିକର ନିବିଡ ସମ୍ପର୍କ ରହିଥିବାରୁ ମଠ ଭାଙ୍ଗିବା ଏକ ଅନାବଶ୍ୟକ ପଦକ୍ଷେପ ବୋଲି ଆମେ ଆଜି ମଧ୍ୟ ମତ ରଖୁଛୁ। ହେଲେ ମଠ ଗୁଡିକ ବ୍ୟବସାୟିକ ପ୍ରତିଷ୍ଠାନ ରୂପେ ବ୍ୟବସାୟ କରିବା କଥାକୁ ଆମେ ସମର୍ଥନ କରୁନାହୁଁ। ପୁରୀ ସିଂହଦ୍ଵାରକୁ ଲାଗି ରହିଥିବା ରାମାନୁଜ ସଂପ୍ରଦାୟର ପ୍ରସିଦ୍ଧ ଏମାର ମଠ ଭାଙ୍ଗିବା ପ୍ରକ୍ରିୟା ଅତ୍ୟନ୍ତ ଦୁଃଖଦାୟକ ଥିଲା। ଏହି ମଠ ସହିତ ଓଡିଶା ଇତିହାସର ବହୁ ଅମ୍ଳାନ ସ୍ମୃତି ଜଡିତ ରହିଥିଲା। ମଠ ଭାଙ୍ଗିବା ସହିତ ସେ ସ୍ମୃତି ମଧ୍ୟ ବିଲୟ ହୋଇଗଲା। ଏପରିକି ଓଡିଶାର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାର ମଧ୍ୟ ମାଟିରେ ମିଶିଗଲା। ଯଦିଓ ରଘୁନନ୍ଦନ ପାଠାଗାର ନିର୍ମାଣ ଲାଗି ରାଜ୍ୟ ସରକାର ତିନି କୋଟି ଟଙ୍କା ମଞ୍ଜୁର କରିଛନ୍ତି, ତଥାପି ବିକଳ୍ପ ବ୍ୟବସ୍ଥା ନକରି ଏହାକୁ ଭାଙ୍ଗିବା ଆଦୌ ଉଚିତ ହୋଇନାହିଁ । ତେବେ ସରକାରଙ୍କ ମଠ ଭଙ୍ଗା ନିଷ୍ପତ୍ତିକୁ ପୁରୀବାସୀଙ୍କର ନୀରବ ସମର୍ଥନ ମିଳିଛି। ପ୍ରଥମ ପର୍ୟାୟର ଉଚ୍ଛେଦ ପ୍ରକ୍ରିୟାକୁ କେହି ବିରୋଧ କରିବାର ଦେଖା ଯାଇନଥିଲା। ତେବେ ଉଚ୍ଛେଦ ପ୍ରକ୍ରିୟା ସରି ଆସିଲା ବେଳକୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି।
ଗତ ୪୮ ଘଣ୍ଟା ଭିତରେ ମଠ ଭଙ୍ଗା ରାଜନୀତିକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ଲାଗି ବିଜେପି ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରୀର ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରଥମରୁ ଉଚ୍ଛେଦ ପ୍ରକ୍ରିୟାକୁ ଆଦୌ ବିରୋଧ କରିନଥିଲେ। ଏପରିକି ପୁରୀ ବିଜେପି କର୍ମକର୍ତ୍ତା, ରାଜ୍ୟ ବିଜେପି, ସଂଘ ପରିବାର ପ୍ରମୁଖ ଏ ପ୍ରସଙ୍ଗରେ ପୂରା ଚୁପ ହୋଇ ବସିଥିଲେ। ଗତ ସୋମବାର ପରଠୁ ବିଜେପି ଏହି ଘଟଣାରେ ରାଜନୀତି ପୂରେଇବା ଆରମ୍ଭ କରିଛି। ପ୍ରଥମେ ପୁରୀ ଶଙ୍କରାଚାର୍ୟ ଏହାକୁ ବିରୋଧ କରିବା ପରେ ପୁରୀ ବିଧାୟକ ସାମ୍ବାଦିକ ସମ୍ମିଳନୀ ଡାକି ନିଜର ବିରୋଧ ପ୍ରଦର୍ଶନ କଲେ। ତାଙ୍କ ପରେ ବିଭିନ୍ନ ମଠର ମହନ୍ତ ଓ ସାଧୁ ମିଶି ତୀବ୍ର ବିରୋଧ ଆରମ୍ଭ କଲେ।
ଏଠି ପ୍ରଶ୍ନ ଉଠୁଛି, ଏମାର ମଠ ଭାଙ୍ଗିଲା ବେଳେ ଏମାନେ ସମସ୍ତେ ନୀରବ ଥିଲେ କାହିଁକି? ଆରମ୍ଭରୁ ବିଜେପି ନେତା ବିଜୟ ମହାପାତ୍ରଙ୍କର ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଥିବା ବେଳେ, ହଠାତ ତାଙ୍କୁ ଶ୍ରୀକ୍ଷେତ୍ର ପାଞ୍ଚ ପ୍ଲାଟୁନ ପୋଲିସ ଓ ୨୨ ବୁଲାଡୋଜର ର କୁରୁକ୍ଷେତ୍ର ଭଳି ଲାଗିଲା କାହିଁକି? ଏମାନେ ସମସ୍ତେ ଏମାର ମଠ ଭାଙ୍ଗିଲା ପରେ ସଚେତନ ହେବାର କାରଣ କଣ? ମଠ ଭାଙ୍ଗିବାକୁ ନେଇ ପୁରୀ ଲୋକଙ୍କର ଓ ଅନେକାଂଶରେ ରାଜ୍ୟବାସୀଙ୍କ ସମର୍ଥନ ରହିଛି ବୋଲି ଭାବି ବିଜେପି ଚୁପ ରହିଥିଲା। ସମୟକ୍ରମେ ଏହାର ଐତିହ୍ୟ ଓ ଆଧ୍ୟାତ୍ମିକ ସଂସ୍କୃତି ନଷ୍ଟ ହେଉଥିବାର ଦେଖି ଯେଉଁ କିଛି ପ୍ରତିକ୍ରିୟା ଆସିଲା, ସେଥିରୁ ଫାଇଦା ଉଠାଇବାକୁ ବିଜେପି ଏବେ ତତ୍ପର ହୋଇ ଉଠିଛି।
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଯିବାର ସମ୍ଭାବନା ରହିଛି। ପୁରୀରେ ଧର୍ମେନ୍ଦ୍ର କଣ କହୁଛନ୍ତି ଓ ତାଙ୍କ ଆଭିମୁଖ୍ୟ କଣ ରହୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ। ବିଭିନ୍ନ ଟେଲିଭିଜନ ଚାନେଲରେ ମତ ରଖିଲା ବେଳେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବାର ସ୍ପଷ୍ଟ ଜଣାପଡୁଛି। ତେବେ ରାଜନୈତିକ ବାଧ୍ୟ ବାଧକତା କାରଣରୁ ଓ ଗୋଳିଆ ପାଣିରୁ ଫାଇଦା ଉଠାଇବାର ପ୍ରବୃତ୍ତିରୁ ବିଜେପିର ରଣନୀତି ପୁରୀରେ ବଦଳିପାରେ।
ଇତି ମଧ୍ୟରେ ବିଜେପିର ପୋଷ୍ୟ ଚାନେଲ ଭାବରେ ପରିଚିତ ଦୁଇଟି ଇଂରାଜୀ ଟେଲିଭିଜନ ଚାନେଲରେ ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ହୋ ହଲ୍ଲା ଆରମ୍ଭ ହେଲାଣି। ସେହି ଦୃଷ୍ଟିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ ବିଜେପି ଆଗାମୀ ଦିନରେ ପୁରୀ ମଇଦାନକୁ ରାଜନୀତି ଓ ସାମ୍ପ୍ରଦାୟିକତାର ପ୍ରୟୋଗଶାଳା କରିବାର ସମ୍ଭାବନା ଅଧିକ। ରାଜ୍ୟ ସରକାର ଏହି ସମ୍ଭାବନା ପ୍ରତି ଅବଗତ ରହିଥିବେ ବୋଲି ହୁଏତ ଆଶା କରାଯାଇ ପାରେ। ମଠ ଉଚ୍ଛେଦ ପ୍ରକ୍ରିୟାରେ ମହନ୍ତ ଓ ମଠାଧୀଶମାନଙ୍କ ସହିତ ସ୍ପଷ୍ଟ ଆଲୋଚନା କରିବାରେ ଜିଲା ପ୍ରଶାସନ ବୋଧହୁଏ ବିଳମ୍ବ କରିଛି। ସେହିପରି ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ କରିବା ଆଗରୁ ଜନ ଶୁଣାଣୀ ଏକ ସାମ୍ବିଧାନିକ ବ୍ୟବସ୍ଥା। ଜିଲ୍ଲା ପ୍ରଶାସନ ତାହା କରି ନାହାନ୍ତି।
ବିଜେପିର ତତ୍ପରତା ଓ ସମ୍ପ୍ରଦାୟିକ ଶକ୍ତିମାନଙ୍କର ସମ୍ପୃକ୍ତି ମଠ ଉଚ୍ଛେଦ ପ୍ରକ୍ରିୟାକୁ ରାଜନୈତିକ ରଣକ୍ଷେତ୍ର କରିବାର ସମ୍ଭାବନା, ଏବେ ରାଜ୍ୟ ସରକାରଙ୍କ ଲାଗି ସବୁଠୁ ବଡ ମୁଣ୍ଡବିନ୍ଧାର କାରଣ ହୋଇପାରେ।
ପଢିଲେ ଜାଣିବେ-ଦାମୋଦର ରାଉତଙ୍କୁ ଓଡିଶା ବିଜେପି ଗୁରୁତ୍ଵ ଦେବାର କୌଣସି ରାଜନୈତିକ ଆବଶ୍ୟକତା ରହିଛି କି?
କେଦାର ମିଶ୍ର
ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା । ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁଙ୍କୁ ଜ୍ବର ହୁଏ।ଓଡିଶାର ଜନଜୀବନରେ ଏହା ଅଣସର ସମୟ। ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳିର ସମୟ। ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତ୍ତି ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି । ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି ।ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର ଠାକୁର ପୂଜା ପାଆନ୍ତି।ମନ୍ଦିର ବେଢା ଭିତରେ ଚାଲିଥିବା ଏହି ରହସ୍ୟମୟ ନୀତି ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ବଲିପି ଯେଉଁ ବର୍ଣ୍ଣନା କରିଛି, ତହିଁରୁ କେତୋଟି ପ୍ରମୁଖ କଥା ଜାଣିବା ଆସନ୍ତୁ-
୧. ଜୈଷ୍ଠ ପୂର୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ରାତି ଯାଏ ଅଣସର ବିଧାନ ଚାଲେ। ସ୍ନାନ ମଣ୍ଡପରୁ ଠାକୁରମାନେ ଅଣସର ଘରକୁ ଆସିଲା ପରେ ଶ୍ରୀଜଗନ୍ନାଥଂକ ହୀରା ଚିତା, ଶ୍ରୀବଳଭଦ୍ରଂକ ନୀଳା ଚିତା ଓ ମା ସୁଭଦ୍ରାଂକ ମାଣିକ୍ୟ ଚିତାକୁ ଓହ୍ଲାଇ ଦିଆଯାଏ। କୋଠ ସୁଆଁସିଆ ମାନେ ଗୋଟେ ଦୁଆର ଅଳ୍ପ ଖୋଲା ରଖି ଅଣସର ପିଢ ଚାରିପଟେ ବାଉଁଶ ତାଟି ବେଢେଇ ଦିଅନ୍ତି । ସେଠି ପତି ଓ ଦଇତା ସେବକ ମାନେ ପନ୍ଦରଦିନ ବ୍ୟାପୀ ଅଣସର ଉପଚାର କରନ୍ତି ।
୨. ଏପଟେ ଖାଲି ଥିବା ରତ୍ନ ସିଂହାସନକୁ ଚିତ୍ରକର ସେବାୟତଂକ ଘରୁ ପଟି ରେ ଅଂକା ଚିତ୍ରପଟ ଠାକୁରଂକୁ ବିଜେ କରାଯାଏ ।ବଳଭଦ୍ରଂକ ପୀଠରେ ବାସୁଦେବ, ସୁଭଦ୍ରାଂକ ପୀଠରେ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କ ପୀଠରେ ନାରାୟଣ ଚିତ୍ରପଟ ରୂପେ ବିରାଜମାନ ହୁଅନ୍ତି। ତାଂକ ସହ ରତ୍ନ ସିଂହାସନରେ ଦଶାବତାର ଠାକୁର ରୂପେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ,ସରସ୍ବତୀ, କୃଷ୍ଣ ଓ ମଦନ ମୋହନ ପୂଜିତ ହୁଅନ୍ତି ।
୩. ଅଣସର ଘରକୁ ଦଇତା ଓ ପତି ସେବକଂକ ବ୍ୟତୀତ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ପଣା ଓ ଚକଟା ଭୋଗ କରାଯାଏ । କେବଳ ଧଳା ଫୁଲ ଛଡା ଅନ୍ୟକିଛି ଲାଗି କରାଯାଏ ନାହିଁ । ଚକଟା ଭୋଗରେ ଧୁଆ ମୁଗ ଓ ପଣସ ଲାଗି ହୁଏ ।
୪. ଆଷାଢ କୃଷ୍ଣ ପଂଚମୀ ତିଥିରେ ଫୁଲରୀ ଲାଗି ହୁଏ । ୧୫ ସେର ରାଶି ତେଲରେ ଚୁଆ, କର୍ପୁର ଗୋଳେଇ ଔଷଧି ରୂପେ ଫୁଲରୀ ଲାଗି ହୁଏ। ଓଡିଆ ମଠ ଓ ମନ୍ଦିର ପ୍ରଶାସନ ତେଲ ଯୋଗାଉଥିବା ବେଳେ ଭଣ୍ଡାର ମେକାପ ଚୁଆ କର୍ପୂର ଇତ୍ୟାଦି ଦିଅନ୍ତି।
୫. ଦଶମୀ ତିଥିରେ ଅଣସର ଚକା ଉପରେ ଠାକୁର ମାନେ ବିଜେ କରନ୍ତି। ତିନୋଟି କାଠ ଚକା ଦଇତା ମାନେ ଅଣସର ପୀଠ କୁ ଆଣି ତା ଉପରେ ମୂର୍ତ୍ତି ମାନଂକୁ ବସାଯାଏ । ଏହା ଚକା ଦଶମୀ ବା ଅଣସର ଚକା ବିଜେ ନାମରେ ବିଖ୍ୟାତ ।
୬. ଏକାଦଶୀ ଦିନ ୧୫ ସେର ଚନ୍ଦନ କାଠ ଘୋରା ହୋଇ ଘଟୁଆରୀମାନେ ପ୍ରସ୍ତୁତ କରନ୍ତି ।ଏହି ଚନ୍ଦନ କାଠ ରାଘବଦାସ ମଠ ଓ ମନ୍ଦିର ପ୍ରଶାସନ ଯୋଗାନ୍ତି ।ଚାରି ଦିନ ଧରି ଘଟୁଆରୀ ମାନେ ଚନ୍ଦନ ଘୋରୀ ରଖିଥାନ୍ତି। ଏକାଦଶୀ ଦିନ ଏହା ମନ୍ଦିରକୁ ଆସେ। ଚନ୍ଦନରେ କର୍ପୂର ଓ କେଶର ବଟା ହୋଇ ଗୋଳା ଯାଏ । ଶ୍ରୀଅଂଗରେ ଏହି ଚନ୍ଦନ ଲାଗି ପରେ ରାଘବଦାସ ମଠ ଖଇ,କୋରା,କଦଳୀ,ପଣସ ଓ ଆମ୍ବ ଭୋଗ ଲାଗି କରାନ୍ତି ।
୭. ଅଣସର ଦ୍ବାଦଶୀ ରେ ରାଜଭୋଗ ହୁଏ। ଗଜପତିଂକ କୁଟୁମ୍ବରେ ଯେତିକି ଲୋକ ସେତିକିଟି ରୂପା ଥାଳି ମନ୍ଦିରକୁ ଆସେ।ସେଥିରେ ମହାପ୍ରଭୁଂକ ଚନ୍ଦନ ଓ ପାଟ ଡୋର ନେଇ ଦଇତା ସେବକ ମାନେ ଗଜପତିଂକ ପ୍ରାସାଦକୁ ଯାନ୍ତି। ଏହାକୁ ରାଜଭୋଗ ଦ୍ବାଦଶୀ କୁହାଯାଏ।
୮. ଅଣସର ତ୍ରୟୋଦଶୀ ଦିନ ଖଡୀ ଓ ଖଳି ଲାଗି ହୁଏ। ବର୍ଷେ ବ୍ୟବଧାନରେ ଏହା ଜଗନ୍ନାଥ ଓ ବଳଭଦ୍ର ଲାଗି ହୁଅନ୍ତି। ତେବେ ଦେବୀ ସୁଭଦ୍ରାଂକ ଅଂଗରେ ଏହା ପ୍ରତି ବର୍ଷ ଲାଗି ହୁଏ ।ଏହାକୁ ଶ୍ରୀ ପୟର ପୂଜା ବୋଲି ମଧ୍ୟ କୁହନ୍ତି।ଦୁଇ ମହଣ ଗହମ ଚୁରା ହୋଇ ଖଳି ପ୍ରସାଦ ତିଆରି ହୁଏ ।
୯. ଆଷାଢ ଚତୁର୍ଦ୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତ୍ତି ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅ ଓ ଦଶାବତାର ଠାକୁର ମାନେ ନିଜ ନିଜ ସ୍ଥାନ କୁ ବାହୁଡି ଆସନ୍ତି। ରଥଯାତ୍ରା ପୂର୍ବ ରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।
୧୦. ପ୍ରତିବର୍ଷ ଅଣସର ୧୫ ଦିନ ଲାଗି ହେଉଥିବା ବେଳେ ନବ କଳେବର ବିଧାନ ସମୟରେ ଏହା ୪୫ ଦିନ ବ୍ୟାପୀ ହୋଇଥାଏ । ଏହି ଅବସରରେ ନୁଆ ଦାରୁବିଗ୍ରହ ଅଣସର ଘରେ ନିର୍ମିତ ହୁଅନ୍ତି ଓ ପୁରୁଣା ବିଗ୍ରହ୍ଂକୁ ପାତାଳୀ କରାଯାଏ । ଏହା ପ୍ରତି ୧୪ ବା ୧୯ ବର୍ଷରେ ଥରେ ଅନୁଷ୍ଠିତ ହୁଏ।