Categories
ଆଜିର ଖବର

ଟାଇ ଜୁ ୟିଙ୍ଗଙ୍କୁ ସିଙ୍ଗାପୁର ଓପନ୍‌ ଟାଇଟଲ୍‌

ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ତାଇଓ୍ବାନର ଟାଇ ଜୁ ୟିଙ୍ଗ ସିଙ୍ଗାପୁର ଓପନ୍‌ ବ୍ୟାଡମିଣ୍ଟନ୍‌ର ଟାଇଟଲ୍‌ ମୁକାବିଲାରେ ବିଜୟୀ ହୋଇଛନ୍ତି। ଫାଇନାଲ୍‌ ମୁକାବିଲାରେ ୨୧-୧୯ ଏବଂ ୨୧-୧୫ରେ ବିଶ୍ବ ମାନ୍ୟତାର ତିନି ନମ୍ବର ସ୍ଥାନରେ ରହିଥିବା ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଟାଇଟଲ୍‌ ହାସଲ କରିଛନ୍ତି। ୨୦୧୭ରେ ଟାଇ ସିଙ୍ଗାପୁର ଓପନ ହାସଲ କରିଥିବା ବେଳେ ପୂର୍ବ ସପ୍ତାହରେ ମାଲେସିଆ ଓପନରେ ମଧ୍ୟ ଚାମ୍ପିୟନ୍‌ ହୋଇଥିଲେ। ପ୍ରଥମ ସେଟ୍‌ରେ ଟାଇ ଏକଦା ୧୩-୮ର ଅଗ୍ରଣୀ ହାସଲ କରିଥିବା ବେଳେ ଓକୁହାରା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ୧୮-୧୮କୁ ନେଇ ଆସିଥିଲେ। ମାତ୍ର ୨୪ ବର୍ଷୀୟା ଟାଇ ମ୍ୟାଚ୍‌କୁ ୨୧-୧୯ରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ ଓକୁହାରା ସଂଘର୍ଷ କରିଥିଲେ ମଧ୍ୟ ଟାଇଙ୍କ ଶକ୍ତଶାଳୀ ସର୍ଭିସ୍‌ ଏବଂ ସ୍ମାସ୍‌ ସମ୍ନାରେ ତିଷ୍ଠି ପାରି ନଥିଲେ ଏବଂ ୨୧-୧୫ରେ ପରାଜିତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ। ଏହି ବିଜୟ ସହିତ ଓକୁହାରାଙ୍କ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୫-୪ରେ ପହଞ୍ଚାଇଛନ୍ତି ଟାଇ।