Categories
ଆଞ୍ଚଳିକ

ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ: ଜିଲ୍ଲା ପ୍ରଶାସନ, ପୋଲିସ୍‌, ଡ଼ାକ୍ତରଙ୍କ ତତ୍ପରତା ପାଇଁ ଘଣ୍ଟି ବଜାଇ ଧନ୍ୟବାଦ ଦେଲେ ଜନତା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଆଜି ଦେଶରେ ରାଜ୍ୟରେ ତଥା ଗଂଜାମ ଜିଲ୍ଲା ବ୍ରହ୍ମପୁରରେ ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ ହୋଇଛି । ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ର ଜନତା କର୍ଫ୍ୟୁ ମାନିନେଇ ସକାଳ ୭ ଘଟିକାରୁ ରାତ୍ର ୯ ଘଟିକା ଯାଏଁ ଏତେ ବ୍ରହ୍ମପୁର ପରି ବଡ଼ ସହର ଏବଂ ଜିଲ୍ଲାର ବିଭିନ୍ନ ଗ୍ରାମ, ପୁରପଲ୍ଲୀରେ ନୀରବତା ଦେଖିବାକୁ ମିଳିଥିଲା । ଏଭଳି ନୀରବତା ବୋଧେ କେହି କେବେ ଇତିହାସରେ ଦିନବେଳେ ଦେଖିନଥିବେ । ରାସ୍ତା ଖାଁ ଖାଁ, ସବୁଆଡ଼େ ଏକ ଅଜଣା ନୀରବତା । ଏପରିକି ନୀରବତାରେ ଯେଉଁଠାରେ ପକ୍ଷୀମାନଙ୍କ ସ୍ୱର କେବେ ଶୁଭାଯାଇନଥିଲା ସେଠାରେ ଆଜି ସେମାନଙ୍କ କଳରବ ଦେଖିବାକୁ ମିଳିଛି । ବୋଧହୁଏ ଭଗବାନ ସେମାନଙ୍କ ପାଇଁ ଆଜିର ଦିନଟିଏ ଆଗରୁ ପ୍ରସ୍ତୁତ କରି ରଖିଥିଲା । ସହରର ପ୍ରତି ସାହି ଗଳି, ପ୍ରତି ଛକରେ ଜନତା ସ୍ୱତଃପୂର୍ବ ଭାବେ ଏହି କର୍ଫ୍ୟୁକୁ ସମର୍ଥନ ଦେଇଥିଲେ । ଜିଲ୍ଲାରେ ଶିକ୍ଷକ, ଅଶିକ୍ଷିତ, ବୁଢ଼ା ବୁଢ଼ୀ, ଛୁଆ ସମସ୍ତେ ଘରେ ରହି ସରକାରଙ୍କୁ ସମର୍ଥନ କରିଥିଲେ । ସନ୍ଧ୍ୟା ୫ ଘଣ୍ଟା ସମୟରେ ଆବାଳ ବୃଦ୍ଧବନିତା ହାତରେ ଘଣ୍ଟ, ଶଂଖ, ଥାଳି, ଗିନା, ତାଟିଆ ଯିଏ ଯାହା ପାଇଲା ଧରି ଶବ୍ଦ କରି ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ପ୍ରଶାସନର ଅଧିକାରୀ ଡ଼ାକ୍ତର, ପୋଲିସ୍‌, ନର୍ସ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ସଂପ୍ରତି କରୋନା ଭୁତାଣୁ ବ୍ୟାଧି ସଂକଟରୁ ମୁକୁଳିବାର ସର୍ବଶ୍ରେଷ୍ଠ ଉପାୟ ଜନଗହଳିଠାରୁ ନିଃସଂଗତା । ଏହି ବାର୍ତ୍ତା ଏକ ସାଧନା ଓ ତପସ୍ୟା ବୋଲି ମାନିବାକୁ ସାଧାରଣ ଜନତା ସଂପୂର୍ଣ୍ଣ ପ୍ରସ୍ତୁତ । ଯେଉଁ ରୋଗ ସଇତାନ ପରି ମାଡ଼ି ଆସିଛି ଏହା ଯେ ବିଶ୍ୱ ସମୁଦାୟକୁ ଚେତାଇ ଦେଇନି ବରଂ ଅସାଧାରଣ ସଂକଟ ବଳୟକୁ ଠେଲି ଦେଇଛି । ଟିକିଏ ସତର୍କ ନ ରହିଲେ ଏତେବଡ଼ ଜନପଦ ଆଖିପୁଛାଳାକେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁହଁକୁ ଠେଲି ହେବାର ପ୍ରମାଣ ପ୍ରତ୍ୟେକ ଦିନ ଅନ୍ୟ ଦେଶକୁ ଦେଖିଲେ ଦେଖିବାକୁ ମିଳୁଛି । ଭୟଙ୍କର ପରିସ୍ଥିତି ଦେଶ ବାହାର ରାଷ୍ଟ୍ର ଇଟାଲୀ, ଫ୍ରାନସ, ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା ଭଳି ଉନ୍ନତମାନର ଦେଶ ବିପଦ ବଳୟରେ ସଂଘର୍ଷ ଜାରି ରଖିଛନ୍ତି । ଭାରତ ଗୋଟିଏ ବିଶାଳ ଦେଶ । ବିବିଧ ଭାଷା, ସଂସ୍କୃତି, ପର୍ବପର୍ବାଣି ସାମାଜିକ ଓ ଆଧ୍ୟାତ୍ମିକ ପାରମ୍ପରିକ ଭଳି ବିଭିନ୍ନ ଅନୁଷ୍ଠାନ ଏଠାରେ ହୁଏ । ଯେଉଁଠି ହଜାର ହଜାର ଲୋକଙ୍କ ସମାଗମରେ ଯଦି ଜଣେ କରୋନା ସଂକ୍ରମିତ ବ୍ୟକ୍ତି ରହିଲେ ତେବେ ପରିସ୍ଥିତି ଅସମ୍ଭାଳ । ଏସବୁ ବିଷୟକୁ ଆଖି ଆଗରେ ରଖି ଦେଶର ପ୍ରଧାନମନ୍ତ୍ରୀଙ୍‌କ ଆହ୍ୱାନ ଥିଲା ଜନତା କର୍ଫ୍ୟୁ । ଏହାକୁ ରାଜ୍ୟ ସରକାର ମଧ୍ୟ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଏହି ସଫଳ ପଛରେ ଜିଲ୍ଲା ପ୍ରଶାସନ, ପୋଲିସ୍‌, ଗଣମାଧ୍ୟମ ସହ ସାଧାରଣ ଜନତାଙ୍କ ଆନ୍ତରିକ ସହଯୋଗ । ବିଶେଷ କରି ବ୍ରହ୍ମପୁର ଗଂଜାମ ଜିଲ୍ଲାକୁ ଜିଲ୍ଲା ପ୍ରଶାସନ ନିୟନ୍ତ୍ରଣକୁ ନେଇଥିଲା । ପ୍ରତି ବ୍ଳକ୍‌, ସଦର ମହକୁମା, ନଗର ପାଳିକାରେ ଜନତା କର୍ଫ୍ୟୁ ବଳବତ୍ତର ରହିଥିଲା ଏବଂ ଲୋକମାନେ ଘରେ ରହିଥିବା ଖବର ଅଦ୍ଭୂତପୂର୍ବ । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କଠୋର ପରିଶ୍ରମ ଏବଂ ଜିଲ୍ଲା ପୋଲିସ୍ ଅଧିକାରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ମଧ୍ୟ ପ୍ରଶଂସନୀୟ ।

କରୋନାର ଭୟଙ୍କର ଚିତ୍ର ବିଦେଶରେ ଦେଖୁଥିବାବେଳେ ଭାରତରେ ଆଜି ଗୋଟିଏ ଦିନରେ ୫୦ରୁ ଉର୍ଦ୍ଧ୍ୱ ରୋଗୀ ଚିହ୍ନଟ ହେବା ପରେ ଭୟ ଟିକିଏ ବଢ଼ିଛି । ଏଇ ଗୋଟିଏ ସପ୍ତାହ ଅଗ୍ନି ପରୀକ୍ଷାର ବେଳ । ସତର୍କତା ସହ ପ୍ରତିକାରପୂର୍ଣ୍ଣ ବ୍ୟବସ୍ଥା ହିଁ ମହୌଷଧି; ନହିଲେ ଯାହା ଘଟିବ ସମୟ ହାତରୁ ଖସିଯିବ ଏବଂ ଅଣାୟତ୍ତ ପରିସ୍ଥିତିକୁ ଆମ ଶାସନ ବ୍ୟବସ୍ଥା ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପାରେ । ଏହି ବ୍ୟବସ୍ଥା ନ ଭଗିବା ପାଇଁ ଓଡ଼ିଶା ବହୁ ଆଗରେ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟକୁ ହାତଛଡ଼ା ନକରି ବିଭିନ୍ନ ଜିଲ୍ଲା ସହ କିଛି ସହରକୁ ଲକ୍‌ଡ଼ାଉନ୍ ମଧ୍ୟ କରିଛନ୍ତି । ଏହା ମଧ୍ୟ ଅଭିନନ୍ଦନୀୟ । ଗଂଜାମ ଜିଲ୍ଲାରେ ବହୁ ଶ୍ରମଜୀବୀ ପ୍ରବାସରେ କାମ କରନ୍ତି । ବର୍ତ୍ତମାନ କରୋନା ଭୟରେ ଗାଁକୁ ପେରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏମାନଙ୍କୁ ପରୀକ୍ଷା କରିବାକୁ ହେବ । ଅଧିକରୁ ଅଧିକ ସଚେତନତା ଆବଶ୍ୟକତା ରହିଛି ।

ପୃଥିବୀର ବିକାଶଶୀଳ ରାଷ୍ଟ୍ର ମଧ୍ୟରୁ ଆମେରିକା, ଚୀନ୍‌, ଫ୍ରାନସ, ଇଟାଲୀ ଓ ଜର୍ମାନୀ ଜ୍ଞାନ, ବୈଷୟିକ କ୍ଷେତ୍ରରେ କେବଳ ଆଗୁଆ ନୁହନ୍ତି ବରଂ ସ୍ୱାସ୍ଥ୍ୟସେବାରେ ଶୀର୍ଷରେ । ଆମ ଭାରତର ଅଧିକାଂଶ ଲୋକ ବିଶେଷ ଭାବରେ ଗ୍ରାମାଞ୍ଚଳରେ । ଏମାନଙ୍କର ସଚେତନତା ଅଭାବରୁ ଅନେକ ସମୟରେ ଏମିତି କିଛି ପ୍ରତିକୂଳ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ । ବର୍ତ୍ତମାନ କରୋନା ପାଇଁ ଚିନ୍ତିତ ଥିବାବେଳେ କିଛି ପ୍ରଶ୍ନ ଠିଆ କରିଛି । ସ୍ୱାସ୍ଥ୍ୟସେବାରେ ଗ୍ରାମାଞ୍ଚଳ ପରିସ୍ଥିତି ଦୁର୍ବଳ । ଗ୍ରାମାଞ୍ଚଳରେ ଡ଼ାକ୍ତର ମଧ୍ୟ ଅଭାବ । କିନ୍ତୁ ଏଇ ଯୁଦ୍ଧକାଳୀନ ଜରୁରୀ ସମୟରେ ସ୍ୱାସ୍ଥ୍ୟସେବାର ସବୁ ଦିଗଗୁଡ଼ିକ ଯତ୍ନ ସହକାରେ ତନ୍ନତନ୍ନ କରି ଅନୁଶୀଳନ କରାଯାଉ । ଜଣେ ଡ଼ାକ୍ତର ନିଜର ମନ୍ତବ୍ୟରେ କହିଛନ୍ତି ଗଂଜାମ ଜିଲ୍ଲାର କୌଣସି ଚିକିତ୍ସାଳୟରେ ସ୍ୱଚ୍ଛତା, ପରିଷ୍କାର, ପରିମଳ ପ୍ରାୟତଃ ନାହିଁ । ଯେଉଁଠିକି ଦୈନିକ ଶହଶହ ରୋଗୀ ସମାଗମ ହୁଏ । ଏଣୁ ଲୋକମାନଙ୍କ ଦୂରତ୍ୱ ରକ୍ଷା କରାଯିବା ସହ ଭଗ୍ନ ପ୍ରାୟ ଚିକିତ୍ସାଳୟର ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ସାଜଡ଼ିବା ମଧ୍ୟ ଜରୁରୀ । ରୋଗୀ ସଂଖ୍ୟା ଓଡ଼ିଶାରେ ମାତ୍ର ୨, ଯାହା ସୁଖଦ ଖବର । ଜିଲ୍ଲାପାଳଙ୍କ ଉଦ୍ୟମ ଏବଂ ପ୍ରଶାସନିକ କାର୍ଯ୍ୟଧାରା ପାଇଁ ହୁଏତ କରୋନା ଭୟ ମନରୁ ଲିଭିଯିବ ଏବଂ ଜୀବନଯାତ୍ରା ସ୍ୱାଭାବିକ ହେବ ।