Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ନିୟମ ନ ମାନିଲେ ଏହି ଦେଶରେ ଲୋକଙ୍କୁ କରାଯାଉଛି ହତ୍ୟା

କଲମ୍ବିଆ : କରୋନା ମହାମାରୀ ସହ ଲଢେଇ ପାଇଁ ଦୁନିଆରେ ଅର୍ଦ୍ଧାଧିକ ଜାଗାରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି। ପରିସ୍ଥିତିକୁ ଦେଖି କେତେକ ଜାଗାରେ ଲକ୍‌ଡାଉନ୍‌ କୋହଳ କରାଯାଇଥିବାବେଳେ ଆଉ କୋଉଠି ଏହାକୁ ଆହୁରି କଡାକଡି କରାଯାଇଛି । କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ଲକ୍‌ଡାଉନ୍‌ ନିୟମ ନ ମାନିଲେ ସେଠାରେ ନିୟମ ଉଲ୍ଲଂଘନକାରୀଙ୍କୁ ହତ୍ୟା କରାଯାଉଛି। ତେବେ ସବୁଠୁ ଅବସୋସର କଥା ହେଉଛି ଯେ, ଏହି ଦେଶର ସରକାର ଏଭଳି ହତ୍ୟାକୁ ରୋକିବାରେ ମଧ୍ୟ ଅସଫଳ ହେଉଛନ୍ତି।

ତେବେ ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ହତ୍ୟା କରୁଥିବା ଦେଶର ନାମ ହେଉଛି କଲମ୍ବିଆ ।  ଏଠାରେ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଏଠାକାର ଡ୍ରଗ୍‌ ମାଫିଆ ଅଲଗା ପ୍ରକାରର ଲକଡାଉନ୍‌ ଘୋଷଣା କରିଛନ୍ତି । ଯିଏ ଏହି ଲକ୍‌ଡାଉନ୍‌କୁ ମାନୁ ନାହାନ୍ତି ତାଙ୍କୁ ଏହି ମାଫିଆ ହତ୍ୟା କରୁଛନ୍ତି। ଏପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଯୋଗୁଁ 8 ଜଣଙ୍କ ହତ୍ୟା କରାଯାଇଥିବାର ସୂଚନା ରହିଛି।

ଦ ଗାର୍ଜିଅନ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ ହତିଆରଧାରୀ ଏହି ଡ୍ରଗ୍‌ ମାଫିଆମାନେ ସମୂହ ଲୋକଙ୍କୁ ହ୍ବାଟସ୍‌ଆପ୍‌ ଓ ପ୍ରଚାର ପତ୍ର ଜରିଆରେ ଲକ୍‌ଡାଉନ୍‌ ନିୟମକୁ ଶକ୍ତ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏହି ଡ୍ରଗ୍‌ ମାଫିଆମାନେ ଗ୍ରାମୀଣ ଅଞ୍ଚଳରେ ଅତ୍ୟାଚାର କରୁଥିବାର ମଧ୍ୟ ସୂଚନା ରହିଛି । ଏଠାରେ ରହିଥିବା ତୁମାକୋ ସହରରେ ଅଧିକାଂଶ ସମୟ ମାଫିଆ ଓ ପୋଲିସ୍‌ଙ୍କ ମଧ୍ୟରେ ହିଂସା ହେଉଥିବାର ସୂଚନା ରହିଛି ।

ଏହି ସହରରେ ଡ୍ରଗ୍‌ ମାଫିଆମାନେ ସାଧାରଣ ଜନତାଙ୍କୁ ନଦୀରୁ ମାଛ ଧରିବାକୁ ବାରଣ କରିଥିବାବେଳେ ସନ୍ଧ୍ୟା 5ଟା ପରେ ଦୋକାନ ବଜାର ଖୋଲିବାକୁ ବନ୍ଦ କରିଛନ୍ତି । ସେହିପରି ଏହି ସମୟରେ କେହି ଠେଲା ଗାଡି ଦ୍ବାରା ମଧ୍ୟ ବ୍ୟବସାୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଯିଏ ଏହି ନିୟମ ନ ମାନୁଛନ୍ତି ତାଙ୍କୁ ଗୁଳି ମାରି ଉଡାଇ ଦେଉଛନ୍ତି।