Categories
ଆଜିର ଖବର

ପାକିସ୍ତାନ ଜାତୀୟ ଦିବସରେ ମୋଦିଙ୍କ ଶୁଭେଚ୍ଛା, ମୋଦିଙ୍କୁ ଟାର୍ଗେଟ୍‌ କଲା କଂଗ୍ରେସ

ଭାରତ ପକ୍ଷରୁ ପାକିସ୍ତାନ ଜାତୀୟ ଦିବସ ପାଳନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ସେୟାର କରି ତେହରିକ୍‌ ଏ ଇନ୍‌ସାଫ୍‌ ମୁଖ୍ୟ କହିଛନ୍ତି ଯେ, ମୋଦି ଜାତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଦୁଇ ପଡୋଶୀ ଦେଶ ଏକତ୍ର ହାେଇ ଦେଶର ବିକାଶରେ ଯୋଗଦାନ ଦେବା ଉଚିତ୍‌ ଏବଂ ଆତଙ୍କବାଦ ଓ ହିଂସାରୁ ଦୁରେଇ ରହିବା ଉଚିତ୍‌। ପୁଲ୍‌ଓ୍ବାମା ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା ଏବଂ ଅନ୍ୟୁନ ୩୦୦ଆତଙ୍କୀ ନିହତ ହାେଇଥିଲେ। ଇମ୍ରାନ ଅନ୍ୟ ଏକ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ପାକିସ୍ତାନ ଦିବସରେ ମୋଦିଙ୍କ ଶୁଭେଚ୍ଛା ଏକ ଅନନ୍ୟ ପଦକ୍ଷେପ। ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଦୃଢୀଭୂତ ହେବା ସହିତ ପୂର୍ବ ସମସ୍ୟା ଦୂର ହୋଇପାରିବ। ପାକିସ୍ତାନ ଦିବସ ଅବସରରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ଉପରେ ଭାରତ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏପରି ସମୟରେ ପାକିସ୍ତାନର ଜାତୀୟ ଦିବସ ପାଳନ ଅବସରରେ ନରନ୍ଦ୍ରେ  ମୋଦିଙ୍କ ଶୁଭେଚ୍ଛାକୁ ନେଇ ଟାର୍ଗେଟ କରିଛି କଂଗ୍ରେସ। ତେବେ ଏନେଇ ସ୍ପଷ୍ଟୀକରଣ ଦେବାକୁ କଂଗ୍ରେସ ମଧ୍ୟ ଦାବି କରିଛି। କଂଗ୍ରେସର ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ଇମ୍ରାନ୍‌ଙ୍କ ଟୁଇଟ୍‌କୁ ନେଇ ମୋଦିଙ୍କୁ ଘେରିବା ସହିତ ଏଇ ଟୁଇଟ୍‌ର ସତ୍ୟାସତ୍ୟ ଜାଣିବାକୁ ଦାବି କରିଛନ୍ତି।

Categories
ବିଶେଷ ଖବର

ଆଡଭାନୀଙ୍କୁ ବାଧ୍ୟତାମୂଳକ ଅବସର ଦେଲା ବିଜେପି, ତାଙ୍କ ଆସନରେ ଛିଡା ହେବେ ଅମିତ ସାହା; ଘୋଷଣା ହୋଇଥିବା ୧୮୪ଟି ଆସନରେ କିଛି ବଡ ପରିବର୍ତ୍ତନ ନାହିଁ

ସମୀକ୍ଷା ବ୍ୟୁରୋ

ଶେଷରେ ଲୌହ ପୁରୁଷ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ଜବଦସ୍ତ ଅବସର କରାଇ ତାଙ୍କ ଟିକେଟ କାଟିଦେଇଛି। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କ ପାରଂପାରିକ ଗାନ୍ଧୀନଗର ସିଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ତରଫରୁ ଘୋଷଣା ହୋଇଥିବା ୧୮୪ଆସନରେ ବିଜେପିର ଆଦି ସଂଗଠକ ଆଡଭାନୀଙ୍କ ନାମ ନାହିଁ। ଆଡଭାନୀ ଗାନ୍ଧୀନଗରରୁ  ୧୯୯୮ମସିହାରୁ ଜିତି ଆସୁଛନ୍ତି। ମୁଖ୍ୟତଃ ତାଙ୍କର ବିଜେପି ପ୍ରତି ଯେଉଁ ବଦାନ୍ୟତା ରହିଛି ଏବଂ ଯେପରି ଭାବମୂର୍ତ୍ତି ରହିଛି ତାହା ହିଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଜିତାଇବାରେ ସାହାର୍ଯ୍ୟ କରିଆସୁଛି। ତଥାପି ତାଙ୍କୁ ଏଥର ନିର୍ବାଚନରୁ ବାଦ ଦେବାକୁ ନେଇ ବିଜେପି ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଛି। ବିରୋଧୀ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିଛି। କଂଗ୍ରେସ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛି ଯେ, ବର୍ତ୍ତମାନର ବିଜେପି ବରିଷ୍ଠମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ଏ ପର୍ଯ୍ୟନ୍ତ ଶିଖି ନାହିଁ।

ତେବେ ୨୦୧୩ମସିହା ଜୁନ ୯ତାରିଖରେ ମୋଦିଙ୍କୁ ଗୁଜୁରାଟରୁ ଆଣି ଯେତେବେଳେ ଦଳର ସର୍ବଭାରତୀୟ ପ୍ରଚାର କମିଟର ଅଧ୍ୟକ୍ଷ କରାଗଲା ସେତେବେଳେ ଆଡଭାନୀଙ୍କୁ ଦଳରେ କଣଠୋସା କରିବା ଆରମ୍ଭ ହେଲା। ଏହାପରେ ୯୧ବର୍ଷିୟ ଏହି ବରିଷ୍ଠ ନେତାଙ୍କୁ ଚୁପ ବସାଇବାରେ ସଫଳ ହୋଇଥିଲେ ମୋଦି ସାହା ମେଣ୍ଟ। ଆଡଭାନୀଙ୍କୁ ମାର୍ଗ ଦର୍ଶକ ଭାବେ ଏକ ଗୁରୁତ୍ବହୀନ ପଦବୀରେ ବସାଇ ମନ୍ତ୍ରୀ ପଦ କାଟି ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଆଡଭାନୀ ଯେଉଁ ସାଂସଦ ପଦଟିକୁ ବଜାଇ ରଖିଥିଲେ ତାହା ମଧ୍ୟ ଏହି ମୋଦିସାହା ମେଣ୍ଟ ଛଡାଇ ନେଲେ। ଏକଦା ଅଟଳ ବିହାରୀ ବାଜେପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ ଦେଶରେ ବିଜେପି ସଂଗଠନର ମୂଳଦୂଆ ପକାଇଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତି ପୁରା ବଦଳି ଯାଇଛି। ଖଣ୍ଡିଏ ଟିକେଟ ମଧ୍ୟ ପାଇବାରେ ବିଫଳ ହୋଇଛନ୍ତି ଏହି ଲୌହ ପୁରୁଷ।

ବିଜେପି ଚୟନ କମିଟର ମୁଖ୍ୟ ଜେ.ପି ନଡ୍ଡା ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଦଳର ୧୮୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେଥିରେ ଆଡଭାନୀଙ୍କୁ ଛାଡିଦେଲେ ଆଉ କିଛି ବଡ ପରିବର୍ତ୍ତନ କରାଯାଇ ନାହିଁ। କାରଣ ପ୍ରାୟତଃ ସମସ୍ତ ଆସନରେ ଦଳ ସେହି ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବାରଣାସୀରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢିବାକୁ ଯାଉଥିବା ବେଳେ ରାଜନାଥ ସିଂ ତାଙ୍କର ସେହି ପୁରୁଣା ଆସନ ଲକ୍ଷ୍ନୌରୁ ପ୍ରାର୍ଥୀ ହୋଇଛନ୍ତି। ଦଳର ବରିଷ୍ଟ ନେତା ନୀତିନ ଗଡକରୀ ସେହିପରି ତାଙ୍କର ପୂର୍ବ ଆସନ ନାଗପୁରରୁ ଲଢିବେ। ଏଥର ସେ ପୂର୍ବ ଅପେକ୍ଷା ଅଧିକ ଭୋଟରେ ଜିତିବେ ବୋଲି ଟିକେଟ ପାଇବା ପରେ ଗଡକରୀ ପ୍ରତିକ୍ରିୟା ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥୀରୁ ପ୍ରତିଦ୍ବନ୍ଦିତା କରିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବା ପାଇଁ ଦଳ ତାଙ୍କୁ ସେଠାରେ ପ୍ରାର୍ଥୀ କରିଛି। ସେହିପରି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ପଶ୍ଚିମ ବଂଗର ତାଙ୍କର ଆସନସୋଲ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ହେଲେ ଏଥର ସେ ତ୍ରୁଣମୂଳ କଂଗ୍ରେସ ମୁନମୁନ ସେନଙ୍କୁ ମୁକାବିଲା କରିବେ। ହେମାମାଳିନୀ ତାଙ୍କର ପୂର୍ବ ପରି ମଥୁରା ଆସନରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ବିଜେପି ଘୋଷଣା କରିଛି। ବିହାରରେ ବିଜେପିର ବର୍ତ୍ତମାନ ସମସ୍ତ ୧୭ଜଣ ସାଂସଦଙ୍କୁ ପୁଣି ଥରେ ଟିକେଟ ଦେଇଛି। ହେଲେ ତାଙ୍କର ନାମ ବିହାରରେ ଘୋଷଣା କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ପୂର୍ବତ୍ତନ ଆର୍ମି ଚିଫ ତଥା କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ ଗାଜିଆବାଦରୁ ପ୍ରତିଦ୍ବନ୍ଦିତା କରିବେ। କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ମଧ୍ୟ ସେହିପରି ଗୌତମବୁଦ୍ଧ ନଗର ଆସନ ପାଇଁ ଟିକେଟ ଦିଆଯାଇଛି।

Categories
ଆଜିର ଖବର

ଚୌକିଦାରଙ୍କ ସହ ଆଲୋଚନାରେ ଭାଗନେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସର ‘ଚୌକିଦାର ଚୋର ହେ’ କୁ ଟାର୍ଗେଟ କରିବା ସହିତ କଂଗ୍ରେସ ସିଧାସଳଖ ଆକ୍ରମଣ କରିବାର ସାହସ ରଖୁନାହିଁ ତେଣୁ ପରୋକ୍ଷ ଆକ୍ରମଣ କରୁଛି ବୋଲି କହିଛନ୍ତି। ହୋଲି ଅବସରରେ ହଜାର ହଜାର ଚୌକିଦାରଙ୍କ ସହିତ ଏକ ଅନନ୍ୟ କାର୍ଯ୍ୟକ୍ରମରେ ଭାଗନେବା ସମୟରେ ମୋଦି କହିଥିଲେ ସିଧାସଳଖ ବ୍ୟକ୍ତିଗତ ଆକ୍ରମଣ କରିଥିଲେ ମୋତେ ଖରାପ ଲାଗିନଥାନ୍ତା। ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଏକ ଚୌକିଦାର ରହିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ ମୋଦି। ବିପକ୍ଷ ଦଳ ଗୁଡିକୁ ସମାଲୋଚନା କରିବା ସହିତ ଏହି ଦଳଗୁଡିକ ପାକିସ୍ତାନରେ ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣକୁ ହଜମ କରିପାରୁ ନାହାନ୍ତି। ଯେ କୌଣସି ଲୋକ ଦେଶର ସୁରକ୍ଷା କରିଥାଏ ସେ ଜଣେ ଚୌକିଦାର। ଶିକ୍ଷାଦାନ କରୁଥିବା ଶିକ୍ଷକ ଏବଂ ରାେଗରୁ ରକ୍ଷା କରୁଥିବା ଡାକ୍ତର ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ। ଶେଷରେ ମୋଦି କହିଥିଲେ ଯେ, କିଛି ଲୋକ ଚୌକିଦାରଙ୍କୁ ଚୋର କହିବାର ଔଦ୍ଧତ୍ୟ କରୁଛନ୍ତି ତେଣୁ ଦେଶର ୧୨୫ କୋଟି ଲୋକ ଚୌକିଦାର ହାେଇ ନିଜର ଦାୟିତ୍ବ ସଠିକ୍‌ ଭାବେ ନିର୍ବାହ କରନ୍ତୁ।

Categories
ଆଜିର ଖବର

ପରିବାରବାଦ ରାଜନୀତିକୁ ମୋଦିଙ୍କ ସମାଲୋଚନା

ପରିବାରବାଦ ରାଜନୀତିକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ରାଜନୀତିରେ ସବୁଠୁ ଅଧିକ ସମସ୍ୟା ଭୋଗିଥାଏ ସମାଜ। ଗଣମାଧ୍ୟମ ଠାରୁ ସଂସଦ ଏବଂ ସେନା ଠାରୁ ନେଇ ମତପ୍ରକାଶର ଅଧିକାର ଏବଂ  ନିର୍ବାଚନମଣ୍ଡଳୀ ଠାରୁ ନେଇ ବିଚାରାଳୟ ସମସ୍ତ ସଂସ୍ଥାନ ପରିବାରବାଦ ରାଜନୀତି ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହାେଇଥାଏ ବୋଲି ମୋଦି ନିଜର ଟ୍ବିଟ୍ଟର ଆକାଉଣ୍ଟରେ ସେୟାର କରିଛନ୍ତି। ପରିବାରବାଦରୁ ସୃଷ୍ଟି ରାଜନୈତିକ ଦଳ ଗୁଡିକ କଦାପି ମୁକ୍ତ ଏବଂ ଅବାଧ ଗଣମାଧ୍ୟମକୁ ସମର୍ଥନ କରିନଥାଏ। ତେଣୁ ମତପ୍ରକାଶ ଉପରେ କଂଗ୍ରେସ ତରଫରୁ ଅଣାଯାଇଥିବା ସମ୍ବିଧାନ ସଂଶୋଧନ ନିୟମକୁ ନେଇ ଆଦୌ ଆଶ୍ଚର୍ଯ୍ୟ ହେବା ଅନୁଚିତ୍‌। ଏହା ସହିତ ମୋଦି କହିଥିଲେ କଂଗ୍ରେସ ଶାସନ ସମୟରେ ଏପରି ନିୟମ ପ୍ରଣୟନ କରାଯାଇଛି ଯାହାଦ୍ବାରା କିଛି ଅପମାନଜନକ ପୋଷ୍ଟ କରିବା ନିମେନ୍ତ ଜେଲ୍‌ ଯିବାକୁ ପଡିଥାଏ। କୌଣସି ୟୁପିଏ ନେତାଙ୍କ ପୁଅ ବିଷୟରେ ଟ୍ବିଟ୍‌ କରି ସାଧାରଣ ନାଗରିକଙ୍କୁ  ଜେଲ୍‌ ଯିବାକୁ ପଡୁଛି। ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ନିକଟରେ କର୍ଣ୍ଣାଟକରେ ଜେଡିଏସ୍‌ – କଂଗ୍ରେସ ମେଣ୍ଟ ବିରୋଧରେ ପ୍ରଦଶର୍ନ କରି କିଛି ଯୁବକଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ସାଧାରଣ ଲୋକଙ୍କ ଉପରେ ଚାପ ପକାଇବା ଦ୍ବାରା ଦଳ ପ୍ରତି ଲୋକଙ୍କ ମନୋଭାବରେ କୌଣସି ପରିବର୍ତ୍ତନ ଆସିନଥାଏ ବାେଲି ମୋଦି କହିଛନ୍ତି। ସେହିପରି ବିଚାରାଳୟର ଅବମାନନାରେ କଂଗ୍ରେସ ଏକ ନମ୍ବର ବୋଲି ମଧ୍ୟ କହିଛନ୍ତି ମୋଦି। ଇନ୍ଦିରା ଗାନ୍ଧୀଙ୍କ ସମୟରେ କୋର୍ଟ ସମ୍ବିଧାନ ଅପେକ୍ଷା ଏକ ପରିବାର ପ୍ରତି ଅଧିକ ପ୍ରତିବଦ୍ଧ ଥିଲେ। ସେହି ସମୟରେ ପ୍ରଧାନ ବିଚାରପତି ଚୟନ ସମୟରେ ମଧ୍ୟ ଅନେକ ସମ୍ମାନୀୟ ନାମକୁ ଉପେକ୍ଷା କରାଯାଇଥିବା ମୋଦି କହିଛନ୍ତି। ଅସ୍ବୀକାର, ଅପମାନ ଏବଂ ଭୟଭୀତ କରିବା କଂଗ୍ରେସର ସରଳ କାର୍ଯ୍ୟପନ୍ଥା। ସେହିପରି ଯୋଜନା କମିଶନକୁ ‘ଜୋକରଙ୍କ ଏକ ଦଳ’ କହିଥିବା ରାଜୀବ ଗାନ୍ଧୀଙ୍କ ଉଦାହରଣ ମଧ୍ୟ ରଖିଥିଲେ ମୋଦି। ସେହିପରି  କୋଲ୍‌ଗେଟ୍‌ ଦୁର୍ନୀତି ଏବଂ ୨ଜି ଦୁର୍ନୀତିର ପର୍ଦ୍ଦାଫାଶ ପରେ ସିଏଜିର କାର୍ଯ୍ୟକାରିତା ଉପରେ ମଧ୍ୟ କଂଗ୍ରେସ ପ୍ରଶ୍ନ ଉଠାଇବା ସହ ସିବିଆଇ, ଆଇବି ଏବଂ  ର କୁ ରାଜନୈତିକ ଫାଇଦା ନେଇ  କଂଗ୍ରେସ ବ୍ୟବହାର କରିବା ଉପରେ ମୋଦି ପ୍ରଶ୍ନ ଉଠାଇଥିଲେ।

 

 

Categories
ଆଜିର ଖବର

ମୋଦିଙ୍କୁ  ହାର୍ଦିକଙ୍କ ଟାର୍ଗେଟ୍‌ : ଚୌକିଦାର ବନାମ ବେରୋଜଗାର

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦିକ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦିଙ୍କୁ ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମାେଦି ନିଜ ନାମ ଆଗେର ଚୌକିଦାର ଲଗାଇଥିବା ବେଳେ ସମାଲୋଚନା କରିବା ନିମେନ୍ତ ହାର୍ଦିକ ନିଜ ନାମ ପୂର୍ବରୁ ବେରୋଜଗାର ଲଗାଇଛନ୍ତି। ହାର୍ଦିକଙ୍କ ଏହି ପଦକ୍ଷେପକୁ ଟ୍ବିଟ୍ଟରରେ ଅନେକ ଲୋକ ସମର୍ଥନ କରିଛନ୍ତି ମଧ୍ୟ। ଏହା ପରେ ଅନେକ ଲୋକ ହାର୍ଦିକଙ୍କ ସମର୍ଥନରେ ନିଜ ନାମ ପୂର୍ବରୁ ବେରୋଜଗାର ଲଗାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ନିଜ ନାମ ପୂର୍ବରୁ ଚୌକିଦାର ଲଗାଇବା ପରେ ସମର୍ଥନରେ ଅନେକ ବିଜେପି ନେତା ନିଜ ନାମ ପୂର୍ବରୁ ଚୌକିଦାର ବ୍ୟବହାର କରିଥିଲେ। ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର ମନ୍ତବ୍ୟ ଉପରେ ମୋଦି ଏହି ଅଭିଯାନ ଆରମ୍ଭ କରିଥିଲେ ଯାହାକି ଅନେକାଂଶରେ ସଫଳ ମଧ୍ୟ ହାେଇଥିଲା। ମାତ୍ର ପଟେଲଙ୍କ ଟ୍ବିଟ୍‌ ପରେ ମୋଦିଙ୍କ ‘ମୁଁ ବି ଚୌକିଦାର’ ଯୋଜନା ବିଜେପି ନିମନ୍ତେ ବୁମେରାଂ ସାବ୍ୟସ୍ତ ହେବା ନେଇ ଟ୍ବିଟ୍ଟରରେ ମତପ୍ରକାଶ ପାଉଛି।

 

 

Categories
ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପିଏଚଡ଼ି ଲାଭ କଲେ ମେହୁଲ୍‌ ଚୋକ୍‌ସୀ

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଉଚ୍ଚତର ଗବେଷଣା କରି ପିଏଚ୍‌ଡି ଡିଗ୍ରି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ମେହୁଲ ଚୋକ୍‌ସୀ। ‘ଲିଡରସିପ୍‌ ଅଣ୍ଡର ଗଭର୍ଣ୍ଣମେଣ୍ଟ- କେସ୍‌ ଷ୍ଟଡି ଅଫ୍‌ ନରେନ୍ଦ୍ର ମୋଦି’ ଶୀର୍ଷକରେ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭଟି ପରୀକ୍ଷକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଏଥିପାଇଁ ମେହୁଲ ଚୋକ୍‌ସୀଙ୍କୁ ମିଳିଛି ଡକ୍ଟରେଟ ଉପାଧି। ତେବେ, ଡକ୍ଟରେ୍ଟ୍‌ ପାଇଥିବା ମେହୁଲ୍‌ ଚୋକସୀ ପଳାତକ ହୀରା ବ୍ୟବସାୟୀ ମେହୁଲ୍‌ ଚୋକ୍‌ସୀ ନୁହଁନ୍ତି ବରଂ ଜଣେ ମେଧାବୀ ଛାତ୍ର। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର (ଏମ୍‌ଏ) ଡିଗ୍ରି ହାସଲ କରିବା ପରେ ସେ ବୀର ନର୍ମଦା ଦକ୍ଷିଣ ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ଉପାଧି ପାଇଁ ଉଚ୍ଚତର ଗବେଷଣା କରୁଥିଲେ।୨୦୧୦ରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ଏହି ଗବେଷଣା ଆରମ୍ଭ କରିଥିଲେ।

Categories
ଆଜିର ଖବର

ରିଲିଜ୍‌ ହେଲା ମୋଦିଙ୍କ ବାୟାପିକ୍‌ର ୯ଟି ଲୁକ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବଲିଉଡ୍‌ ଲୋକପ୍ରିୟ ଅଭିନେତା ବିବେକ୍‌ ଓବରୟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଜୀବନରେ ଘଟିଥିବା ସଂଘର୍ଷମୟ କାହାଣୀକୁ ଦର୍ଶଯାଇଛି। ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଜୀବନକୁ ଏହି ଫିଲ୍ମରେ ଦର୍ଶାଯାଇଛି। ଏହି ପିଲ୍ମର ପ୍ରଥମ ପୋଷ୍ଟର ଜାନୁଆରି ୭ ତାରିଖରେ ରିଲିଜ୍‌ ହୋଇଥିଲା। ଆଜି ଫିଲ୍ମରେ ମୋଦିଙ୍କର ବିଭିନ୍ନ ପ୍ରକାର ଲୁକ୍‌ ଦେଖିବାକୁ ମିଳିଛି। ଏପ୍ରିଲ୍‌ ୧୨ରେ ଏହି ଫିଲ୍କକୁ ରିଲିଜ୍‌ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ଏହି ପିଲ୍ମକୁ ଅମଙ୍ଗ୍‌ କୁମାର ଡାଇରେକ୍ଟ କରିଛନ୍ତି। ସୁରେଶ୍‌ ଓବରୟେ ଏହାକୁ ପ୍ରଡ୍ୟୁସ୍‌ କରିଛନ୍ତି। ଏହି ଫିଲ୍ମରେ ମନୋଜ ଯୋଶୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକାରେ ଆସୁଛନ୍ତି। ଅଭିନେତା ବୋମନ୍‌ ଇରାନି ଲୋକପ୍ରିୟ ବିଜ୍‌ନେସ୍‌ ମ୍ୟାନ୍‌ ରତନ୍‌ ଟାଟାଙ୍କ ଭୂମିକାରେ ଦେଖାଦେବେ। ମୋଦିଙ୍କ ମା’ ଭୂମିକାରେ ଜରିନା ଓ୍ବାହାବା ଓ ତାଙ୍କ ପତ୍ନୀ ଭୂମିକାରେ ବର୍‌ଖା  ବିଷ୍ଟ୍‌ ପ୍ରମୁଖ ନଜର ଆସିବେ ।

Categories
ବିଶେଷ ଖବର

ଯୁଦ୍ଧର ଘନଘଟା ଓ ନିର୍ବାଚନ ପ୍ରଚାର ଏକା ସାଙ୍ଗରେ ଚାଲିପାରିବ କି ?

କେଦାର ମିଶ୍ର

ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ମାର୍ଗ, ଭାରତର ଶାସକ ଦଳ ଓ ଶାସକ ଦଳର ପୋଷା ଗଣମାଧ୍ୟମ ଏକଥା ବେଶ ବୁଝି ଯାଇଛନ୍ତି। ଟେଲିଭିଜନ ଷ୍ଟୁଡିଓ ରେ ସୈନିକର ପୋଷାକ ପିନ୍ଧି ନାଟକ କରୁଥିବା ସାମ୍ବାଦିକମାନେ ଏବେ ଆମ ସେନାବାହିନୀର ନୀତି ନିର୍ଦ୍ଧାରକ। ତେଣୁ ଯୁଦ୍ଧଖୋର ସାମ୍ବାଦିକଙ୍କ ନେତୃତ୍ଵରେ ଏବେ ସାରାଦେଶରେ ଯୁଦ୍ଧ ହିଁ ଚାଲିଛି। ଷୋଡଶ ଲୋକସଭା ପାଇଁ ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହଟେ ବାକି ଥିବା ବେଳେ ଟେଲିଭିଜନ ପରଦାରେ ଯୁଦ୍ଧ ନାଟକ ସାଧାରଣ ଭାରତୀୟ ନାଗରିକଙ୍କୁ ବ୍ୟତିବ୍ୟସ୍ତ କରିସାରିଲାଣି। ପାକିସ୍ତାନ ପରି ଏକ ଦେଶ ଯାହାର ସରକାର ସେନାବାହିନୀ ଦ୍ଵାରା ନିୟନ୍ତ୍ରିତ ବୋଲି କୁହାଯାଏ, ସେଠାରେ ଆମେ ଭାରତ ପାକିସ୍ତାନର ମୁହାଁମୁହିଁ ଅବସ୍ଥା ବିଷୟରେ ସଂସଦୀୟ ବିତର୍କ ଦେଖୁଛୁ। ହେଲେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ବୋଲି ଗର୍ବ କରୁଥିବା ଆମ ଦେଶରେ ରାଜନୈତିକ ନେତୃତ୍ୱ ଗୋଟେ ପ୍ରକାର ଭକ୍ତି ଭାଗବତ ପାଲଟି ଯାଇଛି। ନିର୍ବାଚନ ପୂର୍ବରୁ ନିର୍ବାଚିତ ସରକାରର ସଫଳତା ଓ ବିଫଳତା ବିଷୟରେ ଆକଳନ କରିବା ଆଉ ସମ୍ଭବପର ନୁହେଁ।

ନିର୍ବାଚନ ପୂର୍ବରୁ ସାରା ଦେଶର ଜନମତକୁ ଯୁଦ୍ଧ ଓ ଶାନ୍ତି ଭିତରେ ବାଣ୍ଟି ଦିଆ ଯାଇଛି। ଯେଉଁମାନେ ଯୁଦ୍ଧର କଥା କହୁଛନ୍ତି ସେମାନେ ଦେଶପ୍ରେମୀ ଓ ଯେଉଁମାନେ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଛନ୍ତି ସେମାନଙ୍କୁ ଦେଶଦ୍ରୋହୀ ବୋଲି କହିବାର ଏକ ଭୟଙ୍କର ଷଡଯନ୍ତ୍ର ଏ ଦେଶର ମୂଳ ଅସ୍ତିତ୍ଵକୁ ଦୋହଲାଇ ଦେଉଛି। ଗୋଟିଏ ପକ୍ଷରେ ଆନ୍ତର୍ଜାତିକ ଚାପ ଆଗରେ ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧ ଉତ୍ତେଜନାକୁ ପ୍ରଶମିତ କରିବାର ଉଦ୍ୟମ କରୁଥିବା ବେଳେ ଉଭୟ ଦେଶର ଗଣମାଧ୍ୟମରେ ଏହାକୁ ନେଇ ବିକୃତ ବିଚାର ବଢିଚାଲିଛି। ତେବେ ପାକିସ୍ତାନରେ ଅବିକା ନିର୍ବାଚନ ହେବାର ନାହିଁ। ଭାରତ କିନ୍ତୁ ନିର୍ବାଚନ ସପ୍ତାହରେ ପ୍ରବେଶ କରିସାରିଛି। ଦେଶର ପ୍ରଧାନମନ୍ତ୍ରୀ ଷାଠିଏ ମାସ ସମୟ ମାଗିଥିଲେ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ। ଆଜି ତାଙ୍କୁ ପ୍ରଶ୍ନ ପଚାରିବାର ଓ ସେ ନିହାତି ଉତ୍ତର ଦେବାର ସମୟ ଆସିଛି। ହେଲେ ଠିକ ସେଇ ସମୟରେ ଆମେ ଯୁଦ୍ଧର ନିଶାରେ ମାତିଛୁ। ଆମର ଶହୀଦ ସୈନିକଙ୍କ ଶବ ଉପରେ ଶାସକ ଦଳ ନିଜର ଆସନ ସଂଖ୍ୟା ଗଣୁଛି।

ଫେବୃଆରୀ ୧୪ ପୁଲବାମା ଆକ୍ରମଣ ପରଠୁ ଏମିତି ଗୋଟେ ଦିନ ନାହିଁ, ଯେଉଁ ଦିନ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କରିନାହାନ୍ତି। ଯୁଦ୍ଧ ସମୟରେ ସାରା ଦେଶ ଏକ ରହିବା ଉଚିତ ବୋଲି କହି ପରବର୍ତ୍ତୀ ଧାଡିରେ ପ୍ରଧାନମନ୍ତ୍ରୀ ବିରୋଧିଦଳଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ପରୋକ୍ଷ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଭୁଲି ଯାଉଛନ୍ତି ଯେ, ଯୁଦ୍ଧ ସମୟରେ ଦଳ ମତ ନିର୍ବିଶେଷରେ ସବୁ ନାଗରିକଙ୍କୁ ଏକ କରିବାର ଦାୟିତ୍ଵ ତାଙ୍କର। ପ୍ରଧାନମନ୍ତ୍ରୀ ଏଠି ଗୋଟେ ନିର୍ଦ୍ଦିଷ୍ଟ ଦଳର ପ୍ରଧାନମନ୍ତ୍ରୀ ହୋଇ କଥାବାର୍ତ୍ତା କରୁଛନ୍ତି। ତାଙ୍କ ଆଚରଣ ଓ ଉଚ୍ଚାରଣରେ ଦେଶପ୍ରେମ ଅପେକ୍ଷା ନିର୍ବାଚନ ପ୍ରେମ ଅଧିକ ବାରି ହୋଇପଡୁଛି। ଏଠି କହି ରଖିବା ଉଚିତ ହେବ ଯେ ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ନିଜର ରଣନୀତି ରଖିବେ ଓ ସେମାନଙ୍କ ବିଶ୍ଵସ୍ତତାର ଆଧାରରେ ଲୋକ ତାଙ୍କୁ ନିର୍ବାଚିତ କରିବେ। ସେହି ସମୟରେ ଶାସକ ଦାୟିତ୍ବରେ ଥିବା ଦଳ ଯଦି ଅନ୍ୟ ପ୍ରତିପକ୍ଷ ଦଳଙ୍କ ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଏ ତାହା ସବୁଠୁ ବଡ ଦେଶ ବିରୋଧୀ କାର୍ୟ।

ଭାରତର ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ରାଜନୈତିକ ଦଳ ତଥା ଗଣମାଧ୍ୟମର ଦାୟିତ୍ଵ। ଏହା ନିଭାଇବାରେ ସମର୍ଥ ନହୋଇ ନିର୍ବାଚନ ସମୟରେ ଯୁଦ୍ଧ ଉନ୍ମାଦ ସୃଷ୍ଟି କରିବା ଆମ ଗଣତନ୍ତ୍ର ଲାଗି ସବୁଠୁ ବଡ ବିପଦ । କେହି କେହି ଯୁକ୍ତି କରିପାରନ୍ତି ଦେଶ ବଡ ନା ନିର୍ବାଚନ ବଡ। ସେମାନଙ୍କୁ ଆମର ଉତ୍ତର ହେବ, ଆଜ୍ଞା, ଏମିତି ଯୁକ୍ତିରେ ପାକିସ୍ତାନରେ ସର୍ବାଧିକ ସମୟ ସାମରିକ ଶାସନ ହୋଇଛି। ଏହି ସମାନ ଯୁକ୍ତିର ଆଧାରରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ତେଣୁ ଦେଶର ସୁରକ୍ଷା ଅର୍ଥ ଗଣତନ୍ତ୍ର ଓ ସମ୍ବିଧାନର ପ୍ରତ୍ୟାଖ୍ୟାନ ନୁହେଁ। ଗଣତନ୍ତ୍ର ବିନା ଦେଶର ପରିକଳ୍ପନା ମଧ୍ୟ ସମ୍ଭବ ନୁହେଁ। ଯେଉଁମାନେ ଦେଶର ସମ୍ବିଧାନକୁ ଛୁଇଁ ଦେଶ ଶାସନର ଦାୟିତ୍ଵ ନେଇଛନ୍ତି ସେମାନେ ଦେଶର ସେନାବାହିନୀକୁ ନିଜର ଭୋଟ ରାଜନୀତିରେ ବ୍ୟବହାର କରିପାରିବେ ନାହିଁ। ଭାରତୀୟ ସେନାବାହିନୀ ଏ ଦେଶର ଗଣତନ୍ତ୍ର ପ୍ରତି ଏକ ପ୍ରତିବଦ୍ଧ ଅନୁଷ୍ଠାନ। ତେଣୁ ଗଣତନ୍ତ୍ର ବିରୋଧରେ ସେନାକୁ ବ୍ୟବହାର କରିବାର ଉଦ୍ୟମ କଦାପି ସଫଳ ହେବନାହିଁ ବୋଲି ଆମେ ଆଶା କରୁଛୁ।

ରାଜନୀତିରେ ନିର୍ବାଚନର ସମୟ ଆସିଛି। ଏଠି ସବୁ ଦଳ ନିଜର ମତ ଓ ପ୍ରତିଶୃତି ରଖିବେ। ସେଠି କେହି ଯଦି ନିଜକୁ ଅନ୍ୟ ଦଳଠାରୁ ବେଶୀ ଦେଶପ୍ରେମୀ କହୁଛି , ସେ ଦଳର ଦେଶପ୍ରେମ ଉପରେ ଘୋର ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଛି। ନିର୍ବାଚନ ସମୟରେ ଯୁଦ୍ଧର ଘନଘଟା ଓ ଦେଶପ୍ରେମର ଉଗ୍ର ନାଟକ ଉପରେ ବିରାମ ଚିହ୍ନ ଲଗାଇବା ଏବେ ନିର୍ବାଚନ କମିଶନଙ୍କ ପ୍ରାଥମିକ ଦାୟିତ୍ଵ ହେବା ଉଚିତ।

Categories
ବିଶେଷ ଖବର

ପୁଲବାମା ପରବର୍ତ୍ତୀ ଭାରତର ମନସ୍ତାତ୍ତ୍ଵିକ ମାନଚିତ୍ର , ଦି ଟେଲିଗ୍ରାଫ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବ ରୂପ

କେଦାର ମିଶ୍ର

ନିଜ ବିରୋଧୀଙ୍କୁ ପାକିସ୍ତାନ ସପକ୍ଷବାଦୀ ବୋଲି କହି ଆକ୍ରମଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୁରୁଣା ଅଭିଜ୍ଞତା ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଏ ପ୍ରକାର ସମାଲୋଚନା କରିଥିଲେ ଓ ସଂସଦରେ କଥାକୁ ବଦଳାଇ ଦେଇଥିଲେ। ଯେହେତୁ ପ୍ରଧାନମନ୍ତ୍ରୀ ଓ ତାଙ୍କର ପ୍ରଧାନ ସେନାପତି ଏ ପ୍ରକାର ଭାଷା ପ୍ରୟୋଗ କରନ୍ତି, ସେହି କାରଣରୁ ତାଙ୍କର ଭକ୍ତ ଓ ବିଜେପିର ଟ୍ରୋଲ ବାହିନୀ ସେଇ କଥାକୁ ବଢେଇ ଚଢେଇ ପ୍ରଚାର କରନ୍ତି। ପୁଲବାମା ରେ ହୋଇଥିବା ଆତ୍ମଘାତି ଆକ୍ରମଣର ୧୧ଦିନ  ପରେ ଏହି ଘଟଣାକୁ ନେଇ ନିଜର ବିଫଳତା ସ୍ଵୀକାର କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଏହାର ପୃଷ୍ଟଭୂମିରେ ନିଜର ବିରୋଧୀମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ବିଜେପିର ଜାତୀୟ ସଭାପତି ଚିରାଚରିତ ଢଙ୍ଗରେ ଏଥିଲାଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଦାୟୀ ବୋଲି କହିବାକୁ ଲଜ୍ଜା ଅନୁଭବ କରିନାହାନ୍ତି। ତେବେ ବିଜେପିର ରଣନୀତି ହେଉଛି ସବୁବେଳେ ସେୟା। ଇଂରାଜୀରେ ଗୋଟେ କଥା ଅଛି, Offense is the best policy to defense । ଏକଥା ବିଜେପି ନିଜର ରଣନୀତିରେ ସବୁବେଳେ କାର୍ଯ୍ୟକାରୀ କରିଆସିଛି। କ୍ଷମତାରେ ନିଜେ ରହି ଦେଶର ସୁରକ୍ଷା କ୍ଷେତ୍ରରେ ହୋଇଥିବା ଭୁଲ ର ଉତ୍ତର ଦାୟିତ୍ଵ ବିରୋଧୀଙ୍କ ମୁଣ୍ଡରେ ଗଡାଇଦେବାର ଚମତ୍କାର କୌଶଳ ବିଜେପି ଜାଣିଛି। ଏହି କୌଶଳରେ ବିଜେପି ନିଜର ଭକ୍ତ ମାନଙ୍କୁ ବେଶ ଭଲ ଭାବରେ ବ୍ୟବହାର କରେ। ଭକ୍ତ ମାନେ ଦିନ କୁ  ରାତି ଓ ରାତିକୁ ଦିନ ବୋଲି ମାନିନେବାରେ କୁଣ୍ଠିତ ହୁଅନ୍ତି ନାଇଁ। ହେଲେ ଦେଶର ପ୍ରମୁଖ ଗଣମାଧ୍ୟମ ଗୁଡିକ ଯଦି ଭକ୍ତଙ୍କ ପରି ବ୍ୟବହାର ପ୍ରଦର୍ଶନ କରନ୍ତି, ତାହେଲେ ସେଠି ଦେଶର ଗଣତନ୍ତ୍ର ବିପନ୍ନ ହୋଇଥାଏ।

ତେବେ କିଛି ଗଣମାଧ୍ୟମ ଏ ଭାବପ୍ରବଣତା ଓ ଭକ୍ତିର ପ୍ରବାହରୁ ଆଜି ମଧ୍ୟ ନିଜକୁ ମୁକ୍ତ ରଖି ଆସିଛନ୍ତି। ବିଜେପି ଭକ୍ତ ଓ ସରକାରୀ ଦଳର ପ୍ରବଳ ଚାପ ସତ୍ତ୍ୱେ ଆଜି ମଧ୍ୟ କିଛି ଇଂରାଜୀ ସଂବାଦପତ୍ର ଓ ଗୋଟେ ଦୁଇଟି ଟେଲିଭିଜନ ଚ୍ୟାନେଲ ସରକାର ତଥା ପ୍ରଧାନମନ୍ତ୍ରୀଙ୍କୁ କଠୋର ପ୍ରଶ୍ନ ପଚାରି ଚାଲିଛନ୍ତି। ଏ ପ୍ରକାର ନିଷ୍ଠାପର ଗଣମାଧ୍ୟମ ଭିତରେ ସବୁଠୁ ଆଗରେ ଅଛି କଲିକତାରୁ ପ୍ରକାଶ ପାଉଥିବା ‘ଦି ଟେଲିଗ୍ରାଫ’ ସଂବାଦପତ୍ର। ସରକାରକୁ କାଠଗଡାରେ ଠିଆ କରୁଥିବା ଭଳି ଶୀର୍ଷକ ଛାପିବାରେ ଦି ଟେଲିଗ୍ରାଫର ଅଗ୍ରଣୀ ଭୂମିକା ରହିଛି। ଗତ ୨୩, ଫେବୃୟାରୀ ୨୦୧୯ ଦି ଟେଲିଗ୍ରାଫର ର ସକାଳ ସଂସ୍କରଣରେ ଗୋଟେ ଚମତ୍କାର ଫଟୋ ଫିଚର ପ୍ରକାଶ ପାଇଛି। ଖବର କାଗଜର ଶୀର୍ଷରେ ଥିବା ଏ ଫୋଟୋ ଫିଚରର ଶିରୋନାମା ଟିକେ ଲମ୍ବା। “ଧିକ, ତମକୁ ହେ ଦେଶଦ୍ରୋହୀମାନେ! ଫେବୃଆରୀ ୧୪ ପରଠୁ ପ୍ରଧାନମନ୍ତ୍ରୀଙ୍କ ଶୋକକୁ ନେଇ ତମେ ସନ୍ଦେହ କରିପାରୁଛ କେମିତି? ଦେଖ, ସେଦିନଠୁ ସେ ପ୍ରତିଦିନ କେବଳ କଳା ପୋଷାକ ଇ ପିନ୍ଧୁଛନ୍ତି” । “ ( Shame on you anti nationals! How can you question PM’s sense of grief since February 14? Almost every single day since then, he has been wearing black.)

ଏହି ଶୀର୍ଷକ ତଳକୁ ରହିଛି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପୋଷାକରେ ଓ ପ୍ରଚୁର ଆନନ୍ଦମୟ ବଦନରେ ୯ ଟି ଫଟୋଗ୍ରାଫ। ୧୫ ଫେବ୍ରୁଆରି ରୁ କ୍ରମାନ୍ଵୟରେ ଫେବ୍ରୁଆରି ୨୩ ତାରିଖ ପର୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସାଧାରଣ ସଭା ଓ ସରକାରୀ କାର୍ଯ୍ୟକ୍ରମରେ ଭଳିକି ଭଳି ପୋଷାକ ପିନ୍ଧିବା ସହିତ ବେଶ ହସ ହସ ଲାଗୁଛନ୍ତି। ତାଙ୍କ ମୁହଁରେ ଦୁଃଖର କୌଣସି ଚିହ୍ନ ନାଇଁ। ଏହାକୁ ନେଇ ଦି ଟେଲିଗ୍ରାଫ ବେଶ କଟାକ୍ଷ କରିଛି। ଅନ୍ୟମାନଙ୍କ ଶୋକପ୍ରକାଶ କରିବାର ଢଙ୍ଗକୁ ନେଇ ପ୍ରଶ୍ନଚିହ୍ନ ଲଗାଉଥିବା ବିଜେପି ନିଜର ମୁଖ୍ୟ ନେତାଙ୍କ ଏ ଛବି ସବୁକୁ ନେଇ କଣ ବା ଉତ୍ତର ରଖିବ?  ପ୍ରଧାନମନ୍ତ୍ରୀ ତାଙ୍କ ଅନ୍ତରର ନିଆଁ ଓ କ୍ରୋଧକୁ ଜ୍ବାଳାମୟୀ ଭାଷଣ ମାଧ୍ୟମରେ ବ୍ୟକ୍ତ କରୁଛନ୍ତି, ହେଲେ ତାଙ୍କ ବ୍ୟକ୍ତିଗତ ସଉକୀ  ତାହା ଦ୍ୱାରା ପ୍ରଭାବିତ ହେଉନାହିଁ।  ମୋଦୀ ନିଜର ଷ୍ଟାଇଲ ଷ୍ଟେଟମେଣ୍ଟ ଓ ଫେସନ କୁ ନେଇ ପୁଲବାମା ପରବର୍ତ୍ତୀ ସମୟରେ ଟିକେ ବି ବଦଳି ନାହାନ୍ତି। ତେବେ ଏହା ଯେ ରାଜନୀତିର ଏକ ବଡ ପ୍ରସଙ୍ଗ ତାହା ନୁହେଁ। କିନ୍ତୁ ବିଜେପିର ନିଜସ୍ଵ ରାଜନୈତିକ ଅଭିରୁଚି ଅନୁସାରେ ଏହା ଆଦୌ ଦେଶପ୍ରେମୀର ଲକ୍ଷଣ ନୁହେଁ। ଦେଶର ବୀର ଯବାନ ଶହୀଦ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ଫେସନରେ ମାତିବାଟା ବିଜେପିର ନିଜସ୍ଵ ଯୁକ୍ତିରେ ଏକ ପ୍ରକାର ଦେଶଦ୍ରୋହ। (ବେଚାରା ଶିବରାଜ ପାଟିଲ,  ମୁମ୍ବାଇ ଆକ୍ରମଣ  ଘଟନା ପରେ ପୋଷାକ ବଦଳେଇଥିଲେ ବୋଲି ତାଙ୍କର ମନ୍ତ୍ରୀ ପଦ ଚାଲି ଯାଇଥିଲା।) ହେଲେ ମୋଦୀ ଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଭଗବାନଙ୍କ ସହ ସମକକ୍ଷ ! ଅନ୍ୟ ପ୍ରଧାନମନ୍ତ୍ରୀଙ୍କର ଅନୁଗାମୀ ଓ ସହଯୋଗୀ ବହୁତ ଥିଲେ ହେଲେ ମୋଦୀଙ୍କର ଭକ୍ତ ସଂଖ୍ୟା ପ୍ରବଳ। ଏମାନଙ୍କ ସଂଖ୍ୟା ଯଦିଓ ଗାଣିତିକ ଭାବରେ ଦେଶର ଲୋକସଂଖ୍ୟାରୁ ୨-୩% ହେବ, ତଥାପି ଏମାନେ ନିଜକୁ ଭାରତ ବୋଲି ମନେ କରନ୍ତି। ଅନ୍ୟ କେହି କେମିତି ବସୁଛି, କେମିତି ହସୁଛି, କଣ ପିନ୍ଧ୍ହୁଛି, କଣ ଖାଉଛି ର ଆକଳନ କରି ତାର ଦେଶପ୍ରେମୀ ହେବାର ପ୍ରମାଣ ମୋଦିଭକ୍ତ/ଭାଟମାନେ ଖୋଜନ୍ତି, ହେଲେ ତାଙ୍କ ନିଜ ମହାପ୍ରଭୁ ଯେ ଶହୀଦଙ୍କ ଶୋକ ପାଳନ ବେଳେ କେମିତି ଆସନ୍ତି, ସେତକ କହିଦେଲେ ଭକ୍ତମାନେ ଆପଣଙ୍କ ତଣ୍ଟି ଉପରେ ବସିପଡିବେ।

ତେବେ ଏ ଲେଖାଟିରେ ଯାହା ଆମେ ଲେଖିଛୁ, ତାହା କେବଳ ଦି ଟେଲିଗ୍ରାଫ ନାମକ ଖବର କାଗଜର ବିବରଣୀ ମାତ୍ର। ତେଣୁ ଆମ୍ଭ ଉପରେ ଆକ୍ରମଣ କରିବାକୁ ଚାହୁଁଥିବା ଭକ୍ତଙ୍କୁ ଅନୁରୋଧ ସେମାନେ କୋଲକାତା ଯାଇ ଆନନ୍ଦ ବଜାର ପତ୍ରିକା ଅଫିସ ଆଗରେ ନିଜର ଭକ୍ତି ଓ ଭାବ ପ୍ରବଣତା ପ୍ରଦର୍ଶନ କରନ୍ତୁ। ଆମ୍ଭେ ଦି ଟେଲିଗ୍ରାଫ ର ଲେଖାକୁ ଉଦ୍ଧାର କରିଛୁ ମାତ୍ର!!

Categories
ବିଶେଷ ଖବର

ପୁଲବାମା, ପ୍ରଧାନମନ୍ତ୍ରୀଙ୍କ ଚଳଚ୍ଚିତ୍ର ଶୁଟିଂ ଓ ଡିଜିଟାଲ ଇଣ୍ଡିଆରେ ପ୍ରଧାନମନ୍ତ୍ରୀଙ୍କ ଅପହଞ୍ଚ ନେଟୱାର୍କ

କେଦାର ମିଶ୍ର

ଫେବୃଆରୀ ୧୪ ତାରିଖ ଦିନ ଯେତେବେଳେ ପୁଲବାମା ରେ ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ ହେଉଥିଲା ସେଇ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାର ଲାଗି ଡିସ୍କଭରି ଚାନେଲ ପାଇଁ ଏକ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ ଥିଲେ ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି। ଏ ଅଭିଯୋଗଟି ଅବଶ୍ୟ ପିଲାଳିଆ। ଆତଙ୍କବାଦୀ ଘଟଣା ବିଷୟରେ କେହି କେବେ ଆଗରୁ ଜାଣିବାର ସମ୍ଭାବନା ନାହିଁ। ଗୋଟେ ଦୁର୍ଘଟଣା ଘଟିଲାବେଳେ ପ୍ରଧାନମନ୍ତ୍ରୀ ଯେ କେଉଁଠି ଥିବେ ତାହା ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ୟକ୍ରମ ଉପରେ ନିର୍ଭର କରୁଛି। ତେବେ କଂଗ୍ରେସର ଅଭିଯୋଗ ଆସିବା ପରେ “ସରକାରୀ ସୂତ୍ର’ ରୁ ଯେଉଁ ସ୍ପଷ୍ଟୀକରଣ ଦିଆଯାଇଛି ତାହା ଆହୁରି ପିଲାଳିଆ। “ସରକାରୀ ସୂତ୍ର” (ଯାହାକୁ ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ ଉଦ୍ଧାର କରିଛନ୍ତି)ର କହିବା କଥା ହେଲା ସେଦିନ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଜିମ କର୍ବେଟ ଅଭୟାରଣ୍ୟ ରେ ଥିଲେ। ସେଦିନ ସନ୍ଧ୍ୟା ୬.୩୦ପର୍ଯନ୍ତ ମୋଦୀ ନିଜ ସିନେମା କାମରେ ବ୍ୟସ୍ତ ଥିଲେ ବୋଲି କଂଗ୍ରେସ କରିଥିବା ଅଭିଯୋଗର ସତ୍ୟାସତ୍ୟ ଜଣାପଡିବା ଆଗରୁ ଖୋଦ ସରକାର ଏ ବିଷୟରେ ନିଜର ପିଲାଳିଆ ପ୍ରତିକ୍ରିୟା ରଖିଛନ୍ତି। ସରକାରୀ ସୂତ୍ରର କହିବା ଅନୁସାରେ ସେ ଦିନ ଜିମ କର୍ବେଟ ଅଭୟାରଣ୍ୟ ଅଞ୍ଚଳରେ ଖରାପ ପାଣିପାଗ ଓ ଦୁର୍ବଳ ନେଟୱାର୍କ କାରଣରୁ ୨୫ ମିନିଟ ବିଳମ୍ବରେ ପ୍ରଧାନମନ୍ତ୍ରୀ ପୁଲବାମା ଖବର ପାଇଥିଲେ। ସେଦିନ ସକାଳ ୭ ଟାରେ ମୋଦୀ ଡେରାଡୁନରେ ପହଞ୍ଚିଥିଲେ ମଧ୍ୟ ଖରାପ ପାଗ କାରଣରୁ ଅଭୟାରଣ୍ୟରେ ଚାରି ଘଣ୍ଟା ବିଳମ୍ବ ଅର୍ଥାତ ୧୧.୧୫ ରେ ପହଞ୍ଚିଥିଲେ।

ସେଠାରେ ବାଘ ସଫାରି, ଇକୋ ଟୁରିଜମ କେନ୍ଦ୍ର ଇତ୍ୟାଦି ଉଦଘାତନ କରିବାକୁ ତିନି ଘଣ୍ଟା ରହିଥିଲେ। ତାପରେ ଡଙ୍ଗାରେ ବସି ସେ ଘଞ୍ଚ ଜଙ୍ଗଲ ଭିତରକୁ ଯାଇଥିଲେ। ଏହି ସମୟରେ ଏକା ପୁଲବାମା ଆକ୍ରମଣ ଘଟିଥିଲା। ଘଞ୍ଚ ଜଙ୍ଗଲ ଭିତରେ ହୁଏତ ଦୁର୍ବଳ ନେଟୱାର୍କ ଏକ ସାଧାରଣ ଘଟଣା। ହେଲେ ଭାରତର ପ୍ରଧାନମନ୍ତ୍ରୀ ନେଟୱାର୍କ ବାହାରେ ରହିବା ଡିଜିଟାଲ ଇଣ୍ଡିଆରେ ଏକ ଶୁଭ ଲକ୍ଷଣ କି? ସେ ଯାହା ବି ହେଉ ଖବର ପାଇଲା ପରେ ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଓ ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥା ହୋଇଥିଲେ। ଫେରିବାବେଳେ ପୁଣି ପାଗ ଖରାପ ହେବାରୁ ସେ ଆବୁଡା ଖାବୁଡା ରାସ୍ତାରେ ଫେରିଥିଲେ ବୋଲି କୁହାଯାଇଛି। ଏଠି ପୁଣି ପ୍ରଶ୍ନ ଉଠୁଛି, ବିଜେପି ଶାସିତ ଉତ୍ତରାଖଣ୍ଡରେ ରାସ୍ତାର ଅବସ୍ଥା କଣ ଏୟା?

୬.୩୦ ରେ ପ୍ରଧାନମନ୍ତ୍ରୀ ଚା ଜଳଖିଆ ଖାଇଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି।ସତେକି ପ୍ରଧାନମନ୍ତ୍ରୀ ଏ ଘଟଣା ପରେ ଖାଡା ଓପାସ ରୁହନ୍ତୁ ବୋଲି କଂଗ୍ରେସ ଚାହୁଁଥିଲା। ତେବେ କଂଗ୍ରେସକୁ ଜବାବ ଦେଇ ସରକାରୀ ସୂତ୍ର କହୁଛି, ପ୍ରଧାନମନ୍ତ୍ରୀ କିଛି ଖାଇନଥିଲେ। ଏ କି ପ୍ରକାର ସ୍ପଷ୍ଟୀକରଣ ଆମେ ବୁଝି ପାରୁନାହୁଁ। ପ୍ରଧାନମନ୍ତ୍ରୀ ଚା ପିଇବା କଣ ପାପ? ତେବେ ସବୁଠୁ ମଜାର କଥା ହେଉଛି, ସରକାର ପ୍ରଧାନମନ୍ତ୍ରୀ କିଛି ଖାଇନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେବା।

ଏ ପ୍ରକାର ନିହାତି ବ୍ୟକ୍ତଗତ ସ୍ତରର ଓ ଛୋଟ ଛୋଟ କଥାକୁ ନେଇ ଜାତୀୟ ସ୍ତରର ଗଣମାଧ୍ୟମରେ ବିତର୍କ ହେବାର କିଛି ଅର୍ଥ ଅଛି କି? ଅଯଥା ଭାବ ପ୍ରବଣତା ଓ ଗୁଡାଏ ନାଟକୀୟ ଆବେଗ ସୃଷ୍ଟି କରିବାକୁ ଯାଇ ଆମର ସରକାର, ରାଜନୈତିକ ଦଳ ଓ ଗଣ ମାଧ୍ୟମ ଆମର ଶହୀଦ ଜବାନଙ୍କ ରକ୍ତକୁ ଗୋଟେ ପ୍ରକାର ପ୍ରହସନରେ ପରିଣତ କରିଦେଲେଣି। ଖୋଦ ଭାରତୀୟ ଜନତା ପାର୍ଟିର ନେତା ମାନେ ଶହୀଦଙ୍କ ଶବ ଶୋଭାଯାତ୍ରାକୁ ଗୋଟେ ପ୍ରକାର ରାଜନୈତିକ ପ୍ରଚାର ମଞ୍ଚ କରିଦେଲେ। ତାର ପରିଣତି ସ୍ଵରୂପ ସବୁ ଦଳ ନିଜକୁ ଅଧିକରୁ ଅଧିକ ରାଷ୍ଟ୍ରବାଦୀ ଦେଖେଇ ହେବାର ପ୍ରତିଯୋଗିତାରେ ମାତିଲେ। ଗଣମାଧ୍ୟମ ଏଥିରେ ଆହୁରି ମସଲା ଢାଳି ଚାଲିଲା। ଶେଷରେ ଆମେ ପ୍ରଧାନମନ୍ତ୍ରୀ ସେଦିନ ଚା ସିଙ୍ଗଡା ଖାଇଥିଲେ କି ନାଇଁ ର ବିତର୍କରେ ପହଞ୍ଚିଲୁ।

ନିଜକୁ ଅଧିକ ରାଷ୍ଟ୍ରବାଦୀ ପ୍ରମାଣିତ କରିବାର ଦୌଡ ପ୍ରତିଯୋଗିତାରେ ବିଜେପି ଆଜି ନିଜ ଜାଲରେ ଫସି ଯାଇଛି। ସେଦିନ ସତରେ ପ୍ରଧାନମନ୍ତ୍ରୀ ଯଦି ଚଳଚ୍ଚିତ୍ର ପାଇଁ ସମୟ ଦେଇଥିଲେ ତାକୁ ମାନି ଯିବାରେ କୌଣସି ଅସୁବିଧା ନାହିଁ। ତାହା ନକରି ଏହା ଆମ ସେନା ବାହିନୀର ମନୋବଳକୁ ଦୁର୍ବଳ କରୁଛି ବୋଲି ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ପ୍ରତିକ୍ରିୟା “ମନ୍ଦିର ଭିତରେ କିଏ ରେ……’’ ଭଳି ଶୁଭୁଛି। ପ୍ରଧାନମନ୍ତ୍ରୀ ସେନା ବାହିନୀର ମୁଖିଆ ନୁହନ୍ତି। ଗଣତାନ୍ତ୍ରିକ ଶାସନରେ ପ୍ରଧାନମନ୍ତ୍ରୀ ନିରନ୍ତର ସମାଲୋଚନାର ସମ୍ମୁଖୀନ ହେବାକୁ ବାଧ୍ୟ। ପୁଲବାମା ଘଟଣାରେ ଗୁଇନ୍ଦା ବିଭାଗ ବିଫଳତା ଓ ଜବାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ସରକାରୀ ଉଦାସୀନତାକୁ ସମାଲୋଚନା କରାଯିବ ନିଶ୍ଚୟ। ଏଥିରେ ସେନା ର ମନୋବଳ ଭାଙ୍ଗିବାର କୌଣସି କାରଣ ନାହିଁ। ପ୍ରଧାନମନ୍ତ୍ରୀଙ୍କ ରାଜନୀତି ସହିତ ଭାରତୀୟ ସେନାବାହିନୀର କୌଣସି ସମ୍ପର୍କ ନାଇଁ। ବିଜେପି ଓ କଂଗ୍ରେସ ନିଜ ରାଜନୀତିର କୁସ୍ତି ଭିତରକୁ ସେନାବାହିନୀକୁ ଟାଣୁଛନ୍ତି କାହିଁକି?

ଶହୀଦଙ୍କୁ ସମ୍ମାନ ଦେବା ନାଁରେ ଉଗ୍ର ରାଷ୍ଟ୍ରବାଦ ଓ ନିକୃଷ୍ଟ ରାଜନୀତିର ବହୁ ଉଦାହରଣ ଆମେ ଇତି ମଧ୍ୟରେ ଦେଖି ସାରିଲୁଣି। ଅନ୍ତତଃ ପ୍ରଧାନମନ୍ତ୍ରୀ ସ୍ତରରେ ଏ ପ୍ରକାର ଉଗ୍ରତା ଓ ନୀଚତା ପ୍ରଦର୍ଶିତ ନହେଉ ବୋଲି ସାଧାରଣ ଭାରତୀୟ ନାଗରିକ ଭାବରେ ଆମେ ଆଶା କରିବୁ।

Categories
ବିଶେଷ ଖବର

ଷୋଡଶ ଲୋକସଭାର ଶେଷ ଦିନ, ମୁଲାୟମଙ୍କ ମୋଦୀ କୀର୍ତ୍ତନ ଓ ରାଫାଲେ ଅଡିଟ ପ୍ରସଙ୍ଗ

କେଦାର ମିଶ୍ର

ଷୋଡଶ ଲୋକସଭାର କାର୍ୟକାଳ ଗତକାଲି ସରିଛି। ୧୯୮୪ ପରଠୁ ଏହି ଲୋକସଭାରେ ପ୍ରଥମଥର ଲାଗି ଶାସକ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ହୋଇଥିଲା। ମଇ ୨୦୧୪ ରେ ଷୋଡଶ ଲୋକସଭା ଗଠିତ ହେଲାବେଳକୁ ଏଥିରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ଥିଲା ୨୮୨। ତିରିଶ ବର୍ଷ ପରେ ପ୍ରଥମଥର ଲାଗି ବିଜେପି ଲୋକସଭାରେ ନିଜ ଶକ୍ତି ମୁତାବକ ସରକାର ଗଠନ କରିବାର ସୁଯୋଗ ପାଇଥିଲା। ତେବେ ଲୋକସଭାର ଶେଷ ଦିନ ବେଳକୁ ଏହି ସଂଖ୍ୟା ୨୬୮ କୁ ଖସି ଆସିଥିଲା। ସେହିପରି ଇତିହାସରେ ସବୁଠୁ କମ ସଂଖ୍ୟକ କଂଗ୍ରେସ ଦଳର ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିଲେ। ଲୋକସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ଥିଲା ମାତ୍ର ୪୫। ହେଲେ ବିରୋଧୀ ଦଳ ଭାବରେ କଂଗ୍ରେସ ନିଜର ଅଳ୍ପ ସଦସ୍ୟଙ୍କୁ ନେଇ ସରକାରକୁ ଘେରିବାରେ ବେଶ ସଫଳ ହୋଇଥିଲା। ଲୋକସଭାର ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ମାତ୍ର ୨୧ ଟି ବିତର୍କରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ନରେନ୍ଦ୍ର ମୋଦୀଙ୍କ ସଂସଦ ଉପସ୍ଥିତି ହାର ଯଥେଷ୍ଟ କମ ଥିଲା।

ଏଥର ଲୋକସଭାରେ ୧୪୬ ଜଣ କୃଷିଜୀବି, ୫୪ ଜଣ ଓକିଲ, ତିନି ଜଣ ଶିକ୍ଷକ, ୮୯ ଜଣ ସମାଜସେବୀ, ୭୨ ଜଣ ବ୍ୟବସାୟୀ, ୩୮ ଜଣ ରାଜନୈତିକ କର୍ମୀ, ୨୭ ଜଣ ଡାକ୍ତର, ୯ ଜଣ କଳାକାର, ୫ ଜଣ ସାମ୍ବାଦିକ, ୫ ଜଣ ଶିଲ୍ପପତି, ଦୁଇ ଜଣ ସୈନିକ ଲୋକ ସଭାକୁ ନିର୍ବାଚିତ ହୋଇ ଆସିଥିଲେ। ତେବେ ଲୋକସଭା ର ୱେବ ସାଇଟ ଅନୁଯାୟୀ ସମାଜ ସେବୀ ଓ ରାଜନେତା ଦୁଇଟି ଅଲଗା ବୃତ୍ତି ମାନେ ହେଉଛି। ସେହିପରି ସମାଜ ସେବା ଏକ ବୃତ୍ତି କି ନୁହଁ, ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ଏଥର ଲୋକସଭାରେ ୪୫୭ (୮୭.୫୫%) ପୁରୁଷ ସଦସ୍ୟ ଥିବା ବେଳେ ମହିଳା ସଦସ୍ୟଙ୍କ ସଂଖ୍ୟା ଥିଲା ୬୫(୧୨.୪୫%) । ଏଥର ଲୋକସଭାରେ ୭୫% ସଦସ୍ୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଏଥର ଲୋକସଭାରେ ବେଶ ସରଗରମ ଆଲୋଚନା ହୋଇଥିବାବେଳେ ବଜେଟ ଅଧିବେଶନର ଅନ୍ତିମ ଦିନ ବେଶ ରୋଚକ ଥିଲା। ସେଦିନ ଲୋକସଭାର ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ଅବସରରେ କହିଥିଲେ ଯେ, ମୁଁ ସବୁ ସଦସ୍ୟ ପୁଣିଥରେ ନିର୍ବାଚିତ ହୋଇ ଆସନ୍ତୁ ବୋଲି କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ମୂଲାୟମଙ୍କ ଏ ବକ୍ତବ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି। ଯଦିଓ ସୌଜନ୍ୟତା ଦୃଷ୍ଟିରୁ ଏ ପ୍ରକାର ବକ୍ତବ୍ୟ ଅସଙ୍ଗତ ନୁହେଁ, କିନ୍ତୁ ଆଜିର ରାଜନୈତିକ ପରିସ୍ଥିତିରେ ଏହି ବକ୍ତବ୍ୟର ଅଲଗା ଅର୍ଥ ରହିଛି। ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ବିଜେପିକୁ ପରାସ୍ତ କରିବାର ଯୋଜନା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୁଲାୟାମଙ୍କ  ଶୁଭକାମନା ଗୋଟେ ଅଲଗା ସଙ୍କେତ ଦେଉଛି।

ତେବେ ଲୋକସଭାର ଅନ୍ତିମ ଦିବସରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା ରାଫାଲେ ପ୍ରସଙ୍ଗରେ ମହାଲେଖା ନିୟନ୍ତ୍ରକ ବା ସିଏଜିଙ୍କ ରିପୋର୍ଟ। ସଂସଦରେ ଉପସ୍ଥାପିତ ଏ ରିପୋର୍ଟ ଆପାତତଃ ମୋଦୀ ସରକାରକୁ ରାଫାଲେ ମାମଲାରେ କ୍ଳିନ ଚିଟ ଦେଲାପରି ଲାଗୁଥିଲେ ହେଁ, ରିପୋର୍ଟରେ ଅନେକ କଥା ରହିଛି ଯାହାକି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯଥେଷ୍ଟ।

ତେବେ ଆଜିଠୁ ଷୋଡଶ ଲୋକସଭାର କାର୍ୟକାଳ ପୂରିଲା। ସପ୍ତଦଶ ଲୋକସଭା ପାଇଁ ଏବେ କୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେବେ ବହୁ ଦୃଷ୍ଟିରୁ ଭାରତର ରାଜନୀତିରେ ଷୋଡଶ ଲୋକସଭାର ଭୂମିକା ଐତିହାସିକ ହୋଇ ରହିବ।

Categories
ବିଶେଷ ଖବର

ଶାସନର ଷାଠିଏ ମାସ ପରେ ବି ପ୍ରତିଶୃତି ସମାବେଶ, ବିଜେପିର ନୂଆ ଜୁମଲା

କେଦାର ମିଶ୍ର

ପ୍ରତି ଭାରତୀୟଙ୍କ ଏକାଉଣ୍ଟରେ ପନ୍ଦର ଲକ୍ଷ ଟଙ୍କା, ସେ ପ୍ରତିଶୃତି ଥିଲା ନା ଜୁମଲା?

ବର୍ଷକୁ ଦୁଇ କୋଟି ଯୁବକଙ୍କୁ ରୋଜଗାର, ସେ ପ୍ରତିଶୃତି ଥିଲା ନା କେବଳ ଧୂଆଁବାଣ?

କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ, ସେଟା ସତ୍ୟ ନା ମହାମିଥ୍ୟା?

୧୦୦ ସ୍ମାର୍ଟ ସିଟିର ନିର୍ମାଣ, ସାଗରମାଳା ପ୍ରକଳ୍ପ, ଦରଦାମ ନିୟନ୍ତ୍ରଣ ଲାଗି ସ୍ଵତନ୍ତ୍ର ପାଣ୍ଠି ଗଠନ, ଲୋକପାଳ….. ତାଲିକା ଅସରନ୍ତି, ସେସବୁ କେବଳ ପାଣିର ଗାର ହୋଇ ରହିଯାଇଛି। ଅଥଚ ୨୦୧୪ ନିର୍ବାଚନ ପୂର୍ବରୁ କୁହାଯାଉଥିଲା, “ଆପଣମାନେ କଂଗ୍ରେସକୁ ଷାଠିଏ ବର୍ଷର ସମୟ ଦେଇଛନ୍ତି, ମୋତେ ମାତ୍ର ଷାଠିଏ ମାସର ସମୟ ଦିଅନ୍ତୁ। ଷାଠିଏ ମାସର ସମୟରେ ମୁଁ ନୂଆ ଭାରତ ଗଢିଦେବି। “ ଷାଠିଏ ମାସରୁ ୫୭ ମାସ ଯାଇସାରିଲାଣି। ଯାହା କୁହାଯାଇଥିଲା ସେଥିରୁ କିଛି ବି ହୋଇନି। ଯାହା ହୋଇଛି ବୋଲି କୁହା ଯାଉଛି ସେଗୁଡିକ କେବଳ ନିର୍ମଳ ପ୍ରଚାର। ବର୍ଷକ ତଳର ଏକ ସୂଚନାରୁ ଜଣା ପଡିଥିଲା ଯେ ମୋଦୀ ସରକାର ଏପ୍ରିଲ ୨୦୧୪ ରୁ ଜୁଲାଇ ୨୦୧୮ ପର୍ୟନ୍ତ ୪୮୮୦ କୋଟି ଟଙ୍କା କେବଳ ବିଜ୍ଞାପନ ବାବଡକୁ ଖର୍ଚ୍ଚ କରିଥିଲେ। ସେତେବେଳେ ଗୋଟେ ଡିଜିଟାଲ ସଂସ୍ଥା ଏହାର ଆକଳନ କରି କହିଥିଲେ ଏତିକି ଟଙ୍କାରେ ଅତିକମରେ ସାଢେ ଚାରି କୋଟି ପିଲାଙ୍କୁ ବର୍ଷେ ପାଇଁ ଖାଇବାକୁ ଦିଆ ଯାଇପାରିଥାନ୍ତା କିମ୍ବା ୨୦ କୋଟି ଶ୍ରମିକଙ୍କୁ ମନରେଗା ରେ ପାରିଶ୍ରମିକ ଦିଆ ଯାଇପାରିଥାନ୍ତା। ଏତିକି ଟଙ୍କା ଖର୍ଚ୍ଚ ହୋଇଥିଲେ ଦଶଟି ମଙ୍ଗଳ ଅଭିଯାନ ସଫଳ ହୋଇପାରିଥାନ୍ତା।

ଛାଡନ୍ତୁ, ସେସବୁ ନକରି କେବଳ ୫୨ ମାସରେ ପ୍ରଚାର ଲାଗି ୪୮୮୦ କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରାଗଲା। ଜୁଲାଇ ୨୦୧୮ ରୁ ଆଜି ପର୍ଯନ୍ତ ଏ ଖର୍ଚ୍ଚ ଆହୁରି ବଢିଥିବ। ନିର୍ବାଚନ ବର୍ଷରେ ଅତିକମରେ ୨୦୦ କୋଟି ଟଙ୍କା ବିଜ୍ଞାପନ ବାବଦକୁ ଖର୍ଚ୍ଚ ହୋଇଥାଇପାରେ। ଏସବୁ ବାଦ ମୋଦୀ ସରକାରର ଅସଲ ଅବଦାନ କଣ? ପ୍ରତି କଥାରେ କୁହାଯାଉଛି, ଆମେ ଭ୍ରଷ୍ଟାଚାର ମୁକ୍ତ ସରକାର ଦେଇଛୁ। ହେଲେ ସ୍ଵାଧୀନ ଭାରତର ଇଏ ବୋଧହୁଏ ପ୍ରଥମ ସରକାର ଯିଏ କୌଣସି ପ୍ରକାର ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତ କରିବାକୁ ଦେଇ ନାହାନ୍ତି। ବ୍ୟାପମ ଠୁ ଆରମ୍ଭ କରି ରାଫାଲେ ପର୍ଯନ୍ତ ସବୁକଥାରେ ଏ ସରକାର ନିଜେ ନିଜକୁ ପ୍ରମାଣପତ୍ର ଦେଇ ଚାଲିଛି।

ଉଚ୍ଚ ଅଦାଲତର ବିଚାରପତି ନିଯୁକ୍ତି ସମ୍ପର୍କିତ ଗୋଟିଏ ବି ଫାଇଲକୁ ଏ ସରକାର ସହଜରେ ମଞ୍ଜୁରୀ ଦେଇନାହିଁ। ସିବିଆଇ ନିର୍ଦ୍ଦେଶକ ଭଳି ପଦବୀକୁ ଖେଳନା ପରି ଖେଳା ଯାଇଛି। ଲୋକପାଳ ନିଯୁକ୍ତି ଯେମିତି ହୋଇନପାରେ ସେଥିଲାଗି ସୁପ୍ରିମ କୋର୍ଟରେ ବାରମ୍ବାର ବାହାନା କରାଯାଇଛି। କୌଣସି ବି ତଥ୍ୟ ଏ ସରକାର ଦେଇ ନାହାନ୍ତି ଯାହାକୁ ଆଖି ବୁଜି ବିଶ୍ଵାସ କରିହେବ। ତଥ୍ୟ ଓ ପରିସଙ୍ଖ୍ୟାନ ବଦଳାଇବାରେ ମୋଦୀ ସରକାର ସବୁ ରେକର୍ଡ ଭାଙ୍ଗିଛି। ପରିବର୍ତ୍ତିତ ଡାଟା ଓ ମିଛ ପରିସଙ୍ଖ୍ୟାନରେ ବି ଭାରତ ର ସ୍ଥିତି ଅର୍ଥନୈତିକ କିମ୍ବା ସାମାଜିକ ଦୃଷ୍ଟିରୁ ସେତେ ଉନ୍ନତ ଦେଖା ଯାଉନାହିଁ। କେବଳ ପାଞ୍ଚ ବର୍ଷ ସମୟ ଭାଷଣ ଓ ପ୍ରବଚନ ରେ ସରିଗଲା। ଏବେ ପାଞ୍ଚ ବର୍ଷ ପରେ ନୂଆ ନିର୍ବାଚନକୁ ଯିବା ପୂର୍ବରୁ ପୁଣି ପ୍ରତିଶୃତି ସମାବେଶର ଆୟୋଜନ ଚାଲିଛି।

ଗତ କାଲିଠୁ ପୁଣି ନୂଆ ପ୍ରତିଶୃତି ସମାବେଶ ଆରମ୍ଭ ହୋଇଛି। ଏଥର କୁଆଡେ ଲୋକଙ୍କୁ ଲିଖିତ ପ୍ରତିଶୃତି ଦିଆଯିବ।। ଚୁଲି ଚାଉଳ ସବୁ ମାଗଣା। ଓଡିଶାର ଜଣେ କେନ୍ଦ୍ରମନ୍ତ୍ରୀ ଭାଷଣ ଦେଇ କହୁଥିଲେ ତାଙ୍କ ସରକାର ଆସିଲେ ସବୁ ମିଳିବ । ଅର୍ଥାତ ସରକାର ପୂରା ଘର ଚଳାଇବେ। ଦେଶ ଚଳାଇବା ଅପେକ୍ଷା ଏବେ ଲୋକଙ୍କ ଘର ଚଳାଇବା ସରକାରଙ୍କ ମୁଖ୍ୟ କାମ ହେଲାଣି। ଖାଲି ଯେ ସରକାରୀ ଦଳ ସେକଥା କରୁଛନ୍ତି, ତା ନୁହେଁ, ଆପାତତଃ ସବୁ ରାଜନୈତିକ ଦଳ ଏବେ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବା ବଦଳରେ ଛୋଟମୋଟ ଦାନ ଦେବାକୁ ଅଧିକ ଗ୍ରହଣୀୟ ବୋଲି ଭାବୁଛନ୍ତି।

ନିର୍ବାଚନ ଆଗରୁ ଏ ପ୍ରତିଶୃତିର ନାଟକକୁ ଭୋଟର ଯେ ବୁଝୁନାହାନ୍ତି ତା ନୁହେଁ, ସେମାନେ ଏ ନାଟକକୁ ବେଶ ଭଲ ଭାବରେ ବୁଝନ୍ତି ଓ ଉପଯୁକ୍ତ ସମୟରେ ନାଟକର ଯବନିକା ପତନ କରିବାର କଳା ମଧ୍ୟ ଲୋକଙ୍କୁ ବେଶ ଜଣା!!

Categories
ବିଶେଷ ଖବର

ଅସତ୍ୟ ଭାଷଣ ପ୍ରଧାନମନ୍ତ୍ରୀ ପଦର ଗରିମାକୁ ତଳିତଳାନ୍ତ କରୁନାହିଁ କି?

କେଦାର ମିଶ୍ର 

ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା ମଧ୍ୟ କରିନଥିଲୁ, ସେସବୁ ଏବେ ସତକୁ ସତ ଘଟି ଚାଲିଛି! ଭାରତୀୟ ରାଜନୀତିରେ ଘଟୁଥିବା ବହୁ ବିଚିତ୍ର ଓ ଅଭୂତପୂର୍ବ ଘଟନା ଭିତରୁ ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ଭାଷଣ। ଏ ଦେଶର କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଭାଷଣ ଦେଉନଥିଲେ। ଏହାର ଅର୍ଥ ଏୟା ନୁହଁ ଯେ ଆମର ବାଗ୍ମୀ ପ୍ରଧାନମନ୍ତ୍ରୀ ନଥିଲେ। ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଥିଲେ ତାଙ୍କ ସମୟର ଅନ୍ୟତମ ଶ୍ରେଷ୍ଠ ବକ୍ତା। ପଣ୍ଡିତଜୀଙ୍କର ବକ୍ତବ୍ୟ ରେ ବୌଦ୍ଧିକତା ଯେତିକି ଥିଲା, ଭାରତର ସାଧାରଣ ଜନତାର ଅନୁଭବ ପ୍ରତି ସମ୍ମାନବୋଧ ମଧ୍ୟ ସେତିକି ଥିଲା। ନେହେରୁଙ୍କ ପରେ ପ୍ରାୟ ସବୁ ପ୍ରଧାନମନ୍ତ୍ରୀ ନିଜ ପଦର ଗରିମା ଅନୁଯାୟୀ ଭାଷଣ ଦେଇଛନ୍ତି। ଲୋକଙ୍କୁ ଉଦବୁଦ୍ଧ କରିଛନ୍ତି। ହେଲେ ମୋଦୀଙ୍କ ଭାଷଣ ନିଆରା। ସେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠୁ ଅଲଗା କାରଣ ସେ ନିଜ ଭାଷଣରେ କିଛି ବି କହିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯେ ସତ୍ୟନିଷ୍ଠ ଓ ତଥ୍ୟନିଷ୍ଠ ହେବା ଉଚିତ, ଏକଥା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଉ କେହି ଆଶା କରୁନାହାନ୍ତି।

ମୋଦୀଙ୍କର ବହୁ ଭାଷଣ ରହିଛି, ଯେଉଁଥିରେ ଶହ ଶହ ତଥ୍ୟଗତ ତୃଟି ବାହାର କରିହେବ। ଆମେ ସେସବୁକୁ ନଯାଇ ଏଇ ସପ୍ତାହରେ ସେ ଦେଇଥିବା ଦୁଇଟି ଭାଷଣର ତର୍ଜମା କରିବା। ଗତ ଜାନୁଆରୀ ୩୦ ତାରିଖ, ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥି। ଗୁଜରାଟର ସୁରତ ରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଲେ ଯେ “ଆଗରୁ ଏ ଦେଶରେ ମହିଳାଙ୍କ ପ୍ରତି ବଳାତ୍କାର ଓ ଧର୍ଷଣର ଖବର ଆସୁଥିଲା, କିନ୍ତୁ ଏବେ ବଳାତ୍କାରୀଙ୍କୁ ୩ ଦିନ, ୭ ଦିନ କିମ୍ବା ୧୧ ଦିନ ଭିତରେ ଫାଶିରେ ଝୁଲାଇ ଦିଆ ଯାଉଛି।“ ଅଦ୍ଭୁତ କଥା। ଦେଶର ପ୍ରଧାନମନ୍ତ୍ରୀ ଏକଥା କହୁଛନ୍ତି। ୩ ଦିନ ଭିତରେ ଜଣେ ଅପରାଧୀର ବିଚାର ଏକ ଗଣତାନ୍ତ୍ରିକ ଦେଶରେ ସମ୍ଭବ କି? ଆମର ସାମ୍ବିଧାନିକ ବ୍ୟବସ୍ଥାରେ ନ୍ୟାୟ ପାଇଁ ଏକ ସ୍ଵାଭାବିକ ଆଇନଗତ ପ୍ରକ୍ରିୟା ରହିଛି। ତାକୁ ବାଦ ଦେଇ କାହାକୁ ଫାଶିରେ ଝୁଲାଇ ହେବ କି? ତେବେ ଗତ ପାଞ୍ଚ ବର୍ଷ ଭିତରେ ଏ ଦେଶରେ ଯାକୁବ ମେମନକୁ  ବାଦ ଦେଲେ ଆଉ କାହାକୁ ଫାଶିରେ ଝୁଲା ଯାଇନାହିଁ। ତେବେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ଆମେ କହିବା କି?

ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ଧର୍ଷଣ ଭଳି ସଂବେଦନଶୀଳ ପ୍ରସଙ୍ଗରେ ବକ୍ତବ୍ୟ ରଖନ୍ତି, ତାଙ୍କଠୁ ଆମେ ସତ୍ୟ ଓ ତଥ୍ୟର ଅପେକ୍ଷା ରଖୁ। ହେଲେ ନରେନ୍ଦ୍ର ମୋଦୀଙ୍କ ଠାରୁ ସେ ପ୍ରକାର ଅପେକ୍ଷା ବୋଧେ ଦେଶବାସୀଙ୍କର ଆଉ ନାହିଁ।

ଏବେ ଆସିବା ପ୍ରଧାନମନ୍ତ୍ରୀଙ୍କ ଦ୍ଵିତୀୟ ଭାଷଣକୁ। ପଶ୍ଚିମ ବଙ୍ଗରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ “ ଏ ଦେଶରେ ଜଣେ ଚା ବିକାଳି ପ୍ରଧାନମନ୍ତ୍ରୀ ଦେଶରୁ ଦୁର୍ନୀତି ଦୂର କରିଦେଲା ଓ କଳା ଧନ ଫେରାଇ ଆଣିଲା। “ ଏ ଘୋଷଣା ବି ଅଦ୍ଭୁତ। ଭାରତକୁ ଦୁର୍ନୀତିମୁକ୍ତ ଦେଶ ବୋଲି ପ୍ରମାଣପତ୍ର କିଏ ଓ କେମିତି ଦେଇଛି ଆମେ ଜାଣିନୁ। ହେଲେ ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏ ଦେଶରେ ସବୁଠୁ ବଡ ବ୍ୟାଙ୍କ ଘୋଟାଲା ହୋଇଛି। ଆଗରୁ ଯେଉଁମାନେ ଦୁର୍ନୀତି କରୁଥିଲେ ସେମାନେ ବନ୍ଧା ହେଉଥିଲେ। ଆମେ ମନମୋହନ ସିଂଙ୍କ ସମୟରେ ଦେଖିଛୁ, ଦେଶର ବହୁ କ୍ଷମତାଶାଳୀ ନେତା ଓ ମନ୍ତ୍ରୀ ଜେଲ ଯାଇଥିଲେ। ହେଲେ ମୋଦୀଙ୍କ ସମୟରେ ଦୁର୍ନୀତି କରି ଓ ଲୋକଙ୍କ ଟଙ୍କା ଆତ୍ମସାତ କରି ଲୋକ ବିଦେଶରେ ଯାଇ ଅୟସ କରୁଛନ୍ତି। ଯେମିତି କି-

  • ଲଳିତ ମୋଦୀ, ଆଇପିଏଲ ଘୋଟାଲାରେ ସଂପୃକ୍ତ ଏହାଙ୍କର କୌଣସି ଖୋଜ ଖବର ଏବେ ମିଳୁନାହିଁ।
  • ବିଜୟ ମାଲ୍ୟା, ବିଜେପି ସହାୟତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମାଲ୍ୟା ବଡ ଆନନ୍ଦରେ ଦେଶ ଛାଡି ଲଣ୍ଡନ ପଳାଇଲେ। ପନ୍ଦର ହଜାର କୋଟି ଟଙ୍କା ଏ ଦେଶର ପାଣିରେ ପଡିଲା।
  • ମେହୁଲ ଚୋକସି, ୟାଙ୍କୁ ପ୍ରଧାନମନ୍ତ୍ରୀ ସର୍ବ ସାଧାରଣରେ ମେହୁଲ ଭାଇ ବୋଲି ସମ୍ବୋଧନ କରୁଥିଲେ। ଏ ବାବୁ ଏବେ ଆଣ୍ଟିଗୁଆ ରେ ନାଗରିକତ୍ଵ ଗ୍ରହଣ କରି ଆନନ୍ଦରେ ଅଛନ୍ତି।
  • ନୀରବ ମୋଦୀ, ଦେଶର ଟଙ୍କା ଖାଇ ଫେରାର ହେବା ଆଗରୁ ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ଦାଭୋସ ରେ ବଢିଆ ଫଟୋ ଉଠାଇଥିଲେ।
  • ଦ୍ବାରିକାଦାସ ସେଠ ଓ ପରିବାର- ଏମାନେ କେବେ ଦେଶର ଟଙ୍କା ଖାଇ ଦେଶ ଛାଡି ଚାଲିଗଲେ, କେହି ତାର ଖବର ପାଇଲେ ନାହିଁ।
  • ଚନ୍ଦା କୋଚର ଓ ପରିବାର, ଆଇସିଆଇସିଆଇ ବ୍ୟାଙ୍କର ମୁଖିଆ ଥିବା ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ବ୍ୟାଙ୍କକୁ ଖୋଳ କରି ଚାଲିଥିବା ବେଳେ ଆଜି ମଧ୍ୟ ଅର୍ଥମନ୍ତ୍ରୀ ଏହାଙ୍କ ରକ୍ଷା କବଚ ହୋଇ ଛିଡା ହୋଇଛନ୍ତି।

ତଥାପି ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ସେ ଏ ଦେଶରୁ ଭ୍ରଷ୍ଟାଚାର ଦୂର କରିଦେଲେ, ତାହେଲେ ତାର ବିଚାର ଏ ଦେଶର ଜଣ ସାଧାରଣ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ମର୍ୟାଦା  ଦୃଷ୍ଟିରୁ ସତ୍ୟ ନିଷ୍ଠା ଓ ତଥ୍ୟ ନିଷ୍ଠା ତାଙ୍କ ଭାଷଣର ଆଧାର ହେଉ ବୋଲି ଆମେ ଆଜି ବି ପ୍ରାର୍ଥନା କରୁଛୁ!!

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ପଦବୀ ଓ ଅନୁଷ୍ଠାନ; ନରେନ୍ଦ୍ର ମୋଦୀ ଏ ଦୁଇଟିରୁ କାହାକୁ ବି ମର୍ୟାଦା ଦେବାରେ ସମର୍ଥ ହୋଇ ନାହାନ୍ତି

କେଦାର ମିଶ୍ର

ଯେଉଁ ଭାରତୀୟ ମାନେ ସ୍ବାଧୀନତା ଅନ୍ଦୋଳନ ଅଥବା ସ୍ବାଧୀନତା ପରେ ପରେ ଜନ୍ମ ହେଇଥିଲେ, ସେମାନେ ଭାରତୀୟ ରାଜନୀତିର ଅସ୍ଥିରତା ଓ ଦୋଦୁଲ୍ୟମାନ ସ୍ଥିତି ଦେଖିନଥିଲେ.।  ସେମାନଂକ ଆଗରେ ଜଣେ ବିଶାଳକାୟ ନେତା ଥିଲେ, ଯାହାଂକର କୌଣସି ବିକଳ୍ପ ନଥିଲା।  ୧୯୪୭ ରୁ ୧୯୬୪, ସତର ବର୍ଷ ଧରି ପଣ୍ଡିତ ଜବାହରଲାଲ ନେହେରୁଂକୁ ଦେଶର ସର୍ବଶ୍ରେଷ୍ଠ ନେତା, ଶାସକ ଓ ଗଣତନ୍ତ୍ର ର ମହାନାୟକ ଭାବରେ ଦେଖିଲାବେଳେ ତାଂକ ଆଗରେ ବିକଳ୍ପ ହୋଇ ଛିଡା ହେଲା ଭଳି ନେତୃତ୍ବ କାହାର ନଥିଲା।  ଯଦିଓ ସେଇ ସମାନ ସମୟରେ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଇ ଏମ ଏସ ନମ୍ବୁଦ୍ରିପାଦଙ୍କ ଭଳି ନେତା କଂଗ୍ରେସ ବାହାରେ ରହି ବେଶ ଚର୍ଚ୍ଚିତ ଓ ନେହେରୁଂକ ସମାଲୋଚକ ଭାବରେ ବେଶ ଜଣା ଶୁଣା, ତଥାପି ଶାସନତନ୍ତ୍ରରେ ଓ ଭୋଟ ରାଜନୀତିରେ ନେହେରୁ ନିର୍ବିକଲ୍ପ ନେତା।  ସେତେବେଳେ କଂଗ୍ରେସ ଭିତରେ ବି କିଛି କମ ବଡ ନେତା ନଥିଲେ, ହେଲେ ପଣ୍ଡିତଜୀଙ୍କ ବରଗଛ  ତଳେ ଆଉ କେହି ଉଧେଇପାରିବାର ସମ୍ଭାବନା ନଥିଲା।  ନେହେରୁଂକ ପରେ ଅଳ୍ପ ସମୟ ଲାଗି ଲାଲ ବାହାଦୁର ଶାସ୍ତ୍ରୀ ନିଜ ସରଳତା ଓ ଦୃଢ଼ତା କାରଣରୁ ନେତୃତ୍ବର  ନୂତନ ପରିଭାଷା ନିର୍ମାଣ କରିବାରେ ସଫଳ ହୋଇଥିଲେ।  ୧୯୪୭ ରୁ ୧୯୮୪ ପର୍ଯନ୍ତ ଦେଶବାସୀ ମାତ୍ର ପାଂଚ ଜଣ ପ୍ରଧାନମତ୍ରୀ ଦେଖିଥିଲେ।  ନେହେରୁ, ଶାସ୍ତ୍ରୀଜୀ,ଇନ୍ଦିରା ଗାନ୍ଧୀ ଓ ମୋରାରଜୀ ଭାଇ ଦେଶାଇ।  ମଝିରେ ଅଳ୍ପ ସମୟ ଲାଗି କାମ ଚଳା ପ୍ରଧାନମତ୍ରୀ ଭାବରେ ଗୁଲାଜାରୀ ଲାଲ ନନ୍ଦା ଦାୟିତ୍ବ ନିର୍ବାହ କରିଥିଲେ।  ନେହେରୁଂକ ବ୍ୟକ୍ତିତ୍ବର ଏକ ଅଦଭୁତ ପ୍ରଭାବ ଭାରତୀୟ ରାଜନୀତି ରେ ରହିଥିଲା।  ଇନ୍ଦିରା ଗାନ୍ଧୀ ନେହେରୁଂକ ପ୍ରଭାବ ରୁ ମୁକ୍ତ ହୋଇ ଏକ ସ୍ବତନ୍ତ୍ର ନେତୃତ୍ବ ପ୍ରତିଷ୍ଠା କରିବାକୁ ଢେର ସମୟ ଲାଗିଥିଲା।  ମୋଟାମୋଟି ପ୍ରଥମ ୪୭ ବର୍ଷ ଭାରତୀୟ ରାଜନୀତିରେ ଆମେ ଯେଉଁ ପ୍ରଧାନମନ୍ତ୍ରୀ ମାନଂକୁ ଦେଖିଥିଲେ ସେମାନେ ନିଜ ନିଜ ମର୍ୟାଦା ଓ ଗରିମା କୁ ପ୍ରତିଷ୍ଠିତ କରିଛନ୍ତି।  କେବଳ ଜରୁରୀ କାଳୀନ ପରିସ୍ଥିତି ସମୟରେ ଇନ୍ଦିରାଙ୍କୁ ଗଣତନ୍ତ୍ର ବିରୋଧୀ ଓ ଏକଛତ୍ରବାଦୀ ଭାବରେ ନିନ୍ଦିତ ହେବାକୁ ପଡିଥିଲା।  ତେବେ ଅଳ୍ପ ସମୟ ଭିତରେ ଇନ୍ଦିରା ନିଜ ପୁରୁଣା ପ୍ରତିଷ୍ଠା ଫେରି ପାଇଥିଲେ ଓ ଅଶୀ ନିର୍ବାଚନରେ ତାଂକ ନେତୃତ୍ବ ପୁଣିଥରେ ଲୋକଂକ ଦ୍ବାରା ସ୍ବୀକୃତି ପାଇଥିଲା।

ପ୍ରଥମ ଚାଳିଶ ବର୍ଷରେ ମାତ୍ର ପାଂଚ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଥିବା ଭାରତୀୟଂକ ତୁଳନା ରେ ସତୁରୀ ଦଶକର ଭାରତରେ ଜନ୍ମିତ ନାଗରିକ ମାନେ ଅନେକ ନୁଆ ରାଜନୈତିକ ନାଟକ ଦେଖିଛନ୍ତି।  ୧୯୮୪ ରୁ ୨୦୧୬, ମାତ୍ର ୩୨ ବର୍ଷରେ ଆମେ ଆଠ ଜଣ ପ୍ରଧାନମନ୍ତ୍ରୀଙ୍କୁ  ଦେଖିଛୁ।  ୧୯୮୪ ରେ ଐତିହାସିକ ଜନମତ ପାଇ ସରକାର ଗଢିଥିବା ରାଜୀବ ଗାନ୍ଧୀ ୧୯୮୯ ରେ ଶୋଚନୀୟ ଭାବେ ପରାସ୍ତ ହେଉଛନ୍ତି।  ତାଂକ ପରେ ମନମୋହନ ସିଂ କୁ ବାଦ ଦେଲେ ଆଉ କୌଣସି ପ୍ରଧାନମନ୍ତ୍ରୀ ଅଧିକ ସମୟ ଶାସନରେ ରହିପାରିବାର ସୁଯୋଗ ପାଇନାହାନ୍ତି। ଅଳ୍ପ ସମୟ ପ୍ରଧାନମନ୍ତ୍ରୀ ପଦବୀ ମଣ୍ଡନ କରିଥିବା ନେତା ମାନଂକ ମଧ୍ୟରେ ଚନ୍ଦ୍ରଶେଖର ଓ ଇନ୍ଦ୍ରକୁମାର ଗୁଜରାଲ ଭାରତୀୟ ରାଜନୀତିରେ ନିଜ ମର୍ୟାଦାବନ୍ତ ଉଚ୍ଚାରଣ ଓ ଆଚରଣ ଲାଗି ବେଶ ପ୍ରସିଦ୍ଧ।  ଦକ୍ଷିଣ ପନ୍ଥୀ ରାଜନୀତିର ପ୍ରଥମ ନେତା ଭାବରେ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପରେ ତାଂକ ଉପରେ ସଂଘ ର ଚାପ ରହିବ ଓ ସେ ଏହାକୁ ଅଣଦେଖା କରିପାରିବେ ନାହିଁ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା , କିନ୍ତୁ ନରମପନ୍ଥୀ  ବାଜପାୟୀ ସବୁ ଚର୍ଚ୍ଚା ଓ ଆଲୋଚନା କୁ ମିଛ  ପ୍ରମାଣିତ କରି ଜଣେ ଗଣତାନ୍ତ୍ରିକ ଓ ଉଦାର ପ୍ରଧାନମନ୍ତ୍ରୀ ଭାବରେ ସବୁ ବର୍ଗର ଲୋକଂକ ଦ୍ବାରା ଗୃହୀତ ହୋଇପାରିଥିଲେ।  ବାଜପୟୀଙ୍କୁ ସେତେବେଳେ ” ଜଣେ ସମର୍ଥ ସଠିକ ରାଜନେତା ଯିଏ ବେଠିକ ଦଳରେ ରହିଛନ୍ତି” ବୋଲି କୁହାଯାଉଥିଲା।  ନେହେରୁଂକ ଠାରୁ ଆରମ୍ଭ କରି ମନମୋହନ   ସିଂଙ୍କ ପର୍ଯନ୍ତ ସବୁ ପ୍ରଧାନମନ୍ତ୍ରୀ ଏ ଦେଶର ସାମ୍ବିଧାନିକ ଦାୟିତ୍ବ ନିଷ୍ଠାର ସହ ତୁଲାଇବା ସହିତ ନିଜ ବ୍ୟକ୍ତିତ୍ବରେ ଉଦାରତା ତଥା ସମସ୍ତଂକୁ ଏକାଠି ସାଂଗରେ ନେଇ ରାଜନୀତି କରିବାର ପ୍ରବଣତା ପ୍ରଦର୍ଶନ କରିଆସିଛନ୍ତି।  ତେଣୁ ପ୍ରଧାନମନ୍ତ୍ରୀ ପଦ ଦଳୀୟ ଭାବନା ର ସଂକୀର୍ଣ୍ଣତାରୁ ଅନେକ ସମୟରେ ମୁକ୍ତ ରହିଛି. ସଂସଦ ଭିତରେ ଓ ବାହାରେ ପ୍ରଧାନମନ୍ତ୍ରୀଙ୍କୁ ଜାତିର ନେତା ଭାବରେ ସମସ୍ତେ ସମ୍ମାନ ଦେଇ ଆସିଛନ୍ତି।

ଏତେ ସବୁ କଥା କହିବାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ପଦ ର ଗରିମା ଓ ଗୌରବ ସମ୍ପର୍କରେ ଏକ ପୃଷ୍ଠଭୂମି ନିର୍ମାଣ କରିବା। ୨୦୧୪ ସାଧାରଣ ନିର୍ବାଚନ ରେ ଯେତେବେଳେ ପ୍ରବଳ କଂଗ୍ରେସ ବିରୋଧୀ ହାୱା ବୋହିଲା ତାର ସିଧାସଳଖ ଲାଭ ଭାରତୀୟ ଜନତା ପାର୍ଟି କୁ ମିଳିଲା।  ପ୍ରାୟ ତିରିଶ ବର୍ଷ ପରେ ଦେଶର ଜନସାଧାରଣ ଗୋଟିଏ ଦଳକୁ ପୂର୍ଣ ବହୁମତ ଦେଇ ସରକାର ଗଢିବାର ସୁଯୋଗ ପ୍ରଦାନ କଲେ।  ୨୦୦୨ ମସିହାରେ ଗୁଜରାଟ ଦଂଗା ପାଇଁ ନିନ୍ଦିତ ଓ ଜାତୀୟ ରାଜନୀତିରେ ସେଯାଏ ଅସ୍ପୃଶ୍ୟ ରହିଆସିଥିବା ନରେନ୍ଦ୍ର ମୋଦୀ ୨୦୧୪ ବେଳକୁ ମହାନାୟକ ଭାବରେ ଜାତୀୟ ରାଜନୀତିରେ ନିଜର ପତିଆରା ପ୍ରମାଣିତ କଲେ।  ଯେଉଁମାନେ ନରେନ୍ଦ୍ର ମୋଦୀଙ୍କ ରାଜନୀତିର ସମୀକ୍ଷକ ସେମାନେ ଭଲ ଭାବରେ ଜାଣନ୍ତି ଯେ ମୋଦୀ ମୂଳତଃ ସଂଘର ଅନୁଗତ ପ୍ରଚାରକ ଓ ତାଂକ ବ୍ୟକ୍ତିତ୍ବରେ ବାଜପାୟୀଙ୍କ ନରମ ଓ ଉଦାର ପ୍ରକୃତି ନାହିଁ।  ଆଜି ପର୍ଯନ୍ତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀ ସକାରାତ୍ମକ ରାଜନୈତିକ ଚିନ୍ତନ ରୁ ଅସିଥିବା ବେଳେ ନରେନ୍ଦ୍ର ଭାଇ ଏକ ନକାରାତ୍ମକ, ଆକ୍ରମକ ତଥା  ଅନୁଦାର ଚିନ୍ତନରୁ ରାଜନୀତିକୁ ଆସିଛନ୍ତି।  ତେଣୁ ତାଂକ ରାଜନୀତି ରୁ ଅଲଗା ପ୍ରକାର ଆକ୍ରମକତା ଦେଖିବାକୁ ମିଳିବ ବୋଲି ସମସ୍ତଂକ ମନରେ ଏକ ପ୍ରକାର ପ୍ରସ୍ତୁତି ରହିଥିଲା। ହେଲେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ପ୍ରଥମ ଦିନ ହଠାତ ଅନ୍ୟ ଜଣେ ମୋଦୀ ଆମକୁ ଟିକେ ହତଚକିତ କରିଦେଲେ।  ନିଜ ଶପଥ ଗ୍ରହଣ ଉତ୍ସବ କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ  ନିମନ୍ତ୍ରଣ କରି ସେ ବୋଧେ ଏକ ବାର୍ତା ଦେବାକୁ ଚାହିଁଥିଲେ ଯେ , ତାଂକ ଚରମପନ୍ଥୀ ବ୍ୟକ୍ତିତ୍ବ କଥା ସତ ନୁହଁ।  ଅଳ୍ପ ସମୟ ପାଇଁ ହେଉ ପଛେ ମୋଦୀ ନିଜକୁ ଜଣେ ଉଦାରବାଦୀ ରାଜନେତା ଭାବେ ଦେଖେଇବାର ପ୍ରୟାସ ରେ ସଫଳ ହୋଇଥିଲେ।  ପରବର୍ତ୍ତୀ  ଦିନ ଗୁଡିକରେ ଦୃଶ୍ୟପଟ କିନ୍ତୁ ବଦଳିଗଲା. ପ୍ରଧାନମନ୍ତ୍ରୀ ଭାବେ ଗତ ସତୁରୀ ବର୍ଷ ଧରି ଯେଉଁ ଅନୁଷ୍ଠାନ ଓ ପରମ୍ପରା ରହିଥିଲା ତାକୁ ଅନେକ ପ୍ରକାରେ ମୋଦୀ ଭାଂଗିବା ଆରମ୍ଭ କଲେ।  ଅବଶ୍ୟ ଭାଂଗିବା ସହିତ ନୁଆ ଗଢା ହେବାର ସମ୍ପର୍କ ରହିଛି।  ତେଣୁ ମୋଦୀ ଯାହା ଭାଙ୍ଗୁଛନ୍ତି ସେଥିରୁ ନୁଆ କିଛି ଜନ୍ମ ନେଇପାରେ ବୋଲି ଅନେକେ ଭାବୁଥିଲେ।  ଆଜି ପ୍ରଧାନମନ୍ତ୍ରୀ ଆସନରେ ପାଞ୍ଚ  ବର୍ଷ ପୂରଣ କରିବାକୁ ଯାଉଥିବା ଥିବା ମୋଦୀଙ୍କ କାର୍ୟକାଳର ନିରପେକ୍ଷ ଆକଳନ କରିବାର ସମୟ ଆସି ଯାଇଛି. ପ୍ରଧାନମନ୍ତ୍ରୀ ଭାବରେ ସେ ଏହି ସାମ୍ବିଧାନିକ ପଦ କୁ କେତେ ମର୍ୟାଦା ର ସହ ନିଭାଇଛନ୍ତି ଓ ତାଂକ ଉପସ୍ଥିତି ପ୍ରଧାନମନ୍ତ୍ରୀ ଅନୁଷ୍ଠାନ କୁ କେତେ ଅଧିକ ଗୌରବ ମଣ୍ଡିତ କରିଛି , ତାର ଆକଳନ ମଧ୍ୟ ଆଜି ଜରୁରୀ।

ସତୁରୀ ବର୍ଷର ଗଣତନ୍ତ୍ର ଓ ପାଞ୍ଚ ବର୍ଷର ମୋଦୀତନ୍ତ୍ର କୁ ଅଲଗା କରି ଦେଖିବା ହୁଏତ ଟିକେ ଅବାନ୍ତର ମନେ ହୋଇପାରେ ।  ତେବେ, ଏହି ଅବାନ୍ତର ପ୍ରସଂଗ ଭିତରେ କିଛିଟା ବାସ୍ତବତା ନିହାତି ରହିଛି।  ମୋଦିଂକ ରାଜନୀତିରେ ଯେଉଁ ଆକ୍ରାମକ ପ୍ରଚାରକଟି ରହିଥିଲା ସେ ହଠାତ ବିଶ୍ବ ରାଜନୀତିରେ ମହାନ ନାୟକ ହେବା ଲାଗି ଯୋଜନା ପ୍ରସ୍ତୁତ କଲା ଓ  ସେଇ ଯୋଜନା ର ଅଂଶ ଭାବରେ ମୋଦୀ ପ୍ରଥମ ତିନି ବର୍ଷ ପ୍ରୁଥିବୀ ପରିଭ୍ରମଣରେ ବାହାରିଲେ। ଏହି ସମୟ ରେ ଦେଶ ତୁଳନାରେ ବିଦେଶ ମୋଦିଂକ ଲାଗି ପ୍ରାଥମିକତା ପାଲଟିଗଲା।  ହିନ୍ଦୀ ରେ ଆମେରିକା ରେ ଓଜସ୍ଵୀ ଭାଷଣ ଦେଇ ପ୍ରବାସୀ ଭାରତୀୟଂକୁ ପ୍ରଭାବିତ କରିବା ଓ ନିଜସ୍ବ ମୌଳିକ କୂଟନୀତି ମାଧ୍ୟମରେ ବିଶ୍ବ ରାଜନୀତିକୁ ଦିଗଦର୍ଶନ ଦେବା ଦୁଇଟି ଅଲଗା କଥା, ତାହା ମୋଦିଂକ ଉପଦେଷ୍ଟା ମାନେ ଆକଳନ କରିପାରିନଥିଲେ।  ସେମାନେ ଭାବିଲେ, ନେହେରୁଂକୁ ଖର୍ବ କରି ଦେଖେଇଲେ ମୋଦୀ ବିରାଟ ହୋଇ ଦିଶିବେ।  ସେଥିଲାଗି ଦେଶରେ ନେହେରୁଂକ ବିରୋଧରେ ଏକ ଅପପ୍ରଚାରର ବାତାବରଣ ସୃଷ୍ଟି କରାଗଲା। . ନେହେରୁଂକ ପ୍ରତି ସେ ସମୟର ବିଶ୍ବ ନେତୃତ୍ବର ଯେଉଁ ଆସ୍ଥା ଥିଲା,ତାହା କେବଳ ପ୍ରଚାର ସର୍ବସ୍ବ ଧାରଣାରୁ ଜନ୍ମ  ନେଇନଥିଲା।  ନେହେରୁ ଥିଲେ ବିଶ୍ବ ଯୁଦ୍ଧ ପରବର୍ତ୍ତୀ ପୃଥିବୀ ରେ ତୃତୀୟ ବିଶ୍ବର ପ୍ରଚଣ୍ଡ ପ୍ରବକ୍ତା।  ତେଣୁ ନେହେରୁଙ୍କ  ନେତୃତ୍ବର ପ୍ରଭାବ କେନେଡିଂକ ଉପରେ ଯେତିକି ପଡୁଥିଲା, ସେତିକି ପତିଆରା ଷ୍ଟାଲିନଙ୍କ ଉପରେ ମଧ୍ୟ ଥିଲା। ମୋଦିଂକ ପାଖରେ ନେହେରୁଂକ ବ୍ୟକ୍ତିତ୍ବ ନାହିଁ, କିନ୍ତୁ ନେହେରୁଂକ ସ୍ଥାନ ହାସଲ କରିବାର ଏକ ପ୍ରଚଣ୍ଡ ଲାଳସା ରହିଛି।  ତେଣୁ ତାଂକର ବିଦେଶ ନୀତିରେ ଅଧିକ ବ୍ୟାକୁଳତା ରହିଛି।  ଏକ ବ୍ୟାକୁଳ ବିଦେଶ ନୀତି ଗଭୀର କୂଟନୈତିକ ପ୍ରଭାବ ପକେଇପାରିବ ନାହିଁ।  ଗତ ପାଞ୍ଚ  ବର୍ଷ ଭିତରେ ମୋଦିଂକ ବିଦେଶ ନୀତି କେବଳ ପ୍ରଚାର ସର୍ବସ୍ବ କୋଳାହଳ ର ରୂପ ନେଇଛି।

ତେଣୁ ମୋଦୀ, କେବଳ ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ଅନୁଷ୍ଠାନକୁ ଗୌରବ ଦେବାରେ ନିର୍ଘାତ ଭାବରେ ବିଫଳ ହୋଇଛନ୍ତି। ,

 

Categories
ବିଶେଷ ଖବର ମତାମତ

ଅର୍ଥ ଅନର୍ଥ-୦୧, କର୍ମ ନିଯୁକ୍ତିର ଏକ ହ୍ୟାଣ୍ଡବିଲ୍

ଜ୍ୟୋତି ନନ୍ଦ

ପ୍ରଥମମରୁ କହିଦେବା ଉଚିତ ହେବ ଯେ ଏହି ଆଇଡିଆଟି ଆଦୌ ମୌଳିକ ନୁହଁ।

ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ ଙ୍କର ପ୍ରିୟତମ  “ପକୁଡି ପ୍ରସ୍ତୁତି” ଭଳି ଉଚ୍ଚ ପ୍ରଯୁକ୍ତି ସଂପନ୍ନ କର୍ମନିଯୁକ୍ତିର  ଉଚ୍ଚ ବିଚାର ସହ ନିମ୍ନସ୍ଥ ଆଇଡିଆ ଟି ସମକକ୍ଷ ହୋଇପାରିବ ବୋଲି ବିଶ୍ୱାସ ରଖୁଛି।

ଅବଶ୍ୟ ଆମେ ଅନାଗତ ସଂତାନର ନାଆଁ ଗୋପାଳ ରଖିବା ଭଳି ଅନାଗତ କର୍ମନିଯୁକ୍ତି ରେ ଶତକଡା ଦଶ ଆରକ୍ଷଣ ରଖିପାରିବାର ବ୍ୟବସ୍ଥା କରିପାରୁ ।ଆଉ ଏହି ଅନାଗତଟି କେମିତି ସମସ୍ତ ଆଗତ(ଗତ ସତୁରୀ ବର୍ଷର ଯେତେବେଳେ ଆଗତ ଅଛି) ଠାରୁ ଶ୍ରେଷ୍ଠ ସେହିକଥା ଭାରତବର୍ଷରେ କେବଳ ଜଣେ କହିପାରନ୍ତି।ଆମର ପ୍ରଧାନ ସେବକ ପୋଷାକପ୍ରିୟ ହେଲେ ସେହେଉଛନ୍ତି ଏକମାତ୍ର ତର୍କପ୍ରିୟ ଭାରତୀୟ।ସେ ଅର୍ଥାତ୍ ଆମର ମାନନୀୟ ଅର୍ଥମନ୍ତ୍ରୀ।ସେ ଯେକୌଣସି ଅନର୍ଥକୁ ଅର୍ଥଯୁକ୍ତ କରିପାରନ୍ତି।

କହିବା କଥା ହେଉଛି ଉଣେଇଶର  ନିର୍ବାଚନ ଯାଏଁ ଆପଣମାନେ  ଯଥାକ୍ରମେ ଏହି ପୋଷାକ ଆଉ ତର୍କ ପ୍ରିୟ ଦୁଇଜଣଙ୍କର ମୁଖ ନିଃସୃତ ଅନାଗତ ମାନଙ୍କ ଆଗତ ର ଅନେକ ଉଚ୍ଚକୋଟିର ଉପସ୍ଥାପନା ଶୁଣିପାରିବେ।

ତାହାପୂର୍ବରୁ ଏହି ଆଗତଟି ଆପଣମାନଙ୍କ ପାଇଁ।

ଏହି ନିମ୍ନସ୍ଥ ନିଶ୍ଚିତ କର୍ମନିଯୁକ୍ତି ର ସଫଳତା କାମନା ସହ ଏହି ଆଇଡିଆ ର ସୃଷ୍ଟିକର୍ତ୍ତା,ପ୍ରସାରକର୍ତ୍ତାଙ୍କୁ ଉପସ୍ଥିତ ଅପହରଣକର୍ତ୍ତାର  ଯଥାମାନ୍ୟ।ଅପହରଣକାରୀ ବୋଲି କହିବାର କାରଣ ଏହି ପ୍ରକଳ୍ପଟି ଉପସ୍ଥିତ ଲେଖକ ତାହାର ହ୍ୱାଟସ୍ ଅପ୍ ରୂପକ ଶକ୍ତିଶାଳୀ ଏବଂ ସଂପ୍ରତି ମହାନ ବିଶ୍ୱକୋଷରୁ ପ୍ରାପ୍ତ ହୋଇ ଅଛି।

ଆଉ ଅଧିକ ଭୂମିକା ପ୍ରଦାନ ନକରି ସିଧା ସଳଖ ଏହି ନିଶ୍ଚିତ କର୍ମ ନିଯୁକ୍ତି ର ଖସଡା ଭିତରକୁ ଯିବା।ଆପଣମାନେ ଏହି ଖସଡାଟିକୁ ଗୋଟିଏ ହାଣ୍ଡବିଲ୍ ରୁ ସହଜରେ ବୁଝିଯିବେ।ଆପଣମାନେ ଚାହିଁଲେ ଏହି ହାଣ୍ଡବିଲ୍ କୁ ବ୍ୟବହାର କରିପାରନ୍ତି।

ହାଣ୍ଡବିଲ୍ ର ହେଡିଙ୍ଗ୍ କୁ ଆପଣମାନେ ୨୦ ଫଣ୍ଟ୍ ରେ ଲେଖିପାରନ୍ତି।ତାହା ହେଉଛି:

ଯଦି ଆପଣ କୌଣସି ନେତା,ମନ୍ତ୍ରୀ ବା ସରକାରଙ୍କ କୁଶପୁତ୍ତଳିକା ଦାହ କରିବାକୁ ଚାହୁଁଛନ୍ତି ତେବେ ଆମ୍ଭର ସେବା ଗ୍ରହଣ କରିବାକୁ ବିନମ୍ର ଅନୁରୋଧ।

ତାହାପରେ ପାଠ ୧୮ଫଣ୍ଟ୍ ରେ ହେଲେ ଚଳିବ।ହାଣ୍ଡବିଲ୍ ର ପୂରା ପାଠ ଏହିଭଳି:

ଆମ୍ଭର ଏଠାରେ ଅଭାବୀଚାଷୀ ଯିଏ ଆତ୍ମହତ୍ୟା କରିଛି ତାହାର କ୍ଷେତର ନଡା ତଥା ରୁଗ୍ଣ ତନ୍ତୁବାୟ ସମିତିର ବିକ୍ରୀ ହୋଇପାରୁନଥିବା ଖଦଡରେ ପ୍ରସ୍ତୁତ ବିଶୁଦ୍ଧ କୁଶପୁତ୍ତଳିକା ପୂର୍ଣ୍ଣ ନିର୍ମାଣ ଅବସ୍ଥାରେ ଉପଲବ୍ଧ।ଅବ୍ୟବହୃତ ଜୋତା ତଥା ଚପଲ ଏବଂ ସତେଜ ପଦ୍ମଫୁଲର  ମାଳା ସଂପୃକ୍ତ କୁଶପୁତ୍ତଳିକା ସହିତ ସଂପୂର୍ଣ୍ଣ ଫ୍ରି।ଏହା ସହିତ ଆମ୍ଭର ସଂସ୍ଥାରୁ କୁଶପୁତ୍ତଳିକା ସହିତ ଭିନ୍ନ ଭିନ୍ନ ରଂଗର ଟୋପି ଆପଣମାନେ ଆପଣଙ୍କ ଇଚ୍ଛାନୁସାରେ ପାଇ ପାରିବେ।ସେଥିପାଇଁ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ।ଯେହେତୁ ଆମର ଷ୍ଟକ୍ ରେ ଯଥେଷ୍ଟ ଗେରୁଆ ରଂଗର ଟୋପି ମହଜୁଦ ଅଛି ତେଣୁ କ୍ଲିଅରାନ୍ସ ସେଲ୍ ହିସାବରେ ସେଥିରେ ଶତକଡା ପଚାଶ ରିହାତି ଦିଆଯିବ।ଆମ୍ଭର ସଂସ୍ଥା ଆପଣମାନେ ନେଇଥିବା କୁଶପୁତ୍ତଳିକାଟି ଯେପରି ବିନାବାଧାରେ ଆଉ ଅତି  ସହଜରେ ଦାହ କରାଯାଇପାରେ ସେଥିପାଇଁ ଆବଶ୍ୟକ କିରୋସିନି ତେଲକୁ ଆମ୍ଭେ କଂଟ୍ରୋଲ୍ ମୂଲ୍ୟରେ ଯୋଗାଇଦେଇ ପାରିବୁ।ଏହା ସହିତ ଆପଣମାନଙ୍କର ସୁବିଧାକୁ ଆଖିଆଗରେ ରଖି ଆମ୍ଭେ ଆମ୍ଭର ସଂସ୍ଥା ତରଫରୁ ସ୍ୱଖର୍ଚ୍ଚରେ ଆପଣଙ୍କ ପସନ୍ଦର କୁଶପୁତ୍ତଳିକାକୁ ଆପଣ ଯେଉଁ ସ୍ଥାନରେ ଉକ୍ତ କୁଶପୁତ୍ତଳିକାକୁ ଦହନ କରିବାକୁ ଚାହୁଁଛନ୍ତି ସେହି ସ୍ଥାନକୁ ସରବରାହ କରିବୁ।ମାତ୍ର କୁଶପୁତ୍ତଳିକା ରେ ଯେଉଁ ନାଆଁ ଲେଖାଯିବ ତଥା ଆବଶ୍ୟକ ପୋଷ୍ଟର ଆଦି ବ୍ୟବହାର କରାଯିବ ସେଥି ପାଇଁ ଆମର ସଂସ୍ଥାର ଆର୍ଟିଷ୍ଟ ଙ୍କ ସେବା ଗ୍ରହଣ କରିବା ବାଧ୍ୟତାମୂଳକ।ସେଥିପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ଯାହା ଆମର ପ୍ରଚଳିତ ବଜାରମୂଲ୍ୟ ଠାରୁ ଯଥେଷ୍ଟ ସୁଲଭ।

ଏ ସଂକ୍ରାନ୍ତରେ ସମସ୍ତ ଦେୟ ପେଟିଏମ୍ ମାଧ୍ୟମରେ ଦେବାକୁ ଅନୁରୋଧ।

ଏହା ସହିତ ଆମ୍ଭର ସଂସ୍ଥା ଅନ୍ୟ କେତୋଟି ଅତିରିକ୍ତ ବ୍ୟବସ୍ଥା ର ପ୍ରବଂଧନ କରିଅଛି ଯାହା ପାଇଁ ସମସ୍ତ ଦେୟ ଅତିରିକ୍ତ।

୧•କୁଶପୁତ୍ତଳିକା ଦାହ ସମୟରେ ଭୀଡ ପାଇଁ ଲୋକ ଯୋଗାଣ

୨•ଆତ୍ମାହୁତିରୁ ସୁରକ୍ଷିତ ହୋଇ ଖସି ଆସିବା ନିମନ୍ତେ ସ୍ଵତନ୍ତ୍ର ପ୍ରଶିକ୍ଷିତ ଷ୍ଟଣ୍ଟମ୍ୟାନ ଙ୍କ ଦ୍ଵାରା ପ୍ରଶିକ୍ଷଣ।

ଏହାପରେ ହାଣ୍ଡବିଲ୍ ଶେଷରେ ଆପଣ କୌଣସି ରାଜନେତା ବା ଅଭିନେତାଙ୍କ ନାଆଁରେ ଅମୁକ ସର୍ଭିସ୍ ସେଣ୍ଟର ବୋଲି ଲେଖିପାରନ୍ତି।ଦୟାକରି କୌଣସି ପରମାର୍ଥିକ ନାଆଁ ଦେବେନାହିଁ।

ଶେଷରେ ଆମ ଗବେଷଣାରୁ ଜଣାଯାଇଛି ଯେ ପ୍ରାୟତଃ ନିର୍ବାଚନ ଯେତିକି ପାଖହୋଇ ଆସୁଥାଏ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ସେତେ ଅଧିକ ହୋଇଥାଏ।ତେଣୁ ଆପଣଙ୍କ ବେପାର ମାନ୍ଦା ହେବାର ସଂଭାବନା ନାହିଁ କହିଲେ ଚଳିବ।

Categories
ବିଶେଷ ଖବର

ମୋଦୀଙ୍କ ସବୁଜ ପତାକା କାହା ପାଇଁ, ପେସେଞ୍ଜର ଟ୍ରେନ ନା ନବୀନ ପଟ୍ଟନାୟକଙ୍କ ପାଇଁ ??

କେଦାର ମିଶ୍ର

ନରେନ୍ଦ୍ର ମୋଦୀ ବୋଧହୁଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଶହେ ମିଟରର ବ୍ରିଜ ହେଉ ବା ପେସେଞ୍ଜର ଟ୍ରେନ, କିଛି ବି ଉଦଘାଟନ କରିବା ଲାଗି ସବୁ ମୂହୁର୍ତ୍ତରେ ସେ ପ୍ରସ୍ତୁତ। ଏପରିକି ଗୋଟେ ପେସେଞ୍ଜର ଟ୍ରେନର ଲୋକାର୍ପଣକୁ ମଧ୍ୟ ସେ ତାଙ୍କ ସରକାରର କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିପାରନ୍ତି। ଗତ କାଲି ବାରିପଦାରେ ସେୟା ହେଲା ମଧ୍ୟ। ଗୋଟେ ସମାନ ପ୍ରକଳ୍ପକୁ ବିଭିନ୍ନ ସ୍ତରରେ ଶୁଭ ଦେବା, ଭୂମିପୂଜନ କରିବା ଭଳି କାମ କେବଳ ମୋଦୀ ସରକାରରେ ହିଁ ସମ୍ଭବ। ସେଦିନ ଜାମସେଦପୁରରୁ ବାଦାମପାହାଡ ପାସେଞ୍ଜର ଟ୍ରେନର ଶୁଭ ଉଦଘାଟନ ପ୍ରଧାନମନ୍ତ୍ରୀ କଲେ।  ଟ୍ରେନ ଜାମସେଦପୁରରେ ଆଉ ପ୍ରଧାନମନ୍ତ୍ରୀ ବାରିପଦାରେ। ବାରିପଦାରେ ସବୁଜ ପତାକା ହଲେଇ ପ୍ରଧାନମନ୍ତ୍ରୀ ଆତ୍ମତୃପ୍ତି ପାଇଥିବେ ନିଶ୍ଚୟ। କିନ୍ତୁ ସେ ସବୁଜ ପତାକା ଟ୍ରେନ ପାଇଁ ନା ଆଉ କାହା ପାଇଁ, ସେ ପ୍ରଶ୍ନ ଏବେ ଓଡିଶା ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ମୋଦୀ ଗତ ଡିସେମ୍ବର ୨୪ ତାରିଖ ଦିନ ଖୁର୍ଦ୍ଧା ସଭାରେ ଯାହା କହିଥିଲେ, ବାରିପଦା ସଭାରେ ମଧ୍ୟ ଆପାତତଃ ସେୟା କହିବେ ବୋଲି ଆମେ ଭବିଷ୍ୟବାଣୀ କରିଥିଲୁ। ଏବେ ସେୟା ହିଁ ହୋଇଛି। ଖୁର୍ଦ୍ଧା ତୁଳନାରେ ବାରିପଦା ସଭାରେ ଓଡିଶା ସରକାରଙ୍କ ପ୍ରତି ମୋଦୀଙ୍କ ଆଭିମୁଖ୍ୟ ଅଧିକ ନରମ ଥିଲା। କଂଗ୍ରେସ ପ୍ରତି ଅତ୍ୟନ୍ତ କଡା (ପ୍ରଧାନମନ୍ତ୍ରୀ ଭାବରେ ଏକପ୍ରକାର ଅଶୋଭନୀୟ) ଭାଷା ପ୍ରୟୋଗ କରିଥିବା ମୋଦୀ ନବୀନ ପଟ୍ଟନାୟକଙ୍କ ନାଁ ମଧ୍ୟ ଉଚ୍ଚାରଣ କରିନଥିଲେ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ, ନବୀନ ଏବେ ମୋଦୀଙ୍କ ଭବିଷ୍ୟତ ପାଇଁ ସବୁଠୁ ବଡ ଆବଶ୍ୟକତା ପାଲଟିଛନ୍ତି।

କଂଗ୍ରେସର ରାଫାଲେ ଆକ୍ରମଣ ଯୋଗୁଁ ମୋଦୀ ଯେ ବିଚଳିତ ହୋଇ ପଡିଛନ୍ତି, ତାହାର ଝଲକ ବାରିପଦା ସଭାରେ ଗତ କାଲି ଦେଖିବାକୁ ମିଳିଥିଲା। କଂଗ୍ରେସକୁ ଆକ୍ରମଣ କରିବାରେ ହୁଏତ କିଛି ଅସୁବିଧା ନାହିଁ, କିନ୍ତୁ ଏହି ଆକ୍ରମଣ ଯେ ଆତ୍ମରକ୍ଷାର ବାଟ, ସେକଥା ମୋଦୀଙ୍କ ଭାଷଣରୁ ବାରି ହୋଇ ପଡୁଥିଲା। ମହିଳା ଶକ୍ତିକୁ ପ୍ରଶଂସା କରିବାକୁ ଯାଇ ଗୋଟେ ସାଧାରଣ ସଭାରେ ନିର୍ମଲା ସୀତାରମଣଙ୍କୁ ପ୍ରଶଂସା କରିବା ମୋଦୀଙ୍କ ଅସହାୟତାକୁ ଧାରା ପକେଇ ଦେଇଛି। ଆଜି ପର୍ୟନ୍ତ ସବୁ କଥାରେ ”ମୁଁ, ମୋର ଓ ମୋଦୀର” ବୋଲି କହୁଥିବା ନରେନ୍ଦ୍ର ମୋଦୀ ହଠାତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଶଂସା କରିବା ପଛରେ ସେ ଭୟ ହିଁ କାମ କରୁଛି।

ତେବେ ସବୁଠୁ ବଡ କଥା ହେଲା, ରାଜ୍ୟ ସରକାର ବିରୋଧରେ ଚୁପ ରହିବା ପାଇଁ ମୋଦୀ ବାଧ୍ୟ ହୋଇଛନ୍ତି କି? ୨୦୧୯ ନିର୍ବାଚନରେ ସହଯୋଗୀ ଖୋଜିବାର ଉଦ୍ୟମର ଏହା ଅଂଶ ବିଶେଷ ମାତ୍ର। ଏବେ ମୋଦୀ ନବୀନଙ୍କୁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ଏହାପରେ ଓଡିଶା ବିଜେପିର ଆକ୍ରମଣ ଫସର ଫାଟିବା ଅବସ୍ଥାକୁ ଆସିଯାଇଛି। ବିଜେପି ଓ ବିଜେଡି ଭିତରେ ଭିତିରି ବୁଝାମଣା ର ଚର୍ଚ୍ଚା ବିଜେପିକୁ ବଡ ଅକଳିଆ ଅବସ୍ଥାରେ ପକାଇଛି। ପୂର୍ବୋଦୟ ବାହାନାରେ ବିଜେପି ଏବେ ତେଲେଙ୍ଗାନା, ଓଡିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କର ଶରଣାପନ୍ନ ହୋଇଛି। ୨୦୧୯ ନିର୍ବାଚନରେ ନବୀନଙ୍କୁ କୌଣସି ପ୍ରକାରେ ହାତଛଡା କରିବାକୁ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚାହୁଁନାହିଁ।

ତେଣୁ ଆଜି ମୋଦୀ ନବୀନଙ୍କୁ ବନ୍ଧୁତ୍ଵର ସବୁଜ ପତାକା ପ୍ରଦର୍ଶନ କରି ଫେରି ଯାଇଛନ୍ତି ବୋଲି କହିବାରେ କୌଣସି ଅସୁବିଧା ନାହିଁ।

Categories
ବିଶେଷ ଖବର

ସାକ୍ଷାତକାର ବି କେବଳ ଭକ୍ତ ସାମ୍ବାଦିକଙ୍କ ସହ, ସେଥିରେ ଗଣତନ୍ତ୍ର ସୁଦୃଢ ହେବ କେମିତି ଶ୍ରୀମାନ ପ୍ରଧାନମନ୍ତ୍ରୀଜୀ??

କେଦାର ମିଶ୍ର

ନୂଆ ବର୍ଷ ସନ୍ଧ୍ୟାରେ ଖବର ସରବରାହ ସଂସ୍ଥା ଏଏନଆଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତକାର ପ୍ରଚାର କରିବା ବୋଲି ସୂଚନା ଦେଲା, ସେତେବେଳେ ଏକଥା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ସାକ୍ଷାତକାର ପୁଣି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ହେବାକୁ ଯାଉଛି। କାରଣ ଅତ୍ୟନ୍ତ ସ୍ପଷ୍ଟ। ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶ ପ୍ରଧାନମନ୍ତ୍ରୀଙ୍କର ଜଣେ ପୁରୁଣା ସ୍ତାବକ ଓ ସେ କୌଣସି ପ୍ରକାର କଡା ପ୍ରଶ୍ନ ପଚାରିବାକୁ ସମର୍ଥ ହେବେନାହିଁ ବୋଲି ସମସ୍ତଙ୍କୁ ଜଣାଥିଲା। ତଥାପି ପ୍ରଧାନମନ୍ତ୍ରୀ ଭାବରେ ମୋଦୀଙ୍କ ନୂଆବର୍ଷ ସାକ୍ଷାତକାରକୁ ଆମେ ଅପେକ୍ଷା କଲୁ ଓ ୯୫ ମିନିଟ ବ୍ୟାପୀ ତାକୁ ଶୁଣିଲୁ ମଧ୍ୟ। ପ୍ରଧାନମନ୍ତ୍ରୀ ଭାବରେ ପାଞ୍ଚ ବର୍ଷ ପୂରଣ କରିବାକୁ ଯାଉଥିବା ଜଣେ ତୁଙ୍ଗ ନେତା ଆଜି ମଧ୍ୟ ଅନ୍ୟକୁ ଗାଳି ଦେଇ ନିଜର ସିଂହାସନ ବଞ୍ଚାଇବାକୁ ଚାହୁଁଛନ୍ତି। କଂଗ୍ରେସ ଓ ବିରୋଧୀ ରାଜନୀତିକୁ ଗାଳି ଦେଇ ପ୍ରଧାନମନ୍ତ୍ରୀ ଯେ ୨୦୧୯ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଆପାତତଃ ପ୍ରଧାନମନ୍ତ୍ରୀଙ୍କ କଥାରେ କୌଣସି ନୂଆ କଥା ନଥିଲା। ସେ ନିଜ ଭାଷଣର ପୁନରାବୃତ୍ତି ହିଁ କରିଥିଲେ। ଆତ୍ମା ପ୍ରଶସ୍ତି ଓ ବିରୋଧୀ ନିନ୍ଦା ଛଡା ଏ ଭାଷଣରେ ଅଧିକ କିଛି ଥିଲା ଭଳି ମାନେ ହେଲାନାହିଁ। ପ୍ରଧାନମନ୍ତ୍ରୀ କୃଷି ଋଣ ଛାଡକୁ ବିରୋଧ କରିଛନ୍ତି। କାହିଁକି, ସେକଥା ବୁଝା ପଡୁନାହିଁ। ନିଜେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବୁଲି ବୁଲି କୃଷି ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ସାକ୍ଷାତକାର କରୁଥିବା ସାମ୍ବାଦିକ ଜଣକ ଏ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ପଚାରିବା ଉଚିତ ହୋଇଥାନ୍ତା। ତେବେ କ୍ଷମତାରେ ବଡ ମୁଣ୍ଡଙ୍କୁ ପ୍ରଶ୍ନ ପଚାରିବାକୁ କଲିଜା ଥିବା ଦରକାର। ସେ କଲିଜା ଏଏନଆଇର ଯେ ନାହିଁ, ଏକଥା ବୁଝା ପଡୁଛି।

ନିଜକୁ ପୀଡିତ ଭାବରେ ଉପସ୍ଥାପିତ କରିବାକୁ ପ୍ରଧାନମନ୍ତ୍ରୀ ଭଲ ପାଆନ୍ତି। ତାଙ୍କୁ ଲାଗେ, ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି, ଅଥଚ, ତାଙ୍କ ନିଜ ରାଜନୀତି ହେଉଛି ଗାଳି ଓ ଘୃଣାର ରାଜନୀତି। ଆଜିର ସାକ୍ଷାତକାରରେ କଂଗ୍ରେସ ପ୍ରତି ପୁଣି ଥରେ ଗୁଡାଏ ବିଷ ଉଦଗାର ହୋଇଛି। ୨୦୧୪ ନିର୍ବାଚନରେ କଂଗ୍ରେସ କୁ ଆଲୋଚନା କରିବାର କିଛି କାରଣ ଥିଲା। ହେଲେ ଆଜି ବି କଂଗ୍ରେସ ବିରୋଧରେ ଖୋଦ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର ଅର୍ଥ ହେଉଛି, ମୋଦୀ ଏବେ କଂଗ୍ରେସକୁ ଡରିବା ଆରମ୍ଭ କରିଛନ୍ତି।

ମୋଦୀ ତେଲେଙ୍ଗାନାରେ ମେଣ୍ଟ ବିଫଳ ହୋଇଛି ବୋଲି କହିଛନ୍ତି। ତେଲେଙ୍ଗାନାରେ କେଉଁ ମେଣ୍ଟ ଓ କାହା ମେଣ୍ଟ କଥା ସେ କହୁଛନ୍ତି? ତେଲୁଗୁ ଦେଶମ ଓ କଂଗ୍ରେସର ମେଣ୍ଟ ବିରୋଧରେ ତେଲେଙ୍ଗାନା ରାଷ୍ଟ୍ର ସମିତି ଜିତିଲା। ବିଜେପି ସେଠି ମାତ୍ର ଗୋଟିଏ ଆସନ ପାଇଲା। ଚନ୍ଦ୍ରଶେଖର ରାଓଙ୍କ ସଫଳତା ବିଜେପିର ସଫଳତା ବୋଲି ମୋଦୀ କହିବାର ମାନେ କଣ? ପରୋକ୍ଷରେ ୨୦୧୯ ପାଇଁ ଏହା ଟିଆରଏସ, ବିଜେଡି ଓ ଟିଏମସି କୁ ଖୋଲା ଆମନ୍ତ୍ରଣ ନୁହେଁ ତ?

ପ୍ରଧାନମନ୍ତ୍ରୀ ନିଜେ ଏ ସାକ୍ଷାତକାର ପ୍ରସଙ୍ଗରେ ୪୦ ଟି ଟୁଇଟ କରିଛନ୍ତି। ୪୦ ଟୁଇଟ ରୁ ମାତ୍ର ଦୁଇଟି ଟୁଇଟ ରେ ସେ ନିଜ ସରକାରର ସଫଳତା କଥା କହିଛନ୍ତି। କଣ ସେ ସଫଳତା, ଦେଖାଯାଉ। ମୁଦ୍ରାସ୍ଫୀତି ସବୁଠୁ କମ। ଦେଶରେ ନୂଆ କିଛି ଆଇଆଇଟି ଓ ଆଇଆଇଏମ ଖୋଲା ହୋଇଛି। ଉତ୍ତମ ଓ ସହଜ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆ ଯାଇଛି ଏବଂ ଉଡାଜାହାଜରେ ଉଡିବା ଶସ୍ତା ହୋଇଛି। ବିକାଶ କହିଲେ ଏତିକି ମାତ୍ର! ମୁଦ୍ରାସ୍ଫୀତି କମ ରହିଛି ହେଲେ, ଦରଦାମ କମୁନାହିଁ, ଏହାର କାରଣ କେବଳ ପ୍ରଧାନମନ୍ତ୍ରୀଙ୍କୁ ଜଣା! ଆଇଆଇଟି ଓ ଆଇଆଇଏମ ସବୁ ସରକାର ଖୋଲି ଚାଲିଛନ୍ତି, ନୂଆ କଣ? ଆୟୁଷ୍ମାନ ଭାରତ କେବଳ କାଗଜ କଲମରେ ଚାଲିଛି। ଆଉ ଉଡାଜାହାଜରେ ଉଡିବା ଲାଗି ଏ ଦେଶର ୯୯% ଲୋକଙ୍କ ସମ୍ବଳ ନାଇଁ। ଏଥିରୁ ବୁଝା ପଡୁଛି, ପ୍ରଧାନମନ୍ତ୍ରୀ କାହାର ବିକାଶ କରିଛନ୍ତି।

ନିର୍ବାଚନ ଆଗରୁ ଏବେବି ବିଜେପି ରାମ ମନ୍ଦିର, ତିନି ତଲାକ, କଂଗ୍ରେସ ବିରୋଧ ଭଳି ପୁରୁଣା ପ୍ରସଙ୍ଗରେ ରହିଛି। ସରକାର ସଫଳତା ଓ ବିକାଶର ଅନୁଭବ ବିଷୟରେ ପ୍ରଧାନମନ୍ତ୍ରୀଙ୍କର କିଛି କହିବାର ନାହିଁ। ପ୍ରଧାନମନ୍ତ୍ରୀଙ୍କ ପାଖରେ ଗାନ୍ଧୀ ପରିବାର ଓ ମନମୋହନ ସିଂଙ୍କୁ ଗାଳି କରିବା ଛଡା, ଦେଶକୁ ବାର୍ତ୍ତା ଦେବା ପାଇଁ ଆଉ ଅଧିକ କିଛି ନାହିଁ।

ଶେଷରେ ଆମେ କହିବୁ ଯେ, ପ୍ରଧାନମନ୍ତ୍ରୀ କେବେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବେ? ପ୍ରାୟୋଜିତ ପ୍ରଶ୍ନର ଉତ୍ତର ନଦେଇ ଖୋଲାଖୋଲି ସାମ୍ବାଦିକଙ୍କୁ ସାମ୍ନା ନ କଲା ଯାଏ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ପ୍ରତି ଅନୁରକ୍ତ ବୋଲି ପ୍ରମାଣିତ ହୋଇପାରିବେ ନାହିଁ।

Categories
ବିଶେଷ ଖବର

ବଡ ମୂର୍ତ୍ତି ଓ ଛୋଟ ରାଜନୀତି

କେଦାର ମିଶ୍ର

୧୮୨ ମିଟର ଉଚ୍ଚତା ର ଗୋଟେ ବିଶାଳ ପ୍ରତିମା, ୨୯୮୯ କୋଟି ଟଙ୍କାର ବଜେଟ, ୩୩ ମାସ ର ନିରବଚ୍ଛିନ୍ନ ପରିଶ୍ରମ ଓ ପ୍ରାୟ ୫୦୦ କୋଟି ଟଙ୍କାର ବିଜ୍ଞାପନମୋଟାମୋଟି ଗୁଜରାଟରେ ଗତ ୩୧ ଅକ୍ଟୋବର ଦିନ ଉଦଘାଟିତ ହୋଇଥିବା “ଏକତାର ପ୍ରତିମା” ର କାହାଣୀ ସେତିକି ମାତ୍ରଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବାସ୍ତବ ଉଚ୍ଚତାଠାରୁ ୧୦୦ ଗୁଣ ଅଧିକ ଉଚ୍ଚ ର ପ୍ରତିମା ନିର୍ମାଣ କରି ଦେଶ ଆଜି ସର୍ଦ୍ଦାରଙ୍କ ଅଭିଷେକ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ତେବେ ସର୍ଦ୍ଦାରଙ୍କ ଅଭିଷେକ ଲାଗି ୭୨ ଖଣ୍ଡ ଗାଁ ର ୭୨ ୦୦୦ ଆଦିବାସୀ ତାଙ୍କର ଜୀବନ ଓ ଜୀବିକା ହରାଇଛନ୍ତିସେମାନେ ଏହାର ପ୍ରତିବାଦ କଲେ ମଧ୍ୟ ତାଙ୍କ କଥା କେହି ଶୁଣିବାର ନାହିଁ୫୦୦ କୋଟି ଟଙ୍କାର ବିଜ୍ଞାପନ ଗଣମାଧ୍ୟମକୁ ଲୋଭରେ ପକାଇବାକୁ ଯଥେଷ୍ଟ

ଏହି ମୂର୍ତ୍ତି କୁ  ୩୫୦ ଟଙ୍କାର ଟିକେଟ କାଟି ବର୍ଷକୁ ଅତି କମ ରେ ୪୦ ଲକ୍ଷ ପର୍ଯଟକ ଦେଖିବାକୁ ଆସିବେ ବୋଲି କୁହା ଯାଉଛିସତରେ ସେୟା ହେଲେ ମଧ୍ୟ ଅତି କମରେ ୫୦ ବର୍ଷ ପରେ ଏହି ମୂର୍ତ୍ତିର ମୂଳଧନ ଫେରିବ। ଏହାକୁ ଏକ ଲାଭଦାୟକ ପର୍ଯ୍ୟଟନ ପ୍ରକଳ୍ପ ବୋଲି ଯାହା କୁହାଯାଉଛି, ତାହା କେବଳ ଅତିରଞ୍ଜନ ମାତ୍ର । ତାଜମହଲ ଓ କୋଣାର୍କ ପରି ଦେଶର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ପରିଚାଳନା ସଠିକ ଢଙ୍ଗରେ କରିନପାରି, ସେହି ସବୁ ଐତିହ୍ୟ କୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆ ଯାଉଛି। ସେଥିରେ ଏ ନୂଆ ମୂର୍ତ୍ତି ଯେ ପର୍ଯ୍ୟଟନର ଆକର୍ଷଣ ହେବ, ତାହା ବିଶ୍ୱାସଯୋଗ୍ୟ ନୁହେଁ

ଏହି ମୂର୍ତ୍ତି ନିର୍ମାଣ ପଛରେ ସବୁଠୁ ବଡ ଉଦ୍ଦେଶ୍ୟ ହେଉଛି, ଇତିହାସ କୁ ନିଜ ଇଚ୍ଛା ଅନୁସାରେ ବଦଳାଇବାର ଏକ ଚାଲାକି। ଗୁଜରାଟର ମହାନ ସ୍ଵାଧୀନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ବଡ କରି ଦେଖାଇବାର ଏହା ଏକ ପିଲାଳିଆ ପ୍ରୟାସ। ବଲ୍ଲଭଭାଇ ସେଇ ଗୁଜରାଟର ଅନ୍ୟତମ ମହାନାୟକ ଓ ଏ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ। ଗାନ୍ଧୀଙ୍କ ଜନ୍ମମାଟିରେ ତାଙ୍କ ଅନୁଗତଙ୍କ ଏ ବିଶାଳକାୟ ପ୍ରତିମା ଗାନ୍ଧୀଙ୍କ ବିଚାରକୁ ଖର୍ବ କରିବ ବୋଲି ଭାବିବା, ନିର୍ବୋଧତା ଇ ହେବ

ସର୍ଦ୍ଦାରଙ୍କ ପ୍ରତିମା ଯେତେ ଉଚ୍ଚ ହେଲେବି ସେ ଗାନ୍ଧୀଙ୍କ ଶିଷ୍ୟ ଓ ଇତିହାସରେ ସେ ଗାନ୍ଧୀବାଦର ସେବକ। ତେଣୁ ମୂର୍ତ୍ତି ଯେତେ ବଡ ହେଲେ ବି ଇତିହାସରେ ଯେ ଯାହାର ଭୂମିକା ନେଇ ରହିବେ। ହୁଏତ କେହି କେହି କହିପାରନ୍ତି, ଗାନ୍ଧୀ ଜୟନ୍ତୀର ୧୫୦ ବର୍ଷ ପାଳନ ଅବସରରେ ବାପୁଙ୍କର ଏମିତି ଏକ ଭବ୍ୟ ମୂର୍ତ୍ତି ହେଲାନାହିଁ କାହିଁକି ?

ବାପୁଙ୍କ ଲାଗି ବଡ ମୂର୍ତ୍ତି ତିଆରି କରିବା, ବାପୁଙ୍କ ଲାଗି ସବୁଠୁ ବଡ ଅପମାନ ହେବ। ସେଇ ସମାନ ଯୁକ୍ତିରେ କୁହାଯାଇପାରେ ଏ ବିଶାଳ ମୂର୍ତ୍ତି ସର୍ଦ୍ଦାରଙ୍କ ପାଇଁ ଖୁବ ଗୋଟେ ବଡ ସମ୍ମାନ ନୁହେଁ।

ସର୍ଦ୍ଦାରଙ୍କ ମୂର୍ତ୍ତି ତିଆରି କରି ସେଇ ଆଢୁଆଳରେ ନିଜକୁ ବଡ କରି ଦେଖେଇବାର ଏକ ଅସୁସ୍ଥ ମାନସିକତା ଯେ ଏ ପ୍ରକଳ୍ପରେ ରହିଛି, ତାହା ଆପେ ଆପେ ବାରି ହୋଇ ପଡୁଛି। ମୋଦୀ ସରକାର ଆସିଲା ପରେ କୌଣସି ଗୋଟିଏ ବି ବଡ ସରକାରୀ ଯୋଜନାକୁ ସର୍ଦ୍ଦାରଙ୍କ ନାମରେ ନାମିତ କରାଯାଇନାହିଁ। ସରକାରୀ ଯୋଜନାରେ ଦୀନଦୟାଲ ଉପାଧ୍ୟାୟଙ୍କ ନାଁ ରେ ଯେତିକି ଯୋଜନା ରହିଛି, ତାହାର ଅଧା ଯୋଜନା ସର୍ଦ୍ଦାରଙ୍କ ନାଁ ରେ ନାମିତ ହୋଇଥିଲେ କଣ ଅସୁବିଧା ହୋଇଥାନ୍ତା କି?

ବଡ ମୂର୍ତ୍ତି ତିଆରି କରିବା ପଛରେ ରହିଥିବା ଛୋଟ ରାଜନୀତିର ଉଦ୍ଦେଶ୍ୟ ଯେ ଲୋକଙ୍କ ଆଖିରେ ପଡୁ ନାହିଁ, ଏକଥା ସରକାର ଭାବନ୍ତୁ ନାହିଁ। ସର୍ଦ୍ଦାରଙ୍କ ବଡ ମୂର୍ତ୍ତିର ଛାଇ ରେ ଆଉ କିଏ ନିଜକୁ ବଡ କରି ଦେଖେଇବାକୁ ଚାହୁଁଛି, ସେ କଥା ଲୋକେ ବେଶ ଭଲ ଭାବରେ ଜାଣନ୍ତି!!